STORYMIRROR

Santosh Kumar Nayak

Tragedy Crime Others

3  

Santosh Kumar Nayak

Tragedy Crime Others

ଛବିରାଣୀ - ଏକ ସତ୍ୟ କାହାଣୀ

ଛବିରାଣୀ - ଏକ ସତ୍ୟ କାହାଣୀ

3 mins
439

ଛବିରାଣୀ- ଏକ ସତ୍ଯ କାହାଣୀ


    ୧୯୮୦ ମସିହା ଅକ୍ଟୋବର ମାସ ୩ ତାରିଖ। ସନ୍ଧ୍ୟା ପ୍ରାୟ ସାଢେ ସାତ। କାହାକୁ କିଛି ନ ଜଣେଇ ବିରିଡି ଗାଆଁ ଛାଡି ଚାଲିଯିବାକୁ ବାହାରି ପଡିଲେ ଛବିରାଣୀ ଓ ତାଙ୍କ ସ୍ବାମୀ ନବକିଶୋର । ସାଥିରେ ଥାଏ ଗୋଟିଏ ଛୋଟ ଶିଶୁ ପୁତ୍ର । 

    ବିରିଡି ଗାଆଁ ଶେଷ ମୁଣ୍ଡରେ ଦୁଇ ଧାର ହୋଇ ବହି ଯାଉଥାଏ ବିଲୁଆଖାଇ ନଈ। ଗୋଟିଏ ଧାର ପାରି ହେବା ପରେ ସେମାନଙ୍କୁ ଲାଗିଲା ସତେ ଯେମିତି କିଛି ଲୋକ ତାଙ୍କୁ ପଛରୁ ଗୋଡାଉଛନ୍ତି । କ୍ଷୀପ୍ରଗତିରେ ଦୌଡିବାକୁ ଚେଷ୍ଟା କଲେ ସ୍ବାମୀ ସ୍ତ୍ରୀ । ନବକିଶୋର ପୁଅଟିକୁ କାଖେଇ ଥାଆନ୍ତି ।ନଈପଠାର ବାଲିରେ ଦୌଡିବା ବହୁତ କଷ୍ଟ । ଏତିକି ବେଳେ କ୍ଳାନ୍ତ ହୋଇ ତଳେ ପଡିଗଲେ ଛବିରାଣୀ। ଖାଲି କହୁଥାନ୍ତି, "ମୋ ପୁଅକୁ ବଞ୍ଚାଅ; ପୁଅକୁ ନେଇ ତୁମେ ଏଠାରୁ ଚାଲିଯାଅ।" କିନ୍ତୁ ରକ୍ତ ପିପାସୁଙ୍କ ହାତରେ ସ୍ତ୍ରୀକୁ ଏକୁଟିଆ ଛାଡି ଚାଲିଯିବାକୁ ମନ ବଳୁ ନ ଥିଲା ନବକିଶୋରଙ୍କର। ପୁଅର ଜୀବନ ରକ୍ଷା ପାଇଁ ସେ ପଛକୁ ଦେଖି ଦେଖି ଆଗକୁ ଯିବାକୁ ବାଧ୍ୟ ହେଲେ। ଏକ ବୁଦା ମୂଳରେ ଲୁଚିଯାଇ ସେ ଯାହା ଦେଖିଲେ ତାହା ତାଙ୍କ ପାଇଁ ଥିଲା ଅକଳ୍ପନୀୟ।

       ଚୋରା ମଦବେପାରୀ ବୀର ମାଣିଆ, ବାବାଜୀ ମାଣିଆ, ବ୍ଳକ୍ କଂଗ୍ରେସ ସଭାପତି ଦିବାକର ନାୟକ ପ୍ରମୁଖ ଘେରି ରହିଥାନ୍ତି ଛବିରାଣୀଙ୍କୁ। ଛବି ସେମାନଙ୍କୁ ହାତ ଯୋଡି ନେହୁରା ହୋଇ କହୁଥାନ୍ତି ' ମୋତେ ଛାଡିଦିଅ; ପ୍ଲିଜ ମୋତେ ଛାଡିଦିଅ।' ଛବିରାଣୀଙ୍କ କାକୁତିମିନତି ଜହ୍ଲାଦଙ୍କ କାନରେ ବାଜୁ ନ ଥାଏ ।କିନ୍ତୁ ବୁଦାମୂଳେ ଲୁଚିଥିବା ସ୍ବାମୀଙ୍କ କାନ ପରଦା ଫଟାଇ ହୃଦୟର ପ୍ରତିଟି ଧମନୀକୁ ଟିକ୍ ଟିକ୍ କରି କାଟି ପକାଉଥାଏ। ସେ ଚାହିଁକି ବି ଛବିରାଣୀଙ୍କ ପାଖକୁ ଯାଇପାରୁ ନଥାନ୍ତି କାରଣ ସାଥିରେ ତାଙ୍କର ଥାଏ କୁନି ପିଲାଟି। ବାପାମାଆଙ୍କ ପାଇଁ ପିଲାର ଜୀବନ ସେମାନଙ୍କ ଜୀବନଠୁ ଢେର ଅଧିକ । ଅନୋନ୍ୟପାୟ ହୋଇ ନବକିଶୋର ପୁଅକୁ କାଖେଇ ଅନ୍ୟ ବାଟ ଦେଇ ପାଖ ଗାଆଁ କୁନ୍ଦୁରାରେ ପହଞ୍ଚିଲେ। ଜଣେ ବନ୍ଧୁଙ୍କ ଘରେ ପୁଅକୁ ଛାଡିଦେଇ ଗାଆଁ ମୁଖିଆଙ୍କୁ ସବୁ କଥା ଜଣାଇଲେ। ସଙ୍ଗେ ସଙ୍ଗେ ଗାଆଁର କିଛି ଯୁବକଙ୍କୁ ଧରି ବିଲୁଆଖାଇ ନଦୀପଠାରେ ପହଞ୍ଚିଲେ ନବକିଶୋର । ସେଠାରେ ପହଞ୍ଚି ଯାହା ଦେଖିଲେ ତାହା ସ୍ତବ୍ଧ କରି ଦେଇଥିଲା ପ୍ରତିଟି ଓଡିଆଙ୍କୁ।

      ବାଲିପଠାରେ ପଡିରହିଥିଲା ଛବିରାଣୀର ଅର୍ଦ୍ଧଲଗ୍ନ ମୃତ ଶରୀର। ମୁଣ୍ଡରୁ ପାଦ ଯାଏଁ ପ୍ରତି ଅଙ୍ଗରେ କ୍ଷତଚିହ୍ନ। ଭାଙ୍ଗି ପଡିଥିଲା ବିବାହ ମଣ୍ଡପରେ ପିନ୍ଧିଥିବା ନାଲିଚୁଡି ଆଉ ଛିଣ୍ଡି ପଡିଥିଲା ମଙ୍ଗଳସୂତ୍ର। ରକ୍ତ ଜୁଡୁବୁଡୁ ବାଲୁକାରାଶି ସଭ୍ଯ ସମାଜକୁ ଜଣାଇ ଦେଉଥିଲା ଛବିରାଣୀ ସହ ହୋଇଥିବା ପାଶବିକ ଅତ୍ୟାଚାରର କାହାଣୀ। ମୃତ୍ୟୁଦୂତଙ୍କ ପାଖରୁ ନିଜକୁ ବଞ୍ଚାଇବାକୁ ଛବିରାଣୀ କେତେ ଯେ ସଂଘର୍ଷ କରିଥିଲା ତାହା ଜଣାଇ ଦେଉଥିଲା ବାଲିପଠାରେ ଦେଖାଯାଉଥିବା ଛବି ହାତର ରାମ୍ପୁଡା ଚିହ୍ନ । ବାଲି ହିଁ ଥିଲା ତାର ଏକ ମାତ୍ର ସାହାରା। ତାକୁ ହିଁ ଅସ୍ତ୍ର କରି ଜହ୍ଲାଦଙ୍କ ଉପରକୁ ଫିଙ୍ଗି ଚାଲିଥିଲା ମୁଠାମୁଠା ବାଲି। ଦୁଇ ଧାର ହୋଇ ବହି ଚାଲିଥିଲା ବିଲୁଆଖାଇ। ସେ ନଈ ନ ଥିଲା, ଥିଲା ଯେମିତି ଛବି ଆଖିରୁ ବହିଚାଲିଥିବା ଦୁଇ ଧାର ଲୁହ। ତାର ଖୋଲା ମୃତ ଦେହ ଦେଖି ସ୍ପଷ୍ଟ ବାରିହେଉ ଥିଲା ଯେ ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ଯାର ଶିକାର ହୋଇଛି। ସ୍ବାମୀ ନବକିଶୋରଙ୍କ ପାଖରେ ରଡି ଛାଡି କାନ୍ଦିବା ବ୍ୟତୀତ ଆଉ କିଛି ଉପାୟ ନ ଥିଲା । 

         ପଶ୍ଚିମବଙ୍ଗ ମେଦିନାପୁରର ଏକ ବଙ୍ଗାଳୀ ପରିବାରରେ ଜନ୍ମ ହୋଇଥିଲେ ଛବିରାଣୀ। ତାଙ୍କ ଭାଇ ପୁରୀର ଏକ ମଠର ତତ୍ତ୍ବାବଧାରକ ଭାବେ କାର୍ଯ୍ଯ କରୁଥିଲେ। ପରିବାର ସହ ଛବିରାଣୀ ପୁରୀରେ ରହୁଥିଲେ । ପୁରୀରେ ରହୁଥିବା ବେଳେ ନବକିଶୋରଙ୍କ ସହ ତାଙ୍କର ପ୍ରେମ ବିବାହ ହୋଇଥିଲା । ବିବାହ ପରେ କିଛି ରୋଜଗାରର ସନ୍ଧାନରେ ନବଦମ୍ପତି ଚାଲି ଆସିଥିଲେ ବିରିଡି ଗାଆଁକୁ। ସେଠାରେ ସେମାନେ ସାମ୍ବାଦିକତା କରି ପେଟ ପୋଷୁ ଥିଲେ। ସତ୍ୟ ଘଟଣାର ପର୍ଦ୍ଦାଫାସ୍ କରୁଥିବା ନବକିଶୋର ଓ ଛବିରାଣୀ ନିଜେ ଏକ ଲୋମହର୍ଷଣକାରୀ ଘଟଣାର ଚରିତ୍ର ହୋଇଯିବେ ଏ କଥା ସେମାନଙ୍କୁ ଜଣା ନ ଥିଲା। ମଦମାଫିଆ, ସାର ଦୁର୍ନୀତିକାରୀ ଓ କୁଜିନେତାଙ୍କ ରୋଷର ଶିକାର ହେବାକୁ ପଡିଲା ଛବିରାଣୀଙ୍କୁ। ସତ୍ୟର ଅବତାରଣା କରୁକରୁ ନିଜେ ଏକ ଅପ୍ରୀତିକର ସତ୍ୟ ହୋଇ ରହିଗଲେ ଛବିରାଣୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy