ଚିଠି
ଚିଠି
ବାପା ସେଦିନ ପୁରୁଣା ଚିଠିପତ୍ର ବିଡ଼ାରୁ କଣ ଖୋଜି ହେଉଥିଲେ, ଥରକୁ ଥର ଚିଠି ବିଡାଟିକୁ ଏମୁଣ୍ଡ ସେମୁଣ୍ଡ ଯାଏଁ ଦେଖି ବ୍ୟସ୍ତ ହୋଇପଡୁଥିଲେ, ପୁଅ ପଚାରିଥିଲା କୋଉ ଚିଠି ଖୋଜୁଛ ବାପା?? ଏ ପୁରୁଣା ଚିଠିବିଡାରେ ତ ଅନେକ ଚିଠିର ଠିକଣା ଓ ହାତଲେଖା ସବୁ ନଷ୍ଟ ହୋଇଗଲାଣି, ବୋଉ ତୁମ ପାଖକୁ ଯେତେ ସବୁ ଚିଠି ଲେଖିଥିଲା ସେସବୁ ତ ମୁଁ ଡିଟିପି କରି ବନ୍ଧେଇ ଦେଇ ରଖିଛି ତୁମ ବେଡ଼ ରୁମରେ, ପୁଣି କୋଉ ଚିଠି ତୁମେ ଖୋଜୁଛ ବାପା, ନାହିଁରେ ତୋ ବୋଉ ଚିଠି ମୁଁ ଖୋଜୁନି ବରଂ ତୋ ଅପା ଲେଖିଥିବା ଚିଠିଟିକୁ ଖୋଜୁଛିରେ l
ଅପା ବାହାଘର ପରେ କେବେ ତ ତୁମକୁ ବା ଘରକୁ ଚିଠି ଲେଖିବା ମୋର ମନେ ନାହିଁ ବାପା ବରଂ ଫୋନ କରେ ଆଉ ତା କଥାରେ କେତେ ଯେ ଅଭିମାନ, ମାନ, ଦୁଃଖ ଭରା ହୋଇଥାଏ, ସେସବୁ ଶୁଣି ତୁମେ କଷ୍ଟ ପାଅ ବୋଲି ଅପାକୁ ବି ମୁଁ କହେ କାହିଁ ଏତେ କଥା ତୁ ବାପାଙ୍କୁ କହୁ ଅପା, ତାଙ୍କୁ ତୋ ଦୁଃଖ କହିଲେ ସେ ଆଉ କଣ କରିପାରିବେ ବରଂ ଜୀଇଁ ଥାଉ ଥାଉ ମରିଯିବେ, ତ ସେସବୁ ଶୁଣି ଅପା କହେ ବୋଉ ମରିଯିବା ପରେ ବାପା ହିଁ ତ ମୋର ମାଆ ଆଉ ବାପା, ପାଠ ଶାଠ ପଢ଼େଇ ମତେ ମଣିଷ କରିଛନ୍ତି, ତାଙ୍କୁ କହିଦେଲେ ବୋଉକୁ କହିଲା ଭଳି ଲାଗେ, ତେଣୁ କହିଦିଏ, ତୁ ଯଦି ମନା କରୁଛୁ ଆଉ କହିବିନି ବରଂ ସ୍ୱର୍ଗରେ ତାରା ହୋଇ ରହିଥିବା ମୋ ବୋଉ ପାଖକୁ ଚିଠି ଲେଖିଦେବି, ସେ ଚିଠି ଲେଖିଲା କି ନା ମୁଁ ଜାଣେନା କିନ୍ତୁ ତୁମ ଚିଠି ବିଡ଼ାରୁ ଅପା କିଛି ଗୋଟେ ଖୋଜୁଥିଲା l
ବାପା ହଠାତ ପୁଅକୁ କୁଣ୍ଢେଇ ପକାଇଲେ କହିଲେ ଅପା ଲେଖିଥିଲାରେ ବାପୁନ, ଆଉ ସେଇ ଚିଠି ଖୋଜୁଛି ମୁଁ, ମତେ ଆଉ ସେ କିଛି କହୁନି, ତୁ ତାକୁ ମନା କରିଦେଇଛୁ କାହିଁକିରେ ବାପୁନ, ତୁ ସିନା ଅତି ଛୋଟ ହେଇଥିଲୁ ତେଣୁ ବୋଉ ବୋଲି ତୋର କିଛି ମନେ ନାହିଁ ତା ଛଡ଼ା ତୁ ସବୁବେଳେ ମୋ ପାଖେ ପାଖେ ରହିବୁ ହେଲେ ଅପା ପରା ମାତୃତ୍ୱ ପାଇ ହରେଇବାର ଦୁଃଖ ଅନୁଭବ କରିଛି ପୁଣି ପରଘରୀ ସେ, ତା ଭଲମନ୍ଦ ମତେ କହିବନି ତ କାହାକୁ କହିବ ପାପୁନ, ସେଇଥିପାଇଁ ତ ସେ ତା ସ୍ୱର୍ଗୀୟ ବୋଉ ପାଖକୁ ଲେଖିଥିବା ଚିଠି ପଢି ମୁଁ ଶାନ୍ତି ପାଏ, ସେଇ ଚିଠି ମୋ ଜୀବନର ସବୁକିଛି.
ଦଉଡିଯାଇ ପାପୁନ ସେଇ ଚିଠିଟିକୁ ଆଣି ବାପାଙ୍କ ହାତରେ ଧରାଇ ଦେଇ କହିଲା ଅପା ନୁହେଁ ମୁଁ ହିଁ ଏ ଚିଠିଟି ଚୋରୀ କରି ନେଇଥିଲି ବାପା, ମୁଁ ବୋଉର ସାନ୍ନିଧ୍ୟ ନପାଇଲେ ବି ବୋଉକୁ ଖୋଜେନି, ବୋଉର ଛବିକୁ ଆତ୍ମସ୍ଥ କରେନି, ବୋଉର ପ୍ରତିଛବି, ସ୍ୱର, ଅସ୍ତିତ୍ୱକୁ ଝୁରିନି ବୋଲି ତୁମକୁ କିଏ କହିଲା ବାପା?? ଅପାର ଚିଠି ଭିତରେ ମୁଁ ବୋଉକୁ ପାଏ ବାପା, ସେଇଥିପାଇଁ ଚୋରାଇ ନେଇଥିଲି, ନିଅ କହି ଚିଠିଟି ବଢ଼େଇ ଦେଇଥିଲା ପାପୁନ, ଆଉ ପୁଅକୁ ଜାକି ଧରି ଭୋ ଭୋ କାନ୍ଦୁଥିଲେ ବାପା ପୁଅ, ଫୋନ ବାଜିବାରୁ ପ୍ରକୃସ୍ଥିତ ହେଲେ ଦୁହେଁ, ଅପାର ଫୋନ କହି ବଢ଼େଇ ଦେଉଥିଲା ପାପୁନ ବାପାଙ୍କୁ l
