ବିଶ୍ୱାସ
ବିଶ୍ୱାସ
ତୁମ ଫୋନ୍ ବାଜିବ । ଆଉ ତୁମେ ଖିଲଖିଲ ହସିବ , ଗୋଟେ ଜବରଦସ୍ତ କିସ୍ କରିବ । ଟିକେ ଦୀର୍ଘ ନିଶ୍ଵାସ ନେବ ଆଉ କହିବ ,
'' ଜାଣିଛ କାଲି ରାତିରୁ ପ୍ରବଳ ଜର ମୋତେ ,ଟ୍ରଷ୍ଟ ମି ।''
ମୁଁ ବ୍ୟତିବ୍ୟସ୍ତ ହେଇ ହାଫ୍ ଡେ ଛୁଟି ନେଇ ଦୌଡିବି । ତୁମ ପାଖରେ ପହଞ୍ଚି
ଦେଖିବି ତୁମେ ଚୌମିନ ଖାଉଛ । ଗାଢ଼ ବାଇଗଣି ରଙ୍ଗର ପ୍ଲାଜୋ ସହ ସେଇ ଚିକନ କୁର୍ତ୍ତି ପିନ୍ଧି ଭାରି ସୁନ୍ଦରୀ ଲାଗୁଛ । ମେଞ୍ଚେ ଲିପଷ୍ଟିକ ଲଗା ଓଠରୁ ରଙ୍ଗ ବୋହି ଚୌମିନ ସହ ମିଶି ଆହୁରି ରଙ୍ଗୀନ ଦିଶୁଛି ଆଉ ତୁମେ ହସି ହସି ସେଇତକ ଉଦରସ୍ଥ
କରୁଛ ।
ମୁଣ୍ଡରୁ ପାଦ ଯାଏଁ କେଉଁଠି ମଧ୍ୟ ଉତ୍ତାପର ଚିହ୍ନ ବର୍ଣ୍ଣ ନଥିବ ତୁମର । ଜରୁଆ ଦିଶୁ ନଥିବ ତୁମେ । ମହଳଣ ପଡିନଥିବ ତୁମ ଆଖିର ଉଜ୍ଜ୍ବଳ ଆଭା , ଶେଥା ଦିଶୁନଥିବ ତୁମ ମୁହଁର ଗୋଲାପୀ ରଙ୍ଗ । ତୁମେ ଠିକ ଥିବ , ଏକଦମ ଠିକ । ମୁଁ ଜାଣିବି ଯେ ତୁମେ ଜରୁଆ ହେବାର ଅଭିନୟ ମଧ୍ୟ କରୁନଥିବ ।
ମୁଁ ପୁଣି ବୁଦ୍ଦୁ ହେଇସାରିଥିବି ଠିକ ସବୁଥର ଭଳି । ଆଉ ତୁମ ଉପରେ ପ୍ରବଳ ରାଗିକି ମାଡି ଯିବି । ମୋ ଭିତରେ ଟକମକ୍ ହେଇ ଫୁଟୁ ଥିବ କ୍ରୋଧର ଉତ୍ତପ୍ତ ଲାଭା । ଏଇ ଯେମିତି ସବୁ ଓଗାଳି ପକେଇବି ତୁମ ଉପରେ ଆଉ ତୁମକୁ ଜାଳି ପୋଡି ପାଉଁଶ କରିଦେବି । ଶେଷ ହେଇଯିବ ତୁମକୁ ନେଇ ଚାଲିଥିବା ଲୁଚକାଳି ଖେଳ । ମୁକ୍ତି ମିଳିଯିବ ମୋ ସ୍ନାୟୁ ମାନଙ୍କୁ ତୁମ ପ୍ରତୀକ୍ଷାର ଉନ୍ମାଦନାରୁ ।
ହେଲେ ଯେବେ ମୁଁ ତୁମ ନିକଟକୁ ଯିବି । ତୁମେ ଚମତ୍କାର କରିଦେବ । ଚୌମିନକୁ ଏକରକମ ଫୋପାଡ଼ି ଦେଇ ଦୌଡ଼ି ଆସିବ ମୋ ପାଖକୁ ଆଉ ଝୁଲି ପଡିବ ମୋ ଦେହରେ । ଖୁବ୍ ଆବେଶରେ ଜଡେଇ ନେଇ ନିଜକୁ ମୋ ସହ କହିବ , '' ୟୁ ଆର୍
ଆମେଜିଙ୍ଗ , ତୁମେ ଏତେ ବିଶ୍ୱାସ କେମିତି କର ମୋତେ ! ଅବଶ୍ୟ କେବଳ ସେଥିପାଇଁ ତୁମେ ମୋ ଫାଭ୍ !".......
ମୁଁ ନିର୍ବାକ ହେଇଯିବି , ଲାଭା ଥଣ୍ଡା ପଡିଯିବ , ଅଭିମାନ ତରଳି ଯିବ ଆଉ ଆମେ ଦୁହେଁ ଚୌମିନ ଖାଇବାର ଦିଶିବା ।
