Himalini Hota

Inspirational

4  

Himalini Hota

Inspirational

ବୋହୁର ଜୀବନ

ବୋହୁର ଜୀବନ

4 mins
386


ମଥାରେ ଓଢଣୀ,ସିଂନ୍ଥିରେ ସିନ୍ଦୁର ,ହାତରେ ଶଙ୍ଖl,ପାଦରେ ଅଳତା ପିନ୍ଧି ଯେତେବେଳେ ବାପ ଘର ଏରୁଣ୍ଡି ବନ୍ଧ ଡେଇଁ ଶାଶୂଘରେ ପାଦ ଥାପିଲା ଲିନା ସେତେବେଳେ ଜାଣିପାରିଲା ଶାଶୂଘର ଜୀବନର ଅସଲ କଷ୍ଟ।ଗୋଟିଏ ଝିଅର ପ୍ରକୃତ ଜୀବନ ଆରମ୍ଭ ହୋଇଥାଏ ତା ଶାଶୂଘରେ।

ପୂର୍ବରୁ ତ ଖାଇବା ପଢିବା କଲେଜ ଯାଇ ଆସିବା ଥିଲା ତାର ଧରାବନ୍ଧା ରୁଟିନ ଜୀବନ।କେତେବେଳେ ମନ ହେଲେ ନିଜ ଇଚ୍ଛାରେ ଯାଇ ମା ଙ୍କୁ କାମରେ ଟିକେ ସାହାଯ୍ୟ କରିଦିଏ।ସେତିକିରେ ମଧ୍ୟ ବାପାଙ୍କ ଆକଟ କାମରେ ମନ ଦେନି ପଢାରେ ଧ୍ୟାନ କେନ୍ଦ୍ରିତ କରେ।ଭାରି ଭଲ ପାଠ ପଢୁଥିଲା ସେ ଛୋଟବେଳୁ।ବିନା ଟିଉସନରେ ବି ସବୁବେଳେ ପ୍ରଥମ ହୁଏ କ୍ଲାସରେ।

ଭଲ ପ୍ରସ୍ତାବ ଦେଖି ମନା କରିପାରିନଥିଲେ ବାପା ତାର। ଲିନା ତଳକୁ ପୁଣି ଆଉ ଦୁଇଟା ଝିଅ ,ବଡ଼ ଝିଅର ବାହାଘର ଜଲଦି ସରିଲେ ତ ପୁଣି ଅନ୍ୟ ମାନଙ୍କ କଥା ଚିନ୍ତା କରିବେ।ପୁଣି ବର ଘର ଝିଅ ବାହାଘର ପରେ ବି ଆମ ଘରେ ଲିନା ଝିଅ ପରି ରହି ପଢା ଆଗକୁ ନେଇ ପାରିବର ପ୍ରତିଶ୍ରୁତିରେ ବାହାଘର କାମ ଟିକୁ ଲିନାକୁ ମନେଇ ସାରିଦେଇଥିଲେ ବାପା ।( ବାହାଘର ଆଗର ପ୍ରତିଶ୍ରୁତି ବାହାଘର ସରିଲା ପରେ ଆଉ କାମ କରି ନ ଥାଏ)।ଲିନା ମଧ୍ୟ ଆଗକୁ ପାଠ ପଢା ଚାଲୁ ରହିବାର ଖୁସୀରେ ବାହାଘର ବେଦିରେ ବସିଗଲା।ମନରେ ତାର ତିଳେ ମଧ୍ୟ ଦୁଃଖ ନ ଥାଏ।ଗ୍ରାଜୁଏସନ ସରିବା ପରେ ପରେ ହିଁ ବାହାଘର ହେଇଯାଏ ତାର।

ଶଶୁର ବି କହିରଖିଥାନ୍ତି ଘରେ ତ କିଏ ନାହିଁ ମା ଟିଏ,ପୁଅ ଟିଏ ,ସେ ତ ସବୁବେଳେ ତାଙ୍କ କର୍ମ କ୍ଷେତ୍ରରେ ବାହାରେ ।ରୋଷେଇ କାମ ଘଣ୍ଟାଏ ଭିତରେ ସାରିଦେଲେ ଆଉ ବାକି ସମୟ ତକ କଣ କରିବ କଲେଜ ଯାଇ ଆସି ଆରାମରେ ପାଠ ପଢିପାରିବ କିଛି ଅସୁବିଧା ହେବ ନାହିଁ।ମନ ବହୁତ ଖୁସୀ ଥାଏ ଲିନାର ପାଠ ପଢ଼ା ବନ୍ଦ ହେବନି ଭାବି।

ପ୍ରଥମ ଦିନ ଗୃହ ପ୍ରବେଶ ପରେ ଯେତେବେଳେ ଶାଶୁ ଚୁପି ଚୁପି ଆସି କହିଲେ ଆଜି ସମସ୍ତ ଲୋକ ତତେ ଦେଖିବାକୁ ଆସିବେ କାହା ସହ କଥା ହେବୁନି ,ହାତେ ଲମ୍ବର ଓଢଣା ଟାଣି ବସିବୁ ,ଯେ କେହି ବୋହୁ ଦେଖିବା ପାଇଁ ଓଢଣା ଖୋଲିବ ଆଖି ବୁଜି ରହିବୁ ବଡ଼ ବଡ଼ ଆଖି କରି ତା ଆଖିରେ ମିଶେଇ କଥା ହେବୁନି।ଶଙ୍କି ଯାଇଥିଲା ମନଟା ତାର ହଟାତ ଘରେ ନ ପଶୁଣୁ ଚାଳ ବାଜିଲା ପରି କଥା ।ସେ କଣ ଅଶିକ୍ଷିତ ହେଇଛି କି କିଏ କଣ ପଚାରିଲେ ବି ଚୁପ ରହିବ ଯେ ? ତଥାପି କିଛି ନ କହି ମୁଣ୍ଡ ଟୁଙ୍ଗାରି ଚୁପ ରହିଲା।ଏ କଥାରୁ ତାକୁ ଜଣା ପଡୁଥିଲା ତାର ଆଗତ ଭବିଷ୍ୟତର ପଢା ଜୀବନ କିପରି ସଂକଟାପର୍ଣ୍ଣ ଅବସ୍ଥାରେ ଅଛି।ଆଉ ତ କିଛି ଉପାୟ ନ ଥିଲା କେହି ମଧ୍ୟ ସେଠାରେ ନାହାନ୍ତି ତା ଗୁହାରି ଶୁଣିବାକୁ ଘରୁ ଯେଉଁମାନେ ଆସିଥିଲେ ସେମାନେ ବି ଚାଲିଗଲେଣି ।ସେ ଯେ ବର୍ତ୍ତମାନ ପଞ୍ଜୁରୀ ଭିତରେ ସାରୀ ସେ କଥା ବୁଝିବାକୁ ଆଉ ବାକି ନଥିଲା।

ବାହାଘରର ସପ୍ତ ମଙ୍ଗଳା ଦିନ ତାର ରେଜଲ୍ଟ ପ୍ରକାଶିତ ହେଲା। ବାପା ତାର ଫୋନ ଦ୍ୱାରା ଯେତେବେଳେ ଜଣେଇଲେ ଲିନା ପୁରା ୟୁନିଭେରସିଟି ରେ 6th ଟପର ହେଇଛି ଖୁସୀରେ ବହେ ନାଚିଗଲା ସେ ।ଫାଷ୍ଟ କ୍ଲାସ ଅନର୍ସ ଵିଥ ଡିଷ୍ଟିନସନ ।ଗୋଡ଼ ତାର ତଳେ ଲାଗୁ ନଥାଏ।କିନ୍ତୁ ତାର ଏତେ ବଡ଼ ସଫଳତାରେ ପରିବାରର ଆଉ କାହା ମୁହଁରେ ଆଶାନୁରୂପକ ଖୁସୀ ଦେଖିପାରିଲା ନାହିଁ ସେ।ପତି ଦେବ ମିଠା ଗୋଟିଏ ମୁହଁରେ ଗୁଞ୍ଜି ଦେଇ କହିଲେ ଭଲ ହେଲା ପୋଷ୍ଟ ଗ୍ରାଜୁଏସନରେ ଜଏନ କରି ଦେବା।ବାସ ସେତିକି।

ଶାଶୁ ମାମୁଁ ଶଶୁରଙ୍କ ଆଗରେ ଶୁଣେଇ ଶୁଣେଇ କହିଥିଲେ ,ହଁ ଏବେ ପଢିବି ପଢିବି ହେଉଛି ଦେଖିବୁ ଦିନ କେତେଟା ଗଲା ପରେ ବଳେ ପଢ଼ାରୁ ଓହରିଯିବ,ଆଗକୁ ଦେଖେ ! କଣ ହେଉଛି। ଲିନା ସାମ୍ନାରେ ଏ କଥା କହିବାରୁ ବହୁତ ମନ ଦୁଃଖ ହୋଇଯାଇଥିଲା ତାର ଆଖିରୁ ଶ୍ରାବଣର ବାରି ଧାରା ପରି ଲୁହ ଗଡିବାକୁ ଲାଗିଥିଲା ପଣତ କାନିରେ ଲୁହ ପୋଛି ଆଖିର ଲୁହ ଆଖିରେ ମାରି ଘର କାମରେ ମନ ଦେଇଥିଲା ସେ ।ବିଶ୍ୱାସ ଥିଲା ପତିଦେଵ ଓ ଶଶୁରଙ୍କ ଉପରେ ସେମାନେ ଆଗରୁ ପଢ଼ିବାର ନିର୍ଭର ପ୍ରତିଶ୍ରୁତି ଜୋଉ ଦେଇଥିଲେ ତାକୁ।ଶଶୁର କହିଯାଇଥିଲେ ବୋହୁ ମୋର ଯେତେ ପଢିବ ପଢୁ ତାର ପଢାରେ କେହି ବାଧା ଦେବ ନାହିଁ ।ମନରେ ଦୃଢ଼ ସଂକଳ୍ପ ଯେମିତି ବି ହେଉ ଯେତେ ବାଧା ବିଘ୍ନ ଆସୁ ମୁଁ ପାଠ ପଢ଼ିବି, ଭାବି ମନକୁ ସାନ୍ତ୍ୱନା ଦେଇ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳେଇଲା ସେ।

ଏଣ୍ଟ୍ରାନ୍ସ ପରୀକ୍ଷା ଦିନ ଡ୍ରେସ ଗୋଟିଏ ଆଣିଦେଇ ଲିନାକୁ ଦେଇ ପରୀକ୍ଷା ପାଇଁ ଜଲଦି ବାହାରିବାକୁ କହିଥିଲେ ପତି ଦେବ ଏ ସବୁ ଦେଖି ଶାଶୁ ମା ଦୃଢ଼ ପ୍ରତିବାଦର ସ୍ୱର ଉଠେଇ କହିଥିଲେ "କିରେ ଏଡ଼େ ଜଲଦି ମାଇପ ବୋଲକରା ହୋଇଗଲୁ ଦିନ ଏକୋଇଶ ଟା ହୋଇନି ମାଇପ ପାଇଁ ଖୋଳ ଧରି ଆସିଛୁ "?ପରୀକ୍ଷା ଦେବ ଯଦି ଦେଉ କିନ୍ତୁ ସେ ଶାଢ଼ୀ ପିନ୍ଧି ହିଁ ଯିବ ଖୋଳ ଗଳେଇ ନୁହଁ ।ବିଚରା ପତିଦେବଙ୍କୁ ଜୋ ସର ବାଜିଲା "ମାଇପ ବୋଲକରା "ପାଟି ଚୁପ ହୋଇଗଲା ତାଙ୍କର ,ସେ ଭଲ ଭାବେ ଜାଣନ୍ତି ଲିନାକୁ ଶାଢ଼ୀ ପିନ୍ଧି ଆସେ ନାହିଁ ।କିନ୍ତୁ କଣ ବା କରିପାରିବେ ମା ଙ୍କ ଆଗରେ ତାଙ୍କର" ଶହେ ଚଉରାଳିସ ଧାରା ବନ୍ଦ"।

ସେ ଯାହା ହେଉ ପାଠ ପଢ଼ିବାର ଦୃଢ଼ ସଂକଳ୍ପ ଆଗରେ ସବୁ ହାର ମାନି ଥିଲା ଜାହି ତାହି ଶାଢ଼ୀ ପିନ୍ଧି ପରୀକ୍ଷା ଦିଆ ସରିଲା ।ଭଲ ଭାବରେ ପ୍ରସ୍ତୁତ ହୋଇନଥିଲେ ବି ଏଣ୍ଟ୍ରାନ୍ସ ପରୀକ୍ଷାର ଫଳ ବହୁତ ଭଲ ହୋଇଥିବା ଯୋଗୁଁ ଭଲ କଲେଜରେ ସିଟ ମଧ୍ୟ ମିଳି ଥିଲା।ଏଥର ବାକି ରହିଲା କଲେଜ ଯିବା କଥା ।ଆଉ ତ ବାପଘର ହେଇନି ଯେ ସକାଳୁ ଉଠି ପେଟେ ଟୁଙ୍କି କଲେଜରେ ପହଁଚି ଯିବ ଏଇଟା ହେଉଛି ଶାଶୁଘର, ଘରର ସବୁ କାମ କୁଣିଆ ଚର୍ଚ୍ଚା ସବୁ ସାରି କଲେଜ ଯିବାକୁ ପଡ଼ିବ।ସବୁଠାରୁ ବଡ଼ ସମସ୍ୟା ଥିଲା ଶାଢ଼ୀ ପିନ୍ଧିବା।

ସେ ଯାହା ହେଉ କଲେଜର ପ୍ରଥମ ଦିନରେ ଗୃହ କାମ ସାରି କଲେଜ ବାହାରିଲା ବେଳକୁ ଶାଶୁ ମା ଙ୍କର ପଛରୁ ତାଗିଦ ସବୁଦିନ ମୋ ପୁଅ ତତେ ନିଆ ଅଣା କରିପାରିବନି ନିଜେ ନିଜେ ଯିବା ଆସିବାର ବ୍ୟବସ୍ଥା କରିବୁ ନୂଆ ବୋହୁ "ଯେମିତି ମୋ ନାକ ନିଶ ତଳେ ନ ପକାଉ।"

ମନ ଟା ପୁରା ଭାଙ୍ଗିଯାଇଥିଲା ଲିନାର ତଥାପି ପତିଦେବଙ୍କ ଇସାରାରେ ଆଗକୁ ବଢିଥିଲା ସେ।ଅଳ୍ପ ଦିନ କଲେଜ ଯିବା ପରେ କଲେଜ କର୍ତ୍ତୃପକ୍ଷଙ୍କୁ କହି ବହି ପତ୍ର ସଂଗ୍ରହ କରି ଗୃହ ଭିତରେ ହି ପଢା ପଢି କରିବାର ନିଷ୍ପତି ନେଇଥିଲା ସେ।ମଝିରେ ମଝିରେ କେତେଟା ସେମିନାରରେ ଉପସ୍ଥିତ ରହିବା ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ଗୃହରେ ରହି ପାଠ ପଢ଼ା କାର୍ଯ୍ୟକ୍ରମ ଜାରୀ ରଖିଥିଲା ସେ।ଏମିତିରେ ଦୁଃଖେ ସୁଖେ ଦୁଇବର୍ଷ କଟିଯାଇଥିଲା ମଝିରେ ମଝିରେ,।ପଢା ପ୍ରତି ଉତ୍ସାହ କମିଗଲେ ଶାଶୁଙ୍କର କଟୁକ୍ତି "ଇଏ ପଢିପାରିବନି ଦେଖିବୁ ରହ ମାତ୍ର ମାସ ଦୁଇଟା ପରେ ନିଜେ ପଢା ଛାଡ଼ିଦେବ "ମନେ ପକେଇ ଦୃଢ଼ ମନୋରଥରେ ଆଗେଇ ଚାଲିଥିଲା ଲିନା।

ଏଇ ଦୃଢ଼ ସଂକଳ୍ପ ଭିତରେ ପରୀକ୍ଷା ସମୟ ଉପନୀତ ହୋଇଥିଲା।ଏବଂ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲା ଲିନା ।କୁହାଯାଏ ଦୃଢ଼ ମନୋରଥ ଆଗରେ ସମସ୍ତ ଙ୍କ ହସ୍ତକ୍ଷେପ ହାର ମାନିଯାଏ।ଠିକ ସେହିପରି ହୋଇଥିଲା।ଶାଶୁମାଙ୍କର ମନ ତ ପୁରା ଫିକା ହୋଇଯାଇଥିଲା ତଥାପି ସେ ମୁହଁ ମୋଡି ଶୁଣେଇ ଶୁଣେଇ କହିଥିଲେ ଆଗରୁ ତ ଭଲ ପଢୁଥିଲୁ ଏବେ ପାସ କରିଗଲୁ ଯେ କୋ ବଡ଼ କାମ ଟା କରିଦେଲୁ।।

ଶାଶୁଙ୍କର ସବୁ ଉଦ୍ୟମ ବିଫଳ ହେବା ପରେ ସେ କହିଥିଲେ ଯେତେ ପଢ଼ୁଛୁ ପଢେ ତୋ ଶଶୁରଙ୍କ ହିସାବରେ ମାତ୍ର ଏ ଘରର ଏରୁଣ୍ଡି ବନ୍ଧ ଡେଇଁ ବୋହୁ ବାହାରକୁ ଯାଇ ଚାକିରୀ କରିପାରିବ ନାହିଁ ଏଇଟା ମୋର ଶେଷ ନିଷ୍ପତ୍ତି।

ବିଚାରୀ ଲିନା ମଧ୍ୟ ଘରର ଶାନ୍ତି ଭଙ୍ଗକୁ ଦୃଷ୍ଟିରେ ରଖି ମନର ଦୁଃଖକୁ ମନରେ ମାରି ଅବଶିଷ୍ଟ ଜୀବନ ବିତେଇବାକୁ ଲାଗିଲା ।ଏ ହେଉଛି ଗୋଟେ ବୋହୁର ଜୀବନ।


Rate this content
Log in

Similar oriya story from Inspirational