ବୋଉର ଉତ୍ତର
ବୋଉର ଉତ୍ତର
ବାପାଙ୍କ ଦେହାନ୍ତ ପରେ ବୋଉ ଭାଙ୍ଗି ପଡିଥାଏ । ଆଗେ ମନ ହେଲେ ମୋ ପାଖକୁ କିମ୍ବା ଅନ୍ୟ ଭାଇମାନଙ୍କ ପାଖକୁ ପଳେଇ ଆସୁଥିଲା । ଏବେ କିନ୍ତୁ ଆଉ କୁଆଡେ ଯିବାକୁ ମନ ବଳୋଉନି । ମଝିରେ ମଝିରେ ଛୁଟି ଦେଖି ଗାଆଁ ଆଡେ ବୁଲି ଆସେ ବୋଉକୁ ଦେଖିବା ପାଇଁ । ସେଦିନ ବୋଉର ଗୋଡ ପାଖେ ବସି ତାକୁ ଟିକିଏ ଖୁସି ଖବରଟା ଦେବାକୁ ଚାହିଁଲି ।
: ବୋଉ ଭୁବନେଶ୍ୱରରେ ଗୋଟେ ପ୍ଲଟ୍ କିଣିଲି । କିଛି କହିଲାନି ବୋଉ । ଭାବିଲି ବୋଧହୁଏ ଅନ୍ୟମନସ୍କ ଅଛି ।
ପୁଣି ଥରେ ଦୋହରାଇଲି – ବୋଉ ! ଭୁବନେଶ୍ୱରରେ ଗୋଟେ ଜାଗା କିଣିଲି ।
: ଆରେ ଭୁବନେଶ୍ୱରରେ କାହିଁକି କିଣିଲୁ ? ଗୁଡାଏ ପଇସା ଲାଗିଥିବ । ସେହି ପଇସାରେ ଗାଆଁରେ ଭଲ ଘରଟେ କଲୁନି ।
: ଗାଆଁରେ କ’ଣ ସବୁ ଦିନ ରହି ହେବ ?
: କାହିଁକି ଗାଆଁରେ କ’ଣ ଅସୁବିଧା ଅଛି ? ପରିବା, ମାଛ, ଚୁଡା, ମୁଢି ସବୁ ତ ଗାଆଁକୁ ବିକା ଆସୁଛି । ରାସ୍ତାଘାଟ ତ
ଚାରି ଆଡେ । ପାଖରେ ତ ମାର୍କେଟ୍ ହେଲାଣି । ଇଲେକ୍ଟ୍ରିକ୍ , ପାଣି ପାଇପତ ଲାଗିଲାଣି । ଅସୁବିଧା କେଉଁଠି ?
: ଏଠି ପାଖାପାଖି ଭଲ ସ୍କୁଲ୍ ନାହିଁ ।
: କାହିଁକି ? ଏଇ ଗାଆଁ ସ୍କୁଲରୁ ତ ପାଠ ପଢି ତୁମେମାନେ ଅଫିସର ହେଲ । ଆର ସାହି ମହାପାତ୍ର ଘର ପୁଅ ଡାକ୍ତର ହେଲା । ପଟ୍ଟନାୟକ ଘର ପୁଅ ଓ।ଏ।ଏସ୍ ପାଇଲା ।
: ହଁ.........ଯେ..........
: କ’ଣ ହଁ.........ଯେ.......... ?
: ଆଜିକାଲି ଏ ସ୍କୁଲରେ କିଏ ପିଲାଙ୍କୁ ପଢୋଉଛି ? ଭୁବନେଶ୍ୱର ଅଲଗା । ଆଜିକାଲି ଯେମିତି ରୋଗ ବାହାରିଲାଣି, ଡର ଲାଗୁଛି । ଏଠି ହସ୍ପିଟାଲ୍ କାହିଁ ?
: ଟିକିଏ ଚୁପ୍ ରହି ବୋଉ କହିଲା, ‘ବାପାଙ୍କୁ ତ ଭୁବନେଶ୍ୱର ବଡ ହସ୍ପିଟାଲ୍ ନେଇ ଯାଇଥିଲ । କ’ଣ ହେଲା ?’
ବୋଉର ପ୍ରଶ୍ନର ଉତ୍ତର ଦେବାକୁ ମୋ ପାଖରେ ଭାଷା ନ ଥିଲା ।