STORYMIRROR

Satyabati Swain

Inspirational

2.5  

Satyabati Swain

Inspirational

ବୋଉ ହାତ

ବୋଉ ହାତ

5 mins
409


ଆଜିକାଲି ଥଣ୍ଡା ମୋର ସଉତୁଣୀ ହୋଇରହିଛି । ମୋ ଭିତରେ, ହାଡ଼ ସନ୍ଧିରେ ବି ଘର କଲାଣି । ଟିକିଏ ନିରୋଳା ଜୀଇଁବାକୁ ଛାଡ଼ୁନି । ଯେତେ କହୁଛି ମୋ ସଂଗେ ଆନା. ଆନା ମୋ କଥା ଆଦୌ ଶୁଣୁନି । ଧେଡ଼ି କୁକୁର ପରି ଲାଗିଛି । ଖୁସି ବାସିଆ ଜୀବନ ଟିକେ ବଞ୍ଚିବାକୁ ମନ କହିଲା ବେଳକୁ ସେ ଧମକଉଛି । କୋଲଡ଼ ଡ୍ରିଂକ୍ସ, ଆଇସିକ୍ରିମ, ଫ୍ରିଜ଼ ଜିନିଷ ମୋତେ କଣେଇଁ ଚାହୁଁଛନ୍ତି । ଓଃ ତାଙ୍କର ଯେଉଁ ଚାହାଣି! ଦି ଫାଳ ହୋଇ ଯାଏ ଛାତି । କି ଛଟ ପଟ ଲାଗେ ଆଇସିକ୍ରିମ ପୁଣି ଷ୍ଟ୍ରବେରୀ ଓ ଭାନିଲା ଫ୍ଲେଭର ଯେତେବେଳେ ମୋତେ ଆଖି ମାରନ୍ତି ଆଃ ହାଣି ଦିଅନ୍ତି ମୋ ହୃଦୟ । ମୁହଁ ଶୁଖେଇ ଟିକେ ଅନେଇ ସନ୍ତୁଷ୍ଟ ହେବାକୁ ପଡେ ରାଢ଼ ବାପାର ଝିଅକୁ ପ୍ରେମ କଲା ପରି । ଭଲ କରି ପାଣି ଢାଳି ହୋଇ ଗାଧୋଇବା କି ମୁଣ୍ଡ ଟିକେ ସାମ୍ପୋକରି ଫୁର ଫୁର କରିବାକୁ ଜମା ଦଉନି । ମୋର ଗୋଟେ ମନ ଅଛି ନା ନାହିଁ । ବେଶୀ ନୁହେଁ ଟିକେ ସଅକ ହୁଅନ୍ତି ନାହିଁ । କହୁଛି ହୁସିଆର୍ ଯାଆନି କହୁଛି । ପାରିବୁ ନାହିଁ ସମ୍ଭାଳି । ମଲାଙ୍କ ପରି ଧକେଇବୁ । ଦରଜରେ ଫାଟି ପଡିବ ଦେହ ହାତ । ସିଙ୍ଘାଣି ବୋହିବ । ଜର ହେବ କାଶ କ’ଣ ଛାଡିବକି !!


ଯେତେ ଔଷଧ ପତ୍ର ଖାଇଲେ ବି କିଛି ଲାଭ ହେଲାନି । ଡାକ୍ତର କହିଛନ୍ତି ପାଣି,ପବନ ଓ ଥଣ୍ଡାକୁ ଜଗିବ । କି ହୋ କେମିତି ଜଗିବ । ମୁଁ ସ୍ତ୍ରୀ ଲୋକଟାଏ ବା । ପାଣି ମୋ ଘନିଷ୍ଠ ମଇତ୍ର ! ତାକୁ ଛାଡି କ୍ଷଣେ କି କେଉଁ କାମଟି ମୋ ଦେଇ ହେବ ! ମୁଁ ପା’ ପେଟ ଦରାଣ୍ଡିବା ଡିପାଟମେଣ୍ଟ୍ ମନ୍ତ୍ରୀ ! ବିନା ପାଣିରେ ପେଟ ପୁରାଇ ପାରିବି କେମିତି !

ବର୍ଷା ଓ ଶୀତ ପାଗ ହେଲେ ମୋର ଦେହ କଷ୍ଟ ବଢିଯାଏ । ରକ୍ତରେ ଥଣ୍ଡା ଜୀବାଣୁ ହାଉ ଯାଉ ଯେହେତୁ ।

ଏଇ ବର୍ଷା ସକାଳୁଆ ସ୍କୁଲ ଓଦା ହୋଇଗଲି । ଓଃ ମୋ ସଉତୁଣୀ ମୋତେ ତଳେ ପକାଇ ମାଡି ବସିଛି । ହଲିବାର ଜୁ ନାହିଁ ଆଉ । ପାଦ ତଳେ ଥାପି ପାରୁନି ଏତେ ଦରଜ । ଆଉ ଏମିତି ସମୟରେ ମନେ ପଡୁଛି ମୋ ବୋଉ । ବୋଉ ମୋତେ ଛାଡ଼ି କେବେଠୁ ଆକାଶରେ ତାରା ହୋଇଗଲାଣି । କିନ୍ତୁ ମୁଁ ତାକୁ ପ୍ରତି କ୍ଷଣେ ଅନୁଭବ କରେ ମୋ ଭିତରେ । କଷ୍ଟ ହେଲେ ବୋଉ ଲୋ ହେ ବୋଉ ବୋଲି ପାଟିରୁ ବାହାରି ଆସେ ଛାଏଁ ଛାଏଁ ।

ଆଜି କାହିଁକି ବେଶୀ ମନେ ପଡୁଛି ବୋଉ । ମୋତେ ଯେତେବେଳେ ଅଧିକ ଥଣ୍ଡା ହୁଏ ସେ ସୋରିଷ ତେଲରେ ରସୁଣ ପକାଇ ନିଆଁରେ ଫୁଟାଇ ଘଷି ଦିଏ ପାଦ, ପାପୁଲି ବେକ ଓ ମଝି ଶିରା ମେରୁଦଣ୍ଡ । ଆଃ କି ଉଶ୍ୱାସ ଲାଗେ ? ଖାଇବାରେ ଏତେ ବଡ଼ ହେଲେ ବି ମୋର ଭାରି ବରା ବରି ଗୁଣ । ଏଇଟା ଖାଇବି ନି, ସେଇଟା ଖାଇବି ନି ନଖରାମି । ଥଣ୍ଡା ତ ଏମିତିରେ ସବୁବେଳେ ମୋତେ ଗୋଡେ ଗୋଡେ ଜଗିଥାଏ । ଏଇଟା କିଛି ନୂଆ କଥା ନୁହେଁ ମୋ ପାଇଁ । ହେଲେ ଯେବେ ଅଧିକ ହୋଇଯାଏ ଓଃ ନିଃଶ୍ୱାସ ନେବାରେ ଚାଲିବାରେ ବି ଅସହ୍ୟ କଷ୍ଟ ହୁଏ । ପାଟିକୁ ପାଣି ସରିକି ପିତା ଲାଗେ । ଖାଇ ପାରେନି କିଛି । ଏମିତି ବେଳେ ମୋ ବୋଉ ଗୋଟେ ଆଶ୍ଚର୍ଯ୍ୟ ତରକାରୀ ମୋ ପାଇଁ କରେ । ସେଇଆକୁ ଲଗାଇ ମୁଁ କିଛି ଭାତ ଖାଏ ।

ଥଣ୍ଡା ହେଲା ମାନେ ବୋଉ ମୋ ପାଇଁ ସେଇ ତରକାରୀଟି ନିଶ୍ଚେ କରେ । ତା ହେଲା ସଜନା ଶାଗ ପାଣି । ବୋଉ କଡେଇରେ ଅଳ୍ପ ତେଲରେ ଫୁଟଣ ଓ ଲଙ୍କା ପକାଇ ଦିଏ । ସେ ଫୁଟି ଆସିଲେ ପାଣି ଢ଼ାଳେ । ଲୁଣ ହଳଦି ପକାଏ । କଡେଇରେ ପାଣି ଫୁଟି ଆସିଲେ କି

ଛି ସଜନା ଶାଗ ପକାଇ ଦିଏ । ସଜନା ଶାଗ ଫିକା ସିଝା ହୋଇଗଲେ ରସୁଣ ଚାରି ପାଞ୍ଚ ଖୋଲା ଛେଚି ପକାଇ ଦିଏ ଓ ଚୁଲିରୁ କଡେଇ ଓହ୍ଲେଇ ଦିଏ । ଗରମ ଗରମ ମୋତେ ଖାଇବାକୁ ଦିଏ । ସତକୁ ସତ ମୁଁ ମହା ଆନନ୍ଦରେ କିଛି ଭାତ ଖାଇନିଏ ।


ସତରେ ବୋଉ ହାତ ତିଆରି ଆଳୁ ଚକଟାର ବି ସ୍ୱାଦ କେମିତି ଗୋଟେ ନିଆରା ନିଆରା । କି ଯାଦୁ ଥାଏ ତା ହାତରେ! । ଯାହା ଛୁଇଁ ଦେବ କି ବାସ୍ନା କି ସ୍ୱାଦ ! ଦେହ ଖରାପ ହେଲେ ବେଶୀ ମନେ ପଡେ ସେ । ପ୍ରାଣ ବୋଉ ବୋଉ ହୋଇ ଭୋ ଭୋ ହୁଏ । ବୋଉ ଲୋ କେମିତି ଏତେ ଶୀଘ୍ର ମୋତେ ଏକା ଛାଡି ଚାଲିଗଲୁ । ଏବେ ମୁଁ ବି ବୋଉ ହେଲେଣି । କିନ୍ତୁ ମୋ ବୋଉ ପରି ମୁଁ ହେଇ ପାରିନି,ପାରିବିନି ବି । ମୋତେ ବାଧା ହେଲେ ରାଗିଯାଏ ମୋ ପିଲାଙ୍କ ଉପରେ । ମାରେ,ଗାଳି କରେ ବି । ହେଲେ ମୋ ବୋଉ ଦିନେ କେବେ ମୋତେ ଗାଳି କି ମାଡ଼ ଦେବା ଜମା ମନେ ନାହିଁ । କେମିତି ସମ୍ଭାଳି ଥିଲା ପାଞ୍ଚଟି ଛୁଆ ! ବୋଉର ପୁଣି ଶାଶୁ ନ ଥିଲା । ଶଶୁର ସୁଦୁ ବଦ ରାଗି । ଶାଶୁଙ୍କୁ ଅତି କମ ବୟସରେ ଶଶୁର ହରେଇ ଥିଲେ । ଏଣୁ ବୋଉକୁ ମିଳି ନ ଥିଲା ଶାଶୁ ସୁଖ କି ଦୁଃଖ ।

ନଣନ୍ଦ ଦୁଇଜଣ କୁନି କୁନି । ବାପାଙ୍କୁ ଦେଢ଼ ବର୍ଷ ହେଲା ବେଳକୁ ଶାଶୁ ମରି ଯାଇଥିଲେ । ବଡ଼ ଆଣ୍ଡୁଆ ଆଣ୍ଟୁଆ ଶଶୁର । ବାପା ପୁଣି ବାହାରେ ଚାକିରୀ କରନ୍ତି । କେମିତି ପାରୁଥିଲା ବୋଉ ସବୁକୁ ! ଦୁଇ ଜଣ ନଣନ୍ଦ ଓ ଆମେ ଗୋଟେ ପରେ ଗୋଟେ ପାଞ୍ଚ ଭାଇ ଭଉଣୀ । ଖଟି ଖଟି ବୋଉ ମୋତେ ଚଉଦ କି ପନ୍ଦର ବର୍ଷ ହେଲା ବେଳକୁ ଚାଲିଗଲା । ସବୁଠୁ ସାନ ମୁଁ । ସବୁବେଳେ ଥାଏ ବୋଉ କୋଳେ । ବୋଉ କୋଳ ଛାଡି ବଞ୍ଚିବା କି କଷ୍ଟ ତାହା ଲେଖିବାକୁ ଅଭିଧାନ ଭାଷା ନିଅଣ୍ଟ ହୋଇଯିବ । କେବଳ ଅନୁଭବୀ ବୁଝି ପାରିବ ସେ ଦରଜ ଭାଷା ।


ଯେବେ ମୋ ଦେହ ହୁଏ ମନେ ପଡେ ବେଶୀ ବୋଉ । ତା କୋଳରେ ଜାକିଜୁକି ପୁରାଇ ଦେଲେ ଅଧେ ରୋଗ ଛାଡି ଚାଲିଯାଏ । ତା ଗେଲ, ତା ହାତ ସ୍ପର୍ଶ, ତା ଛାତିର ଉଷୁମ ପଣିଆ ହରିନିଏ ଯନ୍ତ୍ରଣା । ପିଲା ଦିନୁ ରୋଗୀଣା ଶରୀର ମୋର ବୋଉ ମୁଣ୍ଡ ବିନ୍ଧା କାରଣ ହୋଇଥିଲା ।


ସବୁବେଳେ ଚେଷ୍ଟା କରେ ସେ ମୁଁ ଯେମିତି ଦି’ଟା ଖାଇବି । ଆମିଷ ଖାଏନି । ଏଣୁ ଡାଲି, ଆଳୁ ଓ ଶାଗ ମୋର ପ୍ରିୟ ଖାଦ୍ୟ । ସବୁଠାରୁ ବେଶୀ ସଜନା ଶାଗ । ଅନେକ କଥା ଏଇ ଶାଗକୁ ନେଇ ବୋଉ କରେ । ଶାଗ ମୁଗ, ଶାଗ ନଡ଼ିଆ, ଶାଗ କ୍ଷୀର, ଶାଗ ଆଳୁ ତରକାରୀ, ଶାଗ ସାରୁ ସିଝା, ଶାଗ ଡାଲି ବି । ପ୍ରାୟତଃ ସବୁଥିରେ ଦିଏ ରସୁଣ ଛୁଙ୍କ । କି ସ୍ୱାଦିଷ୍ଟ, କି ବାସ୍ନା ସେଇ ଖାଦ୍ୟର !


ମୁଁ ଚେଷ୍ଟା କରିଛି ଏସବୁ ବ୍ୟଞ୍ଜନ ପ୍ରସ୍ତୁତ କରିବାକୁ । କରିଛି ବି । ହେଲେ ବୋଉ ପ୍ରସ୍ତୁତ ସଜନା ଶାଗ ତରକାରୀ ପରି କୌଣସି ଦିନ ବି ଲାଗିନି । ଏଇଟା ବି ମୁଁ ଜାଣିଛି କେବେ ବୋଉ ତରକାରୀ ପରି ମୋ ତରକାରୀ ଲାଗିବ ନାହିଁ । ସେ ସ୍ୱାଦ ନିଆରା ସେ ବାସ୍ନା ଅପୂର୍ବ । ଯାହା ଏବେ କେବଳ ମନେ ପକାଇ ଲୁହ ନିଗାଡ଼ି ପାରିବି । କିନ୍ତୁ ସତ ସତିକା ସେ ସେହ୍ନ ମମତା ଆଉ କାହୁଁ ପାଇବି ! କାହୁଁ ମିଳିବ ବୋଉ ହାତ ସ୍ପର୍ଶ, ସୁଆଗ ନା ସ୍ୱାଦ !

ବୋଉ ଫଟୋ ପୋଛୁ ପୋଛୁ ମୋ ଆଖିର ଲୁହ କେଇ ବୁନ୍ଦା ବୋଉ ଆଖିରେ ପଡିଗଲା । ଧାର ହୋଇ ବହି ଆସିଲା ତଳକୁ । ଲାଗୁଥିଲା ବୋଉ ବୋଧେ ମୋ ପାଇଁ କାନ୍ଦୁଛି ଫଟୋରେ ।


Rate this content
Log in

Similar oriya story from Inspirational