Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Pramod Kumar Jena

Inspirational


4  

Pramod Kumar Jena

Inspirational


ବନ୍ଧ୍ୟା

ବନ୍ଧ୍ୟା

7 mins 652 7 mins 652


ସନ୍ଦେହ ଆଉ ଆସ୍ଥା, ଜ୍ଞାନ ଆଉ ଅହମିକା, ସନ୍ଦେହ, ବନ୍ଧନ ଆଉ ବାସ୍ତବତା : ଘୂର୍ଣ୍ଣିବଳୟର ଗୋଟିଏ ଗୋଟିଏ ବିସ୍ତାରିତ କାୟା ଭଳି ଅରୁଣାକୁ ଅଣାୟତ୍ତ କରି ଦେଉଥାନ୍ତି l ବିବାହ ଗୋଟିଏ ବନ୍ଧନ... ବିବାହ ଗୋଟିଏ ପ୍ରଶ୍ନ... ବିବାହ ଗୋଟିଏ ପ୍ରହେଳିକା... ନା ଆନନ୍ଦର ରଜ୍ଜୁ, ଯେଉଁଠି ଅସୁମାରୀ ସୁଖ ଲୁଚି ରହିଛି , ଯେଉଁଠି ଅସୁମାରୀ ଦୁଃଖ ଲୁକ୍କାୟିତ ଅବସ୍ଥାରେ ଅଛି, ଯେଉଁଠି ଯନ୍ତ୍ରଣା ମଧ୍ୟ ଗୁଞ୍ଜରିତ l ବିବାହ ଗୋଟିଏ ଭାନୁମତୀର ପେଡି l କେତେବେଳେ ସେ ପେଡିରୁ କ’ଣ ବାହାରିବ କିଏ 

ଜାଣେ ? ବିବାହିତ ଦମ୍ପତ୍ତି ହିଁ ଅଂଶୀଦାର ଆଉ ଭୋକ୍ତା l କିଏ କହେ ଭାଗ୍ୟ... କିଏ କହେ କର୍ମଫଳ... ଆଉ କିଏ କହେ ସଂସାର... ଇଂରାଜୀରେ ପ୍ରବାଦ ଅଛି, “ବିବାହ ଏକ ଲଟେରୀ” ; ହିନ୍ଦୀରେ ଅଛି, “ବିବାହ ଦିଲ୍ଲୀକା ଲଡ୍ଡୁ...” l ସବୁ ବିବାଦ ଆଉ ଲୋକ କଥାର ପାହାଡ ଡେଇଁ ଅରୁଣା ବୈଦିକ ରୀତିରେ ହାତ ଧରିଥିଲା ଅନୁପଙ୍କର l ସୌମ୍ୟକାନ୍ତି... ଉଦାର ହୃଦୟ...l ଅମାୟିକ ବ୍ୟକ୍ତିତ୍ୱ ଭିତରେ ଅରୁଣା ପାଇଥିଲା ଅଜାଚିତ ସ୍ନେହ ଆଉ ପ୍ରେମର ସାଗର l ଧରି ନେଇଥିଲା ଏୟା ହିଁ ବୈବାହିକ ଜୀବନର ପୁଞ୍ଜି l ଧିରେ ଧିରେ ତା’କୁ ଅନୁଭୂତ ହଲା କିଛି ଗୋଟେ ନ ପାଇବାର ସଙ୍କେତ l ଯେବେଠାରୁ ସେ ଅନୁଭୂତି ଆବିଷ୍କାର କଲା, ତଥାପି ବି ଆଗେଇ ଚାଲିଥିଲା ସଂସାର ତାଙ୍କର l କିନ୍ତୁ ସମୟର ପ୍ରବାହ ଧିମେଇ ଯିବାକୁ ଲାଗିଲା ବାରମ୍ବାର ପ୍ରଶ୍ନବାଣର ଶୀକାର ହୋଇ l ବିବାହର ଚତୁର୍ଥ ବର୍ଷ ହୋଇଗଲା, ଅଥଚ କୋଳ ଶୂନ୍ୟ ??? ପ୍ରଶ୍ନବାଣର ଦିଗ ବଦଳିବାକୁ ଲାଗିଲା ସିନା ହେଲେ ଧାର କିନ୍ତୁ ଆହୁରି ଶାଣିତ ହେବାକୁ ଲାଗିଲା l କିଛି ଟିlଭିl ଧାରାବାହିକର କାହାଣୀରେ ତାଙ୍କ ଜୀବନର ସେ ପ୍ରତିବିମ୍ବ ଲକ୍ଷ୍ୟ କଲେ l ଆସ୍ତେ ଆସ୍ତେ ସେହି ଧାରାବାହିକର ଘଟଣାଚକ୍ରରୁ କିଛିଟା ସମାଧାନର ରାସ୍ତା ପାଇଯିବେ ବୋଲି ଚିନ୍ତା କଲେ l ଯେଉଁ ଚିନ୍ତାଧାରାକୁ ସେ ପ୍ରଶ୍ରୟ ଦେଲେ, ଦିନୁ ଦିନ ସେ ଦୃଢ ହେବାକୁ ଲାଗିଲା ଏବଂ ଯେତେଟା ସତ୍ ସାହସ ଦରକାର ଥିଲା, ସେତିକିଟା ବୋଧହୁଏ ସେ ସଞ୍ଚୟ କରିପାରି ଦିନେ ସ୍ୱାମୀଙ୍କୁ ଧୀର ଗଳାରେ କହିଲେ – ଆମେ ଜଣେ ଡାକ୍ତରଙ୍କର ପରାମର୍ଶ ନେଲେ କିପରି ହୁଅନ୍ତା ?

ଉତକ୍ଷିପ୍ତ ହୋଇ ଉଠିଲେ ଅନୁପ l

- ଡାକ୍ତରଙ୍କୁ କ’ଣ ପାଇଁ ଦେଖାଇବା ? କ’ଣ ହୋଇଛି ଆମର ?

- ନାଁ... କିଛି ହୋଇନି ଆମର l କିନ୍ତୁ...

- କିନ୍ତୁ ପୁଣି କ’ଣ ?

- ବାହାଘର ଚାରି ବର୍ଷ ହୋଇଗଲାଣି l ପିଲା ଛୁଆ ନ ହେବାଟା ଅସ୍ୱାଭାବିକ ବୋଲି ସମସ୍ତେ କହୁଛନ୍ତି l

- ସମସ୍ତେ ପୁଣି କିଏ ? ସେମାନେ ଏ ସବୁ ଭିତରେ ମୁଣ୍ଡ ଖେଳାଇବାଟା କ’ଣ ଦରକାର ?

- ସେମାନେ କେହି ନ ହେଲେ ବି ଆମେତ ଆମ କଥା ଚିନ୍ତା କରିବା l ଦେଖ... ଡାକ୍ତରଙ୍କ ପରାମର୍ଶ ନେଲେ ଆମର ଅସୁବିଧା କ’ଣ ? ଆମେ କୁଆଡେ ଯାଉଛୁ... କ’ଣ କରୁଛୁ... କାହାକୁ ଭେଟୁଛୁ... ଅନ୍ୟମାନେ ଜାଣିବେ କେମିତି ?

ପ୍ରସ୍ତାବଟା ଶୁଣି ଅନୁପ ଟିକିଏ ନରମି ଗଲେ l

- ତୁମେ କ’ଣ ଚାହୁଁଛ ?

- ଦେଖ ଆମେ ଚୁପଚାପ୍ ଯାଇ ଜଣେ ଡାକ୍ତରଙ୍କର ପରାମର୍ଶ ନେବା l ସେ କ’ଣ କହୁଛନ୍ତି ଶୁଣିବା l ଆମ ଦୁହିଁଙ୍କ ଛଡା ଅନ୍ୟ କେହି ଜାଣିବେନି l ଯଦି କିଛି ଅସୁବିଧା ନ ଥାଏ ଭଲ କଥା l ଅସୁବିଧା ଥିଲେ ଆମେ ପ୍ରତିକାର ପାଇଁ ଚିନ୍ତା ତ 

କରିପାରିବା l

ଯଦିଚ ଅନୁପ ଏ କଥା କେବେ ବି ଚିନ୍ତା କରି ନ ଥିଲେ, କିନ୍ତୁ କଥାର ଗୁରୁତ୍ୱକୁ ଅନୁଭବ କରିପାରିଲେ l ଏତିକି ବୁଝିବାର କ୍ଷମତା ତ ତାଙ୍କର ନିଶ୍ଚୟ ଅଛି l ଚିନ୍ତା କରିବାକୁ ଲାଗିଲେ l ସ୍ୱାମୀଙ୍କ ଏ ଅବସ୍ଥା ଦେଖି ଅରୁଣା ପ୍ରସ୍ତାବଟାକୁ ଟାଳି ଦେବାକୁ ବସିଲେ l

- ଏତେ ଚିନ୍ତା କରିବା କ’ଣ ଦରକାର ? ମୁଁ ଖାଲି ତୁମକୁ କହିଲି l ଯଦି ତୁମର ଆପତ୍ତି ଅଛି ଛାଡିଦିଅ l କିଛି ଦରକାର ନାହିଁ l 

ଅରୁଣାଙ୍କ କଥାରେ ଟିକିଏ ଆଶ୍ୱସ୍ଥ ହେଲେ ଅନୁପ l କିନ୍ତୁ ରାତିରେ ଆଖିକୁ ଆଉ ନିଦ ଆସିଲାନି l ପ୍ରଶ୍ନ ଉପରେ ପ୍ରଶ୍ନ ନିଦକୁ ବ୍ୟତିବ୍ୟସ୍ତ କରିପକାଇଲା l ଯେତେ ଚେଷ୍ଟା କଲେ ବି କୌଣସି ପ୍ରଶ୍ନର ଉତ୍ତର ପାଇପାରିଲେନି l ପାଖରେ ଶୋଇ ଅରୁଣା ଠିକ୍ ବୁଝି ପାରୁଥିଲେ ସ୍ୱାମୀଙ୍କ ଅବସ୍ଥା l ତାଙ୍କୁ ମଧ୍ୟ ନିଦ ଠିକ୍ ଆସିଲାନି l ସେ ଭାବୁଥିଲେ ପ୍ରସ୍ତାବଟା ଠିକ୍ ହେଲା ନା ଭୁଲ ? ରାତ୍ରିର ଶେଷ ପ୍ରହର ବେଳକୁ ଦୁହିଁଙ୍କୁ ନିଦ ଆସି ଯାଇଥିଲା l 

*** *** *** *** ***

ୟା ପରେ ଅରୁଣା ମନ ଭିତରୁ ସେ ସବୁ ପ୍ରସ୍ତାବକୁ ମନରୁ ପୁରା ପାଶୋରି ଦେଇଥିଲେ l ଦିନେ ଅଫିସରୁ ଅନୁପ ଫୋନ୍ କରି ଜଣାଇଲେ ସନ୍ଧ୍ୟାବେଳକୁ ବାହାରକୁ ଯିବା ପାଇଁ ପ୍ରସ୍ତୁତ ରହିବାକୁ l ସ୍ୱାମୀଙ୍କ ଅଚାନକ ସୂଚନା ଟିକିଏ ଉତ୍ସୁକତା ବଢାଇ ଦେଇଥିଲା ଅରୁଣାଙ୍କର l କୁଆଡେ ଯିବେ ? କାହିଁକି ଯିବେ ? କ’ଣ କାହାର ନିମନ୍ତ୍ରଣ ଅଛି ନା ସିନେମା ? କିଛି ତ ଠିକରେ ଜଣେଇଲେନି l ଖାଲି ଏତିକି କହି ଫୋନ୍ କାଟିଦେଲେ, - ସନ୍ଧ୍ୟାବେଳକୁ ରେଡି ଥିବ l ବାହାରକୁ ଯିବା l ବେଶି କିଛି ଚିନ୍ତା ନ କରି ସନ୍ଧ୍ୟାବେଳକୁ ପ୍ରସ୍ତୁତ ହୋଇ ସ୍ୱାମୀଙ୍କ ପ୍ରତୀକ୍ଷା କରି ବସି ରହିଲେ l ପୂର୍ବାନୁମାନ ଅନୁଯାୟୀ ଅନୁପ ପହଞ୍ଚିଗଲେ ଠିକ୍ ସନ୍ଧ୍ୟା 6l30ରେ l କିଛି ପଚାରିବା ପୂର୍ବରୁ ଜଲଦି ଜଲଦି ବାହାରି ଆସିବାକୁ କହିଲେ l ଯନ୍ତ୍ରଚାଳିତ ଭଳି ଯାଇ କାର୍ ଭିତରେ ବସିଲେ ଅରୁଣା l ଗାଡି ଯେମିତି ଚଲେଇବାକୁ ଆରମ୍ଭ କରିଛନ୍ତି ସ୍ୱାମୀଙ୍କୁ ପଚାରିଲେ,

- ଆରେ ଆମେ ଯାଉଛୁ କୁଆଡେ ?

- ଜଣେ ଭଦ୍ରଲୋକଙ୍କୁ ଦେଖା କରିବାକୁ l

- ସେ ଭଦ୍ରଲୋକ କିଏ ?

- ମୁଁ ବି ତାଙ୍କୁ ଦେଖିନି l କିଛି ନାଆଁ ଶୁଣିଛି l 

- ତା’ହେଲେ ଆମେ ଯାଉଛୁ କ’ଣ ପାଇଁ ?

- ଆରେ ଗଲେ ଆପେ ଜାଣିଯିବ l

କିଛି ସମୟ ପରେ କାରଟି ଯାଇ ଗୋଟିଏ କ୍ଲିନିକ୍ ଆଗରେ ଅଟକିଲା l ବଡ ବଡ ଅକ୍ଷରରେ ଲେଖାଯାଇଛି, *** ଫର୍ଟିଲିଟି କ୍ଲିନିକ୍ l ଘଟଣାଟି ଜାଣିବାକୁ ଆଉ ଡେରି ଲାଗିଲାନି ଅରୁଣାଙ୍କୁ l ଖୁସି ହେବେ ନା ଦୁଃଖି ହେବେ ଜାଣିପାରିଲେନି l ମନଟା କିନ୍ତୁ ଆନ୍ଦୋଳିତ ହେବାକୁ ଲାଗିଲା l ସ୍ୱାମୀଙ୍କ ମୁହଁକୁ ଚାହିଁଲେ l ସ୍ମିତ ହସି ଅନୁପ କହିଲେ,

- କ’ଣ ଆଶ୍ଚର୍ଯ୍ୟ ହେଲ ? ତୁମେ ଯାହା ଚାହୁଁଥିଲ, ତାହା ଠିକ୍ ବୋଲି ମୁଁ ପରେ ଚିନ୍ତା କଲି l ତେଣୁ ବେଶି କାହାକୁ ନ ଜଣାଇ ନେଇ ଆସିଲିl Straight line is always straight linel ସତ୍ୟକୁ ଲୁଚାଇବାର ଧୃଷ୍ଟତା ମୁର୍ଖାମୀ l Let’s face the truthl

ସ୍ୱାମୀଙ୍କ ମୁହଁକୁ ବଲ ବଲ କରି ଚାହିଁ ରହିଲେ ଅରୁଣା l ଏତେ ସହଜରେ ଅନୁପ ଯେଉଁ କଥାଗୁଡିକ କହିଗଲେ ତା’ର ଗୁରୁତ୍ୱ ଉପଲବ୍ଧି କରିବାକୁ ଲାଗିଲେ l ଦୁହେଁ ଯାଇ ଟୋକେନ୍ ନେଇ ଅପେକ୍ଷା କରି ବସିଲେ ନିଜ ପାଳି ଆସିବା ଯାଏ l ହୃଦୟର ଗତିଟା ଆସ୍ତେ ଆସ୍ତେ ତେଜ୍ ହୋଇଯାଉଥାଏ l କିନ୍ତୁ ଅନୁପଙ୍କ ମୁହଁରେ ପୂର୍ବର ସେହି ସ୍ମିତ ହସ ଲାଗି ରହିଥାଏ l ସେଇ ସହଜ ଢଙ୍ଗରେ ସେ ଉପସ୍ଥିତ ଅନ୍ୟ ଦମ୍ପତ୍ତିଙ୍କର ହାବଭାବକୁ ନୀରିକ୍ଷଣ କରୁଥାନ୍ତି l ଠିକ୍ ସମୟରେ ତାଙ୍କ ପାଳି ଆସିଲା l ଦୁହେଁ ଭିତରକୁ ଗଲେ l

*** *** *** *** ***

ପରୀକ୍ଷାର ରିପୋର୍ଟ୍ ଆସି ଯାଇଥାଏ l ଦୁହେଁ ପୁଣି ଯାଇ ଡକ୍ଟରଙ୍କ ପାଖରେ ବସିଲେ l ଯାହା ଶୁଣିଲେ ସେଥିରେ ଅନୁପଙ୍କ ହୋସ୍ ଉଡିଗଲା l ପୂର୍ବର ସେ ସ୍ମିତ ହସ ବଦଳରେ ବିମର୍ଷର କଳା ବାଦଲ ଢାଙ୍କି ଦେଇଗଲା ତାଙ୍କ ମୁହଁକୁ l ପାଟି ଅଠା ଅଠା ହୋଇଗଲା l ଗଳା ଶୁଖିଗଲା ଭଳି ଲାଗିଲା ...ll “ଶୁକ୍ରାଣୁର ଆଶାନୁତୀତ ସ୍ୱଳ୍ପତା l” 

*** *** *** *** ***

ଦୁହେଁ ଫେରିଲେ l ଦୁହିଁଙ୍କ ମୁହଁରେ ଭାଷା ନାହିଁ l ଡାକ୍ତର ଉପଦେଶ ଦେଲେ, “ଅପରେସନର ସମ୍ଭାବନା ଅଛି, କିନ୍ତୁ କିଛି ଫଳାଫଳର ଗ୍ୟାରେଣ୍ଟି ନାହିଁ l ଔଷଧିୟ ଉପଚାର ଫଳପ୍ରଦ ନୁହେଁ l” ଏମିତି କିଛି କହିଗଲେ ଡାକ୍ତର l ସବୁଗୁଡିକ ଅନୁପଙ୍କ କର୍ଣ୍ଣ ଗହ୍ୱରରେ ପ୍ରବେଶ କରି ମଧ୍ୟ କେଉଁବାଟେ ପ୍ରସ୍ଥାନ କଲା ଜାଣିପାରିଲେନି l ଏ ପ୍ରକାର ଅବିଶ୍ୱସନିୟ ରିପୋର୍ଟ୍ ଯେ ଆସିବ, ତା’ର କଳ୍ପନା କେବେ ବି କରି ନ ଥିଲେ ଅନୁପ l କାହିଁକି ବା କମିବ ? ଏତେ ସୁନ୍ଦର ସ୍ୱାସ୍ଥ୍ୟ... ଏତେ ସୁନ୍ଦର ଚେହେରା l ଭଗବାନଙ୍କର ଏ କି ନ୍ୟାୟ ? ଏ ସୁନ୍ଦର ଚେହେରା ଭିତରେ ବି ରଖିଦେଲେ କିଛି ଖୁଣ... କିଛି କମି... ଯାହାର ଉପଚାର ବୋଧହୁଏ ଅତି କ୍ଷୀଣ l କିଏ କାହାକୁ ପ୍ରବୋଧନା ଦେବ ? କି ଆଘାତ ଇଏ ଯେଉଁଥିରେ ଦୁହେଁ କ୍ଷତବିକ୍ଷତ, କିନ୍ତୁ ଆତତାୟୀ କେହି ନୁହଁନ୍ତି l

*** *** *** *** ***

ଏବେ ବାରମ୍ବାର ପ୍ରଶ୍ନ ଅରୁଣାଙ୍କ ମନ ଭିତରେ, ବିବାହର ସାର୍ଥକତା କେଉଁଠି ? ସ୍ନେହରେ ? ପ୍ରେମରେ ? ବନ୍ଧନରେ ? ନା ମାତୃତ୍ୱରେ ? ମାତୃତ୍ୱ ବିନା ବିବାହର ମାନେ କ’ଣ ? ତା’ହେଲେ ଏ ସ୍ନେହ, ଏ ପ୍ରେମ ଆଉ ବନ୍ଧନର ମୂଲ୍ୟ କ’ଣ ଜୀବନରେ କିଛି ନୁହେଁ ? ଏତେ ବର୍ଷର ପ୍ରେମର ମୂଲ୍ୟ କ’ଣ ଶୂନ୍ୟ ? ଏ କି ଚାରିଛକିରେ ଭଗବାନ ତା’କୁ ଆଣି ଠିଆ କଲେ ? ମୁଣ୍ଡ ଆଉ କାମ କରୁନି ଅରୁଣାଙ୍କର l ଏଇ କେତେ ବର୍ଷର ସ୍ନେହ ଆଉ ପ୍ରେମର ଦ୍ୱାହି ଦେଇ କ’ଣ ସେ ତାଙ୍କର ମାତୃତ୍ୱକୁ ଜଳାଞ୍ଜଳି ଦେଇପାରିବେ ? ସାରା ଜୀବନ କୋଳ ଶୂନ୍ୟ ହୋଇ ଅତିବାହିତ କରିପାରିବେ ତ ? ମନ ଭିତରେ ପୁଣି ପ୍ରଶ୍ନ ଏଥିରେ ସ୍ୱାମୀଙ୍କର ଦୋଷ କେଉଁଠି ରହିଲା ? ଭଗବାନ ଯଦି କିଛି ମନୁଷ୍ୟକୁ ସମ୍ପୂର୍ଣ୍ଣ କ୍ଷମତା ଦେବାରେ କାର୍ପଣ୍ୟ କଲେ,ବିଚରା ମନୁଷ୍ୟର ଦୋଷ କେଉଁଠି ରହିଲା ?  

*** *** *** *** ***

ଦିନକୁ ଦିନ ଚିନ୍ତାର ଭାରଟା ବଢିବାକୁ ଲାଗିଲା l ଦୈନନ୍ଦିନ କାର୍ଯ୍ୟରୁ ରୁଚି କମି ଆସିଲା l ଶାଶୁ ଶ୍ୱଶୁର କିନ୍ତୁ ଏ ସବୁ ଘଟଣା କ୍ରମର କିଞ୍ଚିତ ଆଭାସ ବି ପାଇ ନ 

ଥିଲେ l ବାସ୍ ସେମାନେ ହାବଭାବରେ ପରିବର୍ତ୍ତନ ଲକ୍ଷ୍ୟ କରି ଦିନେ ଅଧେ ପ୍ରଶ୍ନ ବି କରିଥିଲେ l କିନ୍ତୁ ଟାଳି ଦେଉଥିଲେ ଅରୁଣା l ଅନୁପ ମଧ୍ୟ ସେଇ ପ୍ରକାର ପ୍ରଶ୍ନବାଣରୁ ନିସ୍ତାର ପାଇ ନ ଥିଲେ l ଉଭୟଙ୍କ ସମାନ ଅବସ୍ଥା ଦେଖି ଶାଶୁ ଶ୍ୱଶୁର ମୋଟାମୋଟି ସିଦ୍ଧାନ୍ତରେ ପହଞ୍ଚି ଯାଇଥିଲେ ଯେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କିଛିଟା ମତାନ୍ତର l କିନ୍ତୁ ଏ ଭୟଙ୍କର ବିଷ୍ଫୋଟକ ଯେ ଅଗ୍ନି ସଂଯୋଗର ଅପେକ୍ଷାରେ ଅଛି ଚିନ୍ତା କରି ନ ଥିଲେ l *** *** *** *** ***

ସ୍ୱାମୀଙ୍କ ଉପଦେଶ ଅନୁଯାୟୀ କିଛି ଦିନ ପାଇଁ ବାପା ବୋଉଙ୍କ ପାଖକୁ ଯିବାକୁ ନିଷ୍ପତ୍ତି ନେଲେ ଅରୁଣା l ଗଲାବେଳେ ସ୍ୱାମୀଙ୍କ ଆଡେ ଚାହିଁଲେ l ଟିକିଏ ବିଚଳିତ ହେଲେ l ତାଙ୍କ ଆଖିର ଭାଷା ପଢିବାକୁ ଡେରି ଲାଗିଲାନି l ଆଖିର ଆର୍ଦ୍ରତା ଯେମିତି ଶଙ୍କାଗ୍ରସ୍ତ ହୋଇ ପଚାରୁଥିଲା – ତୁମେ ଫେରିବ ତ ? ଭାରାକ୍ରାନ୍ତ ହୋଇ ବାପା ବୋଉଙ୍କ ପାଖକୁ ଯାଉଥାନ୍ତି ଅରୁଣା l ନ କହିବା ପାଇଁ ପଣ କରିଥିବା ଅରୁଣା କିନ୍ତୁ ବେଶି ଦିନ ବୋଉ ଠାରୁ ଲୁଚେଇ ପାରିଲେନି l ଘଟଣାଟିର ପ୍ରଭାବ ତାଙ୍କ ଘରେ ଗୋଟିଏ ପରମାଣୁ ବୋମା ଭଳି ଲାଗିଥିଲା ସମସ୍ତଙ୍କୁ l କାହା ମୁହଁରେ ଭାଷା ନାହିଁ l ସମସ୍ତେ ଯେମିତି ଖୋଜୁଥିଲେ ନିଜ ମନ ଭିତରେ ଉଠୁଥିବା ଅସଂଖ୍ୟ ପ୍ରଶ୍ନର ଉତ୍ତର l

*** *** *** *** ***

ଏଇମିତି କିଛି ଦିନ ବିତିଗଲା l ସ୍ୱାମୀଙ୍କ ପାଖରୁ ଫୋନ୍ ଆସିବାଟା ମଧ୍ୟ ବନ୍ଦ ହୋଇଗଲା l ଦିନେ ଘରକୁ ପାଖ ଘର ନାନୀ ଆସିଥିଲେ l ବୟସ ପାଖାପାଖି 

ସତୁରୀ l ବେଶ୍ ବୁଝିବା ଶୁଝିବା ସ୍ତ୍ରୀ ଲୋକ l ପାଖ ପଡିଶାରେ ବହୁତ ଆଦର l ସ୍ୱାମୀ ଚାଲିଗଲେଣି l ପିଲାମାନେ ବି ବଡ ହୋଇଗଲେଣି l ଏବେ ଦୁଇ ନାତି ନାତୁଣୀଙ୍କର ଜେଜେମାଆ l ଏଇ ଗାଆଁର ଝିଅ ଆଉ ଏଇ ଗାଆଁର ବୋହୁ ମଧ୍ୟ ସିଏ l ତେଣୁ କିଏ ଖୁଡି ଡାକନ୍ତି ତ କିଏ ନାନୀ l ପାଖରେ ଆସି ବସିଲେ l କଥାବାର୍ତ୍ତାରୁ ଲାଗିଲା ଯେମିତି ଘଟଣାର ସୁରାକଟା ପାଇ ସାରିଛନ୍ତି l ବିନା ପ୍ରସଙ୍ଗରେ କହିଚାଲିଲେ l ବୋଧହୁଏ ଶୁଣେଇବାକୁ ଚାହୁଁଥିଲେ ଅରୁଣାକୁ l

*** *** *** *** ***

- ଆମ ପଡିଶା ଭଗିଆ ନାହାକର ଏ ସ୍ତ୍ରୀ ହେଉଛି ତୃତୀୟ ପକ୍ଷ l

- ଆଗରୁ କ’ଣ ଦୁଇ ଥର ବାହା ହୋଇଥିଲେ ?

- ହଁ...

- ସେମାନେ କୁଆଡେ ଗଲେ ?

- ପିଲାଛୁଆ ହେଲାନି ବୋଲି ପହିଲିଟାକୁ ଛାଡି ଦେଲା l ତା’ପରେ ଆଉ ଗୋଟେ ବାହା ହେଲା l 

- ତା’ର ବି ପିଲାଛୁଆ ହେଲାନି l ତା’କୁ ବାଞ୍ଝ କହି ବିଦା କରିଦେଲା l ଶେଷରେ ଗୋପାଳ ବୋଉକୁ ରଖିଲା l

- ସେମାନେ କୁଆଡେ ଗଲେ ? ତାଙ୍କର କ’ଣ ହେଲା ?

- ସେ ଦୁଇ ଜଣ ଅନ୍ୟଠି ବାହା ହୋଇ ପିଲାଛୁଆ ନେଇ ସୁଖରେ ଅଛନ୍ତି l

- ତା’ହେଲେ ସେମାନଙ୍କୁ ଅପବାଦ ଦେଇ ତଡିଲେ କାହିଁକି ? ଗୋପାଳ ବୋଉର ପିଲାଛୁଆ କେମିତି ହେଲା ?

- ପିଲାଛୁଆ... ? 

ଏତିକି କହି ନାନୀଙ୍କର ମୁହଁଟା ଘୃଣାରେ ବିକୃତ ହୋଇଗଲା, ଯାହା ଗୋପାଳର ପିତୃତ୍ୱକୁ ନେଇ ପ୍ରଶ୍ନବାଚୀ ଉଠେଇବା ପାଇଁ ଯଥେଷ୍ଟ ଥିଲା l 

- ଆଜିକାଲିକା ଭଳି ଆଗେ ତ ଡାକ୍ତରଖାନାରେ ଏତେ ସବୁ ପରୀକ୍ଷା ହେଉ ନ 

ଥିଲା l ପିଲା ନ ହେଲେ ସବୁ ଦୋଷ ସ୍ତ୍ରୀର l ସେ ବାଞ୍ଝ l 

ମୁଣ୍ଡଟା ଘୁରଗଲା ଅରୁଣାଙ୍କର l ଏ ସବୁ ନାନୀ ତାଙ୍କୁ କହିବାର ଅର୍ଥ ? ହଁ... ହଁ... ସେ ଠିକ୍ ବୁଝିପାରିଛନ୍ତି l ଆଗ କାଳ ହୋଇଥିଲେ ଅପବାଦ ଦେଇ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ବିଦା କରିଦେଇଥାନ୍ତେ l ତା’ପରେ ଦ୍ୱିତୀୟ... ତୃତୀୟ... କେବେ ବି ସେ ପରଦା ଖୋଲି ନ ଥାନ୍ତା ଯେ ଦୋଷ କାହାର ? ନାଁ... ନାଁ... ଏ ସବୁ ଜାଣି ସେ ପୁରୁଣା ଇତିହାସକୁ ତାଙ୍କ ସ୍ୱାମୀ ସାଥିରେ ଘଟିବାକୁ ଦେବେନି l ସେ ଫେରିଯିବେ l  ସେ ଫେରିଯିବେ l ମାଆ ହେବାର ଅନେକ ଉପାୟ ବିଜ୍ଞାନ ବାହାର କଲାଣି l ତା’ଛଡା ଭଗବାନ ଚାହିଁଲେ ସବୁ କିଛି ସମ୍ଭବ l ସେ ନିଶ୍ଚୟ ଫେରିଯିବେ l



Rate this content
Log in

More oriya story from Pramod Kumar Jena

Similar oriya story from Inspirational