STORYMIRROR

KRUTIBAS NAYAK

Tragedy Thriller

3  

KRUTIBAS NAYAK

Tragedy Thriller

ବସ୍ତି ଉଚ୍ଛେଦ

ବସ୍ତି ଉଚ୍ଛେଦ

8 mins
180


ସେଦିନ କଟକର ବିଡ଼ାନାସୀ ବସ୍ତି ବାସିନ୍ଦାମାନେ ଦଳଦଳ ହେଇ ଟୁପଟାପ୍ ହେଉଥିଲେ-"ଏତେବଡ଼ ଦୁର୍ଘଟଣାଟାଏ ଆମ ବସ୍ତିରେ ଘଟିଗଲା, ଅଥଚ ଆମେ କେହି କେମିତି ଜାଣିପାରିଲେ ନାହିଁ ?" 

ଏଇ ଗୋଟାଏ ପ୍ରଶ୍ନକୁ ଜଣେ ଅନ୍ୟଜଣକୁ ପଚାରି ଚାଲିଥା'ନ୍ତି । କେହି ଜଣେ ବୟସ୍କ ଲୋକ କହିଲେ- "ଏକଲା ନବଘନ ସଂଗ୍ରାମ କରି ବସ୍ତି ଉଚ୍ଛେଦକୁ ଅଟକାଇ ଦେଇପାରିଲା । ଏଇଟା କମ୍ ସାହସର କଥା ନୁହଁ । ତାକୁ ଥାନା ହାଜତରୁ ମୁକୁଳେଇବା ଏବେ ଆମ ସମସ୍ତଙ୍କର କାମ ।"

ଖବର ପାଇ ବସ୍ତି ସୁରକ୍ଷା କମିଟିର ସଂପାଦକ ମହାନ୍ତିବାବୁ ତରବରହେଇ ସେଇଠି ଆସି ପହଞ୍ଚିଗଲେ । ସଂକ୍ଷେପରେ ଘଟଣାର ବିବରଣୀ ଶୁଣି, ସେ ଉତ୍ତେଜିତ ଯୁବକମାନଙ୍କୁ ସାନ୍ତ୍ଵନାଦେଇ କହିଲେ-"ମୁଁ ଏବେ ଆମ କମିଟିର ସଭାପତି ସାମ୍ବାଦିକ ମହାପାତ୍ରବାବୁଙ୍କୁ ଫୋନ କରିବି । ସେ ଘଟଣାର ବିସ୍ତୃତ ବିବରଣୀ ଦେଇ ପାରିବେ ।"

-"ତମେ ଆମ ବସ୍ତି ସୁରକ୍ଷା କମିଟିର ସଂପାଦକ ହେଇଛ, ଏତେ ବଡ଼ ଘଟଣାଟା ଏଇଠି ଘଟିଗଲା, ତମେ କେମିତି ଜାଣି ପାରିଲ ନାହିଁ ?"

ଜଣେ ଯୁବକ ବଡ଼ପାଟିରେ ମହାନ୍ତି ବାବୁଙ୍କୁ ପଚାରିଲେ । ତାଙ୍କ କଥାକୁ ବସ୍ତି ବାସିନ୍ଦାମାନେ ତାଳିମାରି ସମର୍ଥନ କଲେ ।

ଶେଷରେ ଦଳଦଳହୋଇ ବସ୍ତିର ଟୋକାଦଳ ଦୁର୍ଘଟଣା ଘଟିଥିବା ନବଘନର କୁଡ଼ିଆ ଆଡ଼କୁ ମାଡ଼ିଚାଲିଲେ, ହୋ-ହଲ୍ଲା ଶବ୍ଦରେ ବସ୍ତିଟା କମ୍ପି ଉଠିଲା ।


ସମ୍ପାଦକ ମହାନ୍ତି ବାବୁ ସମସ୍ତଙ୍କୁ ନୀରବତା ରକ୍ଷା କରିବାକୁ ଅନୁରୋଧ କରି କହିଲେ-"ଯେଉଁ ଖବରକାଗଜରେ ଏ'କଥା ଛପାଯାଇଛି, ସେଇଟାକୁ ଆଗ ମୋତେ ଦେଖାଅ । ଘଟଣାର ସତ୍ୟାସତତ୍ୟ ଜାଣିବା ପରେ ଯାଇ ଆମେ ଯାହା କିଛି କରିବା । ଯଦି ସତରେ ଏଭଳି ଘଟଣା ହେଇଥାଏ, ତେବେ ଆମେ ଥାନା ଘେରାଉ କରିବା । ପୁଲିସ କମିଶନରଙ୍କୁ ଦେଖାକରିବା । ଆମେ କାଉନସିଲର ଆଉ ବଡ଼ବଡ଼ ନେତାମାନଙ୍କୁ ଡାକିବା । ଆମ ବସ୍ତି ବାସିନ୍ଦାଙ୍କର ମାନ-ସମ୍ମାନକୁ ଯଦି କେହି ତଳେ ପକେଇଥାଏ, ତେବେ ତାକୁ ଆମେ ଉପଯୁକ୍ତ ଦଣ୍ଡଦେବା ।"


ବସ୍ତିର କେନ୍ଦ୍ରରେ ଦୋତାଲା ଘର ତୋଳିଥିବା ବସ୍ତି ବାସିନ୍ଦା ଓକିଲବାବୁ ସେଇଠି ଉପସ୍ଥିତ ଥିଲେ । ସେ କହିଲେ-" ଆପଣମାନେ ଚିନ୍ତା କରନ୍ତୁ ନାହିଁ, ଥାନାକୁ ନେବାବେଳେ ଯଦି ନବଘନ ଉପରେ ପୁଲିସ କିଛି ମାରଧର କରିଥିବ, ତା'ହେଲେ ମୁଁ ତା' ବିରୁଦ୍ଧରେ ଏଫ ଆଇ ଆର ଦେବି, 354 ଦଫା ଲଗାଇବାର ବ୍ୟବସ୍ଥା କରିଦେବି । ଜୀବନ ସାରା ପୁଅ ମକଦମା ଲଢୁଥିବ ଯେ- । ଶଃ-ବସ୍ତି ଉଚ୍ଛେଦ ନାମରେ ଅତ୍ୟାଚାର କରିବା କଥାକୁ ସେ ସବୁଦିନ ପାଇଁ ଭୁଲିଯିବ ।"

ଓକିଲଙ୍କ କଥା ନ ସରଣୁ, ମହାନ୍ତି ବାବୁ ପୁଣି କହିଲେ-"ଠିକ ଅଛି, ସେ ଖବରକାଗଜଟା କାହିଁ ? ଯେଉଁଥିରେ ଆମ ବିଷୟରେ ସମ୍ବାଦଟା ଛପା ହେଇଛି, ସେଇଟାକୁ ମୋତେ ଟିକେ ଆଗ ଦେଖିବାକୁ ଦିଅ ।"

ଜଣେ କଲେଜ ପଢୁଆ ଯୁବକ ଧରିଥିବା ଖବରକାଗଜଟିକୁ ତାଙ୍କ ଆଡକୁ ବଢ଼େଇଦେଲେ ।

ମହାନ୍ତି ବାବୁ ସମସ୍ତଙ୍କୁ ଶୁଣେଇବା ଭଳି ଉଚ୍ଚସ୍ୱରରେ ସମ୍ବାଦଟିକୁ ପଢିଲେ ।

କଟକ/(ନିଜ ପ୍ରତିନିଧି)

ବସ୍ତି ଉଚ୍ଛେଦ କାର୍ଯ୍ୟରେ ଯାଇଥିବା ପୁଲିସ କର୍ମଚାରୀ ଓ ସାମ୍ବାଦିକଙ୍କୁ ମାଡ଼ 

ଓଡିଶା ହାଇକୋର୍ଟଠାରୁ ନାଳ କଡେ଼କଡେ ସରକାରୀ ଜାଗାକୁ କେତେଜଣ ସରକାରୀ କର୍ମଚାରୀ, ଅସାମାଜିକ ବ୍ୟକ୍ତି, ନାମକୁ ମାତ୍ର ସାମ୍ବାଦିକ, ପ୍ରଭାବଶାଳୀ ବ୍ୟକ୍ତି ଓ କିଛି ଶ୍ରମିକ ଜବର ଦଖଲରେ ରଖିଛନ୍ତି । ସେଠାରେ ବିଭିନ୍ନ ପ୍ରକାର ବ୍ୟବସାୟ ପାଇଁ ଘର ତିଆରି କରି ଭଡାରେ ଦିଆଯାଇଛି । ଗରିବ ଲୋକମାନେ ତାଙ୍କର ସେଇଠି ଘର ଆଉ କୁଡ଼ିଆକୁ ଭଡ଼ାରେ ନେଇ ଶୋଷିତ ହେଉଛନ୍ତି । ଜବର ଦଖଲ କାରଣରୁ ପ୍ରସ୍ତାବିତ ବୃହତ ପ୍ରକଳ୍ପ ଚୌଡ଼ାରାସ୍ତା ନିର୍ମାଣ କାର୍ଯ୍ୟ ଅଟକି ରହିଛି । ଗତ ଦୁଇମାସ ତଳେ ସେମାନଙ୍କୁ ସରକାରୀ ଜାଗା ଖାଲି କରିବାକୁ ନୋଟିସ ଦିଆଯାଇଥିଲା । କିନ୍ତୁ ତାକୁ କେହି ଖାତିରି ନ କରି ବରଂ ବିଭିନ୍ନ କୁଜିନେତାଙ୍କ ଦ୍ୱାରା ପ୍ରାୟୋଜିତ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି । କେତେକ ସ୍ଥାନୀୟ ନେତା ଓ ଦୁର୍ନୀତିଗ୍ରସ୍ଥ ସରକାରୀ କର୍ମଚାରୀଙ୍କ ସହାୟତାରେ ସେମାନେ ବସ୍ତି ଉଚ୍ଛେଦ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଇ ଦେଉନାହାନ୍ତି ।

ଗତକାଲି ଜଣେ ପୁଲିସ କନେଷ୍ଟବଳ ଓ ଜଣେ ବିଶିଷ୍ଟ ସାମ୍ବାଦିକ ବସ୍ତି ବାସିନ୍ଦାଙ୍କୁ ବୁଝାସୁଝା କରିବା ପାଇଁ ଘଟଣା ସ୍ଥଳକୁ ଯାଇଥିଲେ । ନାଳ କଡ଼ରେ କୁଡ଼ିଆ ତିଆରି କରି ରହିଥିବା ଗୁଣ୍ଡା ଶ୍ରେଣୀର ଜବର ଦଖଲକାରୀ ନବଘନ ସେମାନଙ୍କ ଉପରେ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲା । ତା' ସ୍ତ୍ରୀ ବୀଣା ମଧ୍ୟ ସାମ୍ବାଦିକଙ୍କ ହାତକୁ କାମୁଡ଼ି ପକାଇଥିଲା । କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ନବଘନକୁ ଗିରଫ କରି ଥାନା ହାଜତରେ ରଖାଯାଇଛି । ଭବିଷ୍ୟତରେ ତାକୁ କୋର୍ଟ ଚାଲାଣ କରାଯିବ ।


ଆହତ ପୁଲିସ କର୍ମଚାରୀ ଓ ଆମ ସମ୍ବାଦପତ୍ରର ବିଶିଷ୍ଟ ସାମ୍ବାଦିକ ଜଗଦୀଶ ମହାପାତ୍ରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ରହିଥିଲେ ବି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ବିଡାନାସୀ ଥାନା ତରଫରୁ କୁହାଯାଇଛି । ଏହାସତ୍ୱେ ଖୁବଶୀଘ୍ର ଏହି ବସ୍ତି ଉଚ୍ଛେଦ କାର୍ଯ୍ୟକୁ ସମାପ୍ତ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ।


ସମ୍ବାଦଟିକୁ ପଢ଼ିସାରି ମହାନ୍ତି ବାବୁ ରାଗରେ ପାଚିଗଲେ । ଖବରକାଗଜଟାକୁ ଫୋଫାଡ଼ିଦେଇ କହିଲେ-"ଚାଲ, ସମସ୍ତେ ଚାଲ ନବଘନ କୁଡ଼ିଆକୁ । ତା' ସ୍ତ୍ରୀକୁ ପଚାରି ଆଗ ସବୁ ସତକଥା ବୁଝିଦେବା । ଏବେ ନବଘନ କେମିତି ଅଛି ?"

ତାଙ୍କକଥା ସରିଛି କି ନାହିଁ ଉତ୍ତେଜିତ ବସ୍ତି ବାସିନ୍ଦା ଯୁବକମାନେ ଆଗକୁ ମାଡ଼ି ଚାଲିଲେ । ତାଙ୍କ ଭିତରୁ ଆତ୍ମଘୋଷିତ ନେତାମାନେ ବାହାରି ଚିତ୍କାର କରି ସ୍ଲୋଗାନମାନ ଦେଇ ଚାଲିଲେ -ବସ୍ତି ଉଚ୍ଛେଦ ବନ୍ଦକର ।

-ବନ୍ଦକର, ବାଣ୍ଡ କର ।

-ନେତା ମନ୍ତ୍ରୀ ବଡ଼ବଡ଼ିଆଙ୍କ ଘରକୁ ଆଗଭାଙ୍ଗ ।

-ଆଗ ଭାଙ୍ଗ, ଆଜି ଭାଙ୍ଗ । 

-ଆଗ ଥଇଥାନ, ପରେ ଉଚ୍ଛେଦ ।

-ପରେ ଉଚ୍ଛେଦ, ପରେ ଉଚ୍ଛେଦ ।

-ଉଚ୍ଛେଦ କଲେ ନିଆଁ ଜଳିବ ।

-ନିଆଁ ଜଳିବ, ନିଆଁ ଜଳିବ ।

ବନ୍ୟା ଜଳପରି ଯୁବକଦଳ ଡ଼େଇଁଡ଼େଇଁ ଆଗକୁ ମାଡ଼ି ଚାଲିଥିଲେ । ନବଘନ ଦୁଆରେ ପହଞ୍ଚିବା ପରେ ଜଣେ ବୟସ୍କ ଠିକାଦାର ଯୁବକମାନଙ୍କୁ ଉଦବୋଧନ ଦେଇ କହିଲେ- "ମୁଁ ଗତ ତିରିଶ ବର୍ଷ ହେଲା ଏଇଠି ରହି ଆସୁଛି । ସବୁଠୁ ପୁରୁଣା କୋଠା ମୋର । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ତାକୁ ନୂଆକରି ବାଗେଇଚି । କେତେ କଲେଜ ପିଲା ଓ ନର୍ସ ସେଇଠି ଆଶ୍ରା ନେଇଛନ୍ତି । ସରକାର କ'ଣ ତାଙ୍କୁ ରହିବାକୁ ଘର ଦେଇପାରିବେ ? କେତେ ଖାଲଖମାକୁ ଆମେ ପୋତି ଘରଢିଅକୁ ସମାନ କରିଛୁ ? ତା'ର ମୂଲ୍ୟ ଆମକୁ କିଏ ଦେବ? ଆମ କ୍ଷତି ପୂରଣ ବାବଦକୁ ମୁଣ୍ଡ ପିଛା ପଚାଶ ଲକ୍ଷ ଟଙ୍କାଲେଖା ଡିମାଣ୍ଡ କରାଯିବ, ମୁଁ ଆପଣମାନଙ୍କ ଭିତରେ ଅଛି । ଯେତେଟଙ୍କା କୋର୍ଟ କଚେରୀ ବାଵଦକୁ ଖର୍ଚ୍ଚ ହେବ, ତାକୁ ସବୁ ମୁଁ ଦେବି । ଆପଣମାନେ ସଂଗ୍ରାମ ଜାରି ରଖନ୍ତୁ । ସରକାରଙ୍କ ବିରୋଧରେ କୋର୍ଟ କେସ କର । ଆସ ଆମେ ସମସ୍ତେ ଶପଥ ନେବା, ଆମ ଦେହରେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଆମେ ଲଢ଼ିବା । ବସ୍ତି ଉଚ୍ଛେଦକୁ ବନ୍ଦ କରିବା ।"

ଜଣେ ଯୁବକ ଆଗକୁ ଆସି କହିଲା-"ମଉସା, ସେଥିପାଇଁ ଆମେ ବହୁତ ବାନରସେନା ଅଛୁ, ସବୁକାମକୁ ଆମେ କରିପାରିବୁ । ଯିଏ ଉଚ୍ଛେଦ କରିବାକୁ ବସ୍ତିକୁ ଆସିବ, ଆମେ ତାକୁ ଦେଖିଦେବୁ । କେହି ଆଉ ଏଠୁ ଜୀବନ ନେଇ ଫେରିବେ ନାହିଁ, କିନ୍ତୁ ଗୋଟିଏ କଥା, ତମେ ଆମ କଥା ଟିକେ ଆଗତୁରା ବୁଝିଦେବ । ନବଘନ ଭାଇ ପ୍ରଥମେ ଏ'ସଂଗ୍ରାମରେ ଝାସଦେଇ ଥାନା ହାଜତରେ ଅଛି । ଆମେ ପ୍ରସ୍ତାବ ଦେଉଛୁ, ନବଘନ ଭାଇକୁ ଆମ ବସ୍ତି ସୁରକ୍ଷା କମିଟି ଆଗ ସମ୍ମାନିତ କରୁ ।"

ମହାନ୍ତି ବାବୁ ସମସ୍ତଙ୍କୁ ଶାନ୍ତକରି କହିଲେ-"ରୁହ ସମୟ ଆସିଲେ, ସେ ସବୁ କାର୍ଯ୍ୟକ୍ରମ ହେବ । ଆଗ ନବଘନ ସ୍ତ୍ରୀ ସହିତ ଆମକୁ କଥାବାର୍ତ୍ତା କରିବାକୁ ହେବ ।"

ନବଘନ କୁଡ଼ିଆ ଆଗରେ ଏତେଲୋକ ଆସି ପାଟିତୁଣ୍ଡ କରିବା ଦେଖି ତା'ର ସ୍ତ୍ରୀ ପଦାକୁ ବାହାରି ଆସିଲା । ତାଙ୍କ କଥାବାର୍ତ୍ତା ଶୁଣି ସେ ଅଳ୍ପକିଛି ଅନୁମାନ କରି ବୁଝିପାରିଲା ।

ମହାନ୍ତି ବାବୁ କିଛି କହିବା ପୂର୍ବରୁ ଜଣେ ପଡୋଶୀ ବସ୍ତି ବାସିନ୍ଦା ଯୁବକ ପଚାରିଦେଲା -"ଭାଉଜ ! କାଲି ଏଠି କେମିତି କ'ଣ ସବୁ ଘଟିଲା ? ଆମକୁ କୁହ । ଆମେ ଥାନାକୁ ଯାଇ ନବଘନ ଭାଇକୁ ମୁକୁଳେଇ ଆଣିବୁ । ସେ ଆମ ହେଉଛି-ଆମ ବସ୍ତିର ଗୌରବ । ବସ୍ତି ସୁରକ୍ଷା କମିଟିର ପ୍ରଥମ ସଂଗ୍ରାମୀ ।"

ମହାନ୍ତି ବାବୁ ସେତେବେଳକୁ ନବଘନର ସ୍ତ୍ରୀର କଥାକୁ ଭଲଭାବରେ ଶୁଣିବା ପାଇଁ ତା' ପାଖକୁ ଚାଲି ଯାଇଥିଲେ । ଅନ୍ୟ ଲୋକମାନଙ୍କୁ ଟିକେ ଦୂରକୁ ଚାଲିଯାଇ ଶାନ୍ତ ରହିବାକୁ ଅନୁରୋଧ କଲେ ।

ନବଘନର ସ୍ତ୍ରୀ କାନ୍ଦିକାନ୍ଦି କହିଲା -"ସେଇ ନିଆଲଗା ସାମ୍ବାଦିକ ମହାପାତ୍ର ମୋର ସର୍ବନାଶ କରିବାକୁ ଚାହୁଁଥିଲା । ପ୍ରତିବାଦ କରିବାରୁ ମୋ ସ୍ୱାମିକୁ ମାଡ଼ମାରି ପୁଲିସ ତାଙ୍କୁ ଧରି କୁଆଡ଼େ ନେଇଯାଇଛି ।

ଏତିକି କହିସାରି ସେ କୋହ ସମ୍ଭାଳି ପାରିଲା ନାହିଁ । ଭୋ-ଭୋ-ହେଇ କାନ୍ଦିଲା ।

ମହାନ୍ତିବାବୁ କହିଲେ-"'ଦେଖ ଭଉଣୀ ! ନବଘନ ଏବେ ଥାନା ହାଜତରେ ଅଛି । ତମେ ଆମକୁ ସବୁକଥା ଖୋଲି ନ କହିଲେ, ନବଘନ ସେଇଠୁ ଆସିପାରିବ ନାହିଁ ।"

ଲୁହପୋଛି ବୀଣା କହିଲା-"ଆଜ୍ଞା ! କ'ଣ କହିବି ? ସେ ସାମ୍ବାଦିକ ତ ମଝିରେ ମଝିରେ ଏ" ବସ୍ତିକୁ ଆସେ । ମାସକ ତଳେ ଦିନେ ଖରାବେଳେ ସେ ଏଇବାଟ ଦେଇ କୁଆଡ଼େ ଯାଉଥିଲା । ମୋତେ ଦେଖିଦେଇ ଏଇଟା କାହାର ଘର ବୋଲି ପଚାରିଥିଲା । ମୁଁ ମୋ ସ୍ୱାମୀଙ୍କ ନାମ କହିଥିଲି, ତାଙ୍କୁ ଡାକି ସେ କହିଥିଲା- " ଆଉ ଅଳ୍ପଦିନ ଭିତରେ ଏ' କୁଡ଼ିଆ ଘର ଭଙ୍ଗାଯିବ । ତମେ ଯଦି କିଛି ଖର୍ଚ୍ଚ କରିପାରିବ, ତେବେ ମୁଁ ତାକୁ ସମ୍ଭାଳି ଦେବି । ମୁଁ କହିଥିଲି- 'ଆମ ପାଖରେ ତ ମୋଟେ କିଛି ଟଙ୍କା ନାହିଁ ।"

ମୋ ସ୍ୱାମୀ କହିଲେ- "ବାବୁ ! ଆମେ ଗରିବ ଲୋକ, ମଜୁରୀ ଖଟିଲେ, ଆମର ଚୂଲି ଜଳେ । କାମ ନ ମିଳିଲେ ଦୁହେଁ ଉପାସ ରହୁ । ଆମେ ଅଭାବୀ ଲୋକ, ଟଙ୍କା କେଉଁଠୁ ପାଇବୁ ?"

ତାଙ୍କର କଥା ଶୁଣିବା ବେଳେ ସେ ମୋ ଆଡ଼କୁ ଭୋକିଲା ଭୋକିଲା ଭୋକିଲା ଆଖିରେ ଚାହିଁ ଛେପ ଢୋକୁଥିଲା । ଗଲାବେଳକୁ କହିଲା- "ତମେ ତ ଗରିବ ଲୋକ, ସେକଥା ମୁଁ ଜାଣେ । ମୁଁ ତମପାଇଁ ନିଶ୍ଚୟ କିଛି ଗୋଟାଏ ବ୍ୟବସ୍ଥା କରିଦେବି । ମୁଁ ଆଉଥରେ ଆସିଲେ ସବୁକଥା କହିବି ।"

ତା' କଥା ଶୁଣି ମୋ ସ୍ୱାମୀ ଟିକେ ଆଶ୍ୱସ୍ତ ହେଲେ ସିନା, ମୋତେ କିନ୍ତୁ କିଛି ଭଲ ଲାଗିଲା ନାହିଁ ।

ଏଇ ପନ୍ଦର ଦିନ ତଳେ ପୁଣି ଥରେ ସେ ଆମ କୁଡ଼ିଆ ପାଖକୁ ଆସି ମୋ ସ୍ୱାମୀଙ୍କ ନାଁ' ଧରି ଡାକ ପକାଇଲା । ମୁଁ କହିଦେଲି-"ସେ କାମକୁ ଯାଇଛନ୍ତି, ଡେରିରେ ଆସିବେ । ମୋ କଥାଶୁଣି ସେ ମୋ ପାଖକୁ ଲାଗି ଆସି କହିଲା- "ତୋତେ ଗୋଟାଏ କଥା କହିବାର ଅଛି । ମୁଁ ଜାଣେ, ତମେ ଦୁଇଜଣ ପରସ୍ପରକୁ ଭଲପାଇ ଘରୁ ଲୁଚି ପଳେଇ ଆସିଥିଲ । ପଇସା ଅଭାବରୁ ଘରଭଡ଼ା ନେଇ ରହିପାରିଲ ନାହିଁ । ଶିକ୍ଷିତ ପିଲା ଦୁଇଟା ଅସୁବିଧାରେ ପଡ଼ି ନିଛାଟିଆ ନାଳ ପାଖରେ ପଲାମାରି ରହୁଥିଲ, ଏବେ ଭଲକି ଦି'ପଇସା ହେବାରୁ ପଲାକୁ ଭାଙ୍ଗି ଭଲ ସୁନ୍ଦର କୁଡ଼ିଆଟିଏ ତିଆରି କରିଛ ।


ତା' କଥା ନ ସରୁଣୁ ମୁଁ ଟିକେ ପଛକୁ ଘୁଞ୍ଚି ଆସି କହିଲି-"ନାଇଁ ବାବୁ ! ପଇସା ହେଇନାହିଁ । ମୋର ଯାହା ଗହଣା ଥିଲା, ତାକୁ ବିକ୍ରି କରିଦେଇ ଏଇ କୁଡ଼ିଆଟି ତିଆରି କରିଛୁ ।" ସେ ପୁଣି ମୋ ପାଖକୁ ଘୁଞ୍ଚି ଆସି କହି ଚାଲିଲା -"ନାଇଁ ଲୋ ! ସେ କଥା କ'ଣ ମୁଁ ଜାଣିନାହିଁ ? ତମେ ତ ଏବେ ବି ଅଭାବ ଆଉ କଷ୍ଟରେ ଚଳୁଛ । ଏଣେ କୁଡ଼ିଆଟାକୁ ଭାଙ୍ଗିବାକୁ ସରକାର ନୋଟିସ ଦେଇସାରିଛି । ଏ'କଥା ଶୁଣି, ମୋତେ ଟିକେ ଦୁଃଖ ଲାଗିଲା ତ, ସେଥିପାଇଁ ତୋତେ ଗୋଟାଏ କଥା କହିବାକୁ ଚାଲି ଆସିଲି, କଥା କ'ଣ କି ? ମୁଁ ହେଲି ସାମ୍ବାଦିକ ଲୋକ । ପୁଣି ବସ୍ତି ସୁରକ୍ଷା କମିଟିର ସଭାପତି । ମୁଁ ସିନା ବସ୍ତି ବାହାରେ ରହେ, କିନ୍ତୁ ମୋର କାମ ଏଇ ବସ୍ତିରେ । ମୋତେ ସେଥିପାଇଁ ନେତାଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ପୁଣି ପୁଲିସଠାରୁ ଅଫିସର ପର୍ଯ୍ୟନ୍ତ ସମସ୍ତେ ମାନନ୍ତି । ମାନେ, ମୋ କଥାକୁ ଶୁଣନ୍ତି । କାହିଁକି ନା, ମୋ ହାତରେ କଲମ ଅଛି । ଯାହା ଲେଖିଦେବି, ସେଇୟା ହେଇଯିବ । ଥରେ ଖବରକାଗଜରେ ମିଛ-ସତ ତାଙ୍କ କଥା ଛପା ହେଇଗଲେ, ସେମାନେ ବିକଳହେଇ ଜୀବନସାରା ଦୌଡୁଥିବେ । ମିଛ ହେଲେ ବି ସେ ଆଗ ବଦନାମୀ ହେଇଯିବେ । ସେଇଥିପାଇଁ ସମସ୍ତଙ୍କର ମୋତେ ଡର । ମୁଁ ଯଦି କହିଦେବି, ତମ କୁଡ଼ିଆରେ ପୁଲିସ କି ଅଫିସର କେହି ହାତ ମାରି ପାରିବେ ନାହିଁ ।"


କିନ୍ତୁ ମୋର ଗୋଟାଏ କଥା ଅଛି । ଏ'ଯୁଗ ହେଲା-ଦେବା-ନେବାର ଯୁଗ । କିଛି ନ ଦେଲେ କାହାରିକୁ କିଛି ମିଳେନାହିଁ । ଏ'କଥା ତମକୁ ମନେ ରଖିବାକୁ ହେବ । କିନ୍ତୁ ମୁଁ ଜାଣିଛି, ତୋର ଆର୍ଥିକ ଅବସ୍ଥା ସେମିତି କିଛି ଭଲନାହିଁ, ସେ କଥା ମୁଁ ବୁଝିଦେବି । ତୋର ବ୍ୟସ୍ତ ହେବାର କିଛିନାହିଁ । ତଥାପି ତୋ'ପାଖରେ ଯେଉଁ ମୂଲ୍ୟବାନ ଜିନିଷ ଅଛି, ମୋତେ ଯଦି ଦେଇ ପାରିବୁ, ତୋର ସବୁ କାମ ମୁଁ ସହଜରେ କରିଦେଇ ପାରିବି । ତୋ'କୁଡିଆଟା ଯେମିତି ଅଛି, ସବୁଦିନ ପାଇଁ ସେମିତି ରହିଥିବ ।"


ମୁଁ ସେ ସାମ୍ବାଦିକ ମରମ କଥାକୁ ଠିକ ଭାବରେ ବୁଝିପାରିଲି ନାହିଁ । କହିଲି-"ଆଜ୍ଞା, କୁଡ଼ିଆ ଭିତରେ ଯାଇ ଦେଖ, ଡେକିଚି-କଡ଼େଇ, ଗିନା ଦି'ପଟ ଆଉ ଦି'ପଟ ସିଲିଭର ଥାଳି ଛଡ଼ା, ଆଉ ମୂଲ୍ୟବାନ ଜିନିଷ କିଛିନାହିଁ । କୁକୁଡ଼ା କି ଛେଳି ଥିଲେ, ସେଥିରୁ ଗୋଟାଏ ଦେଇପକାନ୍ତି ।"

 ସେଦିନ ସେ ଆଉ କିଛି ନ କହି ଖାଲି ମୁରୁକି ହସିଦେଇ ଚାଲିଗଲା । ଗତକାଲି ରାତିରେ ସେହି ସାମ୍ବାଦିକ ଆଉ ଜଣେ ପୁଲିସ ସାଙ୍ଗରେ ଆସି ଆମ କବାଟ ବାଡ଼େଇଲେ । ମୋ ସ୍ଵାମୀ ଯାଇ କବାଟ ଖୋଲିଦେଇ ତାଙ୍କୁ ଦେଖି ଡରିଗଲେ । ସେ ଦୁହେଁ ପେଟେଲେଖା ମଦପିଇ ଆସିଥିଲେ । ମୁଁ ବିଛଣାରୁ ଉଠି ଆସିଲି । ସମ୍ବାଦିକଟା ମୋତେ କହିଲା -"ସେଦିନର ବାକି ଜିନିଷଟା ନେବାକୁ ଆମେ ଦୁହେଁ ଆସିଛୁ । ତମେ ଦେଖିବ-ସାରା ବସ୍ତିର ଘର,କୁଡ଼ିଆ ଆଉ ଦୋକାନ ଉଚ୍ଛେଦ ହେବ ସିନା, ତମ କୁଡ଼ିଆରେ କେହି ହାତ ଦେଇପାରିବେ ନାହିଁ । ହେଇ ଦେଖ,ପୁଲିସ ବାବୁ ନିଜେ ଆସିଛନ୍ତି । ଏଥର ବିଶ୍ୱାସ ହେଲା ତ ?"

ପୁଲିସଟା ମୋ ସ୍ୱାମୀଙ୍କ ଆଡ଼କୁ ଚାହିଁ କହିଲା-"ଆରେ ଏ'ଟୋକା । ତୁ ଏମିତି ଠିଆ ହେଇଛୁ କ'ଣ ? ଯା'-ପଦାକୁ ବାହାର । ଆମର ତୋ' ସ୍ତ୍ରୀ ସହିତ କିଛି ବ୍ୟକ୍ତିଗତ କାମଅଛି । ସେ କାମ ସରିଗଲେ, ତତେ ଡାକିବି । ଯା-ବେ ।" ତାଙ୍କର ଗୋଟାଏ ଧକ୍କାରେ ମୋ ସ୍ୱାମୀ ମୁହଁମାଡ଼ି ପଦାରେ କଚାଡ଼ିହୋଇ ପଡ଼ିଲେ । ମୁଁ ତାଙ୍କୁ ଉଠେଇବାକୁ ଯିବାବେଳେ, ସେ ସାମ୍ବାଦିକ ମୋତେ କୁଣ୍ଡେଇ ଧରି ପକାଇଲା । ମୁଁ ସବୁ ବଳ ଲଗେଇ ତା' ହାତକୁ ଜୋରରେ କାମୁଡ଼ି ଧରିଲି । ସେ ଛଟପଟ ହେଇ ମୋତେ ଛାଡ଼ି ବାହାର ଅନ୍ଧାରକୁ ପଳେଇଲା । ଦେଖିଲି, ପୁଲିସ ସହିତ ମୋ ସ୍ୱାମୀଙ୍କର ଧସ୍ତାଧସ୍ତି ଚାଲିଥିଲା । ଶେଷରେ ସେ ମୋ ସ୍ୱାମୀଙ୍କୁ ପିଟି ବାଡ଼େଇ କୁଆଡ଼େ ନେଇଗଲେ । ମୁଁ ତାଙ୍କର ଅବସ୍ଥା ଦେଖି ଆଉ କାନ୍ଦି ପାରି ନ ଥିଲି, ମୋର ଚେତା ବୁଡ଼ି ଯାଇଥିଲା । ଏବେ ସେ କେମିତି କୋଉଠି ଅଛନ୍ତି, ସେକଥା ମୁଁ ଜାଣିନାହିଁ । ଭୟରେ ମୁଁ ଆରୁ ରତଟିରେ ବାହାରକୁ ବାହାରି ନ ଥିଲି । ଏବେ ଲୋକମାନଙ୍କର ହୋ-ହଲ୍ଲା ଶବ୍ଦ ଶୁଣି ମୁଁ ପଦାକୁ ବାହାରିଛି । 

ସବୁକଥା ଶୁଣିସାରି ଗମ୍ଭୀରହୋଇ ମହାନ୍ତି ବାବୁ ଥାନାକୁ ଯିବାକୁ ବାହାରିଲେ । ବାହାରେ ଶୁଣା ଯାଉଥିଲା ଯୁବକମାନଙ୍କର -ହୋ-ହାଲ୍ଲା । 

ନବଘନ ଭାଇ-ଜିନ୍ଦାବାଦ, ଜିନ୍ଦାବାଦ । 

-ବସ୍ତି ସୁରକ୍ଷା କମିଟି-ଜିନ୍ଦାବାଦ, ଜିନ୍ଦାବାଦ ।

-ଆମର ସଂଗ୍ରାମ-ଅମର ରହେ, ଅମର ରହେ ।



Rate this content
Log in

Similar oriya story from Tragedy