Nityananda Nandi

Inspirational

3  

Nityananda Nandi

Inspirational

ଚାଲ ଗାଆଁକୁ

ଚାଲ ଗାଆଁକୁ

6 mins
167


 


ମୁଁ କହିଲି, "ଚାଲ ଗାଆଁକୁ ଯିବା" । ଯୁକ୍ତିତର୍କର ଜନ୍ମ ସେଇଠୁ !

ଅତି ସାଧାରଣ ଯୁକ୍ତିତର୍କ ଏତେ ବଡ ଝଗଡାରେ ପରିଣତ ହେବ ବୋଲି, ମୁଁ ଜାଣି ନ ଥିଲି !

ଏଇଟା ଥିଲା ଜୀବନରେ ପ୍ରଥମ ଆଉ ବୋଧହୁଏ ଶେଷ ଝଗଡା, ସୁନିତାଙ୍କ ସହିତ । ନା ସେ କିଛି ଖାଇଲେ, ନା ମୁଁ... । ରାତି ସାରା ଭୋକ ଉପାସରେ ଶୋଇଲୁ ଆମ ଦୁହେଁ । ମୋତେ ବି ନିଦ ହେଉନି । କଡ ଲେଉଟି ପଛକୁ ଅନେଇଲି । ସୁନିତା ବି ଶୋଇ ନାହାଁନ୍ତି । ଉପରକୁ ଅନେଇ କଣ ଭାବୁଥିଲେ କେଜାଣି, ମୁଁ ତାଙ୍କ କାନ ଟାଣିଦେଲି । କିଛି ପ୍ରତିକ୍ରିୟା ନାହିଁ । କେବେ କେବେ କାନ ଟାଣି ଦେଲେ ଆଖି ବନ୍ଦ କରି ମୁରୁକି ମୁରୁକି ହସନ୍ତି ସେ । ତା ପରେ ମୋତେ କୋଳେଇ ନିଅନ୍ତି । ଆଜି କିନ୍ତୁ ଗମ୍ଭୀର ଥିଲେ ସୁନିତା । ଅଳସ ଭାଙ୍ଗୁଥିବା ସୂର୍ଯ୍ୟମୁଖୀ ଫୁଲର ଆକର୍ଷଣ ଆଉ ସୂର୍ଯ୍ୟ ଆଡ଼କୁ ନ ଥାଏ । କ୍ଳାନ୍ତଶ୍ରାନ୍ତ ହୋଇ ନଇଁ ଯାଏ ସେ ପୃଥିବୀ ଆଡ଼କୁ । ସ୍ନେହ, ମମତାର ସ୍ପର୍ଶ ବି ଅକାମି ହୋଇଯାଏ, ସବୁ ଯେମିତି ନିୟନ୍ତ୍ରଣ ବାହାରେ । 

କିଛି କହି ପାରିବି କି ସୁନିତା !

କୁହ

ଦେଖ ସୁନିତା ! ଚାଲ ଗାଆଁକୁ ଫେରିଯିବା । ବାପା ଏକା ରହୁଛନ୍ତି ଗାଆଁରେ , ତାଙ୍କୁ ଏଇ ବୟସରେ ଗାଆଁରେ ଛାଡି ଆମେ ସହରରେ ରହିବା କଣ ଯୁକ୍ତିଯୁକ୍ତ !!! ଭାବି ଦେଖିଲ । ଅବସର ପରେ ସମସ୍ତେ ଗାଆଁକୁ ଫେରନ୍ତି ନା... । ଆମେ କାହିଁକି ଫେରିବାନି ??? 

କିଛି କହୁନ ଯେ..

ଶୁଣୁଛି କୁହ । 

ସୁନିତାଙ୍କ ମନ ଭିତରେ ଅଚାନକ ପରିବର୍ତ୍ତନ ଆସିଛି ବୋଧହୁଏ । କଥାଟି କାହିଁକି କେଜାଣି, ଯୁକ୍ତିତର୍କ ଆଡ଼କୁ ମୁହାଁଉ ନଥିଲା !! 

ଘଡଘଡି ମାରି ବରଷୁଥିବା ଆକାଶ ବି ତୁନି ପଡ଼ିଯାଏ କିଛି ମୁହୂର୍ତ୍ତ ପରେ । ଜହ୍ନ, ତାରା ଘୁରି ବୁଲନ୍ତି ନିର୍ଭୟରେ । ଜ୍ୟୋତ୍ସ୍ନାମୟ ହୋଇଉଠେ ଆକାଶଟା... ମୁଁ ଆଶାବାଦୀ ହୋଇ ଉଠିଲି । 

ଲାଗିଲା ଯେମିତି ସୁନିତା ମୋର ସବୁକଥା ଶୁଣିବେ । 

ତମେ ପ୍ରାୟ ସବୁଦିନ ତମ ବାପାଙ୍କ କଥା କୁହନା .. ମୁଁ ଶୁଣେ । ବାପାଙ୍କ କଥା ଶୁଣିବାକୁ କାହାକୁ ଭଲ ଲାଗେନି କହିଲ । 

ତମେ କହୁଥିଲ ନା ପ୍ରତିଦିନ ରାତିରେ ତମ ବାପା ଗରମ କ୍ଷୀର ପିଆନ୍ତି ତୁମକୁ । ନାଚି କୁଦି କେତେ ରଙ୍ଗ ଦେଖାଉଥିଲ ତାଙ୍କ ଆଗରେ । ଗିଲାସେ କ୍ଷୀର ପାଇଁ ଆକାଶରେ ଲକ୍ଷେ ତାରା ଦେଖେଇବାକୁ ପଡୁଥିଲା ତମ ବାପାଙ୍କୁ.... 

ସୁନିତା ! ମୋ ବାପା ବି ଠିକ ସେମିତି । ମୁଁ କେବେ ଗପିନି ମୋ ବାପାଙ୍କ କଥା ତମ ଆଗରେ । ତମେ ଏତେ ଖୁସି ହୋଇ ଯାଅ ଯେ କେବେ ବି ଭାବେନି ତମ ବାପାଙ୍କ ପ୍ରାଧାନ୍ୟ କମିଯାଉ । 

କାର୍ଯ୍ୟ ବ୍ୟସ୍ତତା ଭିତରେ ବୋଉ ମୋ କଥା ଏତେ ବୁଝୁନଥିଲା । ପିଲାବେଳେ ଖାଇବାଟା ସବୁଠାରୁ କଷ୍ଟକର ଥିଲା ମୋ ପାଇଁ, ଠିକ୍ ତୁମ ପରି । ଖାଇବା କଥା ଶୁଣିଲେ ମୋର ସବୁ ଅଭିନୟ ଆରମ୍ଭ ହୁଏ । କେତେବେଳେ ଖଟ ତଳେ ତ କେତେବେଳେ ଓଳି ପଛରେ । ଲୁଚି ଲୁଚି ପଛରୁ ଆସି କାଖେଇ ନିଅନ୍ତି ମୋ ବାପା । ଗୋଲ ମୋଟୁଲ ଥିଲି । ପ୍ରଥମ ଶ୍ରେଣୀରେ ପଢ଼ୁଥିଲି ସେତେବେଳେ । ଓଜନ ପ୍ରାୟ କୋଡ଼ିଏରୁ କମ ହେବନି । ଦିନ ଆକାଶରେ ବି ଜହ୍ନ ଖୋଜି ଖୋଜି ଦେଖାନ୍ତି ସେ ମୋତେ ପ୍ଲେଟ ଖାଲି ହେବା ପର୍ଯ୍ୟନ୍ତ । 


ଆଜି ସେ ଆଲ୍ଜେମିର ରୋଗରେ ଆକ୍ରାନ୍ତ । ହାତ ଥରୁଛି । ନିଜେ ଗୁଣ୍ଡା ଉଠେଇ ଖାଇ ପାରନ୍ତି ନାହିଁ । ପିଲାବେଳେ ଯେଉଁ ବାପା ଆମକୁ ଖୁଏଇ ଦେଉଥିଲେ ଆମେ କଣ ତାଙ୍କୁ ଖୁଏଇ ପାରିବୁ ନାହିଁ ତାଙ୍କ ବାର୍ଦ୍ଧକ୍ୟରେ । ଧାଈ କିନ୍ତୁ ଭାତ ଚକଟି ଖୋଇ ଦେଉଛି ମୋ ବାପାଙ୍କୁ । ଧାଈଟିଏ ନିଯୁକ୍ତି କରିଦେଲେ କଣ ଆମେ କାର୍ଯ୍ୟମୁକ୍ତ ??? ଆମର କଣ କିଛି ଦାୟିତ୍ଵ ନାହିଁ ! ନିଜର କେହିଜଣେ ପାଖରେ ଥିଲେ କଥା ଅଲଗା ନା.. ସୁନିତା । ସ୍ନେହ ବୋଳା ସ୍ପର୍ଶରେ ରୁଗ୍ଣ ଦେହରେ ବଞ୍ଚିବାର ଆଶା ଭରପୁର ହୋଇ ଉଠେ । ତରକାରୀ କଣ ଦରକାର !!! ଖାଲି ଭାତଗୁଣ୍ଡା ବି ମିଠା ଲାଗେ । ଧାଈ କିନ୍ତୁ ଯେତେ ହର୍ଲିକ୍ସ୍, ବନଭିଟା ପିଆଇଲେ ବି ଲାଗୁଥିବ ଯେମିତି ସେଥିରେ ଜୀବନ ନାହିଁ । ମୋ ବାପାଙ୍କ ଡାଲିମଖା ଭାତ ଗୁଣ୍ଡା କେତେ ମିଠା ଲାଗୁଥିଲା ଛୁଆ ବେଳେ । ଶେଷ ଗୁଣ୍ଡାରେ ତାଙ୍କ ହାତ ମୁଁ ଚାଟିଯାଏ । ଏଇଟା କଣ ତାଙ୍କର ପ୍ରାପ୍ୟ ଏଇ ପରିଣତ ବୟସରେ...ଆମ ହାତ ଚାଟି ଖାଇବାର ଅଧିକାର କଣ ତାଙ୍କର ନାହିଁ । 


ଭାବପ୍ରବଣ ହୋଇ ଅନେଇଲି ସୁନିତାଙ୍କୁ, ଶୋଇ ଯାଇଛନ୍ତି । 

ମୁଁ ଆଉ ଚାହୁଁନଥିଲି ଯେ ତାଙ୍କ ନିଦରେ ବ୍ୟାଘାତ ଆସୁ ବୋଲି ! ବାପାଙ୍କ କଥା କାହିଁକି କେଜାଣି ବହୁତ ମନେ ପଡ଼ିଲା । ପଞ୍ଚାଅଶି ବର୍ଷ ବୟସ । ଖାଲି ଠିଆ ହୋଇ ପାରନ୍ତି । ଅତି ବେଶୀରେ ଗେଟ ପର୍ଯ୍ୟନ୍ତ ଚାଲି ଚାଲି ଆସି ଗ୍ରିଲକୁ ଧରି ଛିଡାହୋଇ ତାଙ୍କ ଚଲା ରାସ୍ତାକୁ ଅନେଇ ରହନ୍ତି, ଯୋଉ ରାସ୍ତାରେ ସେ ତାଙ୍କ ଜେଜେଙ୍କ ହାତ ଧରି ଚଲା ଶିଖିଥିଲେ । ପାଞ୍ଚ ମିନିଟ୍ ପରେ ପୁଣି ଥରେ ବାରଣ୍ଡା ବେଞ୍ଚ ଉପରେ ବସି ଥକ୍କା ମାରନ୍ତି । ଅନେକ ଜମିବାଡ଼ି ତାଙ୍କର, ଛୋଟକାଟିଆ ଜମିଦାରୀ କହିଲେ ଅତ୍ୟୁକ୍ତି ହେବନି । ବହୁତ ଖାତିର ଥିଲା ଆଖ ପାଖ ମୌଜାରେ । ବିଚାରପତି ଥିଲେ ମୋ ବାପା । ଦୁଇ ଶୋଷ ହୁକା ଟଣା ଭିତରେ କେତେ ଜମି ବାଡ଼ି ଝଗଡାର ଯେ ସମାଧାନ ହୋଇଯାଏ ତାର ହିସାବ କେହି ରଖିନି । 

ଆଜି କାଲି ସବୁ କଥା ସେ ଭୁଲି ଗଲେଣି । ଫର୍ଦ୍ଦ ଫର୍ଦ୍ଦ କାଗଜ ସବୁ ପଛକୁ ଓଲଟାଇ ଉପନ୍ୟାସର ଶେଷ ଦୃଶ୍ୟରେ ପହଞ୍ଚି ହୁଏ । ଜୀବନଟା ଆଉ କଣ କି ??? ପ୍ରତିଦିନ ଗୋଟେ ପୃଷ୍ଠା ପରି । ଶେଷ ପୃଷ୍ଠାରେ ଉପନୀତ ହୋଇ ପଛ କଥା ମନେ ପକେଇବା ଏତେ ସହଜ ନୁହେଁ । ଉପନ୍ୟାସର ଚରିତ୍ର ସବୁ ରୁଗ୍ଣ ହୋଇ ଯାଇ ଥାଆନ୍ତି ଶେଷ ଆଡ଼କୁ, ଠିକ୍ ମୋ ବାପାଙ୍କ ପରି.... 

ଗାଆଁରେ ସମସ୍ତେ ତାଙ୍କୁ ଭଲ ପାଆନ୍ତି । ରାସ୍ତାରେ ଯାଉ ଯାଉ କିଏ କହେ ବଡ ଭାଇ ଭଲ ଅଛ ତ ! କିଏ କହେ କାକା ଭଲରେ ଅଛ ତ । କାହାକୁ ଚିହ୍ନି ପାରନ୍ତି ନାହିଁ ମୋ ବାପା । ଖାଲି ହସି ଦିଅନ୍ତି !! ଏମିତି ସ୍ନେହ ଭରା ଡାକବାକ କଣ ଏଇ ସହରରେ ଥାଏ । ମୃତ୍ୟୁ ପର୍ଯ୍ୟନ୍ତ ବି ପଡୋଶୀଙ୍କୁ ଠିକ୍ ଭାବେ ଚିହ୍ନି ହୁଏନି ଏଇଠି । ଗାଆଁର ନିର୍ଦ୍ଦିଷ୍ଟ ସଂଜ୍ଞା ଥାଏ, ସହରର ସଂଜ୍ଞା କିନ୍ତୁ ଆବିଷ୍କାର ହୋଇନି ଆଜି ପର୍ଯ୍ୟନ୍ତ....

କେତେବେଳେ ନିଦ ଲାଗି ଯାଇଛି ମୁଁ ଜାଣେନି । 

ସୁନିତା ଆସି କହିଲେ ଉଠ ! ଯିବା ପରା..

ଆଖି ଖୋଲି ଦେଖିଲି ସୁନିତା ଶାଢ଼ୀ ପିନ୍ଧି ମୋ ଆଗରେ ଛିଡା ହୋଇଛନ୍ତି । ବଡ ଆଟାଚି ଓ ଏଆର୍ ବେଗ ସାଥିରେ । ଗାଆଁକୁ ଗଲେ ସାଧାରଣତ ସେ ଶାଢ଼ୀ ପିନ୍ଧନ୍ତି । ଏତେ ବଡ ଆଟାଚି ଦେଖି ମନେ ହେଲା ସୁନିତା ବୋଧହୁଏ ମନେ ମନେ ନିଷ୍ପତ୍ତି ନେଇଛନ୍ତି ଗାଆଁରେ ରହିଯିବେ । ଖୁସିର ସୀମା ନ ଥିଲା ମୋ ମନ ଭିତରେ । ଦୁଇ ମିନିଟ ଭିତରେ ମୁଁ ପ୍ରସ୍ତୁତ ହେଇଗଲି । 

ଆସିଲା ବେଳେ ପୁଅ ବୋହୂଙ୍କୁ ସୁନିତା କହିଲେ, ଏ ଘର ତମ ଦୁହିଁକୁ ଲାଗିଲା । 

ମୁଁ ସୁନିତା ମୁହଁରୁ କଥା ଛଡେଇ ନେଇ କହିଲି ନା ନା ସେମିତି କିଛି ନୁହେଁ, ମଝିରେ ମଝିରେ ଆମେ ଆସିବା । ଜେଜ, ଗାଆଁରେ କେତେ କଷ୍ଟରେ ଅଛନ୍ତି କହିଲ !!!

ମଜାରେ ମଜାରେ କହିଲି ଆମେ ବୁଢ଼ା ହେଲେ ଆମ କଥା ବୁଝିବା ପାଇଁ ତମେ ଦୁହେଁ ଗାଆଁକୁ ଆସିବ ତ !..ବୋହୂ ହସିଲା ଆମ କଥା ଶୁଣି କି....

ନିଦ ଭାଙ୍ଗି ଯିବ ଭାବି ଆମେ ବାୟ କହି ଘରୁ ବାହାରି ଆସିଲୁ । 

ଗାଆଁ ବସ ଧରି ତିନି ଘଣ୍ଟାରେ ଓଲ୍ହେଇଲୁ ଘର ଆଗ ବସ୍ ଷ୍ଟପରେ । ହୁଇଲ ଲଗା ଏଟାଚିକୁ ମୁଁ ଟାଣି ଟାଣି ନେଲି । ଭାରି ଏଆର ବେଗ ଗୋଟାଏ ପାଖ ମୁଁ ଧରିଲି ଡାହାଣ ହାତରେ, ଗୋଟାଏ ପାଖ ସୁନିତା ଧରିଲେ । 

ବାପା ଗ୍ରିଲ୍ ପାଖରେ ଛିଡା ହୋଇ ଚାଉଳ, ଖଇ ଓ ବିସ୍କୁଟ ଫିଙ୍ଗୁ ଥାଆନ୍ତି ରାସ୍ତା ଉପରକୁ । ପାଖ ପୋଖରୀରୁ ଦୁଇଟି ବତକ ଉଠି ଆସିଛନ୍ତି । କାଉ, କୁକୁର, ଗୁଣ୍ଡୁଚି ମୂଷା ସମସ୍ତେ ଖୁସି ହୋଇ ଖାଉଛନ୍ତି ଖୁଣ୍ଟେଇ ଖୁଣ୍ଟେଇ । ଓଃ, ମୋ ବାପାଙ୍କର ଏତେ ବଡ ପରିବାର । ସେଇଥିପାଇଁ ବୋଧହୁଏ ସେ ଆମକୁ ଖୋଜନ୍ତିନି । 

ବାପାଙ୍କୁ କୋଳେଇ ନେଲି, ସୁନିତା ବାପାଙ୍କ ଚରଣ ସ୍ପର୍ଶ କରି କହିଲେ ବାପା ! ତମେ ଭଲରେ ଅଛ ତ !

ଶରତ ଋତୁର ମେଘଶୂନ୍ୟ ଛନ ଛନିଆ ଆକାଶ ପରି ବାପାଙ୍କ ମୁହଁ ଉପରେ ଚେନାଏ ହସ ଉଦ୍ଭାସିତ ହେଲା । 

ବାପା ଖନେଇ ଖନେଇ କହିଲେ ଯାଅ ଭିତରକୁ, ମୁଁ ସାରିକି ଆସୁଛି, ଅଧା ଖାଇଛନ୍ତି ସେମାନେ, ଏମିତି କଣ ଛାଡି କି ଯାଇ ହେବ !! ଆମେ ଦୁହେଁ ଭିତରକୁ ପଶିଗଲୁ । ଅମ୍ଳଜାନ ଭରିଗଲା ଆମ ନିଃଶ୍ୱାସରେ । ମିଥ୍ୟା, ପ୍ରବଞ୍ଚନାର ସହର । ଅଣନିଃଶ୍ୱାସୀ ହୋଇ ଯାଉ ଆମେ ସେଇଠି । ଘରକୁ ଲାଗି ଆମ ଗାଁ ମନ୍ଦିର । ଚନ୍ଦନର ମହ ମହ ବାସ୍ନା ଆମ ଘରେ, ପୁଣି ବାପାଙ୍କ ସ୍ନେହଭାଟିର ସ୍ୱର୍ଗୀୟ ମହକ ସାଥିରେ ଡାଇବେଟିସ, ଗାଷ୍ଟ୍ରିକ, ଆଣ୍ଟାସିଡ ଓ ପ୍ରେସର ଔଷଧର ବାସ୍ନା ଫେଣ୍ଟି ହୋଇ ଏକ ଅଦ୍ଭୁତ ଅନୁଭବ, ଏକ ନିଆରା ସ୍ପର୍ଶ ଆମ ଭିତରେ ଜୀବନଟିଏ ଭରିଦେଲା । କି ଆତ୍ମତୃପ୍ତି, ସହରକୁ ଫେରିବା ଆଉ ପ୍ରଶ୍ନ ଉଠୁନି । 

********

ବାପା ଆଉ ନାହାନ୍ତି, ପ୍ରାୟ କୋଡିଏ ବର୍ଷ ହେଲାଣି ସେ ଗଲେଣି ସ୍ୱର୍ଗକୁ । ଠିକ୍ ପରେ ପରେ ସୁନିତା ବି । 

ବସନ୍ତ ସକାଳ, ସୁଲୁସୁଲୁଆ ପବନ ବହୁଛି ଗାଆଁ ଆଡୁ । 

ଗ୍ରିଲ ପାଖରେ ଛିଡ଼ା ହୋଇ ବାପାଙ୍କର ସେଇ ଛୋଟ ପରିବାର କୁକୁର, ବତକ, କାଉମାନଙ୍କୁ ଖଇ, ବିସ୍କୁଟ ଫିଙ୍ଗୁଥିଲି । ମୁଁ ଦୁର୍ବଳ ହେଲିଣି, ହାତ ଥରୁଛି । ସକାଳୁ ଉଠି କାଉ, ବତକଙ୍କ ସହିତ କିଛି ସମୟ ବିତେଇବା ଅଭ୍ୟାସରେ ପରିଣତ ହୋଇ ଯାଇଛି..ବାପା ଶେଷ ନିଃଶ୍ୱାସ ପୂର୍ବରୁ କହିଥିଲେ, ପୁଅ ଦେଖ୍ ! ଠିକ୍ ସକାଳ ହେଲେ ଚଢ଼େଇ, କୁକୁର ଘର ଆଗରେ ଠିଆ ହୁଅନ୍ତି, ନିହାତି ଅସହାୟ ହୋଇ । ତାଙ୍କୁ କିଛି ଖାଇବାକୁ ଦେବୁ ସବୁଦିନ...ଭାରି ସ୍ନେହ ପିପାସୁ ସେମାନେ...

ପୁଅଠୁ ଫୋନ ଆସିଲା ବାପା ! ସହରକୁ କେବେ ଆସିବ ???

କହିଲି ପୁଅ ! ଗାଆଁରେ ଯାହା ଅଛି ସହରରେ କିନ୍ତୁ ନାହିଁ । ବତକ, କାଉ, କୁକୁର ଅନେକ କିଛି । ଏକ ନିଆରା ସମ୍ପର୍କ ଏମାନଙ୍କ ସହିତ । ଜୀବନଟା ସତରେ କେତେ ବିଚିତ୍ର କହିଲୁ ! ଗୋଟାଏ ଧାରାରେ ବହୁଛି ଜଳଚକ୍ର ପରି । ମୁଁ ବି ଅକର୍ମଣ୍ୟ ହେଲିଣି ଧୀରେ ଧୀରେ, ଧାଈ ଅଛି । ସେମିତି କିଛି ଅସୁବିଧା ନାହିଁ । ପାରିବୁ ତ, ତୁ ଗାଆଁକୁ ଆ । ସେ ଘର କଥା ତୋ ପୁଅ ବୁଝିବ ।  

ଫୋନ ରଖୁଛି କହି କାଉ, ବତକ ଗହଣରେ ମୁଁ ମୋ ବାପାଙ୍କୁ ଖୋଜୁଥିଲି, ଅନୁଭବ କରୁଥିଲି ମୋ ବାପା ମୋ ପାଖରେ ଛିଡା ହୋଇ ଖୁଦ ଦାନା ଫିଙ୍ଗୁଛନ୍ତି ନିରୀହ ଚଢ଼େଇମାନଙ୍କୁ !!!!



Rate this content
Log in

Similar oriya story from Inspirational