STORYMIRROR

Aminilu Ray

Tragedy Thriller

3  

Aminilu Ray

Tragedy Thriller

ଚିଠି

ଚିଠି

7 mins
494


          

                                                   

 ସମୟ ଅପରାହ୍ନ ଚାରିଟା ।

-ଚିଠି... , ଚିଠି... ।

  

        ଗାଁ’ ଦାଣ୍ଡରେ ଡାକି ଡାକି ଆସୁଥିଲା ଡାକବାଲା । ଚାହୁଁ ଚାହୁଁ ଲୋକମାନେ ଆସି ଘେରିଯାଉଥିଲେ ତା ଚାରିପାଖେ । ଯେଉଁମାନଙ୍କର ଚିଠି ଆସିଥିଲା, ସେମାନେ ନେଇ ଖୁସିରେ ଚାଲିଯାଉଥିଲେ । ସାବୀ ଦାଣ୍ଡ ଦୁଆର ମୁହଁରେ କେତେବେଳୁ ଅପେକ୍ଷା କରିଥିଲା ଡାକବାଲାକୁ । କିଛି ସମୟ ପରେ ସେ, ତା ଘର ପାଖାପାଖି ହେଇଯିବାରୁ, ବ୍ୟସ୍ତ ହୋଇ ସାବୀ ହାତ ଠାରି କହିଲା –

-ଚିଠି ଆସିଛି କି ?

-ନାଇଁରେ ମାଆ ।


           ମଳିନ ଦିଶିଲା ସବୀର ମୁହଁ । ହତାଶରେ ଭାଙ୍ଗିପଡି ପିଣ୍ଢାକୁ ଆଉଜି ଥମ୍ କିନା ବସିପଡିଲା ସେ । ତା ଆଖିରୁ ଧାର ଧାର ହୋଇ ନିରବ ଅଶ୍ରୁ ଝରିବାକୁ ଲାଗିଲା । ଚିଠି ଖଣ୍ଡେ ପାଇବା ପାଇଁ ବିଚାରି କେତେ ମନ କରିଥିଲା, ହେଲେ ଶେଷରେ ତା’ର ସବୁ ଆଶା, ପାଣି ଫୋଟକା ପରି ମିଳାଇଯାଇଥିଲା । ସେ ମନେ ମନେ ଗୁଣୁଗୁଣୁ ହୋଇ କହୁଥିଲା – “ଆଜିକୁ ୫ବର୍ଷ ହେବ ସେ କଲିକତା ଗଲେଣି, ହେଲେ ଚିଠି ଖଣ୍ଡିଏ ଦେଉ ନାହାନ୍ତି କାହିଁକି ? ସିଏ କ’ଣ ଆମକୁ ଭୂଲିଗଲେ ? ତାଙ୍କର ବାଟରେ କିଛି ଅସୁବିଧା ହେଇନି ତ?” ଏମିତି ଅନେକ କଥା ସାବୀ ମନକୁ ଆସେ ଓ ପାପ ଛୁଏଁ । ନିଜର ଲୁହକୁ ନିଜେ ପିଇ ସମୟକୁ ଅପେକ୍ଷା କରେ । କେତେବେଳକେ ଶାଶୁ ତା ପାଖକୁ ଆସି ସ୍ନେହରେ କହିଲେ – “ଆରେ ମାଆ, ସଞ୍ଜ ଟିକେ ଦେଇଦେ’ । ଏଇଠି ତଳଟାରେ ବସି ଭାବୁଛୁ କ’ଣ ?” ବେଳ ବୁଡିଲାଣି, ହେଲେ ସାବୀକୁ ଜଣା ନାହିଁ । ସେ ଧଡପଡ୍ ହୋଇ ସଞ୍ଜ ଦେବା ଲାଗି ପ୍ରସ୍ତୁତ ହେଲା ।


            ସକାଳ ହେଉ ହେଉ, ବାସି ପାଇଟି ସାରି, ଶାଶୁ ଶ୍ୱଶୁରଙ୍କ ଖବର ବୁଝି, କ’ଣ ଦି’ଟା ପାଟିରେ ଦେଇ, ସବୁଦିନେ ମୂଲ ଲାଗିବାକୁ ଚାଲିଯାଏ ସାବୀ । ଯେବେଠୁ ସୁରୁଜା କଲିକତା ଗଲାଣି, ସେବେଠୁ ସେ ପର ଘରେ ମୂଲ ଲାଗୁଛି । ଯାହା ଦି’ପଇସା ପାଏ, ସେଇଥିରେ ତିନି ଜଣଯାକ ଅତି କଷ୍ଟେମଷ୍ଟେ ଚଳିଯାଆନ୍ତି । କାମ କରୁଥିବା ସମୟରେ ସୁରୁଜା କଥା ବେଶୀ ମନେ ପଡେ ତା’ର । ଗାଁ ମାଇପେଙ୍କଠାରୁ ତାକୁ ଅନେକ କଟୁ କଥା ବି ଶୁଣିବାକୁ ହୁଏ । ହେଲେ ବିଚାରି ଭାଗ୍ୟକୁ ଆଦରି କାହାକୁ କିଛି କହି ପାରେନି ।

 

           ମନ୍ଦିର ଯିବ ବୋଲି ସେଦିନ ସାବୀ ସକାଳୁ ସକାଳୁ ଯାଇଥାଏ ଗାଧୋଇବାକୁ । ପୂର୍ବରୁ ପୋଖରୀ ତୁଠରେ ୪/୫ଜଣ ମାଇପେ ବସି ଗପସପ ହେଉଥା’ନ୍ତି । ହଠାତ୍ ତାକୁ ଦେଖି ଜଣେ କହିଲା – “ଆଲୋ, ସିଏ ତ କଲିକତା ଯାଇଛି ଯେ ଯାଇଛି, ଆସି ଏତେ ବର୍ଷ ହେଲାଣି, ସେ କ’ଣ ଆଉ ଫେରିବ ? କାହିଁକି ତୁଛାଟାରେ ପଡିରହିଛୁ କହିଲୁ ? ଚାହିଁଲେ ଆଉ ଥରେ ତୁ ହାତକୁ ଦି’ ହାତ ହେଇ ପାରିବୁ ।” ତା କଥା ନ ସରୁଣୁ ଆଉ ଜଣେ କହିଲା – “ଆମେ ତ ଶୁଣିବାକୁ ପାଇଲୁ ସିଏ କୁଆଡେ ସେଇଠି ଆଉ ଗୋଟେ ମାଇକିନିଆ ରଖିଛି । ତା ସାଙ୍ଗରେ ଖାଲି ଥେଇ ଥେଇ ହେଉଛି । ଲାଗୁନି, ସିଏ ଆଉ ଫେରିବ ବୋଲି । ତେଣୁ ଇଏ ତୁଠ ପଥରଟା ପରି ତୁଛାଟାରେ ଏଠି କୋଉ ସରାଗରେ ପଡିରହିଛି ଯେ ?” ତା ଦୁଃଖ ସହି ନପାରି ଏଥର ନଖୀନାନୀ କହିଲା – “ସମସ୍ତେ ଚୁପ୍ ରୁହ । ଶୁଣୁ ସାବୀ, ତୁ କିଛି ଖରାପେ ଭା’ବେନା । ଆମେ ତୋ ଭଲ ପାଇଁ କହୁଛୁ । ଏମିତି ବି ତୋ’ର ତ କିଛି ପିଲାଛୁଆ ହେଇନି । ଏତେ ଡର କାହିଁକି ? ବାପ ଘରକୁ ଚାଲି ଯା । ସେଠାରେ ରହି ଆଉ ଥରେ ବାହା ହୋଇ ପଡିବୁ । ଏମିତି କେତେ ଦିନ ଏଠାରେ ଦୁଃଖ କଷ୍ଟ ସହି ରକ୍ତକୁ ପାଣି କରି ପଡିରହିଥିବୁ କହିଲୁ ? ଏତେ ବର୍ଷ ହେଲାଣି, ସେ ତୋ ପାଖକୁ ଚିଠି ଖଣ୍ଡେ ଦେଲାଣି? ଏବେ ବେଳ ଅଛି । ଆମ କଥା ମାନି ବାହା ହେଇଯା’, ସୁଖରେ ରହିବୁ । ଆସରେ ଆମେ ଯିବା । ସିଏ ତା’ର ପଛରେ ଆସୁଥାଉ ।” ସାବୀ ଗାଧୋଇ, ଗରାଏ ପାଣି କାଖରେ ଧରି, ଫେରୁଥିବା ସମୟରେ ଭାବୁଥାଏ – “ଯାହା କପାଳରେ ସୁଖ ନାହିଁ, ସାରା ଜୀବନ ତାକୁ ଏମିତି ସଳିତାଟିଏ ପରି ଦୁଃଖରେ ଜଳିବାକୁ ହେବ ।”

           ଦିନକର ଘଟଣା । ନଳକୂଅକୁ ପାଣି ପାଇଁ ଆସିଥାଏ ସାବୀ । ନଖୀନାନୀ ତାକୁ ଦେଖି ମନଦୁଃଖରେ କହିଲା –

-ଆଲୋ, ସୁରୁଜା ପାଖରୁ ଚିଠିପତ୍ର କିଛି ଆସିଲାଣି ?

-ନା ।

-ସେ ସେଠାରେ କେମିତି ଅଛି, କ’ଣ କରୁଛି, କିଛି ଜଣାପଡୁନି । ଏତେ ଦିନ ହେଲା ଗଲାଣି, ତା’ର ତା’ ବାପାମାଆ କଥା , ତୋ କଥା ବି ଟିକେ ମନେ ପଡୁନି ? କେମିତିଆ ମରଦ ବା’ ?

-ଜାଣିଛ ନାନୀ, ଶାଶୁ କାନ୍ଦି କାନ୍ଦି ଭୋକଶୋଷ ଭୂଲିଗଲେଣି । ଆଉ ଶ୍ୱଶୁରଙ୍କ କଥା ନ କହିବା ଭଲ । ତାଙ୍କ ଦେହପା’ ଏବେ ଭଲ ରହୁନି । ରାତିରେ ଶୋଇଥିଲାବେଳେ ସୁରୁଜା ସୁରୁଜା କହି ବିଳିବିଳଉଛନ୍ତି । କ’ଣ କରିବି କିଛି ଭାବି ପାରୁନି । ଦୁଇ ଜଣଯାକ ମୋ ବେକରେ ବନ୍ଧା ହୋଇଛନ୍ତି ଯେମିତି । ମୋତେ ଛାଡିଦେଲେ ଏ ସମୟରେ ତାଙ୍କର ଆଉ କିଏ ଅଛି କହିଲ ?

-ହଉ, ତୁ ଠାକୁରଙ୍କୁ ଡା’କେ । ସୁରୁଜା ଯେମିତି ଭଲରେ ଭଲରେ ଫେରି ଆସୁ ।


              ତିନି ଦିନ ହେବ ସାବୀକୁ ଜ୍ୱର । ଔଷଧ ଟିକେ କିଣିବାକୁ ତା ପାଖରେ ପଇସାଟାଏ ନାହିଁ । ପ୍ରତିଦିନ ମୂଲ ଲାଗି ଯେତିକି ପାଏ, ତେଲ ଲୁଣ କିଣା ସାଙ୍ଗକୁ ଶ୍ୱଶୁରଙ୍କ ଔଷଧରେ ସବୁ ଖର୍ଚ୍ଚ ହୁଏ । ଅତି କଷ୍ଟରେ, ସେଇ ଜ୍ୱରରେ ସେ ନଖୀନାନୀ ପାଖକୁ ଯାଇ, ତା’ଠାରୁ କିଛି ପଇସା ଧା’ର ଆଣି, ଔଷଧ ଖାଇ, ଟିକେ ଭଲ ହେବାରୁ ତା’ ପରଦିନ ଗଲା ପୁ’ଣି ମୂଲ ଲାଗିବାକୁ ।

      

         ଚାହୁଁ ଚାହୁଁ ୬ବର୍ଷ ବିତିଗଲା । ସୁରୁଜାର କିଛି ଖୋଜ୍ ଖବର ମିଳିଲାନି । ଆଜି ପୁ’ଣି ସାବିତ୍ରୀ ବ୍ରତ । ସଧବା ସ୍ତ୍ରୀ ଲୋକଙ୍କ ପାଇଁ ଏକ ପବିତ୍ର ଦିନ । ଆଜିର ଦିନରେ ସତୀ ସାବିତ୍ରୀ, ତାଙ୍କ ମୃତ ସ୍ୱାମୀ ସତ୍ୟବାନଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ସାବିତ୍ରୀ ବ୍ରତ କରିଛି ସେ

। ସ୍ୱାମୀ ଦୂର ବିଦେଶରେ ଥିଲେ ବି, ତାଙ୍କର ଦୀର୍ଘାୟୁ କାମନା କରିବା ତଥା ତା ପାଖକୁ ଫେରି ଆସିବାକୁ, ସେ ଅତି ଉକ୍ରଣ୍ଠାର ସହ ନିର୍ଜଳା ଉପାବାସ ରହି ଏ ବ୍ରତ କରିଛି । ନଖୀନାନୀ ଭୋଗଥାଳୀ ଧରି ହସ ହସ ମୁହଁରେ ତା ପାଖରେ ପହଂଚି ନରମ ଗଳାରେ କହିଲା –

-ଆଲୋ ସାବୀ, ମନ୍ଦିର ଯିବୁନି କି ?

-ହଁ, ଯିବି ।

-ଆ’, ସାଙ୍ଗ ହୋଇ ଯିବା । ପୂଜା ସାରି ସଅଳ ସଅଳ ଫେରିଆସିିବା ।


                ସେ ପୂଜା ସାରି ଘରେ ପହଂଚିଲାବେଳକୁ ଦି’ଟା ବାଜିଥିଲା । ଉପବାସ ଯୋଗୁଁ ତା’ ଦେହ ଝିମଝିମ୍ ହେଉଥିଲା, ମୁଣ୍ଡ ବୁଲାଉଥିଲା, ଅନ୍ଧାର ଦିଶୁଥିଲା ତାକୁ । ସେ ପିଣ୍ଢାରେ ଆସି ଲଥ୍ କିନା ବସି ପଡିଲା । ତା’ ଦେହରୁ ଗମଗମ୍ ହୋଇ ଝାଳ ବାହାରୁଥିଲା । କିଛି ସମୟ ପରେ ଶାଶୁ ତା’ ପାଖକୁ ଆସି, କାନିରେ ତା’ର ମୁହଁ ହାତ ପୋଛି ଦେଇ ସ୍ନେହରେ କହିଲେ – “ଆଲୋ ମା’, କେତେବେଳୁ ଆସିଲୁଣି, କ’ଣ ଦିଟା ଖାଇଦେ’ । ଦେହ ଯାଇ ଭଲ ଲାଗିବ । ମୋ ମନ କହୁଛି ସୁରୁଜା ନିଶ୍ଚୟ ଆସିବ । କାଲି ତାକୁ ପରା ମୁଁ ସପନରେ ଦେଖିଥିଲି ।” ଶାଶୁଙ୍କଠାରୁ ଏଇ କେତେ ପଦ କଥା ଶୁଣି, ତାକୁ ଯେମିତି ନୂଆ ଜୀବନ ପାଇଲା ପରି ଲାଗିଲା । ସେ ଅତି ଖୁସିରେ ତାଙ୍କୁ ଜାବୁଡି ଧରି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ।


               ସବୁଦିନ ପରି ସାବୀ ସେଦିନ ଝାଡୁ କରୁଥାଏ । ଡାକବାଲାର ଚିଠି ...ଚିଠି ... ଡାକ ଶୁଣି, ସେ ତରତରରେ ଦାଣ୍ଡ ଦୁଆର ମୁହଁରେ ଯାଇ ଠିଆ ହେଲା । ଏଥର ଡାକବାଲା ହସି ହସି ଆସି, ସାଇକେଲ୍ ପିଣ୍ଢାକୁ ଡେରିଦେଇ, ବ୍ୟାଗ୍ ଭିତରୁ ଚିଠିଟି ବାହାର କରି, ଅତି ଶରଧାରେ ତା ହାତକୁ ଦେଇ କହିଲେ -

– ନେ’ ତୋ ଚିଠି । ଏତେ ଦିନ ପରେ ସୁରୁଜା ପଠେଇଛି ।


                ସେ ଅତି ଖୁସିରେ ଭାବବିହ୍ୱଳ ହୋଇ, ତାଙ୍କ ହାତରୁ ଚିଠଟି ନେଇ,ତାକୁ ଖୁସିରେ ଛାତିରେ ଚାପି ଧରିଲା । ତା’ ଉପରେ ଦୁଇ ଟୋପା ଲୁହ ଝରାଇଦେଲା । ସଙ୍ଗେ ସଙ୍ଗେ ପଣତକାନୀରେ ଚିଠିକୁ ପୋଛି, ଲୁହ ଭିଜା ଆଖିରେ, ଅତି ବିକଳରେ ଡାକବାଲା ମୁହଁକୁ ଚାହିଁ କହିଲା –

-ଭାଇ, ଟିକେ ଖୋଲି ପଢି ଦିଅ । ମୁଁ ତୁମକୁ ନେହୁରା ହେଉଛି ।

       

         ଡାକବାଲା ଖୁସିରେ ତା ହାତରୁ ଚିଠିଟି ନେଇ ମନେ ମନେ ପଢି, ସମୟ ଅଭାବରୁ, ସଂକ୍ଷେପରେ ବୁଝାଇ କହିଲେ – “ସୁରୁଜା ଲେଖିଛି, ସେ ଆସନ୍ତା ଶୁକ୍ରବାର ମାନେ ପଅର ଦିନ ଗାଁ’ରେ ଆସି ପହଂଚିବ । ଜାଣିଛୁ ସିଏ କାଳେ ଗୋଟେ ବଡ ବିପଦରେ ପଡିଯାଇଥିଲା । ସେଥିପାଇଁ ଗାଁ’କୁ ଆସିପାରୁନଥିଲା । ନେ ମା’, ତୋ ଚିଠି ରଖ । ଆଉ ମନ ଦୁଃଖ କରନା । ଏତେଦିନେ ଠାକୁର ତୋ ଡାକ ଶୁଣିଛନ୍ତି । ତୋ ଆଶା ପୂର୍ଣ୍ଣ ହେଇଛି ।”


               ଚିଠି ପାଇଲା ପରଠାରୁ ଖୁସିରେ ପାଦ ତଳେ ଲାଗୁ ନଥିଲା ସାବୀର । ଉଛୁଳା ନଈଟିଏ ହୋଇ ଦୁଇ କୂଳକୁ ଲଙ୍ଘିଯିବାକୁ ଇଛା କରୁଥିଲା ସେ । ତାକୁ କିଏ ଯେମିତି କହିଦେଉଥିଲା – “ସେ ଆଉ ଶୁଖିଲା ଝରଣା ନୁହେଁ, ସେ ଏକ ଭରା ନଈ । ଆଉ ତା’ର ଦୁଃଖ କ’ଣ ? ଏତେ ଦିନ ପରେ ଶାମୁକା ଭିତରୁ ମୁକ୍ତାଟିଏ ପାଇଲା ପରି ତାକୁ ଅନୁଭବ ହେଉଥିଲା ବାରମ୍ବାର । ଭୋକଶୋଷ ସାଙ୍ଗକୁ ରାତିରେ ନିଦ ନଥିଲା ବିଚାରିକୁ । ସଦାବେଳେ ଖାଲି ସୁରୁଜାର ମୁହଁ ତାକୁ ଦିଶୁଥିଲା । ସେଥିପାଇଁ କୈାଣସି କାମରେ ମନଲାଗୁ ନଥିଲା ତା’ର । କାନ୍ଥରେ ଝୁଲୁଥିବା ଆଇନାରେ ନିଜର ଶୁଖିଲା ମୁହଁକୁ ବାରମ୍ବାର ଦେଖି ମୁରୁକି ମୁରୁକି ହସୁଥିଲାବେଳେ, ସ୍ୱାମୀର ଫେରନ୍ତା ବାଟକୁ ସତରେ ଚାତକିନୀ ପରି ଚାହିଁ ରହିଥଲା ସେ ଯେମିତି ।”


              ଦିନ ପରେ ଦିନ ଗଡିଚାଲିଥାଏ । ସମୟ ଅପରାହ୍ନ ୪ଟା । ସତକୁ ସତ ସୁରୁଜା ଗାଁରେ ପହଂଚୁ ପହଂଚୁ, ତାକୁ ସମସ୍ତେ ବେଢିଯାଇଥିଲେ । କାହାରି ପାଟିରୁ କିଛି କଥା ବାହାରୁ ନଥିଲା । ଏତେଦିନ ପରେ ସେମାନେ ତାକୁ ଦେଖି ଅବାକ୍ ହୋଇଯାଇଥିଲେ ଯେମିତି । କିଛି ସମୟ ପରେ ନଖୀନାନୀ ଭିଡ ଭିତରୁ ବାହାରି ଆସି ତାକୁ ଅଭିମାନରେ ପଚାରିଲା -


– ତୋ’ର କ’ଣ ହେଇଥିଲା ? ତୁ ଚିଠି ଖଣ୍ଡେ ବି ଦେଉନଥିଲୁ ? କେମିତିକା ମରଦଟା କିରେ ? ମୋତେ ରାଗ ଲାଗୁଛି ବୁଝିଲୁ ?


               ପ୍ରଶ୍ନ ବାଣରେ ଛନ୍ଦି ହେବା ସହ ସେ ଦୀର୍ଘ ନିଶ୍ୱାସଟିଏ ନେଇ ନମ୍ର ଭାବେ କହିଲା – “କ’ଣ କହିବି ନାନୀ, ମୁଁ କଲିକତାରେ ପହଂଚି ହରି ଭାଇ ବସାକୁ ଯାଉଥିଲି । ଦୈବାତ୍ ବାଟରେ ଦୁର୍ଘଟଣା ଘଟିଲା । ମୋ ମୁଣ୍ଡରେ କୁଆଡେ ଶକ୍ତ ଆଘାତ ଲାଗିଥିଲା । ତା ପରେ ଆଉ କିଛି ଜାଣିନି । ଚେତା ଫେରିଲାବେଳକୁ ମୁଁ କାଳେ ମୋ ପଛ କଥା ସବୁ ଭୂଲି ଯାଇଥିଲାବେଳେ, ଜଣେ ବାବୁଙ୍କ ପାଖରେ ରହି ତାଙ୍କର କାମ ଧନ୍ଦା ସବୁ କରୁଥିଲି । ଦିନେ ବଗିଚାରେ ପାଣି ଦେଉଥିବା ସମୟରେ ହଠାତ୍ ମୋ ଗୋଡ ଖସିଗଲା । ମୁଁ ତଳେ ପଡିଗଲି । ଖୁବ୍ ଯୋର୍ରେ ପଥରଟାରେ ମୋ ମୁଣ୍ଡ ବାଜି ଧାର ଧାର ହୋଇ ରକ୍ତ ଝରୁଥାଏ । ମୋତେ କିଛି ଦେଖାଗଲାନି । ମୁଁ ଚେତାଶୁନ୍ୟ ହୋଇପଡିଲି । ଏସବୁ ଦେଖି ସଙ୍ଗେ ସଙ୍ଗେ ସେହି ବାବୁ ଜଣକ ମୋତେ ମେଡିକାଲ୍ ନେଇଆସିଲେ । ୨/୩ଘଣ୍ଟା ପରେ ମୋ’ର ଚେତା ଫେରିଲାରୁ, ସେତେବେଳେ ମୁଁ ବେଡ୍ରେ ଜଣେ ବାବୁଙ୍କୁ ପାଖରେ ବସିଥିବାର ଦେଖି ଆଶ୍ଚର୍ଯ୍ୟ ହେଲି । ତାଙ୍କୁ ମୋ ବିଷୟରେ ସବୁ କଥା କହିଲି । ମୁଁ ସ୍ମରଣ ଶକ୍ତି ଫେରିପାଇଛି ଜାଣି ସେ ବହୁତ ଖୁସି ହେଲେ । ତାଙ୍କ ଘରକୁ ଆଣି ପୂର୍ବ କଥା ସବୁ ମୋତେ କହିଲେ । ମୋ ଠାରୁ ଠିକଣା ନେଇ ତୁରନ୍ତ ଆମ ଘରକୁ ଚିଠି ପଠାଇଲେ । ମୁଁ ଆସିବା ଦିନ ସେ ମୋତେ ବସଷ୍ଟାଣ୍ଡରେ ଛାଡି, ମୋ ହାତରେ ୧୫ ହଜାର ଟଙ୍କା ଓ କିଛି ଜିନିଷପତ୍ର ଦେଇ କହିଲେ – ଘରେ ପହଂଚି ଚିଠି ଦେବୁ ।”


              ସୁରୁଜା ମୁହଁରୁ ସବୁ କଥା ଶୁଣି ଆଶ୍ଚର୍ଯ୍ୟ ହେଲା ସାବୀ । ସେ ଏତେ ଦିନ ପରେ ତା ସ୍ୱାମୀକୁ ପାଇଥିବାରୁ ସଙ୍ଗେ ସଙ୍ଗେ ଖୁସିରେ ଆଲିଙ୍ଗନ କରିବା ସହ ସ୍ମିତ ହସଟିଏ ହସି କହିଲା – “ତମେ ଏଠାରେ ଭଲରେ ଭଲରେ ପହଂଚିଲ ବୋଲି କାଲି ସକାଳେ ବାବୁଙ୍କୁ ଚିଠି କରି ଜଣାଇ ଦେବ ।”



Rate this content
Log in

Similar oriya story from Tragedy