STORYMIRROR

Bimala Sankar Dash

Inspirational Children

3  

Bimala Sankar Dash

Inspirational Children

ଚକ୍ ଖଡି ଚୋର

ଚକ୍ ଖଡି ଚୋର

3 mins
206

ବିଦ୍ୟାଳୟ ପ୍ରାର୍ଥନା ସରିବା ପରେ ଗୋଟିଏ ଚକ୍ ପ୍ୟାକେଟ୍ ଖୋଲି ଭିନ୍ନ ଭିନ୍ନ ଶ୍ରେଣୀକୁ ଆବଶ୍ୟକ ସଂଖ୍ୟକ ଚକ୍ ଖଣ୍ଡ ପିଅନ ହାତରେ ପଠେଇଦେବା ପରେ ବଳକା ଚକ୍ ଖଡି ଅଫିସ୍ ରୁମରେ ଥିବା ଟେବୁଲ ଉପରେ ପ୍ରଧାନଶିକ୍ଷକ ରଖି ଦିଅନ୍ତି । ସକାଳୁ ଲକ୍ଷ୍ୟ କରନ୍ତି ବଳକା ଚକ୍ ଖଡି ନ ଥାଏ । ପ୍ରଥମେ ଏହାକୁ ସେ ଗୁରୁତ୍ୱ ଦେଉ ନଥିଲେ । କିନ୍ତୁ ନିତି ଏପରି ଘଟୁଥିବାରୁ କେହି ଜଣେ ଉଦ୍ଦେଶ୍ୟମୂଳକଭାବେ ଚକ୍ ଚୋରୀ କରୁଛି ବୋଲି ଅନୁଭବ କଲେ । ଯଦି ଶିକ୍ଷକ କେହି ଏପରି କରୁଥାଆନ୍ତି ତେବେ କିଛି କଥା ନାହିଁ । କିନ୍ତୁ ଚକ୍ ଚୋର ଯଦି ଛାତ୍ରଛାତ୍ରୀ ମାନଙ୍କ ଭିତରୁ କେହି ହୋଇଥିବେ ତା ହେଲେ କଥା ଖୁବ୍ ଗମ୍ଭୀର । ବାଲ୍ୟକାଳରୁ ଚୋରୀ କରିବା ପ୍ରବୃତ୍ତି ଦିନେ ପିଲାଟିକୁ ବଡ ଚୋରଟିଏ କରି ଗଢି ତୋଳିବ । ସେଇ ପିଲାଟିକୁ ଚିହ୍ନଟ କରି ତାହାକୁ ଉଚିତ୍ ଶିକ୍ଷା ଦେବାକୁ ପଡିବ ।  


ଏମିତି ଭାବି ପ୍ରଧାନ ଶିକ୍ଷକ ପିଅନକୁ ଚକ୍ ଚୋରୀ ହେଉଥିବା କଥା ଜଣାଇ ଟିକେ ନଜର ରଖିବାକୁ କହିଲେ । ଚକ୍ ଚୋରୀ କରୁଥିବା ପିଲାଟିକୁ ନାଲି ହାତରେ ଧରିବାକୁ ସେ ନିଜେ ବି ପ୍ରସ୍ତୁତ ରହିଲେ । 

  

    ତା ପରଦିନ ବିଦ୍ୟାଳୟ ଆରମ୍ଭ ଠାରୁ ଛୁଟି ହେବା ଯାଏଁ ପ୍ରଧାନଶିକ୍ଷକ ନିଘା ରଖୁଥିଲେ ଚକ୍ ପ୍ୟାକେଟ୍ ଉପରେ । ବଡ ଆଶ୍ଚର୍ଯ୍ୟର କଥା ସେଦିନ ଗୋଟିଏ ବି ଚକ୍ ଚୋରୀ ହୋଇ ନ ଥିଲା । ନା ଚକ୍ ଚୋରୀ ହେଲା ନା ଚକ୍ ଚୋରକୁ ସେ ଧରି ପାରିଲେ । 

 ଏ ସମ୍ପର୍କରେ ସେ ପିଅନକୁ ପଚାରିଲେ । 

 ପିଅନ କହୁଥାଏ- 

   ଆଜି ଆଉ ଚକ୍ ଚୋରୀ ହେବନି ସାର୍ ! ପଞ୍ଚମ ଶ୍ରେଣୀରେ ପଢୁଥିବା ନଟୁ ଯେହେତୁ ଆଜି ସ୍କୁଲ୍ ଆସିନି । 


ପ୍ରଧାନଶିକ୍ଷକ ତାଜୁବ୍ ହୋଇ କହିଲେ, ଚୋର ଜଣକ ନଟୁ ବୋଲି ଜାଣିଥିଲୁ ଯଦି ଏ କଥା ଆଗରୁ କହିଲୁନି କାହିଁକି । 


ସେଇ ପିଲାଟିର ନିରୀହ ମୁହଁ ଦେଖି କହିବାକୁ ମନ ବଳୁ ନଥିଲା ସାର୍ .. 


ପ୍ରଧାନଶିକ୍ଷକ ପିଅନ ଉପରେ ତାଗିଦ୍ କରି କହିଲେ ପିଲାଟିର ଦୋଷ ଘୋଡାଇଲେ ପ୍ରକାରାନ୍ତରେ ଆମେ ପିଲାଟିର ଅମଙ୍ଗଳ ହିଁ କରୁଛେ । ଏବେ ଠାରୁ ପିଲାଟିକୁ ଭୟ ନ ଦେଖାଇଲେ ପିଲାଟି ଯେ ବଡ ହୋଇ ଚୋରଟିଏ ନ ହେବ କିଏ କହି ପାରିବ । ତାହାକୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବା ଉଚିତ୍ । 


ତା ପରଦିନ ନଟୁ ବିଦ୍ୟାଳୟକୁ ଆସିଥାଏ । ପ୍ରଧାନଶିକ୍ଷକ ନଟୁକୁ ଡକାଇ ଚକ୍ ଚୋରୀ କରୁଥିବା ବିଷୟରେ ପଚାରି ଯାହା ଇଚ୍ଛା ତାହା କହିଗଲେ । କିନ୍ତୁ ନଟୁର ଜବାବ୍ ଶୁଣି ନିଆଁରେ ପାଣି ପଡିବା ପରି ପ୍ରଧାନଶିକ୍ଷକଙ୍କ ରାଗ ଗୋଟାପଣେ ଶାନ୍ତ ପଡିଗଲା । 


ନଟୁ ଡରିଯାଇ କହିଲା- 

   ମୁଁ ମୋ ଛୋଟ ଭଉଣୀ ନିତୁପାଇଁ ଚକ୍ ଚୋରୀ କରେ ସାର୍ । ବାପା ତାକୁ ଝିଅ ବୋଲି ସ୍କୁଲ ଛାଡୁ ନ ଥିଲେ । ସ୍କୁଲରୁ ଗଲା ପରେ ମୁଁ ତାକୁ ପଟାରେ ଅ, ଆ ...ସବୁ ପଢାଏ । ଚକ୍ ବାପା କିଣି ଦେଉନଥିବାରୁ ମୁଁ ଚକ୍ ଚୋରୀ କରିବାକୁ ବାଧ୍ୟ ହେଉଥିଲି । 


- ଏଥିପାଇଁ ତୁ ମୋତେ ଚକ୍ ମାଗିଥିଲେ ମୁଁ ତୋତେ ପୁରା ପ୍ୟାକେଟ୍ ଚକ୍ ଦେଇ ପାରିଥା'ନ୍ତି କିନ୍ତୁ ଛାତ୍ର ହୋଇ ଚୋରୀ କରି କିଛି ଠିକ୍ କରିନାହୁଁ । ଆଜି ତୋତେ କ୍ଷମା କରି ଦେଉଛି । କିନ୍ତୁ ଶପଥ କର ଏଣିକି ଆଉ କେବେ ଚକ୍ ଚୋରୀ କରିବୁନି । 

 -ନିଷ୍କପଟ ପିଲାଟିର କଥାରେ ସତ୍ୟତା ଥିବା ଅନୁଭବ କରି ପ୍ରଧାନଶିକ୍ଷକ ନଟୁକୁ ବୁଝାଇଦେଇ ଗୋଟିଏ ବଡଚକ୍ ପ୍ୟାକେଟ୍ ଧରାଇଦେଲେ । 


ନଟୁ ଚକ୍ ପ୍ୟାକେଟ୍ ସେମିତି ଟେବୁଲ୍ ଉପରେ ଥୋଇଦେଇ କହିଲା- ଏବେ ଆଉ ଚକ୍ ଖଡିର ଆବଶ୍ୟକତା ନାହିଁ ସାର୍... 


ପ୍ରଧାନଶିକ୍ଷକ ନଟୁ ଆଡକୁ ପ୍ରଶ୍ନିଳ ଚାହାଣୀରେ ଚାହିଁବାରୁ,

ନଟୁ କୋହକୁ ସମ୍ଭାଳି ନ ପାରି ଖୁବ୍ ଜୋରରେ କାନ୍ଦି କହିଲା- 

  ନିତୁ ଗତ କାଲି ଖେଳୁଥିବା ବେଳେ ଗୋଡ ଖସି ଯାଇ ପଡିଗଲା । ଠିକ୍ ଏ ସମୟରେ ଶଗଡଗାଡି ତା ଡାହାଣ ହାତ ଉପର ଦେଇ ଚଢିଗଲା । ଏଣିକି ସେ ହାତ ଆଉ ଖଡି ଧରି ଲେଖି ପାରିବନି ସାର୍ .....!! 


   ଏ କଥା ଶୁଣି ପ୍ରଧାନଶିକ୍ଷକଙ୍କ ଆଖି ଲୁହରେ ଛଳଛଳ ହୋଇ ଯାଉଥାଏ । ଚିନ୍ତା କରି ପାରୁ ନ ଥିଲେ ନଟୁକୁ କ'ଣ କହି ସାନ୍ତ୍ବନା ଦେବେ, ଚକ୍ ଖଡି ଚୋରୀ ପାଇଁ ତା'କୁ ପୁରସ୍କୃତ କରିବେ କି ତିରସ୍କୃତ କରିବେ ।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational