ଚାରି ଶହ ସତୁରୀ ଟଙ୍କା
ଚାରି ଶହ ସତୁରୀ ଟଙ୍କା
ଏଇ ଲକ୍ ଡାଉନ୍ ହେବା ଦିନଠାରୁ ଅଭି ଭାରି ଚୁପ୍ ଚାପ୍ ହୋଇ ଯାଇଛି। ଠିକରେ ଖିଆ ପିଆ କରୁ ନାହିଁ।ଜାକି ଜୁକି ହୋଇ ଗୋଟିଏ ଜାଗାରେ ମନଟି ମାରି ବସୁଛି। ସୋନା ବି ତଦ୍ରୁପଅନ୍ୟ ଦିନ ମାନଙ୍କର ଦିଟା ପିଲା ଦୁଇଶହ ପିଲାର ରୋଳା କରନ୍ତି।ସବୁବେଳେ ବାଡ଼ିଆପିଟା। ଛଡା ଛଡି।ଅଦରକାରୀ ଛିଣ୍ଡା କାଗଜ ଖଣ୍ଡେ ଜଣେ ଧରିଲେ ଅନ୍ୟ ଜଣଙ୍କ ପାଇଁ ମୂଲ୍ୟବାନ ବସ୍ତୁ ପାଲଟି ଯାଏ ଓ ଲାଗେ ଛଡା ପଡ଼ା। ଶେଷ ହୁଏ ମାମା ଦେଖିଲୁ ଭାଇକୁ। କିବା ମାମା ଦେଖିଲୁ ସୋନାକୁ ମୋତେ ,ଦଉନାହିଁ।
ହଉ ଦେଖି କହି ମୁଁ ଯାହା ପାଇଁ ଏତେ ମାଡ଼ ଗୋଳ ହେଉଛନ୍ତି ସେ ଦରବଟି ଦେଖି ଆଶ୍ଚର୍ଯ୍ୟ ହୋଇ ଯାଏ। ଛିଣ୍ଡା କାଗଜ,ଭଙ୍ଗା ପେନ୍ସିଲ୍,କି ଲୁଡୁ ଗୋଟି ହୋଇଥିବ। ଯେଉଁଟି କି କିଛି କାମରେ ଆସିବ ନାହିଁ କାହାର। କିନ୍ତୁ କାହିଁକି ତୁଚ୍ଛା ଜିନିଷ ପାଇଁ ଲଙ୍କା କାଣ୍ଡ କରନ୍ତି ମୁଁ ବୁଝି ପାରେନାହିଁ।
ମୁଁ ଅଭିକୁ ବୁଝାଏ। ସୋନା ତୋ ସାନ ଭଉଣୀ।ତା ସଙ୍ଗେ ଏମିତି ଲାଗନ୍ତି ନାହିଁ। ଯଦି କିଛି ସେ ତୋ ଠାରୁ ଚାହୁଁଛି ଭାଇ ହିସାବରେ ଦେଇଦେବୁ ତାକୁ। ମୁଁ କାମ କରିବି ନା ତୁମ କେସ୍ ବୁଝିବି। ଆଉ ସୋନା ତୁ। ଅଭି ତୋ ଭାଇଟି। ସେ ଯଦି କଣ ତୋଠାରୁ ନେବ ଚାହିଁଲା ତାକୁ ଦେଇ ଦିଅନ୍ତୁ ନା ଟଣା ଘୋଷରା କରିବୁ। ତୁମେ ମୋର ସୁନା ପୁଅ ଓ ଝିଅ।ଗୁଡ୍ ବଏ ,ଗୁଡ୍ ଗାର୍ଲ।
ଦିନେ ଦିନେ ସେମାନଙ୍କ କେସ୍ ଫଇସିଲା କରି ପାରେନି ପଠେଇ ଦିଏ ତାଙ୍କ ଜେଜେମା ଓ ଜେଜେବାପା ପାଖକୁ। ସେଇ ସମ୍ଭାଳନ୍ତି।ହଲା ପଟା କରି ଦର ମଲା କରିଦେବେ ତାଙ୍କୁ। ମା କହିବେ ଆସୁ ଆଜି ମୋ ଆଦି ତୁମ ଦୁହିଁଙ୍କ କଥା ବୁଝିବ। ଆଦି ନା ଫାଦି। ସେ ତ ଆମ ପାପା।ତୁମର ପାପାକି? ମା ଡାକି କୁହନ୍ତି ଦେଖ୍ ଲୁସି ତୋ ପିଲା କଣ କହୁଛନ୍ତି? ଆଦି କୁଆଡେ ଆମ ପାପା ନୁହଁ ତାଙ୍କ ପାପା।ହଉ ଆଜି ପାପା ଆସନ୍ତୁ।
ଆଦି ଆସୁ ଆଡୁ ଅଭି ଓ ସୋନା ଦଉଡ଼ି ଯାଇ କୁହନ୍ତି ପାପା ପାପା ତୁମେ କାହା ପାପା? ଦୁଇଜଣଙ୍କୁ ଆଣ୍ଠେଇ ପଡି ଗେଲ କରୁ କରୁ ମୋତେ ଟିକେ ଆଡ଼ ଆଖିରେ ହସି କୁହନ୍ତି ହଇଓ ଲୁସି ମାଡାମ୍ ଏ ପିଲାଙ୍କ ପାପା କିଏ?
ଅଭି ଓ ସୋନା ପିଲା ମନ ଆଖି ଇସାରା ବୁଝି ନ ପାରି କୁହନ୍ତି ମାମା ନୁହଁ ମାମା ନୁହଁ ତୁମେ କହିବ।ତୁମେ ଆମ ପାପା ତ?
ହେ ଲୁସି !ଆରେ ଏ କି ପ୍ରଶ୍ନ ?ପୁଅ ପଚାରୁଛି ପାପାକୁ ମୁଁ ତାଙ୍କ ପାପା କି ନୁହଁ?
ମା କୁହନ୍ତି ନାଇଁରେ ଆଦି କଥାଟା ଆମ ପାଖେ।ତୁ ସତ କହ କାହା ପାପା ଆମର ନା ତୋ ପିଲା ଦୁଇଟାଙ୍କର।
ଓହୋ କଥାଟା ଯାଇ ଏଠି।ମୁଁ ତୁମ ପାପା ଠିକ୍।ଜେଜେମା ଓ ଜେଜେ ବାପାଙ୍କ ପାପା ତାହେଲେ କିଏ ତୁମେ କୁହ ପିଲେ।
ତାଙ୍କର ପାପା ନାଇଁ।ପୁଚ୍ ପୁଚ୍।ଏ ଏ।
ଆଦି କୁହନ୍ତି ଅଛନ୍ତି ନା..
କିଏ ପାପା?
ଆଉ କିଏ ହେବ?ଅଭି ଆଉ ସୋନା ବା।
ଆଁ !!ଆମେ??
ହଁ ତୁମେ ଦୁହେଁ ତାଙ୍କ ପାପା।
କଅଁଳ କୌତୁହଳ ମୟ କୋମଳ ଜିଜ୍ଞାସା ଆଖିରେ ଅୟୁତ ଅବୁଝା ପ୍ରଶ୍ନ।ଯଦିଓ ମୁହଁ ଖୋଲନ୍ତି ନାହିଁ ଆଖି କିନ୍ତୁ ତାଙ୍କର କହିଦିଏ ଆମେ ଜେଜେମା ଜେଜେ
ବାପାଙ୍କ ପାପା ହେଲୁ କେମିତି?
ଆଦି କୁହନ୍ତି ତାହେଲେ କୁହ ତାଙ୍କ ପାପା କିଏ?
ହଉ ଯା ତୁମେ ଆମ ପାପା ।ପୁଣି ଜେଜେମା ଓ ଜେଜେବାପାଙ୍କ ପାପା ହେଲା, ଖୁସ୍।
ମା,ବାପା ; ଅଭି ଓ ସୋନା କୁ କୋଳେଇ ନେଇ କୁହନ୍ତି ହେଉ ଆଦି ଖାଲି ତୁମ ପାପା।
ଅଭାବ ଆମ ଘରେ ଅଛି ସତ ଅଶାନ୍ତି ନାହିଁ।ଟାଣ ଟୁଣା ଜୀବନ।ସାରା ଜୀବନ ପ୍ରାଇଭେଟ୍ କଲେଜରେ ପିଅନ ଭାବେ ଖଟି ଖଟି ଏବେ
ମିଳିଛି ବ୍ଳକ ଗ୍ରାଣ୍ଡ ଦରମା।ସମୁଦ୍ରକୁ ଶଙ୍ଖେ ପରି।ସାତ,ଆଠ ହଜାର ଟଙ୍କା ଏ ଯୁଗରେ କେଉଁ କାମକୁ।ପିଲା ଦିଟା ସ୍କୁଲ ଫିସ୍ କୁ ନିଅଁଣ୍ଟ।ଜମିଜୁମା ନାହିଁ।ଆ ତା ଜମି କିଛି ଭାଗ କରି ଦୁଃଖକଷ୍ଟେ ଚଳି ଯାଉ ଯେନ ତେନ।
କିନ୍ତୁ କରୋନା ଆସି ମୋ ପିଲାଙ୍କ ମୁହଁରୁ ହସ ଛଡାଇ ନେଇଛି ଯେମିତି।କଅଁଳ ମନରେ କେଉଁଠି ଆଘାତ ଲାଗିଛି ମୁଁ ବୁଝି ପାରୁ ନଥିଲି।
ମୋତେ ପଚାରୁଛି ମାମା କରୋନା ଶକ୍ତିମାନ ନା ଗଡ୍?
ଛୋଟ ମନର ଏ ବଡ଼ ପ୍ରଶ୍ନ ଶୁଣି ମୁଁ କାବା।ମୁଁ କହିଲି ଧ ନ ଗଡ୍ କାହା ସଙ୍ଗେ ତୁଳନା ହୋଇ ପାରନ୍ତି ନାହିଁ।ସେ ସମସ୍ତଙ୍କ ଠାରୁ ଶକ୍ତିଶାଳୀ।
ତାହେଲେ କ ରୋ ନା କୁ ମାରି ଦେଉ ନାହାନ୍ତି କାହଁକି?
ମୁଁ କହିଲି ହୁଏତ ଗଡ୍ ଙ୍କ ଇଚ୍ଛାରେ କରୋନା ଆସିଥିବ।
ତୁମେ ସବୁଦିନ ପରା ଗଡ଼ ଙ୍କ ସାଥେ କଥା ହୁଅ ପଚାରୁନ ଏ କଥା କାହିଁକି କ ରୋ ନା ପଠାଇଛନ୍ତି?
ହଉ ମୁଁ ପଚାରିବି ଧନ।
ମାମା କେତେ ଲୋକ ମଲେଣି।ଜାଣିଛ ମୋ ସାଙ୍ଗ ପିହୁ,ବିଶପ,ସୁଟୁ ଫୋନ୍ କରି କହୁଥିଲେ ତାଙ୍କ ଘରେ ଆଉ ଖାଇବାକୁ ନାହିଁ ସେମାନଙ୍କ ପାପା ଦୋକାନ ବଜାର ବନ୍ଦ।ଆମ ଘରେ ଯେଉଁ ଚାଉଳ ଅଛି ତାଙ୍କୁ ଦେଉନ?
ମୁଁ ମନେ ମନେ କହିଲି ବାପରେ ଆଉ ଦିଟା ଦିନ ପରେ ଆମେ ବି ଚିନ୍ତା କରିବୁ ତୁମେ କେମିତି ବଞ୍ଚିବ।ତିରିଶି ଚାଳିଶି କିଲୋ ଚାଉଳକୁ ଛଅଟି ପେଟ।ଆଠ ଦିନ ଯିବକି ନାହିଁ।
ମୁଁ କହିଲି ହେଉ ତାଙ୍କ ପାପାଙ୍କୁ କହିବୁ ଆମ ଘରୁ ଆସି ଚାଉଳ ନେଇଯିବେ।
ଆଉ ଗୋଟେ କଥା ମାମା।ସମସ୍ତେ କ ରୋ ନା ପାଇଁ ସାହାଯ୍ୟ କରୁଛନ୍ତି।ଆମେ କରିବା ନାହିଁ?
ମୁଁ ତା ମୁଣ୍ଡ ସାଉଁଳେଇ କହିଲି ହଁ କରିବା।ପାପା କହୁଥିଲେ ପାଞ୍ଚ ଶହ ଟଙ୍କା ପଠେଇବେ ବୋଲି।
ସତ ମାମା?
ହଁ ମୁଁ କହିଲି।ସେ ଚିଲ ପରି ଘର ଭିତରକୁ ଦଉଡ଼ି ଗଲା ଓ ତା ପଇସା ଘଡିଟି ଆଣି କହିଲା ମାମା ଏଇଟିକୁ ବି ପାପାକୁ ଦେଇ ଦେବ।ସେ କ ରୋ ନା ପାଇଁ ପଠାଇ ଦେବେ।
ଅଭି!ବିସ୍ମୟର ସୀମା ରହିଲା ନାହିଁ ମୋର।ଆର ବର୍ଷ ବାଲି ଯାତ୍ରାରୁ ପଇସା ପକଇବା ପାଇଁ ସୁନ୍ଦର ଘଡି ଦିଟା ତା ପାପା ଆଣି ଦୁହିଁଙ୍କୁ ଦେଇଥିଲେ।ଛୋଟ ସାଇକେଲ୍ଟିଏ ଚଢ଼ିବାକୁ ତାଙ୍କର ଭାରି ଇଚ୍ଛା।ତେଣୁ ତା ପାପା କହିଲେ ନିଅ ଏ ଘଡି ଦିଟା।ସବୁଦିନେ ଟଙ୍କାଏ କରି ପକାଇବ।ଏ ଯେଉଁ ଦିନ ପୁରି ଯିବ ୟାକୁ ଭାଙ୍ଗି ଆଉ କିଛି ଟଙ୍କା ଦେଇ ସାଇକେଲ୍ ଟିଏ ନେଇ ଆସିବା।ଭାଇ ଭଉଣୀ ଦିହେଁ ଚଳାଇବ।ସାଙ୍ଗ ହୋଇ ସ୍କୁଲ ଯିବ।
ବଢ଼ିଆ ହେବ ପାପା।ପିଲା ଦି ଟା ଖୁବ୍ ଖୁସି ହୋଇ ଯାଇଥିଲେ ପଇସା ପକା ଘଡି ପାଇଁ।ପ୍ରାୟତଃ ଘଡିଟିକୁ ଆଣି କାନ ପାଖେ ରୁଣୁଝୁଣୁ କରି ଖୁସି ହୋଇ ଯାଆନ୍ତି।ଆଖି ନଚେଇ ଅଭି କୁହେ ଦେଖ ସୋନା ଆମ ଘଡିରେ କେତେ ପଇସା ହେଲାଣି।ଆଉ ଅଳ୍ପ ଦିନ ପରେ ଏଇଟି ପୁରୀ ଯିବ।ଆମର ଗୋଟେ ପିକୁଲା ସାଇକେଲ୍ ପରି ଚିକମିକିଆ ସାଇକେଲ୍ ଆସିବ।ଭାରି ମଜା ହେବ।ମୁଁ ତୋତେ ପଛରେ ଓ ଆଗରେ ଆମ ବ୍ୟାଗ୍ ଟାଙ୍ଗି ସ୍କୁଲ ଯିବା।ହଁ ଭାଇ ମଜା ହେବ।ଘରେ ସମସ୍ତଙ୍କୁ ଦେଖେଇ କହୁଥିବେ ଶୁଣ୍ ଆମ ପଇସା ଘଡି ଭିତରେ ଗପ କରୁଛନ୍ତି।ପାଟ କନାରେ ପୋଛିଲା ପରି ରଖିଥିଲେ ଭାଇ ଭଉଣୀ ଦିଇଟା।
ଆଦି,ଜେଜେମା ଓ ଜେଜେବାପା ଅଭିର ଏମିତି କଥା ଶୁଣି କାବା।ପିଲାଟିଏ ହେଲେ ବି କେତେ ଚିନ୍ତା କରୁଛି।
କ ରୋ ନା ଦାନ ପାଣ୍ଠିକୁ ଅଭି ନାଁରୁ ଆସିଥିଲା ଚାରିଶହ ସତୁରୀ ଟଙ୍କା।
ଚକିତ ହେଲେ ଦାନ ପରିମାଣ ହିସାବ କରୁଥିବା ଶୁଭ୍ରାଂଶୁ ସିନ୍ଧିଆ।ଅଭିରାମ ସ୍ୱାଇଁ,ବୟସ ଛଅ ଚାରିଶହ ସତୁରୀ ଟଙ୍କା।