ଚନ୍ଦକାରେ ଗୋଟେ ରାତି ( ଭାଗ - ୪ )
ଚନ୍ଦକାରେ ଗୋଟେ ରାତି ( ଭାଗ - ୪ )


ଥାନାଧିକାରୀ ଅଭିଯୋଗ ପତ୍ରଟି ପାଇଲା ପରେ କାହିଁକି କେଜାଣି ସେ ବେଶ୍ ଉତ୍ସାହିତ ଥିଲା ପରି ମନେ ହେଉଥିଲେ। ସେ ଥରେ ନୂହେଁ ଦୁଇଥର ନୂହେଁ ୫ / ୭ ଥର ପଢ଼ି ସାରିଲେଣି। ଏପଟ ସେପଟ କରି ଖାଲି ଫର୍ଦ୍ଦଟାକୁ ଲେଉଟାଉ ଥାଆନ୍ତି। ଏଫ୍. ଆଇ. ଆର୍ କପିର ଏକକିତା ନକଲ ଓ ପ୍ରାପ୍ତି ସ୍ୱୀକାର ରସିଦ୍ ମଧ୍ୟ ମେଜର ସାହେବଙ୍କୁ ଧରେଇ ସାରିଥାନ୍ତି। କହିଲେ - "ଆପଣମାନଙ୍କ ପରି ସମାଜସେବୀର ଉଦ୍ୟମ କେବେ ବ୍ୟର୍ଥ ଯାଏ ନାହିଁ। ମୁଁ ପର୍ସନାଳ ଇନତ୍ରେଷ୍ଟ ନେଲି। ଏବେଠାରୁ ମୁଁ ସମସ୍ତ ଘଟଣାକ୍ରମ ଉପରେ ତିକ୍ଷ୍ଣ ନଜର ରଖୁଛି। ଆପଣ! ମୋ ଉପରେ ଭରସା ରଖନ୍ତୁ। ମୁଁ ମୋର ପ୍ରାଥମିକ ତଦନ୍ତ ଏବେ ଆରମ୍ଭ କରିଦେଲି। ହେଲେ ଆପଣଙ୍କୁ ଗୋଟେ ଅନୁରୋଧ-ତଦନ୍ତ ସରିବା ପର୍ଯ୍ୟନ୍ତ ଆପଣ ଏ ଘଟଣାକୁ ଆଉ ବିଶେଷ ପ୍ରଘଟ କରିବେ ନାହିଁ କି କାହା ଆଗରେ କହିବେ ନାହିଁ। ନହେଲେ ତଦନ୍ତ ପ୍ରକ୍ରିୟାରେ ଅଯଥା ବ୍ୟାଘାତ ସୃଷ୍ଟି ହେବାର ଢେର ସମ୍ଭାବନା ରହିଥାଏ। ତାଛଡା ସାକ୍ଷ୍ୟ ପ୍ରମାଣ ଆମ ହାତରେ ଲାଗିବା ପୂର୍ବରୁ ହୁଏତ ମୁଦାଲା ତାକୁ ସବୁ ନଷ୍ଟ କରିଦେଇପାରେ।। ଏଣିକି ପୋଲିସ୍ ଆଦବ କାଏଦାରେ ସେ ସବୁ କିଛି ହ୍ୟାଣ୍ଡେଲ କରୁଥାନ୍ତି । ଆମ ସହ ବାର୍ତ୍ତଳାପ ମାଧ୍ୟମରେ ମଧ୍ୟ କିଛି ତଥ୍ୟ ସେ ସଂଗ୍ରହ କରୁଥାନ୍ତି ଓ ଗୁରୁତ୍ଵପୂର୍ଣ୍ଣ ତଥ୍ୟଗୁଡିକୁ ଡାଇରୀରେ ଗାରେଇ ପକାଉଥାନ୍ତି। ଏକ ରକମର କ୍ରସ୍ ଜେରା।କିନ୍ତୁ ପ୍ରତିପକ୍ଷକୁ ବୁଝିବା- ଏତେଟା ସହଜ ହୁଏ ନାହିଁ। ମାନିବାକୁ ହେବ ପୋଲିସ୍ ମାନଙ୍କର ତରିକା-ତାହା ଏକ ଭିନ୍ନ ପ୍ରକାରର।
ଏଫ୍.ଆଇ. ଆର୍. କପି ତତକ୍ଷଣାତ ବଡ଼ଖୁମ୍ବା ପୋଲିସ୍ ଷ୍ଟେସନ୍ ଓ ପୋଲିସ୍ ହେଡ୍ କ୍ୱାଟରକୁ ପଠେଇଦେଲେ। କାହିଁକିନା ବଡ଼ ସାହେବଙ୍କ ନିର୍ଦ୍ଦେଶ ପରା ଥାଏ। ଠିକ୍ ଏତିକି ବେଳକୁ ବଡ଼ଖୁମ୍ବାରୁ ୱାରଲେସ୍ ଯୋଗେ ବାର୍ତ୍ତା ଆସିଲା। ସେ କଥା ହେଉଥାନ୍ତି, ସ୍ପଷ୍ଟ ସବୁ ବୁଝା ପଡ଼ୁଥାଏ। ବଡ଼ଖୁମ୍ବା ଅଧିକାରୀ କହୁଥାନ୍ତି - "ଘଟଣା ଓ ଚରିତ୍ର ଗୁଡିକ ପ୍ରାୟତଃ ଖାପ୍ ଖାଉଛି। କାରଣ ମୁଁ ନିଜେ ଯାଇ ଗାଁ ଚୌକିଆ ଓ ଲୋକମାନଙ୍କ ସହ ଆଲୋଚନା କରି ଫେରିଛି। କେବଳ ସେ ସୁକୁଟା ପ୍ରଧାନର ଭୁବନେଶ୍ବର ଠିକଣାଟା, ଆମର ଏଯାଏଁ ହସ୍ତଗତ ହୋଇ ପାରିନାହିଁ। ଆଉ ତା' ଚାକିରୀ ସମ୍ପର୍କରେ ମଧ୍ଯ ବିଶେଷ କିଛି ତଥ୍ୟ ମିଳିପାରି ନାହିଁ। ଏ କଥାଟା ଆମେ ବଡ଼ ସାହେବଙ୍କୁ ଜଣାଇ ସାରିଛୁ। ମୋ ପାଖରେ ଯାହା ରିପୋର୍ଟ ମହଜୁଦ ଅଛି ତାହା ଆପଣଙ୍କ ଅବଗତି ନିମନ୍ତେ ପଠେଇ ଦେଉଛି। ତେଣିକି ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ସମ୍ପର୍କରେ you may think (ଆପଣ ଚିନ୍ତା କରିବେ)। ମୁଁ ତାଙ୍କର ବନ୍ଧୁବାନ୍ଧବ କେଇ ଜଣଙ୍କୁ ମଧ୍ଯ ଡକାଇଛି। ଖୁବ୍ ଶୀଘ୍ର ଆଡ୍ରେସଟା ପତା କରୁଛି "। ଏପଟରୁ ଉତ୍ତର ଗଲା -" ହେଲେ ଅପରାଧୀ ଯେପରି ସୁରାଗ ଟିକେ ବି ନପାଏ ସେଥିପ୍ରତି ଦୃଷ୍ଟି ଦେବେ। ସତର୍କତା ଏକାନ୍ତ ଅବଲମ୍ବନୀୟ "।
ହେଡ୍ କ୍ୱାଟାରରୁ ମଧ୍ଯ ନିର୍ଦ୍ଦେଶ ଆସିଲା - "ସେ ବାବୁ ମାନେ ଅଛନ୍ତି ନା ଗଲେଣି।ଶୀଘ୍ର ସେମାନଙ୍କୁ ବିଦା କରିଦିଅ। କ୍ରାଇମ୍ ବ୍ରାଞ୍ଚକୁ କହି ଦେଇଛି, ସେ ତୁମକୁ ସୁକୁଟା ପ୍ରଧାନର ଆତାପତା ସବୁ ସଂଗ୍ରହ କରି ପଠେଇବେ। ଆଉ ଲୋକଟାର movement ଉପରେ ମଧ୍ଯ ନଜର ରଖି, ତୁମକୁ ଖବର ଦେଉଥିବେ। ସେମାନଙ୍କ ସହିତ ଯୋଗାଯୋଗ ରକ୍ଷାକର। କହିବ ବଡ଼ ସାହେବ କହିଛନ୍ତି" ।
ଏତେବେଳକୁ ପୋଲିସ୍ ଡିପାର୍ଟମେଣ୍ଟର କାର୍ଯ୍ୟଶୈଳୀ ଓ ତତ୍ପରତା ଦେଖି, ସେମାନଙ୍କ ଉପ
ରେ କିଛିଟା ଭରସା ଆସି ଯାଉଥିଲା। ମନରେ, ଭରି ଉଠୁଥିଲା ପ୍ରସନ୍ନତା ।ପୋଲିସ୍ ଅଧିକାରୀ ଗାଡି ବାହାର କଲେ। ସାଥିରେ ଗଣ୍ଡେ ଛଅଟା ବସେଇ କେଉଁଆଡ଼େ ଚାଲିଗଲେ। ଗଲା ବେଳେ କହିଗଲେ -" ଆପଣମାନେ ଏଥର ଆସିପାରନ୍ତି। ଆବଶ୍ୟକ ପଡ଼ିଲେ ଡକେଇବୁ। ଆପଣଙ୍କର kind cooperation ଟିକିଏ ଦରକାର, please, don't mind, if disturbed. କାରଣ ଘଟଣାଟିକୁ ଆପଣମାନେ ତ ହିଁ ଭଲ ଭାବେ ବୁଝିଛନ୍ତି " ।ରାମହରି ବାବୁ କହିଲେ - "don't worry, be assured" .
ବନ୍ଧୁ ମଧ୍ଯ ମୁଣ୍ଡ ଟୁଙ୍ଗାରି ସମ୍ମତି ଦେଲେ। ପୋଲିସ୍ ଅଧିକାରୀ ଦଳେ ଅଧିକାରୀଙ୍କୁ ଧରି କେଉଁଆଡ଼େ ବାହାରି ଗଲେ। କୁହାକୁହି ହେଉଥାନ୍ତି -" ଆରେ ବସରେ! ବଡ଼ ସାହେବଙ୍କ ହୁକୁମ୍ ଅଛି, ଶୀଘ୍ରତା ପ୍ରକାଶ କରିବାକୁ ହେବ"।
ଏଥର ଏମାନେ ଫେରିଆସିଲେ କଟକ ଜାତୀୟ ରାଜପଥ ଦେଇ। ମନରେ ଅନେକଟା ଆଶ୍ୱସ୍ତି ।ଘଟଣାଟିର ଅଗ୍ରଗତି ବେଶ୍ ସନ୍ତୋଷଜନକ। ତଦନ୍ତ ପ୍ରକ୍ରିୟା କ୍ଷିପ୍ରବେଗମାନ ଅଶ୍ଵ ପରି ବେଶ୍ ଧାବମାନ । ପୋଲିସ୍ ବିଭାଗ ଆଗ୍ରହ ଦେଖାଉଥିବା ଜାଣି ଖୁସି ଲାଗୁଥାଏ।
ସନ୍ଧ୍ୟା ପୂର୍ବରୁ ଦୁଇ ବନ୍ଧୁ ଆସି ଘରେ ପହଂଚି ଗଲେ। ଆରମ୍ଭ ହେଲା ଚା ଜଳଖିଆର ପର୍ବ। ପତ୍ନୀ ସୁରେଖା ଘଟଣା ସମ୍ପର୍କରେ ସମସ୍ତ ପଚାରି ବୁଝୁଥାନ୍ତି। ସମସ୍ତଙ୍କ ମନରେ ପ୍ରସନ୍ନତା ଭରି ରହିଥାଏ। ଯାହାହେଉ ଯୁବକଟିକୁ ନ୍ୟାୟ ଦେବା ପାଇଁ ସେମାନେ ପହିଲେ ପହିଲେ କେତୋଟି କଦମ୍ ରଖି, ସଫଳତା ପାଇ ପାରିଛନ୍ତି। ଅବିଶ୍ରାନ୍ତ ଦୌଡ଼ାଦୌଡ଼ି ପରେ ଏବେ ସେମାନେ ଟିକିଏ ବିଶ୍ରାମ ନେବେ। ତେବେ ମନ ଖୋଲି ଟିକେ ହସାହସି ହେଲେ। ରାତି ହେଲାଠୁଁ ଖାଇପିଇ ଶାନ୍ତିରେ ନିଶ୍ଵାସ ନେଲେ। ନିଘୋଡ ନିଦରେ ପ୍ରଶାନ୍ତ ନିଳୟରେ ଶୋଇ ଗଲେ। ଉଠିଲା ବେଳକୁ ବିଳମ୍ବିତ ପ୍ରହର।ଭାବିଲେ - ଆଜି ଦିନଟା complete rest (ସମ୍ପୂର୍ଣ୍ଣ ବିଶ୍ରାମ)। ଯୁବକଟି ମଧ୍ଯ ଆଉ କାହିଁ କିଛି ଉତ୍ପାତ ତ କରୁନାହିଁ।ସିଏ ବି ବୋଧେ ବିଶ୍ରାମ ନେଉଛି। ବିଚରା! ଏଣେତେଣେ କେତେ ଧାଇଁଲାଣି ।
ଦିନକ ପରେ ଅଗ୍ରଗତି ସମ୍ପର୍କରେ ଖବର ନେଲାଠୁଁ କିଛି ନୂତନତ୍ବ ଲକ୍ଷ୍ୟ କରଗଲା -
ଏବେ ବିଭିନ୍ନ ଆଡ଼ୁ ରିପୋର୍ଟ ଅଣାଯାଇ ମାଦଳା ପାଞ୍ଜି ହେଲାଣି। ଅନେକ ରହସ୍ୟ ଉନ୍ମୋଚନ ହେବାକୁ ଖାଲି ବାକି ରହିଥାଏ। ଅପରାଧିକ ଦୁନିଆରେ ଥରେ ପାଦ ଖସାଇଦେଲେ, କେତେବେଳ ଯେ ପାଦଟା ପଙ୍କିଳ ହୋଇଯାଇ ସେଥିରେ ଟାଣିଓଟାରି ହୋଇ ସେ ଗୋଳେଇ ପୋଳେଇ ପେଣ୍ଡୁଳା ହୋଇଯାଏ ତା'ର ନମୁନା ଓ ନଜାରା ହୁଏତ ଦେଖିବାକୁ ମିଳିପାରେ। ଏ କଥାଟା ତ ସେଦିନ ପୋଲିସ୍ ଅଧିକାରୀଙ୍କୁ ଫୋନ୍ କଲା ପରେ ଟିକିଏ ଆଭାସ ମିଳୁଥିଲା। ଏଥିରେ ପରା କ୍ରାଇମ୍ ବ୍ରାଞ୍ଚର କେତକ ଅଧିକାରୀମାନଙ୍କର ମଧ୍ୟ ସହାୟତା ଲୋଡ଼ା ଯାଇଛି। ଯେଉଁମାନେ କି ସବୁ ତଥ୍ଯ ଯୋଗାଇ ଦେଉଥାନ୍ତି। ତେଣୁ ବେଶ୍ ଉତ୍ସାହିତ ଥାନ୍ତି ପୋଲିସ୍ ଅଧିକାରୀ, ଯେ କିଛି ବଡ଼ ସଫଳତା ହୁଏତ ହାତକୁ ଲାଗିପାରେ।
"ଆଉ କିଛି କାମଧନ୍ଦା ଅଛି ନା ନାହିଁ, ଖାଲି ସେଇଥିରେ ଲାଗୁଥିବ? ସେପଟରେ ଆଶ୍ରମ କଣ ହେଲାଣି କିଛି ବୁଝିଛ କି ନାହିଁ??" - କହି ପତ୍ନୀ ଚିଲେଇବାରୁ ଚେତନାଟା ପଶିଲା। ତୁରନ୍ତ ବନ୍ଧୁଙ୍କୁ ଫୋନ୍ କଲେ। କହିଲେ - "ଆଶ୍ରମ ବୁଡି ଯିବନା କ'ଣ? ଆମେ ତ ଏପଟେ ବ୍ୟସ୍ତ ରହିଗଲେ। ସେପଟେ କ'ଣ ଯେ ହେବଣି କିଏ ଜାଣେ। ଶୀଘ୍ର ଚାଲ! ଯାଇ ସବୁକଥା ବୁଝି ଆସିବା" । ବନ୍ଧୁ ପହଂଚି ଯିବାରୁ ଆଶ୍ରମ ଯିବା ଆଗରୁ ଚର୍ଚ୍ଚାଟା ଜୋହର୍ ଧରିଲା ।