Parameswar Ojha

Tragedy Thriller

3  

Parameswar Ojha

Tragedy Thriller

ବୁଝାମଣା

ବୁଝାମଣା

5 mins
462


ମୋବାଇଲ ପରଦା ଦେଖି ଚମକି ପଡ଼ିଲେ ଶ୍ରଦ୍ଧା । ସେ ଯାହା ଦେଖୁଛନ୍ତି ବାସ୍ତବ ନା କାଳ୍ପନିକ ? ଶାଢୀ କାନୀରେ ମୋବାଇଲ ପରଦା ପୋଛି ଆଖି ବଡ ବଡ କରି ଆଉଥରେ ଦେଖିଲେ । ନା, ସତ ପ୍ରିୟ ଫୋନ କରିଛନ୍ତି । ଗୋଟେ ଦୀର୍ଘ ଶ୍ଵାସ ଛାତି ଦେଇ ବାହାରି ଗଲା ପଦାକୁ । ଯେମିତି ଗୋଟେ ମହାଭାରତର‌ ଅନ୍ତ ହୋଇଗଲା । ଫୋନ ରିସିଭ କଲେ ଶ୍ରଦ୍ଧା । 

ସେପଟରୁ ଆସିଲା - ହ୍ୟାଲୋ । 

ଆଖି ଛଳ ଛଳ ହୋଇଗଲା ଅନ୍ତରାତ୍ମା ଦୋହଲି ଗଲା ଯେମିତି ଏଇ ଗୋଟିଏ ଶବ୍ଦରେ । କ'ଣ କହିବେ ଶ୍ରଦ୍ଧା ନୀରବ ରହିଲେ କେବଳ । ଗୋଟିଏ ମିନିଟର ନୀରବତା ଯେମିତି ଘଣ୍ଟେ ପରି ଲାଗୁଥିଲା, ନୀରବତା ଖାଲି ନୀରବତା । ପାଟିରୁ ଶବ୍ଦ ଆସିବା ଆଗରୁ ଯେମିତି ଅନୁମତି ମାଗୁଥିଲେ ତାକୁ , ତାଙ୍କ ପ୍ରତି କୋଉ ଶବ୍ଦ ପ୍ରୟୋଗ କଲେ ଉଚିତ ହେବ ଦୀର୍ଘ ସମୟର ନୀରବତା ପରେ । ଆଖି ବୁଜି ଦେଲେ ତ ଗାଲ ଦେଇ ବେକ ପର୍ଯ୍ୟନ୍ତ ବୋହି ଆସିଲା ବହଳ ଲୁହ ।

ସେଦିନର କଥା ସବୁ ଆଜିବି ଟାଇଁ ଟାଇଁ ଶୁଭୁଥିଲା ଶ୍ରଦ୍ଧାର କାନକୁ ।

- ଦେଖ ତୁମର ଯଦି ସବୁ କଥାରେ ଅବ୍ଜେକସନ୍ ମୋ ସହିତ ଆର୍ଜେଷ୍ଟ କରିପାରୁନ ତେବେ ତୁମେ ଅଲଗା ରହିପାର ମୋର କିଛି ଆପତ୍ତି ନାହିଁ ।

- ହଁ ରହି ଯାଇଥାନ୍ତି । ଯଦି ତୁମେ ମୋ ସ୍ବାମୀ ହୋଇ ନଥା'ନ୍ତ । ସାତ ଜନ୍ମ ପାଇଁ ହାତ ଧରିଛି ଯେତେବେଳେ ରହିବାକୁ ତ ବାଧ୍ୟ ନା ?

- ସୀମା ଭିତରେ ରୁହ । ଅଧିକା ଗପିଲେ !

- ହଁ କ'ଣ କରିବ ମୁଁ ଶୁଣେ?

ବାସ୍ ।

ବସି ଯାଇଥିଲା ଶ୍ରଦ୍ଧା ଗାଲରେ ଗୋଟେ ଶକ୍ତ ଚାପୁଡ଼ା ତାପରେ ମା’ ଦୂର୍ଗାଙ୍କ ଆଖି ପରି ଶ୍ରଦ୍ଧା ଅନେଇ ଥିଲା ପ୍ରିୟଙ୍କୁ ଆଉ ଗୋଡ଼ କଚାଡି କଚାଡି ଭିତରକୁ ଚାଲି ଯାଇଥିଲା ।

କିଛି ସମୟ ଫୋପଡା ଫୋପଡି ଶବ୍ଦ ପରେ ନିଜ ସୁଟକେସ୍ ସହ ବାହାରକୁ ଆସି କେବଳ ଦୁଇ ପଦ କହିଥିଲେ - ଆଉ ନୁହେଁ ବହୁତ ହୋଇଗଲା । 

ଆଉ ସିଧା ଚାଲି ଯାଇଥିଲା ବାପ ଘରକୁ । ତାପରେ ଗୋଟେ ଡିଭୋର୍ସ ପେପର୍ ହିଁ କାଫି ଥିଲା ଗୋଟିଏ ଖଟରେ ଗୋଟେ ଦେହ ହୋଇ ଶୋଉଥିବା ଦୁଇ ମଣିଷଙ୍କୁ ଆଜୀବନ ବିପରିତ ମୁଖି ବାଟରେ ଯାତ୍ରୀ କରିଦେବା ପାଇଁ ।

ଦୁଇ ବର୍ଷ ପରେ ଆଜି ହଠାତ୍ ଫୋନ୍ ! ଦୁଇ ବର୍ଷ ନୁହେଁ ତ ଦୁଇ ଯୁଗ ଯେମିତି । ଏତେ ଝଡ଼ ଝଂଜା, ଝାଞ୍ଜି ବୈଶାଖ, ମଳୟ ବସନ୍ତ ମୁଁ କଣ ତାଙ୍କର ଟିକେ ମନେ ପଡିଲିନି ? ହେଲେ ଆଜି ହଠାତ୍ , ସେମିତି କିଛି ଖାସ୍ ବିଶେଷ ଦିନ ନୁହେଁ ତ ଆଜି । ତା ଛଡା ବିଶେଷ ଆଉ ସାମାନ୍ୟର କଥା କୋଉଠୁ ଉଠୁଛି ଯୋଉଠି ସଂପର୍କରେ ପୂର୍ଣ୍ଣଛେଦ ପଡ଼ି ଯାଇଥିଲା ।

ସେଇ ପୂର୍ଣ୍ଣଛେଦକୁ କମାର ରୂପ ଦେଇ ପ୍ରିୟ ଯଦି ସଂପର୍କକୁ ଆଉ ଥରେ ସଜାଡିବାକୁ ଚାହୁଁଛନ୍ତି ତା'ହେଲେ ଏ ଦିନଟି ଅବଶ୍ୟ ସବୁଦିନ ପାଇଁ ବିଶେଷ ହୋଇ ରହିବ ।

ସୁରୁଖୁରୁରେ ଚାଲିଥିଲା ସଂସାର କିଛି ବୋଲି କିଛି ଅଭିଯୋଗ ଅଭିଳାସ କି ସନ୍ଦେହ ନଥିଲା ଉଭୟଙ୍କ ମଧ୍ୟରେ । କେବଳ ଯାହା ଟିକେ ଛୋଟମୋଟ ଅସୁବିଧା ଆସୁଥିଲା ମଝିରେ ସେ ଦୁହେଁ ତାକୁ ହସି ହସି ସାମ୍ନା କରି ଦେଉଥିଲେ ସମାଧାନ ବି ।

ସ୍ନେହ ପ୍ରେମ ଭଲପାଇବାର ପବିତ୍ର ସଂପର୍କ ଭିତରେ ବି ଗୋଟେ ଅଦୃଶ୍ୟ ଲକ୍ଷଣରେଖାଟେ ଟାଣି ହୋଇଯିବ ସେ ଦୁହେ କେବେ କଳ୍ପନା କରିନଥିଲେ ।

ସେ ପୁଣି ସାମାନ୍ୟ କଥା କଟାକଟିକୁ କେନ୍ଦ୍ର କରି ।

ଶ୍ରଦ୍ଧା ହାଇସ୍କୁଲରେ ଶିକ୍ଷୟିତ୍ରୀ ପ୍ରିୟ ବ୍ୟାଙ୍କ୍ ଆକାଉଣ୍ଟାଣ୍ଟ । ଟଙ୍କା ପଇସାର ଅଭାବ ନଥିଲା ସେମିତି କିଛି ।

କ'ଣ ଅସୁବିଧା ହୋଇ ଯାଇଥାନ୍ତା ଟିକେ ସହି ଯାଇଥିଲେ, ଘଡ଼ିଏ ଚୁପ୍ ରହି ଯାଇଥିଲେ ?

ଏ ମଣିଷ ନା, କେବେ କ'ଣ ଠିକ୍ ସେ ନିଜକୁ ଖାପଖୁଆଇ ପାରିଲାଣି ଆଜି ପର୍ଯ୍ୟନ୍ତ ପରିସ୍ଥିତି ସହ ? 

ହେଲେ ସହିବା ଚୁପ୍ ରହିବା କ'ଣ ସବୁ ପରିସ୍ଥିତିରେ ସମ୍ଭବ କି ? ତା' ଛଡ଼ା ଶ୍ରଦ୍ଧା କେବଳ ଗୋଟେ ସ୍ତ୍ରୀ ତଥା ସୁଗୃହିଣୀ ତ ନୁହେଁ ନା, ଯେ ସ୍ବାମୀଙ୍କ ସବୁ ପଦକ୍ଷେପକୁ ମଥା ପାତି ସହିଯିବ ସବୁ ନିଷ୍ପତ୍ତିକୁ ମାନିନେବ ।

ନିଜ ଶିକ୍ଷୟିତ୍ରୀ ଜୀବନର ସଂଚିତ ଅର୍ଥକୁ ବିନା କିଛି ପ୍ରତିବାଦରେ ପ୍ରତିରୋଧରେ ସ୍ବାମୀଙ୍କ ହାତକୁ ବଢ଼େଇବା ପୂର୍ବରୁ ତାର କ'ଣ ଟିକେ ବି ଜାଣିବା ଆବଶ୍ୟକ ନାହିଁ ଟଙ୍କାଟା କୋଉ କାମରେ ଲାଗିବ । ସେ ପୁଣି ଅର୍ଦ୍ଧାଙ୍ଗିନୀଟି ।

ସ୍ବାମୀଙ୍କ ସୁଖ ଦୁଃଖ ସହ ତାଙ୍କ ହାନୀ ଲାଭରେ ବି ତା'ର ଦାବି ଅଛିକି ନାହିଁ ? ସ୍ତ୍ରୀ ବୋଲି କ'ଣ ସଂପୁର୍ଣ୍ଣ ନିସ୍ବ ହୋଇ ସ୍ବାମୀଙ୍କ ପାଦ ତଳେ ନିଜକୁ ସମର୍ପି ଦେବା ବିନା ପ୍ରତିବାଦରେ ବିନା ପ୍ରତିରୋଧରେ ? ନିଜର ପୁଣି ନିଜତ୍ବ କିଛି ଅଛିକି ନାହିଁ ? ସବୁ ପରେ ନିଜର ସ୍ଵାଭିମାନ ।

ଅଟକି ଗଲା ସେଇଠି ଶ୍ରଦ୍ଧା ପୁଣି ଗୋଟେ ଦୀର୍ଘଶ୍ଵାସ ଦେଲା । 

କ'ଣଟା ବା ଭାସି ଯାଇଥାନ୍ତା ନଈ ସ୍ରୋତରେ, ଯଦି ନିଜ ସ୍ବାଭିମାନକୁ ସ୍ବାମୀଙ୍କ ପାଖରେ ବନ୍ଧା ପକାଇ ଦେଇଥିଲେ ? ଏବେ କ'ଣଟା ବା ତା ପାଖରେ ଅଛି ଗର୍ବ କରିବାକୁ ସ୍ବାମୀ ଚାଲିଗଲା ପରେ । କ'ଣ ଏଇ ମାସିକ ୧୫ ହଜାର ଟଙ୍କା ଦରମା , ମ୍ୟାମ୍ ଦିଦି ସମ୍ବୋଧନ ଆଜ୍ଞା ଆପଣ ସଭା ସମିତି ଉତ୍ସବରେ ଯୋଗଦେବା ଗୁଡେ଼ ସମ୍ମାନ ପୁରସ୍କାର ଝିଅର ଦୁଷ୍ଟାମି ତା ଦାୟିତ୍ଵ ବାସ୍ ।

ତାହେଲେ ହାତର ଶଙ୍ଖା ସିନ୍ଥିରେ ସିନ୍ଦୂର କ'ଣ ପାଇଁ ଶୋଭା ପାଉଛି ? କ'ଣ କେବଳ ସୌନ୍ଦର୍ଯ୍ୟ ଆଉ ସଧବା ନାରୀର ପ୍ରତୀକ ପାଇଁ ।

ଆଉ ସିନ୍ଦୂର ପିନ୍ଧିବା ବେଳେ ଶଙ୍ଖାକୁ ମଥାରେ ଛୁଇଁ ସ୍ବାମୀଙ୍କ ମଙ୍ଗଳ କାମନା କରି ଲମ୍ବା ଆୟୁଷ ସହିତ ଶଙ୍ଖା ସିନ୍ଦୂର ଶେଷ ପର୍ଯ୍ୟନ୍ତ ଏମିତି ଝଟକୁ ଥାଉ ମୋ ଆୟୁଷ ତାଙ୍କୁ ଲାଗୁ କହି ଇଷ୍ଟଙ୍କୁ ପ୍ରଣାମ କରିବା ତେବେ କ'ଣ ? ଖାଲି ଗୋଟେ ପ୍ରତିଦିନର ଅଭ୍ୟାସ ?  

ଏତିକି କଥା ଭାବୁ ଭାବୁ ହାତର ଶଙ୍ଖା ଛାଏଁ ଛାଏଁ ଯାଇ ମଥାରେ ଲାଗିଗଲା ଶ୍ରଦ୍ଧାର । 

ପାଞ୍ଚ ବର୍ଷର ବୈବାହିକ ଜୀବନ ଭିତରେ କେବେ ଟିକେ ହେଲେ ବି ସ୍ବାମୀଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିନି କି ଜୀବନକୁ ନେଇ ଅଣୁଟିଏ ବି ଅଭିଯୋଗ ନଥିଲା ‌। ଯେତେବେଳେ ଯାହା କହୁଥିଲେ ଅକ୍ଷରେ ଅକ୍ଷରେ ପାଳନ କରୁଥିଲା ଯେତେବେଳେ ପାଞ୍ଚ ଦଶ ହଜାର ମାଗୁଥିଲେ ବିନା ପ୍ରତିବାଦରେ ହାତକୁ ବଢ଼େଇ ଦେଉଥିଲା ।

ହେଲେ ସେଦିନ ହଠାତ୍ ପଚାରି ଦେଲେ ।

- ଆଛା ମୋର ଚାରି ଲକ୍ଷ ଟଙ୍କା ଦରକାର ଅଛି ?

ଶ୍ରଦ୍ଧା ଥମ ଥମ ହୋଇ ଉତ୍ତର ଦେଇଥିଲା 

- ନା କାଇଁ ନାଇଁ ତ । ଏକାଥରେ ଏତେ ଟଙ୍କା !

- ତୁମ ଏଲ୍.ଆଇ.ସି ପ୍ରିମିୟମ ଏ ବର୍ଷ ଯୋଉ ଶେଷ ହେଉଛି କେତେ ଟଙ୍କା ଉଠିବ ? 

- ହଁ ତିନି ଭଳି ହେବ ବୋଧେ । 

- ତେବେ ପାଖରେ ଆଉ କିଛି ଥିବ ପୁରା ଚାରି କରି ଦେଇଦିଅ ମୋତେ, ମୋ ପାଖରୁ ପରେ ନେଇଯିବ ମାନେ ମୋ ପଇସା ଉଠିଲେ ଦେଇଦେବି 

- କ'ଣ ଦରକାର ଯେ ଏତେ ଟଙ୍କା ?

 ପ୍ରିୟ ଉତ୍ତର ନଦେଇ ପ୍ରଶ୍ନ କଲେ - ତୁମର କିଛି ଦରକାର ଥିଲା କି 

- ଝିଅ ନାଁ ରେ ଫିକ୍ସ ମାରି ଥା'ନ୍ତି । 

- ହଉ ହେଲା , ମୁଁ ଦେଲେ ସେତେବେଳେ ଭରିଦେବ । ହେଲେ ମୋର ଜରୁରୀ ଦରକାର ଫିକ୍ସ ଡିପୋଜିଟ ପରେ ହେଲେ ଚଳିବ ।

- ତୁମ ପାଖରେ ନାହିଁ କି ଦୁଇ ନେଉନ ଆଉ ଦୁଇ ମିଶେଇ ଦେବ ।

- ନାଇଁ ମୋର ଅଧିକ ଦରକାର । ତା'ଛଡ଼ା ମୋତେ ଏତେ ଅର୍ଡର ଦିଅନି ମୋତେ ଦେବ କି ନାହିଁ କହିଲ ?

- ହଉ ନେବ, କିନ୍ତୁ ଏତେ ଟଙ୍କା କରିବ କ'ଣ ?

- ଦେଖ ତୁମକୁ ଏତେ ମୁଁ କୈଫିୟତ ଦେଇ ପାରିବିନି । ଇଛା ହେଲେ ଦିଅ ନହେଲେ ନାଇଁ । ପାଖରେ ରଖିଥାରେ ପୂରେଇ ବୁ...ଆ ମୁଣ୍ଡକୁ ଖରାପ କରୁଛି । 

- ମୁଁ କ'ଣ କିଛି ଖରାପ କଥା କହିଲି । ଏତେ ରାଗୁଛ ଯେ, ମୁଁ ତ ଖାଲି ପଚାରୁଥିଲି କି ଏତେ ଟଙ୍କା କ'ଣ କରିବ? ମୋର କ'ଣ ଏତିକି ପଚାରିବାର ଅଧିକାର ନାହିଁ ? 

- ନା ନାହିଁ, ମୁଁ କ'ଣ ପଇସା ମଦ ଗଞ୍ଜେଇ ରେ ଉଡଉଛି ନା ମାଳୀ ସାହି ଯାଇ ଖର୍ଚ୍ଚ କରୁଛି । କେତେଥର ଦେଖିଲିଣି ତୋର ସବୁବେଳେ ଏମିତି ଅଯଥା ପ୍ରଶ୍ନ । ମାଷ୍ଟରାଣୀ ଚାକିରୀ ଖଣ୍ଡେ କରିନୁ ଯେ ମୋ ବସ୍ ଭଳି ଜବାବ୍ ମାଗୁଛୁ । 

ଏଥିପାଇଁ ବାପା ମନା କରୁଥିଲେ ଚାକିରିଆ ବୋହୂ କରିବା ପାଇଁ । ମୋ ବେଳା ଖରାପ ଯେ ତୁମ ହାତ ଧରିଲି । କଳପଡା ମୋନା ସହିତ ବାହାଘର ହୋଇଥିଲେ ଆଜି ଏ ଦଶା ଦେଖିବାକୁ ପଡି ନଥାନ୍ତା । 

ଶ୍ରଦ୍ଧାର ଧୈର୍ଯ୍ୟ ସୀମା ଲଂଘୁଥିଲା - ହଁ ହେଲନି କିଏ ମନା କରୁଥିଲା । ବାପା କ'ଣ ତୁମ ସହ ଜବରଦସ୍ତି ବାହାଘର କରୁଥିଲେ । ସବୁବେଳେ ଏମିତି ବାଧିଲା ଭଳି କଥା କୁହନି କହି ଦେଉଛି ।

ଝିଅ ପଢ଼ାପଢ଼ି ବାପାଙ୍କ ଦେହ ପା'  ଘର ଝାମେଲା  ସଉଦା ପତ୍ର ଭଲ ମନ୍ଦ  ସ୍କୁଲ ସମୟ ସବୁ ଦାୟିତ୍ଵ ମୁଣ୍ଡେଇବି ତମର ଅଫିସ୍ କାମ ଛଡ଼ା ଆଉ କିଛି ଟେନସନ ଅଛି ? ସବୁ କରି ଯଦି କ'ଣ ଟିକେ ପଚାରି ଦେଲି ବାବୁଙ୍କ ରାଗ ପସି ଯାଉଛି ।

ଯେମିତି ଏଠି ସବୁ ତୁମର ମୋର କିଛି ନୁହେଁ । ଏତେଥର ଟଙ୍କା ନେଲଣି କେବେ କୋଉ ଦିନ ପଚାରିଛି କ'ଣ କରୁଛ ଟଙ୍କା ସବୁ । ଆଜି ଚାରି ଲକ୍ଷ ଟଙ୍କା ମାଗୁଛ, ପଚାରି ବିନି ? 

କ'ଣ ଏମିତି ଅପରାଧଟେ କରି ପକାଇଲି ଯେ ମୋ ଉପରେ ଏମିତି ବର୍ଷି ଯାଉଛ ?

 - ଦେଖ ତୁମର ଯଦି ସବୁ କଥାରେ ଅବ୍ଜେକସନ୍ ମୋ ସହିତ ଆର୍ଜେଷ୍ଟ କରିପାରୁନ ତେବେ ତୁମେ ଅଲଗା ରହିପାର ମୋର କିଛି ଆପତ୍ତି ନାହିଁ ।

- ହଁ ରହି ଯାଇଥାନ୍ତି । ଯଦି ତୁମେ ମୋ ସ୍ବାମୀ ହୋଇ ନଥାନ୍ତ । ସାତ ଜନ୍ମ ପାଇଁ ହାତ ଧରିଛି ଯେତେବେଳେ ରହିବାକୁ ତ ବାଧ୍ୟ ନା ?

 - ସୀମା ଭିତରେ ରୁହ । ଅଧିକା ଗପିଲେ ।

 - ହଁ କ'ଣ କରିବ ମୁଁ ଶୁଣେ?

ବାସ୍ । ଆଉ ଆଗକୁ ଭାବିବାକୁ ବି ଭୟ ଲାଗୁଥିଲା ଶ୍ରଦ୍ଧାକୁ ଏବେ । ଖାଲି ଦେହ ମନ ପ୍ରାଣ ଖୋଜୁଥିଲେ ସ୍ବାମୀଙ୍କ ସାନିଧ୍ୟ । ବିଚଳିତ ହେଉଥିଲା ହୃଦୟ କ୍ଷଣକୁ କ୍ଷଣ । କଇଁ କଇଁ ହୋଇ କାନ୍ଦି ଉଠିଲା ସେ । କହିଲେ - ମୋତେ କ୍ଷମା କରିଦିଅ ମୋର ଭୁଲ୍ ହୋଇଯାଇଛି । 

ସ୍ବାମୀ ସେପଟରୁ ଅତି ନରମ ଦୋଷୀ ଦୋଷୀ ସ୍ବରରେ କହିଲେ - ଭୁଲ ତ ସଂପୂର୍ଣ୍ଣ ମୋର । କ୍ଷମା ତ ମୋତେ ମାଗିବାର ଅଛି ତୁମକୁ । ମୁଁ ମୋ ଭୁଲ୍ ବୁଝିପାରିଛି କଥା ଦେଉଛି ଆଉ ଏମିତି କେବେବି ତୁମକୁ ବ୍ୟବହାର କରିବିନି । 

ଶ୍ରଦ୍ଧା ମୋତେ କ୍ଷମା କରିଦେବ ତ ?

- ଆଉ ଲଜ୍ଜା ଦିଅନି ମ' ଶିଘ୍ର ଗାଡ଼ି ଆଣି ଆସ । ମୁଁ ଶାଢ଼ୀ ପିନ୍ଧି ପ୍ରସ୍ତୁତ ହେଉଛି । 

---------------------୦୦୦------------------

✍️.. ପରମେଶ୍ବର ଓଝା

ମହାକାଳପଡ଼ା , କେନ୍ଦ୍ରାପଡ଼ା

ମେଲ୍-- ojhaparameswar@gmail.com

ମୋ -- ୬୩୫୫୧୩୩୩୦୧



Rate this content
Log in

Similar oriya story from Tragedy