ଓଡ଼ିଆ ଗଳ୍ପ ଓ କବିତା - ୨

Classics Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics Others

ବିବେକ

ବିବେକ

5 mins
7.9K


ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ଭାସି ଆସୁଥାଏ ସାଇଁ ସାଇଁ ପବନ । ଘଡ ଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ନ ହୋଇ ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ବାହାରକରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ ସେ ସେହି ଶୁନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେ ବେତାଳ କହିଲା, “ରାଜନ୍ ମୁଁ ତୁମର ଯେତେ ପ୍ରଶଂସା କଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ । ଏହି ଭୟଙ୍କର ଅନ୍ଧକାର ରାତ୍ରିରେ, ବିଷଧର ସର୍ପ ତଥା ପିଶାଚମାନଙ୍କୁ ଖାତିର ନକରି, ନିଶ୍ଚିନ୍ତ ମନରେ ନିଜର ଲକ୍ଷ୍ୟସିଦ୍ଧି ଦିଗରେ ଚାଲିଛ । ତୁମର କଠୋର ପରିଶ୍ରମ ଅତ୍ୟନ୍ତ ପ୍ରଶଂସନୀୟ ଅଟେ । କିନ୍ତୁ ଏପର୍ଯ୍ୟନ୍ତ ମୁଁ ବୁଝିପାରୁ ନାହିଁ କି ତୁମେ କାହିଁକି ବିନା କାରଣରେ ବିପଦ ମଧ୍ୟକୁ ଯାଉଛ । ଯଦି ତୁମେ ତୁମର ପତ୍ନୀ ତଥା ସନ୍ତାନଙ୍କ ପାଇଁ ଏସବୁ କରୁଛ ତ ଭଲ ନିଶ୍ଚୟ । ଯଦି ସନ୍ତାନମାନଙ୍କର ବିକାଶ ଓ ଅଭିବୃଦ୍ଧି ପାଇଁ କରୁଛ ତେବେ କୁହାଯିବ ତୁମେ କର୍ତ୍ତବ୍ୟପରାୟଣ ଓ ଧର୍ମନିଷ୍ଠ । କିନ୍ତୁ ଯଦି ବୁଢାବାପାଙ୍କର ଅର୍ଥହୀନ ଇଚ୍ଛା ପୁରଣ କରିବାକୁ ତମେ ପତ୍ନୀ ଓ ସନ୍ତାନ ମାନଙ୍କର ଆନନ୍ଦକୁ ବଳୀ ଦେଉଛ, ତେବେ କୁହାଯିବ ତୁମେ ମୂର୍ଖ ।

ଏହି ପରିପ୍ରେକ୍ଷୀରେ ମୁଁ ତୁମକୁ କାହାଣୀଟିଏ ଶୁଣାଇବି । ମନ ଦେଇ ଶୁଣ, ଶୁଣିଲେ ତମ ଶ୍ରମ ଭାର ଲାଘବ ହେବ ।” ଏହାପରେ ସେ ବେତାଳ ଗପିଲା –

ଅଙ୍ଗରାଜ୍ୟର ଶାସକ ମକରଧ୍ୱଜ ବୃଦ୍ଧ ହୋଇଗଲେ । ଶାସନ ଭାର ସମ୍ଭାଳିବା ତାଙ୍କପକ୍ଷେ କଷ୍ଟକର ହେଲା । ଏପରି ପରିସ୍ଥିତିରେ ଦିନେ ସେ ତାଙ୍କ ପୁତ୍ର ମଳୟଧ୍ୱଜଙ୍କୁ ଡାକି କହିଲେ, “ବତ୍ସ, ମୁଁ ବୃଦ୍ଧ ହୋଇଗଲେ ମଧ୍ୟ ସୁଖ ଭୋଗର ଲାଳସା ମୋ ମନରେ ଏବେ ମଧ୍ୟ ରହିଛି । କିନ୍ତୁ ମୁଁ ଜାଣେ ମୃତ୍ୟୁ ମୋର ଅତି ନିକଟରେ । ମୋର ଅନ୍ତିମ ଇଚ୍ଛା ଏହି ଯେ ତୁ ମୃତ୍ୟୁପରେ ମୋର ଶବକୁ ଦାହ ନକରି କୌଣସି ତୈଳ ଲେପନ ଦେଇ ସୁରକ୍ଷିତ କରି ରଖିବୁ । ଯଦି ଭବିଷ୍ୟତରେ କୌଣସି ମହାମୁନି ହୁଏତ ତା’ମଧ୍ୟରେ ଜୀବଦାନ ଦେଇ ପାରନ୍ତି ।” ଏପରି କିଛିଦିନ ପରେ ସେ ବୃଦ୍ଧରାଜାଙ୍କର ମୃତ୍ୟୁ ହେଲା ।

ପିତାଙ୍କ ଅନ୍ତିମ ଇଚ୍ଛା ଅନୁସାରେ ମଳୟଧ୍ୱଜ ତାଙ୍କ ପିତାଙ୍କ ଶବକୁ ଦାହ ନକରି ସେଥିରେ କିଛି ପ୍ରଲେପ ଦେଇ ପେଟିକା ମଧ୍ୟରେ ସୁରକ୍ଷିତ କରି ରଖିଲେ । ପରେ ମଳୟଧ୍ୱଜ କଳିଙ୍ଗର ରାଜକୁମାରୀ ବିଦ୍ୟୁଲ୍ଲତାଙ୍କୁ ବିବାହ କଲେ । ରାଣୀ ବିଦ୍ୟୁଲ୍ଲତା ଥିଲେ ଅତିଶୟ ସୁନ୍ଦରୀ ଓ ଅତ୍ୟନ୍ତ ଗୁଣବତୀ । କିଛିଦିନ ପରେ ରାଣୀଙ୍କର ପିଲା ହେବାର ସମୟ ଆସି ଉପସ୍ଥିତ ହେଲା । ଜ୍ୟୋତିଷ ଗଣନା କରି କହିଲେ କି ପୁତ୍ରଜନ୍ମ ହେବ । ଜ୍ୟୋତିଷଙ୍କ ମୁହଁକୁ ଦେଖି ରାଜାଙ୍କୁ ଲାଗିଲା କି ସେ ଯେମିତି କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ତେଣୁ ରାଜା କହିଲେ, “କିଛି ନ ଲୁଚାଇ ମୋତେ କୁହନ୍ତୁ । ଭୟ କରିବାର କିଛି ବି କାରଣ ନାହିଁ ।”

ରାଜାଙ୍କ ଏପରି ଆଦେଶ ପାଇ ଜ୍ୟୋତିଷ କହିଲେ, “ମହାରାଜ ମାସେ ମଧ୍ୟରେ ମହାରାଣୀଙ୍କର ସର୍ପଦଂଶନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।”

ସେ ରାଜଦମ୍ଫତି ଜ୍ୟୋତିଷଙ୍କର ଭବିଷ୍ୟତ ବାଣୀ ଶୁଣି ବଡ ଦୁଃଖିତ ହେଲେ । ଏଣେ ରାଜକୁମାର ଜନ୍ମ ହେବା କଥା ଶୁଣି ସେମାନେ ଖୁବ୍ ଖୁସି ଥିଲେ । କାରଣ ସିଂହାସନର ଉତ୍ତରାଧିକାରୀ ଜନ୍ମ ନେବ ।

ସେହିଦିନଠାରୁ ସେ ରାଜା ତାଙ୍କ ସୈନିକମାନଙ୍କୁ ଆଦେଶ ଦେଲେ ଯେ ରାଜ୍ୟରେ ସମସ୍ତ ଗର୍ତକୁ ଭାଙ୍ଗି ସାପମାନଙ୍କୁ ମାରିବାକୁ; ପୁଣି ସମସ୍ତେ ଯେପରି ନେଉଳ ପୋଷନ୍ତି । ରାଜା ନିଜେ ମଧ୍ୟ ଗୋଟିଏ ଚିଲ ପାଳିଲେ । ଚିଲଟି, ପୋଷା ଶୁଆ ପରି ସର୍ବଦା ତାଙ୍କ ପାଖରେ ବସେ । ମହାରାଣୀ ବିପଦରୁ ମୁକ୍ତ ଥା’ନ୍ତି ।

ସେଦିନ ଥିଲା ପୂର୍ଣ୍ଣିମା । ଆଜି ହେଉଛି ସେହି ବିପଦର ଦିନ । ଯଦି ବିପଦ ନ ହୋଇ ଦିନଟି କଟିଗଲା ତ ଜଣାଯିବ ଯେ ବିପଦ କଟିଗଲା । ରାଣୀ ରାଜାଙ୍କୁ କହିଲେ, “ଏତେ ସୁନ୍ଦର ଜ୍ୟୋସ୍ନାସ୍ମାତ ରାତ୍ରି । ଇଚ୍ଛା ହେଉଛି ଟିକିଏ ବଗିଚାରେ ବୁଲି ଆସନ୍ତେ । ଆପଣ ମୋ କଥାରେ ସମ୍ମତ ହେଲେ ଯିବା । ଏବେ ସେ ରାଜା ଆଉ ତାଙ୍କ ରାଣୀଙ୍କ କଥାକୁ ଟାଳି ପାରିଲେ ନାହିଁ । ତା’ପରେ ସେ ଦୁହେଁ ବୁଲିବାକୁ ଗଲେ । ଚିଲଟି ସେତେବେଳେ ରାଣୀଙ୍କ କାନ୍ଧ ଉପରେ ବସିଥିଲା । ହଠାତ୍ ଅଶୋକ ଗଛରେ ଥିବା ସାପଟିକୁ ଝାମ୍ପି ନେଇ ସେ ଉଡିଗଲା । କିନ୍ତୁ ଦୁର୍ଭାଗ୍ୟବଶତଃ ସାପ କୌଣସିମତେ ନିଜକୁ ଚିଲର ପଂଝାରୁ ମୁକ୍ତ କଲା ଓ ସିଧା ଯାଇ ରାଣୀଙ୍କ ହାତ ଉପରେ ପଡିଲା । ସାପ ଯାହା କରିବାର କଲା । ରାଣୀ ଚିତ୍କାର କରି ଭୂମିରେ ଅଚେତ୍ ହୋଇ ପଡିଗଲେ ।

ଏହି ଘଟଣା ପରେ ରାଜବୈଦ୍ୟ ଆସିଲେ । କିନ୍ତୁ ଚିକିତ୍ସା ହେବା ପୂର୍ବରୁହିଁ ରାଣୀଙ୍କର ମୃତ୍ୟୁ ହେଲା । ରାଣୀଙ୍କୁ ଦେଖିଲେ ଲାଗୁଥିଲା ଯେ ଅଦ୍ଭୁତ ସୁନ୍ଦରୀ ସ୍ତ୍ରୀଟିଏ ଯେପରି ନିଦ୍ରା ଯାଇଛି ମାତ୍ର । ଏପରି ପରିସ୍ଥିତିରେ ରାଜା ତାଙ୍କୁ ଦାହ କରି ପାରିଲେ ନାହିଁ । ପିତାଙ୍କର ଶବପରି ଗୋଟିଏ ଚନ୍ଦନ ପେଟିରେ ଶବ ଉପରେ ନାନା ଲେପନ ଦେଇ ରଖିଲେ । ସେହି ପେଟିକା ବୃଦ୍ଧ ରାଜାଙ୍କ ଶବପେଟିକା ନିକଟରେ ହିଁ ରଖାଗଲା ।

କେତେମାସ ବିତିଗଲା । ରାଜା ବଡ ମନ ଦୁଃଖରେ ଥା’ନ୍ତି । ଗୋଟିଏ ପରେ ଗୋଟିଏ ଭୟଙ୍କର ଘଟଣାସବୁ ଘଟିଗଲା ରାଜା ନିଜେ କିଂକର୍ତ୍ତବ୍ୟବିମୁଢ ହୋଇ ବସି ରହିଥା’ନ୍ତି । ଥରେ ହିମାଳୟରେ ତପସ୍ୟା କରି ସିଦ୍ଧିପ୍ରାପ୍ତ କରିଥିବା ମହର୍ଷି ଚୈତନ୍ୟ ଆନନ୍ଦ ସେଠାକୁ ଆସିଲେ ଓ ସେ ରାଜାଙ୍କର ଆତିଥ୍ୟ ଗ୍ରହଣ କଲେ । ସେ ରାଜାଙ୍କୁ କହିଲେ, “ବତ୍ସ, ତୁମେ ମୋତେ କିଛି ବି କହିବା ଆଦୌ ଦରକାର ନାହିଁ । କାହିଁକିନା ମୁଁ ସବୁ ଜାଣେ; ଏଠାରେ ଯେଉଁ ସବୁ ଅପ୍ରାକୃତିକ ଘଟଣା ଘଟିଛି ତାହା ମୋର ଅଗୋଚର ନୁହେଁ । ପ୍ରକୃତି ବିରୁଦ୍ଧରେ ଗଲେ ଏପରି ଦୁର୍ଘଟଣା ଘଟେ । ତୁମେ ପିତାଙ୍କ ଶବ ଦାହ ନ କରିବାରୁ ପତ୍ନୀର ମୃତ୍ୟୁ ହେଲା । ପିତାଙ୍କ ଶବ ଯଦି ଦାହ କରିଦେବ ଏବେ ମଧ୍ୟ ତୁମ ପତ୍ନୀ ଜୀବିତ ହୋଇ ଉଠିବେ ।”

ଏସବୁ ଶୁଣି ମଳୟଧ୍ୱଜ ହଠାତ୍ ଗଭୀର ଚିନ୍ତାରେ ପଡିଲେ । ତା’ପରେ ହାତଯୋଡି ସେ କହିଲେ, “ଆପଣ କ’ଣ ମୃତ ବ୍ୟକ୍ତିଙ୍କୁ ପ୍ରାଣଦାନ ଦେଇପାରିବେ ନାହିଁ?”

ରାଜାଙ୍କ କଥା ଶୁଣି ସେ ମହର୍ଷି ଅଳ୍ପ ହସି କହିଲେ, “ମୋର ତପୋଶକ୍ତି କେବଳ ଜଣେ ପ୍ରାଣୀକୁ ହିଁ ବଂଚାଇ ପାରିବ । ତେବେ କୁହ ମୁଁ କାହାକୁ ବଂଚାଇବି? ତୁମ ପତ୍ନୀକୁ ନା ପିତାଙ୍କୁ?”

ମହର୍ଷିଙ୍କ କଥାରେ ରାଜା ତତ୍କ୍ଷଣାତ୍ କହିଲେ, “ପିତାଙ୍କୁ ପ୍ରାଣଦାନ ଦିଅନ୍ତୁ ।”

“ତୁମେ ମହାନ୍ ବିବେକୀ ଅଟ । ସେଥି ପାଇଁ ତମେ ତିନିଜଣଙ୍କର ଜୀବନ ପାଇ ପାରିବ । ସମସ୍ତେ ଜୀବିତ ହେବେ ।” ଏହା କହି ମହର୍ଷି ରାଜାଙ୍କୁ ଅଭିନନ୍ଦନ କଲେ ।

ବେତାଳ ତା’ କାହାଣୀଟି ଶୁଣାଇ କହିଲା, “ରାଜନ୍, ଚୈତନ୍ୟସ୍ୱାମୀଙ୍କର କଥାରେ ପରସ୍ପର ବିରୋଧୀ କଥାସବୁ ଦେଖା ଯାଉଛି ।” ପ୍ରଥମେ ତ ସେ କହିଲେ, “ଜଣକୁ ମାତ୍ର ମୁଁ ବଂଚାଇ ପାରିବି ।” କିନ୍ତୁ ରାଜା ପିତାଙ୍କୁ ଜୀବନଦାନ ଦେବାକୁ କହିବାମାତ୍ରେ କିପରି ସେ କହିଲେ ଯେ ତଦ୍ୱାରା ତିନିଜଣ ବଂଚି ଯାଇ ପାରିବେ?” ତା’ପରେ ମହର୍ଷିଙ୍କ କହିବା ଅନୁସାରେ ରାଜା ବଂଚି ପାରିଥା’ନ୍ତେ । ନିଜର ଯୁବତୀ ଧର୍ମପତ୍ନୀ ପୁଣି ଯିଏ କି ଗର୍ଭବତୀ ଓ ଉତ୍ତରାଧିକାରୀଙ୍କୁ ଜନ୍ମ ଦେବେ ତାଙ୍କୁ ନ ବଂଚାଇ ବୃଦ୍ଧପିତାଙ୍କୁ ବଂଚାଇବାକୁ ସେ କାହିଁକି କହିଲେ? ଏହା କ’ଣ ଅବିବେକିତା ନୁହେଁ କି? ରାଜା ଚାହିଁଥିଲେ କି ତାଙ୍କୁ ସମସ୍ତେ ପିତୃ ଭକ୍ତ କହି ପ୍ରଶଂସା କରନ୍ତୁ, ସେଥିପାଇଁ ସେ ଏପରି କଲେ? ମହର୍ଷିଙ୍କର ଆଉ ଗୋଟିଏ କଥା ମଧ୍ୟ ମୁଁ କାହିଁ ବୁଝିପାରୁନାହିଁ । ସେ ତ ରାଜାଙ୍କ ପିତା ଓ ପତ୍ନୀଙ୍କ ମୃତ୍ୟୁ ବିଷୟ ମାତ୍ର ଜାଣିଥିଲେ । ତେବେ ଏ ତୃତୀୟଟି କିଏ? ସେ ଯେ କହିଲେ, “ତୁମ ବିବେକ ଯୋଗୁଁ ତିନିଜଣ ବଂଚିଗଲେ ।” ମୋର ଏହି ସବୁ ସମସ୍ୟାର ସମାଧାନ ଜାଣିଥିଲେ କୁହ । ଜାଣିକରି ଯଦି ନ କହିବ ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମାର୍କ ବେତାଳର ସମସ୍ତ ସନ୍ଦେହ ମୋଚନ କରିବାକୁ ଯାଇ କହିଲେ, “ମଳୟଧ୍ୱଜ ଯେ କେବଳ ପିତୃଭକ୍ତ, ତାହା କହିଲେ, ଭୂଲ୍ ହେବ । ସେ ତାଙ୍କର ପତ୍ନୀଙ୍କ ପ୍ରତି ମଧ୍ୟ ଅତ୍ୟନ୍ତ ସ୍ନେହାଶକ୍ତ ଥିଲେ । କେବଳ ସେଇଥିପାଇଁ ରାଣୀଙ୍କ ମୃତ୍ୟୁ ପରେ ସେ ଦ୍ୱିତୀୟ ବିବାହ ମଧ୍ୟ କରି ନାହାଁନ୍ତି । ମନ ମଧ୍ୟରେ ସେପରି ଚିନ୍ତା ମଧ୍ୟ ଆଣି ନାହାଁନ୍ତି । ମହର୍ଷି କହିଲେ ଯେ ବୃଦ୍ଧରାଜାଙ୍କ ଶବ ଦାହ ନ କରିବାରୁ ସେହି ପାପରୁ ରାଣୀ ବିଦ୍ୟୁଲ୍ଲତାଙ୍କର ଅକାଳ ମୃତ୍ୟୁ ହେଲା । ତେଣୁ ଏଥିରୁ ସେ ମଳୟଧ୍ୱଜ ବୁଝିଗଲେ ଯେ ତାଙ୍କ ପିତା ଜୀବନ ପାଇଗଲେ, ଶବଦାହ ନ କରିବାର ପାପ କଟିଯିବ, ଆଉ ବିଦ୍ୟୁଲ୍ଲତା ମଧ୍ୟ ଜୀବିତ ହୋଇ ଉଠିବେ । ସେଥିପାଇଁ ସେ ତାଙ୍କ ପିତାଙ୍କର ପ୍ରାଣଦାନ ଦେବାକୁ ପ୍ରାର୍ଥନା କଲେ । ଏହି ସୂକ୍ଷ୍ମ ବିଚାର ଯୋଗୁଁ ମହର୍ଷି ତାଙ୍କୁ “ମହାନ୍ ବିବେକୀ” କହି ପ୍ରଶଂସା କଲେ । ବିଦ୍ୟୁଲ୍ଲତା ଯଦି ବଂଚିଯିବେ, ତେବେ ତାଙ୍କ ଗର୍ଭସ୍ଥ ଶିଶୁ ମଧ୍ୟ ବଂଚିଯିବ । ଏଠାରେ ଶିଶୁଟିକୁ ହିଁ ମହର୍ଷି ତୃତୀୟ ପ୍ରାଣୀ ବୋଲି ଉଲ୍ଲେଖ କରିଛନ୍ତି ।”

ଉତ୍ତର ଦେବା ଦ୍ୱାରା ରାଜାଙ୍କର ମୌନ ଭଙ୍ଗ ହୁଅନ୍ତେ, ପୂର୍ବ ସର୍ତ୍ତ ଅନୁସାରେ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁନଶ୍ଚ ପୂର୍ବୋକ୍ତ ଡାଳରେ ଝୁଲି ପଡିଲା ।


Rate this content
Log in

Similar oriya story from Classics