STORYMIRROR

Aravinda Das

Inspirational

1.0  

Aravinda Das

Inspirational

ବନ୍ୟା(ସାତୋଟି ମିନି ଗପ)

ବନ୍ୟା(ସାତୋଟି ମିନି ଗପ)

2 mins
28.7K


(୧)ସାହାଯ୍ୟ

ମନ୍ତ୍ରୀ ମଣ୍ଡଳର କ୍ୟାବେନେଟ ବୈଠକ ବସି ସ୍ଥିର କରାଗଲା ,ଓଡିଶାରୁ ରିଲିଫ ଆକାରରେ ଆର୍ଥିକ ସାହାଯ୍ୟ ସହିତ, ଉଦ୍ଧାରକାରୀ ଦଳ ମଧ୍ୟ ପଠାଯିବ।

ମିଟିଙ୍ଗ ସାରି ଜୈନେକ ମନ୍ତ୍ରୀ ନିଜ ସରକାରୀ ବାସଭବନରେ ପହଁଚିଲା ବେଳକୁ, ତାଙ୍କ ନିର୍ବାଚନ ମଣ୍ଡଳୀର କିଛି ଗାଁ ଲୋକ(ଯେଉଁ ଅଞ୍ଚଳ ତାଙ୍କ ବିରୋଧୀଙ୍କ ସପୋର୍ଟର ବୋଲି ଜଣାଶୁଣା) ଗୁହାରୀ ଜଣାଇଲେ, "ସାର୍, ଆଗକୁ ଲଘୁଚାପ ଆସୁଛି। ଆମ ଗାଁ ନଦୀବନ୍ଧରେ ମରାମତି କାମ ହୋଇନି ।ବନ୍ୟା ଆସିଲେ ଆମେ ଭାସିଯିବୁ।"

ଚିଡିଯାଇ ମନ୍ତ୍ରୀ କହିଲେ,"ଏତେ ବ୍ୟସ୍ତ କାହିଁକି ? ବନ୍ୟା ଆସିନି ତ ? ଏବେ କେରଳ ଲୋକଙ୍କୁ ସାହାଯ୍ୟ ଦିଆଯିବ ବୋଲି ସରକାର ଠିକ୍ କରିଛନ୍ତି।ଆମ ଅସୁବିଧାରେ କେରଳ ଭବିଷ୍ୟତରେ ସାହାଯ୍ୟ କରିପାରେ।ତା ଛଡ଼ା, ଭୋଟବେଳେ ତ ତମ ଗାଁ ବାଲା ଆମ ଦଳକୁ ଭୁଲିଯାଉଛ,ସାହାଯ୍ୟ ବେଳକୁ ଖାଲି.....।"

ଗାଁ ଲୋକେ ଫୁସଫାସ୍ ହେଉଥିଲେ,"ବନ୍ୟା ହେଲେ ଏଥର ଓଡିଶା ସରକାର ଅଥବା କେରଳ ସରକାରଙ୍କୁ ସାହାଯ୍ୟ ମାଗିବାକୁ ପଡିବ !!

(୨)ଗୁହାରୀ

ଏକ ରାଜ୍ୟର ମନ୍ତ୍ରୀ ତିରୁପତି ମନ୍ଦିରରେ ଗୁହାରୀ କରୁଥିଲେ,"ପ୍ରଭୁ ବାଲାଜୀ, ଚାରିବର୍ଷ ଚାଲିଗଲା । ମୋ ରାଜ୍ୟରେ ବନ୍ୟା,ମରୁଡି ହୋଇନି ।ସେଥିପାଇଁ ଧନ୍ୟବାଦ । ଆଗାମୀ ବର୍ଷ ନିର୍ବାଚନରେ କିଏ ସରକାର କରିବ କହିହେବନି ।

ଏଇ ବର୍ଷ ମୋ ରାଜ୍ୟରେ କେରଳ ଭଳି ବନ୍ୟା ଆଣିଦିଅ ପ୍ରଭୁ; ଜାତୀୟ ବିପତ୍ତି ଡିକ୍ଳାର କରି ଆଠ, ଦଶହଜାର କୋଟି ସାହାଯ୍ୟ ଯୋଗାଡ଼ କରି ନେଇଆସିଲେ ,ରାଜନୈତିକ ଜୀବନରୁ ଅବସର ନେଇଯିବି ପ୍ରଭୁ ।

(୩)ପ୍ରାର୍ଥନା

ଜଣେ ସାଧାରଣ ବ୍ୟକ୍ତି ମନ୍ଦିରରେ ଠାକୁରଙ୍କୁ ପ୍ରାର୍ଥନା କରି କହୁଥିଲା, "ପ୍ରଭୁ, କେରଳ ଲୋକଙ୍କୁ ସହାୟ ହୁଅ ପ୍ରଭୁ । ଏଭଳି ବିପତ୍ତି କାହାକୁ ନଆସୁ ।"

(୪)ମାନସିକ

ଠାକୁରାଣୀ ମନ୍ଦିରରେ ଜଣେ କଣ୍ଟ୍ରାକ୍ଟର ମାନସିକ କରୁଥିଲେ, "ମା ଲୋ, ତୁ ତ ଭାରି ପ୍ରତ୍ୟକ୍ଷ । ଡାକିଲେ ଓ କହୁ । ଯଦି ଏବର୍ଷ ଆମ ରାଜ୍ୟରେ କେରଳ ଭଳି ବନ୍ୟା ଆଣିପାରନ୍ତୁ ଓ ମୋତେ ଗୋଟେ ,ଦୁଇଟା ପୋଲ/ବନ୍ଧ ଏବଂ ରାଜରାସ୍ତା କାମ ମିଳି ଯାଆନ୍ତା, ତେବେ ତୋ ପାଇଁ ସୁନା ମୁକୁଟ ଓ ବଡ଼ ମନ୍ଦିର ଗଢିଦିଅନ୍ତି ।

ତେବେ ଅନ୍ୟ ଦିନ ଭଳି ଆଜି, କାହିଁକି କେଜାଣି ମା ଙ୍କ ମୁଣ୍ଡରୁ ଫୁଲ ଖସୁ ନଥିଲା ।

(୫) ବାର୍ ରେ କେରଳ ବନ୍ୟା

"ଭାଇ, କେରଳ ଲୋକଙ୍କ ପାଇଁ ଆଜି ସମୁଦାୟ ୧୦୦ ପେଟି ଲୁଗାପଟା ଓ ମାତ୍ର ₹ ୮୪୩୦/- ଟଙ୍କା ଆଦାୟ ହୋଇଛି।"

"ଶଳା,ଲୋକ ଗୁଡାକ ଭାରି କାମ୍ପି ହୋଇ ଗଲେଣି । ପୁରୁଣା ଲୁଗା ମନଇଚ୍ଛା ଦେବେ,ହେଲେ ଟଙ୍କା ଦେଲା ବେଳକୁ ହାତ ଥରିବ । ଆଛା ଆମ ବିଲ କେତେ ହେଲା ?"

ବାର୍ ମ୍ୟାନେଜର ବିଲ ବଢ଼ାଇ ଦେଇ କହିଲେ,ଆଜିର ପ୍ରିମିୟମ ହ୍ବିସ୍କି,ଖାଇବା ଓ ପୂର୍ବର ବାକି ମିଶାଇ ସମୁଦାୟ ₹ ୧୦,୪୦୦/- ଟଙ୍କା ।"

ମ୍ୟାନେଜର ହାତକୁ ₹,୮୪୩୦/- ଟଙ୍କା ବଢ଼ାଇ ଦେଇ ମୁଖ୍ୟ କହିଲେ,କାଲିକୁ ବାକି ଟଙ୍କା ନେବ।"

ମୃଦୁ ହସି ବାର୍ ମ୍ୟାନେଜର ପଚାରିଲେ," ଆଜି ଆପଣ ମାନେ ସମସ୍ତେ, ବିଅର ବା ଦେଶୀ ବଦଳରେ ବିଦେଶୀ ପ୍ରିମିଅମ ହ୍ବିସ୍କି ପିଇଲେ । କିଛି ଲଟେରୀ ଲାଗିଛି କି ?"

ଠୋ,ଠୋ ହସି ଟୋକା ପଲ ଏକାସାଥିରେ କହିଉଠିଲେ,"କେରଳରେ ବନ୍ୟା ହୋଇଛି ପରା ।"

(୬)ଭିନ୍ନ ଏକ ପ୍ରାର୍ଥନା

ଖଣି ବିଭାଗର ଅଧିକାରୀ ଜଣଙ୍କ ପ୍ରାର୍ଥନା କରୁଥିଲେ ," କେରଳ ବନ୍ୟା ଭଳି, ଏଇଠି ବି ବନ୍ୟା ଆସୁ ଓ ଆମ ଅଫିସର ସମସ୍ତ କାଗଜ, ଫାଇଲ ଭସାଇ ନେଉ ପ୍ରଭୁ । ତେଣିକି ,"ସି ବି ଆଇ" ଆସିଲେ ବି ଚିନ୍ତା ନାହିଁ ।

(୭)ଦାନ

ରାସ୍ତାରେ ଯାଉଥିବା କିଛି ବାବୁ ମାନଙ୍କୁ ଏକ ଭିକାରି, ଭିକ ମାଗିବାରୁ ସେମାନେ ଚିଡିଯାଇ କହିଲେ, "ଆରେ ,ଆମେ କେରଳର ବନ୍ୟା ଘେରରେ ଅସୁବିଧାରେ ଥିବା ଲୋକଙ୍କ ପାଇଁ ରିଲିଫ ମାଗୁଛୁ ପରା । ସେଠି ଲୋକମାନେ କେତେ କଷ୍ଟରେ ଅଛନ୍ତି ତୁ କେମିତି ଜାଣିବୁ ?"

ଟିକେ ନିରବ ରହି ଭିକାରୀଟି ନିଜ ମୁଣି ଭିତରୁ ଗୋଟିଏ ପଲିଥିନରେ ସେ ରଖିଥିବା ଟଙ୍କା ଓ ଖୁଚୁରା ପଇସା ତକ ବାବୁମାନଙ୍କ ହାତକୁ ବଢ଼ାଇଦେଇ କହିଲା,"ଏଇଟା ମୋ ତରଫରୁ ବାବୁ, ଅସୁବିଧାରେ ଥିବା ସେଇ ଲୋକଙ୍କ ପାଇଁ ।"

(ଅରବିନ୍ଦ ଦାସ)


Rate this content
Log in

Similar oriya story from Inspirational