STORYMIRROR

Lipsa Panda

Inspirational

2  

Lipsa Panda

Inspirational

ବନ୍ଧୁତା

ବନ୍ଧୁତା

2 mins
15.6K


ପିଲାଦିନୁ ମୋର ଗୋଟେ ଅଭ୍ୟାସ ଥାଏ ପାଟିରେ ଗୀତ ସ୍ଵରରେ ହୁଇସିଲ୍ ବଜେଇବାର। ଅଭ୍ୟାସ କି ବଦଭ୍ୟାସ କହି ପାରିବିନି। ତେବେ ଏଇ ଅଭ୍ୟାସ ବିଷୟରେ ମୁଁ କାହା ଆଗରେ ଜଣାଏ ନାହିଁ। କାରଣ ସ୍ପଷ୍ଟ। ହୁଇସିଲ୍ ବଜାଉଥିବା ଝିଅ, ଭଲ ଝିଅ ନୁହେଁ ନିଶ୍ଚୟ। ତେବେ ଏକଲା ଥିବା ବେଳେ, ଭାରି ଗୋଟେ ଧ୍ୟାନର ସହ କିଛି ଗୋଟେ କଲା ବେଳେ ସ୍ଵତଃ ବାହାରିଯାଏ ଏଇଟା ମୋ ପାଟିରୁ।

ଇଞ୍ଜିନିୟରିଂ ପଢ଼ିବା ସମୟର କଥା। କଲେଜରେ ମପା ଚୁପା କଥା ବାର୍ତ୍ତା, ପ୍ରାୟତଃ ଚୁପ୍ ଚାପ୍, ଘର ଅଗଣାରେ ମଧ୍ଯ ଯିବା ବାଟରେ ବାଆଁ ପଟକୁ ମାଡି ଚାଲିବା ଭଳି ଝିଅର ଏକ ସ୍ୱତନ୍ତ୍ର ପରିଚୟ ଥିଲା ମୋର।

ଜେନେରାଲ କାଟେଗୋରିରେ ନାଁ ଲେଖେଇ ଥିବା ହେତୁ ପୁରା ସେକ୍ସନ୍ ର ନବେ ପିଲାଙ୍କ ମଧ୍ଯରୁ ତେୟାଅଶୀ ଜଣ ପୁଅ ଓ ସାତଟି ଜମା ଝିଅ ଥାଉ। ଏଣୁ ମୋ ପ୍ରାକ୍ଟିକାଲ ଗ୍ରୁପ୍ ରେ ମତେ ଛାଡ଼ି ବାକି ସମସ୍ତେ ପୁଅ ହିଁ ଥାଆନ୍ତି। ମୋ ଆଗ ପଛ ରୋଲ୍ ନମ୍ଵର୍ ର ପୁଅ ପିଲା ଦୁଇଜଣ କଲେଜର ଦୁଇ ଜଣ ଆତଙ୍କ ଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ସେହି ଦୁଇ ଜଣଙ୍କ ପାଇଁ ମୋର ଡିଗ୍ରୀ ଚାରି ବର୍ଷ ସୁରକ୍ଷିତ ଥିଲା, ସେ କଥାଟି ଜଗନ୍ନାଥଙ୍କ ପବିତ୍ର ତୁଳସୀ ଭଳି ସତ୍ୟ। ତାଙ୍କ ଦୁଇ ଜଣଙ୍କ ସୁରକ୍ଷା ବଳୟ ଭେଦ କରି ମୋ ପାଖରେ ପହଞ୍ଚିବା ର ସାହାସ ପ୍ରାୟତଃ କେହି କରନ୍ତିନି!

ଥରେ ଡିଜିଟାଲ ଲ୍ୟାବରେ ପ୍ରାକ୍ଟିକାଲ ଚାଲି ଥାଏ। ସମସ୍ତେ ଚୁପ୍ ଚାପ୍, ନିଜ ନିଜ କାମରେ ବ୍ୟସ୍ତ। ମୁଁ ମୋ କାମରେ ଏତେ ଅଧିକ ନିମଗ୍ନ ଥାଏ ଯେ ମୋ ପାଟିରୁ ହଠାତ୍ ବାହାରି ଗଲା ଗୋଟେ ହୁଇସିଲ୍ କୋଉ ଗୋଟେ ଗୀତ ସ୍ଵରରେ। କିନ୍ତୁ ତତକ୍ଷଣାତ୍ ମୁଁ ପାରିପାର୍ଶ୍ଵ ସମ୍ବନ୍ଧରେ ସଚେତନ ହୋଇ ଚୁପ୍ ହୋଇ ଗଲି। କିନ୍ତୁ ଫୁଟଣ ଫୁଟିଲେ ବାଣ ଭଳି ଶବ୍ଦ ହେବାର ନୀରବତା, ସେଇ ସ୍ଵରକୁ ପୁରା ଲ୍ୟାବରେ ଖେଳେଇ ଦେଲା। ଲ୍ୟାବ ଆସିଷ୍ଟାଣ୍ଟ ଝପଟି ଆସିଲେ ଆମ ଆଡ଼େ। ନାଲି ନାଲି ଆଖି କରି ପଚାରି ଚାଲିଲେ କିଏ ସେ ସ୍ଵରର ସୃଷ୍ଟି କର୍ତ୍ତା ବୋଲି । ମୁଁ ଠିଆ ହେବି କି ନ ହେବି ଦୋ ଦୋ ପାଞ୍ଚ ହଉଚି, ମୋ ପାଖ ରୋଲ୍ ନମ୍ଵର୍ ପିଲାଟି ଠିଆ ହୋଇ ଗଲା। ସାର୍ ତାକୁ “ହଉ ବସ, ତମେ ଥାଉ ଥାଉ ଏ କାମ କିଏ କରିବ, ପଚାରିବା ହିଁ ମୋର ଭୁଲ” କହି ଚୁପ୍ ଚାପ୍ ଚାଲିଗଲେ।

ମୁଁ ହତବମ୍ବ ହୋଇ ଚାହିଁ ଥାଏ ତାକୁ! ସାର୍ ଯିବା ପରେ ପଚାରିଲି “ତମେ ତ ହୁଇସିଲ୍ ମାରିନ, ଠିଆ ହେଲ କାହିଁକି?” ସେ କହିଲା “ସଖୀ, ତୁମେ ଯଦି ଠିଆ ହୋଇଥାନ୍ତ ମଧ୍ଯ, ସାର୍ ଆମ ଦୁଇ ଜଣଙ୍କ ଭିତରୁ କିଏ ବଜେଇଛି, ଆଉ ଆମକୁ ବଞ୍ଚେଇବା ପାଇଁ ତମେ ଠିଆ ହେଲ, କହି ବେଶୀ ଗାଳି କରିଥାନ୍ତେ! ତା ଆଗରୁ ମୁଁ ଏକା ଗାଳି ଖାଇବାଟା ବୁଦ୍ଧିମାନ କାମ ହେଲାନି?” ମୁଁ କଣ ଉତ୍ତର ଦେବି ତାକୁ ବୁଝି ପାରୁ ନ ଥାଏ।

ତେବେ ସେଇଥିରୁ ମୋର ମନୋଜ ଦାସ ସାର୍ ଙ୍କ ଲିଖିତ “ପୃଥ୍ୱୀରାଜ ଙ୍କ ଘୋଡ଼ା ” ଗପଟି ମନେ ପଡ଼ିଲା।ମୋଟା ବ୍ୟକ୍ତିଙ୍କର, ନିତାନ୍ତ ଅମାୟିକ ସାଧାସିଧା ମଣିଷ ଭାବେ ପ୍ରସିଦ୍ଧ ଇତିହାସ ଶିକ୍ଷକ ତାକୁ ଧମକ ଦେଇ ଥିବା କଥା ଶୁଣି ସ୍କୁଲ ରେ ସୃଷ୍ଟ ହାସ୍ୟାରୋଳ ହେତୁ ଢୁଳୋଉ ଥିବା ପିଅନ ମଧ୍ଯ ଚମକି ପଡ଼ିବା ଘଟଣା।

ମୁଁ ଠିଆ ହୋଇ ଥିଲେ ନିଶ୍ଚୟ ସେହି ସମାନ ଢଙ୍ଗରେ ହାସ୍ୟ ରୋଳ ଟିଏ ଯେ ସୃଷ୍ଟି ହୋଇ ଥାନ୍ତା ଆମ ଲ୍ୟାବରେ, ସେଥିରେ ତିଳେ ମାତ୍ର ସନ୍ଦେହ ନ ଥିଲା।

ତେବେ ମୋ ସାଙ୍ଗଟି ଯେ ମୋ ସମ୍ମାନ ରଖିବାକୁ ନିଜେ ଯୋଉ ଅପମାନ ପାଇଲା, ସେଥିରୁ ମୋ ମନରେ ତା ପାଇଁ ଯୋଉ ସମ୍ମାନ ଟିକକ ସୃଷ୍ଟି ହେଲା, ତାହା ଏବେ ମଧ୍ୟ ବଳବତ୍ତର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational