Padmalaya Padhy

Tragedy

3  

Padmalaya Padhy

Tragedy

ବସନ୍ତ ଋତୁ

ବସନ୍ତ ଋତୁ

4 mins
205



ଏ ଯେଉଁ ଫେବୃଆରୀ ମାସଟା ଆସେ ନା ଯାହା କୁହ ମସ୍ତ ମାସ ଗୋଟେ l ଏହା ପୁଣି ବସନ୍ତ ଋତୁ ମାନେ ଋତୁରାଜ l ଯେତେ ସବୁ ପ୍ରେମ ରୋମାନ୍ସ ପାଇଁ ବସନ୍ତ ଋତୁର ସ୍ୱାତନ୍ତ୍ର୍ୟ ରହିଛି ନହେଲେ ଆମକୁ ସେଇ ଋତୁର ନାମ ଜାଣି କଣ ହେବ l ନା ଆମର ପ୍ରେମ ଅଛି ନା କେହି ପ୍ରେମିକ ଅଛି l ତେଇଶି ବର୍ଷର ବନାନୀ ମିଶ୍ର ମାସିକ ତିରିଶ ହଜାରର ଚାକିରୀ କରିସାରି ମୁଁ ପ୍ରେମର ସନ୍ଧାନରେ ଥାଏ l ଏମିତି ତ ଦି ଚାରିଟା କମେଣ୍ଟ କେବେ କେମିତି ରାସ୍ତା ଘାଟରେ ଫଟା ରସିକ ମାନେ ଉପହାର ଦେଇଥିବେ ହେଲେ ପ୍ରକୃତ ପ୍ରେମ ସେ ଯାଏଁ ମିଳି ନଥିଲା l ସେଦିନ ନାନୀ ବାହାଘର ଦିନ ତା ଦିଅରକୁ ଫିଟାଫାଟ ଦେଖି ମୋ ସାଙ୍ଗ ମାନେ କହିଲେ ବନି ଲୋ ଦେଖ କେଡେ ଛନ ଛନିଆ ଟୋକାଟା ହେଇଛି ଦେଖ l ମୁଁ କହିଲି ମଲା ମୋର ଛନଛନିଆ କଣ ଲୋ ଇଏ କଣ ଶାଗ ନା ଧନିଆ ପତ୍ର ହୋଇଛି ବା l ଲାଜେଇ ଯାଇଥିଲି ମନେ ମନେ l ତା ପରେ ନାନୀ ବିଦା ହେବା ସାଙ୍ଗେ ସାଙ୍ଗେ ତା ଦିଅର ଟୋକାଟିକୁ ବି ଭୁଲି ଯାଇଥିଲି l ୟାକୁ ତ ପ୍ରେମ କୁହା ଯିବ ନାହିଁ l ହଁ କିଛି ଗୋଟାଏ କାହା ସାଙ୍ଗରେ ପ୍ରଥମ ଦେଖାରେ ମୋର ହୋଇଥିଲା l ସେଦିନ କ୍ଲାସରେ ଲୋ ବି.ପି. ପାଇଁ ପଡି ଯାଉ ଯାଉ ଶ୍ରାବଣୀ ଧରି ପକାଇଥିଲା ମୋତେ l ସାଙ୍ଗମାନେ ସମସ୍ତେ ଧରା ଧରି କରି ମୋତେ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ l ସେତେବେଳେ ଏମରଜେନସି ଦାୟିତ୍ତ୍ୱରେ ଥିଲେ ଜଣେ ଡକ୍ଟର ଅଙ୍କିତ ମହାପାତ୍ର l ହସ୍ପିଟାଲରେ ସମସ୍ତ ଉପଚାର କରିସାରି ଭଡା ଅଟୋ ପର୍ଯ୍ୟନ୍ତ ଛାଡିବା ପାଇଁ ଚାଲି ଆସିଥିଲେ l ଅଟୋରେ ମୋତେ ଏକାକୀ ଛାଡ଼ିଦେଇ ନଥିଲେ ତା ସହ ତାଙ୍କ ହୃଦୟଟି ମଧ୍ୟ ଛାଡି ଦେଇ ଯାଇଥିଲେ l ଅସମ୍ଭବ ରୂପେ ଗମ୍ଭୀର ଲାଗୁଥିବା ଅଙ୍କିତଙ୍କ ଉପଦେଶ ହସ୍ପିଟାଲ ବେଡ଼ରେ ଶୁଣୁ ଶୁଣୁ କେତେ ମନେ ରହିଲା କେତେ ବୁଝିଲି ଜାଣି ନାହିଁ କିନ୍ତୁ ସେ ମୋତେ ଭଲ ଲାଗିବାକୁ ଲାଗିଥିଲେ l ଗୋଟେ ସପ୍ତାହ ପରେ ଆସିବା ପୁଣି ଦେଖାଇବା ପାଇଁ କହିଥିଲେ ମଧ୍ୟ ପାଞ୍ଚ ଦିନ ପରେ ମୁଣ୍ଡ ବୁଲାଉ ଥିବାର ବାହାନା କରି ପୁଣି ଥରେ ହସ୍ପିଟାଲ ଚାଲି ଯାଇଥିଲି l ମୋ ଦେହ ଖରାପ ଶୁଣି ଅତ୍ୟନ୍ତ ବିଚଳିତ ହୋଇ ଯାଇଥିଲେ ସେ l ତାଙ୍କର ବ୍ୟସ୍ତତାକୁ ମୁଁ ମନଭରି ଉପଭୋଗ କରୁଥାଏ l ଦୁଇ ଘଣ୍ଟା ମୋତେ ହସ୍ପିଟାଲରେ ବସାଇ ରଖି ସମସ୍ତ ପରୀକ୍ଷା ନିରୀକ୍ଷା କଲା ପରେ ମୋତେ ଆଶ୍ୱସ୍ତିର ସହିତ ବିଦାୟ ଦେଲେ l ଏହା ପରେ ଆମେ ଅନେକ ଥର ଦେଖା କରିଛୁ ଏବଂ ଫୋନରେ ବି କଥା ହୋଇଛୁ l ସିଧା ସଳଖ ନକହିଥିଲେ ବି ମୁଁ ଜାଣି ପାରୁଥିଲି ଅଙ୍କିତ ମୋତେ ସବୁଦିନ ପାଇଁ ନିଜର କରିନେବେ l ଅନେକ ଆଶା ଥାଏ l ତାଙ୍କର ପସନ୍ଦ ନାପସନ୍ଦ ଜାଣିବାର ଅନୁସନ୍ଧିତ୍ସା କ୍ରମଶଃ ବଢ଼ି ବଢ଼ି ଚାଲିଥାଏ କେମିତି ନହେବ ଅବା ତାଙ୍କ ଘର ସଂସାର ସମ୍ଭାଳିବାକୁ ଅଛି ଯେତେବେଳେ ତାଙ୍କ ବିଷୟରେ ସବୁ କିଛି ଜାଣିବାକୁ ହେବ ନା ନାହିଁ l ସେ ଚଟପଟା ଖାଇବାକୁ ଭଲ ପାଆନ୍ତି ବୋଲି ୟୁ ଟ୍ୟୁବରୁ ଦେଖି ସେଗୁଡିକ ଶିଖୁଥାଏ ଯେ ବୋଉ କହେ ଚବିଶ ଘଣ୍ଟା କାହିଁକି ରୋଷେଇ ଘରେ ପଶିଛୁ ? ଏତେ ଗରମରେ ଝାଳ ନାଳ ହୋଇ କି ରୋଷେଇ କରୁଛୁ ତୁ ? ମୁଁ ଭାବେ ହଉ ଏବେ ବୋଉ ଏମିତି କହୁଛି ମୁଁ ଯେତେବେଳେ ସୁଗୃହିଣୀଟିଏ ହେବି ଏବଂ ଅଙ୍କିତଙ୍କର ଆଦର୍ଶ ପତ୍ନୀଟିଏ ହେବି ସେତେବଳେ ସେଇ ବୋଉ ହିଁ ବୁଲି ବୁଲି ମୋର ଗୌରବର ଗାଥା ଗାଇବ l


ସେଦିନ ହସ୍ପିଟାଲ ଖାଲି ଖାଲି ପ୍ରାୟ କେହି ନଥାନ୍ତି l ଅଙ୍କିତଙ୍କ ଡ୍ୟୁଟି ସରିଲା ସନ୍ଧ୍ୟା ଚାରିଟାରେ l ମୁଁ ଆସି ହସ୍ପିଟାଲରେ ତିନିଟାରୁ ଅପେକ୍ଷା କରିଥାଏ l ଚାରିଟା ପନ୍ଦରରେ ମୋର ବାଧ୍ୟ ବାଧକତାରେ ଅଙ୍କିତ ବାହାରିଲେ ମୋ ସାଙ୍ଗେ ଗନ୍ଧର୍ବ ବାଟିକା ପାର୍କକୁ l ମାତ୍ର ଦଶ ମିନିଟ ବସିଥିବୁ କି ନାହିଁ ଦେହ କେମିତି ଲାଗୁଛି କହି ମୋତେ ଛାଡି ଚାଲିଗଲେ l ଘର ଯାଏଁ ସୁଦ୍ଧା ଛାଡିବାକୁ ଗଲେ ନାହିଁ l ସେ ଗଲା ପରେ ନାରୀ ସୁଲଭ ଈର୍ଷାତୁର ମନୋଭାବ ନେଇ ମୁଁ ଦୁନିଆଯାକର କଥା ଭାବିଦେଲି l ବୋଧହୁଏ ଅଙ୍କିତଙ୍କର ଆଉ କୋଉ ଝିଅ ସହ ସଂମ୍ପର୍କ ଅଛି l ବୋଧହୁଏ ସେ ତାକୁ ବିବାହ କରିବାକୁ ଚାହୁଁଛନ୍ତି l ବୋଧହୁଏ ମୋ ଠାରୁ ତାଙ୍କର ମନ ଭାଙ୍ଗି ଗଲାଣି ଇତ୍ୟାଦି ଇତ୍ୟାଦି l ହଉ ଯାହା ହେବ ହେଉ ସିଏ ନିଜ ଆଡୁ ଫୋନ ନକରିବା ଯାଏଁ ମୁଁ ବି ତାଙ୍କୁ ଫୋନ କରିବି ନାହିଁ l ଘରକୁ ଫେରି ପ୍ରାୟ ଘଣ୍ଟାଏ ଧରି ଏଣୁ ତେଣୁ ଭାବିବା ପରେ ପରିଶେଷରେ ନିଜ ଆଡୁ ତାଙ୍କ ନମ୍ବର ଲଗାଇଥିଲି l ତିନି ଚାରିଥର ଲଗାଇବା ପରେ ଜଣେ ସ୍ତ୍ରୀ ଲୋକ ଫୋନ ଉଠାଇ ହେଲୋ କଲେ l ଓହୋ ତେବେ ଇଏ ହେଉଛି ସିଏ ଯାହା ପାଇଁ ଅଙ୍କିତ ମୋତେ ପାର୍କରେ ଏକୁଟିଆ ଛାଡି ଚାଲି ଯାଇଥିଲେ l ନିଜକୁ ଅତି ନିୟନ୍ତ୍ରଣ ରେ ରଖି କହିଲି ହେଲୋ ମାମ ମୁଁ ବନାନୀ କହୁଛି ଅଙ୍କିତଙ୍କର ଗୋଟେ ପେସେଣ୍ଟ l ଗୋଟେ ମେଡ଼ିସିନକୁ ନେଇ ଟିକିଏ ଅସୁବିଧା ଥିଲା ତାଙ୍କୁ ଫୋନଟା ଦେବେ କି ? ସେ ପଟରୁ କାନ୍ଦ କାନ୍ଦ ହୋଇ ସ୍ତ୍ରୀ କଣ୍ଠଟି କହିଲା

—ମୁଁ କିଟୁର ଭଉଣୀ କହୁଛି l କିଟୁ ଆଉ ନାହିଁ l

ଅଙ୍କିତଙ୍କର ଡାକ ନାଁ ହେଳା କିଟୁ l କିଟୁ ନାହିଁ ମାନେ କଣ ? ମୋ ପାଖରୁ ଫେରିବା ପରେ ଘରକୁ ନ ଆସି ଆଉ କୋଉ ଝିଅ ସହିତ…l ମହିଳା ଜଣଙ୍କ ପୁଣି କହିଲେ l

—ଅଧ ଘଣ୍ଟାଏ ତଳେ ହାର୍ଟ ଆଟକରେ କିଟୁ ଚାଲିଗଲା l ଏତିକି କହି ଫୋନରେ ତାଙ୍କ କାନ୍ଦିବା ସ୍ୱର ଶୁଭିବା ପୂର୍ବରୁ ଫୋନ କାଟି ଦେଇଥିଲେ l

ସ୍ତବ୍ଧ ହୋଇଗଲା ମୋର ପୃଥିବୀ l ବସନ୍ତ ଋତୁଟି ଦାରୁଣ ନିଦାଘରେ ପରିଣତ ହୋଇ ଯାଇଥିଲା l ସରି ଯାଇଥିଲା ମୋର ପୃଥିବୀ l ସେବେଠାରୁ ବସନ୍ତ ଋତୁ ଆସିଲେ ମୋ ପାଇଁ ଦୁନିଆଟା ନର୍କରେ ପରିଣତ ହୋଇଯାଏ l ନା ପ୍ରେମର କାମନା ଆଉ ଅଛି ନା ଋତୁର ମାଦକତା l ଅଙ୍କିତ ଗଲେ ସବୁକିଛି ଚାଲିଗଲା l



Rate this content
Log in

Similar oriya story from Tragedy