Pradeep Kumar Panda

Inspirational

3  

Pradeep Kumar Panda

Inspirational

ବନ୍ଧୁତା

ବନ୍ଧୁତା

6 mins
217



ପ୍ରତାପ ବାରବର୍ଷର ବାଳକ । ଘରେ ସମସ୍ତ କାମରେ ବଡମାନଙ୍କୁ ସେ ଖୁବ୍ ସାହାଯ୍ୟ କରେ । ଏପରିକି ପଡୋଶୀମାନଙ୍କର କିଛି ଦରକାର ପଡିଲେ, ସେ ତାଙ୍କୁ ଖୁସିରେ ଯାଇ ସାହାଯ୍ୟ କରେ । ଖାଲି ସେଇଥିପାଇଁ ସେ ସମସ୍ତିଙ୍କର ଅତି ପ୍ରିୟ । ସମବୟସ୍କ ନରେନ୍ଦ୍ର ତା’ର ଘନିଷ୍ଠ ବନ୍ଧୁ ।


ନରେନ୍ଦ୍ରର ଘର ପ୍ରତାପର ଘରକୁ ଲାଗିଛି । ନରେନ୍ଦ୍ର ଧନୀ ଘରର ପିଲା । ତେଣୁ ସେ ଅତ୍ୟନ୍ତ ଅୟସରେ ବଢିଛି । କାମ ଦାମ କିଛି କରେ ନାହିଁ ବା କାହାକୁ କିଛି ସାହାଯ୍ୟ ମଧ୍ୟ ସେ କରେ ନାହିଁ । ସଦାବେଳେ ସେ ପ୍ରତାପର ଘରେ ଥାଏ, କିନ୍ତୁ ଦିନେ ହେଲେ ପ୍ରତାପକୁ ସେ ନିଜ ଘରକୁ ଡାକେ ନାହିଁ ।


ଦିନେ ସେହି ଗ୍ରାମର କେତେକ ବାଳକ ବାଗୁଡି ଖେଳୁଥିଲେ । ଖେଳି ଖେଳି ଥକା ହୋଇ ଯିବା ପରେ ଗଛମୂଳେ ବସି ସେମାନେ ଗପସପ କରୁଥିଲେ ଠିକ୍ ସେହି ସମୟରେ ଜଣେ ବ୍ୟକ୍ତି ମିଠାଇ ବିକ୍ରି କରିବା ନିମନ୍ତେ ସେଠାକୁ ଆସିଲା ।


ଏଥରକ ସେ ନୂଆ ପ୍ରକାରର ମିଠାଇ ଆଣିଛି । ପିଲାମାନେ ତା’ଠୁ ମିଠାଇ କିଣି ଖାଇଲେ । କେବଳ ନରେନ୍ଦ୍ର ଚୁପ୍ କରି ବସି ରହିଲା । ପ୍ରତାପ ପଚାରିଲା, “କ’ଣ ତୁମ ପାଖରେ ପଇସା ନାହିଁ?”


ନରେନ୍ଦ୍ର କହିଲା “ମୁଁ ଜାଣେ ନାହିଁ ଯେ ପଇସାର ଦରକାର କେବେ ପଡିବ । ପଇସା ପାଖରେ ଥିଲେ ମଧ୍ୟ ବାହାରଖାଦ୍ୟ ନ ଖାଇବାକୁ ମା’ କହିଛନ୍ତି । ତେଣୁ ମୁଁ ଖାଉ ନାହିଁ ।”


ପ୍ରତାପ କହିଲା “ତୁମେ ମିଠାଇ କିଣି ଖାଉଛ ବୋଲି ଘରଲୋକ ଜାଣିବେ ବା କିପରି? ମୋ କଥା ମାନ, ତୁମେ ମିଠାଇ କିଛି କିଣି ଆମ ସାଥିରେ ବସି ଖାଅ ।”


ନରେନ୍ଦ୍ର କହିଲା “ମୋ ମାଆ ଠିକ୍ ଜାଣନ୍ତି ଯେ ମୋ ପାଖରେ କେତେ ପଇସା ଅଛି; ଘରକୁ ଫେରିବା ପରେ ପଚାରିବେ ପଇସା ଗଲା କୁଆଡେ?”


ପ୍ରତାପ ପଚାରିଲା, “କହିଦେବ ଯେ କୌଣସି ଭିକାରୀକୁ ଦେଇଛ ତୁମ ଘରଲୋକ କ’ଣ ତୁମକୁ ବିଶ୍ୱାସ କରିବେ ନାହିଁ?”


ନରେନ୍ଦ୍ର କହିଲା “ହଁ ବିଶ୍ୱାସ ତ କରିବେ, ତେବେ ମୋର ଜେଜେମାଆ କୁହନ୍ତି ଆଦୌ ମିଛ କହିବ ନାହିଁ । ମୁଁ ତାଙ୍କ କଥା ବହୁତ ମାନେ ।”


ପ୍ରତାପ ଦୁଃଖିତ ହୋଇ କହିଲା “ଦେଖ, ମୋ ପାଖରେ ଅଧିକା ପଇସା ଅଛି । ମୁଁ କିଣି କରି ଦେଇ ପାରିବି, କିନ୍ତୁ ତମେ ଖାଇବ କି ନାହିଁ, ତୁମର ମା’ତ ମନା କରିଛନ୍ତି ।”


ନରେନ୍ଦ୍ର କହିଲା “ତୁମେ କିଣି ଦେଲେ ମୁଁ ତ ତାହା ନିଶ୍ଚୟ ଖାଇବି । କାରଣ ମୋର ପଇସା ତ ଆଉ କମ୍ ହେବ ନାହିଁ । ଆଉ ମୋତେ ବି ମିଛ କହିବାକୁ ପଡିବ ନାହିଁ ।”


ପ୍ରତାପ ତାକୁ ମିଠାଇ କିଣି ଦେଲା । ସେସବୁ ନରେନ୍ଦ୍ର ଖାଇ ବଡ ଖୁସି ହୋଇ କହିଲା, “ତୁମରି ଯୋଗୁଁ ମୁଁ ଆଜି ମିଠାଇ ଖାଇ ପାରିଲି । କିନ୍ତୁ ଏକଥା ଯେପରି କେହିବି ନ ଜାଣନ୍ତି । ଏମିତିଆକି ତୁମେ ତୁମ ମା’ଙ୍କୁ ମଧ୍ୟ ଏକଥା କେବେବି କହିବ ନାହିଁ । କାରଣ ସେ ହୁଏତ ସେମାନଙ୍କୁ କହିଦେବେ ।”


ଆଉ ଦିନେ ନରେନ୍ଦ୍ରର ବାପମାଆ କୁଆଡେ ଯିବାକୁ ବାହାରି ଥା’ନ୍ତି । ସେମାନେ ପ୍ରତାପକୁ ଡାକି କହିଲେ, “ପୁଅ, ଆମେ ଦୁଇ ଘଣ୍ଟା ବାହାରେ ରହିବୁ । ତୁ ଟିକିଏ ନରେନ୍ଦ୍ର ସହିତ ରହି ଖେଳୁଥା’ । ସେ ଏକେଲା ଅଛି ।”


ଏପର୍ଯ୍ୟନ୍ତ ତ ପ୍ରତାପ ନରେନ୍ଦ୍ରର ଘର ଦେଖି ନଥିଲା । ଏବେ ସେଠାକାର ଐଶ୍ୱର୍ଯ୍ୟ ଦେଖି ସେ ପୁରାପୁରି କାବା ହୋଇଗଲା । ସେଠାରେ ବହିରେ ପୂର୍ଣ୍ଣ ଆଲମାରୀ, ନାନାପ୍ରକାର ଖେଳନା ଓ ସଜାଇବାର ଜିନିଷସବୁ ଅଛି ।


ନରେନ୍ଦ୍ର କହିଲା “ଏସବୁ ଜିନିଷ ମୋ ପାଇଁ ମୋ ଘରେ ରଖା ହୋଇଛି । ଏଇଥିରେ ମୋର ସବୁ ସମୟ କଟେ । କିନ୍ତୁ ମୁଁ ତୁମ ସହିତ ଯେତେ ସମୟ ରହେ, ମୋତେ ଖୁବ୍ ଆନନ୍ଦ ମିଳେ ।”


ତା’କଥା ଶୁଣି ପ୍ରତାପ ଖୁସି ହୋଇ କହିଲା, “ତୁମ ଆଲମାରୀରେ ତ ଏତେ ଖେଳନା? ଏତେ ପୁସ୍ତକ? ମୁଁ ସେଗୁଡିକ ଦେଖିବାକୁ ଚାହେଁ ।”


ନରେନ୍ଦ୍ର କହିଲା “ଶୁଣ, ସେସବୁ ଜିନିଷ କେହି ବି ଛୁଅନ୍ତି ନାହିଁ । ବାପା କହିଛନ୍ତି ଯେ “ଆଲମାରୀର ଜିନିଷ ବାହାର ଲୋକ ଧରିଲେ ସବୁ ନଷ୍ଟ ହୋଇଯିବ ।”


ପ୍ରତାପ ପ୍ରଶ୍ନ କଲା “ତୁମେ ତ ଆମ ଘରକୁ ଆସିଲେ ସବୁ ଖେଳନା ନେଇ ଖେଳୁଥାଅ । ହେଲେ ଏଠାରେ ଏପରି ନିୟମ କାହିଁକି?”


ନରେନ୍ଦ୍ର କହିଲା “ତୁମ ଘରର ବଡମାନେ ନାହିଁ କରି ନାହାଁନ୍ତି ବୋଲି ।” ତା’ପରେ ସେ ଦୁହେଁ ବହୁତ ସମୟ ଧରି ଏକାଠି ବସି ଗଳ୍ପ କହି ଜଣେ ଜଣକୁ ଶୁଣାଇଲେ । କିନ୍ତୁ ପ୍ରତାପର ମନ ମଧ୍ୟରେ ନାନା ପ୍ରଶ୍ନ ଆସିଲା । ସେ ଭାବିଲା “ସତରେ କ’ଣ ନରେନ୍ଦ୍ରକୁ ତା’ ନିଜ ଜିନିଷ ଖେଳିବାକୁ ଦେଇ ନାହାଁନ୍ତି ନା ସିଏ ନିଜେ ମୋତେ ନ ଦେବା ପାଇଁ ଏଭଳି ଏକ ବାହାନା କାଢୁଛି । ମା, ଜେଜେମାଆଙ୍କ ନାମରେ ଇଏ ଆଉ କୌଣସି ନାଟକ କରୁ ନାହିଁ ତ? ସେ ଅନ୍ୟଠାରୁ ପଇସା ନେଇ ମିଠାଇ ଖାଇବ ଅଥଚ ନିଜ ପଇସା ସେ କେବେବି ଖର୍ଚ୍ଚ କରିବ ନାହିଁ । ପୁଣି ଅନ୍ୟର ଘରକୁ ଯାଇ ତା’ର ଖେଳନାରେ ଖେଳିବ କିନ୍ତୁ ନିଜ ଖେଳନା ଆଲମାରୀରେ ସଜା ହୋଇଥିବ ଇଏ କି କଥା? ଏହାକୁ କ’ଣ ପ୍ରକୃତ ବନ୍ଧୁତା କୁହାଯାଏ?”


ଥରେ ଯେତେବେଳେ ଗାଁ ପିଲାମାନେ ଏକାଠି ବସି ଖେଳୁଥିଲେ, ସେତେବେଳେ ଜଣେ ଲୋକ ଗୁଡିଏ ବଂଶୀ ଧରି ବିକ୍ରି କରିବାକୁ ଆସିଲା । ସେଥିରୁ ଅତି ସୁନ୍ଦର ସ୍ୱରସବୁ ବାହାରୁଥାଏ । ବଂଶୀଟିଏର ମୂଲ୍ୟ ଦୁଇଟଙ୍କା ଥିଲା । ନରେନ୍ଦ୍ର ମଧ୍ୟ ଗୋଟିଏ କିଣିଲା । ସେଦିନ ତ ପ୍ରତାପ ପାଖରେ ଗୋଟିଏ ଟଙ୍କା ଥିଲା । ସେ ନରେନ୍ଦ୍ରଠାରୁ ଟଙ୍କାଟିଏ ଧାର ମାଗିଲା । ନରେନ୍ଦ୍ର କହିଲା, “ମୋ ଜେଜେବାପା କହିଛନ୍ତି, ଟଙ୍କା କେବେମଧ୍ୟ କୌଣସି ବନ୍ଧୁକୁ ଧାର ଦେବ ନାହିଁ?”


ପ୍ରତାପ ରାଗି କରି କହିଲା “ତୁମେ କହିଲ ଧାର୍ ଦେଲେ ବନ୍ଧୁତା ଭାଙ୍ଗିଯାଏ । ନିଜକଥା ଭଲଭାବରେ ମନେ ରଖିବ ଯେ ତୁମେ ଏହି ପରିସ୍ଥିତିରେ ଟଙ୍କାଟିଏ ଧାର୍ ନଦେଲେ ଆମର ବନ୍ଧୁତା ଭାଙ୍ଗିଯିବ । ମନେରଖ ମୁଁ ଯଦି ଆଜି ଏହି ବଂଶୀ କିଣି ନ ପାରିବି ତ, ଭାବିନିଅ ଯେ ଆମର ବନ୍ଧୁତା ଭାଙ୍ଗିହିଁ ଗଲା ।”


ନରେନ୍ଦ୍ର କହିଲା “ସେପରି କୁହ ନାହିଁ, ତୁମର ବନ୍ଧୁତା ବିନା ମୁଁ ତ ଆଦୌ ରହି ପାରିବି ନାହିଁ ।” କିନ୍ତୁ ଟଙ୍କାଟିଏ ବି ସେ ଦେଲା ନାହିଁ । ଇତିମଧ୍ୟରେ ରମେଶ ନାମକ ଗୋଟିଏ ପିଲା ବଂଶୀଟିଏ କିଣି ପ୍ରତାପକୁ ତାହା ଦେଲା । ସେ କହିଲା “ତୁମେ ମୋତେ ବହୁବାର ସାହାଯ୍ୟ କରିଛ; ଏପରି ବହୁତ ବଂଶୀ କିଣି ଦେଲେ ମଧ୍ୟ ତୁମର ଋଣ ପରିଶୋଧ କରି ହେବ ନାହିଁ ।”


ପ୍ରତାପ ଖୁସି ହୋଇ କହିଲା, “ସେସବୁ କଥା କେବେବି କହିବ ନାହିଁ । ଏବେ ଟଙ୍କାଟିଏ ରଖ । କାଲିକୁ ଆଉ ଟଙ୍କାଏ ନେଇ ଆସିବି ।” ପ୍ରତାପ ତା’ହାତରେ ଟଙ୍କାଟି ଦେଲା ଆଉ କହିଲା, “ଦେଖ ବନ୍ଧୁତା ଏହାକୁହିଁ କୁହାଯାଏ ।”


ଏକଥା ଶୁଣି ନରେନ୍ଦ୍ରର ଚେହେରା ହଠାତ୍ ଫିକା ପଡିଗଲା । ପରମୁହୂର୍ତ୍ତରେ ଖୁସି ହୋଇ ସେ କହିଲା, “ଆଜିଠାରୁ ରମେଶ ମଧ୍ୟ ମୋର ବନ୍ଧୁ । କାରଣ କେବଳ ତାହାରି ଯୋଗୁଁ ହିଁ ତୁମେ ଆଜି ଏହି ବଂଶୀଟି ପାଇ ପାରିଲ । ଏପରି କାମ କରି ଆମର ବନ୍ଧୁତାକୁ ସେ ଆହୁରି ଘନିଷ୍ଠ କରାଇ ଦେଲା ।”


ନରେନ୍ଦ୍ର କହିଲା “ତୁମେ ଯେବେ କହିଦେଲ ଯେ ବଂଶୀଟି କିଣି ଦେଇ ନ ପାରି, ଆମ ବନ୍ଧୁତ୍ୱ ଶେଷ ହୋଇଗଲା । ସେତେବେଳେ କ’ଣ ତମେ ଜାଣିପାରିଲ ନାହିଁ ଯେ ମୋ ମନ କେତେ ଦୁଃଖ ହୋଇଥିଲା । ରମେଶ ଯୋଗୁଁ ଏବେ ମୋର ସେ ଦୁଃଖ ଜାଣ ଦୂର ହେଲା ।”


ସେହିଦିନଠାରୁ ପ୍ରତାପ, ନରେନ୍ଦ୍ରଠାରୁ ନିଜକୁ ଯଥେଷ୍ଟ ଦୂରେଇ ରଖିଲା । ନରେନ୍ଦ୍ର ବହୁତ ପ୍ରକାର ଚେଷ୍ଟା କଲା, କିନ୍ତୁ ପ୍ରତାପ ତା’ ସହିତ କଥା କହିବାକୁ ମଧ୍ୟ ମନ କଲା ନାହିଁ । ନରେନ୍ଦ୍ର ଦିନେ ଯାଇ ପ୍ରତାପର ଜେଜେବାପାଙ୍କୁ ତା’ର ମନର ଦୁଃଖ କହିଲା । ଜେଜେବାପା ନରେନ୍ଦ୍ରକୁ ଖାଇବାକୁ ଡାକିଲେ । ତା’ପରେ ପ୍ରତାପକୁ ସେ କହିଲେ, “ମୁଁ ତ ଭାବିଥିଲି ଯେ, ନରେନ୍ଦ୍ର ତୋର ଜଣେ ଘନିଷ୍ଠ ବନ୍ଧୁ, କିନ୍ତୁ ଏବେ ଦେଖୁଛି ତୁ ତ ବଡ ସ୍ୱାର୍ଥପର ।”


ପ୍ରତାପ ପଚାରିଲା “ସ୍ୱାର୍ଥପର ମୁଁ ନା ସେ”


ଜେଜେବାପା ବୁଝାଇଲେ “ଆରେ ନରେନ୍ଦ୍ର ତ ତୋର ବନ୍ଧୁ । ତୁ ତାକୁ ସାହାଯ୍ୟ କରିବାଟା ତୋର ସଦ୍ଗୁଣ । କିନ୍ତୁ ପ୍ରତିଦାନ ପାଇଁ ଆଶା ରଖିବା ତ ସ୍ୱାର୍ଥ । ଏତିକି ଅଳ୍ପ ବୟସରୁ ମନରେ ସ୍ୱାର୍ଥ ରଖିବା ଆଦୌ ଭଲ କଥା ନୁହେଁ ।”


ପ୍ରତାପ ଦୁଃଖ କରି କହିଲା, “ଦରକାର ପଡିଲେ, ସେ ମଧ୍ୟ ମୋତେ ସାହାଯ୍ୟ କରିବା ଉଚିତ୍ ତ?”


ଜେଜେବାପା ପୁଣି ବୁଝାଇ କହିଲେ “ସେ ସାହାଯ୍ୟ କରିପାରେ, ନ ବି କରିପାରେ । କିନ୍ତୁ ଜିନିଷପତ୍ର ଯୋଗୁଁ ମିତ୍ରତା ଭାଙ୍ଗିଯିବା ମୋଟେ ଉଚିତ୍ ନୁହେଁ । ଦୁଇଜଣଙ୍କ ମଧ୍ୟରେ ଚିନ୍ତା ଓ ବିଚାରର ଆଦାନପ୍ରଦାନ ହେବା କଥା । ତଦ୍ୱାରା ବୁଦ୍ଧି ଓ ହୃଦୟର ଭାବସବୁ ବିକଶିତ ହୁଏ ।”


ଜେଜେବାପାଙ୍କର କଥା ପ୍ରତାପ ଏଥର ବୁଝିଗଲା ତଥାପି ମଧ୍ୟ ସେ ପଚାରିଲା, “ତେବେ କ’ଣ ତା’ର କୌଣସି ଭୁଲ୍ ହୋଇ ନାହିଁ?”


ଜେଜେବାପା କହିଲେ “ଭୁଲ୍ ତା’ର ନୁହେଁ ବରଂ ତୋର । ତୁ ତାକୁ ଏପରି ଏକ କାମ କରିବାକୁ କହିଲୁ, ଯାହାକୁକି ସେ ନ କରିପାରି ଅତ୍ୟନ୍ତ ଦୁଃଖିତ ହେଲା ।”


ପ୍ରତାପ କହିଲା “ହଁ, ଠିକ୍ କଥା, ଆପଣ ଯାହା କହୁଛନ୍ତି ମୁଁ ବି ତାହା ମାନୁଛି । କିନ୍ତୁ ଦରକାର ପଡିଲେ, ଯଦି କ୍ଷମତା ଥାଇ ମଧ୍ୟ ଜଣେ ସାହାଯ୍ୟ କଲା ନାହିଁ, ସେତେବେଳେ ସେପରି ବନ୍ଧୁତାର ପ୍ରୟୋଜନ ବା କ’ଣ?”


ଜେଜେ କହିଲେ “ତୁ ତ ଜାଣୁ ଯେ ପ୍ରତିଦାନର ଆଶା କେବେବି ରଖିବ ନାହିଁ । ଯଦି ରଖିବ ତେବେ ସିଏ ବା କି’ ପ୍ରକାରର ମିତ୍ରତା? ପୁଣି ତୋଠାରୁ ଯଦି ନରେନ୍ଦ୍ର କିଛିବି ଶିଖି ପାରିଲା ନାହିଁ, ତେବେ ସେ କି ପ୍ରକାର ମିତ୍ରତା?”


ଏଥର ସେ ଦୁହେଁଯାକ ଜେଜେଙ୍କ କଥା ବୁଝିଗଲେ । ପ୍ରତାପ ନିଜ କାମରେ ଲଜ୍ଜିତ ହେଲା; ନରେନ୍ଦ୍ର ମଧ୍ୟ ତା’ଠାରୁ ଆହୁରି ଲଜ୍ଜିତ ହେଲା । ଦୁହେଁ ବୁଝିଗଲେ ଯେ, ପ୍ରତିଦାନର ଆଶା ନରଖି କର୍ମ କରିଗଲେ ଫଳ ଭଲ ହେବ । ସମୟକ୍ରମେ ନରେନ୍ଦ୍ର ନିଜକୁ ପରିବର୍ତ୍ତନ କଲା ଓ ଅନ୍ୟକୁ ଜିନିଷ ଦେବାପାଇଁ ମଧ୍ୟ ଶିଖିଲା । ସାହାଯ୍ୟ କରିବା ପାଇଁ ସେ ଶିଖିଲା । ତଦ୍ୱାରା ସେ ବହୁତ ଆନନ୍ଦ ପାଇଲା ଓ ସେ ଦୁହିଁଙ୍କର ବନ୍ଧୁତା ଠିକ୍ ପୂର୍ବପରି ଘନିଷ୍ଠ ହୋଇ ରହିଲା ।



Rate this content
Log in

Similar oriya story from Inspirational