STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ବୁଢାବରଗଛ 

ବୁଢାବରଗଛ 

4 mins
19


ରାକେଶର ଏକାସାଙ୍ଗରେ ଦୁଇଟି ଚାକିରୀ ହୋଇଯିବା ଖବରରେ ବାପା ଭାରି ଖୁସି କାରଣ ତାଙ୍କ ପୁଅ ଆମେରିକା ଭଳି ବଡ଼ ସହରରେ ରହି ଚାକିରୀ କରିବ. ସେଇଠା ଝିଅ ଦେଖି ବାହା ହେବ, ବଙ୍ଗଳା କିଣିବ. ସେଠିକାର ସ୍ଥାୟୀ ଅଧିବାସୀ ହେଲେ ବାପା ଗର୍ବରେ ଛାତି ଫୁଲେଇ କହିବେ ମୋ ପୁଅ ଆମେରିକାରେ ଅଛି. ମାଆଙ୍କର ଇଛା ଥିଲା ଅନ୍ୟରକମ. ଓଡିଶାରେ ଚାକିରୀ କଲେ ପୁଅକୁ ସେ ଦେଖିପାରିବେ କିନ୍ତୁ ପୁଅ ବୁଝେଇଦେଇଥିଲା ଏବେର ଡିଜିଟାଲ ଯୁଗ କାହିଁ କୋଉଠି ପହଞ୍ଚିଲାଣି ମାଆ. ଭିଡ଼ିଓ କଲ କରି ମତେ ତଥା ମୋ ଅଫିସ, କ୍ଵାଟର, ଖାଦ୍ୟ, ସାଙ୍ଗସାଥି ସବୁ ତ ଦେଖିପାରିବୁ ଆଉ ଦୁଃଖ କଣ ଯେ!ପୁଅ କଥା ଶୁଣି ମାଆ ରୁବି ବାଡ଼ିପଟକୁ ଚାଲିଯାଆନ୍ତି. ପ୍ରକୃତି କୋଳରେ ବଢିଥିବା ବର ଗଛରେ କେତେ ପକ୍ଷୀ ଦେଖି ମନକୁ ସାନ୍ତ୍ୱନା ଦିଅନ୍ତି ଯେ ପକ୍ଷୀ ଶାବକ ବଡ଼ ହୋଇଗଲା ପରେ କୋଉ ମାଆକୁ ଚି଼ହ୍ନେ ନା ମାଆ ତାର ଚିହ୍ନି ପାରେ ତା ଶାବକକୁ. ଗଡିଯାଉଥିବା ଦୁଇଧାର ଲୁହକୁ ପଣତରେ ପୋଛି ମାଆ ରୁବି ପୁଣି ଚାହାଁନ୍ତି ବରଗଛରେ ଡିଆଁ ଡେଇଁ କରୁଥିବା ମାଙ୍କଡ଼ମାନଙ୍କୁ.ମନେ ପଡୁଥିଲା ପୁଅ ରାକେଶ ଛୋଟ ହୋଇଥିବା ବେଳର କାହାଣୀ କହିଲେ ଅତ୍ୟୁକ୍ତି ହେବ ବରଂ ଅଙ୍ଗେ ଲିଭା କଥାଟିଏ.
    ଏମିତି ସେଦିନ ମାଙ୍କଡ଼ମାନେ ଉତ୍ପାତ ମାନେ ଡିଆଁ ଡେଇଁ କରି କରି ସନ୍ଧ୍ୟାରେ ପ୍ରକୃତି କୋଳରେ ତାଙ୍କ ଆଶ୍ରୟ ସ୍ଥାନ ବାଛିରଖିଥିବା ସ୍ଥାନକୁ ଫେରିଗଲା ପରେ ବାଡ଼ିପଟକୁ ଆସି ରୁବି ଦେଖନ୍ତି ତ କୁନିମାଙ୍କଡ଼ ଛୁଆଟିଏ ବାରିପଟେ ବସିରହିଛି ଓ ତାଙ୍କୁ ଜୁଳୁଜୁଳୁ କରି ଚାହିଁଛି. ଛୁଆକୁ ଛାଡ଼ିଦେଇ ଯାଇଥିବା ମାଆ ମାଙ୍କଡ଼ ନିଶ୍ଚୟ ଖୋଜି ଖୋଜି ଆସି ତା ଛୁଆକୁ ନେଇଯିବ ଭାବି ଛୁଆମାଙ୍କଡ଼ ଆଡକୁ ବିସ୍କୁଟ, ରୁଟି ଟୁକୁଡା ପକେଇବାକୁ ଲାଗିଲେ କିନ୍ତୁ ମାଙ୍କଡ଼ ଛୁଆ ଖାଉନଥିଲା କି ଡ଼େଇଁକି ଯିବାକୁ ଚେଷ୍ଟା କରୁନଥିଲା ବା ମାଆ ତାର ଆସି ତାକୁ ଖୋଜି ନେଉନଥିଲା. ସନ୍ଧ୍ୟା ବଢ଼ି ରାତି ହେବାରୁ ବାରିକବାଟ ଖୋଲି ରଖିବାରୁ ମାଙ୍କଡ଼ ଛୁଆ ପଶିଆସିଥିଲା ଘରକୁ. ତା ପାଇଁ ଚାଉଳ, ଗହମ, ରୁଟି ଓ ପାଣି ଠାକୁ ଠା ଥୋଇ ରାତି ଏଗାର ଯାଏଁ ବାଡ଼ିପଟ ଖୋଲା ରଖି ମାଆ ମାଙ୍କଡ଼କୁ ଅପେକ୍ଷା କଲା ପରେ ରୁବି, ତାଙ୍କ ସ୍ୱାମୀ ଓ ପୁଅ ରାକେଶ ଶୋଇଯାଇଥିଲେ ଦୁଆର କବାଟ ଦେଇ. ନିଦ ଆସୁନଥିବା ଆଖି ଭୋର ଭୋର ଦୁଆର ଫିଟାଇ ରୁବି ଦେଖିଥିଲେ ମାଙ୍କଡ଼ ଛୁଆ ମାରିପଡିଛି ସେହି ଘର ଚଟାଣରେ. ସବୁ ଶୁଣି ଅଭିଜ୍ଞ ଲୋକେ କହୁଥିଲେ ନିପାରିଲା ରୋଗୀଣା ମାଙ୍କଡ଼କୁ ଦଳ ତ୍ୟାଗ କରିବା ସହିତ ମାଆ ମଧ୍ୟ ତ୍ୟାଗ କରିଥାଏ ତେଣୁ ରୋଗଗ୍ରସ୍ତ ଦୁର୍ବଳମାଙ୍କଡ଼ଟି ଶେଷକୁ ମରିଗଲା. ସେ ଘଟଣା ପରେ ରୁବି ଅପେକ୍ଷାକୃତ ଦୁର୍ବଳ ଚେହେରାର ପୁଅ ରାକେଶକୁ କୁଆଡେ ଛାଡି ଦିଅନ୍ତି ନାହିଁ. ନା ଖେଳିବାକୁ, ନା ଜେ.ଆର.ସି କ୍ୟାମ୍ପରେ ଯିବାକୁ ନା ଏନ. ସି. ସି ରେ ଯୋଗ ଦେବାକୁ. ବରଂ ରାତିସାରା ତା ଗୋଡ଼ରେ ସୋରିଷ ତେଲରେ ରସୁଣ ଫୁଟାଇ ଘଷୁଥାଆନ୍ତି ଥଣ୍ଡା କଟି ଜ୍ୱର ନହେବାକୁ ପୁଅର. ସେଇ ପୁଅ ଆଜି ଆମେରିକା ଯିବ ତ ରୁବି ରହିବେ କେମିତି ଭାବି ବାଡ଼ିପଟ ସେଇ ବୁଢାବରଗଛରେ ଏମୁଣ୍ଡକୁ ସେମୁଣ୍ଡ ଦୌଡ଼ା ଦଉଡି କରୁଥିବା ଗୁଣ୍ଡୁଚିମୂଷାକୁ ଦେଖୁଥାନ୍ତି ତ ପଛପଟୁ ରାକେଶ ପଡୋଶୀ ଘର ବାଛୁରୀକୁ ଦେଖାଇଦେଇ କହୁଥାଏ ଦେଖିଲୁ ମାଆ ଏ ବାଛୁରୀ ତା ପିଲାବେଳୁ ମାଆ ଵିନା କେମିତି ତା ନିଜ କାମ ଖୁସିରେ କରିପାରୁଛି. ଖାଉଛି, ପିଉଛି ଓ ଡିଆଁ ଡେଇଁ କରୁଛି. ଜନ୍ମ ହେବା ପରେ ପରେ ସେ କେମିତିନିଜେ ନିଜର ଆତ୍ମନିର୍ଭରଶୀଳ!ମାଆ ଥିଲା ବେଳେ ମାଲିକ ବାନ୍ଧି ରଖେ କାଳେ କ୍ଷୀର ପିଇଯିବ ଆଉ ଏବେ ତ ତା ମାଆ ଯାଇ ଅନ୍ୟ ମାଲିକ ଘରେ ନା. ପୁଅକୁ ଚାହିଁ ରହି ରୁବି ଭାବନ୍ତି ସତରେ ପିଲା ବା ସନ୍ତାନ ବଡ଼ ହୋଇଗଲେ ସ୍ବାଧୀନ ଭାବେ ରହିବାକୁ ଭାବେ ନଚେତ ସେଇ ପୁଅ ଛୋଟ ଦିନେ କେମିତି ବୁଲାକୁକୁର ଓ ତା ଛୁଆଙ୍କୁ ବର୍ଷାରୁ ରକ୍ଷା କରିବାକୁ ନଭୁଲି ଛତା ଟାଣି ଦେଉଥିଲା ଉଭୟ ମାଆ ଛୁଆଙ୍କ ଉପରେ, ସେକଥା କଣ ରୁବି କେଵେ ଭୁଲି ପାରିବେ!
   ସେଦିନ ଛତାଟି ଖୋଜି ଖୋଜି ନାକେଦମ ହେଉଥିଲେ ରୁବି. କୋଉଠି ପାଉ ନାହାଁନ୍ତି. ବାସନ୍ତୀ କାମ ସାରି ଫେରିଲା ବେଳକୁ କୋଉଠି ଥିଲା ଏ ଅଦିନିଆ ବର୍ଷା,କଚାଡିଲାଣି. ସେ ଘରକୁ ଗଲେ ତାକୁ ତା ଝିଅ ପାଇଁ ଖୁଦୁରୁକୁଣୀ ଭୋଗ ସଜାଡିବାର ଅଛି ଯେ. ବାସନ୍ତୀ କହୁଥିଲା ଥାଉ ମାଆ ମୁଁ ଜରି ଘୋଡେଇ ହୋଇ ଚାଲିଯିବି. ଅନ୍ଧାର ହେଲାଣି ଝିଅ ଡରୁଥିବ. ମୁଁ ଗଲେ ସେ ଓଷା କରିବାକୁ ସାଙ୍ଗ ମାନଙ୍କ ସଙ୍ଗେ ମିଶିକି ଯିବ ପରା ମାଆ ମୁଁ ଯାଉଛି. ରହ ରହ ଓଦା ହେଲେ ଥଣ୍ଡା ଜ୍ୱର ଛାଡିବ ନାହିଁ. କାମକୁ ଆସିପାରିବୁ ନାହିଁ. ଏତିକି କହିଛନ୍ତି କି ନାହିଁ ରୁବି, ପୁଅ ରାକେଶ ଦଉଡି ଦଉଡି ଆସିଲା. ହାତରେ କଣ ଗୋଟେ ଲେଖା ଧରିଥାଏ. ରୁବି ପଚାରିଲେ, ଛତାଟା ଦେଖିଛୁ କି ବାବୁ? ହଁ ମାଆ, ଖାଲି ଦେଖିଛି ନୁହେଁ ନେଇଛି. କୁଆଡେ? କାହିଁକି?? ବାସନ୍ତୀ ମାଉସୀ ଓଦା ହୋଇକି ଘରକୁ ଗଲେ ତାଙ୍କ ଦେହ ଖାରାପ ହେବନି. ଆଣିଲୁ ଆଣିଲୁ ଛତା. ରାକେଶ କହିଥିଲା ମୁଁ ସେଇଟା ଟମି ଓ ତା ଛୁଆଙ୍କ ମୁଣ୍ଡ ଉପରେ ଘୋଡେଇ ବର୍ଷା ଦାଉରୁ ରକ୍ଷା ପାଇବାକୁ ତାଙ୍କ ମୁଣ୍ଡ ଉପରେ ପୋତି ଦେଇ ଆସିଛି. ବାସନ୍ତୀ ମାଉସୀଙ୍କୁ ତୁମେ ତୁମ ରେନ କୋର୍ଟ ଦେଇଦିଅ. ସେ ଭଲରେ ଘରେ ପହଞ୍ଚିଯାଇ ପାରିବେ. ହେଲେ ମାଆ ସେ କାଳିଆ କୁକୁରଟା ତା ଛୁଆ ସହ ରାତି ସାରା ଓଦା ହେଲେ ତା କଥା କିଏ ବୁଝିବ କହିଲ?ଉପର ବର୍ଷାକୁ ତଳ ଓଦା.ମୁଁ ଅଖା ପାରି ଅଖା ଉପରେ ସେମାନଙ୍କୁ ରଖି ଛତା ପୋତି ଦେଇଛି. ଆଉ କଣ ଲେଖିଛୁ ସେଥିରେ?? ସେଇକଥା,ଯାହା ଟିକେ ଆଗରୁ ତୁମେ ବାସନ୍ତୀ ମାଉସୀଙ୍କୁ କହୁଥିଲ. ସମସ୍ତେ ନିଜ ନିଜ ଚାରିପାଖରେ ଥିବା ପ୍ରକୃତିର ପଶୁଜନ୍ତୁଙ୍କୁ,ବର୍ଷା ଦାଉରୁ ରକ୍ଷା କରନ୍ତୁ. ନହେଲେ ସେମାନଙ୍କ ଦେହ ଖରାପ ହେବ. ତୁମେ ଖାଲି ତାଙ୍କୁ ଖାଇବାକୁ ଦେଲେ କଣ ହେବ ମାଆ, ତାଙ୍କର ବି ଆଶ୍ରୟ ଦରକାର ନା ମା. ତାଙ୍କର ଦେହ ଖାରାପ ହେଲେ ସେ ପ୍ରଥମତଃ କଥା କହିପାରନ୍ତି ନାହିଁ ଦ୍ୱିତୀୟତଃ କହିବେ କାହାକୁ, କିଏ ଶୁଣିବ ତାଙ୍କ ଦୁଃଖ. ମାଆ ରୁବି ସେଦିନ ପିଲା ପୁଅ ରାକେଶ କଥାରେ କାନ୍ଦିପକେଇଥିଲେ. ବାସନ୍ତୀ ମାଉସୀ ମାଆଙ୍କ ରେନ କୋର୍ଟ ପିନ୍ଧି ଚାଲି ଯାଉ ଯାଉ କହୁଥିଲା, ଛୋଟ ବାବୁଙ୍କୁ ମାଆ ମଙ୍ଗଳା ଏମିତି ସଦବୁଦ୍ଧି ଦେଉଥାଆନ୍ତୁ.ଏବେ ବଡ଼ ହୋଇ ମାକୁ ଛାଡି ଚାଲିଯିବ ସୁଦୂର ଆମେରିକା ବୋଲି ଭାବୁଥିବା ପୁଅକୁ ସେ କଣ କହି ଅଟକାଇ ପାରିବେ ଅବା!ପୁଅ କଣ ଭାବୁଥିଲା କେଜାଣି ଆମେରିକା ଯିବା ପର୍ଯ୍ୟନ୍ତ ମାଆଙ୍କଠୁ ଦୂରେଇ ଦୂରେଇ ରହୁଥିଲା.ଗଲା ଦିନ ମାଆ ସେଇ ବାଡ଼ିପଟେ ଚାହିଁ ରହିଥିଲେ ଗୋଟେ ବି ନେଳିପତ୍ର ନଥିବା ସେଇ ବୁଢା ବରଗଛଟିକୁ ଯାହା ଡ଼ାଳରେ ଗୋଟେ ବି ଚଢେଇ କି ଗୁଣ୍ଡୁଚିମୂଷା କି ମାଙ୍କଡ଼ ନଥିଲେ.


Rate this content
Log in

Similar oriya story from Tragedy