BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ବର୍ଷା ତଥାପି ଭଲ

ବର୍ଷା ତଥାପି ଭଲ

3 mins
14.3K


.

ନଈ କୂଳରେ ଜନ୍ମ ହୋଇ ବର୍ଷା ଋତୁରେ ନଦୀ ବଢି ଦେଖି ଦେଖି କେତେ ଉପଭୋଗ କରିଥିଲା ସୁକନ୍ୟା । ଆଜି ସେସବୁ ସାତ ସପନ । ଓଲଟି ବର୍ଷା ନାଆଁ ଶୁଣିଲେ ନିଆଁ ଲାଗିଯାଏ ଦିହରେ ମନରେ । ବାପାଙ୍କର ଗେହ୍ଲୀ ଝିଅ ଅଭାବ ଅନାଟନ କ'ଣ ଜାଣି ନଥିଲା । ପାଠ ପଢାରେ ବି କମ ନଥିଲା । ସ୍କୁଲରେ ଶିକ୍ଷକ ମାନେ ବହୁତ ଭଲ ପାଉଥିଲେ । ମାଟ୍ରିକ ପଢୁ ପଢୁ ଗୋଡ ଖସିଗଲା ଭଲ ପାଇବାର ଅନ୍ଧ ଗଳିରେ । ରାସ୍ତାରେ ଯିବା ଆସିବା ବେଳେ ରସିକ ଶେଖର ଭଲ ପାଇବାର କିମିଆଁ କରି ଦେଲା ସୁକନ୍ୟା ଆଡଉ ଥାଏ ଅତୀତକୁ.......

ମାଟ୍ରିକ ସେକେଣ୍ଡ ଡିଭିଜନରେ ପାସ କଲା ପରେ ବାପା ଚେତାବନୀ ଦେଇ ସହରକୁ ପଠାଇ ଥିଲେ କଲେଜ ପଢିବା ପାଇଁ । ହେଲେ ରସିକ ସେଠି ବି ପିଛା କଲା । ସେ ବୟସରେ ବାପା ମା ସବୁ ମିଛ ସେଇ ଭଲ ପାଇବା ହିଁ ସତ ଦେଖାଯାଏ । ମୁଁ ବା ସେଥିରୁ ବାଦ ଯାଇଥାନ୍ତି କାହିଁକି ??

ଘରେ ତାଗିଦା ଆସିଲା ପାଠ ଛାଡିବାକୁ । ମୁଁ କିନ୍ତୁ ନିଷ୍ପତ୍ତି କଲି ରସିକକୁ ଛାଡି ବଂଚି ପାରିବିନି । ତେଣୁ ଅଠର ନପୁରୁଣୁ ଲୁଚି ପଳାଇଲି ଅଲଗା ସହରକୁ, ପାଠ ଛାଡି; ବାପା ମା ଘରଦ୍ବାର ସବୁ ପଛରେ ପକାଇ । ହେଲେ ସୁହାଗ ମୋର ବେଶୀ ଦିନ ରହିଲାନି । ସେ ବୁଝାଇଲା ମୋର ଚେନ୍ ମୁଦି ବିକ୍ରି କରି ଘରଭଡା ନେଇଯିବା । ସେ ରୋଜଗାର କଲେ ସବୁ ପୁଣି ଫେରାଇ ଆଣିବ । ହେଲେ ଅୟସ କରିବା ଓ ମୋ ଉପରେ ହୁକୁମାତି କରିବା ତାର ଅଭ୍ୟାସରେ ପଡିଗଲା ।

ମୋ ଚେନ୍ ବିକ୍ରି ପଇସାରେ ମଦ ବି ପିଇବା ଆରମ୍ଭ କରି ଦେଲା । ନିଜେ କାମ କରିବ କ'ଣ ଓଲଟି ମତେ ପଦାକୁ ଗୋଡ କାଢିବାକୁ ଧମକାଇଲା । ଯେଉଁ ଅଫିସକୁ ଗଲି ଛୋଟ ମୋଟ ଚାକିରି ଖଣ୍ଡେ ପାଇଁ, ଦୁଇ ଦିନ ନପୁରୁଣୁ ମୋ ଉପରେ ବାବୁ ମାନଙ୍କ ଖରାପ ନଜର ଯୋଗୁଁ କେଉଁଠି ବି ତିଷ୍ଠିବା ସମ୍ଭବ ହେଲାନି । ରସିକକୁ ଯେତେ ବୁଝାଇଲେ ମୋ ଈଜ୍ଜତର ମୂଲ୍ଯ ତା ପାଇଁ କିଛି ନଥିଲା । ଘରକୁ ଫୋନ କଲି ମା ପାଖକୁ । ମା ବି ରୋକଠୋକ ଶୁଣାଇ ଦେଲା "ବାପା ମୋ ରାସ୍ତା ସବୁଦିନ ପାଇଁ ବନ୍ଦ କରି ସାରିଛନ୍ତି ।"

ଥିଲା ଘରର ଅଲିଅଳି ଝିଅ ସୁକନ୍ୟା ଆଜି ପର ଘରେ ବାସନ ମାଜିବାକୁ ବାଧ୍ୟ ହେଲି । ଘରଭଡା ଦେଇ ନପାରି ବସ୍ତିରେ ନୁଆଁଣିଆ ଚାଳ ତଳେ ସଂସାର ବାନ୍ଧିଲି । ସେଥିରେ ପୁଣି ମଦୁଆ ସ୍ୱାମୀ ଓ ତିନିଟା ଉତାଣି ଛୁଆ ବେକରେ ବନ୍ଧା । ସେଥିରେ ଏ ନିଆଁ ଲଗା ବର୍ଷାର ଅଦୋଉତି । ଦିନ ସାରା ଖଟି ଖଟି ଅଧାପେଟରେ ନିଦ ଟିକେ ବି ଭାଗ୍ୟରେ ଜୁଟେନା । କଣା ଚାଳରେ ପାଣି ଗଳେ ଠା କୁ ଠା । ତାଟିଆ ଥାଳିଆ ଗିନା ଥୋଇ ସାରା ରାତି ବର୍ଷାକୁ ରୋକି ହୁଏ ନା । ତାଟି ପେଲି ଦମକା ପବନ ବର୍ଷା ପଶିଆସେ ଘରକୁ । ମଦ ପିଇ ସ୍ୱାମୀ ନାମକ ଜୀବଟି ଘୁଂଗୁଡି ଛାଡିଲା ବେଳେ ସାନ ପିଲାଙ୍କୁ କୋଳରେ ବସାଇ ସାରା ରାତି କଟିଯାଏ ।

ସକାଳ ପାହିଲେ ବର୍ଷା ଛାଡୁ କି ନଛାଡୁ ମତେ କାମକୁ ଯିବାକୁ ପଡିବ । ପ୍ରଥମ ବାବୁ ଘରେ କବାଟ ଠକଠକ କଲି । ମା'ଙ୍କ ବଦଳରେ କବାଟ ଖୋଲିଲେ ବାବୁ । ବର୍ଷା ଛିଟାରେ ଲୁଗା ଭିଜି ଭାରି ସନ୍ତର୍ପଣ ଲାଗୁ ଥାଏ । ମା'ଙ୍କ ଅନୁପସ୍ଥିତିର ସୁଯୋଗ ନେଇ ବାବୁ ମୋ ଶରୀର ସହ ଖେଳିବାକୁ ମତେ ଲୋଭ ଦେଖାଇଲେ । ବହୁ କାକୁତି ମିନତି ହେଲି ମତେ ଛାଡି ଦେବା ପାଇଁ । ସବୁ ନିଷ୍ଫଳ ହେଲା । ମତେ ଧମକାଇଲେ ଚୋରୀ କେସ୍ ମୋ ନାମରେ ଦେବେ ବୋଲି । ତଥାପି ତାଙ୍କୁ ପେଲି ଦେଇ ମୁଁ ଧାଇଲି କବାଟ ଖୋଲି ଏକ ନିଶ୍ୱାସରେ ।

ଆଖି ଖୋଲିଲା ବେଳକୁ ନିଜକୁ ଆବିସ୍କାର କରି ଡାକ୍ତରଖାନାର ଖଟିଆରେ । ଜାଣିବାକୁ ପାଇଲି ବର୍ଷାରେ ଦଉଡି ଦଉଡି ଆସୁଥିବା ବେଳେ କେଉଁ ଗାଡି ଚକା ତଳେ ଆସି ଯାଇଥିଲି । କେଉଁ ସହୃଦୟ ବ୍ୟକ୍ତିଙ୍କ ଦୟାରୁ ମୁଁ ଡାକ୍ତରଖାନାରେ । ରସିକ ଖବର ପାଇ ଧାଇଁ ଆସିଥିଲା ଡାକ୍ତରଖାନା । ଜର ଶର୍ଦ୍ଦିକୁ ଖାତିର ନକରି ଦିନରେ ମଜୁରି ଖଟୁଥିଲା ଓ ରାତିସାରା ମୋ ଖଟିଆ ପାଖରେ ଲୁହ ଢାଳୁଥିଲା । ମୁଁ ଆଖି ଖୋଲିବାରୁ ମୋ ମୁଣ୍ଡ ଛୁଇଁ ପ୍ରତିଜ୍ଞା କଲା ଏଣିକି ମୋ ସିନ୍ଦୁରର ମହତ ରଖିବ ବୋଲି ।

ମୋର ଆଉ ବର୍ଷାକୁ ଖାତିର ନଥିଲା । ରସିକ ହାତ ଧରି ବର୍ଷାରେ ଭିଜି ଭିଜି ଆମେ ଚାଲିଥାଉ ଆମ କୁଡିଆକୁ । ଘରେ ପହଂଚି ଆଶ୍ଚର୍ଯ୍ଯର ସୀମା ରହିଲା ନାହିଁ । ମୋ ବୋଉ ରୋଷେଇ କରୁଥିଲା ଆଉ ବାପା ମୋ ପିଲାଙ୍କୁ କୋଳରେ ଧରି ଗପ ଶୁଣାଉ ଥିଲେ "ଘୋର ବର୍ଷା କାଳରେ ରାମଚନ୍ଦ୍ର ସୀତାଙ୍କୁ ହରାଇ .........

ବିଶ୍ଵେଶ୍ୱର ମାଝୀ

majhibisweswar@gmail.com


Rate this content
Log in

Similar oriya story from Inspirational