Sambit Srikumar

Inspirational

4.7  

Sambit Srikumar

Inspirational

ବଖରାଏ ଘର

ବଖରାଏ ଘର

6 mins
242



ଘର! ବାସ୍ତବରେ ଘର କଣ? ଅନେକ ସଂଜ୍ଞା ଏହାର, କିନ୍ତୁ କେଉଁଟି ବି ସମ୍ପୂର୍ଣ୍ଣ ନୁହେଁ ଏହାକୁ ସଠିକ ଭାବେ ବର୍ଣ୍ଣନା କରିବା ପାଇଁ । ମାନବ ଜାତିର ମୌଳିକ ଆବଶ୍ୟକତା ଏଇ ଘରର ପରିଭାଷା ଅନେକ ରହିଛି, ପ୍ରତିଟି ମଣିଷ ପାଇଁ ଆବଶ୍ୟକତା ମୁତାବକ ଭିନ୍ନ ଭିନ୍ନ ଏହାର ଅର୍ଥ । କାହା ପାଇଁ ଘର ଖରା ବର୍ଷା ଶୀତରୁ ରକ୍ଷା ପାଇବା ପାଇଁ ଆଶ୍ରୟସ୍ଥଳୀ ତ କାହା ପାଇଁ ବାପା ଅଜା ଚଉଦ ପରୁଷର ଭିଟାମାଟି । ପୁଣି କାହା ପାଇଁ ଆଭିଜାତ୍ୟର ପ୍ରତୀକ ରାଜମହଲ ତ କାହା ପାଇଁ ସ୍ୱାଭିମାନର ସନ୍ତକ ଡାଳ ପତ୍ରର କୁଡିଆ । କାହା ପାଇଁ ମୋହ ମାୟା ସ୍ୱପ୍ନ ତ ଆଉ କାହା ପାଇଁ ହଜିଲା ଅତୀତ, ଆବେଗର ପ୍ରଶ୍ନ । ଘର ଯେତେ ଯେତେ ପୁରୁଣା ହେଉଥାଏ ସେତେ ସେତେ ସ୍ମୃତି ଯୋଡ଼ି ହୋଇ ଚାଲିଥାଏ । ଦୁନିଆଁରେ ଅଢ଼େଇ ଦିନିଆ ଅତିଥି ସାଜି ଆସିଥିବା ମଣିଷର ଠିକଣା ପାଲୋଟେ ଏଇ ଘର, ସଭିଙ୍କର ଅତି ଆପଣାର ବାସସ୍ଥାନ ।

ଏଇତ ସବୁ ଗଲା ଘର ସହିତ ଜଡ଼ିତ ମଣିଷର ଭାବାବେଗର କଥା । ମାତ୍ର ଘର କହିଲେ ଆମେ ବୁଝୁ କଣ? ପ୍ରକୃତରେ ଘର କଣ? କଣ ଏହାର ଆବଶ୍ୟକତା ମଣିଷର ଜୀବନରେ? ନିଜର ଘର ଖଣ୍ଡେ କରିବା ପାଇଁ ମଣିଷ ଏତେ ବ୍ୟସ୍ତ ବିବ୍ରତ ବ୍ୟଗ୍ର କାହିଁକି? ଗାଆଁ ଅପେକ୍ଷା ସହର କିମ୍ବା ମହାନଗର ଅଞ୍ଚଳରେ ସୁବିଧାରେ ଏବଂ ସୁଲଭ ମୂଲ୍ୟରେ ଘରଟିଏ ତୋଳିବା ପାଇଁ ଆମ ସମସ୍ତଙ୍କ ମଧ୍ୟରେ ଏକ ପ୍ରକାରର ପ୍ରତିଦ୍ୱନ୍ଦିତା ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଘରକୁ ନେଇ ଆତ୍ମ ବଡ଼ିମା ପ୍ରଦର୍ଶନ କରିବାରେ ଆମେମାନେ ତିଳେ ବି ହେଳା କରୁ ନାହୁଁ । ଯାହାର ଘର ଯେତେ ବଡ଼ ତାହାର ସେତେ ବଡ଼ିମା! ଆଜିକାଲିର ସହରୀକରଣ ସଂସ୍କୃତିରେ ଫୁଟ୍, ଡିସିମିଲିର ହିସାବ ଏଇ ବଡ଼ିମା ମାପିବାର ।

ମୋ ମନରେ ମଧ୍ୟ ଏମିତି ଅନେକ ଅସୁମାରି ଅସମାହିତ ପ୍ରଶ୍ନର ଲହରୀ ଉଠେ । ପିଲାଟି ଦିନରୁ ନିଜର ଗୋଟିଏ ବିରାଟକାୟ ଭବ୍ୟ ପ୍ରାସାଦ ନିର୍ମାଣ କରିବାର ସ୍ଵପ୍ନରେ ଜୀଉଁଛି ମୁଁ । ବ୍ରୁନେଇର ସୁଲତାନଙ୍କ ସର୍ବାଧିକ କୋଠରୀ ବିଶିଷ୍ଟ ରାଜମହଲ ଅବା ଧନାଢ୍ୟ ଭାରତୀୟ ଶିଳ୍ପପତିଙ୍କ ସର୍ବାଧିକ ବ୍ୟୟରେ ନିର୍ମିତ ନଭଶ୍ଚୁମ୍ବୀ ଅଟ୍ଟାଳିକା ବିଷୟରେ ଭାବିବା ମାତ୍ରକେ ଏଇ ସ୍ୱପ୍ନ ମୋତେ ଆକ୍ତାମାକ୍ତା କରିଦିଏ, ପୁନଃ ପୁନଃ ଚିନ୍ତନ ମନକୁ ଭାରାକ୍ରାନ୍ତ କରିଦିଏ । ସହରର ସଂଭ୍ରାନ୍ତ ତଥା ପ୍ରସିଦ୍ଧ ଇଲାକାର ବିସ୍ତୃତ ସ୍ଥାନରେ ସୁନ୍ଦର ଭବନଟିଏ ନିର୍ମିତ ହୋଇଥିବ, ଯହିଁରେ ପୃଥିବୀଯାକର ଉପଲବ୍ଧ ସମସ୍ତ ସୌଖୀନ ଭୌତିକ ସୁଖ ସୁବିଧା ଖଞ୍ଜା ଯାଇଥିବ ଓ ବିଳାସମୟ ଆସବାବପତ୍ରର ସାଜ୍ଜସଜ୍ଜା ହୋଇଥିବ । ସବୁ ଦୃଷ୍ଟିରୁ ନିଆରା ଏବଂ ଅତୁଳନୀୟ ହୋଇଥିବ ଏହାର ନିର୍ମାଣ ଶୈଳୀ । ସ୍ୱତନ୍ତ୍ର ଭାବେ ଠାକୁରଙ୍କ ପାଇଁ ଗାଦୀଟିଏ ଥିବ । ସମ୍ମୁଖ ଭାଗରେ ସବୁଜ ଘାସର ଗାଲିଚା ଥିବ, ନାନା ରକମର ଫୁଲର ବଗିଚାଟିଏ ଥିବ ନିଶ୍ଚୟ । ଏସବୁ ବାଦ୍ ସନ୍ତରଣ ନିମନ୍ତେ ପୁଷ୍କରିଣୀଟିଏ ଅର୍ଥାତ୍ ସୁଇମିଂ ପୁଲ୍ ନିହାତି ଆବଶ୍ୟକ । ପରିବାରର ସଭିଏଁ ଏକାଠି ଗୋଟିଏ ଛାତ ତଳେ ବସବାସ କରୁଥିବେ । ଏହି ପରି ପରିକଳ୍ପନା ମୋର ଘରକୁ ନେଇ କରି ।

କେବେ ସେହି ସ୍ୱପ୍ନ ଫଳବତୀ ହେବ ତାହା ମୋତେ ଜଣା ନାହିଁ, ନିୟତି ହିଁ କେବଳ କହି ପାରିବ! ଏମିତି ନୁହେଁ ଯେ ଘରଟିଏ ତୋଳିବାକୁ ମୁଁ ଚେଷ୍ଟା କରିନାହିଁ । ରାଜଧାନୀ ଭୁବନେଶ୍ଵରରେ ନିଜସ୍ୱ ଠିକଣାଟିଏ ସୃଷ୍ଟି କରିବାକୁ ଅନେକବାର ପଦକ୍ଷେପ ନେଇଛି । କେବେ ଅର୍ଥ ବାଧକ ସାଜିଛି ତ କେବେ ଜମିଜମା ସମ୍ବନ୍ଧୀୟ ଦସ୍ତାବିଜ ତ କେବେ ଅଧିକ ମୂଲ୍ୟ ଦେବାକୁ ପ୍ରସ୍ତୁତ ଥିବା ଏନ୍.ଆର୍.ଆଇ. ଗ୍ରାହକ । ଆଜିର ଦୁନିଆରେ ଠକାମିର ଶିକାର ହେବା ଅତି ସାଧାରଣ ଘଟଣା ହୋଇଗଲାଣି । ଜୀବନ ବ୍ୟାପି ସାଧୁତା ଓ ସଚ୍ଚୋଟତାର ଆଧାରରେ ଅର୍ଜନ କରିଥିବା ତମାମ ଜମାପୁଞ୍ଜି ହରାଇ ବସିଛନ୍ତି ଅନେକ ଲୋକ ନିଜର ସ୍ୱପ୍ନର ଘରଟିଏ ପାଇଁ ଅସାଧୁ, ଧୂର୍ତ୍ତ, ଦଲାଲଙ୍କ ଠକାମିରେ ପଡ଼ି । ବାସ୍ତବତା ଏତେ କଠୋର, ଏତେ ନିଷ୍ଠୁର ହୋଇଯାଇଛି ଯେ ସମସ୍ତଙ୍କ ହୃଦୟର ଏହି ସ୍ୱପ୍ନ ସାକାର ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏଇଟା କେବଳ ମାତ୍ର ମୋର ମନର କଥା ନୁହେଁ ବରଂ ସଭିଙ୍କର ମାନେ ସମସ୍ତ ସଂସାରୀ ଲୋକଙ୍କ ସ୍ୱପ୍ନ । ବୈରାଗୀ ତଥା ସନ୍ନ୍ୟାସୀଙ୍କର ଘର ବା କି ଦରକାର? ସେମାନେ ତ ଏଇ ଦୁନିଆକୁ ହିଁ ତ୍ୟାଗ କରି ସାରିଛନ୍ତି, ଯଦିଓ ଆଜିକାଲି ଅନେକ ସୁରମ୍ୟ ଆଶ୍ରମ ଗଢି ଉଠୁଛି ଛତ୍ରାକ ସମ ଚାରିଆଡ଼େ ଦାନ ଅର୍ଥର ସୁବିନିଯୋଗରେ ।

ବାସ୍ତବରେ ଘରର ରୂପରେଖ କଣ? ଏହା ଚାରି କାନ୍ଥକୁ ଭରା ଦେଇ ଗଢି ଉଠିଥିବା ଛାତଟିଏ ଯାହା ଝାଟି, ମାଟି, କୁଟା, କାଠି, ନଡ଼ା, ଡାଳ, ପତ୍ର, ଇଟା, ପଥର, ଗୋଡ଼ି, ବାଲି, ରଡ଼୍, ସିମେଣ୍ଟ୍, କାଠ, କାଚ, ପ୍ଲାଷ୍ଟିକ୍, ଲୁହା, ରଙ୍ଗ, ପୁଟ୍ଟି, ବୈଦ୍ୟୁତିକ ଉପକରଣ ଇତ୍ୟାଦି ନିର୍ଜୀବ ପଦାର୍ଥର ସମାହାରରେ ଗଠିତ ନା ସ୍ନେହ, ଶ୍ରଦ୍ଧା ଓ ପ୍ରେମର ବନ୍ଧନରେ ବନ୍ଧା ଏକ ପରିବାର, ଯେଉଁଠି ପରସ୍ପର ପ୍ରତି ଶ୍ରଦ୍ଧା ସମ୍ମାନ ଅତୁଟ ରହିଥାଏ ନିରନ୍ତର? ଏହାକୁ ସୂକ୍ଷ୍ମ ଓ ସ୍ଥୁଳ ବିଚାରରେ ଗ୍ରହଣ କରାଯାଇପାରେ । ଉଭୟ ଦୃଷ୍ଟିରୁ ଠିକ୍, ପରସ୍ପରର ପରିପୂରକ । କିନ୍ତୁ ଯେବେ ପ୍ରଶ୍ନ ଉଠେ ଘର କହିବା ବା ବୋଲାଇବାକୁ କେଉଁଟି ଅଧିକ ଆବଶ୍ୟକ ତେବେ ସୂକ୍ଷ୍ମ ବିଚାର ହିଁ ଅଧିକ ଯୁକ୍ତିଯୁକ୍ତ । ମଣିଷକୁ ନେଇ ହିଁ ତ ଘର, ପରିବାର ନା, ବିନା ମଣିଷରେ କି ଘର, କି ପରିବାର?

ଯେତେବେଳେ ଯାଏଁ ମୁଁ ବିଜୟୱାଡ଼ାର ସେହି ଚୌକିଦାରର ପରିବାରକୁ ଦେଖିନଥିଲି ସେବେ ଯାଏଁ ସୁରମ୍ୟ ପ୍ରାସାଦଟିଏ ତୋଳିବାର ଆଶା ତ ନୁହେଁ ନିଶାରୁ ନିବୃତ ହେବାର ସମ୍ଭାବନା ହିଁ ନଥିଲା! ହାଇଦ୍ରାବାଦରୁ ବଦଳି ହୋଇ ନୂଆ ନୂଆ ମୁଁ ଆସିଥାଏ ବିଜୟଓ୍ୱାଡାକୁ । ଅବିବାହିତ ଓ ଆଞ୍ଚଳିକ ଭାଷାରେ ଅଜ୍ଞ ଥିବା ଲୋକଟେ ପାଇଁ ଏଠି ଭଡ଼ାଘରଟିଏ ଯୋଗାଡ଼ କରିବା କାଠିକର ପାଠ । ସ୍ଥାନୀୟ ରକ୍ଷଣଶୀଳ ଗୃହ ମାଲିକମାନଙ୍କର ଆଶା ମୁତାବକ ପ୍ରାର୍ଥୀଟିଏ ମୁଁ ନଥିଲି ଆଦୌ ଭଡ଼ାଘରଟିଏ ପାଇବା ପାଇଁ । ଅନେକ ଜାଗାରେ ଦେଖାଶୁଣା କରିବା ପରେ ଜନୈକ ସହକର୍ମୀଙ୍କ ସହୃଦୟତାରୁ ମୋତେ ଘରଟିଏ ମିଳିଗଲା ରହିବା ପାଇଁ । ଯଦିଓ ଅବିବାହିତ ଥିଲି ମୁଁ କିନ୍ତୁ ଆସବାବପତ୍ର ଟିକେ ଅଧିକ ଥିବାରୁ ଅତିକମରେ ଗୋଟିଏ ଶୟନକକ୍ଷ, ବୈଠକ ଓ ରୋଷେଇ ସୁବିଧା ବିଶିଷ୍ଟ ଘରଟିଏ ଅର୍ଥାତ୍ ଓ୍ୱାନ୍-ବି.ଏଚ୍.କେ. ଆବଶ୍ୟକ ଥିଲା । କିନ୍ତୁ ମୋର ଭଡ଼ା ନିମନ୍ତେ ଥିବା ବ୍ୟୟ ଅଟକଳରେ ଏପରି ଘର ମିଳିବା ଟିକେ ଅସମ୍ଭବ ଥିଲା । ପୁଣି ବହିରାଗତ ବ୍ୟକ୍ତି, କିଏ ବା କାହିଁକି କୌଣସି ପ୍ରକାରର ରିସ୍କ ନେବ? ତେଣୁ ବାଧ୍ୟ ହୋଇ ଟୁ-ବି.ଏଚ୍.କେ. ଘରଟିଏ ନେବାକୁ ପଡ଼ିଲା ଗୋଟିଏ ବଡ଼ ଆପାର୍ଟମେଣ୍ଟରେ ଜଣିଏ ମାତ୍ର ଲୋକ ପାଇଁ ।

ଯେଉଁ ଆପାର୍ଟମେଣ୍ଟରେ ରହିବା ପାଇଁ ବସାଘରଟିଏ ଯୋଗାଡ଼ ହେଲା ସେଠିକାର ଚୌକିଦାର ଥିଲା ଗୁରୁମୂର୍ତ୍ତୀ । ଚୌକିଦାରୀ କରିବା ସହ ଏଠାରେ ବସବାସ କରୁଥିବା ଲୋକଙ୍କ ବୋଲହାକ ବି କରେ ସେ । କେବେ କେବେ ଫୁରୁସତ୍ ସମୟରେ ଲୁଗାପଟା ଇସ୍ତ୍ରୀ ବି କରିଦିଏ । ସେଇଥିରୁ ଚଳାଏ ତାର ପରିବାରକୁ ସୁରୁଖୁରୁରେ । ବିଧବା ମାଆ, ପତ୍ନୀ ଓ ଦୁଇ କୁନି କୁନି ଶିଶୁପୁତ୍ରଙ୍କୁ ନେଇ ତାର ସଂସାର । ବେଶ୍ ହସ ଖୁସିରେ ପରିପୂର୍ଣ୍ଣ ପରିବାରଟିଏ । ତେଲ ଲୁଣର ଅଭାବ ତ ସଭିଙ୍କର ରହିଛି ତା'ର ବି ଅଛି, ଏହା ସତ୍ତ୍ୱେ ମଧ୍ୟ ସେମାନେ ଖୁବ୍ ଖୁସି । ପିଲାମାନଙ୍କର ହାସ୍ୟରୋଳରେ ହସି ଉଠେ ତାର ଛୋଟିଆ ଘରଟି, ଯେମିତି ବସାବାନ୍ଧି ରହିଥିବା ଚଢେଇମାନଙ୍କର କିଚିରି ମିଚିରି ଶବ୍ଦରେ ଫାଟିପଡ଼େ ଗଛଟି । ଗୁରୁମୂର୍ତ୍ତୀର ଘର ବୋଇଲେ ସୋସାଇଟି ପକ୍ଷରୁ ବିନା ମୂଲ୍ୟରେ ରହିବାକୁ ଯୋଗାଇ ଦିଆଯାଇଥିବା ଆଠ ଫୁଟରେ ଆଠ ଫୁଟ ବିଶିଷ୍ଟ ବଖରାଏ କୋଠରୀ ମାତ୍ର । ସେଇଠି ତାର ସରଗପୁର, ପିଲାମାନଙ୍କ ଷଠିଘର । ସୁଖ ଦୁଃଖର ଲୀଳାଖେଳା ସେଇ ବଖରାଏ ଘରେ । ଯାବତୀୟ ଜିନିଷପତ୍ର ଅତି ଯତ୍ନପୂର୍ବକ ସଜାଇ ହୋଇ ରହିଛି ସ୍ଵଳ୍ପ ସ୍ଥାନରେ, ବାସନକୁସନ ଠାରୁ ଆରମ୍ଭ କରି ଲୁଗାପଟା ପର୍ଯ୍ୟନ୍ତ । ସେଇଠି ରୋଷେଇ, ସେଇଠି ଖିଆପିଆ, ସେଇଠି ପିଲାଙ୍କ ପାଠପଢା, ପୁଣି ସେଇଠି ଯାକିଯୁକି ହୋଇ ଶ୍ରମକ୍ଲାନ୍ତ ଶରୀରକୁ ଟିକେ ବିଶ୍ରାମ ଦେବାର ପ୍ରୟାସ । କାହାରି କାହା ପ୍ରତି ଅଭିଯୋଗ କି ଅଭିମାନ ନାହିଁ । ସଭିଏଁ ଖୁସି ପରସ୍ପର ସହିତ ଜୀବନ ଜୀଇଁବାରେ ।

ଏଣେ ମୁଁ ଏକାନ୍ତ ମୋର ବିସ୍ତୃତ ଆପାର୍ଟମେଣ୍ଟରେ । ପରିସ୍ଥିତି ଏପରି ଯେ, ପାଖରେ କେହି ବି ଆସି ରହିବାର ନାହିଁ । ଦିନ ଥିଲା ଯେବେ କି ଏକାନ୍ତତା ଭଗ୍ନ ହେବାର ଆଶଙ୍କାରେ ନିଜ ରୁମ୍ କାହାରି ସହ ଏପରିକି ଭାଇମାନଙ୍କ ସହିତ ଭାଗ ନକରିବାକୁ ଜିଦ୍ କରୁଥିଲି, କିନ୍ତୁ ଆଜି କେହି ବି ନାହାନ୍ତି ପାଖରେ ଭାଗ କରିବାକୁ ମୋର ଏକାନ୍ତପଣକୁ । ଏତେ ବଡ଼ ଘରଟା ସାରା ଖାଁ ଖାଁ ଲାଗେ, ଛୁଞ୍ଚିଟିଏ ତଳେ ପଡ଼ି ଗଲେ ବି ଶବ୍ଦ ହୁଏ । ସକାଳୁ ସକାଳୁ ଅଫିସ୍ ବାହାରି ଯାଏ ଯେ, ଫେରୁ ଫେରୁ ରାତି ଅଧ । କେବଳ କେଇଟା ଘଣ୍ଟା ପାଇଁ ରହେ ମୁଁ ବସାରେ । ସଂସ୍ଥା ପକ୍ଷରୁ ଆଧିକାରିକ ଗସ୍ତରେ ଗଲେ ସପ୍ତାହ ସପ୍ତାହ କଣ' ବେଳେ ବେଳେ ମାସ ମାସ ଧରି ଫେରେ ନାହିଁ ବସାକୁ । ମାଙ୍କଡ଼ସା, ଝିଟିପିଟି, ଜନ୍ଦା, ପିମ୍ପୁଡ଼ି, ଅସରପା, ଭଅଁର ଆଦିଙ୍କ ନିରଙ୍କୁଶ ରାଜୁତି ଚାଲୁଥାଏ ସେଠି ମୋ ଅନୁପସ୍ଥିତିର ସୁଯୋଗରେ । ଛୁଟିଦିନରେ ଘରେ ଏକାକୀ ରହିବା ପାଇଁ ମୁଁ ବାଧ୍ୟ । ଟିଭି ଅବା ଟ୍ୟାବ୍ ସମସ୍ତେ ବ୍ୟର୍ଥ ମୋ ଏକାକୀପଣକୁ ଭୁଲାଇବା ପାଇଁ । ସେତେବେଳେ ନିସ୍ତବ୍ଧତା ମୋତେ ଗୋଡ଼ାଏ କାମୁଡିବା ପାଇଁ । କାମୁଡି କାମୁଡି ଲହୁଲୁହାଣ କରିଦିଏ । ଏଥିରୁ ନିସ୍ତାର ପାଇବା ପାଇଁ ପୁଣି ବାହାରକୁ ପଳାଇଯାଏ ମୁଁ । ଘରଟିଏ ସହିତ ମୋର ସମ୍ପର୍କ ଏମିତି । ଖିଆଲି ମନଟା ଭାବେ ବିନା ପରିଜନରେ ଘର, କେବେ ବି ଘର ନୁହେଁ । ଏଇ ମୋର ଜୀବନ, ସବୁ କିଛି ଥାଇ ମଧ୍ୟ ମୁଁ ନିଃସ୍ୱ ।

ଯେବେ ମୁଁ ଗୁରୁମୂର୍ତ୍ତୀକୁ ଦେଖେ ମୋ ସହ ତା'ର ତୁଳନା କରେ, ଯଦିଓ ଏହା ଠିକ୍ ନୁହେଁ । ମୋତେ ଯେମିତି ଲାଗେ କି, "ବାଦଶାହମାନଙ୍କର ଆକଂକ୍ଷା ଅଧୁରା ଅପୂରଣୀୟ ହୋଇ ରହିଯାଏ ମାତ୍ର ଫକୀରମାନଙ୍କର ଆବଶ୍ୟକତା ନିଶ୍ଚିତ ଭାବେ ପୂରଣ ହୋଇଥାଏ!" ଇଟା ମାଟି ପଥର ପରି ନିର୍ଜୀବ ନିଷ୍ପ୍ରାଣ ଚିଜରେ ଶାନ୍ତି ନଥାଏ । ଶାନ୍ତି ଥାଏ ମଣିଷମାନଙ୍କର ଏକତ୍ର ସହବସ୍ଥାନରେ । ଏଇ ଶାନ୍ତି ହିଁ ଜୀବନରେ ଏକାନ୍ତ କାମ୍ୟ ସଭିଙ୍କର । ଥରେ ଭାବି ଦେଖନ୍ତୁ ତ ଏହା ହୋଇନଥିଲେ, ରାସ୍ତା କଡ଼ରେ ଅବା ଗଛମୂଳରେ ବି ଗୃହଶୂନ୍ୟ ନିର୍ଦ୍ଧନ ଯାଯାବରମାନେ ଆନନ୍ଦରେ ବିନା କୌଣସି ଚିନ୍ତାରେ ନିଦ' ଶୋଇ ପାରୁଛନ୍ତି କିନ୍ତୁ ଆମେ ଆମର ଘରେ ବହୁ ମୂଲ୍ୟବାନ୍ ନରମ ବିଛଣାରେ ପଡି ପଡି ଅନିଦ୍ରାରେ ରାତି କାଟୁଛେ ଦୁଶ୍ଚିନ୍ତାରେ । ଅପହଞ୍ଚ ଦୂରନ୍ତ ସ୍ଵପ୍ନକୁ ହାତ ପାଆନ୍ତାରେ ପାଇବାର ଦୁର୍ବାର ଆଶା ଆମ ଜୀବନକୁ ଦୁର୍ବିସହ କରି ଦେଇଛି ନିଃସନ୍ଦେହରେ । ଆଗତ ଭବିଷ୍ୟତର ଚିନ୍ତାରେ ବର୍ତ୍ତମାନର ସୁନେଲି ମୂହୁର୍ତ୍ତ ସବୁ ବଳି ପଡୁଛନ୍ତି ଅକାରଣରେ । ସେଥି ପ୍ରତି ଆମର ନିଘା ନାହିଁ ଆଦୌ । ବରଂ ଅନିଶ୍ଚିତତା ପଛରେ ଧାଇଁବାରେ ଲାଗିଛୁ ଅମୁହାଁ ଭାବରେ ।

ଘରକୁ ନେଇ ଯେବେ ସୁଖ, ଶାନ୍ତି, ସ୍ନେହ ଓ ପ୍ରେମର ପରିକଳ୍ପନା କରାଯାଏ ସେତେବେଳେ ଘରର ପରିଭାଷା ବଦଳିଯାଏ । ଇଟା ପଥର ପରି ସାମଗ୍ରୀରେ ଗଢା ପାର୍ଥିବ ବସ୍ତୁବିଶେଷଟିଏ ନୁହେଁ ଘର, ଏହାକୁ ମହନୀୟ, ପ୍ରାଣବନ୍ତ ଏବଂ ସୁନ୍ଦର କରି ସ୍ୱର୍ଗ ପରି ବନାଇଦିଅନ୍ତି ଏଠାରେ ରହୁଥିବା ମଣିଷମାନେ ଓ ସେମାନଙ୍କର ଐଶ୍ବରିକ ଗୁଣାବଳୀ । ଏହି ସବୁ କଥାକୁ ହୃଦୟଙ୍ଗମ କରିବା ଉପରାନ୍ତେ ବିରାଟକାୟ ଅଟ୍ଟାଳିକା ତୋଳିବାର ମହୁଆ ନିଶା ମୋର ଦୂର ହୋଇଯାଇଛି ଏବେ । ମୋ ମନର କେଉଁ ନିଭୃତ କୋଣରେ ଗୁଞ୍ଜରିତ ହେଉଛି ଅହରହ ପିଲାଦିନେ ଶୁଣିଥିବା ଖୁବ୍ ଲୋକପ୍ରିୟ ଭଜନଟିର କିୟଦଂଶ;

"ବଖରେ ଘରକୁ ଆୟୁଷ ନିଅଣ୍ଟ, ଉଆସ କାହିଁକି ଖୋଜିବି?

ତୋ ବଡ଼ଦାଣ୍ଡକୁ ମୋ ପାପ ନିଅଣ୍ଟ, କାଶୀ ବାରଣାସୀ କାହିଁକି ଯିବି??"



Rate this content
Log in

Similar oriya story from Inspirational