STORYMIRROR

Koushik Lenka

Classics Others

3  

Koushik Lenka

Classics Others

ଚାହୁଁ ଚାହୁଁ ବିତିଗଲା ଏଗାର ଦିନ

ଚାହୁଁ ଚାହୁଁ ବିତିଗଲା ଏଗାର ଦିନ

6 mins
234

ଜେଜେବାପା ଚାଲିଗଲେ

ଆବିର୍ଭାବ :- ୦୯.୦୫.୧୯୪୭

ତିରୋଧାନ :- ୦୨.୧୧.୨୦୨୦


     ଚାଲିଗଲେ! ଏତକ ଶୁଣିବା ପୂର୍ବରୁ ସେ ଚାଲୁଥିଲେ, ଯଦି ଚାଲୁଥିଲେ କେମିତି ଚାଲୁଥିଲେ, କେତେବାଟ ଚାଲୁଥିଲେ, କାହିଁକି ଚାଲୁଥିଲେ, ଶେଷରେ #ବାଟ ସରିଗଲା, ନା ସେ ଚାଲି ଚାଲି ବାଟ ସାରିଦେଲେ। ସେ ଯାହା ବି ହ‌ଉ ଜେଜେବାପା ଚାଲିଗଲେ........!


        ଜେଜେବାପା ତମର ମନେ ଥିବ ଆମ ଘର ଆଗରେ ଗୋଟେ ବେଶି ବଡ଼ ନୁହେଁ କି ସାନ ନୁହେଁ ଗୋଟେ ଟଗର ଗଛ ଥିଲା, ଆଉ ତା'କୁ ଲାଗି ତୁଳସୀ ଚ‌ଉରା ଆଜି ବି ଅଛି, ମୋ ହେତୁ ପାଇଲା ଦିନୁ ମୁଁ ତମକୁ ଏଇ ଦୁଇଟା ଜାଗା ରେ ବେଶି ଦେଖିଛି। ଧିରେଧିରେ କିଏ ମୋତେ କହି ଦ‌ଉ ବା ଆଉ କାହା ର ଡାକିବା ଦେଖି ହ‌ଉ କି "ହୁଏବୋଧେ ଆଉ ବୋଧହୁଏ" ଭିତରେ ଥିବା ଅଳ୍ପ ବ୍ୟବଧାନ ଭିତରେ ଯ‌ଉ ମଣିଷ ଟା ପାଇଁ ମୁଁ ଆଜି ତା' ଅନୁପସ୍ଥିତିରେ ମନେ ପକ‌ଉଛି ସିଏ ମୋ ଜେଜେବାପା ...... "କାହ୍ନୁ ଚରଣ ଲେଙ୍କା"....

ମୋର ଆଜି ବି ମନେ ଅଛି


ପ୍ରଶ୍ନ:- "ତୁ କାହା ଘର ଛୁଆ କିରେ?, ତୋ ବାପା ନାଁ କ'ଣ?"


ଉତ୍ତର:- "ମୁଁ କାହ୍ନୁ_ଲେଙ୍କା ନାତି" ...


     ବାସ୍ ଏତିକିରେ ସେ ପ୍ରଶ୍ନକର୍ତ୍ତା ର ସବୁ ବ୍ୟକ୍ତ ଅବ୍ୟକ୍ତ ଭାବନା ହଜିଯାଏ ଆଉ ସେ ମୋତେ ପଚାରିବା କୁ କିଛି ସାହସ କରେନା ...........


      ଜେଜେବାପା, କ'ଣ କହିବି ଆଉ ସବୁ ତ ଜାଣିଛ, ଆଉ ମୁଁ ବି ଜାଣିଛି ଏସବୁ ଦେଖୁଛ....

  ନୂଆ ନୂଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ନାମ ଲେଖା ଯାଇଥାଏ। ସେଇ ଘର ଛାଡ଼ି ଧୂଳିଖେଳ ବୟସ ରେ ଅଝଟ ଟା ଟିକିଏ ଅଧିକ ଥାଏ। ଆଉ, ମୋର ବି ଥିଲା। ହେଲେ ଯିବାକୁ ତ ପଡ଼ିବ। ମୁଁ ଜାଣିଛି ଜେଜେବାପା ସକାଳୁ ଚା' ଆଉ ମୁଢ଼ି ମୁଠେ ଖାଇଥିବା ମଣିଷ ଟା ଯେମିତି ସବୁ ଲାଳସା କୁ କବର ଦେଇ ଦେଇ ଥାଏ ମୋ ଆସିବା ବାଟ ଯାଏଁ। ଫୁଙ୍ଗୁଳା ଦେହ, ଲମ୍ବା ଧୂତି.....ପିନ୍ଧି Ratikanta Biswal (କୁନିଛୁଆ ଭାଇ) ର ଦୋକାନ ପିଣ୍ଡା ଉପରେ ହ‌ଉ ନହେଲେ ଅତା ଗଛ ପାଖର ପୋଲ ଉପରେ ତମେ ସେମିତି ଅନେଇ ଥାଅ ମୋ ଆସିବା ବାଟକୁ। ଆଉ ଆସିଲା ପରେ ମୋତେ କେବେ ମୁଣ୍ଡ ରେ ବସେଇଛ ତ ଆଉ କେବେ କାଖ ରେ କାଖେଇଛ...... ଧିରେଧିରେ ବୟସ ବଦଳିଲା ସେତକ ସମୟ ର କେଉଁ ଗୋଟେ ଅନ୍ଧାରୁଆ କୋଣ ରେ ସେ ସ୍ମୃତି ହଜିଗଲା।।


          ତମେ ସେଇ ଜେଜେବାପା ଯାହା ପାଖରେ ଦବା ପାଇଁ କେବେ କୁଣ୍ଠା ନଥିଲା, ଅନେକ ଥର ମୋ ଛାତି ସାର୍ଟ ପକେଟ ର ସାଇଜ ଠାରୁ ତମ ହାତ ର ସାଇଜ ଅଧିକ ଥିଲେ ହେଁ ତମେ ତା' ଭିତରେ କ'ଣ ଦି' ଟା ପୁରେଇ ଦିଅ ଆଉ କୁହ "ଭୋକ ଲାଗିବ! ନହେଲେ ରଖି ଥା' ଖର୍ଚ୍ଚ କରିବୁ" ହଜାରେ ଆକଟ ପରେ ବି ତମେ ଏମିତି ଦ‌ଉଥିଲ, ମୁଁ ଏମିତି ନ‌ଉଥିଲି।। ବାଲିଓରା ସ୍କୁଲ ଆଗର ତାଙ୍କ ବାର୍ଷିକ ଉତ୍ସବ ବେଳେ "ଗୁପଚୁପ" ତମ ଭାଷା ରେ "ପୁଚୁକା" ଖିଆ। ଆଜି ବି ମନେ ପଡ଼େ କେବଳ ଆଉ କେବଳ ତମକୁ ମନେ ପକେଇ ବା ପାଇଁ।


         ଅଶାନ୍ତି କ‌ଉଠି ନାହିଁ, ସବୁ ଘରେ ଅଛି ସବୁବେଳେ ସବୁ ସମୟରେ ଅଛି। ଯିଏ ତା' ସହ ଯୁଝି ଗଲା ସିଏ ଆଗେଇ ଗଲା। ସମସ୍ତ ଙ୍କ ପାଖେ ଉଦାହରଣ ଅଛି। ମୁଁ ଆଉ ମାଡ଼ ଯେମିତି ବେଶ୍ ପରିପୂରକ। ଯେମିତି ବେଳାଭୂମି ଥିବ ପାଦଚିହ୍ନ ଥିବ, ଜହ୍ନ ଥିବ ମାନେ କଳଙ୍କ ଥିବ , ରାତି ଥିବ ମାନେ ସ୍ୱପ୍ନ ଥିବ ଠିକ୍ ସେମିତି ମୁଁ ମାଡ଼ ଖାଇବି ମାନେ ତମେ ଥିବ ଆଉ ନଥିଲେ ବି ଆସି ତା' କାରଣ ଖୋଜିବ। ତମେ ସେଇ ନା ମୁଁ ଦାଣ୍ଡପାରି ରେ ଆଣ୍ଠେଇ ଥିଲା ବେଳେ ମା' (ଜେଜେମା) କୁ ଗାଳିଦେଇ ସେମିତି ଶୋଇଯାଅ। ତମେ କ'ଣ ଭାବୁଛ ଭୁଲି ଯାଇଛି। ମନେ ତା'କୁ ପକାଯାଏ ଯିଏ ଦୂରେଇ ଯିବାର ଭୟ ଥାଏ ହେଲେ ତମେ ଅଛ ମୁଁ ଜାଣିଛି। ପାରିବାରିକ ସମସ୍ୟା ହେତୁ ଆମେ ଯେବେ ଘରେ ଛାଡ଼ି ବାହାରେ ରହିଲୁ ତମେ ନିଜେ ମୋତେ ଖାଲି ଟିକେ ଦେଖା କରିବା ଲାଗି ସାଇକେଲ ଚଲେଇ ଯାଇଥିଲ ନା ଆଉ ମୋତେ ବହଲେଇ ନେଇ ଆସିଥିଲ। ହେଲେ ମୁଁ ଅଝଟ ହେବା ରୁ ରଖି ପାରିଲନି ପାଖରେ ଜାଣିଛି ମନରେ କଷ୍ଟ ହେଇଥିଲା ଆଉ ମୁଁ ବି ଦେଇଛି। ତା'ପରେ ଠିକଣା ପାଇବା ପରେ ତମେ ଅନେକ ଥର ଅନେକ ଜଣଙ୍କ ସହ ଯାଇଛ ଦେଖା କରିଛ ଲୁହ ବି ଗଡ଼େଇଛ ଫେରି ଯିବାକୁ କହିଛ.......... ହଁ ସମୟ ସୁଅରେ ସବୁ ଭାସିଗଲା ଭଳି ହେଇଗଲା, ନାଟ୍ୟ ରୂପାନ୍ତର ନହେଲେ ନାଟକ କୁଆଡ଼େ ଭଲ ଜମେନି ତ ସେଇ କଥା...............


             ଗୋଟେ କାରଖାନା ଅନେକ ଶ୍ରମିକ। ହେଲେ ସମସ୍ତେ ପଦବୀ ଖୋଜିଲେ ତମେ ବି ଦେଲ ଆଉ ନିଜ ପଦବୀ...... ଛାଡ଼ ତମେ ଭଲ ଭାବେ ଜାଣିଛ ମୁଁ କ'ଣ କହୁଛି। ଜଣେ ଦକ୍ଷିଣ କୁ ଜଣେ ଉତ୍ତର କୁ ଆଉ ଜଣେ ପୂର୍ବ କୁ......ଆଉ ପଶ୍ଚିମ ରେ ତୁମେ ଗୋଟେ_ସୂର୍ଯ୍ୟ_ର_ମୃତ୍ୟୁ ଭଳି ଅସ୍ତ ହେଇଗଲ ହେଲେ ଅନ୍ଧାର ମାଡ଼ି ବସିନି କାହିଁକି ର ଉତ୍ତର ମୋ ପାଖେ ବି ନାହିଁ, କି ଖୋଜିବାକୁ ବି ଚାହୁଁନି।

ସବୁକଥା ତ ମନରେ ପଡ଼ୁନି ହଁ ମନେ ପଡ଼ିଲା ଶେଷଥର ତମ କୋଳରେ ବସିଥିଲି ; କେବେ କୁହ ତ ଦେଖି , ଈ.ଏସ୍.ଆଇ କାର୍ଡ ବନେଇଲା ବେଳେ ହଁ ମନେ ପଡ଼ିଥିବ, ଜାଣିଛି ପୁରା କଥା ମୁଁ କହୁନି କାରଣ....ସିଏ ଆଉ ଗୋଟେ କାରଣ।।


   ସମୟ ଗଡ଼ିଲା, ତମେ ବି ଗଡ଼ିଲ, ପଡ଼ିଲ , ଝୁଣ୍ଟିଲ, ହେଲେ ଆହାଃ ପଦେ କାହିଁକି ପାଟିରୁ ବାହାରେ ନାହିଁ ମୁଁ ବି ବୁଝି ପାରେନା। ଥରେ ଦୁଇଥର ତମକୁ ସାଇକେଲ ରେ ବସେଇବା ର ସୁଯୋଗ ପାଇଛି ହେଲେ ସବୁଦିନ ସାଇତି ପାରିଲି ନାହିଁ.....।। ରାତି ପାହିଲା, ସକାଳ ହେଲା....ଏ ଗଛ ଛାଡ଼ି ପକ୍ଷୀ ସବୁ ସେ ଗଛ କୁ ଗଲେ ଅଧେ କହିଲେ ଆମେ ସ୍ୱାଧୀନ ନୂଆ ରୂପରେ ବଞ୍ଚିବା, ଆଉ ଏଠି ଏକତା ର ସ୍ୱର ଦରକାର ନାହିଁ କି ଏକତ୍ରିତ ହେଇ ଐକ୍ୟ ତାନ ବାଜିବାର ନାହିଁ। ମୁଁ ଜାଣିଛି ବାରି ପାଖ ପିଣ୍ଡା ପାଖରେ ଚୁଲି ଥାଏ ହେଲେ ଚୁଲି ରୁ ଚୁଲା କୁ ସମସ୍ତ ଙ୍କ ର ଆଶା। ତମେ ଖାଲି ହଁ ଭରିଛ ଆଉ ଯ‌ଉ ହଁ ପଛରେ ଅସରନ୍ତି ଅସୁମାରୀ "ନାଁ" ଲୁଚି ରହିଥିଲା। ହଁ ଏଭଳି ହବା ବି ସ୍ୱାଭାବିକ। ତମ ଯାଗା ରେ ଯିଏ ଥିଲେ ବି ସିଏ ହଡ଼ବଡ଼େଇ ଯାଇଥାଆନ୍ତା। କାହିଁକି ନା ହାତ ତିଆରି କାରଖାନା ଟା ତ ସେ ଲାଗି.......।।


         ଆଛା ଜେଜେବାପା ତମେ ଅନେକ ଯାଗା କୁ ପାଞ୍ଚ ପଚିଶି ରେ ଯାଇଛ। ସମାଧାନ କରିବା ପାଇଁ। ଲୋକେ କହନ୍ତି ନିଷ୍ପତ୍ତି ଆଉ ତମ ଭାଷା ରେ ନିଷ୍ପିତ୍ କରି ଦେଇଛ। ଆଉ ତମ ନିଷ୍ପତ୍ତି ଟା ସମସ୍ତଙ୍କୁ ପସନ୍ଦ ଆସେ। ତମେ ବି ଦେଖିଥିବ ଅନେକ ଜଣ କ୍ଷମା ମାଗିବାର ଆଉ ତମେ ବି କ୍ଷମା ଦେଇଛ.....ହେଲେ..,,

ଭାବୁଛ ନା ଅଧା କଥା କହି କାହିଁକି ରଖିଦେଲି ବୋଲି ବାଧ୍ୟ ହେଲି ଏଇଠି ଥାଉ; କାନ୍ଥ ବାଡ଼ ର ବି କାନ ଅଛି । ଆମ "ଜେଜେ~ନାତି" ଭିତରର କଥା ଥାଉ ଆମ ଭିତରେ।।


                ଖଡ଼ାମରା ସଂକ୍ରାନ୍ତି ରେ ତମ "ହରିବ‌ଅଅଅଅଅଅଅଅଅଅଅଅଅଅଅଅଅଅଲ" (ହରିବୋଲ) ଡାକ ଆଉ ଶୁଣିବାକୁ ମିଳିବନି। କି ତମ ଭଳି ଆଉ କେହି ସେମିତି ପକେଇ ପାରିବେନି। ଓଃ ତମେ ମୋର ଟୁକା ଜେଜେବାପା। ତମେ ଯେତେବେଳେ ଗୁଠଣା ର ଧଳା ଧୂତି କୁ ଗୋଲାପି ନହେଲେ ନୀଳ ସାର୍ଟ ରେ ବାହାରି ଆସ ....... ସ୍ୱତଃ ଅନେକ ଜଣଙ୍କ ପାଟିରୁ ବାହାରି ଆସେ "କାହ୍ନୁ ମାମୁ, କାହ୍ନୁ ପିଷା, କାହ୍ନୁ ଅଜା, କାହ୍ନୁ ବୁଢ଼ା, ଏମିତି କେତେ ନାଁ ରେ ତମକୁ ଡାକି ପଚାରନ୍ତି କୁଆଡ଼େ ଯାଉଛୁ"।

ଆଉ ସେତକ ହବନି ତମେ ଚାଲିଲା ବେଳେ ବାମ ପାଖ ହାତ ରେ ଧୁତି ର ବଳକା ଭାଗ ପକେଇ ଦେଇ ଯେମିତି ଚାଲ ଅନେକ ଥର ଚେଷ୍ଟା କଲିଣି ଆଉ ସେମିତି ପାରୁନି।


                 ଶୁଖିଲା_ଲଙ୍କା ରେ ବି ପାଟି ପୁଡ଼ିବ, କଞ୍ଚା ଲଙ୍କା ରେ ବି ପାଟି ପୁଡ଼ିବ ହେଲେ ପଖାଳ ଭାତରେ କଞ୍ଚା ଲଙ୍କା ର ମଜା ଯେମିତି ଶାଗ ଭଜା ରେ ଶୁଖିଲା ଲଙ୍କା ର ସୁଆଦ ସେମିତି।। ତମେ ସେମିତି ମଣିଷ ଟେ ଜେଜେବାପା।


×××××××××××××××××


         ଅନେକ ଦିନ ପରେ ସେଦିନ ନଭେମ୍ବର ୨ ତାରିଖ। ମୁଁ କମ୍ପ୍ୟୁଟର କ୍ଲାସ୍ ଯାଇଥାଏ। ଫେରିଲା ବାଟରେ Rajesh Lenka (ଜୁନେଦ, ମୋ ଭାଇ) କହିଲା ତୁ ଆମିଷ ଖାଇବୁ ନା କାର୍ତ୍ତିକ ମାସ। ମୁଁ କହିଲି ହଁ ମୋର ସେମିତି କିଛି ନାହିଁ। ତା'ପରେ ସିଏ ଗୋଟେ ଫାଷ୍ଟଫୁଡ଼ ଦୋକାନ ରେ ଗାଡ଼ି ରଖିଲା। ସେତେବେଳକୁ ସମୟ ପାଖାପାଖି ୮ ଟା ବାଜିବାକୁ ଯାଉଥାଏ। ଏମିତି ରେ ମୁଁ ୬.୩୦ ରୁ ଆସିଲିଣି। ଡେରି ହେଲେ ଘରେ ଗାଳି କରିବେ। ମୁଁ ସେ ଲାଗି ଘରକୁ ଫୋନ୍ ଟାଏ କଲି ଜଣେଇ ଦେବା ଲାଗି।

:- ହାଲୋ ବୋଉ

:- ତୁ, ଛୁଆ ଶୀଘ୍ର ପଳିଆ; ଜେଜେବାପା ଦେହ ଭାରି ଖରାପ

:- ହଁ ଯାଉଛି


ବାସ୍ ଏତିକି ପରେ ଜୁନେଦ ମୁଁ ଫେରି ଆସିଛୁ । ଅର୍ଡର_କ୍ୟାନସେଲ।


ତା'ପରେ ଆସି ଘରେ ଦେଖେ ତମେ ବଙ୍ଗଳା ରେ ଶୋଇଛ। ଆଉ ଧିରେ ଧିରେ ଗହଳି ବଢ଼ିଲା। କାର ଆସିଲା। କମଳା ପି‌ଉଷା ବାବୁଲି କକା, ବାପା ଡାଡି ସମସ୍ତେ ବାହାରି ଗଲେ। ଆଉ ଚଗୁଲୁ କକା ଘରେ ପହଞ୍ଚିଲା ବେଳକୁ  

        ପୁନିଆ ବଡ଼ବାପା, ବନା ବା, ଚ‌ଇତା ବା, ଟୁନ ଭାଇ ସମସ୍ତେ ଯୋଗାଡ଼ି ବା ରେ ଲାଗିଗଲେ।

ଧିରେଧିରେ ଚହଳ ପଡ଼ିଗଲା କାହ୍ନୁ_ବୁଢ଼ା_ଚାଲିଗଲା ........

ଆଉ ଶେଷରେ ମୁଁ ବି ଦେଖିଲି ଜେଜେବାପା ସେଇ କଥା ତମ ସହ ବି ଘଟିଗଲା।

   " ମୁଁ ଆସିଛି ଏକା ଯିବି ଏକା "

ଆଉ ହଁ ମୁଁ ଦେଖିଛି ତମକୁ ଭଲ ପାଉଥିବା ଆଉ ତମେ ଭଲ ପାଉଥିବା ଲୋକଙ୍କ ସହ ତମକୁ ଭଲ ନ ପାଉଥିବା ଲୋକ ବି ଆଜି ତମ ଫୋଟୋ କୁ ଚାହୁଁ ଥିଲେ ଆଉ ସେ ଦିନ ବି ତମ ପାଦ ଛୁଇଁ ଜୁହାର ହେଇଥିଲେ।।


ଶେଷରେ ଆଜି ଶେଷକଥା ସବୁ, ଜେଜେବାପା...... ବହୁତ କଥା ମୁଁ ଜାଣିଶୁଣି କହିନାହିଁ ଜେଜେବାପା। ଜାଣିଛି ତମେ ମୋ ସହ ଅଛ। ତମେ ଯାହା କହିଥିଲ ସେଇକଥା ମନରେ ଅଛି।

ତମ ଛବି ଦେଖି ଲା ପରେ ଆଜି ଭାରି ମନେ ପଡ଼ିଲା ଜେଜେବାପା.......ଆଉ ତମର ଏତେ ବଡ଼ ପରିବାର ବୋଲି ଆଜି ପୁଣି ପୁରା ପାଣି ପବନ କଥା ବାର୍ତ୍ତା ହେଲେ, କାହ୍ନୁ ର ଏତେ ବଡ଼ ସଂସାର....!


     ଏଇ ପଦକ କହିଦିଏ ଜେଜେବାପା

ମୁଁ ଗାଁ ରେ ଖବର କହିବା କୁ ଗଲାବେଳେ ସମସ୍ତେ କହୁଥିଲେ ଆହାଃ ଭଲ ଲୋକଟା, ଖାଲି ଖାଲି ଚାଲିଗଲା।

ମୋର ଯଦି କେବେ ଭେଟ ହୁଏ ତମ କୁ ନବା ଲୋକ ସହ ପଚାରିବି " ଭଲ_ଲୋକ_ଟା_କୁ_ନେଇ_ଲାଭ କ'ଣ ପାଇଲ??????



Rate this content
Log in

Similar oriya story from Classics