puspanjali das

Drama Others

3  

puspanjali das

Drama Others

ବନ୍ଧୁ ମିଳନ

ବନ୍ଧୁ ମିଳନ

5 mins
269



       ତର୍ ତର୍ ହୋଇ ଘର ର ମୁଖ୍ୟ କବାଟ ଟିକୁ ଖୋଲି ଦେଇ ସାମାନ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ଶ୍ରୁତି।ସାମ୍ନା ରେ ମାଉଷୀ ଶାଶୁ ଙ୍କ ହସ ହସ ମୁହଁ ଟି ଦେଖି ଯଦିଓ ଖୁସି ହୋଇଯାଇଥିଲା,ହେଲେ ଅଚାନକ ,କିଛି ଖବର ନ ଦେଇ ଆସିବା ଟାରେ ମନ ଭିତରେ ଉଠୁଥିବା ଅନେକ ପ୍ରଶ୍ନ କୁ ସରୁ ହସ ଟିରେ ଲୁଚାଇଦେବାକୁ ଚେଷ୍ଟା କରିଥିଲା।ମୁଣ୍ଡିଆ ଟିଏ ମାରି ଘର ଭିତରକୁ ପାଛୋଟି ନେଇଯାଇଥିଲା।

         ବଡ଼ ପାଟି ଟାଏ କରି ତା'ମାଉଷୀ ଶାଶୁ ଡ଼ାକି ପକାଇଥିଲେ ଶାଶୁଙ୍କୁ।ତାଙ୍କ ଡାକରେ ଡ୍ରଇଂ ରୁମ୍ କୁ ପସି ଆସିଥିଲେ ଶାଶୁ,ଦୁଇ ଭଉଣୀ ଙ୍କ ର କୋଳା କୋଳି ହୋଇ ମିଳନ ପର୍ବ ସରିଗଲା ପରେ କଥା ତାଙ୍କର ଲମ୍ବି ଯାଇଥିଲା ଅନେକଦିନ ତଳକୁ...ଶଶୁର ଙ୍କ ର ଦେହାନ୍ତ ପରେ ପରେ ଶାଶୁଙ୍କ ର ଚିଡ଼୍ ଚିଡା ଗୁଣ ଟା ଅତି ବଢି ଯାଇଥିବାରୁ ଶ୍ରୁତି ଯଥାସାଧ୍ୟ ତାଙ୍କୁ ଖୁସି ରଖିବାକୁ ଚେଷ୍ଟା କରୁଥିଲା, ହେଲେ ତା'ଡ଼ାକ୍ତରୀ ବୃତ୍ତି ଟା ଯୋଗୁଁ ଅନେକଥର ଠିକ ଭାବରେ ସମୟ ଦେଇ ନ ପରିବାରୁ ନିଜକୁ ଦୋଷୀ ମନେ କରୁଥିଲା।ସୁଧୀର ଙ୍କ ର ଦୂରକୁ ଟ୍ରାନ୍ସଫର ହୋଇଗଲା ପରଠାରୁ ତା'କୁ ହିଁ ଏକୁଟିଆ ଶାଶୁଙ୍କୁ ସମ୍ଭାଳି ବାକୁ ପଡୁଥିଲା।ଅବଶ୍ୟ ସାନ ନଣନ୍ଦ ମଝିରେ ମଝିରେ ମାସେ ଦୁଇମାସ ରେ ଦିନେ ଦୁଇଦିନ ପାଇଁ ଚାଲିଆସୁଥିଲେ।

             ଉଚ୍ଚ ଶିକ୍ଷିତା ଶାଶୁ ତାର ଯଦିଓ ଆଧୁନିକ ଜୀବନ ଶୈଳୀ କୁ ଆପଣେଇ ପାରୁନଥିଲେ,ହେଲେ ପିଲାମାନଙ୍କୁ କେବେ କୌଣସି କଟକଣା କରୁନଥିଲେ ।ହେଲେ,ସେଇ ଗୋଟିଏ 'ବନ୍ଧୁ ମିଳନ'ଟାକୁ କେମିତି ସହଜ ରେ ଗ୍ରହଣ କରିପାରୁନଥିଲେ!ପିଲାଙ୍କର ପୁରୁଣା ସାଙ୍ଗ ମାନଙ୍କ ସାଙ୍ଗରେ ଏକାଠି ହୋଇ ,ନାଚ,ଗୀତ,ହସ ଖୁସିରେ ଦିନ ଟିଏ କଟାଇବା ଟା ଯେମିତି ତାଙ୍କୁ ଠିକ ଲାଗୁନଥିଲା!ଝିଅ ର ବାହାଘର ପରେ ତାକୁ କିଛି କହି ପାରୁନଥିଲେ,ହେଲେ ବୋହୁ କୁ ସିଧା ନ କହି,ଅନେକ ଆଳ ଦେଖାଇ ନିଜର ଅନିଚ୍ଛା କୁ ପ୍ରକାଶ କରିଦେଉଥିଲେ।

               ଗତ ଦୁଇଦିନ ହେବ ଶ୍ରୁତି ସେଥିପାଇଁ ବହୁତ ଟେନସନ ରେ ରହିଥିଲା,ତା'ପୁରୁଣା କଲେଜ ସାଙ୍ଗ ମାନଙ୍କ ର ଗେଟ୍ ଟୁ ଗେଦର୍ କଥା ଶୁଣିବା ଦିନଠାରୁ।ଯଦିଓ ସାଙ୍ଗ ମାନ ଙ୍କୁ ଦେଖାକରିବାକୁ ତା'ର ବହୁତ ଇଚ୍ଛା ଥିଲା,ହେଲେ ପାରିବାରିକ ଅଶାନ୍ତି କୁ ଅଣ ଦେଖା କରିବାକୁ ଚାହୁଁ ନ ଥିଲା।ସୁଧୀର ଙ୍କ ର କିନ୍ତୁ ଏକା ଜିଦ୍ ଥିଲା,ତା କୁ ଯେମିତି ହେଲେ ଯିବାକୁ ପଡ଼ିବ।ଧର୍ମ ଶଙ୍କଟ ରେ ପଡିଲା ଭଳି ଲାଗୁଥିଲା ତାକୁ!ତାଙ୍କ ତରଫ ରୁ କ୍ଷମା ମଧ୍ୟ ମାଗିନେବାକୁ ତାକୁ ବାରମ୍ବାର କହୁଥିଲେ, କାରଣ ସେଇ କେତେଜଣ ହିଁ ପ୍ରଥମେ ବଂନ୍ଧୁମିଳନ ଆରମ୍ଭ କରିଥିଲେ।ଟ୍ରାନ୍ସଫର ହୋଇ ନୂଆ ଜାଗାରେ ଜଏନ କରିଥିବାରୁ ଓ ଦୂରତା ଦୃଷ୍ଟିରୁ ତାଙ୍କ ଉପସ୍ଥିତି ସମ୍ଭବ ହୋଇପାରିବନି ବୋଲି ଜାଣିଥିଲେ,ସେଥିପାଇଁ ଶ୍ରୁତି କୁ ପଠାଇ ମ୍ୟାନେଜ କରିହେବ ବୋଲି ଭାବୁଥିଲେ।ଶ୍ରୁତି ଯେ କେମିତି ପରିସ୍ଥିତି କୁ ସମ୍ଭାଳିବ ଜାଣିପାରୁନଥିଲା।ମାଉଷୀ ଶାଶୁ ଙ୍କ ପୁଅ ସୌମେନ୍ଦ୍ର ମଧ୍ୟ ତାଙ୍କରି କ୍ଲାସମେଟ ଥିଲା।ତିନି ଜଣ ଯାକ ଗୋଟିଏ କଲେଜ ରେ ଗୋଟିଏ କ୍ଲାସ ରେ ପାଠ ପଢିଥିଲେ,ହେଲେ ସମ୍ପର୍କ ର ଡୋର ରେ ବାନ୍ଧି ହୋଇ ସୁଧୀର ଜୀବନ ସାଥୀ ଓ ସୌମେନ୍ଦ୍ର ଦିଅର ହୋଇ ଯାଇଥିଲେ।ଗତ କିଛି ବର୍ଷ ହେବ ଗେଟ୍ ଟୁ ଗେଦାର ରେ ଯୋଗ ଦେଇ ନ ପାରିଥିବାରୁ, ସମସ୍ତ ଙ୍କ ର ଅଭିମାନ ଓ ଅଭିଯୋଗ ତିନି ଜଣ ଙ୍କ ଉପରେ ରହିଥିଲା।ସୌମେନ୍ଦ୍ର କିନ୍ତୁ ତାଙ୍କ ଭାଉଜ ଶ୍ରୁତି କୁ ନେଇକି ଯିବେ ବୋଲି ଆଗୁଆ ସମସ୍ତ ଙ୍କୁ କହିଦେଇଥିଲେ,ଯେହେତୁ ଜାଣିଥିଲେ, ସୁଧୀର ର ନୂଆ ଜାଗାକୁ ଟ୍ରାନ୍ସଫର ଓ ଛୁଟି ନଥିବାକଥା।

        ଶ୍ରୁତି ଦୁଇ କପ କଫି ନେଇ ଶାଶୁ ଙ୍କ ରୁମ୍ କୁ ଚାଲିଯାଇଥିଲା।ଯେତେବେଳେ ଦେଖିଲା ଯେ ମାଉଷୀ ଶାଶୁ ତାଙ୍କ ମୋବାଇଲ ରୁ ଫୋଟୋ ଓ ଭିଡ଼ିଓ କାଢ଼ି କି ଶାଶୁ ଙ୍କୁ ଦେଖାଇ ତାଙ୍କ ସାଙ୍ଗରେ କଣ ସବୁ ଯୁକ୍ତି କରୁଛନ୍ତି,ସେମାନଙ୍କ କଥାରେ ମୁଣ୍ଡ ନ ଖେଳାଇ ଚାଲି ଆସୁଥିଲା, ସେତେବେଳେ ମାଉଷୀ ଙ୍କ ଡାକରେ ଅଟକି ଯାଇଥିଲା।ମାଉଷୀ କହିଉଠିଥିଲେ–ଦେଖିଲୁ ଶ୍ରୁତି, ଏ ଲୋକ ଜଣ କ ଙ୍କୁ କେତେ ବୟସ ହୋଇଥିବ ,ଅନୁମାନ କରିପାରୁଛୁ?ଶ୍ରୁତି ର ଆଖିରେ ପଡ଼ି ଥିଲା ଜଣେ ସୁସ୍ଥ ସବଳ ବୟସ୍କ ଲୋକଙ୍କ ର ଡ୍ୟାନ୍ସ ର ଭିଡ଼ିଓ ଟି।ଯଦିଓ ବୟସ୍କ ଲାଗୁଥିଲେ,ହେଲେ ବୟସ ଟା ଅନୁମାନ କରିବା ତା'ପାଇଁ ଏତେ ସହଜ ନ ଥିଲା!କିଛି କହି ନ ପାରି ,କେବଳ ସାମାନ୍ୟ ହସି ଦେଇ ବସିପଡିଥିଲା ସେମାନଙ୍କ ପାଖରେ।ମାଉଷୀ ଶାଶୁ ତାର କହିଚାଲିଲେ–ଜାଣିଛୁ ଶ୍ରୁତି, ଏ ଭଦ୍ରଲୋକ ତୋ ଶାଶୁ ର କ୍ଲାସମେଟ।କେତେ ଫିଟ ଅଛନ୍ତି ଦେଖିଲୁ!ଆଉ ତୋ ଶାଶୁ କୁ ଦେଖେ,ସେ ଲୋକ ର ମମି ଭଳି ଦିଶୁଛି!ତୋ ଶଶୁର ଥିଲା ବେଳେ ବି ଏମିତି।ଏତେ ପାଠ ପଢି ମଧ୍ୟ ବୁଢ଼ୀ ଙ୍କ ଭଳିଆ ବେଶ ଭୁଷା!ଦଶ ବର୍ଷ ତଳେ ଛୋଟିଆ ଗେଟ୍ ଟୁ ଗେଦର ତାର ହୋଇଥିଲା, ସେଠି ତାକୁ କିଏ ଆଈ ବୁଢ଼ୀ ବୋଲି କହିଦେଇଥିଲା ଯେ ସେଇଠୁ ଚିଡି ଯାଇଛି।ନିଜେ ଆଉ କେବେହେଲେ ତାଙ୍କ ବନ୍ଧୁମିଳନ ରେ ଯାଉନି କି ସେ ଗେଟ୍ ଟୁ ଗେଦର୍ ନାଁ ଶୁଣିଲେ ଚିଡୁଛି।ସମୟ ବଦଳିବା ସାଙ୍ଗରେ ନିଜକୁ ବଦଳାଇ ନ ପାରିଲେ,ନିଜର ବେଶ ଭୁଷା ପ୍ରତି ଟିକେ ସଚେତନ ନ ହେଲେ ଯେ ସାଙ୍ଗ ସାଥି ମହଲରେ ଥଟ୍ଟା ମଜା କଥା ଶୁଣିବାକୁ ପଡିବ,ଏକଥା ସିଏ ଜମା ଗ୍ରହଣ କରି ପାରୁନି!ଜାଣିଛି, ମଣିଷର ପ୍ରକୃତି,ବ୍ୟବହାର ସବୁଠାରୁ ବଡ଼ କଥା,ବେଶ ପୋଷାକ ଯଦିଓ ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ,ହେଲେ ଗାଉଁଲି କଥା ର ବି କିଛି ଗୁରୁତ୍ୱ ଅଛି–ଭେକ ଥିଲେ,ଭିକ ମିଳେ!ଯେମିତି ଜାଗାକୁ ଯିଵ,ସେହିପରି ବେଶ ଭୁଷା ର ଆବଶ୍ୟକତା ସବୁବେଳେ ଥାଏ।ମୂର୍ତିକିଆ ଓ ଶ୍ରାଦ୍ଧ ରେ ଯାହା ପିନ୍ଧିକି ମଣିଷ ଯାଏ,ତାକୁ କଣ ବିବାହ ବ୍ରତ ଘର ରେ ପିନ୍ଧି କି ଯାଇହେବ?ହେଲେ, ତୋ ଶାଶୁ କୁ କିଏ ବୁଝାଇବ? ଷାଠିଏ ବର୍ଷ ନ ହେଉଣୁ ତ ସିଏ ନବେ ବର୍ଷ ର ବୁଢ଼ୀ ଙ୍କ ଭଳି ବେଶ ହେବ,ସାଙ୍ଗମାନେ ଥଟ୍ଟା କରିବେନି?

            ଶ୍ରୁତି ସବୁ ଶୁଣି ମଧ୍ୟ ନିରୁତ୍ତର ଥିଲା,କ'ଣ ବା କହିପାରିବ?ଭଉଣୀ ହୋଇ ମାଉଷୀ ଯାହା କହିପାରିବେ,ସିଏ ବୋହୁ ହୋଇ କେମିତି କହିପାରିବ!ଶାଶୁ ଏଥର ମୁହଁ ଖୋଲିଥିଲେ–ତୁ ମୋ ବେଶ କଥା କ'ଣ କହୁଛୁ?ଖାଲି କ'ଣ ମୋ ବେଶ ଉପରେ ଟିପ୍ପଣୀ ଦେଇଥିଲେ?ମୋ ଛୁଆ ଦୁଇଜଣ ଙ୍କ ବିଷ ୟ ରେ ମଧ୍ୟ କେତେକଥା ମୁଁ ପରେ ଶୁଣିଥିଲି।ପିଲାଙ୍କ ର ବାହାଘର ହୋଇନଥିଲା ସେତେବେଳେ।ସେଇଦିନଠୁ ସେ 'ବନ୍ଧୁମିଳନ' କି ତୁମ 'ଗେଟ୍ ଟୁ ଗେଦର'ନାଁ ଶୁଣିଲେ ମୋ ଦେହରେ ନିଆଁ ଲାଗିଯାଏ।ମାଉଷୀ ଶାଶୁ ଏଥର ଶାଶୁଙ୍କ ପାଖକୁ ଟିକେ ଲାଗିଯାଇଥିଲେ,ଆଉ ଧୀରେ କରି କହିଥିଲେ–ଅପା ,ସେଇଟା ତ ବହୁତ ବର୍ଷ ତଳ ର କଥା!ତା'ଛଡା ବାଡୁଅ ପୁଅ ଝିଅ ଥିଲେ,କିଏ କେତେକଥା କୁହନ୍ତି,ଏ ସମାଜ ତ ସଜ ମାଛ ରେ ପୋକ ପକାଇଦିଏ!ବନ୍ଧୁ ମିଳନ ସାଙ୍ଗରେ ତା'ର କ'ଣ ସମ୍ପର୍କ?ସବୁ ମଣିଷ କ'ଣ ସମାନ?ଥରେ ଭାବିଲୁ ତୋର କ'ଣ କେବେ ପୁରୁଣା ସାଙ୍ଗ ମାନଙ୍କୁ ଦେଖିବାକୁ ଇଛା ହୁଏନି?ସନ୍ତୋଷ ଭାଇ କହୁଥିଲେ, ତୁ କୁଆଡେ ଯାହା କରିବାକୁ ଇଚ୍ଛା କରି,ନ କରିପାରିଲେ,ଭାରି ଜୋରରେ ରିଆକ୍ଟ କରୁ,ସତରେ?ସିଏ ତୋ ସ୍କୁଲ ଓ କଲେଜରେ କ୍ଲାସମେଟ ଥିଲେ ନାଁ?ତୁ ଏବେ ବି ସେମିତି ଅଛୁ କି ନାହିଁ ବୋଲି ପଚାରୁଥିଲେ।ତୁ କୁଆଡେ କଲେଜ ରେ ବ୍ୟାଡମିଣ୍ଟନ ଖେଳ ରେ ମିଶି ପାରୁନଥିଲୁ,ଯୋଉଟା ତୋରୁ ବହୁତ ପ୍ରିୟ ଖେଳ ଥିଲା ବୋଲି ,ବ୍ୟାଡମିଣ୍ଟନ ନାଁ ଶୁଣିଲେ ଚିଡୁଥିଲୁ,ସତ ଟି?

         ହଠାତ୍ ଶ୍ରୁତି ର ଆଖି ପଡିଯାଇଥିଲା ତା' ଶାଶୁ ଙ୍କ ମୁହଁ ଉପରେ,ଯୋଉଠି ଏକପ୍ରକାର ଉଦାସ ର ଛାପ ଦେଖିପାରିଥିଲା।ମାଉଷୀ ଶାଶୁ ଙ୍କ ର ପ୍ରତ୍ୟେକ କଥା ଗୁଡିକ ର ପ୍ରଭାବରେ ଯେମିତି ତା' ଶାଶୁ ଙ୍କ ମନ ଭିତର ଟା ହଲଚଲ ହୋଇ ଯାଉଥିଲା!ସାମାନ୍ୟ ବିରକ୍ତ ହୋଇ କହିଉଠିଲେ–ତୁ କ'ଣ କହିବା କୁ ଚାହୁଁଛୁ ସୁମୀ(ମାଉଷୀ ଶାଶୁ ଙ୍କ ନାମ)?ମୁଁ କ'ଣ କାହାକୁ ଯିବାକୁ କେବେ ମନା କରିଛି?ଶ୍ରୁତି କୁ ପଚାରୁନୁ ,ମୁଁ କେବେ କିଛି କହିଛି ତାକୁ?ଏଥର ମାଉଷୀ କହିପକାଇଲେ–ଆରେ ,ସିଏ କେତେବେଳେ କହିଲା,ତୁ ମନାକରିଛୁ ବୋଲି,ତାକୁ କାହିଁକି ପଚାରିବି?ମୁଁ ତୋ କଥା କହୁଥିଲି,ଏ ବର୍ଷ ସନ୍ତୋଷ ଭାଇ ଓ ତୋ କଲେଜସାଙ୍ଗ ଅଳ୍ପ କେତେଜଣ ଏକାଠି ହେଉଛନ୍ତି,ତୁ ଯିବୁ ତ?ମୁଁ ତତେ ନ ପଚାରିକି ହଁ ମାରିଦେଇଛି,ତୋ ତରଫରୁ।ତୋ ଭଉଣୀ ଜ୍ବାଇଁ ଙ୍କ ର ସିଏ କଲିଗ୍ ଥିଲେ, ଏବେ ଆମ ସହରକୁ ନିଜ ଘର କରି ଆସିଛନ୍ତି।ତାଙ୍କରି ପାଖରୁ ପୂର୍ଵ ବର୍ଷ ର ତୁମ ବ୍ୟାଚ ର ବନ୍ଧୁମିଳନ ରେ କରିଥିବା ଡ୍ୟାନ୍ସ ର ଭିଡିଓ ଟା ଆଣିଥିଲି।

          କିଛି ସମୟପରେ ଶ୍ରୁତି ତା'ମାଉଷୀ ଶାଶୁ ଙ୍କୁ ବାଟୋଇ ଦେବାକୁ ଗଲା ବେଳେ ,ସିଏ ବଡ଼ ପାଟିରେ କହିପକାଇଲେ–ଶ୍ରୁତି, ପରଦିନ ତୁ କେତେ ବେଳେ ବହାରିବୁ,ସୌମେନ୍ଦ୍ର ପଚାରୁ ଥିଲା, ତାକୁ ଫୋନ ରେ ଜଣାଇଦେବୁ।ଏକଥା ରେ ଯଦିଓ ଶ୍ରୁତି ଆଶ୍ଚର୍ଯ୍ୟ ହୋଇଯାଇଥିଲା, ତଥାପି ସାମାନ୍ୟ ଆଶ୍ୱସ୍ତ ହୋଇଥିଲା।ତା'ପାଟି ରୁ ବାହାରି ଆସିଥିଲା–ବୋଉଙ୍କ ଦେହ ପରା ଖରାପ ଲାଗୁଛି, ତାଙ୍କୁ ଛାଡି ଏତେ ସମୟ କେମିତି ରହିବ!ତା'କଥା ଶୁଣି ମାଉଷୀ ସାଙ୍ଗେ ସାଙ୍ଗେ କହିପକାଇଲେ–ଆରେ, ତୁ ବ୍ୟସ୍ତ ହ ନା, ସୌମେନ୍ଦ୍ର ସେଦିନ ମତେ ଆଣି ଏଇଠି ଛାଡି ,ତତେ ନେଇକି ତୁମ ଗେଟ୍ ଟୁ ଗେଦର୍ କୁ ଯିଵ।ଅପା ସାଙ୍ଗରେ ସିଏ କଥା ହୋଇ ସାରିଛି ବୋଲି ଜଣାଇଦେଇଥିଲେ।ଯାଉ ଯାଉ ବଡ଼ ପାଟି ରେ ଶାଶୁ ଙ୍କୁ ସମ୍ବୋଧନ କରି କହି ପକାଇଲେ–ଅପା,ସନ୍ତୋଷ ଭାଇ ଙ୍କୁ ତାହେଲେ ତୋ ଯିବା ଟା କନ୍ ଫର୍ମ କରି ,ଏଠିକାର ଅଡ୍ରେସ ଟା ଦେଇଦେବି।ସେଦିନ କିନ୍ତୁ ମୁଁ ଆଗ ଆସିଯିବି,ମୋ ପସନ୍ଦ ରେ ଶାଢ଼ୀ ଟା ପିନ୍ଧିବୁ।ଶ୍ରୁତି ଦେଖୁଥିଲା ଶାଶୁ ଙ୍କ ମୁହଁକୁ, ପାଖରେ ଛିଡା ହୋଇ ଛୋଟିଆ ହସ ଟିଏ ମୁହଁରେ ଖେଳାଇ ବିଦା କରୁଥିଲେ ତାଙ୍କ ସାନ ଭଉଣୀକୁ।


Rate this content
Log in

Similar oriya story from Drama