ବୋଧହୁଏ ଭ୍ରମ
ବୋଧହୁଏ ଭ୍ରମ
ହଠାତ କାହାର ଡାକରେ ନିଦ ଭାଙ୍ଗିଗଲା।କାନ ଡେରି ଶୁଣିଲି।ମୋତେ ଲାଗିଲା ସେ ବିକଳରେ ମୋତେ କିଛି କହୁଛି।ନିଜ ହାତକୁ ନିଜେ ଟିକେ ଚିମୁଟି ଦେଲି।ନାହିଁ ତ ଏ ସତକଥା।କାନ ପାରିଲି।ମୋତେ ଶୁଭୁଥିଲା...
ଶୁଣ୍,ଆରେ ଶୁଣୁଛୁ ନା ନାହିଁ ମ।ଆରେ ମୁଁ ଡାକୁଛି।
ଏଣେତେଣେ ପୁଣି ଚାହିଁଲି।
ସେ ପୁଣି କହିଲା, ଏଣେତେଣେ କାହିଁକି ଚାହୁଁଛୁ ଯେ।ମୁଁ ପରା ଏଇଠି।ତୋତେ ଡାକୁଛି।ତୁ ତ ବହୁତ ଅସୁବିଧାରେ ,ଅଶାନ୍ତିରେ ଏଠାରେ ରହିଛୁ।ମୋ ସହ ପଳେଇ ଆସେ।ମୁଁ ତୋତେ ବହୁତ ଭଲ ଜାଗାରେ ରଖିବି।ଖୁବ ଖୁସିରେ ରହିବୁ।କିଛି ଅଶାନ୍ତି ନାହିଁ।ମନ ଖୁସିରେ ଖାଇ ପିଇ ରହିବୁ।ଆରେ ଆ ...।
ମୋତେ ତ ତା କଥା ଠିକ ଲାଗୁଥାଏ।ତା ପାଟି ବି ବେଶ୍ ଆପଣାର ଆପଣାର ଆଉ ଚିହ୍ନା ଚିହ୍ନା ବି ଲାଗୁଥାଏ।
ଭାବିଲି ଏଠାରେ ଏତେ ଅଶାନ୍ତିରେ ରହିବା ଅପେକ୍ଷା ତା ସହ ପଳେଇଲେ କ୍ଷତି କଣ।ଯେତେ ଦିନ ବଞ୍ଚିବି ଅନ୍ତତଃ ନିଶ୍ଚୟ ଭଲରେ ତ ରହିବି ।ଆଉ ମୋର ଚିନ୍ତା କଣ।ଗଣ୍ଡେ ଖାଇ ଖଣ୍ଡେ ପିନ୍ଧିବା ହିଁ ମୋର ଲୋଡ଼ା।
ମୋ ଉତ୍ତରକୁ ଅପେକ୍ଷା କରିଥିଲା ସେ।ମୁଁ ବି ମୁଣ୍ଡ ହଲେଇ ତାକୁ କହୁଥାଏ ,ହଁ ହଁ ମୁଁ ତୋ ସହ ପଳେଇ ଯିବି।କେବଳ ଲୁଗାପଟା ଦିଖଣ୍ଡ ଧରିବି,ବାସ୍ ଯିବି।ରହ ଟିକେ, ମୁଁ ତୋ ପାଖକୁ ଯାଏଁ, ସବୁ କଥା ବୁଝି ସାରି ମୋ ଲୁଗାପଟା ଆଣି ପଳେଇବା।
ବାସ୍,ତା ପରେ ବିଛଣା ଛାଡି ଚାଲିଲି ତା ପାଖକୁ, କବାଟ ଖୋଲିଲା ପରେ ସିନା ତା ସହ ଭେଟିବି।ଖୋଜିଲି କୁଆଡ଼େ ଗଲା କବାଟ।ଆରେ କୁଆଡେ ଗଲା କବାଟ, ଏଇଠି ଝରକା ଥିଲା।ଲାଇନ ବୋର୍ଡ ଟା ବି ପାଉନାହିଁ। ଧେତ୍,ମନେ ପଡୁନାହିଁ ।ମୁଁ ଶୋଇଥିବା ଖଟରେ ମୋ ଗୋଡ଼ ପାଖକୁ କବାଟ। କିଛି ପାଇଲି ନାହିଁ।
ସେ ଡାକୁଥାଏ, ଆସିଲୁ ନା।
ରହ ଯାଉଛି, ଏତେ ବ୍ୟସ୍ତ ହଅନା।ଆରେ କବାଟ ପାଇଲେ ତ ଯିବି।ରହ ମୁଁ ଡାକେ।ଏ ମଞ୍ଜୁ, ସାବି,ସବୁ ଶୋଇ ପଡିଛ କି,କିଏ ଟିକେ କବାଟ ଟା ଖୋଲିଲ।ମୁଁ କବାଟ, ଲାଇନ କିଛି ପାଉନାହିଁ।ଅନେକ ସମୟ ଡାକିବା ପରେ ମୋ ପାଖରେ ଶୋଇଥିଲା ନାତୁଣୀ ।ସେ ଉଠିଲା, ଯାଇ ଲାଇନ ବୋର୍ଡ ର ସୁଇଚ ବି ଦେଲା।ତା ପରେ ମୋ ଉପରେ ବହେ ଗାରୁଗାରୁ ହୋଇ ବକିଗଲା।ଏତେ ରାତିରେ କାହିଁକି ଏମିତି ରଡି ଛାଡୁଛୁ।ତୋ ପାଖରେ ତ ଟର୍ଚ୍ଚ ଥିଲା।ଦେଖିକି ଲାଇଟଟା ଲଗେଇ ପାରୁ ନାହୁଁ।ରାତି ଦୁଇଟା ବେଳେ ରଡି କରୁଛି।ଚାଲ୍,ଚାଲ୍,ମୁଁ କବାଟ ଖୋଲି ଦେଉଛି।ପାଇଖାନା ଯିବୁ ତ।
ମୁଁ କେବଳ ହୁଁ ଟିଏ ମାରିଲି।ସେ କବାଟ ଖୋଲି ଦେଇ ଶୋଇ ପଡ଼ିଲା।
ମୁଁ ବାଧ୍ୟ ଶିଶୁଟିଏ ପରି ପାଇଖାନା ଗଲି, ଆସିଲି ବି।ଗୋଡ ହାତ ପୋଛି ହୋଇ ପାଣି ଟୋପାଏ ପିଇ ବିଛଣାରେ ଶୋଇଲି।ହେଲେ ପଡି ପଡି ବିଛଣାରେ ଭାବୁଥାଏ, କିଏ ମୋତେ ଏମିତି ଅନୁନୟ ବିନୟରେ ଡାକୁଥିଲା ,ଭଲ ଜାଗାକୁ ନେଇ ରଖିବ ବୋଲି।ବୋଧହୁଏ ମୋ ମନର ଭ୍ରମ ହୋଇଥାଏ।
ଟିକିଏ ସୂଚନା-ଅନେକ କଷ୍ଟ କରି ପୁଅଝିଅ ମାନଙ୍କୁ ମଣିଷ କଲାପରେ ବି ସମ୍ପତ୍ତି ବାଡି ସବୁ ଖାଇବି,ଆଜି ଗୋଟିଏ ପେଟ ପାଇଁ ଗଣ୍ଡେ ଭାତ ଦେବାକୁ ସବୁବେଳେ ନାନା ଖିଙ୍କାରି ହୋଇ ଗାଳି ଦେଉଥାନ୍ତି ପୁଅବୋହୁ।ସବୁବେଳେ ମନେ ମନେ ଶେଷ ନିଷ୍ପତ୍ତି ନେଉଥାଏ କିଏ ଜଣେ ମୋତେ ଟିକିଏ ଭଲରେ ହେଲେ ରଖୁ,ଟିକିଏ ଶାନ୍ତିରେ ନିଶ୍ଵାସ ନେବି ମୁଁ।
ସବୁବେଳେ ଚିନ୍ତା ମୋର ଏତେ ସମ୍ପତ୍ତି ବାଡ଼ି ଥାଇ ବି ମୋର ଶେଷ ସମୟରେ ବି ଶାନ୍ତି ନାହିଁ, ସୁଖ ନାହିଁ।ଏ ପୁଅବୋହୁ ଭାବନ୍ତି ମୁଁ ତାଙ୍କ ଉପରେ ବୋଝ।
ହେଲେ ମୋର ଶେଷ ନିଷ୍ପତ୍ତି କଣ ସଫଳ ହୋଇ ପାରିବ।ମୁଁ କଣ ମରିବା ପର୍ଯ୍ୟନ୍ତ ଟିକେ ଶାନ୍ତିରେ ରହି ପାରିବି।
