STORYMIRROR

Sunanda Mohanty

Abstract Tragedy Inspirational

4  

Sunanda Mohanty

Abstract Tragedy Inspirational

ବଞ୍ଚିବା ଡ଼ାଳ

ବଞ୍ଚିବା ଡ଼ାଳ

3 mins
8

ଝରକା ଦେଇ ବାହାରକୁ ଚାହିଁଛି ବର୍ଣ୍ଣାଳୀ । ଝରକା ଆଗକୁ ଝଙ୍କାଳିଆ ବରଗଛଟା ତା ଅଦ୍ଭୁତ ଖିଆଲି ପଣରେ ମୁଣ୍ଡ ଟେକି ଠିଆ ହୋଇଛି କାହିଁ କେତେ କାଳୁ । ଶଶୁରଙ୍କ ବାପା ଜେଜେ ଅମଳରୁ । ଗଛଟା ଭାରି ନିବିଡ଼ ଲାଗେ ବର୍ଣ୍ଣାଳୀଙ୍କୁ ଏଇଥିପାଇଁ କି ମନେପଡେ ବାପା ଏ ଗଛକୁ କେତେ ଭଲ ପାଆନ୍ତି । ଛାତ ଉପରକୁ ଓହଳି ଆସିଥିବା ଡ଼ାଳରେ ବସି ସକାଳୁ ସକାଳୁ ହଳଦୀବସନ୍ତ ବୋବାଳି ଛାଡେ । ଏଇ ଝରକା ଦେଇ ଦେଖୁଥାନ୍ତି ଶଶୁର । ବର୍ଣ୍ଣାଳୀ ହାତରୁ ଚା କପଟା ନେଇ ଓଠରେ ଲଗାଇବା ପୂର୍ବରୁ କୁହନ୍ତି ହଳଦୀବସନ୍ତ ଚଢେଇଟାକୁ ଦେଖିଯାଆ ମାଆ । ଖୁବ ଶୁଭ ହେବ ।


ସତକୁ ସତ ଅରୂପଙ୍କ ଫୋନ ଆସେ । ବିଗ୍ରେଡ଼ିଅର ଅରୂପ ସୈନ୍ୟ ବିଭାଗରେ ବ୍ୟସ୍ତ ରହି ଘରକୁ ଆସିବା ଦୂରର କଥା ଫୋନ ମଧ୍ୟ ଖୁବ କମ ଆସେ ଆଉ ଆସିଲେ ଖୁବ କମ କଥା ହେଉ ପଛେ ମନର ମଣିଷଙ୍କ ମୁହଁରୁ ପଦେ ଦିପଦ ଅନ୍ତରଙ୍ଗ କଥା ଶୁଣିବାଠାରୁ ଶୁଭ ଆଉ କଣ ହୋଇପାରେ!ସତରେ ଯୋଉଦିନ ବି ହଳଦୀବସନ୍ତ ସ୍ୱର ଶୁଣି ଦଉଡି ଆସନ୍ତି ବର୍ଣ୍ଣାଳୀ, ବାପା ଘୁଞ୍ଚିଯାଆନ୍ତି ହାତରେ ପେପେର ଟିକୁ ଟେକି ଧରି ଝରକା ଆଗରୁ ଘୁଞ୍ଚିଯାଆନ୍ତି ଶଶୁର କହନ୍ତି ଦେଖେ ଦେଖେ ମାଆ ପକ୍ଷୀଟାକୁ ।ସତକୁ ସତ ଅଚାନକ ପହଞ୍ଚିଯାଆନ୍ତି ଅରୂପ । ଦୀପାବଳୀ ଓ ଦୀପାବଳୀର ପୂର୍ବ ପର ଦୁଇଦିନ ଘର ହୋଇଯାଏ ସ୍ୱର୍ଗ । ଫୁଟେ ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଭରା ପ୍ରେମ ଫୁଲ । ବାପାଙ୍କ ଗୋଡ଼ ପଡୁଥାଏ ପାଞ୍ଚହାତରେ କୋଉଠି ପଇଡ଼, କୋଉଠି ପୋଖରୀ ମାଛ କୋଉଠି ବାଡ଼ିର କଖାରୁ ଫୁଲ, ମାଆଟିଏ ପରି ବାପା ଯୋଗାଡୁଥାଆନ୍ତି ପୁଅ ପାଇଁ ।


ଦୀପାବଳୀରେ କାଳେ ବାଣ ବାଜି ବରଗଛ ଡ଼ାଳ ପୋଡିଯିବ ବୋଲି ଜଗିବସିଥାଆନ୍ତି ବାପା । ସମସ୍ତଙ୍କ ଅଜଣାତରେ ପୋଛି ପକାଉଥାଆନ୍ତି ଗାମୁଛାରେ ଡ଼ାଳଟିକୁ । ହସିଦିଏ ବର୍ଣ୍ଣାଳୀ । ଅରୂପ ପୁଣି ହଜିଯାଆନ୍ତି କର୍ତ୍ତବ୍ୟ କର୍ମରେ । ବାପା ବରଗଛରେ ନିଜ ପିଛିଲା କାହାଣୀ ପଢୁ ପଢୁ ପଢୁଥାନ୍ତି ଆଜିକୁ । ସତରେ ଅତୀତକୁ ଭୁଲିବାନି ସତ, ଅନ୍ଧାର କି ଆଲୋକ ଆଣି ଆସିବ ଭବିଷ୍ୟତ କିନ୍ତୁ ଆଜି ହିଁ କେତେ ସତ । ବରଗଛଟିକୁ ଖୋଲା ଝରକା ଫାଙ୍କରେ ଦେଖି ଭାବୁଥାଆନ୍ତି ବାପା ଆଉ ପାଖେ ପାଖେ ରହି ବର୍ଣ୍ଣାଳୀ ସେଵା ଯତ୍ନ ଯୋଗାଇ ଦେଉଥାଏ ଶଶୁରଙ୍କୁ ।


  ହଠାତ ଶହୀଦ ହେବା ଖବରରେ ଶଶୁର ହେଲେ ଶଯ୍ୟାଶାୟୀ । ବନ୍ଦ ରହିଲା ଝରକା । ଅବୁଝା ପୁଅକୁ ବୁଝେଇବା ପରି ବର୍ଣ୍ଣାଳୀ ନିଜକୁ ପଥର କରି ବାପାଙ୍କୁ ବୁଝାନ୍ତି । ବରଗଛକୁ ଦେଖନ୍ତୁ ବାପା, ତାରି ଭିତରେ ଅରୂପକୁ ଖୋଜନ୍ତୁ ବାପା, ନିଶ୍ଚୟ ପାଇଯିବେ କହେ ତ ବାପା ଚାଁହାଁନ୍ତି କରୁଣ ଚାହାଣୀ । ଛାତି ଚିରିଯାଏ ।ହଳଦୀବସନ୍ତର ସ୍ୱର ଶୁଣନ୍ତୁ ବାପା କହିଲେ ଆଖିରୁ ଲୁହ ନିଗିଡି ପଡେ । ମାଆଙ୍କୁ ହରାଇ ମଧ୍ୟ ଏତେ ଭାଙ୍ଗି ପଡ଼ିନଥିବା ବାପା ପୁଅର ଶହୀଦ ହେବା ଖବରରେ ଗର୍ବିତ ହେବା ପରିବର୍ତ୍ତେ ଏତେ ଭାଙ୍ଗିପଡ଼ି ଶେଷକୁ ବର୍ଣ୍ଣାଳୀକୁ ଏକା କରିଯିବେ ସେକଥା ସ୍ୱପ୍ନରେ ଭାବି ନଥିଲେ ସେ । ବାପାଙ୍କ ପରେ ପରେ କେମିତି ରହିବେ ସେ । ମାଆଟିଏ ତା ସନ୍ତାନକୁ ଲାଳନ ପାଳନ କରିବା ପରି ସେ ବାପାଙ୍କୁ କରୁଥିଲା । ଏବେ ସେହି ସନ୍ତାନକୁ ହରାଇ ଆଜି ଝରକା ଖୋଲି ଦେଇଛି ବର୍ଣ୍ଣାଳୀ । ଦୂରରୁ ଭାଷି ଆସୁଥିବା ହଳଦୀବସନ୍ତର ସ୍ୱର ପାଖେଇ ଆସୁଛି । ଜୀବନରେ ବଞ୍ଚିବାର ମାଦକତା ଭରିଯାଉଛି । ଏହିତ ସୃଷ୍ଟିର ବିଚିତ୍ର ନିୟମ ।


ହଠାତ ବାପାଙ୍କ ବେକର ଫୁଲମାଳ ଖସିଗଲା । ଫୋନ ବାଜିଉଠିଲା । ସେପଟୁ କେହି କହୁଥିଲେ ମ୍ୟାଡାମ ଆପଣଙ୍କ ସ୍ୱୀକୃତି ମିଳିଲେ ଆପଣଙ୍କୁ ଆମ ଭାଷା ସାହିତ୍ୟ ଅଧିବେଶନର ମୁଖ୍ୟ ବକ୍ତା ରୂପେ ରଖିବୁ ଭାବିଛୁ । ଚାହିଁଲେ ବାପାଙ୍କ ଶୁନ୍ୟ ଫଟୋକୁ । ପୁଣି ଚାହିଁଲେ ସ୍ୱାମୀଙ୍କ ଫଟୋକୁ । ତାଙ୍କ ଫଟୋରୁ ମଧ୍ୟ ଫୁଲ ହାର ଖସିପଡି ଯେମିତି ଅନୁମତି ଦେଉଥିଲା । ସେପଟୁ ଭଦ୍ରବ୍ୟକ୍ତି କହୁଥିଲେ ଆପତ୍ତି ଅଛି କି ମ୍ୟାଡାମ?ନାହିଁ ନାହିଁ ମୁଁ ଯିବି କହି ଠିକଣା ଟିପି ରଖିଲା ବେଳକୁ ନିଃସଙ୍ଗ ଜୀବନର ନୂଆ ସାଥି ବିଲେଇଟି ମ୍ୟାଉଁ ମ୍ୟାଉଁ ହେଉଥିଲା । ଦ୍ଵନ୍ଦରେ ପଡୁଥିଲେ ବର୍ଣ୍ଣାଳୀ । ଡ୍ରାଇଭର କହୁଥିଲେ ମାଛ ଭାତ ଥାଳିଏ ରଖିଦେଇ ଚାଲନ୍ତୁ ମ୍ୟାଡାମ । ସେ ରହିଯିବ । ବଞ୍ଚିବାର କୋଉ ଡ଼ାଳକୁ ନିର୍ଣ୍ଣୟ କରିବାକୁ ଭାବି ଚିନ୍ତି ହେଲାବେଳେ ଡ୍ରାଇଭର ଗାଡି କାଢ଼ି ସାରିଥିଲେ ଶୀତ ଦିନର ଶୁଭ ସକାଳରେ ।


Rate this content
Log in

Similar oriya story from Abstract