ବଙ୍ଗଳା
ବଙ୍ଗଳା
ସାଙ୍ଗମାନଙ୍କ ସହିତ ରାକେଶ କଲେଜ ପ୍ରୋଜେକ୍ଟରେ ବାହାରି ପଡ଼ିଲା ଅପନ୍ତରା ଇଲାକାର ଏକ ଗାଆଁ କୁ ବିଜିପୁର । ଜଙ୍ଗଲ ପାହାଡ଼ ଇଲାକା । ରାସ୍ତା ଦୁର୍ଗମକୁ ଇଲେକ୍ଟ୍ରିକ ସମସ୍ୟା । ଗ୍ରାମରେ ପଶିବାକୁ ଆହୁରି ପନ୍ଦର କୋଡିଏ କିଲୋମିଟର ବାଟ ଅଛି ଅନ୍ଧାରର ରାଜୁତି ଆରମ୍ଭ ହୋଇ ସାରିଲାଣି । ନାଲି ରଙ୍ଗର ମୋରମ ରାସ୍ତା । ବର୍ଷା ପଡି ଠାଏ ଠାଏ ନାଲି ପାଣି ଜମା ହୋଇଛି ।
କେଉଁଠି ଦୂର ଦୂର ଯାଏଁ ବିଜୁଳି ଖୁଣ୍ଟଟିଏ ବି ଦେଖା ଯାଉନି । ହଁ କିନ୍ତୁ ଗାଆଁ ଭିତରକୁ ବିଜୁଳୀର ଏଗାର କେଭି ତାର ନିଶ୍ଚୟ ଟଣା ଯାଇଛି । ହେଇ ପାରେ ଚୋର ଲୁଟେରାଙ୍କ ସୁବିଧା ନିମନ୍ତେ ଖୁଣ୍ଟରୁ ବିଦ୍ୟୁତ ବଲ୍ ଗୁଡିକ ଜାଣି ଜାଣି କାଢି ନିଆ ଯାଇଛି । ସେ ଯାହା ବି ହେଉ । ରାସ୍ତାର ଦୁଇ ପାର୍ଶ୍ଵରେ ଘଞ୍ଚ ଜଙ୍ଗଲ ପାଇଁ ଠାଏ ଠାଏ ସାଇନ ବୋର୍ଡ଼ ଲାଗିଛି । ବା ସତର୍କ ସୂଚନାର ପ୍ଲେଟ । ବା ଫଳକ..!!
ଗାଡି ଧୀରେ ଚଲାନ୍ତୁ । କାରଣ ଆପଣଙ୍କ ଗାଡିର ତୀବ୍ର ବେଗରେ ନିରୀହ ପଶୁଙ୍କ ଜୀବନ ହାନି ଘଟି ପାରେ ।
ତେଣୁ ରୋହନ ବି ଗାଡି ଖୁବ୍ ଧୀରେ ଧୀରେ ଗଡାଉ ଥାଏ । ବିରକ୍ତ ହୋଇ ରାକେଶ ରୋହନକୁ ପଚାରିଲା -" ଆରେ ସାଙ୍ଗ । ଆଉ କେତେ ସମୟ ଲାଗିବ କିରେ ସେଇ ବଙ୍ଗଳାରେ ପହଞ୍ଚିବାକୁ ?"
ରୋହନ -" ଦେଖୁଚୁ ତ ଭାଇ । ରାସ୍ତା କିପରି । ପୁଣି ଗାଡି ଧିମା ଗତିରେ ଗଡୁଛି । ରାସ୍ତାରେ ଆଲୋକ ବି ଟିକିଏ ନାହିଁ । ଗାଡିର ହେଡ୍ ଲାଇଟ ବି ଲଗାଇବାକୁ ମନା । ଏଇ ମିଞ୍ଜି ମିଞ୍ଜି ଆଲୁଅରେ ଅନୁମାନ କରି ହେଉନି । ତଥାପି ଭାବୁଛି ଆହୁରି ଦେଢ଼ ଘଣ୍ଟା ଲାଗି ଯିବ ବୋଧେ । "
ଦିଶା -" ଆଛା ରୋହନ ଭାଇ, ତୁମର ଜେଜେଙ୍କ ସେହି ବଙ୍ଗଳାଟା ଏତେ ଅପନ୍ତରା ଇଲାକାରେ କାହିଁକି ଅଛି । ତୁମେମାନେ ତ ସହରରେ ରହିଲ । କେବେ କଣ ସେଇ ବଙ୍ଗଳାରେ ରହିବାକୁ ମନ ହୁଏନି ତୁମର?"
ରୋହନ -" ଆରେ ଜେଜେ ଥିଲେ ଇଂରେଜ ଜମାନାର ଲୋକ । ଗ୍ରାମର ଏକ ମାତ୍ର ଧନୀ ଲୋକ ଥିଲେ ସେତେବେଳେ । ଜେଜେଙ୍କ ଜୀବନ ଶୈଳୀ ବି ରାଜା ମହାରାଜାଙ୍କ ପରି ଥିଲା । ଲୋକ ନ୍ୟାୟ ନିଶାପ ଲାଗି ତାଙ୍କରି ପାଖକୁ ଆସୁଥିଲେ । ତାଙ୍କର ଆଦେଶକୁ ଲୋକ ମହାରାଜଙ୍କ ନ୍ୟାୟ ପରି ସ୍ୱୀକାର କରୁଥିଲେ । ତେଣୁ ଜେଜେଙ୍କ ଇଛା ହେଲା ବିରାଟ କାୟ ବଙ୍ଗଳାଟିଏ କରିବେ । ଯେପରି ଆଖ ପାଖ ଦଶ ଦଶ ମୌଜାରେ ତାଙ୍କ ପରି ରାଜା କେହି ନଥିବେ ।
ତାଙ୍କ ଇଚ୍ଛା ହେଲା । ସେ କରିଲେ । ଏଥିରେ ଆମେ ବା କଣ କରିବୁ । ବାପା ତ ମୋର ସହରରେ ପାଠ ପଢି ସହରରେ ଘର କରିଲେ । ଏବେ ଏହି ନିର୍ଜନ ନିକାଞ୍ଚନ ସ୍ଥାନରେ କିଏ ରହିବ । ପିଲା ଦିନେ କେବେ କେବେ ବୁଲିବାକୁ ଆସୁଥିଲୁ ଛୁଟି ଦିନରେ । ବୁଲା ବୁଲି କରି ଦିନେ ଦୁଇ ଦିନରେ ଫେରି ଯାଉ । ଜେଜେଙ୍କର ଖୁବ୍ ଖ୍ୟାତି ଥିଲା । ଏହି ଗ୍ରାମର ଏକ ମାତ୍ର ଇଂରେଜ ଶାସକଙ୍କ ଅଫିସର ଭାବେ ଚାକିରୀ ପାଇଥିଲେ ଜେଜେ । ତେଣୁ ତାଙ୍କ ରାଜକୀୟ ଢଙ୍ଗ ଓ ତାଙ୍କ ନ୍ୟାୟକୁ ଭଗବାନଙ୍କ ଆଦେଶ ପରି ମାନୁଥିଲେ ସଭିଏଁ ।
ଏବେ ବି ଏଠି ବିଦ୍ୟୁତର ଅଭାବ ଦୂର ହେଇନି । ଯଦି ଦିନେ ବିଦ୍ୟୁତ ବଲବ ଜଳେ ତ ଦୁଇ ସପ୍ତାହ ଅନ୍ଧାର ବିଜେ । ପୁଣି ଏ କଥାରେ କେତେ ସତ୍ୟତା ଅଛି ଜାଣିନି । କିନ୍ତୁ ଜଙ୍ଗଲ ମଝିରେ ଜେଜେଙ୍କର ଗୋଟିଏ ଛୋଟ ବଙ୍ଗଳାଟିଏ ବି ଅଛି । ଶୁଣିବାକୁ ମିଳେ ସେଇ ବଙ୍ଗଳାରେ ଭୂତଙ୍କ ଆସର ଜମେ । ତେଣୁ ସେଇ ପଟ ଇଲାକାକୁ ଦିନରେ ବି କେହି ଯାଆନ୍ତି ନାହିଁ । ଆମେ ବର୍ତ୍ତମାନ ଜେଜେଙ୍କର ଯେଉଁ ରାଜକୀୟ ବଙ୍ଗଳାକୁ ଯାଉଛେ । ତାର ଠିକ୍ ବାଡ଼ି ପଟେ ଠିଆ ହେଲେ ଜଙ୍ଗଲ ମଝିର ସେଇ ଅଲୋଡ଼ା ବଙ୍ଗଳାଟି ପଡେ ।
ବାପା ବହୁତ ଥର ଆମର ଏଇ ବଡ଼ ବଙ୍ଗଳାଟି ବିକି ଦେବାକୁ ଗରାଖ ଦେଖିଲେଣି । ସେଇ ବଙ୍ଗଳାକୁ ସଜାଡି ଦେଲେ ଖୁବ୍ ସୁନ୍ଦର ହୋଟେଲଟିଏ ବି ଠିଆ ହୋଇ ଯିବ । ଖୁବ୍ ଉଚ୍ଚ ଦରରେ ବଙ୍ଗଳାର ଦାମ୍ ବି ଛିଡି ଯାଉଛି । ହେଲେ ଜେଜେଙ୍କ ସେଇ ଜଙ୍ଗଲ ମଝି ବଙ୍ଗଳାଟି ପାଇଁ ସମସ୍ତେ ହାତକୁ ବଢ଼ାଇ ଦେଇଥିବା ଟଙ୍କା ବି ଫେରାଇ ନେଉଛନ୍ତି । ବିକ୍ରି ହୋଇ ପାରୁନି । ବୋଧହୁଏ ସରକାର ଏହାକୁ ସରଂକ୍ଷଣରେ ନେଇ ଯିବ । ଏବେ ତ ବିଦ୍ୟୁତ ବି ଆସିଲାଣି । ଜନଗହଳି ବଢିଲେ ଏଇ ବଙ୍ଗଳାଟା ବିକି ଦେବୁ । "
ତା କଥା ଶୁଣି ଦିଶା ଓ ଅନ୍ୟମାନେ ଭୟଭୀତ ହୋଇ ପଡିଲେ । ହେଲେ ରାକେଶ ଏ କଥା ଶୁଣି ଠୋ ଠୋ ହୋଇ ହସିବାରେ ଲାଗିଲା । ସମସ୍ତେ ତା ଆଡ଼କୁ ଚାହିଁଲେ । ରାକେଶ କହିଲା -" ହଇରେ ସାଙ୍ଗ । ତୁ ସହରୀ ଛୁଆଟି । ତୁ ପୁଣି ଭୂତ ଉପରେ ବିଶ୍ୱାସ କରୁଚୁ । ଶୁଣ୍ ତୁ ମୋର ରହିବାର ପ୍ରବନ୍ଧ ସେଇ ଜଙ୍ଗଲ ମଝି ବଙ୍ଗଳାରେ କରି ଦେ ତ । "
ରୋହନ -" ଅସମ୍ଭବ !!"
ରାକେଶ -" କାହିଁକି ଅସମ୍ଭବ । ସେ ବଙ୍ଗଳାର ମାଲିକ ତ ତୁ । ତେବେ ତୋ ପାଇଁ ଏଇଟା ଅସମ୍ଭବ କିପରି ହେବ । "
ରୋହନ -" ସେଠିକି ଯିଏ ଯାଏ ଆଉ ଫେରେନା । ଗାଆଁର ବୟସ୍କ ବ୍ୟକ୍ତିମାନେ ଏହାର ପ୍ରମାଣ ବି ପାଇଛନ୍ତି । ମୁଁ ସିନା ଏଠି ରୁହେନି । ହେଲେ ମୋର ବି ଏଠି ଜେଜେଙ୍କ ପାଇଁ ଖୁବ୍ ଖାତିର ଅଛି । ହେଲେ ମୁଁ ବି କେବେ ଏଠାର ବୟସ୍କ ଲୋକଙ୍କ କଥାର ଅବଜ୍ଞା କରିନି । ସେ ଜଙ୍ଗଲ ମଝି ବଙ୍ଗଳାକୁ ମୁଁ ବି କେବେ ଯାଇନି । ଆଉ ସବୁଠୁ ବଡ଼ ଅସୁବିଧା ହେଲା ଆମ ବଙ୍ଗଳାର ରକ୍ଷଣ ବେକ୍ଷଣ ଦାୟିତ୍ୱରେ ଥିବା ସନେଇ ଜେଜେ । "
ରାକେଶ --" ସନେଇ ଜେଜେ.....!"
ରୋହନ -" ହଁ, ସନେଇ ଜେଜେ । ଭୂତ ଅଛିକି ନା ଜାଣେନି । ହେଲେ ସନେଇ ଜେଜେଙ୍କ ଆଖିରେ ନିଦ ନଥାଏ । ଚିଲ୍ଲ ଛଞ୍ଚାଣ ପରି ତାଙ୍କ ନଜର ଆମ ଉପରେ ରହିବ । ଜେଜେଙ୍କ ଖାସ୍ ସେବକ । ବା ବୋଲକରା । ତାଙ୍କ ଆଦେଶକୁ ବି ଜେଜେଙ୍କ ଆଦେଶ ପରି ମାନିବାକୁ ପଡେ । ନଚେତ ଖୁବ୍ ରାଗି ଯାଆନ୍ତି ସନେଇ ଜେଜେ । ତୁରନ୍ତ ତୁମ ଜିନିଷ ପତ୍ର ଧରି ସେଇ ରାତି ରାତି ବଙ୍ଗଳାରୁ ବାହାର କରି ତୁମକୁ ନେଇ ରୋଡ଼ରେ ଛାଡି ଦେବେ । ଜେଜେ ତାଙ୍କ ଉତରାଧିକାରୀ କାଗଜରେ ଲେଖି ଦେଇ ଯାଇଛନ୍ତି ଯେ ସନେଇ ଜେଜେଙ୍କ ଜୀବନ ଥିବା ଯାଏ ତାଙ୍କୁ ସେହି ବଙ୍ଗଳାରୁ ବରଖାସ୍ତ କରି ହେବ ନାହିଁ । ସେ ମୋ ବାପା ହୁଅନ୍ତୁ କିମ୍ବା ମୁଁ । ତାଙ୍କ ଜୀବନ ଥିବା ଯାଏଁ । ସେ ସେହି ବଙ୍ଗଳାର ଦେଖା ଶୁଣା କରିବେ ଏବଂ ତାଙ୍କ ଆଦେଶକୁ ମାନ୍ୟ କରାଯିବ । ଆରେ .... ହେଇ ଦେଖ । ଆଗରେ ଲଣ୍ଠନ ଧରି ସନେଇ ଜେଜେ ଠିଆ ହୋଇଛନ୍ତି । ଆମେ ଏଥର ପହଞ୍ଚି ଗଲେ । ସମସ୍ତେ ହୁସିଆର ରହିବ । ଭୁଲରେ ବି ଜଙ୍ଗଲ ମଝିର ବଙ୍ଗଳା କଥା ଉଠାଇବ ନାହିଁ । ନଚେତ ଜେଜେ ତୁମମାନଙ୍କୁ ଏହି ବଙ୍ଗଳାରେ ତ କଣ... ଏହି ଗାଆଁରେ ବି ରହିବାକୁ ଅନୁମତି ଦେବେ ନାହିଁ । ରାତି ଅଧରେ ରୋଡ଼ରେ ବିତେଇବ । କାରଣ ଏଠୁ ଫେରିବାକୁ ଏକ ମାତ୍ର ବସଟି ବି କାଲି ଦ୍ୱିପ୍ରହରକୁ ଆସିବ । "
ସମସ୍ତେ ସନେଇ ଜେଜେଙ୍କୁ ଦେଖି ଚୁପ୍ ରହିଲେ । ଇତି ମଧ୍ୟରେ କଥା କଥାରେ ସେମାନେ କେତେବେଳେ ବଙ୍ଗଳାରେ ପହଞ୍ଚି ଗଲେ ବୋଲି ଜଣା ମଧ୍ୟ ପଡିଲାନି । ସନେଇ ଜେଜେ.....!! ଲୋଚା କୋଚା ଧୁଡୁ ଧୁଡ଼ିଆ ଚର୍ମର ଆସ୍ତରଣ ଭିତରେରେ ଗୋଟିଏ କଙ୍କାଳ ସାର ବୃଦ୍ଧ । ଆଖି ପତା ଗୁଡିକ କେଉଁ କୋଟରରେ ପଶି ଯାଇଛି । ଡୋଳା ଦୁଇଟା ଢ଼ିମା ଢ଼ିମା ହୋଇ ବଡ଼ ବଡ଼ ଦେଖା ଯାଉଥାଏ । ଦାନ୍ତଗୁଡାକ ବି ଭାଙ୍ଗି ଯାଇଛି । ଦୁଇଟା ପାନ ଖିଆ ନାଲି ନାଲି ହନୁ ଦାନ୍ତ ପାକୁଆ ପାଟିର ଓଠ ଉପରକୁ ବାହାରି ଆସିଛି । ହାତ ଗଣତି ପଚାଶ ଷାଠିଏଟି ପାଞ୍ଚ ପାଞ୍ଚ ଇଁଚିଆ ଧଳା ଚୁଟି ମୁଣ୍ଡ ଉପରେ ଆଉ ବାକି ଅଛି । । ସେଥିପାଇଁ ରୋହନ ତାଙ୍କୁ ସୁନପାମ୍ପୁଡ଼ି ବୁଢା ଡାକୁଛି ।
ଭୂତର କଳ୍ପନା ତୋଳିଲେ ସନେଇ ଜେଜେ କୌଣସି ତରଫରୁ ମଣିଷ ପରି ଲାଗୁ ନଥିଲେ । ଭୟଙ୍କର ଚେହରା ଆଗରେ ଲଣ୍ଠନର ଆଲୋକ ପଡିଲେ ସମ୍ପୂର୍ଣ୍ଣ ରୂପେ ସେ ଏକ ଭୂତ ପରି ଦିଶୁଥିଲେ ଭୟଙ୍କର । ମୁହଁରେ ହସ ବି ନାହିଁ । କଠୋର ରୁକ୍ଷ ସ୍ୱରରେ କହିଲେ , " ଚୁପ୍ ଚାପ୍ ସବୁ ମୋ ପଛେ ପଛେ ଆସ । କିଏ ଯଦି ଏପଟ ସେପଟ କୁଆଡେ ବୁଲିଚ ତ ସେ ଦେଖିବ ମୋ ଅସଲ ରୂପ । "
ନିଜ ନିଜ ବ୍ୟାଗ ଉଠାଇ ପିଲାମାନେ ସବୁ ଗୋଟିଏ ଲାଇନରେ ସନେଇ ଜେଜେ ପଛେ ପଛେ ଚାଲିଲେ । ଅନ୍ଧାର କିଟିମିଟି ଚାରିଆଡ଼ । ସନେଇ ଜେଜେ କହିଲେ--" ସଭିଙ୍କ ମୁଣ୍ଡ ପାଖ ଟେବଲ ଉପରେ ଧିମା ବତୀରେ ଲଣ୍ଠନ ଲାଗିଛି । ଯୁଆଡେ ବି ଯିବ ନିଜ ସହିତ ଲଣ୍ଠନକୁ ନେବା ଭୁଲିବନି । ସବୁ ଆଡ଼ ଅନ୍ଧାର । ଝିଅମାନଙ୍କ କୋଠରୀ ପୁଅମାନଙ୍କ କୋଠରୀ ପାଖ ଟା । ପୁଅ ଝିଅଙ୍କୁ ଯଦି ଏକାଠି ଦେଖେ ତେବେ ଗାଆଁରେ ସାତ ବେଣ୍ଟିଆ କରି ଦେବି କହୁଚି । ସେ ସହରୀ ସଭ୍ୟତା ଏଠାରେ ଚଳିବନି । ସେ ଯିଏ ବି ହେଉ । ଦୁହିଁଙ୍କୁ ମୁରବି ଡାକି ମନ୍ଦିରରେ ବିବାହ କରାଇ ଦେବି । ଭୁଲରେ ବି ଯଦି ବାଡ଼ି ପଟକୁ ଯାଇଛ କି , ଜଙ୍ଗଲକୁ ଯିବାର ଭୁଲ୍ କରିଛ ତେବେ ମୋ ଅସଲ ରୂପ ଚିହ୍ନେଇ ଦେବି । ରାତି ଅନ୍ଧାରେ ହିଁ ତାକୁ ନେଇ ରୋଡ଼ ଉପରେ ଛାଡି ଦେଇ ଆସିବି । ପାଣି ଓ ରାତି ଖାଇବା ସଭିଙ୍କ ଖଟ ପାଖ ଟେବୁଲ ଉପରେ ଥୋଇ ଦେଇଛି । କିଛି ଜରୁରୀ କାମ ପଡିଲେ କି କିଛି ଆବଶ୍ୟକତା ହେଲେ ମୋତେ ଡାକିବ । ଖବରଦାର ଯଦି ଏକା ଏକା କୁଆଡେ ବୁଲିବାକୁ ଚେଷ୍ଟା କରିଚ । ସକାଳ ହେଲେ ମୁଁ ନିଜେ ତୁମମାନଙ୍କୁ ତୁମ କଲେଜ ପ୍ରୋଜେକ୍ଟରେ ସାହାଯ୍ୟ କରିବାକୁ ଗାଆଁ ଭିତରକୁ ନେଇ ଯିବେ । ନିଜେ ନିଜେ କୁଆଡେ ମାଡି ଯିବ ନାହିଁ । ଯିଏ ନିୟମ ଭାଙ୍ଗିବ ତାର ଏଠି ସ୍ଥାନ ନାହିଁ । ଶୁଣ, ଏଠାରେ ବିଦ୍ୟୁତ ନା ବରାବର । ତେଣୁ ଲଣ୍ଠନ ବତୀ ଲିଭାଇବ ନାହିଁ "
ସନେଇର ଚଢା ଗଳାରେ ତାଗିଦ ଶୁଣି ସଭିଏଁ ନିରବ । କେହି ବି ରାକେଶର ସମର୍ଥନ କରି ଜଙ୍ଗଲ ମଝିରେ ଥିବା ସେଇ ବଙ୍ଗଳାକୁ ଯିବା ପାଇଁ ଉଁ କି ଚୁଁ କହିଲେ ନାହିଁ । ସେମାନେ ଭିତରକୁ ଯିବା ପରେ ଦେଖିଲେ ସନେଇ କହିବା ମୁତାବକ ସଭିଙ୍କ ଖଟ ପାଖରେ ସମସ୍ତ ସାମଗ୍ରୀ ମହଜୁଦ ଅଛି । କୋଠରୀ ଭିତରେ ମିଞ୍ଜି ମିଞ୍ଜି ହୋଇ ବଲ ଦୁଇଟା ଜଳୁଛି । ସହରୀ ଘରେ ରାତି ପାଇଁ ଶୁନ ପାୱାରର ବଲ ଲାଗିବା ପରି ଆଲୋକ । ପଙ୍ଖା ଦୁଇଟା ବଡ଼ ଜୋରେ କଁ କଁ ହେଇ ଏମିତି ଧୀର ମନ୍ଥର ଗତିରେ ଘୁରୁଛି ଯେ ମୁଣ୍ଡର ଗୋଟାଏ ଚୁଟି ବି ସେଥିରେ ହଲିବ ନାହିଁ ।
କୌଣସି ପ୍ରକାରେ ଖିଆ ପିଆ ସାରି ଦେଇ ସଭିଏ ଶୋଇବାକୁ ଗଲେ । ହେଲେ ରାକେଶ ଆଖିରେ ନିଦ ନାହିଁ । ଜଙ୍ଗଲ ମଝିରେ ସେ ବଙ୍ଗଳାର ରହସ୍ୟ ଜାଣିବାକୁ ଛଟପଟ ହେଉ ଥାଏ । ରାତି ବାରଟାରେ ସେଇ ମିଞ୍ଜି ମିଞ୍ଜି ଲାଇଟଟା ବି କଟି ଗଲା । ସେଇ ଧୀର ମନ୍ଥର ଗତିରେ ବୁଲୁଥିବା ପଙ୍ଖାଟା ବି ଅଟକି ଗଲା । ଏତେ ଲମ୍ବା ରାସ୍ତା ଗାଡ଼ିରେ ବସି ବସି ସଭିଙ୍କ ଆଖିରେ ଗାଢ଼ ନିଦର ପରସ୍ତ । ହେଲେ ରାକେଶର ନିଦ ଉଡି ଯାଇଥିଲା । ଛଟପଟ ହୋଇ ବାଡ଼ି ପଟେ ଯାଇ ଖୋଲା ପବନ ଖାଇବାକୁ ବସି ପଡ଼ିଲା । ସନେଇ ଜେଜେ ଆଖି ମୁଜି ଶୋଇ ପଡିଛନ୍ତି ବାଡ଼ି ପଟ ପିଣ୍ଡାରେ ।
ଚୁପ୍ ଚାପ୍ ସୁଯୋଗ ଦେଖି ରାକେଶ ବାଡ଼ି ଗେଟ୍ ଖୋଲି ଜଙ୍ଗଲ ଆଡ଼କୁ ଚାଲିଲା । ହାତରେ ନେଇ ଥାଏ ତାର ଡିଜିଟାଲ କ୍ୟାମେରା । କିଛି ବାଟ ଯିବା ପରେ ତାକୁ ପାଉଁଜିର ଛମ୍ ଛମ୍ ଶବ୍ଦ ଶୁଭିଲା । ହେଲେ ସେ ଡରିଲା ନାହିଁ । ସେଇ ଶବ୍ଦ ଆଡ଼କୁ ଚାଲିଲା । ଚାଲୁ ଚାଲୁ ସେ ଅନେକ ଦୂର ଚାଲି ଆସିଲାଣି । ହେଲେ ସେଇ ଶବ୍ଦ ହେଉଥିବା କୁହୁକିନୀକୁ ଦେଖି ପାରୁ ନଥାଏ । ହଠାତ୍ ତାକୁ ଅନୁଭୂତ ହେଲା ପରିବେଶର ବାତାବରଣଟା ଅଧିକ ଥଣ୍ଡା ଥଣ୍ଡା ହୋଇ ଯାଉଛି । ନିଜ ପାପୁଲିରେ ବାହୁ ଦୁଇଟା ଘଷି ଦେଇ ସାମାନ୍ୟ ଉଷ୍ମତା ପାଇବାର ପ୍ରୟାସ କରୁଥିଲା ରାକେଶ ।
ହଠାତ୍ ତା ନଜରରେ ପଡିଲା ଏକ ପଦ୍ମକଢ଼ି ପରି କୋମଳି ଶ୍ୱେତ ଦୁଗ୍ଧ ପରି ନବ ଯୌବନା ସୁନ୍ଦରୀ ଝିଅଟିଏ ଉପରେ । ଓଃ.....!! କି ସୁନ୍ଦର । କି ସୁନ୍ଦର ତାର ରୂପ ଲାବଣ୍ୟ । । ଘନ ଗହଳ କଳା ମେଘ ପରି ଲମ୍ବା ଲମ୍ବା କେଶ ରାଶି । ସେ ଚାଲିଲେ ତାର ନଳୀ ଗୋଡ଼ ଯାଏ ଉଠିଥିବା ଘାସ ଉପରେ ତାର କେଶ ଗୁଡିକ ଛୁଇଁ ଛୁଇଁ ଯାଉଛି । ଚାଖଣ୍ଡେ ହେବ କି କଣ କଅଁଳି ଅଣ୍ଟା । ତା ଦେହର ତେଜ ଏପରି ଯେ ସେ ଚାଲି ଗଲେ ସେ ସ୍ଥାନରେ ଆଲୋକ ଖେଳି ଯାଉଛି । ଧଳା ଶାଢ଼ୀ ତା ଦେହକୁ ଖୁବ୍ ମାନୁଚି । ତା ଲାଜୁଆ ଲାଜୁଆ ଓଠରେ ଚେନାଏ ହସର ଚମକ ମନ ମୋହି ନେଇ ଯାଉଛି ।
ଅଜାଣତରେ ରାକେଶ ଅନେକ ଗୁଡ଼େ ରାସ୍ତା ଚାଲି ଆସିଲାଣି ତା ରୂପରେ ସମ୍ମୋହିତ ହୋଇ । ରାକେଶକୁ ଝିଅଟି ଧିରେ ଧିରେ ସେଇ ଭଗ୍ନବଙ୍ଗଳା ଭିତରକୁ ପ୍ରବେଶ କରାଇଲା । ରାକେଶ କହିଉଠିଲା, କିଏ ତମେ ସୁନ୍ଦରୀ, ମୋତେ ଏଇ ଭିତରକୁ କାହିଁକି ଟାଣିଆଣିଲ । ତମେ ଅନିନ୍ଦ୍ୟ ସୁନ୍ଦରୀ । ସାଙ୍ଗମାନେ କହୁଥିଲେ ଭୂତବଙ୍ଗଳା । ମୁର୍ଖ ଗୁଡାକ । ଏକବିଂଶ ଶତାବ୍ଦୀରେ ବି ଭୂତପ୍ରେତରେ ବିଶ୍ୱାସ ରଖନ୍ତି । ତମ ବିଷୟରେ କୁହ । ଝିଅଟି ତା ଦୁଃଖ କାହାଣୀ ବର୍ଣ୍ଣନା କଲା । ତାକୁ କିଏ ଜଣେ ପ୍ରେମରେ ଧୋକା ଦେଇ ତାର ସର୍ବସ୍ୱ ଲୁଟିନେଲା । ଝିଅଟି ଆଖିରେ ଲୋତକବନ୍ୟା ।
ହଠାତ୍ କାନ୍ଧଉପରେ କାହାର କର୍କଶ, ହାଡୁଆ ହାତ ସ୍ପର୍ଶରେ ଚମକି ଉଠି ପଛକୁ ଫେରି ଚାହିଁଲା ରାକେଶ । ସନେଇଜେଜେ କହୁଥିଲେ ତମର ତ ଭାରି ସାହସ । ମନାକଲି ତଥାପି ମୋ କଥା ଅମାନ୍ୟ କଲ । ଠିକ୍ ସମୟରେ ମୁଁ ପହଞ୍ଚି ନଥିଲେ ତମର କଣ ଯେ ହୋଇଥାଆନ୍ତା ? ମୁଁ ନିନ୍ଦା ପାଇଥାଆନ୍ତି ନା । ଆଉ ନିନ୍ଦା ଅପବାଦ ଶୁଣିବାକୁ ଏ ବୁଢାର ବଳ ନାହିଁ ।
ଠୋ ଠୋ ହସିଉଠି ରାକେଶ କହିଲା, ନା ଜେଜେ, ତମେ ସବୁ ଭ୍ରମ କଥା କହୁଛ । ଏଇଠିକୁ ସୁନ୍ଦରୀ ଝିଅଟିଏ ଆସେ । ମୁଁ ତାକୁ ବାହାହେବି । ସନେଇ କହିଲା, ହେ ବେକାରକଥା, ଚାଲ ଶୋଇବ । ଆରେ ଜେଜେ ମୁଁ ଜାଣେ ତମେ ବିଶ୍ୱାସ କରିବନାହିଁ । ଏଇ ପରା ମୋ ଆଗରେ ଠିଆ ହୋଇଛି ଦେଖୁନ । ତମ ଆଖି ବୟସାଧିକ୍ୟ ଯୋଗୁଁ ଦେଖିପାରୁନି । ଆଶ୍ଚର୍ଯ୍ୟ ହୋଇଗଲା ରାକେଶ, ଆରେ ଏଇଠିଥିଲା ସୁନ୍ଦରୀ ଲଳନା, ଗଲା କୁଆଡେ ?
ସନେଇଜେଜେ କହିଲେ ବାବୁ, ଚାଲିଲ ତମେ । ମନା କଲା ରାକେଶ । ଆରେ ଜେଜେ ତମକୁ ଦେଖି ବୋଧେ ଝିଅଟି ଏଠାରୁ ପଳେଇଗଲା । ହଉ ତା ଫଟୋ ମୁଁ ନେଇଛି, ଜେଜେ । ଝିଅଟି କିଏ କହିଲ ? କ୍ୟାମେରା ମୂଳରୁ ଶେଷ ଯାଏଁ ଓଲଟାଇ ନେଲା ହେଲେ ଗୋଟିଏ ବି ଫଟୋ ନାହିଁ । ଭୟରେ ବରଡାପତ୍ର ପରି ଥରୁଥିଲା ରାକେଶ । ମନେ ପଡୁଥିଲା ଜେଜେମାଆର ବାଉଁଶମୂଳର ଭୂତ କାହାଣୀ । ସନେଇ ଜେଜେ ସେଇ ଝିଅଟି ବିଷୟରେ ବର୍ଣ୍ଣନା କଲେ । ସେ ସନେଇଜେଜେଙ୍କ ଝିଅ ପିଙ୍କି । ତାକୁ ଭଲ ପାଇ ପ୍ରତାରିତ କରିଥିବା ବ୍ୟକ୍ତି ରୋହନର ବାପା ବ୍ୟତୀତ ଅନ୍ୟ କେହି ନୁହଁ । ପିଙ୍କି ଗର୍ଭବତୀ ହୋଇ ଲୋକଲଜ୍ଜା ସହିନପାରି ଆତ୍ମହତ୍ୟା କଲା । ବିଚାରୀ ମାଆ ଛେଉଣ୍ଡ ଝିଅଟି । ସେହିଦିନଠାରୁ ସେ ଖୋଜିବୁଲୁଛି ତାର ପ୍ରେମକୁ । କୌଣସି ପୁରୁଷ ଏଠାକୁ ଆସି ଜୀବନ୍ତ ଫେରି ନାହିଁ । ରୋହନର ଜେଜେ ସବୁ ବିଷୟ ଜ୍ଞାତ ହେଲାପରେ ଏଇ ବଙ୍ଗଳା ମୋ ନାଆଁରେ କରିଦେଲେ । ଏଇ ଦେଖ କହି ହାତ ବଢେଇଥିଲା ସନେଇ ଜେଜେ । ବୁଢୀଆଣି ଜାଲ ଭିତରେ ନରକଙ୍କାଳଟି ଥିଲା ପିଙ୍କିର । ରାକେଶ ଓ ସନେଇ ଫେରୁଥିଲେ ବଙ୍ଗଳା ଆଡକୁ ....... !!

