ଓଡ଼ିଆ ଗଳ୍ପ ଓ କବିତା - ୨

Classics Crime

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics Crime

ବନ୍ଧୁତାର ପରୀକ୍ଷା

ବନ୍ଧୁତାର ପରୀକ୍ଷା

4 mins
7.1K


ମୂଳ ସ୍ପେନିସ୍‌ : ଜୁଆନ୍‌ ମୈନଲ୍‌

ରୂପାନ୍ତର: ଶରତ କୁମାର ରାଉତ


ଜଣେ ଭଦ୍ର ବ୍ୟକ୍ତିଙ୍କର ସର୍ବଗୁଣ ସଂପନ୍ନ ଯୁବା ପୁଅଟିଏ ଥିଲା। ପୁଅକୁ ଅନ୍ୟାନ୍ୟ ଉପେଦଶ ଦେବା ସହିତ ସେ ଅଧିକରୁ ଅଧିକ ବନ୍ଧୁ ସୃଷ୍ଟି କରିବାକୁ କହୁଥିଲେ । ପୁଅ ବାପାଙ୍କର ଆଦେଶ ଅନୁସାରେ କାମ କରୁଥିଲା । ତା’ ଆଖପାଖରେ କି ରାସ୍ତାଘାଟରେ ଯାହାକୁ ଦେଖୁଥିଲା , ସେମାନଙ୍କ ସହିତ ବନ୍ଧୁତା କରୁଥିଲା । ସେହି ବନ୍ଧୁମାନଙ୍କୁ ଯଥାଶକ୍ତି ଖୁସି ରଖିବାକୁ ସେ ପ୍ରଚେଷ୍ଟା କରୁଥିଲା । କେବଳ ଏତିକି ନୁହେଁ , ଆବଶ୍ୟକ ପଡ଼ିଲେ ବନ୍ଧୁମାନଙ୍କ ପାଇଁ ସେ ନିଜର ଜୀବନ ଦେବାକୁ ବି ପ୍ରସ୍ତୁତ ଥିଲା । ଦିନେ କଥାବାର୍ତ୍ତା ବେଳେ ସେହି ଯୁବକଙ୍କୁ ବାପା ପଚାରିଲେ , ‘‘ମୁଁ ଯାହା କହିଥିଲି , କରୁଛୁ ନା ନାହିଁ ? ବନ୍ଧୁମାନଙ୍କ ସଂଖ୍ୟା ବଢ଼ିଲାଣି ତ ? ’’ ପୁଅ କହିଲା , ‘‘ବାପା , ୟା’ ଭିତରେ ମୁଁ ଅନେକ ବନ୍ଧୁ ସୃଷ୍ଟି କରିସାରିଲିଣି ! କିନ୍ତୁ ସେମାନଙ୍କ ଭିତରେ ଦଶ ଜଣ ବନ୍ଧୁଙ୍କ ଉପରେ ମୋର ଅଧିକ ବିଶ୍ୱାସ ରହିଛି ! ଯେତେ ଦୁଃଖ ଓ ବିପଦ ଆସିଲେ ବି ସେମାନେ ମତେ ଛାଡ଼ି ପାରିବେ ନାହିଁ !’’ ଏକଥା ଶୁଣି ଭଦ୍ରବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇ କହିଲେ , ‘‘ଖୁବ୍‌ କମ୍‌ ସମୟ ମଧ୍ୟରେ ଏତେ ସଂଖ୍ୟକ ବନ୍ଧୁ ସୃଷ୍ଟି କରିଥିବାରୁ ମୁଁ ଗର୍ବିତ ! ହେଲେ ମୋର ସାରାଜୀବନ ଭିତରେ ମୁଁ ଦେଢ଼ଟିରୁ ଅଧିକ ବନ୍ଧୁ ସୃଷ୍ଟି କରି ପାରିନାହିଁ !’’ ପୁଅ ନିଜ ବାପାଙ୍କୁ ଆହ୍ଵାନ ଦେବା ଭଳି ସ୍ୱରରେ କହିଲା , ‘‘ବାପା , ମୁଁ ଯାହା କହୁଛି ସତ୍ୟ ! ମୋର ବନ୍ଧୁମାନେ ମୋ ପାଇଁ ସବୁକିଛି କରି ପାରିବେ ! ସମସ୍ତେ ମୋର ବିଶ୍ୱସ୍ତ !’’ ନିଜ ବନ୍ଧୁମାନଙ୍କ ସହିତ ବିଶ୍ୱସ୍ତତା ସମ୍ପର୍କରେ ପୁଅ ଏଭଳି ଜୋର୍‌ ଦେଇ କହୁଥିବାରୁ ବାପା ଖୁସିରେ କହିଲେ , ‘‘ତେବେ ତୁ ତୋ କଥାର ପ୍ରମାଣ ଦେବା ଉଚିତ ! ତତେ କ’ଣ କରିବାକୁହେବ , କହୁଛି ଶୁଣ୍‌- ପ୍ରଥମେ ତୁ ଗୋଟିଏ ଘୁଷୁରି ମାରି ତା’ର ଶବକୁ ଗୋଟିଏ ବସ୍ତା ଭିତରେ ପୂରାଇ ତୋର ବିଶ୍ୱସ୍ତ ବନ୍ଧୁ ପାଖକୁ ଯା’ ! ତାକୁ ଚୁପଚାପ୍‌ କହ , ‘ଦୁର୍ଭାଗ୍ୟବଶତଃ ମୁଁ ଜଣେ ଲୋକକୁ ମାରି ଦେଇଛି ! ଏକଥା ଜଣା ପଡ଼ିଲେ , ମୋର ଜୀବନ ସଙ୍କଟରେ ପଡ଼ିଯିବ ! ଆମ୍ଭେମାନେ ପରସ୍ପରର ବିଶ୍ୱସ୍ତ ବନ୍ଧୁ , ଜଣେ ଅନ୍ୟ ଜଣକୁ ରକ୍ଷା କରିବା ପାଇଁ ବନ୍ଧୁ ହୋଇଛେ , ଏଣୁ ଯେମିତି ହେଲେ ତୁମକୁ ମତେ ଏହି ବିପଦରୁ ରକ୍ଷା କରିବାକୁ ପଡ଼ିବ’ !’’ ତା’ ବନ୍ଧୁତା ଉପରେ ନିଜ ବାପାଙ୍କର ଅବିଶ୍ୱାସ ଭାବକୁ ଭୁଲ୍‌ ପ୍ରମାଣିତ କରିବା ପାଇଁ ଯୁବକଟି ବାପାଙ୍କ ପରାମର୍ଶ ଅନୁଯାୟୀ କାମ କଲା । ଗୋଟିଏ ପରେ ଗୋଟିଏ ବନ୍ଧୁଙ୍କ ଘରକୁ ଯାଇ ସେହି ଦୁର୍ଘଟଣା ସମ୍ପର୍କରେ ଶୁଣାଇଲା । କେତେକ ବନ୍ଧୁ କହିଲେ ଯେ , ଅନ୍ୟ ମାମଲାରେ ତା’ ପାଇଁ ସେମାନେ ସବୁ କିଛି କରିବା ପାଇଁ ପ୍ରସ୍ତୁତ ଅଛନ୍ତି ! ମାତ୍ର ଏହି ମାମଲାରେ ସେମାନଙ୍କର ଧନ ଜୀବନ ବିପଦ ଘେରରେ ପଡ଼ିଯିବ ! ଏଣୁ ସେମାନେ ତାକୁ କୌଣସି ସାହାଯ୍ୟ କରିପାରିବେ ନାହିଁ ! ଏଥି ସହିତ ସେମାନେ ତାକୁ ଅନୁରୋଧ କରି କହିଲେ ଯେ , ଦୟାକରି ସେ ସେମାନଙ୍କ ଘରକୁ ସାହାଯ୍ୟ ପାଇଁ ଆସିଥିଲା ବୋଲି କାହାକୁ କହିବ ନାହିଁ ! ଆଉ କେତେକ ବନ୍ଧୁ ମୋକଦ୍ଦମା ଚାଲିବା ବେଳେ ତାକୁ ସାହାଯ୍ୟ କରିବେ ବୋଲି ଆଶ୍ୱାସନା ଦେଲେ ।

ଏଥର ଯୁବକଟି ନିଜ ବାପାଙ୍କ ପାଖରେ ପହଞ୍ଚି ସବୁ ବନ୍ଧୁଙ୍କର ବନ୍ଧୁତାର ପରୀକ୍ଷା ନେଲା ଓ କେହି ଜଣେ ତାକୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ନାହିଁ ବୋଲି କହିଲା । ବାପା କହିଲେ , ‘‘ମୁଁ ବୁଢ଼ା ହୋଇଗଲିଣି ! ଏ ଦୁନିଆକୁ ବହୁତ ଦେଖିଛି ! ଜୀବନରେ ଅନେକ ପ୍ରକାର ଅନୁଭବ ରହିଛି ! ଠିକ୍‌ ଅଛି , ଏଥିରେ ଭାଙ୍ଗି ପଡ଼ିବାର କୌଣସି କାରଣ ନାହିଁ । ଏବେ ଯାହା କହୁଛି ଶୁଣ , ଏତେ ବଡ଼ ଦୁନିଆରେ ମୋର ମାତ୍ର ଦେଢ଼ଟି ବନ୍ଧୁ ଅଛନ୍ତି ! ତୁ ସେମାନଙ୍କ ପାଖକୁ ଯାଇ ପରୀକ୍ଷା ନେଇପାରୁ ।’’ ଯୁବକଟି ନିଜ ବାପାଙ୍କର ସେହି ବନ୍ଧୁ ପାଖକୁ ଗଲା , ଯାହାକୁ ସେ ତାଙ୍କର ଅଧା ବନ୍ଧୁ ବୋଲି କହିଥିଲେ । ନିଜ ସହିତ ମଧ୍ୟ ସେ ଘୁଷୁରି ଶବ ବୋଝେଇ ବସ୍ତାକୁ ନେଇଗଲା । ବାପାଙ୍କର ଅଧା ବନ୍ଧୁଙ୍କ ଘରେ ପହଞ୍ଚି ସେ ସବୁ ଘଟଣା ଶୁଣାଇଲା । ନିଜର ସମସ୍ତ ବନ୍ଧୁଙ୍କୁ ଏ ବିଷୟରେ ସାହାଯ୍ୟ ପାଇଁ ପ୍ରାର୍ଥନା କଲେ ମଧ୍ୟ କେହି ଶୁଣିଲେ ନାହିଁ ବୋଲି କହିଲା । ଆଉ ଏବେ ସେ ତାଙ୍କ ପାଖକୁ ଆସିଛି ଓ ଆଶା ରଖିଛି ଯେ , ତା’ ବାପାଙ୍କ ବନ୍ଧୁତାର ମାନ ରକ୍ଷା କରି ଯଥା ସମ୍ଭବ ସାହାଯ୍ୟ କରିବେ ! ସବୁ ଘଟଣା ଶୁଣି ତା’ ବାପାଙ୍କ ଅଧା ବନ୍ଧୁ କହିଲେ ଯେ , ତାଙ୍କ ହୃଦୟରେ ତା’ ବାପାଙ୍କ ପ୍ରତି ଯଥେଷ୍ଟ ଶ୍ରଦ୍ଧା ରହିଛି ! କିନ୍ତୁ ତାଙ୍କ ପୁଅ ପାଇଁ ତାଙ୍କ ହୃଦୟରେ କୌଣସି ପ୍ରେମ ନାହିଁ ! ତଥାପି ବନ୍ଧୁ ପୁତ୍ର ହିସାବରେ ସେ ତା’ର ସହାୟତା କରିବାକୁ ପ୍ରସ୍ତୁତ ! ସଙ୍ଗେ ସଙ୍ଗେ ସେ ଶବ ବସ୍ତା ନେଇ ନିଜ ବଗିଚାକୁ ଗଲେ । ଖାଲି ଜାଗାରେ ବହୁ ଗଭୀର ଗାତ ଖୋଳି ଶବ ବସ୍ତାକୁ ପୋତି ଦେଲେ ଓ ତା’ ଉପରେ ଚାରା ଗଛ ଲଗାଇ ଦେଲେ । ଶେଷରେ ପରାମର୍ଶ ଦେଇ କହିଲେ , ‘‘ଏଭଳି ଭୁଲ୍‌ କରିବା ଉଚିତ ନୁହେଁ ! ମୁଁ କଥା ଦେଉଛି , ତୁମର ଏହି ଅପରାଧ ବିଷୟରେ ବା ବଗିଚା କଥା କାହାକୁ କହିବି ନାହିଁ !’’ ଯୁବକ ଫେରିଆସି ସବୁକଥା ନିଜ ବାପାଙ୍କୁ କହିଲା । ବାପା ତାକୁ ତାଙ୍କର ଦ୍ୱିତୀୟ ବନ୍ଧୁ ପାଖକୁ ଯିବା ପାଇଁ କହିଲେ । ଯୁବକ ତାହା ହିଁ କଲା । ସବୁ ଘଟଣା ବାପାଙ୍କ ବନ୍ଧୁଙ୍କୁ ଶୁଣାଇଲା । ସେ କହିଲେ ଯେ , ତା’ର ସମ୍ମାନ ଓ ଜୀବନ ରକ୍ଷା ପାଇଁ ଯାହା ଦରକାର ସେ ସବୁକିଛି କରିବେ ! ଦୁର୍ଭାଗ୍ୟବଶତଃ ସେହି ସହରରେ ଜଣେ ବ୍ୟକ୍ତିର ହତ୍ୟା ହୋଇ ଯାଇଥଲା । ଅନେକ ଅନୁସନ୍ଧାନ ପରେ ମଧ୍ୟ ହତ୍ୟାକାରୀକୁ କେହି ପାଉ ନ ଥିଲେ । କିନ୍ତୁ କିଛି ଲୋକ ସେହି ଯୁବକକୁ ନିଜ କାନ୍ଧରେ ବସ୍ତା ବୋହି ନେଇ ଯିବାର ଦେଖିଥିଲେ । ଏଣୁ ସେହି ଯୁବକ ହତ୍ୟାକାରୀ ବୋଲି ସେମାନେ ସନ୍ଦେହ କରୁଥିଲେ। ଶେଷରେ ଏହି ଖବର ପୋଲିସ୍‌ ପାଖରେ ପହଞ୍ଚିଥିଲା । ପୋଲିସ୍‌ ସେହି ଯୁବକକୁ ଗିରଫ କରି ତାକୁ ହତ୍ୟାକାରୀ ବୋଲି ଘୋଷଣା କରିଦେଲା । ଅବଶ୍ୟ ତା’ ବାପାଙ୍କ ବନ୍ଧୁ ତାକୁ ମୁକୁଳାଇବା ପାଇଁ ପ୍ରାଣପଣେ ଚେଷ୍ଟା କରୁଥିଲେ । ଯେତେବେଳେ ତାଙ୍କୁ ଲାଗିଲା ଯେ , ବନ୍ଧୁ ପୁତ୍ରକୁ ରକ୍ଷା କରିବା ପାଇଁ ଆଉ କୌଣସି ରାସ୍ତା ନାହିଁ , ସେତେବେଳେ ସେ ନିଜେ ବିଚାରପତିଙ୍କ ପାଖରେ ପହଞ୍ଚିଲେ । ସ୍ପଷ୍ଟ ସ୍ୱରରେ କହିଲେ ଯେ , ସେ ହତ୍ୟା ଅପରାଧର ବୋଝ ଆଉ ବହନ କରିପାରିବେ ନାହିଁ , କାରଣ ବାସ୍ତବରେ ହତ୍ୟାକାରୀ ହେଉଛି ତାଙ୍କର ପୁତ୍ର- ଏକମାତ୍ର ପୁତ୍ର ! ଏଇଭଳି ନିଜର ଏକମାତ୍ର ପୁତ୍ରକୁ ଅପରାଧୀ ସଜେଇ ସେ ନିଜ ବନ୍ଧୁଙ୍କ ପୁତ୍ରର ଜୀବନ ବଞ୍ଚାଇଲେ ।


Rate this content
Log in

Similar oriya story from Classics