Padmalaya Padhy

Inspirational

4.0  

Padmalaya Padhy

Inspirational

ଚକ୍ରି

ଚକ୍ରି

7 mins
203



ସେଦିନ କାହିଁକି ନା ପୁରୁଣା କଥାଗୁଡାକ ବେଶି ମନେ ପଡୁଥିଲା l ଛ ବର୍ଷର ସୁଷମା ଷାଠିଏରେ ଆସି ପହଞ୍ଚିଲେଣି l ଚାରି ଭଉଣୀ ଭିତରେ ସବୁଠୁ ବଡ ଥିଲେ ସେ l

ଘରର ପ୍ରଥମ ସନ୍ତାନ ଠାରୁ ସମସ୍ତେ ଅନେକ ଆଶା ରଖନ୍ତି l ସତେ ଯେପରି ସେ ନିଜ ଇଚ୍ଛାରେ ଆସି ପ୍ରଥମ ପଦ ଅଳଙ୍କୃତ କରିଛି l ପ୍ରଥମ ସନ୍ତାନ ତ୍ୟାଗ, ସ୍ନେହ, ଧର୍ଯ୍ୟର ପ୍ରତୀକ ହେବl ଯେପରି ଏକ ବିଧି l କିନ୍ତୁ ତାର ବି ମନ ଅଛି, ଇଚ୍ଛା ଅଛି ଓ ସ୍ୱପ୍ନ ଅଛି ବୋଲି ସମସ୍ତେ ଭୁଲି ଯାଆନ୍ତି l

ମନେ ପଡେ ସବୁ ବର୍ଷ ପ୍ରଦର୍ଶନୀ ଆସିଲେ ବାପାଙ୍କ ସାଙ୍ଗେ ସେମାନେ ଯାଆନ୍ତି l କିଣାକିଣି କରିବାକୁ ପଇସା ନଥାଏ l କିନ୍ତୁ ଚକ୍ରିରେ ବସି ବୁଲିବାକୁ ଭାରି ମନ ସୁଷମାଙ୍କର l ହେଲେ କଣ ହେବ ଚାରି ଭଉଣୀଙ୍କୁ ଚାରିଗୋଟି ବମ୍ବେ ମିଠେଇ କିଣି ଦେଲା ପରେ ବାପାଙ୍କ ପକେଟ ଖାଲି l ବୁଲି ବୁଲି ଫେରି ଆସନ୍ତି l ଆସୁ ଆସୁ ମାଆକୁ କହନ୍ତି 

--ମୁଁ ଆଉ ବାପାଙ୍କ ସାଙ୍ଗେ ଯିବି ନାହିଁ l ବାପା କେବେବି ଚକ୍ରି ପାଇଁ ପଇସା ନେଉ ନାହାନ୍ତି l ସବୁ ଥର ଠକୁଛନ୍ତି l

--ତୁ ଆମ ଘରର ବଡ ଝିଅ ପରା l ଏ ଘରକୁ ତୁ ହିଁ ସର୍ବପ୍ରଥମେ ଆସିଛୁ l ତୁ ଯଦି ଆମ ଦୁଃଖ ବୁଝିବୁନି ଆଉ କିଏ ବୁଝିବ ? ବଡ ଭଉଣୀ ଏମିତି ଜିଦ୍ କଲେ ସାନମାନେ କଣ ଶିଖିବେ? ଦେଖିବୁ ରହ ଆର ବର୍ଷକୁ ତୁମେମାନେ ସମସ୍ତେ ଚକ୍ରିରେ ବସିବ l ମାଆର କଥା ଏବଂ ଆର ବର୍ଷର ଅପେକ୍ଷା l

ତଥା କଥିତ ବଡ ଝିଅର ଛାପ ମାରି ସେ ଆର ବର୍ଷକୁ ଅପେକ୍ଷା କରନ୍ତି l ସେ ଆର ବର୍ଷ ଆଉ କେବେ ବି ଆସେ ନାହିଁ l ପୁଣି ଯାତ୍ରା ମେଳଣ ଆସେ l ଆଗେ ଖାଇ ସାରି ଚକ୍ରିରେ ବସିବା ଭାବୁ ଭାବୁ ଖାଇବା ଜିନିଷର ଦାମ ବି ବର୍ଷକୁ ବର୍ଷ ସେହି ଅନୁପାତରେ ବଢି ଚାଲି ଥାଏ l ପୁଣି ପଇସା ନିଅଣ୍ଟ ହୁଏ l ଚକ୍ରିରେ ବସିବା ହୋଇ ପାରେନା l ପଦ୍ମ ଘୁଂଚି ଘୁଂଚି ଯାଏ l

ଏମିତି ହେଉ ହେଉ ବିବାହ ବୟସ ଆସିଗଲା l ସେତେବେଳେ ବି ପରଖିବାର ସୁଯୋଗ ନାହିଁ l ଗୋଟିଏ ପୁଅକୁ ଗୋଟିଏ ଝିଅ ବାହା ହେବ l ଏଥିରେ ନୂଆ କଥା କିଛି ନାହିଁ l ସ୍ୱାମୀର ସର୍ବ ପ୍ରଥମ ଯୋଗ୍ୟତା ହେଲା ସ୍ତ୍ରୀକୁ ପୋଷି ପାରୁଛି କି ନାହିଁ l ଯଦି ସ୍ତ୍ରୀକୁ ଦି ବେଳା ଦି ମୁଠା ଖାଇବାକୁ ଯୋଗାଡ଼ି ଦେଲା ତେବେ ସେ ଯୋଗ୍ୟ ବର ବିବେଚିତ ହେବ l

ଭଲ ବର କି ଖରାପ ବର, ସୁଖ ମିଳିବ କି ଦୁଃଖ ମିଳିବ ସେ ସବୁ ତ ଭାଗ୍ୟରେ ଯାହା ଲେଖା ହୋଇଛି ହେବ l ଭଲ ଖରାପ ବାଛି ବସିଲେ ତଳେ ଆହୁରି ତିନି ଭଉଣୀ ଅଛନ୍ତି ଯେ ! ବଡ ଝିଅ ବାହା ହୋଇ ନ ଗଲା ଯାଏଁ ସାନ ମlନେ ଉଠିବେ କେମିତି l ବାପାଙ୍କ କଥାରେ ସୁଧାର ଝିଅ ସାଜି ସୁଷମା ଶାଶୁ ଘରକୁ ଗଲେ l

ଶାଶୁ ଘରେ ଆଦର୍ଶ ବୋହୁର ଛବି ବଜାୟ ରଖିବା ହେଉଛି ପ୍ରତ୍ୟେକ ବିବାହିତା ନାରୀର ଧର୍ମ l ତାଙ୍କ ସ୍ୱାମୀ ଘରର ଏକ ମାତ୍ର ରୋଜଗାରିଆ ପୁଅ l ଦୁନିଆ ଯାକର ଦାୟିତ୍ୱ କାନ୍ଧ ଉପରେ ନେଇ ସାରା ଜୀବନ ବୋଝ ବୋହି ଚାଲିଥିଲେ l ସୁତରାଂ ସୁଷମାଙ୍କ ଚକ୍ରିରେ ବସିବା ସଉକଟି ପୂରଣ କରିବାକୁ ନା ତାଙ୍କ ପାଖେ ସମୟ ଥିଲା ନା ଆଗ୍ରହ l

ପୁଣି ବିନା ଯୌତୁକରେ ଆସିଛନ୍ତି ବୋଲି ଶାଶୁ ପ୍ରତ୍ୟେକ କଥାରେ ଖୁଣ୍ଟା ଦେଉଥିଲେ l ତେଣୁ ଚକ୍ରି ଭଳି ଏକ ନଗଣ୍ୟ ଜିନିଷ ଉପସ୍ଥାପନା କରିବା ମଧ୍ୟ ଏକ ଗୁରୁତର ଅପରାଧ ରୂପେ ବିବେଚିତ ହୋଇଥାନ୍ତା l ହଁ ବୋହୁମାନେ କଣ ଚକ୍ରିରେ ବସିବା ସୁନ୍ଦର l ଏତକ କହି ମନକୁ ବୁଝାଇ ଦିଅନ୍ତି l

ପୁଅ ଲିଟୁର ଜନ୍ମ ପରେ ଆଉ ଗୋଟିଏ ଗୁରୁ ଦାୟିତ୍ୱ ହେଲା ମାଆର ଭୂମିକା l ପୁଅର ଭବିଷ୍ୟତ ନ ଦେଖି ମା କଣ ଚକ୍ରିରେ ବସି ବୁଲିବା କଥା ? ମା ମାନେ ସଉକିନିଆ ହେବl ତ ହାସ୍ୟାସ୍ପଦ କଥା l ପୁଅର ଖାଇବା ପିଇବାଠୁ ଆରମ୍ଭ କରି ପାଠ ଶlଠ ଦେଖୁ ଦେଖୁ ପୁଅର ଚକ୍ରିରେ ବସିବା ବୟସ ଆସିଗଲା l

ହେଲେ ସ୍ୱାମୀଙ୍କ ପ୍ରବଳ ଭୟ l ଲିଟୁକୁ ଚକ୍ରି ଠାରୁ ଶହେ ହାତ ଦୂରରେ ରଖନ୍ତି l କାଳେ ଲିଟୁ ଚକ୍ରିରୁ ଖସି ପଡିବ l ଲିଟୁ ତାଙ୍କର ଏକମାତ୍ର ସନ୍ତାନ l ତେଣୁ ଦେଖିଲେ କାଳେ ଜିଦ କରିବ ବୋଲି ସେ କେବେବି ସହରରେ ଚକ୍ରି ଆସିଲେ ଲିଟୁକୁ ସାଙ୍ଗରେ ନିଅନ୍ତି ନାହିଁ l ସୁତରାଂ ସୁଷମା ଏକା ଏକା ଯାଇ ବସିବାର ପ୍ରଶ୍ନ ଉଠୁ ନାହିଁ l

ଲିଟୁ ବଡ ହେଲା ପରେ ଥରେ କହିଥିଲେ

--ଲିଟୁ ! ତୋ ସାଙ୍ଗେ ଗୋଟେ ଜାଗାକୁ ଯିବାର ଥିଲା l ମୋତେ ନେଇ କି ଯିବୁ ନା ?

--କୋଉଠି ଛାଡ଼ିବି କୁହ ମା l ତୁମକୁ ଛାଡି ଦେଇ ଯିବି ଆସିଲା ବେଳେ ତୁମେ କ୍ୟାବରେ ଚାଲି ଆସିବ l ଲିଟୁ ଭାବିଥିଲା ଗୋଟେ କିଛି ଦରକାରୀ କାମରେ ମା ଯିବ ବୋଲି କହୁଛି l କିନ୍ତୁ ମା ଚକ୍ରିରେ ବସିବାକୁ ଚାହୁଁଛି ଶୁଣି ଲିଟୁ ଚିଡି ଯାଇଥିଲା l

--ମା ତୁମେ ବି ଦିନକୁ ଦିନ ପିଲା ହୋଇ ଯାଉଛ l କହୁଛ କଣ ନା ଚକ୍ରିରେ ବସିବ l ଏଇଟା ତୁମ ଚକ୍ରିରେ ବସିବା ବୟସ କି ? କିଛି କାମ ନଥିଲେ ତୁମେ ରୋଜି ଆଣ୍ଟିଙ୍କ ଠାରୁ ପିଆନୋ ଶିଖୁନ ? କିଛି ଗୋଟେ କ୍ରିଏଟିଭ କର ମା ! ତୁମେ ବି ରୋଜି ଆଣ୍ଟିଙ୍କ ଭଳି ଷ୍ଟେଜରେ ବଜାଇ ପାରିବ l ତୁମର ବି ରୋଜି ଆଣ୍ଟିଙ୍କ ଭଳି କେତେ ଫ୍ୟାନ ହେବେ l

ସୁଷମା ସେଇଠୁ ଭାବିଲେ ହଁ ହୋଇପାରେ ଏ ବୟସରେ ଏ ସବୁ ସଉକ ନ ରଖିବା କଥା l ସେ କଣ ଆହୁରି ଛ ବର୍ଷର ଝିଅ ହୋଇ ଅଛନ୍ତି କି l ହଉ ଛାଡ଼ l ସଉକ ବାଟେ ସଉକ ଥାଉ ପୂରଣ ନ ହେଉ ପଛକେ ପିଆନୋ ଶିଖିବାର ମାନସିକତା ତାଙ୍କର ନଥିଲା l ତେଣୁ ଲିଟୁ ଆଗରେ ଚକ୍ରି ବିଷୟରେ ଆଉ କେବେ କିଛି କହି ନାହାନ୍ତି l

କେତେ କଥା ଭାବୁଥିଲେ ସୁଷମା l ଦିନ ବାରଟା ବାଜିଲାଣି l ରୋଷେଇ ଆରମ୍ଭ ହୋଇନି l ଗୋଟିଏ ଲୋକକୁ କେତେ ବା କାମ l ସ୍ୱାମୀଙ୍କ ମୃତ୍ୟୁ ପରେ ଲିଟୁ ଚାକିରୀ କରି ଅନ୍ୟ ସହର ରେ

ରହିଲା l ଏକୁଟିଆ ଲୋକ ସେ l କିଛି ଗୋଟେ କରିଦେଇ ଖାଇବl ସାରିବେ l

ସ୍ୱାମୀଙ୍କ ମୃତ୍ୟୁ ପରେ ସୁଷମାଙ୍କୁ ସବୁବେଳେ ଭୟ ଲାଗୁଥିଲା l ଲିଟୁର ବାହାଘର ଯେତେ ପାଖେଇ ଆସୁଥିଲା ସେ ନିଜକୁ ସେତେ ଅସୁରକ୍ଷିତ ମନେ କରୁ ଥିଲେ l ବୋହୂଟି କେମିତି ହୋଇଥିବ ନା l ଲିଟୁର ପସନ୍ଦ ଲିଟୁ ପାଇଁ ନିଶ୍ଚୟ ଠିକ ଥିବ l ଉଭୟେ ଉଭୟଙ୍କର ପରିପୂରକ ହୋଇଥିବେ l ହେଲେ ସୁଷମାଙ୍କର କିଏ ଅଛି ଯେ ଆଉ l ବୋହୁ ଯେ ତାଙ୍କ ମନ କଥା ବୁଝିବ ତାର ଗ୍ୟାରେଣ୍ଟି ଶହେରେ ଏକ ପ୍ରତିଶତ ଥିବ କି ନାହିଁ l ହଉ ଲିଟୁ ଯଦି ଖୁସି ସେ ବି ଖୁସି l ତାଙ୍କର ବା ଏ ପୃଥିବୀରେ ଆଉ କେତେ ଦିନ ରହଣି !

ବିବାହର ସବୁ ଆୟୋଜନ ଲିଟୁ ହିଁ କରିଥିଲା l ହଁ ଗୋଟେ ଦୃଷ୍ଟିରୁ ଭଲ ହେଲା କହିଲେ ଚଳେ l ଭାତ, ଡାଲି ରାନ୍ଧିଲା ପରେ କି ତରକାରୀ ହେବ ଆଗକୁ ତାଙ୍କର ବୁଦ୍ଧି ପାଏନି ତେଣୁ ଶାଶୁଙ୍କୁ ପଚାରନ୍ତି ନହେଲେ ସ୍ୱାମୀଙ୍କୁ l ଲିଟୁ ଯୋଉଦିନ ଘରକୁ ଆସିଥିବ ସେ କହିବ l ପୁଅ ବାହାଘରର ଆୟୋଜନ ସେ ବା କିପରି କରି ପାରିଥାନ୍ତେ !

ଏହି ପରି ଭୟ ଓ ଆଶଙ୍କା ଭିତରେ ଲିଟୁର ବାହାଘର ବି ସରିଗଲା l ଲିଟୁ ବାହା ହେଲା ପରେ ଦୁଇ ସପ୍ତାହ ସ୍ତ୍ରୀକୁ ନେଇ ସୁଷମାଙ୍କ ପାଖେ ଆସି ରହିଲା l ବୋହୂ ଲିସା ଆଜି କାଲିର ଝିଅ l ବେଶି ଆଧୁନିକ ନହେଲେ ମଧ୍ୟ ସୁଷମାଙ୍କ ଭଳି ନୁହେଁ l ଲିସା ସୁଷମାଙ୍କ ସହ ସାଙ୍ଗ ହେବାକୁ ଚାହୁଁଛି କିନ୍ତୁ ତାଙ୍କର ଗମ୍ଭୀର ସ୍ଵଭାବ ଦେଖି ଭରସି କିଛି କହି ପାରୁନି l

ଏ ଭିତରେ ଲିଟୁର ବି ଛୁଟି ସରିଗଲା l ଲିସାକୁ ନେଇ କାର୍ଯ୍ୟସ୍ଥଳକୁ ଚାଲି ଯିବା କଥା l କିନ୍ତୁ ଲିସା ରାଜି ହେଉନି l ଲିଟୁର ଛୁଟି ମଧ୍ୟ ବଢି ପାରିବନି l ସୁଷମାଙ୍କ ମୁଣ୍ଡରେ କିଛି ପଶୁ ନାହିଁ l ଲିସାକୁ କଣ କହିବେ l ପୁଅର ସୁବିଧା ପାଇଁ ତାକୁ ପୁଅ ସାଙ୍ଗରେ ଯିବାକୁ କହିବେ ନା ତାଙ୍କ ପାଖରେ କେତେ ଦିନ ରଖିବେ l ମନେ ମନେ ସୁଷମା ଚାହୁଁଥିଲେ ଯେ ଲିସା କେତେଦିନ ତାଙ୍କ ପାଖେ ରହିଯାଉ l ଏକୁଟିଆ ଜୀବନରେ ମଣିଷ ମାନେ ଦୁଷ୍ପ୍ରାପ୍ୟ l ଲିସା କହିଲା

--ମା ମୁଁ କେତେ ଦିନ ତୁମ ପାଖରେ ରହିବାକୁ ଚାହୁଁଛି l ଆମେ ସିନା ପରସ୍ପରକୁ ପସନ୍ଦ କରି ବାହା ହୋଇଛୁ କିନ୍ତୁ ତୁମକୁ ତ ମୁଁ ଭଲ ଭାବେ ଜାଣେ ନାହିଁ l ତୁମେ ବି ମୋତେ ଜାଣିନ ମୁଁ କି ପ୍ରକାର ଝିଅ l ତେଣୁ ଆମେ କେତେ ଦିନ ଏକାଠି ରହିଲେ ହିଁ ପରସ୍ପରକୁ ବୁଝି ପାରିବା l

ସୁଷମା ଲିଟୁ କି ଲିସାକୁ କିଛି କହି ପାରି ନଥିଲେ l ଲିଟୁ ବାହାରିଗଲା l ମାସେ ପରେ ଆସି ଲିସାକୁ ନେବ l ମାସେ ପର୍ଯ୍ୟନ୍ତ ଶାଶୁ ବୋହୁ ଚିହ୍ନା ଚିହ୍ନି ହେଉଥାନ୍ତୁ l

ଲିସା ମାତ୍ର ଗୋଟେ ସପ୍ତାହ ଭିତରେ ସୁଷମାଙ୍କର ସବୁଠୁ ବଡ଼ ବାନ୍ଧବୀ ହୋଇଗଲା l ସୁଷମାଙ୍କ ଜୀବନର ଛୋଟିଆ ଛୋଟିଆ ଘଟଣା ସବୁ ଯାହା ଲିଟୁ ବି ଜାଣି ନଥିବ ସେଇଟା ବି ଲିସା ଜାଣି ଯାଇଥିଲା l

ସେଦିନ କଥା ପ୍ରସଙ୍ଗରେ ସୁଷମା ଚକ୍ରି କଥା କହି ବହୁତ ହସି ଥିଲେ l ଜୀବନର ଗତି ପଥ ଯେଉଁ ଆଡେ ଯାଉଛି ଯାଉ ପଛେ ସୁଷମାଙ୍କ ଚକ୍ରି କିନ୍ତୁ ତାଙ୍କ ଚାରି ପଟେ ହିଁ ଘୁରି ବୁଲୁଛି l 

ବାଲ୍ୟ ବୟସରୁ ବିଭିନ୍ନ ଭୂମିକା ନିଭାଇ ସାରି ସବୁ ଇଚ୍ଛା ଦମନ କରି କରଣୀୟ, ଗ୍ରହଣୀୟ, ଉଚିତ ଅନୁଚିତର ଜାଲରେ ବନ୍ଧା ପଡି ଥିବା ଜୀବନ ଟି ଏ ଆଜି ବୃଦ୍ଧାବସ୍ଥାରେ ଉପନୀତ, ଯେ କି ନିଜର ଅକ୍ଷମତାକୁ ହସିକି ଉଡାଇବା ଛଡା ଆଉ ଚାରା ନାହିଁ l

ଲିସା କିନ୍ତୁ ସୁଷମାଙ୍କ ହସରେ ଯୋଗ ଦେଇ ପାରୁ ନଥିଲା l ତାଙ୍କ ଆଖିରେ ଥିବା ଯୁଗ ଯୁଗର ବିଷାଦକୁ ସେ ପଢିବାକୁ ଚାହୁଁ ଥିଲା l ବେଳେ ବେଳେ ଭାଗ୍ୟର ବିଡମ୍ବନା ହେଉ କିମ୍ୱା ପରିସ୍ଥିତିର ଚାପରେ ହେଉ ବହୁ ଆଶା ଅଭିଳାଷକୁ ନିଜ ଭିତରେ ହିଁ ଲୁଚାଇ ଦେବାକୁ ପଡେ l କ୍ରମଶଃ ସେଗୁଡିକ ସମୟର ଅତଳ ଗର୍ଭରେ ମରି ହଜି ଯାଆନ୍ତି l ମହଙ୍ଗା ଚାହିଦା ସବୁ ପୂରଣ ହେଇ ଯାଉ ଥିବା ବେଳେ ଛୋଟିଆ ଖୁସି ଗୁଡିକ ହିଁ ବଳି ପଡି ଯାଏ l ଆତ୍ମା ଖାଲି କଲବଲ ହୁଏ ସିନା ଆଉ କିଛି ଲାଭ ହୁଏନା l

ଲିସା ବଦ୍ଧ ପରିକର ଥିଲା ବୟସ ଛାଇରେ ଲୀନ ହୋଇ ଯାଇଥିବା ସୁଷମାଙ୍କ ଖୁସିଟିକୁ ଫେରାଇ ଆଣିବା ପାଇଁ l ସେ ଦିନ ସହର ଶେଷ ପ୍ରାନ୍ତରେ ଗୋଟିଏ ଚ୍ୟାରିଟି ସୋର ଆୟୋଜନ ହେଉଥିଲା l ପ୍ରଦର୍ଶନୀ ସାଙ୍ଗକୁ ଚକ୍ରିର ବ୍ୟବସ୍ଥା ମଧ୍ୟ ଥିଲା l ଲିସା କିଛି ନ ଜଣାଇ ସୁଷମାଙ୍କୁ ନେଇ ଚ୍ୟାରିଟି ସୋରେ ପହଁଚିଲା l ସବୁ କାର୍ଯ୍ୟକ୍ରମ ଦେଖି ସାରି ସେମାନେ ପଡିଆରେ ପହଁଚିଲେ ଯେଉଁଠି ଚକ୍ରିର ଆୟୋଜନ ହୋଇଥିଲା l ସୁଷମା ଚକ୍ରି ଦେଖୁ ଦେଖୁ ପୁଅ ଲିଟୁ କଥା ମନେ ପଡିଲା l ଏ ସବୁ ପିଲାଙ୍କ ମନୋରଞ୍ଜନ ପାଇଁ ହେଉଛି l ସେ ଯିବାଟା ଠିକ ନୁହେଁ ପୁଣି ଶାଶୁ ହୋଇ ବୋହୁ ଆଗରେ ଛୋଟ ଛୁଆ ଭଳି ଚକ୍ରିରେ ବସି ଘୁରିବେ?

ଏତିକି ଭାବିଲା ବେଳକୁ ଲିସା ଟିକଟ କିଣି ଚାଲି ଆସିଲାଣି l ସୁଷମାଙ୍କୁ କିଛି କହିବାକୁ ନ ଦେଇ ସେ ତାଙ୍କ ହାତ ଧରି ଟାଣି ଟାଣି ଚକ୍ରି ଆଡେ ଚାଲିଥିଲା l ସବୁ ସିଟ ଭର୍ତ୍ତି l ଶେଷ ଦୁଇଟି ସୁଷମା ଓ ଲିସାକୁ ମିଳିଲା l ଚକ୍ରି ଯେମିତି ଘୁରିବା ଆରମ୍ଭ କରିଛି ସୁଷମାଙ୍କ ଆଖି ବୁଜି ହୋଇ ଗଲା l ସତେ ଯେପରି କେତେଟା ଯୁଗକୁ ସେ ଏକା ବେଳକେ ଅତିକ୍ରମ କରୁଛନ୍ତି l ଚତୁର୍ଦିଗରେ ଶୂନ୍ୟ ଛଡା ଆଉ କିଛି ନାହିଁ l ଶୂନ୍ୟ ହିଁ ଶୂନ୍ୟ l ନା ସେଠି ଗୋଟେ ବଡଝିଅ ଅଛି ନା ଅଛି ଗୋଟେ ଆଦର୍ଶ ବୋହୁ l ଅଛି କେବଳ ଗୋଟିଏ ଛ ବର୍ଷର ଛୋଟିଆ ଝିଅର କୋମଳ ପ୍ରାଣ l ଯେ କି ସମୟକୁ ମାତ ଦେଇ ଘୁରି ଚାଲିଛି ଓ ଚାଲୁଥିବ ଅନିର୍ଦ୍ଦିଷ୍ଟ କାଳ l

ଦଶ ରାଉଣ୍ଡ ଘୁରି ସାରିବା ପରେ ଚକ୍ରି ରହିଗଲା l ସୁଷମାଙ୍କ ଆଖିରେ ଦୁଇ ଧାର ଲୁହ l ଯୁଗ ଯୁଗରୁ ଜଳି ପୋଡି ପାଉଁଶ ହେଉଥିବା ଛୋଟିଆ ସ୍ୱପ୍ନ ଗୁଡିକ ଅଶ୍ରୁସିକ୍ତ ହୋଇ ଜୀବନ୍ତ ହୋଇ ଯାଇଥିଲେ କିମ୍ବା ଲିସାର ସ୍ନେହସିକ୍ତ ଅଭିବ୍ୟକ୍ତି ତାଙ୍କ ଜୀବନ ରୂପକ ମରୁଭୂମିରେ ବାରି ସିଞ୍ଚନ କରିଥିଲା ସେ କଥା ସେ ହିଁ କହି ପାରିବେ l



Rate this content
Log in

Similar oriya story from Inspirational