ଚାରି ମିନିଟ
ଚାରି ମିନିଟ
ସମୟ ସକାଳ ସାତଟା ବାଜି ପଚାଶ ମିନିଟ I ଅଧା ନିଦରେ ଉଠି ସବୁ କାମ ସାରି , ଶୀଘ୍ର ଗାଧେଇକି ଆସିଥିଲା ସ୍ମିତା ରୋଷେଇ ଘରକୁ ଶାଶୁଙ୍କ ଡାକରେ I ଶାଶୁ ରବିବାର ଦିନରେ ମଧ୍ୟ ଛଅଟାରେ ଉଠି ଘର କାମ କରିବା ଆରମ୍ଭ କରି ଦିଅନ୍ତି !
"ଠିକ ଚାରି ମିନିଟରେ ଦୁଇଟି ଅଣ୍ଡାରେ ପ୍ରସ୍ତୁତ ହୋଇଥିବା ଦରକାର I ନଚେତ ଶାମୁ ଖାଇବନି I ପିଲାବେଳୁ ଏହି ଅଭ୍ୟାସ ତାହାର I ଏ ଯେଉଁ ବାଲି ଘଡ଼ିଟି ଦେଖୁଛୁ, ଏଇଥିରେ ସମୟ ଦେଖିବୁ I ବାଲି ତଳକୁ ଖସିବାକୁ ଦୁଇ ମିନିଟ ଲାଗେ I ତାୱା ଗରମ ହେଲା ପରେ ତେଲ ଦେଇକି ତୁରନ୍ତ କମ ଫ୍ଲେମରେ ରଖିବୁ ଆଉ ଅଣ୍ଡା ପକେଇବୁ I ଯେମିତି ବାଲି ତଳକୁ ଆସିବ ଓମଲେଟ ଓଲଟେଇ ଘଡ଼ିଟାକୁ ଓଲଟେଇବୁ I ଯେମିତି ଦ୍ଵିତୀୟ ଥର ବାଲି ସବୁ ତଳକୁ ଆସିବ, ଓମଲେଟକୁ ଥାଳିରେ ପକେଇ ଡାଇନିଂ ଟେବୁଲରେ ରଖିବୁ I ତୁ ଯଦି ଠିକ ଆଠଟାରେ ଅଣ୍ଡାଟି ପକେଇବୁ ତାୱାରେ, ଆଠଟା ବାଜି ପାଞ୍ଚ ମିନିଟରେ ଶାମୁକୁ ମିଳିଯିବ I ଶାମୁ ଠିକ ଆଠଟା ପନ୍ଦର ମିନିଟରେ ଡାଇନିଂ ଟେବୁଲରୁ ଉଠିଯିବ I ସିଏ ଠିକ ଦଶ ମିନିଟ ଲାଗି ଜଳଖିଆ କରେ I ଯେଉଁ ଦିନ ଜଳଖିଆ ଗଡ଼ବଡ଼ ହୁଏ, ଶାମୁର ପୁରା ଦିନ ମୁଡ଼ ଖରାପ ରୁହେ I ଜଳଖିଆକୁ ନେଇ ସିଏ ଯଦି ତୋତେ କିଛି କୁହେ, ମୁଁ ତୋର ସପକ୍ଷରେ ବାହାରିବିନି," ମିସେଜ ଦାସ କହିଲେ ସ୍ମିତାକୁ I
ବହୁତ ଅଡୁଆ ଲାଗିଲା ସ୍ମିତାକୁ ! କେମିତି ମଣିଷଟିଏର ହାତ ଧରିଛି ! ଏମିତି ଅନୁଶାସନ ତାହା ଦ୍ଵାରା ହୋଇ ପାରିବନି ! ଏହାର ମାନେ କଣ ତାହାର ପାରିବାରିକ ଜୀବନରେ ସବୁ ବେଳେ କଳହ ଲାଗି ରହିବ? ବାପା କାହଁକି ଏ ବାହାଘର କଲେ, କିଛି ବୁଝି ପାରୁନଥିଲା ସ୍ମିତା I ବରଂ ସିଏ ଅବିବାହିତା ରହି ଯାଇ ଥାଆନ୍ତା I ଜଣେ ଡିଭୋର୍ସି ସହ ବାହାଘର କାହିଁକି କଲେ କେଜାଣି ତାହାର ବାପା I ନିଶ୍ଚୟ ଏହି ସବୁ ଦେଖିକି ଶାମୁର ପ୍ରଥମ ସ୍ତ୍ରୀ ଛାଡି ଚାଲି ଯାଇଥିବ !
ଶାଶୁ ଆଉ ଯାହା ସବୁ କହିଲେ କିଛି ଶୁଭୁ ନଥିଲା ସ୍ମିତାକୁ I ହଜି ସାରିଥିଲା ନିଜର ଅତୀତର ଦୁନିଆଁରେ I ଅଧା ଜଳା ଓମଲେଟକୁ କେମିତି ସମର ବହୁତ ଖୁସିରେ ଖାଇ ଦେଇଥିଲା ଆଉ ପ୍ରଶଂସା କରିଥିଲା I ସମର ଏକ ମାତ୍ର ବୟଫ୍ରେଣ୍ଡ ତାହାର ବିବାହ ପୂର୍ବ ଜୀବନର I ସମସ୍ତେ କହୁଥିଲେ ସମରର ଚରିତ୍ର ଠିକ ନଥିଲା I କିନ୍ତୁ ସ୍ମିତାର ଯୁକ୍ତି ଥିଲା ଅନ୍ୟମାନେ ତାହାର ସମ୍ପର୍କକୁ ଦେଖିକି ଜଳୁଥିଲେ I ସୁଖ ଦୁଃଖ ସବୁ ଥିରେ ଛାଇ ଭଳି ରହୁଥିଲା I ଲେଡ଼ିଜ ହଷ୍ଟେଲ ସାମ୍ନାରେ ଥିବା ପାର୍କର ଗୋଟିଏ କାଠ ବେଞ୍ଚ ଉପରେ ପ୍ରାୟତଃ ସବୁ ଦିନେ ସନ୍ଧ୍ୟାରେ ସେମାନେ ବସି ଅନେକ କିଛି ଆଲୋଚନା କରନ୍ତି I ସେହି କାଠ ବେଞ୍ଚ ଉପରେ ବସି କେତେ କେତେ ସ୍ଵପ୍ନ ଦେଖିଥିଲା ସ୍ମିତା ! କାଠ ବେଞ୍ଚଟା ପ୍ରତିବର୍ଷ ଅଲଗା ଅଲଗା ରଙ୍ଗ ହୋଇଥିଲା ସିଏ ଥିଲା ବେଳେ I ଗ୍ରାଜୁଏସନ ଆଉ ପୋଷ୍ଟ ଗ୍ରାଜୁଏସନକୁ ମିଶେଇ ପାଞ୍ଚ ବର୍ଷରେ ପାଞ୍ଚଟି ରଙ୍ଗ ଦିଅ ଯାଇଥିଲା ସେଥିରେ I ମନେ ପଡିଗଲା ସମର କହିଥିଲା, ସମର କୌଣସି ଜିନିଷରେ ସ୍ଥିରତା ସହି ପାରେ ନାହିଁ, ତେଣୁ ତାକୁ ସେହି ବେଞ୍ଚ ଭଲ ଲାଗିଥିଲା I ସେହି କାଠ ବେଞ୍ଚ ଉପରେ ହିଁ ତ ସିଏ ଶେଷ ଥର ଦେଖା ହୋଇଥିଲା ସମର ସହିତ I
କେତେ ମଧୁର କଥା ସବୁ କହିଥିଲା ସମର I କେତେ ପ୍ରତିଶ୍ରୁତି ଦେଇଥିଲା I ବହୁତ କାନ୍ଦିଥିଲା ସ୍ମିତା ସେଦିନ ଭବିଷ୍ୟତକୁ ନେଇ I ସମର ତାକୁ କୁଲ ଡ୍ରିଙ୍କଟିଏ ଦେଇଥିଲା ଆଉ କହିଥିଲା ଚାରି ମିନିଟରେ ତାହାର ସବୁ ଦୁଃଖ ଦୂର ହୋଇ
ଯିବ ! କିନ୍ତୁ ସେହି ଚାରି ମିନିଟ ତ ସବୁ ସାରି ଦେଇଥିଲା ସ୍ମିତାର ଜୀବନର I ଯେତେବେଳେ ହୋସ ଫେରି ପାଇଲା, ନିଜକୁ ଗୋଟିଏ ହସ୍ପିଟାଲରେ ପାଇଥିଲା ସ୍ମିତା I ସାମ୍ନାରେ ଥିଲା ସମ୍ଭବ ଆଉ କହିଥିଲା ତାକୁ କେମିତି ନାଇଟ ଡିଉଟିରୁ ଫେରିଲା ବେଳେ ରାସ୍ତା କଡରେ ପାଇଥିଲା I ତାକୁ ବେହୋସ ଅବସ୍ଥାରେ ହିଁ ହସ୍ପିଟାଲରେ ଆଣି ଭର୍ତ୍ତି କରିଥିଲା I କୌଣସି ଏକ ଘରୋଇ ସଂସ୍ଥାରେ ଚି଼ଫ ସେକୁରିଟି ଅଫିସର ଅଛି ସମ୍ଭବ I ନିଜର ଅନୁଶାସନ ପାଇଁ ବହୁତ ଜଣାଶୁଣା I ଘରେ ବିଧବା ମାଆ ସହ ରହେ I ବୟସରେ ସ୍ମିତାଠାରୁ ଏଗାର ବର୍ଷ ଅଧିକ I କିନ୍ତୁ ବାହା ହେବାକୁ ରାଜି ହୋଇ ଯାଇଥିଲା ସ୍ମିତାର ବାପଙ୍କର ଅନୁରୋଧରେ I
ଚାରି ମିନିଟ ସମୟ ସତରେ ସମ୍ପୂର୍ଣ୍ଣ ଭାବରେ ବଦଳେଇ ଦେଇଥିଲା ସ୍ମିତାର ଜୀବନକୁ I
"କଣ ଭାବୁଛ?" ସମ୍ଭବର ଡାକ ଶୁଣି ଚମକି ପଡିଲା ସ୍ମିତା I ରୋଷେଇ ଘର ଭିତରକୁ ଚାଲିଆସିଥିଲା ସମ୍ଭବ I
"ତୁମ ଓମଲେଟ ତିଆରି ପ୍ରଣାଳୀ ଶିଖୁଥିଲି ବୋଉଙ୍କ ଠାରୁ," ସ୍ମିତା କହିଲା ," ରବିବାର ଦିନ ବୋଉ ସମୟ ପାଇ ମୋତେ ଧୀରେ ଧୀରେ ସବୁ ଶିଖାଉଛନ୍ତି I ଆଜି ଏହି ବାଲିଘଡ଼ି ସହ ଓମଲେଟ ତିଆରି ଶିଖୁଛି," ସ୍ମିତା ଉତ୍ତର ଦେଲା I
"ତୁମେ ସକାଳେ ଡେରିରେ ଉଠ ମୁଁ ଜାଣେ I ଏତେ ହଇରାଣ ହେବା ଦରକାର ନାହିଁ I ଏବେ ଠାରୁ, ରାତିରେ ଅଣ୍ଡା ଶିଝେଇ ରଖିଦେବ, ମୁଁ ସକାଳେ ଖାଇ ଚାଲି ଯିବି I ମୋର ଠିକ ସମୟରେ ପହଞ୍ଚିବା ଦରକାର ଅଫିସରେ, ନଚେତ କନିଷ୍ଠ ମାନେ ଅନୁଶାସନ ଶିଖିବେ କେମିତି?' ସମ୍ଭବ କହିଲା I
"କିନ୍ତୁ ତୁମର ତ ପୁରୁଣା ଅଭ୍ୟାସ ଓମଲେଟ ଖାଇବା I ମୋର କିଛି ଅସୁବିଧା ହବନି, ମୁଁ ସକାଳେ ଉଠି ତିଆରି କରିଦେବି ଯୋଉ ଦିନ ବୋଉ ପାରିବେନି," ସ୍ମିତା କହିଲା I
"ମୋର ଠିକ ସମୟରେ ଜଳଖିଆ ଦରକାର I ଆଇଟମ, ଟିକେ ଏପଟେ ସେପଟେ ହେଲେ ଚଳିବ " ସମ୍ଭବ କହିଲା I
"କିନ୍ତୁ ମୋ ଲାଗି ଏତେ କଷ୍ଟ କାହିଁକି କରିବ? ମୋର କାମ ତୁମର ସବୁ ଜିନିଷକୁ ଧ୍ୟାନ ଦେବା," ସ୍ମିତା କହିଲା I
"କିଛି ନୂଆ କରିବାକୁ ହେଲେ କିଛି ପୁରୁଣାକୁ ଭୁଲିବାକୁ ହୁଏ I ଅତୀତ ଯେତେ ମନୋରମ ହେଉ କି ଯନ୍ତ୍ରଣା ଦାୟକ ହେଉ, ସ୍ଥିରତାକୁ ପାଇବାକୁ, ଅତୀତର ଅସ୍ଥିର ଜିନିଷକୁ ତ୍ୟାଗ କରିବାକୁ ପଡେ I ମୋର ମୁଖ୍ୟ ଉଦ୍ଦେଶ୍ୟ ଠିକ ସମୟରେ ଜଳଖିଆ I ସେତିକି ହେଇଗଲେ ଯଥେଷ୍ଟ," ସମ୍ଭବ କହିଲା, " ଓମଲେଟ ଓଲଟାଇ ଦିଅ I"
ବାଲିଘଡ଼ିଟିକୁ ଓଲଟାଇ ଦେଇ ସମ୍ଭବ କହିଲା ଆଉ ବାହାରିଗଲା ଡାଇନିଂ ଟେବୁଲ ପାଖକୁ I
ଦେଖୁ ଦେଖୁ ଦୁଇ ମିନିଟ ବିତିଗଲା I
ସ୍ମିତା ଚାହିଁ ଦେଖିଲା ବାଲିଘଡ଼ିଟିର ବାଲି ସବୁ ତଳକୁ ଖସି ସାରିଛି I ଚାରି ମିନିଟରେ ଅନେକ କିଛି ଶିଖି ଯାଇଥିଲା ସ୍ମିତା; ସମ୍ଭବ ଆଉ ତାହାର ମାଆ ଠାରୁ I କିଛି ଭାବି ଦୁଇ ଟୋପା ଲୁହ ଭରିଗଲା ସ୍ମିତାର ଆଖିରେ I
ଗତ କାଲି ଫୋନରେ ସ୍ନିଗ୍ଧା କହୁଥିଲା, ସେହି କାଠ ବେଞ୍ଚ ସ୍ଥାନରେ ଏବେ ସିମେଣ୍ଟ ବେଞ୍ଚଟିଏ ରହିଛି ଦୁର୍ଘଟଣା ପର ଠାରୁ ଆଉ ସି ସି ଟି ଭି ମଧ୍ୟ ପାଖରେ ଲାଗିଛି I ସମରକୁ ଏବେ ମଧ୍ୟ ପୁଲିସ ଖୋଜୁଛି I କିଏ ଜାଣିଥିଲା ସେହି କାଠ ବେଞ୍ଚ ଆଉ ସମର କେବଳ ଅସ୍ଥାୟୀ କାହାଣୀ ତାହାର ଜୀବନର !
ନିଜ କାନିରେ ଲୁହ ପୋଛି ବାକୁ ଲାଗିଲା ସ୍ମିତା ଆଉ ତାହାର ଅତୀତକୁ ମଧ୍ୟ I ଓମଲେଟକୁ ପ୍ଲେଟରେ ଧରି ଚାଲିଗଲା ସମ୍ଭବକୁ ଦେବାକୁ I ଚାରି ମିନିଟ ଲାଗି ଓମଲେଟ ଗରମ ହୋଇସାରିଥିଲା I
I