STORYMIRROR

Birakishore Nayak

Tragedy

4  

Birakishore Nayak

Tragedy

ବନ୍ଧୁତା

ବନ୍ଧୁତା

5 mins
335


  ଆମେରିକାର ନିୟୁୟର୍କ ସହର |ଚାକଚକ୍ୟର ଅପୂର୍ବ ସମାହାର |ଆକାଶଚୁମ୍ବି ଅଟ୍ଟାଳିକା ଗୁଡିକ ବିଭିନ୍ନ ରଙ୍ଗରେ ସଜ୍ଜିତ, ଯେମିତି ସ୍ୱର୍ଗର ଇନ୍ଦ୍ରଭୂବନ, ଉଦ୍ଭାସିତ ଆଲୋକମାଳାରେ ଗର୍ବିତ, ଉତଫୁଲ୍ଲିତ |ସେଠାରେ ରାତ୍ରି ଅନୁଭବ କରି ହୁଏନି, ଚିର ଚଞ୍ଚଳ, କର୍ମମୟ ଏକ ଅନୁପମ ନଗରୀ ବିଶ୍ୱର |

      ରାତ୍ରି ଝୁମି ଝୁମି ଯାଉଛି, ପାହିବାକୁ ଆହୁରି ଅନେକ ବାକି |ନିଜ କୋଠରୀ ଭିତରେ ବିଛଣା ଉପରେ ଶୋଇ ଲୋପା ଭାବି ଚାଲିଛି, ଆଖିରେ ତାର ନିଦ ନାହିଁ ଆଜି |ଅତିଶୟ ଆନନ୍ଦରେ ମନ ତାର ଉଦବେଳିତ ହୋଇ ଉଠୁଛି |ରାତି ପାହିଲେ ଦୀର୍ଘ ବାରବର୍ଷ ପରେ ସେ ନିଜ ଜନ୍ମଭୂମିକୁ ଫେରିବ, ଭାରତକୁ |ଓଡ଼ିଶାର ଏକ ଅଖ୍ୟାତ ପଲ୍ଲୀକୁ, ନିଜ ଗାଁଆକୁ, ଗାଆଁର ନାଆଁ ଖଣ୍ଡବନ୍ଧ |ସେଇ ଖୁସିରେ ନିଦ ନାହିଁ ତା ଆଖିରେ |ସ୍ୱାମୀ ଶୋଇଛନ୍ତି ତା ପାଖରେ ଗଭୀର ନିଦ୍ରାରେ |

     ଆଜିକୁ ବାର ବର୍ଷ ହେଲାଣି, ସେ ତା ବିବାହ ପରେ ସ୍ୱାମୀଙ୍କ ସହିତ ଆମେରିକା ଚାଲିଆସିଥିଲା |ଏଠାରେ ତା ସ୍ୱାମୀ ଜଣେ ଇଞ୍ଜିନିଅର ଭlବେ ଚାକିରୀ କରନ୍ତି, ନିୟୁୟର୍କ ସହରରେ ତାଙ୍କର ନିଜର ଫ୍ଲାଟ, ଉଚ୍ଚ ଅଙ୍କର ଦରମା, ବିଳାସ ବ୍ୟସନର ରଙ୍ଗ ଭିତରେ ଦିନସବୁ ବିତିଯାଇଛି, ଜଣାପଡିନି ଲୋପାକୁ |

     ନିଜ ଗାଆଁକୁ ଫେରିବାପାଇଁ ମନ ତାର ବ୍ୟଗ୍ର ହୋଇଉଠୁଛି, ଗାଆଁର ସମସ୍ତଙ୍କ କଥା ତାର ମନେପଡୁଛି ବେଶି ଆଜି |ଜେଜେ, ଜେଜେ ମା, ବାପା ବୋଉ, ଭାଇ, ଭଉଣୀ ସମସ୍ତେ |ବେଶି ମନେ ପଡୁଛି ତା ମକର କଥା, ତା ପିଲାଦିନର ଅତି ପ୍ରିୟସାଙ୍ଗ ଲିପା |ତାଙ୍କ ନିଜ ଘରକୁ ଲାଗି ତାଙ୍କ ଘର, ପଡୋଶୀ |ଗୋଟିଏ ଦିନରେ ଦୁହେଁ ଜନ୍ମ ହୋଇଥିଲେ |ଉଭୟଙ୍କ ବୋଉ କଥାହୋଇ ଦୁଇଜଣଙ୍କର ନାମ ରଖିଥିଲେ ଲୋପା ଆଉ ଲିପା, ଯେମିତି ଦୁଇ ଭଉଣୀ |ପିଲାଟି ଦିନରୁ ଦୁହେଁ ଭଲ ସାଙ୍ଗ |ତାଙ୍କ ତୁଳନାରେ ଲିପାର ପରିବାର ବହୁତ ଗରୀବ, ହେଲେ ବି ବହୁତ ବିଶ୍ୱସ୍ତ ତାର ବାପାବୋଉ |ପଡୋଶୀ ଭାବରେ ଉଭୟଙ୍କ ପରିବାର ମଧ୍ୟରେ ବହୁତ ଭଲ ସମ୍ପର୍କ, ଉତ୍ତମ ବୁଝାମଣା ଥିଲା |

     ବ୍ରାହ୍ମଣୀ ନଦୀ କୂଳରେ ତାଙ୍କ ଗାଆଁ, ପଡୋଶୀ ଗାଆଁ ପୁରୁଣା ଅମାଙ୍ଗରେ କେଉଁ କାଳରୁ ମାଆ ରାମଚଣ୍ଡୀଙ୍କ ମନ୍ଦିର, ଠିକ ନଦୀପଠାକୁ ଲାଗି |ଭାରି ପ୍ରତ୍ୟକ୍ଷ ଠାକୁରାଣୀ ସିଏ |ପ୍ରତି ବର୍ଷ ମକରସଂକ୍ରାନ୍ତିରେ ସେଠାରେ ମକର ମେଳା ଅନୁଷ୍ଠିତ ହୁଏ |କେତେ ଦୋକାନ ବଜାର ପଡେ |ଅଞ୍ଚଳ ଯାକର ଲୋକେ ସେଠିକି ଯାଆନ୍ତି ମେଳାଦେଖି |ବହୁତ ମଜ୍ଜା ଲାଗେ ପିଲାଦିନେ |ସେଇଠି ସେଇ ଚଣ୍ଡିମାଆଙ୍କ ମନ୍ଦିରରେ ଲିପା ସହିତ ସେ ମକର ବସିଥିଲା |ଦୁହିଁଙ୍କ ବୋଉ ସେମାନଙ୍କୁ ମକର ବସେଇ ଥିଲେ |ମକର କଣ ସେତେବେଳେ କିଛି ବୁଝିନଥିଲେ ଦୁହେଁ |ଖାଲି ଏତିକି ଅନୁଭବ କରୁଥିଲେ ଦୁହେଁ ପରସ୍ପରର ଅତି ନିଜର, ଅତି ଆପଣାର |

     ମାଟ୍ରିକ ପର୍ଯ୍ୟନ୍ତ ଦୁହେଁ ଏକାଠି ଗୋଟିଏ ସ୍କୁଲରେ ହିଁ ପଢି ଆସିଥିଲେ |ତା ପରେ ଲିପା ଆଉ କଲେଜରେ ପଢ଼ିପାରିଲାନି ଆର୍ଥିକ ସମସ୍ୟା ଯୋଗୁ |ଲୋପା ତା ଠାରୁ ବିଛିନ୍ନ ହେଲା ସେଇ ଦିନଠାରୁ, କଟକରେ ରହି ସେ କଲେଜରେ ପଢିଲା |କେବଳ ଛୁଟିରେ ଗାଆଁକୁ ଗଲେ, ତା ସହିତ ଦେଖା ହୁଏ, ବନ୍ଧୁତ୍ୱ କିନ୍ତୁ ଅମଳିନ ରହିଥିଲା |

   କଲେଜ ପାଠ ପଢ଼ା ସରୁସରୁ ତାର ବିଭାଘର ସରିଗଲା, ଭଲ ସୁପାତ୍ର ମିଳିବାରୁ ତା ବାପା ହାତଛଡା କରିନଥିଲେ |ତା ପରେ ସେ ଚାଲି ଆସିଥିଲା ସୁଦୂର ଆମେରିକା, ସ୍ୱାମୀଙ୍କର କର୍ମକ୍ଷେତ୍ରକୁ |ସେ ପର୍ଯ୍ୟନ୍ତ କିନ୍ତୁ ବିଭା ହୋଇନଥିଲା ଲିପା |ତା ବର୍ଷେପରେ ତା ବୋଉ ଚିଠିରେ ଲେଖିଥିଲା, ଲିପାର ବାହାଘର ହେଲାବୋଲି |ସେତିକି କେବଳ ଖବର ତା ପାଖରେ ଅଛି |ଅନେକ ଥର ସେ ବୋଉକୁ ଚିଠିରେ ଲିପା କଥା ପଚାରିଛି, କିନ୍ତୁ ତା ବୋଉ ତା ବିଷୟରେ କିଛି ଲେଖେନି |ଲୋପା ଭାବେ, ବୋଧେ ବୋଉ ଲିପାର ଶାଶୁଘର ର ଖବର କିଛି ପାଇପାରୁନି |ବ୍ୟସ୍ତତା ଭିତରେ ଲୋପା ବି ଏତେ ଗୁରୁତ୍ୱ ଦେଇନି କେବେ |

    ନିଜ ଜନ୍ମଭୂମିକୁ ଫେରିବା ସ୍ଥିର ହେବାପରେ ଲୋପା ଦୁଇଦିନ ହେଲା ଜିନିଷ ପତ୍ର କିଣିବାରେ ବ୍ୟସ୍ତ |ସମସ୍ତଙ୍କ ପାଇଁ ଉପଢୌକନ ସହ ଭଲ ଉପହାର ସବୁ କିଣିଛି |ତା ମକର କଥା ବି ଭୁଲିଯାଇନି |ଭଲ ଦାମୀ ଚୁଡ଼ି, ଭଲ ଶାଢ଼ୀ, ଭ୍ୟାନିଟି ବ୍ୟାଗ ଉତ୍ୟାଦି କିଣି ରଖିଛି ତା ପାଇଁ |ଏ ସବୁ ଦେଖିଲେ ତା ମକର ନିଶ୍ଚୟ ଖୁସିହେବ |

କେତୋଟି ପୁଅଝିଅ ତାର, ସେ ଖବର ନାହିଁ ତା ପାଖରେ, ନହେଲେ ସେମାନଙ୍କପାଇଁ ମଧ୍ୟ କଣ କିଣିଥାନ୍ତା, ତଥାପି ଟେଡିବିଅର ଦୁଇଟା କିଣିଛି |ଏତେ ଦିନ ପରେ ଯାଉଛି, ତାକୁ ଦେଖିଲେ ତା ମକର ନିଶ୍ଚୟ ଖୁସି ହେବ |ପ୍ରଥମେ ସେ ଭାରତରେ ପହଂଚିବା ପରେ ମକର ଘରକୁ ହିଁ ଯିବ, ତା ପରେ ନିଜ ଘର ;

     ସବୁ ଆନନ୍ଦ ଭିତରେ ବି ଲୋପା ହୃଦୟରେ ଏକ ଗଭୀର କ୍ଷତ, ଦୀର୍ଘ ବାରବର୍ଷ ଅତୀତ ହୋଇଗଲାଣି ତା ବିବାହ ପରେ, ହେଲେ ମାତୃତ୍ୱ ଲାଭ କରିବାର ସୌଭାଗ୍ୟ ତା ଭାଗ୍ୟରେ ଏ ପର୍ଯ୍ୟନ୍ତ ଆସିନାହିଁ |ଆସିବ ବି ନାହିଁ କେବେ ଜୀବନରେ |ବହୁ ଡାକ୍ତରୀ ପରୀକ୍ଷା ଶେଷ ହୋଇଛି, ହେଲେ ତାର ଗର୍ଭାଶୟ ବହୁତ ଛୋଟ, ସନ୍ତାନ ଧାରଣ କରିବା କ୍ଷମତା ତାର ନାହିଁ |ଦୁଃଖରେ ଭାଙ୍ଗିପଡେ ଲୋପା ଏକଥା ଭାବି |

    ଭାରତରେ ସ୍ୱାମୀଙ୍କ ସହିତ ଆସି ପହଞ୍ଚିଲା ଲୋପା |ଉଡ଼ାଜାହାଜରୁ ଓହ୍ଲାଇବା ପରେ ଏକ ଭଡା କାର ଯୋଗେ ଯାଇ ପହଞ୍ଚିଲେ ଦୁହେଁ ନିଜ ଗାଆଁରେ, ନିଜ ଜନ୍ମମାଟିରେ, ଯେଉଁଠି ତାର ପିଲାଦିନ କଟିଛି |ଲୋପା ଦେଖୁଥିଲା ଗାଁ ମୁଣ୍ଡ ବରଗଛଟା ସେମିତି ଛିଡା ହୋଇଛି, ଏଇ ଗଛମୂଳେ କେତେ ନଖେଳିଛି ସିଏ ତା ମକର ସହିତ |ଗାଆଁ ମୁଣ୍ଡରେ ଦେଖାହେଲେ ତା ନାରୁଦାଦା, ଗlଡି ଛିଡ଼ାକରି ତା ମକର ର ଶାଶୁଘର କେଉଁଠି ବୋଲି ପଚାରିଲା ଲୋପା |ଜାଣିଲା ଏଇ ତା ନିଜ ଗାଆଁ ରେ ହିଁ ବିଭା ହୋଇଥିଲା ତା ମକର ଲିପା |ଘର ଵୁଝି ସେ ଯାଇ ପହଞ୍ଚିଲା ସେଠାରେ |ଗାଡ଼ିରୁ ଓହ୍ଲାଇ ତା ପାଇଁ ଉଦିଷ୍ଟ ବ୍ୟାଗଧରି ସିଧା ଘର ଭିତରକୁ ପଶିଲା, ଘର ଆଗରେ ଗାଡି ଅଟକିବାର ଶବ୍ଦ ଶୁଣି ପଦାକୁ ବାହାରି ଆସୁଥିଲା ଲିପା |ଚାଳ ଘରର ଦୁଆର ବନ୍ଧ ପାଖରେ ଭେଟ ହୋଇଗଲା ଦୁଇ ମକରଙ୍କର |ୟା ଭିତରେ ବାର ବର୍ଷ ବିତି ଯାଇଥିଲେ ବି ଚିହ୍ନିବାରେ ଅସୁବିଧା ହେଲାନି ଲୋପାର |ହେଲେ ସେ ତା ମକରକୁ ଦେଖି ଚମକି ପଡିଲା, ଏମିତି ବେଶରେ |ଶ୍ୱେତ ରଙ୍ଗର ଶାଢ଼ୀ ଦେହରେ, ବିଧବା ହୋଇ ଯାଇଛି ତା ମକର ଏ କଞ୍ଚା ବୟସରେ |ପାଟିରୁ କଥା ବାହାରିଲା ନାହିଁ ଲୋପାର, ହାତରେ ଧରିଥିବା ଚମଡା ବ୍ୟାଗଟା ଖସିପଡ଼ିଲା ହାତରୁ |ନିଜ ପିଲାଦିନର ଅତି ପ୍ରିୟ ମକରକୁ ଦେଖି ଭୋ ଭୋ ହୋଇ କାନ୍ଦି ଉଠିଲା ଲିପା |

    କିଛି ସମୟ ଅତିକ୍ରାନ୍ତ ପରେ ପ୍ରକୃତିସ୍ଥ ହେଲା ଲିପା, ଘର ଭିତରକୁ ତା ମକରର ହାତ ଧରି ନେଲା |ତା ପୁଅ ଦୁଇଟା ମାଆର କାନ୍ଦ ଦେଖି କାନ୍ଦୁଥିଲେ |

    ଲିପା କହିଲା ତା ଜୀବନର ଦୁଃଖ, ବିବାହର 

ବର୍ଷେ ପରେ ଏଇ ପୁଅ ଦୁଇଟା ଯାଆଁଳା ହୋଇ ଜନ୍ନ ହୋଇଥିଲେ |ଛୁଆ ଦିଟାଙ୍କୁ ଚାରିମାସ ପୁରି ନଥାଏ, ତା ବାପା ଚାଲିଗଲେ ଆମକୁ ଛାଡି ସବୁଦିନ ପାଇଁ |ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ, କେଉଁଠୁ ଟଙ୍କା ପଇସା ପାଇଥାନ୍ତି ଯେ ତାଙ୍କୁ ଚିକିତ୍ସା କରିଥାନ୍ତି, ସେମିତି ଘରେ ପଡି ପଡି ଯନ୍ତ୍ରଣାରେ ମରିଗଲେ |କହୁ କହୁ ଆଖିରୁ ଲୁହ ପୋଛିଲା ଲିପା |କହୁଥିଲା, ଏଇ ଛୁଆ ଦିଟାଙ୍କ ମୁହଁକୁ ଚାହିଁ ଯାହା ବଞ୍ଚିରହିଛି |ଶାଶୁ ଶ୍ୱଶୁର ତ କେବେଠୁ ତାଙ୍କ ପୁଅକୁ ଝୁରି ଝୁରି ଚାଲି ଗଲେଣି |ମୁଁ ପୋଡା କପାଳିଟା ଯାହା ବଞ୍ଚି ରହିଛି |

    ଲୋପା ଶୁଣୁଥିଲା ସବୁ, ତୁଳନା କରୁଥିଲା ନିଜକୁ ତା ମକର ସହିତ |ଅକଳନ ପ୍ରାଚୁର୍ଯ୍ୟ ଭିତରେ ସେ, ହେଲେ କୋଳ ତାର ଶୂନ୍ୟ, ଆଉ ତା ମକର ଅର୍ଥ ଅଭାବରୁ ସ୍ୱାମୀଙ୍କୁ ହରାଇଛି, ହେଲେ ରାଜକୁମାର ଭଳି ଦୁଇଟି ପୁଅର ମାଆ ସେ |ଲୋପା ଆଖିରୁ ଖସି ଆସୁଥିବା ଲୁହକୁ ନିଜ ପଣତରେ ପୋଛିଦେଲା ଲିପା, ଲିପା ଛାତିରେ ଆଉଜି ପଡିଲା ଲୋପା, ଯେମିତି ସିଏ ଲିପାଠାରୁ ବି ଆହୁରି ଅସହାୟ |

    ଲିପା ଛାତିରେ ସେମିତି ମୁଣ୍ଡ ଗେଞ୍ଜି ଭାବବିହ୍ଵଳ ହୋଇ କହି ଉଠିଲା ଲୋପା, ତୋ ପୁଅରୁ ଗୋଟେ ମୋତେ ଦେ ମକର, ଦେବୁ ନା ?

ମୁଁ ତୋ ଠାରୁ ବି ଅଭାଗିନୀ ଲୋ, ଭଗବାନ ମୋ କୋଳ ଏ ଯାଏ ବି ପୂର୍ଣ୍ଣ କଲେନି |ସେମାନଙ୍କ ପାଖରେ ନସର ପସର ହେଉଥିବା ଛୁଆ ଦୁଇଟାଙ୍କୁ କୋଳକୁ ଟାଣି ଆଣିଲା ଲୋପା |ଓଃ, କି ତୃପ୍ତି |

    ଲିପା କହିଲା, ଗୋଟେ କାହିଁକି, ଦୁଇଟା ଯାକକୁ ନେଇ ଯାଆ ତୁ |ମୁଁ କଣ ସେମାନଙ୍କୁ ମଣିଷ କରିପାରିବି, ଧନ କେଉଁଠୁ ପାଇବିଲୋ ମକର !ବରଂ ତୁ ନେଲେ ସେମାନେ ମଣିଷ ହେବେ |

    ଲିପାର କଥା ଶୁଣି ଖୁସିହେଲା ଲୋପା |କହିଲା, ନା ଲୋ ମକର, ଖାଲି ପୁଅ ଦୁଇଟା ନୁହଁ, ତୁ ବି ଆମ ସହିତ ଯିବୁ, ସାଙ୍ଗହୋଇ ରହିବା ଦୁଇ ଭଉଣୀ ପରି |ଦୁହେଁ ମିଶି ସେମାନଙ୍କ ମାଆ ହେବା |

    ଦୁହିଁଙ୍କ ଆଖିରେ ଅଶ୍ରୁର ଶ୍ରାବଣୀ |ଲୋପାର ସ୍ୱାମୀ ସବୁ ଶୁଣୁଥିଲେ ନୀରବରେ, ସେ ବି କାନ୍ଦୁଥିଲେ |

    ସମସ୍ତେ ଯାଇ ଗାଡ଼ିରେ ବସିଲେ |

    ସନ୍ଧ୍ୟା ଘନେଇ ଆସୁଥିଲା, ମନ୍ଦିରରୁ ଭାସି ଆସୁଥିଲା ସନ୍ଧ୍ୟା ଆଳତିର ଘଣ୍ଟ ଧ୍ୱନି |


Rate this content
Log in

Similar oriya story from Tragedy