STORYMIRROR

Padmalaya Padhy

Inspirational

3  

Padmalaya Padhy

Inspirational

ଛାତ

ଛାତ

6 mins
149


ସୁରଭି ଯେବେ ଠାରୁ ବାହା ହୋଇ ଆସିଛି ସେ ଦେଖୁଛି ଶାଶୁ ତା ଉପରେ ଏତେଟା ସନ୍ତୁଷ୍ଟ ନୁହନ୍ତି l ଏବେ ସାନ ଯା ଜୟା ଆସିଲା ପରେ ସ୍ଥିତି ଆହୁରି ବିଗିଡି ଯାଉଛି l ତୁଳନାତ୍ମକ ମନ୍ତବ୍ୟ ମାନ ମିଳୁଛି l

ସୁରଭି ଆରମ୍ଭରୁ ଘର କରଣାରେ ଅବ୍ୟବସ୍ଥିତ l ଠିକ ଠାକ ସବୁ ତୁଲେଇ ପାରେନା l ଇଚ୍ଛା ନାହିଁ କି ଚେଷ୍ଟା ନାହିଁ ସେ ହିଁ ଜାଣି ଥିବ l ଯୋଉଟା ଯୋଉଠୁ ବାହାର କରିଥିବ ପୁଣି ସେଇଠି ନରଖି ଅନ୍ୟ ଯାଗାରେ ରଖି ପରେ ଖୋଜିବ l ଅଧିକା କାମ ପଡିଲେ ଘାଣ୍ଟି ହୋଇଯିବ l ଦାୟିତ୍ୱ ନେବାରେ ମୋଟେ ଆଗଭର ନୁହଁ l ଏମିତି ବହୁତ କଥା ଦେଖି ବିରକ୍ତ ହୁଅନ୍ତି ସମସ୍ତେ l

ଶାଶୁ ମନୋରମା ପ୍ରଥମେ ଭାବିଥିଲେ କାଳ କ୍ରମେ ସୁରଭି ସବୁ ଶିଖି ଯିବ ଓ ସମ୍ଭାଳି ନେବ l କାହା ଘରର କେମିତିଆ ଚଳଣି ଶିଖିବାକୁ ସମୟ ଲାଗେ l କିନ୍ତୁ ଦୁଇ ବର୍ଷ ପରେ ଗୋଟିଏ ପୁଅର ମା ହୋଇ ବି ସୁରଭିର ସବୁ କାମ ଅସଜଡ଼ା l ବେଳେ ବେଳେ ଭାରି ବିରକ୍ତ ଲାଗେ ମନୋରମାଙ୍କୁ l କେବେ ଚୁପ ରହନ୍ତି କେବେ ପୁଣି କହି ଦିଅନ୍ତି l

 ମନ ଭିତରେ ହଜାରେ ଅଭିଯୋଗ l ମା କିଛି ଶିଖାଇ ନାହିଁ l ତେଣୁ ନା ଶାଢ଼ୀ ପିନ୍ଧାରେ ବାଗ ନା ଘର କାମରେ ବାଗ l ବେଳେ ବେଳେ ପୂଜା ଦିନ ମାନଙ୍କରେ ମଧ୍ୟ ଉଠିବାରେ ବିଳମ୍ବ କଣ ନା ନିଦ ଭାଙ୍ଗିଲାନି l 

କେମିତିଆ ଘରୁ ଆସିଛି ନା l ସେତ ନିଜେ ଯାଇ ଦେଖି ପସନ୍ଦ କରି ଆଣିଥିଲେ l କାହାକୁ କହିବେ l

ସୁରଭି ବେଳେ ବେଳେ ଚେଷ୍ଟା କରେ ଘର କାମରେ ନିପୁଣା ହେବାକୁ କିନ୍ତୁ ଆହୁରି ଭୁଲ ହୁଏ l

ସାନ ବୋହୁ ଜୟା କିନ୍ତୁ ସୁରଭିର ପୁରା ଓଲଟା l ସବୁ କାମ ଶୃଙ୍ଖଳିତ ଓ ସଜାଡି ହୋଇ ଥାଏ l ଧୀର ସ୍ଥିର ଓ ଭାବି ଚିନ୍ତି କରିବ l ଥରେ କଲା ପରେ ସେଥିରୁ କେହି ହେଲେ ଖୁଣ ବାହାର କରି ପାରନ୍ତିନି l ଶାଢ଼ୀ ମଣ୍ଡ ଦିଆ ହୋଇ କଡା ଇସ୍ତ୍ରୀ ହୋଇ ଥିବ ଯାହା ଘଣ୍ଟା ଘଣ୍ଟା ରୋଷେଇ କଲା ପରେ ମଧ୍ୟ ଗୋଟିଏ ଚିହ୍ନ ନଥିବ l ମୁହଁରେ ନା କ୍ଲାନ୍ତି ନା କ୍ଳେଶ l ସବୁ କାମରେ ନିପୁଣା l ସୁରଭି ଠୁ ଜମା ଦୁଇ ବର୍ଷ ସାନ l ଟଙ୍କା ପଇସା ହିସାବ ଠୁ ଆରମ୍ଭ କରି ଘର କରଣା ହେଉ ବାରିବାକୁ କେହି ନାହିଁ l ସଜଡା ଜୀବନ ଯାପନ l

ଯା ହେଉ ଯେ ଯାହାର ଘର ସଂସାର ଚଳାଇବେ l ବୟସ ଯାଉଛି ନା ଆସୁଛି l ଖାଲି ଏକ ମାତ୍ର ଝିଅ ମିନି ପାଇଁ ଯାହା ଚିନ୍ତା l ମିନି ମନୋରମାଙ୍କ ଗୋଟିଏ ବୋଲି ଝିଅ l ଚାକିରୀ କରୁଛି l କିନ୍ତୁ ଦୁଃଖ ଅପରିମିତ l ବିବାହର ଦଶ ଦିନ ପରେ ଗୋଟିଏ କାର ଦୁର୍ଘଟଣାରେ ତା ବରର ମୃତ୍ୟୁ ତାକୁ ସବୁ ଦିନ ପାଇଁ ସମସ୍ତଙ୍କ ପାଖେ ମୁହଁ ଲୁଚାଇବାକୁ ବାଧ୍ୟ କରିଛି l ଏତେ ବର୍ଷ ପରେ ମଧ୍ୟ ମିନି ଆହୁରି ସହଜ ହୋଇ ନାହିଁ l ଛାଡ଼ ଛାଡ଼ ହୋଇ ରହୁଛି l କାହା ସାମ୍ନାକୁ ଯାଏନା l ଅଫିସରେ ବି କଥା ବାର୍ତ୍ତା ହୁଏନା l ସତେ ଯେପରି ଭାଗ୍ୟର ବିଡମ୍ବନା ତାକୁ ମୁକ କରି ଦେଇଛି l

ତାର ସହକର୍ମୀ ଜଣେ ତାକୁ ବିବାହ କରିବାକୁ ଇଛୁକ ଥିଲେ l କିନ୍ତୁ ତାଙ୍କ ବାପା ମା ଯେତେବେଳେ ଜାଣିଲେ ଯେ ମିନି ବିବାହର ଦଶ ଦିନ ପରେ ସ୍ୱାମୀକୁ ହରାଇଛି ସେମାନେ ଏକ ପ୍ରକାର ଭୟଭୀତ ହୋଇ ଯାଇ ଥିଲେ l ନିଜ ପୁଅର ଜୀବନରେ ଗୁଡ଼ାଏ ଶୁଭ ଅଶୁଭ କଳ୍ପନା କରି ଆଉ ଆଗେଇ ନଥିଲେ l ସେ କଥା ସେତିକିରେ ବନ୍ଦ ହୋଇ ଯାଇଥିଲା l

ମନୋରମା ଭାବନ୍ତି ଏବେ ସିନା ସେ ଓ ତାଙ୍କ ସ୍ୱାମୀ ଅଛନ୍ତି l ମିନି ବାପା ମାଙ୍କ ଅଭୟ ଆଶ୍ରୟରେ ଅଛି ତାଙ୍କ ପରେ ଭାଇମାନଙ୍କ ମନ ବଦଳି ଯିବନି ବୋଲି କିଛି ମାନେ ଅଛି କି ? ସେତେ ବେଳେ ମିନି କରିବ କଣ l ଚିନ୍ତାରେ ଅଧେ ଦିନ ସେ ଶୋଇ ପାରନ୍ତି ନାହିଁ l ସ୍ୱାମୀ ମଦନ ବାବୁ ବୁଝାନ୍ତି l ମିନି ଚାକିରୀ କରିଛି ଅସହାୟ ନୁହଁ l ହେଲେ ମା ମନ ବୁଝେ ନାହିଁ l

ଏବେ କେତେ ଦିନ ହେବ ମନୋରମାଙ୍କୁ ଅଧିକା କାମ ପଡୁଛି l ଦି ପୁଅଙ୍କର ଗୋଟିଏ ଗୋଟିଏ ପୁଅ ଛ ସାତ ବର୍ଷର ହୋଇ ଗଲେଣି l ଏବେ ସେମାନଙ୍କ ବ୍ରତ ଘର ଚିନ୍ତା l ଦୁଇ ଜଣକୁ ଏକା ଦିନରେ କଲେ ପରିଶ୍ରମ କମ, ସୁବିଧା ହେବ ବୋଲି ଜୟା କହେ l ତାର ତ ଦୂର ଦୃଷ୍ଟି ଅଛି l ସବୁ କଥା ଆଗ ପଛ ଭାବି ଚିନ୍ତି କରିବ l ସୁରଭି ମଧ୍ୟ ରାଜି ହୋଇ ଗଲା l

ବାହା ହୋଇ ଆସିଲା ପର ଠାରୁ ତାକୁ କିଛି ଭାବିବାକୁ ପଡ଼େନି l ଅନ୍ୟ ମାନେ ତା ପାଇଁ ସବୁ କରି ଦିଅନ୍ତି ଭଲ ହେଲା l ଅବଶ୍ୟ ସେ ଅନେକ ସମୟରେ ଶାଶୁଙ୍କ ଠାରୁ କିଛି କିଛି ଶୁଣେ l ହଜମ ହୁଏନି ସିନା କିନ୍ତୁ ଭଲ ଚାଲିଛି l ତା ପାଇଁ ଅନ୍ୟ ମାନେ ଚିନ୍ତା କରି ଦେଉଛନ୍ତି l ସେମାନେ ଯାହା କରିବେ ଭଲ ହିଁ କରିବେ l

ମନୋରମା କେତେ ଦିନ ପାଇଁ ମିନିର ଭବିଷ୍ୟତ ଚିନ୍ତା ଭୁଲି ଯାଇ ଦୁଇ ନାତିଙ୍କର ବ୍ରତଘର ଆୟୋଜନ ଲାଗି ପଡିଛନ୍ତି l ସେ ଓ ଜୟା ମିଶି ସବୁ କରିବେ l ସୁରଭିକୁ ତ ଗୋଟେ କହିଲେ ଆଉ ଗୋଟେ କରିବ l ମିନିର ଅଫିସ ଅଛି ତେଣୁ ସେ ବି ସାହାଯ୍ୟ କରି ପାରିବନି l ବ୍ରତଘରର ଦୁଇ ଦିନ ଆଗରୁ ଘରର ସମସ୍ତ ସଦସ୍ୟ ବସି ଆୟୋଜନକୁ ଅନ୍ତିମ ରୂପରେଖ ଦେଉଥିଲେ l 

ସୁରଭିକୁ ନିଦ ମାଡ଼ିଲାଣି l ଡାକିବାରୁ ଆସିଛି ନହେଲେ ଶାଶୁ ବିଗିଡ଼ିବେ ବୋଲି l ସମସ୍ତେ ସବୁ କରି ସାରିଲେଣି l

ପୁରୋହିତ ପୂଜା ବିଧି, ଖାଇବା ଲିଷ୍ଟ, ଅତିଥି ଅଭ୍ୟାଗତ ଭିଡ଼ିଓ ଵାଲା ସବୁ କଥା ଠିକ ଠାକ l ନୂଆ ଲୁଗାପଟା ମଧ୍ୟ ଆସି ସାରିଲାଣି l ଘରର ପୁରୁଷ ସଦସ୍ୟ ମାନେ ହିସାବ କିତାବ ଓ ଅନ୍ୟାନ୍ୟ ଆଲୋଚନାରେ ବ୍ୟସ୍ତ l ଆଉ କରିବାକୁ ବୋଧେ କିଛି ବାକି ନାହିଁ l ରାତି ବାର ବାଜିଲାଣି ସୁରଭିର ହାଇ ଉପରେ ହାଇ ଉଠିଲାଣି l 

ମିନି ବି ଖୁସି କେତେ ଦିନ ପରେ ଟିକେ ସଜ ବାଜ ହେବାକୁ ମିଳିବ l ଲୋକ ଗହଳିରେ ସେ ବି ନିଜକୁ ମିଶେଇ ଦେବ ଓ ଭୁଲି ଯିବ l କେତେ ବର୍ଷ ହେଲା ସେ ପ୍ରାୟ ହସିବା ଭୁଲିଯାଇଛି l

ହଠାତ ଜୟା ଗୁରୁ ଗମ୍ଭୀର ସ୍ୱରରେ କହିଲା 

-ମା ଆପଣ ମାନେ ସମସ୍ତେ ଅଛନ୍ତି ଭଲ ହେଲା l ମୁଁ କିଛି କହିବାକୁ ଚାହୁଁଛି l

ସମସ୍ତେ ଭାବିଲେ ଜୟା ବୋଧେ କିଛି କାମ ଛାଡି ଯାଇଛି l ଗୁରୁତ୍ୱପୂର୍ଣ କାମଟିଏ ରହି ଯାଇଥିବ କି କଣ l

-ବ୍ରତଘର ଆମ ପିଲାମାନଙ୍କ ପ୍ରଥମ ଶୁଭକାର୍ଯ୍ୟ l ସେମାନଙ୍କୁ ବାହା କରିବାର ସୌଭାଗ୍ୟ ଆମକୁ ମିଳିବ କି ନାହିଁ ଜାଣିନି l ଆଜି କାଲି ପିଲା ପୁଣି ନିଜ ପସନ୍ଦରେ ବାହାହେଉଛନ୍ତି l ସବୁ ବାପା ମାଙ୍କୁ ସେ ସୌଭାଗ୍ୟ ମିଳୁନି ଯେ ପିଲାଙ୍କୁ ନିଜ ହାତରେ ବାହା କରି ପାରିବେ l 

ସମସ୍ତେ ଆଶ୍ଚର୍ଯ୍ୟ l ବାହାଘର କଥା ଏବେ କାହିଁକି l ଏବେତ ଆଗାମୀ ଯୋଜନା ପ୍ରସ୍ତୁତ l କେହି କିଛି ବୁଝି ପାରିଲେନି l ପୁଣି ଜୟା ଆରମ୍ଭ କଲା 

-ତେଣୁ ଏହି ଶୁଭ କାର୍ଯ୍ୟରେ ମୁଁ ଚାହୁଁଛି ଆରମ୍ଭରୁ ଶେଷ ଯାଏଁ ସବୁ ବିଧି ବିଧାନ ଅନୁସାରେ ହେବ l କୌଣସି ଯାଗାରେ ଏପଟ ସେପଟ ହେବ ନାହିଁ l 

-କିନ୍ତୁ ସବୁ ବ୍ୟବସ୍ଥା ଆମେ ଦେଖି ଚାହିଁ କରିଛୁ l ବାକି ଶୁଭ ଅଶୁଭ ବେଳା ତିଥି ଦେଖି ପୁରୋହିତ ଭାଇନା ବ୍ୟବସ୍ଥା କରି ସାରିଛନ୍ତି l ଆଉ କଣ ରହି ଗଲା କି? ମନୋରମା ବୁଝି ପାରିଲେନି l

-ହଁ ମା ! ସବୁଠୁ ବଡ ବନ୍ଦୋବସ୍ତ ଆମେ କରି ନାହୁଁ l ମୁଁ ଚାହେଁ ସେଦିନ ହୋମ ହେବା ସ୍ଥାନକୁ ମିନି ଯିବେ ନାହିଁ l ମୁଁ ଚାହୁଁନି ତାଙ୍କ ଦୁର୍ଭାଗ୍ୟର ଛାଇ ଆମ ପିଲାଙ୍କ ଉପରେ ପଡ଼ୁ l ଗୋଟିଏ ଶୁଭ କାର୍ଯ୍ୟରେ ତାଙ୍କର ଉପସ୍ଥିତି ମୁଁ ଚାହେଁନି l

ମନୋରମା ହଡବଡାଇ ସ୍ୱାମୀଙ୍କ ଆଡକୁ ଦେଖିଲେ l ମଦନଙ୍କୁ ବି ସବୁ ଅବୁଝା l ଏତେ ଦିନ ଧରି ବାହାରକୁ ସୁନ୍ଦର ଦେଖା ଯାଉଥିବା ଘରଟି ଭିତରେ ଭାଙ୍ଗିରୁଜି ଗଲାଣି ମଦନ କି ମନୋରମାଙ୍କୁ ଏହାର ତିଳେ ମାତ୍ର ଖବର ନାହିଁ l

ଜୟା ପୁଣି ଆରମ୍ଭ କଲା l

 ମିନିଙ୍କୁ ମଧ୍ୟ ଯଥେଷ୍ଟ ବୟସ ହେଲାଣି ଏ ସବୁ ଜାଣିବା ପାଇଁ l ଜାଣି ସିଆଣା ହେବେ ଯଦି ଆଉ କଣ କୁହା ଯିବ l ସକାଳୁ ଯାଇ ଭାଉଜ ମାନଙ୍କୁ ଚା ପରଷି ସେମାନଙ୍କୁ ମୁହଁ ଦେଖାଇବା କଣ ଦରକାର l ଭାଇ ମାନଙ୍କର ହିଁ ଅନିଷ୍ଟ ହେବ l ସେଇଟା ସେ ବୁଝିବାକୁ ଚାହୁଁ ନାହାନ୍ତି l 

-ସେ ତ ଏ ଘରେ ଏକ ମାତ୍ର ଚାକିରିଆ ଝିଅ ନା l ତେଣୁ ସବୁ ଥିରେ ମନ ଇଚ୍ଛା କାରବାର l"

ମିନିର ପାଦ ତଳେ ଭୂମିକମ୍ପ l ତା ସ୍ୱାମୀର ମୃତ୍ୟୁ ପରେ ଏହା ହେଉଛି ଦ୍ଵିତୀୟ ଝଟକା l ପାଦ ତଳୁ ମାଟି ଗୁଡା ଧସେଇ ଯାଉଛି କି l ଏତେ ଦିନ ଧରି ଯାହା ସବୁ ଦେଖି ଆସିଥିଲା ସେ ସେସବୁ କଣ ମିଛ? 

ପୁରୁଷ ମାନଙ୍କ ମୁଣ୍ଡ ତଳକୁ l ମନୋରମା ପୁଣି ସମ୍ଭାଳି ନେଲେ l 

-ତୁ ଯଦି ଚାହୁଁଛୁ ଯେ ଏଇଟା ଏ ପରିବାର ପାଇଁ ଭଲ ତେବେ ମୁଁ ଭାବୁଛି ଯେ ମିନି ତ ବହୁତ ବୁଝିବା ଶୁଝିବା ପିଲା l ସେ ବି ଏକମତ ହେବ l ଗୋଟିଏ ଦିନ ସେ ହୋମ ଯଜ୍ଞ ଠୁ ଦୁରେଇ ରହିଲେ କାହାର କିଛି ଅସୁବିଧା ନାହିଁ l

ଆଉ ଗୋଟେ ଧମାକା l ମିନି ଖୋଜୁଥିଲା ଏଠାରେ ଏବେ ତାଆର ବୋଲି କିଏ ଆଉ ବାକି ଅଛି l ମୁଣ୍ଡ ଉପରେ ଛାତ ନାହିଁ କି ପାଦ ତଳେ ମାଟି ନାହିଁ l ଭୂଇଁ ଧସେଇ ରସାତଳଗାମୀ ହେବା ଆଗରୁ ହଠାତ…. 

-ମା ମୋ ପୁଅ ପାଇଁ ମୁଁ ଅଲଗା ମଣ୍ଡପ ଓ ହୋମର ବ୍ୟବସ୍ଥା କରିବି ଯେଉଁଠି ତାକୁ ସମସ୍ତେ ଆଶୀର୍ବାଦ ଦେଇ ପାରିବେ l କାହାରି ଆଶୀର୍ବାଦରୁ ସେ ବଞ୍ଚିତ ହେବ ନାହିଁ l ତାହା ହିଁ ମୋ ସନ୍ତାନ ପାଇଁ ଶୁଭ ହେବ ବୋଲି ମୁଁ ଭାବୁଛି l ଦୁଇ ପିଲାଙ୍କୁ ଅଲଗା ଅଲଗା ସ୍ଥାନରେ ବ୍ରତ କରାଯାଉ l 

ଏ ତ ସୁରଭିର ସ୍ୱର l 

-ଗୋଟିଏ ମଣିଷର ସୌଭାଗ୍ୟ ଦୁର୍ଭାଗ୍ୟ ପାଇଁ ସେ ନିଜେ ଦାୟୀ ନୁହଁ l ଆମେ ନିଜ ଭାଗ୍ୟ ନିଜେ ଲେଖି ନଥାଉ l ସୁତରାଂ ତାକୁ ନେଇ କାହାକୁ ମୂଲ୍ୟାୟନ କରିବା ନିହାତି ମୂର୍ଖାମୀ l ଏହି ମୂର୍ଖାମୀକୁ ମୁଁ କେବେ ବି ସମର୍ଥନ କରିବି ନାହିଁ l ମୋ ପୁଅର ଅଲଗା ବ୍ୟବସ୍ଥା ହେବ l 

-ମଣିଷ ନିଜ ଜ୍ଞାତସାରରେ କରୁଥିବା କର୍ମ ଅନୁସାରେ ଭଲ ବା ଖରାପ ବିବେଚିତ ହୁଏ l ଭାଗ୍ୟକୁ ଦୋଷ ଦେଇ ଲାଭ ନାହିଁ l

ପରିବାରର ସଦସ୍ୟ ମାନେ ସ୍ତବ୍ଧ l ସୁରଭିକୁ ତେବେ କଥା କହି ଆସେ l 

ମନୋରମା ଭାବୁଥିଲେ ଏଥର ସେ ବୋଧେ ମିନିର ଚିନ୍ତାରୁ ମୁକ୍ତ ହୋଇ ଯିବେ l

ମିନି ଏବେ ଯାଇ ବୁଝିଲା ସେ ଯେତେବେଳେ ସକାଳୁ ଚା କରି ନେଇ ଦିଏ ସୁରଭି ଜଗି ବସି ଥାଏ ପିଇବ ବୋଲି l କିନ୍ତୁ ଜୟା ମନା କରି ଦିଏ ତାକୁ ଆସିବା ପାଇଁ l ଜୟାର ରୁମକୁ ଭୁଲରେ ଚାଲି ଗଲେ ବି ଜୟା ମୁହଁ ବୁଲାଇ ବସେ l ଯେମିତି ଝଗଡା ହୋଇଛି l ମିନି ଜାଣି ପାରେନି କାରଣ କଣ l ଏବେ ବୁଝୁଛି ସକାଳୁ ମିନିକୁ ଦେଖିଲେ ଅଶୁଭ ହେବା ଆଶଙ୍କାରେ ସେ ସର୍ବ ପ୍ରଥମେ ମିନିକୁ ଦେଖେ ନାହିଁ l

ସୁରଭି କଥାରେ ଜୟା କିଛି କହିବା ଆଗରୁ ମଦନ ବାବୁ ଓ ମନୋରମା ସାଙ୍ଗେ ସାଙ୍ଗେ ରାଜି ହୋଇ ଗଲେ l 

ଏବେ ସୁରଭି ଉଠି ହାଇ ମାରି ମାରି ଶୋଇବାକୁ ଯାଉଥିଲା l ଘରର ସମସ୍ତେ ତା ଯିବା ବାଟକୁ ଚାହିଁ ନିଜ ନିଜ ଭିତରେ ବାକି ରହି ଯାଇଥିବା ଯତ କିଞ୍ଚିତ ମଣିଷ ପଣିଆକୁ ସାଉଣ୍ଟୁ ଥିଲେ l


এই বিষয়বস্তু রেট
প্রবেশ করুন

Similar oriya story from Inspirational