ଚକା ଆଖି ସବୁ ଦେଖୁଛି

ଚକା ଆଖି ସବୁ ଦେଖୁଛି

2 mins
693



ଆଜି ରଥଯାତ୍ରା । ସଜବାଜ ହୋଇ ରାଜୁ ବାବୁ ତାଙ୍କ ପାଞ୍ଚ ବର୍ଷର ପୁଅ ଅଜୁ ସହିତ ରଥ ଟଣା ଦେଖିବାକୁ ବାହାରିଲେ । ତରବରରେ ମନି ପର୍ସଟା ବେଡ୍ ଉପରେ ଛାଡିଦେଇଥିଲେ । ପତ୍ନୀ ଜୟନ୍ତୀ ପଛରୁ ଡାକି ପର୍ସଟା ଦେଉ ଦେଉ କହିଲେ " ଦେଖ ! ଟୋକାକୁ ନେଉଛ । ଯେତେ ରଡି କଲେବି ଜମାରୁ ଆଇସକ୍ରିମ୍ କିଣିଦେବନି " । ମୁଣ୍ଡ ହଲାଇ ନା କହି ସ୍କୁଟି ଧରି ଚାଲିଗଲେ ରାଜୁ ବାବୁ ।


ରାଜୁ ବାବୁ ପୂର୍ତ୍ତ ବିଭାଗରେ ଚାକିରି କରନ୍ତି । ଉପୁରି ଯେତିକି ମିଳେ ; ତାପରେ ଆଉ ଦରମା ଟଂକାରେ ତାଙ୍କର ହାତ ବାଜେନି । ଆଜି ରଥଯାତ୍ରା ର ଭିଡ ଭିତରେ ଅଣନିଶ୍ବାସୀ ହୋଇ ରାଜୁବାବୁ ଗୋଟେ ଦୋକାନ ପାଖକୁ ଚାଲିଗଲେ । " ନା' ନା' ! ଆଉ ରଥ ଟାଣିହେବନି । ଆରେ ଅଜୁ ! କଣ କିଣିବୁ କହ ? ତାପରେ ଘରକୁ ପଳେଇବା " ବୋଲି କହିଲେ ରାଜୁ ବାବୁ । ଅଜୁ ଡରି ଡରି କହିଲା " ଆଇସକ୍ରିମ୍ ! ଅମୁଲର ଆଇସକ୍ରିମ୍ " । " ଆଇସକ୍ରିମ୍ ଫାଇସକ୍ରିମ୍ କିଛି ନାହିଁ । ତାକୁ ଚୋକପାଏ ଗୋଟେ ଦେଲ" କହି ନିଜ ପ୍ୟାଣ୍ଟ ପକେଟରେ ରାଜୁ ବାବୁ ହାତ ମାରିଲେ । ହେଲେ ଏ କଣ ? ପକେଟରେ ଯେ ପର୍ସଟା ନାହିଁ । ଦୁଇ ହଜାରର କଡକଡିଆ ନୋଟଟା ସହ କିଛି ଖୁଚୁରା ପଇସା ବି ଥିଲା । ପୁଣି ଏଟିଏମ୍ କାର୍ଡଟା !ସବୁ ଚାଲିଗଲା । ମନେମନେ ଭାବିଲେ ଭଲା ରଥକୁ ଆସିଲି ଯେ ସବୁ ଗଲା । ଦୋକାନୀକୁ କହିଲେ " ଥାଉ ଥାଉ । ଏ ଟୋକା ଟିକିଏ ଖାଇ ଫିଙ୍ଗିଦେବ । ତାକୁ ଆଇସକ୍ରିମ୍ ଦରକାର । ଆଇସକ୍ରିମ୍ ଖାଇ ଦେହ ଖରାପ କରିବ । ଚାଲ୍ ଚାଲ୍ ଘରକୁ ଚାଲ୍ " ।


ରାସ୍ତାରେ ଚାଲି ଚାଲି ଗାଡି ପାଖକୁ ଆସିଲା ବେଳେ ରାଜୁ ବାବୁ ନିଜକୁ ନିଜେ କହି ହେଉଥାଆନ୍ତି " ଚକା ଆଖି ସବୁ ଦେଖୁଛି । କଣ ଦେଖୁଛି ? ତାହାରି ଆଖି ଆଗରେ କେତେ କଣ ଘଟିଯାଉଛି " ! ଏତିକି ବେଳେ ଅଜୁ ତା ବାପାକୁ ପଚାରିଲା " ବାପା ! ସତରେ ଜଗନ୍ନାଥ ଚକା ଆଖିରେ ସବୁ ଦେଖିପାରନ୍ତି " ? ପୁଅ ଆଡକୁ ଦେଖି ରାଜୁ ବାବୁ କହିଲେ " ହଁ ! ହଁ ! ସେ ସବୁ ଦେଖନ୍ତି । ଆଉ ଭୁଲ କଲେ ଦଣ୍ଡ ବି ଦିଅନ୍ତି " । ଏତିକି ଶୁଣୁ ଶୁଣୁ ଅଜୁ ତା ପକେଟରୁ ମୋଡାମୋଡି କରି ରଖିଥିବା ଦୁଇ ହଜାର ଟଙ୍କାର ନୋଟ ଟା ବାହାର କରି ବାପାଙ୍କ ହାତକୁ ବଢାଇ ଦେଲା । ଆଶ୍ଚର୍ଯ୍ୟ ହୋଇ ରାଜୁ ବାବୁ ପଚାରିଲେ " ଏଇଟା କୋଉଠୁ ଆସିଲା " ? ଡରି ଡରି ଅଜୁ କହିଲା " ତୁମେ ଆଇସକ୍ରିମ୍ କିଣିଦେବନି । ସେଇଥିପାଇଁ ଆଇସକ୍ରିମ୍ କିଣିବାକୁ ତୁମ ପର୍ସରୁ ନେଇଥିଲି । ମୋତେ ଆଉ ଜଗନ୍ନାଥ ଦଣ୍ଡ ଦେବେନି ତ " ! ଠିକ୍ ସେତିକି ବେଳେ ପତ୍ନୀ ଜୟନ୍ତୀ ଫୋନ୍ କରି କହିଲେ " କେମିତି ଲୋକ କିହୋ ! ଏଟିଏମ୍ କାର୍ଡଟିକୁ ଖଟ ତଳେ ପକେଇ ଦେଇଥିଲ " ! ଏ କଥା ଶୁଣି ରାଜୁ ବାବୁ ଭାବୁଥିଲେ " ତାହାରି ଆଖି ଆଗରେ କେତେ କଣ ଘଟିଯାଉଛି । ତେବେ ସତରେ କଣ ଚକା ଆଖି ସବୁ ଦେଖୁଛି ? ତାହା ହେଲେ ମୋତେ ଆଉ ଜଗନ୍ନାଥ ଦଣ୍ଡ ..." ?



Rate this content
Log in

Similar oriya story from Inspirational