ବନ୍ଦ ଝରକା ଘର
ବନ୍ଦ ଝରକା ଘର
ଘରଟା କେଉଁ କାଳୁ ପରିତ୍ୟକ୍ତ ହୋଇ ପଡିଥିଲା କେହି ଜାଣିନଥିଲେ. ଝରକା ମଧ୍ୟ ବନ୍ଦ ଥିଲା. ସେଦିନ ସେହି ବନ୍ଦ ଝରକା ଏପଟେ ଖେଳୁଥିବା କିଛି ପିଲାଙ୍କ ବଲ ଝରକା ଦେଇ ସେପଟକୁ ପଡିଗଲା ତ ପିଲାଏ ବୁଝିଗଲେ ବାହାରୁ ବନ୍ଦ ଥିବା ଭଳି ଦିଶୁଥିବା ଝରକାଟି ପୁରୁଣା ହୋଇ ପରିତ୍ୟକ୍ତ ଅବସ୍ଥାରେ ରହି ରହି ଉଇ ମାନଙ୍କ ଦ୍ୱାରା ହୁଗୁଳି ଯାଇଛି. ପିଲାମାନେ ନିର୍ଭିକ ଭାବେ ସେଇପଟେ ଘର ଭିତରକୁ ଗଲେ. ଚଟାଣ କିଛି କିଛି ତଥାପି ଭଲ ଥିଲା. ସେଇଠି ଖେଳରେ ମାତି ଗଲେ. ଏଣିକି ସେଇ ବନ୍ଦ ଝରକା ପଟେ ପିଲାମାନେ ଯାଉଥିଲେ ଭିତରକୁ. ସଫା କରୁଥିଲେ ଘାସ, ଅନାବନା ସହ ଅଳିଆ, ଆଉ ଖେଳୁଥିଲେ କେବେ କ୍ରିକେଟ କି ଫୁଟୁବଲ ତ କେବେ ତାସ, ଲୁଡୁ ଇତ୍ୟାଦି. ସେଦିନ ଦଳେ ଲୋକ ହାଲ୍ଲା କଲେ ଆମ ଗାଁ ମୁଣ୍ଡେ ଥିବା ସେଇ ପରିତ୍ୟକ୍ତ ଘରେ ଭୂତ ଅଛନ୍ତି. ଲୋକେ ଏଥର ଡରିଲେ. ରାତି ନହେଉଣୁ କବାଟ କିଳି ରହିଲେ. ପିଲାଏ କିନ୍ତୁ ଡରୁନଥିଲେ. ବଡ଼ମାନେ ଆକଟ କଲେ. ସେହି ଆଡକୁ ଯାଇ ଖେଳିବାକୁ ବାରଣ କଲେ କିନ୍ତୁ ପିଲାମାନେ ମାନୁନଥିଲେ. ଯେଉଁ ଲୋକମାନେ କହୁଥିଲେ ଯେ ସେହି ଘରେ ଭୂତ ଅଛନ୍ତି ସେମାନେ ଏଥର କହିବାକୁ ଭୁଲି ନଥିଲେ ଯେ ଭୂତମାନେ ସବୁ ଛୋଟ ଛୋଟ ପିଲା ଭୂତ. ସେଇଥିପାଇଁ ଆମ ଗାଁ ପିଲାମାନଙ୍କୁ ସେମାନେ ଦୃଶ୍ୟ ହେଉନାଂହାନ୍ତି ବା ପିଲାଭୂତ ପିଲାଙ୍କୁ ଭଲ ପାଇ ତାଙ୍କର କିଛି କ୍ଷତି କରୁନାଂହାନ୍ତି.
ପିଲାମାନେ କିନ୍ତୁ ସତ କଥା ଜାଣିଥିଲେ. ସବୁଦିନ ସେଇ ବନ୍ଦ ଝରକା ଖୋଲି ସେଇ ବାଟେ ବିରାଟକାୟ ସେ କୋଠାର କିଛି ଅଂଶରେ ଖେଳୁ ଖେଳୁ ସେଦିନ ସେମାନେ ହାଲୁଇନ ଖେଳ ଖେଳୁଥିଲେ. ପ୍ରତ୍ୟେକ ମୁଖା ଓ ରଙ୍ଗର ସାହାଯ୍ୟ ନେଇ ନିଜକୁ ଭୂତ ବନେଇ ପରସ୍ପର ସହିତ ବାକ୍ୟ ବିନିମୟ କରୁ କରୁ ଦେଖିଲେ ଆଉ ଗୋଟେ ଜାଗାରେ କିଛି ଲୋକ ବସି ଚିଲମରୁ ଧୂଆଁ ଛାଡୁଥିଲେ. ସେମାନେ ଯେମିତି ପିଲାଙ୍କୁ ଦେଖି ଭୂତ ଭୂତ କହି ଦଉଡି ପଳାଇଲେ ଅନ୍ୟ ଏକ ବନ୍ଦ ଥିବା ଝରକା ଦେଇ ପିଲାମାନେ ମଧ୍ୟ ସେମାନଙ୍କୁ ଦେଖି ଭୂତ ଭୂତ କହି ବାହାରକୁ ଆସି ଦେଖିଲା ବେଳକୁ ସେହି ଲୋକ ମାନେ ତାଙ୍କରି ଗ୍ରାମର କିଛି ନିଶାଶକ୍ତ ବେପରୁଆ ଯୁବକ ଲୋକ ଥିଲେ. ସେମାନେ ଗ୍ରାମରେ ଯାଇ ସେ ବଡ଼ କୋଠା ଘରେ ଭୂତ ଅଛନ୍ତି ବୋଲି ପ୍ରଚାର କରିଦେଇଥିଲେ କିନ୍ତୁ ପିଲାମାନେ ମୁଁହଁ ବନ୍ଦ ରଖିଥିଲେ. ସେଦିନ ମୁନାର ଅଜା ପିଲାମାନଙ୍କ ଠାରୁ ସବୁ ଶୁଣି ଗ୍ରାମର ସମସ୍ତ ମୁରବୀଙ୍କୁ କହିବା ପରେ ଗୁଜବ ସୃଷ୍ଟି କରୁଥିବା ଲୋକମାନଙ୍କୁ ବାଟକୁ ଆଣିବାକୁ ମାଟିକୁ ଚକଟି କୁମ୍ଭାର ଚକ ଲଗେଇ ସେଇ ଘରେ ଏବେ ସେମାନଙ୍କ ଦ୍ୱାରା ଚିଲମ ବଦଳରେ ସୁରେଇ ତିଆରି ହେଉ ହେଉ ମାଟିରୁ ଅନେକ ଗୃହ ଉପକରଣ ଜିନିଷ ତିଆରି ହୋଇ ବିକ୍ରୀ ହେଉଥିଲା. ପିଲାଙ୍କ ଯୋଗୁଁ ସେହି ବେକାର ଯୁବକମାନେ ଶିକ୍ଷା ପାଇ ରୋଜଗାରକ୍ଷମ ହେବାଦ୍ୱାରା ସମସ୍ତ ମୁରବୀ ମିଶି ସେହି ଘରର ଝରକା ସବୁକୁ ମଜଭୂତ କରି ପରେ ଘରଟିକୁ ସରକାରଙ୍କୁ ହସ୍ତାନ୍ତର କରିଥିଲେ.
ଘରଟି ବହୁତ ଦିନ ଧରି ସେମିତି ବନ୍ଦ ରହିଥିଲା ତ ତା କବାଟ ଓ ଝରକା ମଧ୍ୟ ବନ୍ଦ ଥିଲା.ଗ୍ରାମବାସୀମାନେ ବ୍ଲକ ଓ ତହସିଲ ପରି ଅଫିସରୁ ଆରମ୍ଭ କରି କଲେକ୍ଟର ଙ୍କ ଅଫିସ ପର୍ଯ୍ୟନ୍ତ ଦୌଡ଼ା ଦଉଡି କରି ଗ୍ରାମର ଲାଇବ୍ରେରୀ କରିବାକୁ ପତିତ୍ୟକ୍ତ ଘରଟିକୁ ଗ୍ରାମବାସୀ ଙ୍କ ନାମରେ କରି ଆଣିବା ପରେ ଘରେ ଘରେ ଥିବା ପୋଥି ପୁରାଣ ମାଳିକା ଙ୍କ ଲିଖିତ ଅନେକ ବହି ବା ପୋଥି ସହିତ ଗୀତଗୋବିନ୍ଦ, ରାମାୟଣ, ମହାଭାରତ, ଓଡ଼ିଆ ଭାଗବତ, ଟିକା ଗୋବିନ୍ଦ ଚନ୍ଦ୍ର,ଗଳ୍ପ ଓ କବିତା ବହି ସବୁ ଲାଇବ୍ରେରୀ ପାଇଁ ଦାନ କରିଥିଲେ. କିଏ ପୁରୁଣା ଜହ୍ନମାମୁଁ ବହି ସବୁ ଦାନ କରିବା ସହ କିଏ କିଏ ବାସ୍ତୁ ଶାସ୍ତ୍ର ବହି ସବୁ ଦାନ କରିଥିଲେ. ଯେଉଁ ପିଲାମାନେ ଦିନେ ସେଠି ବନ୍ଦ ଝରକା ଖୋଲି ସେଠାରେ ହାଲୁଇନ ଖେଳ ଖେଳୁଥିଲେ, ଏବେ ସେମାନେ ହାଲୁଇନର ପ୍ରକୃତରେ ଅସ୍ତିତ୍ୱ ଅଛି କି ନାହିଁ ବୋଲି କୋଉ ଗ୍ରନ୍ଥ ବା ପୁରାଣ କହିପାରିବ ବୋଲି ଆଲୋଚନା ଜାରି ରଖିଲା ବେଳେ ଛୋଟ ଛୋଟ ପିଲାମାନେ ବେତାଳ କାହାଣୀ ପଢିବାକୁ ଭଲ ପାଉଥିବାର ଦେଖି ବୟସ୍କ ଲୋକମାନେ ଭାବୁଥିଲେ ଆଜିକା ପିଢ଼ିର ପିଲାଏ ଏ ଭୂତ ପ୍ରେତର ଅସ୍ତିତ୍ୱ ଉପରେ କାହିଁକି ଏତେ ଅନୁସନ୍ଧାନ ପ୍ରିୟ ବୁଝିପାରୁନଥିଲା ବେଳେ ଟିକେ କଲେଜ ଯାଉଥିବା ନୂଆ ନୂଆ ଯୁବ ପିଢ଼ିର ପିଲା ବୁଝେଇ ଦେଇଥିଲେ କି ଗୋଟେ ବୟସ ଥାଏ ଯୋଉ ବୟସରେ ଭୂତ ପ୍ରେତ ଙ୍କ ଅସ୍ତିତ୍ୱ ଅଛି କି ନାହିଁ ଜାଣିବାକୁ ଭଲ ଲାଗେ, ଯେମିତି ନୂଆ ଘର ତୋଳୁଥିବା ଲୋକ ବସ୍ତୁ୍ଦୋଷ ଦେଖି ଘର ତୋଳେ ଓ ଅତି ଵୟୋବୃଦ୍ଧ ଲୋକମାନେ ପୁରାଣ ଯଥା ଗୀତା, ଭାଗବତ, ଉପନିଷଦ ପଢିବାକୁ, ଶୁଣିବାକୁ ଓ ବୁଝିବାକୁ ମନସ୍ଥ କରି ଭାଗବତ ଟୁଙ୍ଗୀ ପରି ଗ୍ରାମ୍ୟ ଲସିବ୍ରେରୀରେ ଶୁଣନ୍ତି ଓ ବୁଝିବାକୁ ଚେଷ୍ଟା କରନ୍ତି ଏଠି ସେମିତି ପଢିକି ବୁଝିବେ ସମସ୍ତେ ନିଜ ନିଜ ପସନ୍ଦ ମୁତାବକ ବିଷୟ. ଠିକ ଏତିକି ବେଳେ ଜହ୍ନମାମୁଁ ପୃଷ୍ଠାରୁ ବେତାଳ ବିକ୍ରମ ଙ୍କ କଥା ପଢୁ ପଢୁ ଛୋଟ ପିଲାମାନେ ଭୂତ ଭୂତ ବୋଲି ଚିତ୍କାର କରିଥିଲେ.ସମସ୍ତେ ସେଇଆଡକୁ ଦୌଡିବା ଦେଖି ଯୁବକ ମାନେ କହୁଥିଲେ ଆଜି ରାତିରେ ଭୂତ ଡାକରା କରିବା. ବୃଦ୍ଧ ଲୋକ ମାନେ ମଧ୍ୟ ଦେଖିଥିଲେ ପିଲାଙ୍କ କଥା ସତ. ବହି ମଲାଟ ଉପର ଚିତ୍ର ସବୁ ଚଳୁଥିବା, ହସୁଥିବା ଓ ଗତଶୀଳ ଦେଖା ଯାଉଥିଲେ. ଏହା ବହୁତ ଦିନ ଧରି ବହି ଗୁଡିକ ପଡି ରହି ମଲାଟ ଉପରେ ଥିବା କୀଟ ବା କୀଡା ମାନେ ଗତି କରୁଛନ୍ତି. ସେମାନେ ଅତି କ୍ଷୁଦ୍ର ହେଇଥିବାରୁ ଖାଲି ଆଖିକୁ ଦେଖାନଯାଇ ଚିତ୍ରରେ ଥିବା ଛବି ସବୁ ଚାଲିଲା ପରି ଅନୁଭବ ହେଉଛି. ଯୁବକ ମାନେ ବନ୍ଦ ଝରକା ଗୁଡିକୁ ଖୋଲି ଦେଇ ପବନ ଓ ଆଲୋକ ଚଳାଚଳ ପାଇଁ ସୁବିଧା କରୁଥିବା ବେଳେ କେହି କେହି ଅଣୁବିକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିବାକୁ ନେଇ ଯାଉଥିଲେ ପରୀକ୍ଷା ପାଇଁ. ମାଆ ମାଉସୀ ଓ ଭଉଣୀ ମାନେ ପରିଷ୍କାର କରୁଥିଲେ ଝାଡ଼ିଝୁଡି ବହି ସମୂହ ଓ ଗ୍ୟାମାସିନ ଓ ଗନ୍ଧକର୍ପୁର ଦେଇ ମଧ୍ୟ ସଜାଡୁ ଥିଲେ କେହି କେହି.ଅନ୍ୟ କେତେଜଣ ଝରକା ବନ୍ଦ ନକରି ଖୋଲା ରଖିବାକୁ କହୁଥିଲା ବେଳେ ମୂଷାର ଆକ୍ରମଣ ହୋଇପାରେ କହିବାରୁ ଝରକା ସବୁ ପୁଣି ବନ୍ଦ ହୋଇଯାଇଥିଲା.ସେ ଯିଏ ବି ହେଉ ଏବେ ସମସ୍ତେ ଲାଇବ୍ରେରୀ ପ୍ରତି ଧ୍ୟାନ ଦେଇଚାଲିଥିଲେ.
ସେହି ଗ୍ରାମରେ ଅମୀୟଙ୍କ ଘର.ସହରରେ ରହିବା ନିଶା ଘାରିଥିଲା ଅମୀୟଙ୍କୁ. ସାତପୁରୁଷି ବାପା ଜେଜେ ଅମଳର ଘର ଖଣ୍ଡକ ବିକି ସହରରେ ଗୋଟେ ପ୍ଲଟ କିଣିବାକୁ ଚେଷ୍ଟା କରି କରି ନୟାନ୍ତ ହେଲାପରେ ଆପାର୍ଟମେଣ୍ଟ ଘର କରିବା ନିଷ୍ପତ୍ତିରେ ମନ ବୁଝୁ ନଥିଲା ସ୍ତ୍ରୀଙ୍କର. ଖୋଲା ଅଗଣା, ସୂର୍ଯ୍ୟ କିରଣ,ଖିଲିଖିଲି ପବନ ନଥିଲା ସେ ଥାକ ଥାକିଆ ଘରେ. ସକାଳ ହେଲେ ଜଣା ପଡୁନଥିଲା କି ସନ୍ଧ୍ୟା ହେଲେ ଜଣା ପଡୁନଥିଲା. ଅଧିକାଂଶ ସମୟ ଇଲେକ୍ଟ୍ରିକ ବଲବ ଜଳୁଥିଲା ତ ସ୍ତ୍ରୀ ଅମିତା କହୁଥିଲେ ବାପା ସହରରେ ଘର କରିବାକୁ ଏଇଥି ପାଇଁ ମନା କରୁଥିଲେ କି ତାଙ୍କୁ ଏ ଥାକ ଥାକ ଘର ଜମା ସୁବିଧା ହୋଇନଥାନ୍ତା. ଅମୀୟ ପଚାରନ୍ତି କାହିଁକି?ତ ବୁଝେଇଦିଅନ୍ତି ଅମିତା କହନ୍ତି ବାପା ଗାଁରେ କେତେ ଖୋଲା ଜାଗାରେ ଚଳି ଆସିଛନ୍ତି. ଗାଧୁଆ ପାଧୁଆ ନିତ୍ୟକର୍ମଠୁ ଆରମ୍ଭ କରି, ଖୋଲା ଅଗଣାରେ ବସାଉଠା ସାଙ୍ଗକୁ ଗାଁର ବୟସ୍କ ବନ୍ଧୁମାନଙ୍କ ସଙ୍ଗେ ଗପସପ, ଚାସ ଖେଳ ସାଙ୍ଗକୁ ବାଡ଼ି ବଗିଚାରେ ଲଗାଇଥିବା ଫୁଲ, ପରିବା ଓ ଶାଗ ତୋଳା ଇତ୍ୟାଦି କରିବାରେ ଯେଉଁ ଆନନ୍ଦ ପାଆନ୍ତି ତାହା ଏ ଘରେ ପାଇନପାରି ଆହୁରି କଷ୍ଟ ପାଇଥାଆନ୍ତେ. ବୋଉ ମଧ୍ୟ ଖୋଲା ଅଗଣା ନପାଇ, ତୁଳସୀ ଗଛଟିଏ କୋଉଠି ଲଗାଇବି, ସାଇପଡିଶା ନାହିଁ କାହା ସଙ୍ଗେ ଦୁଃଖ ସୁଖ ହେବି କହି ବ୍ୟସ୍ତ ବିବ୍ରତ ହୋଇପଡୁଥାଆନ୍ତେ. ରାଗିଯାଆନ୍ତି ଏସବୁ ଶୁଣି ଅମୀୟ କହନ୍ତି ତା ମାନେ ତୁମେ କହୁଛ ମୋ ବାପା ମାଆ ମୋ ଉପରେ ଅସନ୍ତୁଷ୍ଟ ହୋଇ ସ୍ବର୍ଗାରୋହଣ କରିଛନ୍ତି ନା ସେମାନଙ୍କ ନାମ କହି ତୁମେ ଏ ଘରେ ଶାନ୍ତି ପାଉନ!
ଉଦାସ ଦେଖାଯାଆନ୍ତି ଅମିତା. ସତକଥା ଅମିତା ମଧ୍ୟ ପରୋକ୍ଷରେ ସେୟା ଚାହାଁନ୍ତି କିନ୍ତୁ ଥାକ ଥାକ ଘରର ଉତ୍ତର ପୂର୍ବ କୋଣର ପଞ୍ଚମ ଫ୍ଲାଟର ଘରର ବାଲକୋନୀ ଉପରୁ ବନ୍ଦ ଥିବା କବାଟ ଆଗରେ ଥିବା ଗଛ ଗୁଡିକର ଅଗ୍ର ଭାଗରୁ ପକ୍ଷୀ ଦେଖି ଖୁବ ଖୁସି ହୁଅନ୍ତି. ଏତେ ବଡ଼ ବଡ଼ ବର, ଓସ୍ତ, ନଡ଼ିଆ, ତାଳ ଇତ୍ୟାଦି ଡେଙ୍ଗା ଗଛ ସବୁ ଉପରୁ ପକ୍ଷୀ ଦେଖିବା, ତାଙ୍କ ଗତିବିଧି ଲକ୍ଷ କରିବା, ସ୍ୱର ଅନୁକରଣ କରି ତାଙ୍କ ବସା ଓ ଉଡାଣ ଠାଵ କରିବା ଖୁବ ସହଜ ମନେ କରନ୍ତି. ସେଦିନ କିନ୍ତୁ କଜ୍ଵଳପାତି ଚଢେଇଟି ସବୁଦିନ ପରି ଲଢୁଆ ମନୋବୃତ୍ତିର ନହୋଇ ସାଥି ପକ୍ଷୀଟିକୁ ଚାହିଁ ବୋବାଉ ଥାଏ, ଏତିକି ବେଳେ କୁଆଡୁ ଉଡି ଆସିଲା ଗୃଧ ପକ୍ଷୀ ଓ ଝାମ୍ପ ମାରି କଜ୍ଜଳପାତି ଚଢେଇଟିକୁ ଉଠାଇ ନେବାର ଦୃଶ୍ୟରେ ଶୀହରିତ ହେଲେ ଅମିତା. ସନ୍ଧ୍ୟା ଆସି ପୁଣି ସନ୍ଧ୍ୟା ଗଡି ରାତି ଆସିବା ଯାଏଁ ସହସାଥି କଜ୍ଜଳପାତି ପକ୍ଷୀଟି ବୋବେଇ ବୋବେଇ ଖୋଜୁଥିଲା ସାଥି ଚଢେଇଟିକୁ. ରାତ୍ରୀର ପ୍ରହର ବଢିବା ସହ ତା ବୋବାଳି ବନ୍ଦ ହୋଇଯାଇଥିଲା କିନ୍ତୁ ଅମିତାଙ୍କ ଲୁହ ଶୁଖୁନଥିଲା. ଅମୀୟ ଯେତେ ପଚାରିଲେ ମଧ୍ୟ ବାଲକୋନିର ଦ୍ୱାର ଓ ଝରକା ଆଉ ଖୋଲା ରହୁନଥିଲା,ଥାକ ଥାକ ଘରର ସେହି ପଞ୍ଚମ ମହଲାର ପୂର୍ବ ଉତ୍ତର କୋଣରେ ଥିବା ଅମୀୟ ଅମିତାଙ୍କ ଘରଟିରେ.ସେହି କବାଟ ଓ ଝରକା ସବୁଦିନ ପାଇଁ ବନ୍ଦ ହୋଇଗଲା ପରେ କେଜାଣି କାହିଁକି ଅମୀୟ କହିଥିଲେ ଚାଲ ଗାଁ କୁ ଫେରିଯିବା. ତଥାପି ବଳି ପଡ଼ିଥିବା ଡିହଟିରେ ଘର ବନେଇ ବଗିଚା କରି ରହିବା.ନୀରବତା ସମ୍ମତିର ଲକ୍ଷଣ ବୋଲି ଭାବିନେଇଥିଲେ ଅମୀୟ .ଗାଁରେ ଏଣିକି ତାଙ୍କର ମୁଖ୍ୟ ଆକର୍ଷଣ ଥିଲା ଗାଁ ଲାଇବ୍ରେରୀ ଓ ତା ମଧ୍ୟରେ ଥିବା ଥାକ ଥାକ ବହି.
,,,,,,,,,,,,,,,,,,,,
