Pranati Mahapatra

Inspirational

4.0  

Pranati Mahapatra

Inspirational

ବନ୍ଦେ ମାତରମ୍

ବନ୍ଦେ ମାତରମ୍

4 mins
183



ମାଆ ଏ ମାଆ ଟିକେ କୋଳେଇ ନିଅ ମାଆ ମୋତେ ବହୁତ ଏକାକୀ ଲାଗୁଛି ଏ ଜଗତର ଅନ୍ଧାର ଭିତରେ ଟିକେ ଘୋଡେ଼ଇ ଦିଅ ମାଆ ବହୁତ ଶୀତ ଲାଗୁଛି ଏ ଅଣନିଶ୍ବାସୀ ପରିବେଶରେ ଆଉଜେଇ ନିଅ ତୁମ ଛାତିରେ ମୋତେ ବହୁତ ଡ଼ର ଲାଗୁଛି ବହୁରୂପୀ ହିଂସ୍ରୃକ ମାନଙ୍କ ଗହଣରେ ଟିକେ ମଧୁରାମୃତ ପିଆଇ ଦିଅ ମାଆ ମୋତେ ବହୁତ ଶୋଷ ବିଷାକ୍ତ ଗରଳ ପିଇ ପିଇ ମୁଁ ବିଷାକ୍ତ ହୋଇ ଯାଇଛି।

ଏ ମାଆ ଫେରେଇ ଦିଅ ମାଆ ମୋର ସେହି ଦିନ

ହାତ ଧରି ଠୁକୁ ଠୁକୁ ହୋଇ ଚାଲିବି 

ତୁମେ ହସୁଥିବ ଆଉ ଗୋବିନ୍ଦଙ୍କ ଦେହର ଧୂଳି ଟିକେ ବୋଳିଦେଇ ନାଲି ପାନଖିଆ ଓଠରେ କହୁଥିବ ମୋତେ ତୁମ କୋଳରେ ଝୁଲେଇ ଝୁଲେଇ ଆହା ମୋ ଦୋଳଗୋବିନ୍ଦ ।


ଜୀବନଟା ସତରେ କେମିତି ଯେ ,କେତେ ଅଡୁଆ ତଡୁଆ । ବୁଢିଆଣୀ ଜାଲ ପରି ଛନ୍ଦାଛନ୍ଦି ହୋଇ ଚାରିଆଡ଼େ ବେଢି ଦେଇଛି ମାୟ ମରିଚୀକାର ବିସ୍ତୀର୍ଣ୍ଣ ମେଘନାଦ ପାଚେରୀ ।


ଚାରିଆଡ଼େ ହାହାକାର, ଭୀତତ୍ରସ୍ତ ସାଧାରଣ ଜନତା । ଖାରକିଭ୍ ଯେମିତି ଶ୍ମଶାନ , ଭବିଷ୍ୟତ କଥା ଦୂରେ ଥାଉ । କିଏ ବା ଦେଖୁଛି ଉଦିତ ସୂର୍ଯ୍ୟର ରକ୍ତିମ ଆଭାକୁ ,ସଭିଏଁ ତ ଖୋଜୁଛନ୍ତି ରାହା ଟିକେ ବଞ୍ଚିବାକୁ । ଜୀବନ ବଞ୍ଚାଇବା ଲକ୍ଷ୍ୟରେ ଲକ୍ଷ୍ୟ ବିଚ୍ୟୁତ ସମସ୍ତେ । ତ୍ରାହି ତ୍ରାହି ଶବ୍ଦରେ ଗଗନ ପବନ କେବଳ ନୁହେଁ ,ପୃଥିବୀର କୋଣ ଅନୁକୋଣରେ ଗୁଞ୍ଜରିତ ହୁଏ ,ହେ ପ୍ରଭୁ ତୁମ ସୃଷ୍ଟି ତୁମେ ରକ୍ଷା କର । ମାନବ ଭିତରୁ ଦାନବ ପ୍ରକୃତିକୁ ହରଣ କରି ଦେବ ସୁଲଭ ଗୁଣ ଭରି ଦିଅ ହରି ।

 ମାନବର ଦାନବୀୟ ଗୁଣରେ ମୁଁ ଶତଧା ବିଦୀର୍ଣ୍ଣ ,ମୁଁ ମାଆଟିଏ ସତ । ହେଲେ ତୁମ କୋଳ ମୋର ଏକାନ୍ତ କାମ୍ୟ । ସହ୍ୟ ହୁଏ ନାହିଁ ଏ ଯନ୍ତ୍ରଣା , ହିଂସା ,ଦ୍ବେଷ, ପରଶ୍ରୀକାତରତା ଭିତରେ ରାକ୍ଷସ ପ୍ରବୃତ୍ତି ବଳବତ୍ତର । ପ୍ରତି ମୁହୂର୍ତ୍ତରେ ଆସନ ,ପଦପଦବୀ ଲାଳସାରେ ଧ୍ବଂସ ସ୍ତୁପ ଏଠି ମଣିଷ ମାନଙ୍କର ଖପୁରୀ ପଞ୍ଜରାର । ଚିହ୍ନି ହୁଏ ନାହିଁ ପିତା ପୁତ୍ରର ଶବ, ରାହା ଧରି କାନ୍ଦୁଛନ୍ତି ଜନ୍ମିତ ସନ୍ତାନ ମାଆ ବକ୍ଷରୁ ଧାରେ ମମତା ପାଇବା ପାଇଁ , ଓଲଟପାଲଟକରି ଖୋଜି ଚାଲିଛି ସଦ୍ୟ ନବବିବାହିତ ନବବଧୂଟିଏ ତା'ରର ଶଙ୍ଖା ସିନ୍ଦୁରର ଇହ ପରକାଳର ଦେବତାକୁ , ଅଲିଅଳି ସୁନାନାକୀ ଦୁହିତା ଆଜି ବାରବନିତା ,ସତୀତ୍ବ ନୁହେଁ ବରଂ ଯୌବନ ଯନ୍ତ୍ରଣାରୁ ନିଜକୁ ମୁକୁଳେଇବା ପାଇଁ ଗଳିକନ୍ଦି ,ଗଛମୂଳ ,ବୁଦାମୂଳ ପୁଣି ଶବ ପାଖରେ ଶବ ହୋଇ ବି ଅକ୍ଷୁର୍ଣ୍ଣ ରଖି ପାରିନାହିଁ ନାରୀ ଜନମର ସାଇତା ସମ୍ପତ୍ତିକୁ । ହୋଇ ଯାଉଛି ବାରଭୋଗ୍ୟା । ଗର୍ଭ ଯନ୍ତ୍ରଣାରେ ଛଟପଟ ହଜାର ହଜାର ଆସନ୍ନ ପ୍ରସବା ମମତାମୟୀ ଜନନୀ । ଓଃ କି ହୃଦୟବିଦାରକ ସେ ଦୃଶ୍ୟ । ଶେଷରେ ଭୁକ୍ତଭୋଗୀ ହୋଇଗଲି ମୁଁ ମାଆ । ମୋତେ ମୁକ୍ତି ଦିଅ ଏ ଜୀବନରୁ ।ଅସହ୍ୟ ହେଉଛି ମୋ ପକ୍ଷେ ,ଏ ପାଖରେ ଗର୍ଭ ଯନ୍ତ୍ରଣା ସହ ସେପାଖେ ନର ରାକ୍ଷସ ମାନଙ୍କର ଶିକାର ।

ଖିନଭିନ୍ ହୋଇ ଯାଇଛି ମୁଁ । ମାଆ ,ମାଆ, ମାଆ ପାଣି ପାଣି ।ହଠାତ , ଏକ ପ୍ରକୋଷ୍ଠରେ ଆବିଷ୍କାର କଲେ ମହିଳା ଡୋନା ନିଜକୁ । ପାଖରେ ଶୋଇଛି ଗୁଲୁଗୁଲିଆ ଶିଶୁ କନ୍ୟା । ଏ କେମିତି ଚମତ୍କାର, ଜୀବନ ମୃତ୍ୟୁ ସହ ବେଶ୍ କିଛି ଦିନ ହେଲା ସଂଘର୍ଷ ପରେ ଏମିତି ଅମୃତର ଧାର କିଏ ଦେଲେ । ସେ ଦେବଦୂତ କିଏ ,ବୋଧହୁଏ ମୋ ମାଆ ।ହେଲେ ସେ ତ ଅନେକ ଦିନ ପୂର୍ବରୁ ସ୍ବର୍ଗବାସୀ ।


      ବ୍ୟସ୍ତ ହୁଅ ନାହିଁ ମାଆ , ତୁମେ ଏଠାରେ ସୁରକ୍ଷିତ ଅଛ , ଆଉ ଏ ହେଉଛି ତୁମ ଝିଅ ।

ଅବାକ୍ ଡୋନା ,କାହାର ସ୍ବର ସହ ଏତେ ଗୁଡିଏ କଥା ଶୁଣି । ପାଟିରୁ ବାହାରି ଆସିଲା ତୁମେ କିଏ ... କେମିତି ଜାଣିଲ ମୁଁ ... ମୋ ପାଖକୁ ତୁମକୁ କିଏ ... ?


   ଚିନ୍ତା କରନାହିଁ ମୁଁ ମୋନାଲିସା ,ଓଡ଼ିଶାର ଝିଅ । ଆଜିକୁ ଚାରି ବର୍ଷ ହେଲା ଏଠାରେ ମେଡ଼ିକାଲ ପଢୁଛି । ଆପଣଙ୍କର ବୋଧହୁଏ ମନେ ନାହିଁ । ଦୁଇ ବର୍ଷ ତଳେ ଆପଣଙ୍କ ଘରେ ଭଡାରେ ଥିଲୁ । ହଠାତ ଏଭଳି ଘଟଣା ତ ହେଲା । ଆମ ଭାରତ ସରକାରଙ୍କ ନିର୍ଦ୍ଦେଶରେ ଆମେ ସବୁ ଭାରତର ଜାତୀୟ ପତାକା ଦେହରେ ଘୋଡାଇ ହୋଇ ଯାଉଥିଲୁ ,ଆପଣଙ୍କୁ ଏଭଳି ଅବସ୍ଥାରେ ଦେଖି ଆମେ ଭାରତୀୟ ଛାତ୍ରଛାତ୍ରୀ ତିନିଜଣ ମିଶି ଏଠାରେ ଅପରେସନ କଲୁ ।ତା ପରେ ତ ଆପଣ ଏବେ ବିପଦ ମୁକ୍ତ ।


    ଶରୀର ଆଉ ମନରେ ଅନେକ ଯନ୍ତ୍ରଣା ଥିଲେ ବି ମନେ ପକେଇଲା ଡୋନା ୟୁକ୍ରେନରେ ତିନି ତାଲା ବିଶିଷ୍ଟ ଘରେ ଅନେକ ଓଡ଼ିଆ ପିଲାଙ୍କୁ ଘରଭଡା ଦେଇ ମାସିକ ମୋଟା ଅଙ୍କର ଟଙ୍କା ନେବା ସହ ସେମାନଙ୍କ ସହିତ ବହୁତ ଖରାପ ବ୍ୟବହାର କରିଥିଲେ, ଯେମିତିକି ଲୁଗାପଟା ତୁମ ଘରେ ଶୁଖାଇବା,ପାଣି କମ୍ ଖର୍ଚ୍ଚ କରିବା , ଦିନ ଦଶଟା ପରେ ଆଉ ପାଣି ମଟର ନ ଚଲାଇବା, ଛାତ ଉପରକୁ କେହି ନ ଯିବା ସହ ବାରମ୍ବାର ଘରଭଡା ବଢେଇବା ଭଳି କଥା । ବ୍ୟବହାରରେ ଅତିଷ୍ଠ ହୋଇ ଏହି ପିଲା ଦୁଇଜଣ ଘରଛାଡି ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥିଲେ । ଆଜି ନା ସେହି ଘର ଅଛି ନା ଘରର ସଦସ୍ୟ ,ହେଲେ ଏହି ପିଲାମାନେ ଆଜି ଜୀବନ ବଞ୍ଚେଇଛନ୍ତି ପୁଣି ଭାରତ ମାତାର ତ୍ରିରଙ୍ଗା ପତାକା ଦେହରେ ପକେଇ । କଷ୍ଟେ ମଷ୍ଟେ ସେହି ବିଛଣାରୁ ଉଠିବାକୁ ଚେଷ୍ଟା କଲେ ,ପିଲାମାନେ ଦେଖି ତାଙ୍କୁ ଉଠିବାର କାରଣ ପଚାରନ୍ତେ ସେ ତ୍ରିରଙ୍ଗା ପତାକା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଲେ ଆଣିବା ପାଇଁ ।ପିଲାମାନେ ଆଣି ଦେବାରୁ ସଯତ୍ନରେ ଦେହରେ ଘୋଡେଇ ହୋଇ କହିଲେ ବନ୍ଦେ ଉତ୍କଳ ଜନନୀ, ଭାରତ ମାତା କୀ ଜୟ ।ଧନ୍ୟ ତୁମେ ଭାରତୀୟ, ଧନ୍ୟ ତୁମର ଶିକ୍ଷା ସଂସ୍କାର ସାରା ବିଶ୍ବ ଆଜି ମଥାନତ ଭାରତ ପାଖରେଇଟାର ଜବାବ ପଥରରେ ନ ଦେଇ ସ୍ନେହ ମମତାରେ ପରାସ୍ତ କରୁଛ ।

ମୁଁ  ... ମୁଁ  ... ମୁଁ ... ବି ଭାରତୀୟ ,ଦୀର୍ଘ ୪୦ ବର୍ଷ ହେଲା ଏଇଠି ରହି ଅହଙ୍କାରର ଖୋଳପାରେ ଅଭ୍ୟସ୍ତ ହୋଇ ଭୁଲି ଯାଇଥିଲି ମୋର ଧର୍ମ କର୍ମ, ପାପ ପୂଣ୍ୟର ମହାମନ୍ତ୍ରକୁ । ଆଖିରେ କଳାଚଷମା ପିନ୍ଧି ହଜି ଯାଇଥିଲି ଅହଙ୍କାରର କର୍ଦ୍ଦମାକ୍ତ ପଥରେ । ବେଦ ଉପନିଷଦକୁ ନ ପଢି ଗୀତାର ମହାମନ୍ତ୍ରକୁ ନ ଘୋଷି କ୍ଲବ ଭିତରେ ହଜେଇ ଦେଇଥିଲି ମୋ ମାତୃଭୂମିର ସଂସ୍କାର, ସଂସ୍କୃତି ମହାନ୍ ପରମ୍ପରା ।

ମାଆର ମମତା ପାଶୋରି ଦେଇ ମମି ଭିତରେ ଆତ୍ମଗୋପନ କରିଥିଲି । ଆଜି ଏହି ଉଦିତ ସୂର୍ଯ୍ୟର ରକ୍ତିମ ଆଭାରେ ସବୁ ଆବରଣ ଉନ୍ମୁକ୍ତ ହୋଇଗଲା । ଏହି ଦେଖ , ତ୍ରିରଙ୍ଗା ଛୁଆଁରେ ମୋ ଝିଅର କୁଆଁ କୁଆଁ ଶବ୍ଦରେ ମାତୃତ୍ବ ଭାବନା ମୋର ବିଗଳିତ ହେଉଛି । ସେ ଡାକୁଛି ମୋତେ ମାଆ.. ମାଆ ..ଏ.. ଏ.. ମାଆ ,

ମୋତେ ତୁମ କୋଳକୁ ନିଅ ।

ବହୁତ ଶୋଷ ମୋତେ

ତୁମ ମଧୁରାମୃତ ପାନ କରାଅ ମାଆ





Rate this content
Log in

Similar oriya story from Inspirational