ବିଶ୍ୱାସେ ମିଳଇ ହରି
ବିଶ୍ୱାସେ ମିଳଇ ହରି
ଗପ ହେଲେବି କଥାଟି ସତ । କୋଡିଏ ବର୍ଷ ପୂର୍ବର ଘଟଣା । ଆମେ ସେତେବେଳେ ପୁରୀରେ ରହୁଥିଲୁ । ସକାଳୁ ଦିନେ ସ୍ୱାମୀ କହିଲେ ଯୋଡ଼ାଲିଙ୍ଗଙ୍କ ଦର୍ଶନ ପାଇଁ ଯିବାକୁ । ଘରଠୁ ପ୍ରାୟ ପଚିଶ କିଲୋମିଟର ରାସ୍ତା । ସ୍କୁଟରରେ ଯିବୁ । ଜଲଦି ଜଲଦି ଘର କାମ ଶେଷ କରି ଦଶଟା ବେଳକୁ ବାହାରିଲୁ । ଆଗରୁ କେବେ ଯାଇନୁ ସେପଟେ । ଶୁଣିଛୁ ରାସ୍ତା ବି ଭଲ ନାହିଁ । ପୁରୀରୁ ଚାରିଶ୍ରୀ ଗାଁ ଦେଇ ସେଠୁ ବିଲ ରାସ୍ତାରେ ଯିବାକୁ ହୁଏ । ଚାରିଶ୍ରୀ ଯାଏଁ କିଛି ଅସୁବିଧା ହେଲାନି । ସେଠୁ ଟିକେ ଦୂର ଯିବା ପରେ ବିଲ ରାସ୍ତା ଦିଶିଲା । କିଛି ଦୂର ଆସିବା ପରେ ରାସ୍ତା ଦୁଇଭାଗ । କୋଉ ପଟେ ଯିବୁ ଜାଣି ହଉନି । ବିଲେଇ ପିଲାଟେ ବି ଦିଶୁନି । ପ୍ରବଳ ଖରା । ମୁଁ ଟୋପିଟେ ପିନ୍ଧିଥାଏ । ଈଶ୍ୱରଙ୍କ ନାମ ନେଇ ବାମ ପଟେ ଆଗେଇଲୁ । ଶହେ ମିଟର ଯାଇଛୁ କି ନାଇଁ ମୋ ଟୋପି ଉଡିଗଲା । ଗାଡ଼ି ଅଟକେଇ ଟୋପି ଆଣିବାକୁ ଯାଉଛୁ ହଠାତ ଦେଖିଲୁ ସାଇକେଲରେ ପିଲାଟିଏ ବିପରୀତ ଦିଗରୁ ଆସୁଛି । ଏବେ ତ ଦେଖିଥିଲୁ କେହି ନଥିଲେ । ଆଶ୍ଚର୍ଯ୍ୟ ହେଲୁ । ପିଲାଟି ଆମ ପାଖରେ ଓହ୍ଲେଇଗଲା । ପଚାରିଲା ଆମେ କୁଆଡେ ଯାଉଛୁ ବୋଲି । ଆମଠୁ ଶୁଣି ନିଜେ ଆସିଥିବା ଦିଗକୁ ଆଙ୍ଗୁଳି ଦେଖେଇ ଯିବାକୁ କହିଲା ମଧୁର ହସଟିଏ ଦେଇ । ଆମେ ଟୋପି ନେଇ ଗାଡି ପାଖରେ ପହଞ୍ଚି ଫେରି ଚାହିଁଲା ବେଳକୁ ସେଠି କେହି ନଥିଲେ । ପିଲାଟି କୁଆଡେ ଅଦୃଶ୍ୟ ହେଇଗଲା ବୋଲି ମୋ ପାଟିରୁ ବାହାରି ଗଲା ।
, ମୋ ସ୍ୱାମୀ ବଡ ଈଶ୍ୱର ବିଶ୍ଵାସୀ । ସେ କହିଲେ,ଠାକୁର ହିଁ ଅମକୁ ବାଟ ବତେଇଲେ । ମୋ ଟୋପି ଉଡିଯିବା, ପିଲାଟିର ଅଚାନକ ଆବିର୍ଭାବ, ସ୍ଵତଃ ଠିକଣା ବତେଇବା କେବେ ବି ଏକ ସଂଯୋଗ ମାତ୍ର ନ ହେଇପାରେ ।
ସେଦିନ ପ୍ରଭୁ ହିଁ ଆମକୁ ଭୁଲ ବାଟରୁ ଆଣିଲେ । ନହେଲେ ଆମେ କୁଆଡେ ଯେ ଯାଇ ପହଞ୍ଚିଥାନ୍ତୁ କେଜାଣି । ସତରେ ତାଙ୍କ ନିର୍ଦ୍ଦେଶ ବିନା ପତ୍ରଟେ ବି ହଲେନି । ଆମେ ତ ନିମିତ୍ତ ମାତ୍ର ।
