ବକ୍ସିସ୍
ବକ୍ସିସ୍
ଅନେକ ଦିନ ତଳର କଥା ଏଇ । ସେତେବେଳେ ମୁଁ ନୂଆ କରି ଏକ ଜାତୀୟକରଣ ବ୍ୟାଙ୍କରେ ଚାକିରି ଜୀବନ ଆରମ୍ଭ କରୁଥିଲି । ଗ୍ରାଜୁଏସନ୍ ସରିବାର ବହୁ ବର୍ଷ ପରେ ମଧ୍ୟ ମୋର କୌଣସି ସ୍ଥାୟୀ କର୍ମସଂସ୍ଥାନ ଯୋଗାଡ଼ ହୋଇ ପାରି ନଥିଲା । ଘରର ବଡ଼ପୁଅ ବେକାର ହୋଇ ବସିବା ଯେ କେତେ କଷ୍ଟ ଏହାକୁ ଯିଏ ଅଙ୍ଗେ ନିଭାଇଛି ସେ ହିଁ କେବଳ ଜାଣିଛି । ସହଜେ ସାଧାରଣ ବର୍ଗ କମ୍ପିଟେଟିଭ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବି କାଠିକର ପାଠ । ପରିବାର ବର୍ଗ ଓ ବନ୍ଧୁବାନ୍ଧବଙ୍କ ଅସୁମାରି ଆଶା ଆକାଂକ୍ଷାର ପାହାଡ଼ ଯେ କେତେ ଓଜନିଆ ତାହା ଭୁକ୍ତଭୋଗୀ ମର୍ମେ ମର୍ମେ ଅନୁଭବ କରିପାରେ ।
ଦୀର୍ଘ ବର୍ଷର ତପସ୍ୟାର ଫଳ ସ୍ୱରୂପ ମୋତେ ପ୍ରାପ୍ତ ହେଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ପି.ଓ., ମାନେ ପ୍ରୋବେସନାରୀ ଅଫିସର୍ । ପୋଷ୍ଟିଂଟା କିନ୍ତୁ ରାଜ୍ୟ ବାହାରେ, ସିଲିଗୁଡିରେ । ଏହା ପୂର୍ବରୁ ମୁଁ ରାଜ୍ୟ ବାହାରକୁ ଯିବା ତ ଦୂରର କଥା ଆମ ଜିଲ୍ଲା ବାହାରକୁ ବି ଯାଇ ନାହିଁ । ବାହାରକୁ ଯିବାର ଅବସର ଜୁଟିନି ଅବଶ୍ୟ । ଆମରି ଅବିଭକ୍ତ ପୁରୀ ଜିଲ୍ଲାରେ ରାଜଧାନୀ, ସବୁ କିଛି ଉପଲବ୍ଧ ସେଠି । ସ୍କୁଲ କଲେଜ ପାଠ ପଢ଼ା ସବୁ ଏଇଠି ।
ଇଣ୍ଟରଭ୍ୟୁ ପାଇଁ ସାଙ୍ଗ ହୋଇ ଯାଇଥିଲୁ ଆମେ କେତେ ଜଣ କଲିକତା । ଦିନେ କି ଦି ଦିନ ରହିଥିଲୁ ଯାହା । ବାସ୍ ରାଜ୍ୟ ବାହାରର ଏତିକି ଅଭିଜ୍ଞତା ମୋର । ବହୁତ ଇଚ୍ଛା କରିଥିଲି ଆମରି ଏଇ ଅବିଭକ୍ତ ଜିଲ୍ଲାଟାରେ କେଉଁଠି ଗୋଟେ ପୋଷ୍ଟିଂ ହୋଇଗଲେ ସୁଖରେ ଦିନ କଟିଯିବ ଘରେ ରହି କରି । ବିଶେଷ କରି ଖାଇବା ପିଇବାରେ ଅସୁବିଧା ହେବ ନାହିଁ । କିନ୍ତୁ ମୋର ପହିଲି ପୋଷ୍ଟିଂ ହେଲା ପଶ୍ଚିମ ବଙ୍ଗର ସିଲିଗୁଡିରେ । ଏସବୁ ଏତେ ଜଲଦି ଜଲଦି ଘଟିଗଲା ଯେ ମୁଁ ଆଉ କେଉଁଠି କି ଏପରିକି ବନ୍ଧୁବାନ୍ଧବଙ୍କର ଘରକୁ ମଧ୍ୟ ଯାଇ ପାରିଲି ନାହିଁ ଟ୍ରେନିଂ ଜଏନ୍ କରିବା ପୂର୍ବରୁ । ଯାହା ଯେମିତି ଯୋଗାଡ଼ କରି ମୁଁ ଯାଇ ପହଞ୍ଚିଲି ସିଲିଗୁଡିରେ ।
ସହୃଦୟ ସହକର୍ମୀଙ୍କ ସହାୟତାରେ ବସାଘରଟିଏ ଯୋଗାଡ଼ ହୋଇଗଲା । ରୋଷେଇଆଟେ ବି ମିଳିଗଲା ଦି ଓଳି ଖାଇବା ରାନ୍ଧି ବାଢି ଦେବା ପାଇଁ । ଘର ପରିବାର ଛାଡ଼ି ବାହାରକୁ ଆସିବାର ଦୁଃଖ କିଞ୍ଚିତ ମାତ୍ରାରେ ଲାଘବ ହେବା ପରି ଲାଗୁଥିଲା । ବ୍ୟାଙ୍କ୍ କାମ, ସହକର୍ମୀ, ଗ୍ରାହକଙ୍କ ମେଳରେ ଚାହୁଁ ଚାହୁଁ ମାସଟିଏ ବିତିଗଲା । ପହିଲି ଦରମା ବି ମିଳିଲା । ଜୀବନର ପ୍ରଥମ ରୋଜଗାର । ନିଜ ଗୋଡ଼ରେ ନିଜେ ଠିଆ ହେବାର ପ୍ରଥମ ଅନୁଭବ । ସାମାନ୍ୟ ଗର୍ବ ମଧ୍ୟ ଅନୁଭବ କରୁଥିଲି ମୁଁ, ଏବେ ଆଉ କାହା ଉପରେ ନିର୍ଭରଶୀଳ ନଥିଲି ଯେହେତୁ । ପ୍ରଥମ ଦରମାରୁ କିଛି ଟଙ୍କା ଅଲଗା ରଖିଲି ଠାକୁରଙ୍କ ପାଖରେ ଭୋଗରାଗ କରିବାକୁ । ବାକି ପଇସାକୁ ସହକର୍ମୀଙ୍କ ସହ ପାର୍ଟି କରିବାରେ ଖର୍ଚ୍ଚ କରିଦେଲି ଖୁସି ମନେଇବା ପାଇଁ ।
ମାସକୁ ମାସ ଦରମା ଠିକ୍ ସମୟରେ ମିଳି ଯାଉଥିଲା, ନୂଆ ନୂଆ ନୋଟ୍ ସବୁ । ମନ ଖୋଲା ଖର୍ଚ୍ଚ କରିବାରେ ଲାଗିଥିଲି ମୁଁ । କେବେ କେବେ ଘରକୁ କିଛି ଟଙ୍କା ପଠାଇ ଦିଏ ସାନ ଭାଇ ଆକାଉଣ୍ଟକୁ । ହେଲେ ଘରକୁ ଟଙ୍କା ପଠାଇବା ଧରାବନ୍ଧା ନିୟମ ନଥିଲା ମୋର, ଇଚ୍ଛାଧୀନ ବ୍ୟାପାର ଥିଲା ଆଉ ଆଜିବି ବଳବତ୍ତର ରହିଛି । ସହକର୍ମୀମାନଙ୍କ ମଧ୍ୟରେ ଅନେକ ସମବୟସ୍କ ଥିବାରୁ ଆସରଟା ଜମୁଥିଲା ସପ୍ତାହାନ୍ତରେ । ହସଖୁସିରେ କଟି ଯାଉଥିଲା ଦିନ । ବ୍ୟାଚେଲର୍ ଲାଇଫର ମଜା ଆଉ ନାହିଁ ଏବର ଗୃହସ୍ଥ ଜୀବନରେ । ଆଖୁ ଶଗଡ଼ ବୋହୁଥିବା ବଳଦର ଜୀବନ ନା ସ୍ଵାଧୀନତା ଅଛି ନା ସ୍ଵାଦ ଅଛି ! ଘରୁ ପଇସା ଆଣି ଖର୍ଚ୍ଚ କରିବା ଅପେକ୍ଷା ନିଜ ରୋଜଗାର ଥିଲେ ଏଇ ବ୍ୟାଚେଲର ଜୀବନର ମଜା ଆହୁରି ଅଧିକ ।
ସେବର୍ଷ ଦଶହରାରେ ମୋର ଘରକୁ ଆସିବାର ଥିଲା । ଚାକିରି କରିବା ପରେ ପହିଲି ବାର ହୋଇଥିବାରୁ ମୁଁ ଉତ୍ସାହିତ ହୋଇ ବହୁତ କିଛି କିଣାକିଣି କରିଥିଲି ଘରର ସମସ୍ତ ସଦସ୍ୟମାନଙ୍କ ପାଇଁ । କିନ୍ତୁ ଠିକ୍ ଛୁଟି ନେବା ବେଳକୁ ତ୍ରୈମାସିକ ଆକାଉଣ୍ଟସ୍ କ୍ଲୋଜର୍ ପାଇଁ ଆସି ପାରିଲି ନାହିଁ । ସମସ୍ତଙ୍କର ମନ ବହୁତ ଦୁଃଖ ହେଲା ଦୂର୍ଗା ପୂଜାରେ ଦେଶଟା କମ୍ପିଉଠୁଥିବା ବେଳେ ଆମ ଘରେ ସଭିଏଁ ଥିଲେ ନୀରବ । ପ୍ରଥମ ଥର ପାଇଁ ମୁଁ ଥିଲି ସଭିଙ୍କ ଠାରୁ ଦୂରରେ । ଦୁଇ ପଇସା ରୋଜଗାର କରିବାର ଆଶା ମୋତେ ଘର ପରିବାର ଠାରୁ ଦୂରେଇ ରହିବା ପାଇଁ ବାଧ୍ୟ କରୁଥିଲା । ଯାହା ଯେମିତି କରି ମନକୁ ବୁଝାଇ ମୁଁ ରହିଲି ତୁନି ହୋଇ ।
ଆଗକୁ ଆସୁଥିବା ଦୀପାବଳୀରେ ଯିବା ପାଇଁ ସବୁ କିଛି ଠିକ୍ କରି ନେଲି । ଛୁଟି ବି ମଞ୍ଜୁର ହୋଇଗଲା । ଘରେ ସମସ୍ତେ ଯୋଜନା କଲେ ନୀଳାଚଳ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ନିମନ୍ତେ । ମୁଁ ବି ଏହା ଚାହୁଁଥିଲି । ସହସା ସଭିଙ୍କ ହଁରେ ହଁ ଭରିଲି । ଯେତେ ଯେତେ ଘରକୁ ଫେରିବାର ତାରିଖ ପାଖେଇ ଆସୁଥିଲା ମନରେ ଅଫୁରନ୍ତ ଆନନ୍ଦ ଖେଳି ଯାଉଥିଲା । ମୋ ପରି ଯେ, ଘର ମୋହରେ ବନ୍ଧା ପିଲାଟେ ଏତେ ଦିନ ଧରି ବାହାରେ ଏକା ଏକା ଚଳି ପାରିବ, ତାହା ସଭିଙ୍କର କଳ୍ପନା ବାହାରେ ଥିଲା ।
ଦିନ ଆସିଲା ଘରକୁ ଫେରିବାର । ପରେ ସଭିଙ୍କୁ ସୁହାଇଲା ଭଳି ଦିନଟିଏ ଦେଖି ଆମେ ସଭିଏଁ ପୁରୀ ଗଲୁ ମହାପ୍ରଭୁଙ୍କ ଦର୍ଶନ ପାଇଁ । ସକାଳୁ ସକାଳୁ ବାହାରି ଗଲୁ ଭୁବନେଶ୍ୱରରୁ ପୁରୀ ଅଭିମୁଖେ । କାର୍ତ୍ତିକ ମାସ, ହାଲୁକା ହାଲୁକା ଶୀତ ବି ଲାଗୁଥିଲା । ଶ୍ରୀମନ୍ଦିରରେ ଗହଳି ହୋଇଥିବା ସତ୍ତ୍ବେ ବି ସୁରୁଖୁରୁରେ ହୋଇଗଲା ଦର୍ଶନ । ନୂଆ ଜୀବନ ପାଇବା ପରି ଲାଗୁଥିଲା ମୋତେ । ବେକାରୀରୁ ମୁକ୍ତ ଚାକିରିଆର ଫୁଲାଫାଙ୍କିଆ ଜୀବନ । ନା ଅଛି ଅତୀତର ଭୁଲ ପାଇଁ ପଶ୍ଚାତାପ ନା ଅଛି ଆଗତ ଭବିଷ୍ୟତର ତୁଛା ଚିନ୍ତା! ସଭିଏଁ କହୁଥିଲେ, "ପଇସା ରୋଜଗାର କରିବା ପରେ ପିଲାଟା ଦିଲଦାରିଆ ହୋଇଗଲାଣି!" କିନ୍ତୁ ମୁଁ ନିଜେ ବେପରୁଆ ହୋଇଯିବା ଭଳି ଅନୁଭବ କରୁଥିଲି ।
ମହାପ୍ରସାଦ ସେବନ କରିବାର ଦୁର୍ବାର ଅଭିପ୍ସା ଥାଏ । କିନ୍ତୁ ଡେରି ହେବ, ଆଉ ଜେଜେବାପା ଏତେ ସମୟ ଅପେକ୍ଷା କରି ପାରିବେ ନାହିଁ । ଏସବୁକୁ ବିଚାର କରି ବଡ଼ ଦେଉଳରୁ ବାହାରି ଆସି ସମୁଦ୍ର ଆଡେ ଘେରାଏ ବୁଲି ଆସିଲୁ । ସମୁଦ୍ର ପାଖରେ ସମୟ କେତେ ବେଳେ ବିତିଗଲା ଜଣା ହିଁ ପଡିଲା ନାହିଁ । ଏବେ ସଭିଏଁ ଭୋକର ଜ୍ୱାଳାରେ ଆଉଟୁପାଉଟୁ ହେଉଥିଲୁ । ଅଗତ୍ୟା ସମୁଦ୍ର କୂଳ ପାଖରେ ଥିବା ଗୋଟେ ରେସ୍ତୋରାଁକୁ ଖାଇବାକୁ ଗଲୁ । ଖାଇବା ପିଇବା ସରିଲା । ୱେଟର୍ ବିଲ୍ ଆଣି ଆସିଲା । ମୁଁ ପଇଠ କଲି । ସଠିକ୍ ଭାବେ ମୋର ମନେ ନାହିଁ ବିଲ୍ ଆମାଉଣ୍ଟ୍ । ଫେରସ୍ତ କରିବା ପାଇଁ ଆଣି ଥିବା କିଛି ଛୋଟ ଛୋଟ ନୋଟ୍ ଆଉ ଖୁଚୁରା ପଇସା । ମୁଁ ନଆଣି ୱେଟର୍ ପାଇଁ ଛାଡ଼ି ଆସିଲି । ପ୍ରତ୍ୟୁତ୍ତରରେ "ଥ୍ୟାଙ୍କ୍ ୟୁ ସାର୍" ବୋଲି କହିଲା ସେ । ଗଭୀର ଅନୁରାଗ ଭରା କଣ୍ଠସ୍ୱର ଥିଲା ତାର । ଆଗରୁ ଏମିତି କେତେ ଶୁଣିଥିବାରୁ ବିଶେଷ କିଛି ଅନୁଭବ ହେଲା ନାହିଁ ମୋତେ ।
ମୋର ଅଲକ୍ଷ୍ୟରେ ଏସବୁ ପ୍ରକରଣକୁ ବେଶ୍ ସମ୍ୟକ ଭାବେ ଅବଲୋକନ କରୁଥିଲେ ମୋର ଜେଜେ । ରେସ୍ତୋରାଁରୁ ବାହାରକୁ ଆସିବା ସମୟରେ ସେ ଆଉ ସମ୍ଭାଳି ହୋଇ ରହିପାରିଲେ ନାହିଁ । ଆଉ ମୋ ହାତକୁ ଜାବୁଡ଼ି ଧରି ପଚାରିଲେ, "ଆରେ ଧନ! କେତେ ପଇସା ଛାଡ଼ି ଆସିଲୁ କି ହୋଟେଲରେ?"
ମୁଁ ମୁହଁ ଛିଞ୍ଚାଡି କହିଲି,," ହଁ... ହେଇ ଥିବ କୋଡିଏ ତିରିଶ ଟଙ୍କା ଖଣ୍ଡେ..."
: ଆରେ ଏତେ ଟଙ୍କା ଛାଡ଼ି ଦେଲୁ ତୁ? ହେଲେ କଣ ପାଇଁ?
: ହଁ, ଜେଜେ, ଏଇଟା ତାର ଟିପ୍... ତମେ ବୁଝି ପାରିବନି । ଟିପ୍ ମାନେ ହେଲା ବକ୍ସିସ୍ । ଏଇ ଯେମିତି ଦଶରାରେ ଦିଅନ୍ତି...
: ହେଲେ ଏତେ ଟଙ୍କା ତାକୁ ଦେବାଟା କଣ ଠିକ୍ ହେଲା? ଟଙ୍କାଏ, ଦିଟଙ୍କା କି ଅତି ବେଶୀରେ ପାଞ୍ଚ ଟଙ୍କା ଯାଏଁ...
ଜେଜେଙ୍କ କଥା ସରିବା ଆଗରୁ ମୁଁ ଜୋର୍ରେ କହି ପକେଇଲି, "ମୋ ପଇସା, ମୁଁ ଦେଲି, ତୁମେ କାହିଁ ହାଉ ହାଉ ହଉଚ ଯେ?"
ଜେଜେଙ୍କୁ ମୋର ଏଇ କଥାଟା ଭାରି ବାଧିଲା । ଆଖି ତାଙ୍କର ଛଳ ଛଳ ହୋଇଗଲା । ବାଷ୍ପରୁଦ୍ଧ କଣ୍ଠରେ କହିଲେ, "ହଁ ତୋ ପଇସା ଯେ, ହେଲେ ମୋ ନାତି ଅର୍ଜିଛି । ଆମ ବୟସ ବେଳେ ପରିବା ଭାର ନେଇ ପାଞ୍ଚ ସାତ ମାଇଲି ଖାଲି ପାଦରେ ଚାଲି ଚାଲି ଯାଇ ନିମାପଡ଼ା ହାଟରେ ଦିନ ସାରା ଖରାରେ ବସି ବିକିଲେ ବି ହାତକୁ ଟଙ୍କା କୋଡ଼ିଏଟା ଆସୁନଥିଲା । ଆଉ ତୁ ଏମିତି ଟଙ୍କାକୁ ନଗଣି ଛାଡ଼ି ଦେଇ ଚାଲି ଆସୁଛୁ! କହୁଛୁ କଣ ନା ବକ୍ସିସ୍... ବ୍ୟାଙ୍କରେ କି ହିସାବ ରଖୁଥିବୁ ଜଣାପଡୁଛି ଯେ' ତୋ ଢଙ୍ଗରଙ୍ଗରୁ । ଏତେ ଯଦି ତୋର ଦାତାପଣିଆ ଦେଖେଇ ହଉଚୁ ସାକ୍ଷୀଗୋପାଳ ପାଖରେ ପଇଡ଼ବାଲା ସହ ଦି ଟଙ୍କା ପାଇଁ ଏତେ ମୂଲଉଥିଲୁ କାହିଁକି? ଗରିବ ଲୋକଟା ଦି ପଇସା ଅଧିକା ପାଇଥିଲେ ଖୁସି ହୋଇଥାନ୍ତା, କଲ୍ୟାଣ କରିଥାନ୍ତା!! ଦେଲୁନି ତାକୁ ହାତ ଆଉ ମନ ଖୋଲି କରି କିଏ ବା ମନା କରୁଥିଲା ତୋତେ??"
ମୋର ଅକଲଗୁଡୁମ୍ ହୋଇଯାଇଥିଲା ଜେଜେଙ୍କ କଥାରେ । ଜୀବନ ହାଟର ଜୀବନ୍ତ ଉଦାହରଣରେ ମୋର ତଥାକଥିତ ଦିଲଦାରିଆ ଦାତାପଣିଆ ମୋତେ ତାଚ୍ଛଲ୍ୟ କରୁଥିଲା!! ଏମିତି କେତେ ଟଙ୍କା ମୁଁ ବ୍ୟୟ କରିଛି ତୁଚ୍ଛା ବଡ଼ିମା ପ୍ରଦର୍ଶନ କରିବା ପାଇଁ କିନ୍ତୁ ଅପେକ୍ଷାକୃତ ଦୁର୍ବଳ ଲୋକଙ୍କ ପାଖରେ ମୂଲଚାଲ କରେ ଖୁବ୍ ଜୋରରେ ନିଜକୁ ଠିକ୍ ବୋଲି ସାବ୍ୟସ୍ତ କରି କମ୍ ଦରରେ ଜିନିଷ କିଣିବା ପାଇଁ । ଆଜି ଜେଜେ ଆଉ ନାହାଁନ୍ତି ଏହି ଇହ ଜଗତରେ କିନ୍ତୁ ତାଙ୍କର କଥାଟା ମୋ ମନରେ ଗଭୀର ରେଖାପାତ କରିଛି ଆଉ ମୋର ବିବେକକୁ ଚେତାଇ ଦେଉଛି ବେଳ ଅବେଳରେ....