STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ଚିଠି ମୋ ସ୍ଵପ୍ନର ସାକାର ରୂପ

ଚିଠି ମୋ ସ୍ଵପ୍ନର ସାକାର ରୂପ

3 mins
180

  


ବିଦେଶରେ ଦୌଡ଼ ପ୍ରତିଯୋଗିତା ଆଉ ବାର ଦିନ ରହିଲା ।ମୋର ବି ସବୁ ଜିନିଷ ପତ୍ର ପ୍ରସ୍ତୁତ ।ମୋ ବୋଉ ସବୁ ଜିନିଷ ଗୋଟି ଗୋଟି କରି ପ୍ୟାକ୍ କରି ରଖି ସାରିଲାଣି ।ଆଜି ମୋତେ ବହୁତ ହାଲକା ଲାଗୁଥିଲା ।ଖାଇପିଇ ଟିକେ ସମୟ ମୋବାଇଲ ଦେଖି ରାତି ପ୍ରାୟ ୧୧.୩୦ ସୁଦ୍ଧା ଶୋଇଗଲି ।ଭୋର ୪.୩୦ ସୁଦ୍ଧା ବିଛଣାରୁ ଉଠିପଡେ ।ହେଲେ ମୁଁ ଏତେ ଥକି ଯାଇଥିଲି ଯେ ୫.୧୦ ହେଲାଣି ଉଠି ନାହିଁ।ଯାହା ହେଉ ନିଦ ଭାଙ୍ଗିଲା, ନିତ୍ୟକର୍ମ ସାରି ଟିକେ ବ୍ୟାୟାମ କରୁଛି ।ମୋ ସାନଭାଇ, ଭଉଣୀ ଚାଲି ଆସିଲେ ।ଆଉ ଜୋରରେ କୁଣ୍ଢେଇ ଧରି କହିଲେ ଆମ ଦିଦି କେତେ ପରିଶ୍ରମ କରୁଛି ।ନିଶ୍ଚୟ ଏଥର ବିଦେଶ ମାଟିରୁ ଦୌଡରାଣୀ ମୁକୁଟ ପିନ୍ଧି ସ୍ଵର୍ଣ୍ଣପଦକ ବିଜେତା ହୋଇ ଦେଶର ଗୌରବରେ ଆଉ ଗୋଟିଏ ଫର୍ଦ୍ଦ ଯୋଡିବ । ଏମିତି କଥାବାର୍ତ୍ତା ଭିତରେ ଆଉ ବ୍ୟାୟାମ କଣ କରିବି ।ଗପରେ ମାତିଗଲୁ ଭାଇ ଭଉଣୀ ତିନି ଜଣ ।


ଏହି ସମୟରେ ଡାକବାଲା ଆସି ଡାକିଲେ , ଚିଠି ଚିଠି 

ମୁଁ ଆଶ୍ଚର୍ଯ୍ୟ ହୋଇଗଲି ।ଆଜିର ଏ ଟେକ୍ନୋଲୋଜି ବେଳରେ ଏ ଚିଠି କେଉଁଠୁ ଯେ ଉଡି ଆସିଲା ।ସେତେବେଳକୁ ଡାକବାଲା ଚିଠି ଦେଇ ଚାଲି ଯାଇଥିଲା ।ସାନଭାଇ କୁନା ଡାକରେ ପ୍ରକୃତିସ୍ଥ ହେଲି।


ଦିଦି ତୋ ନାଆଁ ଲେଖା ଯାଇଛି ଏ ଚିଠିରେ ।ନେ ତୋ ଚିଠି ।ଲଫାପାଟି ହାତରେ ଗୁଞ୍ଜି ଦେଇ ଭାଇ ଚାଲିଗଲା।ହେଲେ ଲଫାପା ଉପରେ ଥିବା ହସ୍ତାକ୍ଷର ମୋତେ ଚିହ୍ନା ଚିହ୍ନା ଲାଗୁଥିଲା ।ହେଲେ ସ୍ମରଣ କରି ପାରୁ ନ ଥିଲି ଯେ କାହାର ବୋଲି।ଯାହା ହେଉ ଲଫାପା ଚିରି ଦେଖିଲି ତା ଭିତରେ ଧଳା କାଗଜରେ କେତଗୁଡିଏ ଶବ୍ଦର ଚିଠି।ଲେଖାଥିଲା...


ଶ୍ରଦ୍ଧେୟ ସୁଲେଖା,

        ଆଶାକରେ ତୁମେ ଭଲରେ ଥିବ ।ମୁଁ ବି ଚାହୁଁଛି ତୁମେ ସର୍ବଦା ଖୁସିରେ ରୁହ ।ଭଗବାନଙ୍କ ଅମୃତ ଆଶିଷ ସଦା ତୁମ ଉପରେ ଥାଉ। ମୁଁ ଶୁଣିଲି ତୁମେ ଖୁବ୍ ଭଲ ଖେଳୁଛ ,ଆଉ ସେଥିପାଇଁ ଓଡ଼ିଶାର ପୁରପଲ୍ଲୀରେ ବି ସବୁରି ତୁଣ୍ଡରେ ତୁମରି ନାଆଁ ।ସେଥିପାଇଁ ମୁଁ ଗର୍ବିତ ।ମୁଁ ଜାଣିବାକୁ ପାଇଲି ତୁମେ ବିଦେଶ ଯାଉଛ ଖେଳିବା ପାଇଁ ।ମୋର ଏକାନ୍ତ ଇଚ୍ଛା ଓ ଭଗବାନଙ୍କ ନିକଟରେ ଗୁହାରି ମଧ୍ୟ, ତୁମେ ଯେମିତି ଓଡ଼ିଶାର ଟେକ ରଖି ଆସ ବିଦେଶ ମାଟିରେ ।କାହିଁକି ନା କଳା ସଂସ୍କୃତି ଐତିହ୍ୟ ପରମ୍ପରା ପାଇଁ ଓଡ଼ିଆ ତଥା ଭାରତ ସର୍ବତ୍ର ପରିଚିତ ।ଭାରତର ବିଜୟ ଧ୍ଵଜା ସବୁଠାରେ ଫରଫର ଉଡେ ।ମୁଁ ଦୌଡରାଣୀ ପି.ଟି.ଉଷା ସେଥିପାଇଁ ସର୍ବଦା ଚେଷ୍ଟିତ ।ମୁଁ ଆଶା କରୁଛି ଓ ବିଶ୍ଵାସ ବି ଅତୁଟ ରଖିଛି ତୁମେ ବି ମୋ ଭଳି ନାମ ରଖିବ ।ଯେତେବେଳେ ପଡିଆକୁ ଯିବ ମୋ କଥା ଭାବିବ କି ମୁଁ କହୁଛି, ତୁମେ ନିଶ୍ଚୟ ଜିତିବ,ନିଶ୍ଚୟ ଜିତିବ ।ତୁମେ ଏ ଦେଶର ଗର୍ବ ଓ ଗୌରବ ।ତୁମ ବିଦେଶ ଯାତ୍ରା ପାଇଁ ମୋ ତରଫରୁ କିଛି ଉପହାର ଦେଉଛି କୋରିଅର ରେ , ସାଦରେ ଗ୍ରହଣ କରିବ ।


            ରହୁଛି 

         ଇତି ତୁମର ଶୁଭାକାଂକ୍ଷୀ ବଡ଼ଭଉଣୀ 

            ଦୌଡରାଣୀ ପି.ଟି.ଉଷା


ଓ୍ଵା ,ଓ୍ଵା ,ବୋଉ,ବୋଉ ,ଦେଖିବୁ ଆସେ ଲୋ ।ଦେଖିବୁ ଆ ।

ବୋଉ, ଭାଇ ଭଉଣୀ ସମସ୍ତେ ଧାଇଁ ଆସିଲେ ।କଣ ହେଲା କଣ ହେଲା ବୋଲି ପଚାରି ପଚାରି ।

ଏଇ ଦେଖ ଦେଖ ,ଦୌଡରାଣୀ ପି.ଟି.ଉଷା ଚିଠି ଲେଖିଛନ୍ତି ଆଉ ମୋ ପାଇଁ ଉପହାର ବି କୋରିଅର ରେ ପଠେଇଛନ୍ତି ।ମୁଁ ନିଶ୍ଚୟ ଜିତିବି ବୋଲି ଆଶୀର୍ବାଦ କରିଛନ୍ତି।ବୋଉ ସମେତ ଅନ୍ୟମାନେ ବି ଚିଠି ଦେଖି ବେଶ୍ ଖୁସି ହୋଇଗଲେ ।ସବୁବେଳେ ମୋତେ ଲାଗିଲା କି ମୋ ଉପରେ ସମସ୍ତଙ୍କ ଆଶୀର୍ବାଦ ରହିଛି ।ମୁଁ ନିଶ୍ଚୟ ଜୟଲାଭ କରିବି ।

...............


ନିର୍ଦ୍ଦିଷ୍ଟ ସମୟ ରେ ଯାଇ ପହଞ୍ଚିଲୁ,ଦୁଇଦିନ ପରେ ଆରମ୍ଭ ହେଲା ଖେଳ ବିଦେଶ ମାଟିରେ ।ଦୌଡରାଣୀଙ୍କ ଚିଠି ଓ ଉପହାର ସ୍ଵରୁପ ଜଗନ୍ନାଥ ଫଟୋ ଓ ଫୁଲଟିଏ ମୋ ପାଖରେ ଥାଏ ।ଫଟୋ, ଫୁଲ, ଚିଠି କୁ ମଥାରେ ଲଗାଇ ଖେଳିଲି ।ସତକୁ ସତ ମୁଁ ସବୁଠାରୁ ଆଗରେ ଥିଲି ଦୌଡ ବେଳେ ।ସେଠାରେ ଥିବା ସମସ୍ତ ଭାରତୀୟ ବି କହିଲେ ଆରେ ଏ ତ ଦୌଡରାଣୀ ପି .ଟି .ଉଷା ।ଧନ୍ୟବାଦ ସୁଲେଖା ।ତୁମେ ଓଡ଼ିଶାର ନାଆଁ ରଖିଲ ।ଓଡ଼ିଶାର ସମସ୍ତ ଦୂରଦର୍ଶନରେ ମୋ ଫଟୋ ସହ ଜୟଲାଭ ଖବର ।ସେଠାରୁ ଫେରି ଯେତେବେଳେ ଭୂବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ଗଲୁ ଅନେକ ସ୍ଵାଗତ ସମ୍ବର୍ଦ୍ଧନା ବି କରାଯାଇଥିଲା ମୋତେ ।ତା ପରେ ଘରକୁ ଫେରିଲି ।ଘରେ ଫେରି ଦେଖିଲି ମୋ ବାଲ୍ୟ ବାନ୍ଧବୀ ରୋଜାକୁ ।ମୋତେ ସ୍ଵାଗତ ପାଇଁ ଫୁଲତୋଡା ଧରି ତା ସ୍ଵାମୀ ପୁଅଝିଅ ସବୁ ଠିଆ ହୋଇଛନ୍ତି ।ପୁରା ଖୁସିର ଲହରୀ ଖେଳିଗଲା ସେତେବେଳେ ।


   ରୋଜାକୁ ଅନୁରୋଧ କଲି କିଛି ଦିନ ରହିବା ପାଇଁ ଆମ ଘରେ ।ସେ ବି ରହିଲା।ବହୁତ ଆଡେ ବୁଲାବୁଲି କଲୁ ସାଙ୍ଗ ହୋଇ ।


ଏମିତି ଦିନେ ତାକୁ ପି.ଟି.ଉଷାଙ୍କ ଚିଠି ଦେଖେଇଲି ଯେ,ସେ ହସି ହସି ଗଡିଗଲା ।ଆଉ କହିଲା ତୋର ମନେ ଅଛି ନା ଲେଖା, ସ୍କୁଲରେ ପଢୁଥିବା ବେଳେ ଯେତେବେଳେ ବାର୍ଷିକ ଖେଳ ହୁଏ, ତୁ ସେ ଖେଳରେ ବିଭିନ୍ନ ପ୍ରକାର ଦୌଡ଼ରେ ସମସ୍ତଙ୍କୁ ପଛରେ ପକାଇ ପ୍ରଥମ ହେଉ।ଆଉ ମୁଁ ଏଥିରେ ଖୁସି ହୋଇ ତୋତେ ମିଛରେ ମିଛରେ ପି.ଟି ଉଷା ହୋଇ ଚିଠି ଦିଏ।ତୁ ସେତେବେଳେ ହସି ହସି ଗଡିଯାଉ ।ମନେ ଅଛି ନା ତୋର ।

ଆରେ ହଁ ହଁ,ତୁ ସବୁ ଖେଳ ପରେ ଏମିତି ଗୋଟିଏ ଚିଠି ଦେଉ ।

ଆରେ ଲେଖା ଏଇ ଚିଠି ବି ମୁଁ ଦେଇଥିଲି,ଆଉ ଜଗନ୍ନାଥ ଫଟୋ ଫୁଲ ଭୋଗ ମୁଁ ବି ଦେଇଥିଲି ।

ସତରେ ନା ରୋଜା,ଯାହା ହେଉ ତୋର ଏ ମିଛ ଉତ୍ସାହ ପାଇଁ ଆଜି ମୁଁ ବିଦେଶରେ ବି ଚର୍ଚ୍ଚିତ ।ଯାହା ହେଉ ଦୌଡରାଣୀ ପି.ଟି.ଉଷା ମୋର ଆଦର୍ଶ ତୋ ପାଇଁ ।

ତାଙ୍କ ନାଆଁ ଧରି ମୁଁ ଜୟଲାଭ କରିଛି ।ତୋତେ ଅନେକ ଅନେକ ଧନ୍ୟବାଦ।ପିଲାବେଳୁ ଆଜି ଯାଏ ତାଙ୍କର ନାମ ଶୁଣି ଶୁଣି ମୋ ଉତ୍ସାହ ବଢେ ।ତାଙ୍କ ପରି ହେବା ପାଇଁ ସ୍ଵପ୍ନ ଦେଖି ଦେଖି ସେ ସ୍ଵପ୍ନକୁ ସାକାର କରି ପାରିଛି ।ତୋତେ ବହୁତ ଧନ୍ୟବାଦ ରୋଜା ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational