ବର୍ଷା
ବର୍ଷା
ବର୍ଷା ଆସିଛି,ନୀଳ ଆକାଶର କଳା ବାଦଲ ଭିତରକୁ,ଚଷା ପୁଅର ବିଲମାଳକୁ , ଗାଁ ଦାଣ୍ଡରେ କାଗଜ ଡ଼ଙ୍ଗା ଭସାଇବାକୁ, ନାଲି ଗୁଲୁଗୁଲୁ ସାଧବ ବୋହୁର ଠୁକୁଠୁକୁ ଚାଲି ଦେଖିବାକୁ । ପୁଣି ଆସିଛି ସପନି ମାର ଛଣ ଭିଜା ଚାଳ ଦେଇ ତା ଘର ଭିତରର ମାଟି ଛୁଇଁବାକୁ ,ଭିଜା ମାଟିର ବାସ୍ନା ବାଣ୍ଟିବାକୁ । ଏହି ଭିଜା ମାଟିର ବାସ୍ନା କିଛି ନୂଆ ନଥିଲା ,ପ୍ରତି ଦିନ ମାଟି କୁ ପାଣିରେ ଭିଜେଇ ଇଟା ଗଢ଼ିବା ପାଇଁ ଦାଦନ ଖଟୁ ଥିବା ସପନି ମା'ର ପରିବାର ପାଇଁ,କିନ୍ତୁ ବର୍ଷା ଭିଜା ମାଟିର ବାସ୍ନା ଯେତେବେଳେ ଚାରି ଆଡ଼େ ଖେଳି ଯାଏ ,ସପନି ମା'ର ମନ ଖୁସି ରେ ଲହଡି ଖେଳେ ,ଦାଦନ ରୁ ଘର ବାହୁଡି ବାର ବେଳ ହୋଇ ଯାଏ । ନିଜ ଗାଁ ଦାଣ୍ଡ ,ବିଲ ମାଳ ତାର ମନେ ପଡି ଯାଏ,ମନେ ପଡିଯାଏ,ଆକାଶକୁ ଆଁ କରି ରହିଥିବା ତା ଘରର ଛାତଟା ,ସାପ ବେଙ୍ଗକୁ ଆଶ୍ରୟ ଦେଇଥିବା ଘରର କାନ୍ଥଟା ଓ ଦାଦନ ଖଟି ତା ଘରଟାକୁ ପକ୍କା କରିବାର ସଂକଳ୍ପଟା । ସପନି ମା'ର ଘର ତୋଳିବାର ସ୍ୱପ୍ନ କିନ୍ତୁ ସେମିତି ରହିଯାଏ। ଦାଦନ ଖଟି ତା ପରିବାର ଯେତିକି ପଇସା ଆଣିଥାନ୍ତି ,ରୋଗ ବାଧକ ,ବେଭାର ଉଚାର,ଲୁଗା ପଟା କିଣା ସାଙ୍ଗକୁ ଭଙ୍ଗା ଘରଟିକୁ ତାଳି ପକାଇବାରେ ସବୁ ପଇସା ସରିଯାଏ । ଗାଁ ର ମାଟି କାଦୁଅରେ ପୁଣି ଘାଣ୍ଟି ନହେଲେ ପେଟକୁ ଦିମୁଠା ଦାନା ମିଳେନି । ଏ ସନ ବର୍ଷା କିନ୍ତୁ ସପନି ମାଆ କୁ ଦେଉଥିଲା ଦୁଇ ଗୁଣ ଖୁସି । ତିନି ବର୍ଷ ହେଲା ପରିବାର ସହ ଦାଦନ ନ ଖଟି ନାତି ଟୋକାଟାକୁ ଧରି ବାର ଘର ପାଇଟି କରି ଗାଁ ସ୍କୁଲରେ ପାଠ ପଢ଼ଊ ଥିଲା,ଟୋକାଟା ସ୍କୁଲରେ ଫାଷ୍ଟ ହେଇଚି । ସବୁ ଦିନ ଭଙ୍ଗା ଘରଟା ଅଗରେ ଚିତା ପକେଇ ଲକ୍ଷ୍ମୀ ଠାକୁରାଣୀଙ୍କୁ ଡାକିଛି ।ଗାଁ ୱାଡ଼ ମେମ୍ବର ସାଙ୍ଗେ ମିଶି ପତକା ଧରି କେତେ,ସଭାକୁ ଯାଇଚି,ତା ଘର ଟା ପାଇଁ,ଆଉ ତାର ସରକାରି ପକ୍କା ଘର ଟା ବି ହେଇଯାଇଛି। ବର୍ଷା ଟା କେତେ ଦିନୁ ହେଲାଣି,ଦାଦନ ଯାଇଥିବା କେତେ ଲୋକ ଗାଁ କୁ ଫେରିଲେଣି ,ତା ଗେରସ୍ତ ,ପୁଅ ବୋହୁ ଏଯାଏଁ ଫେରୁ ନାହାଁନ୍ତି । ଗାଁ ରେ କୁହା କୁହି ହେଉଛନ୍ତି ସେଠି ଭାଟି ମାଲିକ ଅତ୍ୟାଚାରରେ କେତେ ଜଣ ଆରପାରିକୁ ଚାଲି ଯାଇଛନ୍ତି,ଦାଦାନ ସର୍ଦ୍ଦାରର ବି ଦେଖା ନାହିଁ ,ତା ଫୋନ ବି କୁଆଡେ ଲାଗୁନି । ଏତେ ଖୁସିରେ ବି ,ଏ କଥା ଶୁଣି ସପନି ମା ର ମନଟା ଭାଙ୍ଗି ପଡୁଥିଲା।ହଠାତ କଳା ହାଣ୍ଡିଆ ବର୍ଷା ଟା ତା ନୂଆ ଘରଟା ଉପରେ ଅସରାଏ ବର୍ଷି ଦେଇ ଗଲା, ଠିକ ଯେମିତି, କିଛି କାରଣ ନଥାଇ ଇଟା ଭାଟି ମାଲିକ,ହଠାତ ତାଙ୍କ ଉପରେ ବର୍ଷି ଯାଏ।