Sanuja Meghamala

Inspirational

5.0  

Sanuja Meghamala

Inspirational

ବିପରୀତ ସ୍ରୋତ

ବିପରୀତ ସ୍ରୋତ

5 mins
483


ଏଇ କିଛିଦିନ ଆଗରୁ ଗାଆଁ ରେ ଲୋକେ ସବୁ କୁହା କୁହି ହେଉଥିଲେ ଏସନ କି ପାଳକ ହେଲା କେଜାଣି ଜମା ଶୀତ ନାହିଁ । ଯେଉଁ ଋତୁ ରେ ଯାହା ନା ଘୋର କଳିଯୁଗ ମହାପାପ ଅନୀତି ବଢ଼ି ଚାଲିଛି ବଡ଼ ସାନ ବାଛ ବିଚାର ନାହିଁ. ଦିଅଁ ଦେବତା ନାହିଁ ନିଜ ହାତ ରେ ନିଜେ ଚଉଦ ପା ଆଉ ସମ୍ଭାଳି ହେଉନି ଏ ଅନ୍ୟାୟ ନାରଣ ବୁଝି ପାରେନି ସମସ୍ତେ ତ ଏକା କଥା କହୁଛନ୍ତି ତେବେ ଅନୀତି  ଅନ୍ୟାୟ ଓ ପାପ କରୁଚି କିଏ ଖାଲି ଏଇ ଖଟିଖିଆ ମାନେ ଯାବତୀୟ କଷ୍ଟ ତ ତାଙ୍କର ଅନ୍ୟ ମାନଙ୍କର ଯାଏ କେତେ ବା ଆସେ କେତେ । ସେ ସବୁ ଶୁଣେ .. ବଡ଼ ଲୋକ ଙ୍କୁ ଉତ୍ତର ନାହିଁ ଠିକ୍ ହେଉ ବା ଭୁଲ୍ କାହାକୁ କହିବ   ଚୁପ୍ ରହେ । ଅଳପ ହେଉ ବହୁତ ହେଉ  ଏବେ ଶୀତ ପଡିଚି  ଥଣ୍ଡା ପବନ ବହୁଛି କୁହୁଡି ରେ ସକାଳୁ ବାହାରକୁ ବାହାରି ହେଉନି ଦିନ ଛୋଟ ଆଉ ରାତି ବଡ଼ । ଦିହ ହାତ ଶୁଖିଲା, ଗୋଡ଼ ଫାଟି ଆଁ କରିଚି   ଦି ଚାରି ଦିନ ହେଲା ଏବେ ଶୀତ ଆଉ ଟିକେ ବଢ଼ି ଯାଇଚି ସେଥିକୁ ଦୁଃଖ ନାହିଁ ନାରଣ ର ବାର ମାସ ଖଟି ଖାଇଲେ ପେଟ ପୁରୁନି ଆଉ ଖରା ବର୍ଷା ଶୀତ ୟା ,କୁ ଜଗିଲେ ସାରା ପରିବାର ଉପାସ। କି ଖରା ବର୍ଷା ଶୀତ ଖାଲି ଦିହ ରେ ବିଲ ଆଡେ ଥରେ ବୁଲି ଆସିଲେ ସବୁପ୍ରକୋପ ଆପେ ଆପେ କମି ଯାଏ ,ସବୁଦିନ ସମାନ ଲାଗେ

  ଫି ସନ ଗୋଟେ ଗୋଟେ ବାତ୍ୟା ଅଶିଣ କି କାର୍ତ୍ତିକ ମାସ ରେ ଆସି ଉପକୂଳ ଓଡ଼ିଶା ର ଚାଷୀ ମାନ ଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ଦେଲାଣି । ପଶ୍ଚିମ ଓଡ଼ିଶା ରେ ମରୁଡି ଯୋଗୁଁ ଦାରିଦ୍ର୍ୟ ତ ଲାଗିରହେ । ଉପକୂଳ ଓଡ଼ିଶା... ହେଉଚି ସବୁଜ ଫସଲ ର ଭୂଇଁ। ଏବେ କିନ୍ତୁ ବାତ୍ୟା ଆଉ ଲଗାଣ ବର୍ଷା ଦାଉ ସାଧୁଛି ପ୍ରତିବର୍ଷ ବିଲରେ ଧାନ କ୍ଷୀର ଢୋକିଲା ବେଳକୁ । ବାତ୍ୟା ପବନ ରେ ଧାନ ଗଛ ସବୁ ମୋଡ଼ି ମାଡ଼ି ହୋଇ ଅଣ୍ଟା ଭାଙ୍ଗି ଶୋଇବେ । ବାତ୍ୟା ସିନା ଦିନେ ଦି ଦିନ ପ୍ରକୋପ ଦେଖେ଼ଇବ, ବର୍ଷା, ଆଉ ପବନ ଯୋଗୁଁ ଶୋଇ ପଡ଼ିଥିବା ଧାନ ଗଛ ମୂଳରୁ ପାଣି ଶୁଖିଲା ବେଳକୁ ମାସେ   ମୂଳ ପଚି ସାରିଥିବ । ନଡ଼ା ବିଡା ଟେ ବି ମିଳୁନି। ଦି ବରଷ ହେଲାଣି ଘର ଛପର ହେଇନି,ନାରଣ ର ନଡ଼ା ଅଭାବ ରୁ କୁଞ୍ଚା ମାରି ପଲିଥିନ୍ ପକେଇ ଯାହା ଯେମିତି ଚଳି ଯାଉଥିଲା ଏଥର ଖରା ଦିନେ ଫଣୀ ବାତ୍ୟା ପରେ ଅବସ୍ଥା ଅସମ୍ଭାଳ । ଟୋପାଏ ବର୍ଷା ହେଲେ ଚାରିଆଡ ଓଦା ସର ସର ... ଭାତ ଗଣ୍ଡାଏ ଫୁଟେଇ ଖାଇବା ବି ବଡ଼ ମୁସ୍କିଲ । କିନ୍ତୁ ଯାହା ହଉ ମହାପୁରୁ ଏଥର ଚକ୍ର ଘୋଡ଼େଇ ରଖିଥିଲେ କାର୍ତ୍ତିକ ରେ ବାତ୍ୟା ଆସିଲା ଅଳପ ରେ ଗଲା ବିଶେଷ କ୍ଷତି କରିନି। ଏବେ ବିଲରେ ହଳଦିଆ ପାଚିଲା ଧାନ ର ଲହରୀ । ଦେଖିଲେ ମନ ପୂରି ଯାଉଚି କେତେ ସ୍ଵପ୍ନ ବସା ବାନ୍ଧିଚି। ଧାନ କାଟି ଅମଳ କଲେ ଘର ଛପର କରିବ । ଧାନ ବିକି ଛୁଆ ଦିଟା ଙ୍କ ପାଇଁ ଜାମା ପେଣ୍ଟ ଦି ହଳ, ମିନି ପାଇଁ ଲୁଗା( ଶାଢ଼ୀ) ଦି ଟା ଆଗ ଆଣିବ। ବିଚାରି ମିନି କେଉଁଦିନ ମୁହଁ ଖୋଲି କହି ନାହିଁ ତାର କଣ ଦରକାର ବୋଲି କି ବେଳା ରେ ହାତ ଧରିଥିଲା ଟିକିଏ ଭଲ ଖାଇ ପିନ୍ଧି ପାରିନି । ଛୁଆ ମାନେ କେଉଁ କଥା ରେ ଅଳି ଅଝଟ କଲେ ବୁଝେଇ ଦିଏ କେତେ ସହଜ ରେ... ସେତେ ବେଳେ ନାରଣ ତାର ପିତୃତ୍ଵ କୁ ଆଉ ସ୍ବାମୀ ପଣିଆ କୁ ଧିକ୍କାର କରେ କିନ୍ତୁ ମିନି କୁହେ ସେ ବଡ଼ ଭାଗ୍ୟବତୀ ।  ସ୍ବାମୀ ତାର ଭଲ ମନ୍ଦ ଦିହ ପା ହାନି ଲାଭ ସବୁ ବୁଝେ ନାରଣ ପାନ, ବିଡି, ଗଞ୍ଜେଇ ହଉ କି ନିଶା ପାଣି ତା ପାଖ ମାଡ଼େ ନି , ସକାଳୁ ଯାହା ନାଲି ଚାହା ଅଧ ଵେଲା ରେ ମୁଢ଼ି ମାଣେ ଭସେଇ ଖାଏ ସେ ତା ସକାଳ ଜଳଖିଆ । .ନାରଣ ର କାମ ଭଲ ସେ ଭଲ। ସଂଜ ବେଳେ ଟୁଆଁ ଟୁଇଁ ପରି ମୁହଁ ଯୋଡ଼ି ବସି ଯିବେ ଦି ଜଣ ଯାକ ଛୁଆ ଯାଆନ୍ତି ଟୁ ସନ। ଆଉ ମିନି ଗରମ ତେଲ ଗିନା ଟା ଆଣି ତା ଗୋଡ଼ ହାତ ମାଲିସ କରି  ଭଲ କି ଘଷି ଦେବ ଦରଜ ଛଡେଇ । ମିନି ଭାବେ ଦିନ ରାତି କେତେ ଖଟୁଚି ଲୋକଟା ସତରେ ଆମ ପାଇଁ। ମିନି ରୋଷେଇ କଲାବେଳେ ନାରଣ ଚୁଲି ମୁହଁ ପାଖରେ ବସି ତାକୁ ଛୋଟ ମୋଟ ସାହାଯ୍ୟ କରିଦେବ । ପରସ୍ପର ର ଯତ୍ନ ନେବା ହିଁ ତାଙ୍କ ଭଲ ପାଇବାର ସ୍ୱରୂପ। ସେଠି ନା ଅଭିମାନ ଅଛି ନା ଅପମାନ କେବଳ ସରଳ ନିଷ୍କପଟ ଭଲ ପାଇବା। ଦୁନିଆ ଯାକ ର ସୁଖ ଆଉ ଖୁସି ସେଇ ଅଗଣା ରେ ଡେଇଁ ବୁଲନ୍ତି।

ଆଜିକାଲି ଚାଷ ରେ କ୍ଷତି ଖାଲି କ୍ଷତି । ସେଇଥି ପାଇଁ ଯିଏ ଯୁଆଡେ ଦାଦନ ଖଟି ବାକୁ ଚାଲି ଯାଉଛନ୍ତି। ଦି ପଇସା ରୋଜଗାର ଆଶା ରେ। କେତେ ଦିନ ଆଉ ଗାଆଁ ରେ ଭୋକ ଉପାସ ରେ ପଡିବେ । ସବୁବେଳେ କଳି ଅଶାନ୍ତି । ତଥାପି କିଛି ଭିଟା ମାଟି ର ମୋହ ଛାଡ଼ି ପାରି ନାହାନ୍ତି ସେମିତି ଅଭାବ ଅନାଟନ ରେ ପଡି ରହିଛନ୍ତି। ଯାହା ହେଲେ ଝାଟି ମାଟି କୁଡିଆ ହେଉ ବା ବଡ଼ ପ୍ୟାଲେସ୍  ଘର ହିଁ ଘର, ପରିବାର ସହିତ ଏକାଠି ରହିଲେ      ସୁଖ ହେଉ ବା ଦୁଃଖ ସହଜ ରେ  ବାଣ୍ଟି ହେଇଯାଏ ।

କାଲି ଆଉ ଆଜି ଭିତରେ କେଡେ ଅନ୍ତର। କାଲି ଏଇ ଦିପହର ଖାଇଲାବେଳେ ତତଲା ଭାତ ସାଙ୍ଗକୁ ତୋରାଣି କାଞ୍ଜି ଆଉ ବାଡି ସୁଜୁନା (ସଜନା) ଶାଗ କୁ ଖରଡ଼ି ଖାଇବାକୁ ବ। ଢ଼ିଲା ମିନି, ଛୁଆ ଦି ଟା ଙ୍କ କି ଖୁମାଣ ସ୍କୁଲ ଛୁଟି ଏବେ । ସମସ୍ତେ ସବୁଆଡେ ଭୋଜି ଭାତ କରି ଖାଉଛନ୍ତି ଗାଆଁ ଉଠୁଚି ପଡ଼ୁଚି ସେତକ ନ ହେଲା ନାହିଁ ଆଇଁଷ ତିଅଣ (ତରକାରୀ) ଟିକେ ଘରେ କଲେ ହନ୍ତା ନି । ମିନି ଛୁଆଙ୍କ କାନ ମୋଡ଼ି କହିଲା ଫି ଦିନ ଆଇଁଷ କଣ ଦିହ ପାଇଁ ଭଲ । କାଲି ପରା ଯୋର ( ବିଲ ଭିତର କେନାଲ)ରୁ ଚିଙ୍ଗୁଡ଼ି ଚୁନା ମାଛ ସବୁ ଦରାଣ୍ଡି ପୁଞ୍ଜାଏ ଆଣି କରିଥିଲି ଖାଇଥିଲ  ପରା ପାଟି ସୁଆଦିଆ ରୋଗ ଧରିଚି । ଛୁଆ ମାନେ ଏକା ବେଳେ କହି ଉଠିଲେ କେବେ ମାଉଁସ କରିଚୁ କହ। ଛୁଆଙ୍କ କଥାରେ ମିନି ତା ଆଖି ର ଲୁହ କୁ ପୋଛି ଦେଇ ଚଟାପଟ୍ କହିଲା ତାକୁ ଖାଇ ଲାଭ କଣ? ପାଟି ସୁଆଦ...ଆମେ ମୂଲିଆ ଲୋକ ଆମକୁ କାମ କରିବାକୁ ଶକ୍ତି ଦରକାର ସବୁ ଭିଟାନି ( ଭିଟାମିନ)ଆମର ଏଇ ବାଡି ଶାଗ ମୁଗ ରେ ଅଛି ପଚାରିବ ତୁମ ସାର୍ ଆଜ୍ଞା ଙ୍କୁ । ଦେଖିଲ ତୁମ ବା' କୁ ଆଉ ମୋତେ ଆମେ କିମିତି ଏତେ ଖଟି ପାରୁଚୁ ଆମେ ଗେଣ୍ଡା ,ତୋଡି ,କଉ, ସୀଙ୍ଗି ମାଗୁର ,ଗଡ଼ିଶା ମାଛ ଖାଉଥିଲୁ ମୋଟି ,ମଦରଙ୍ଗା , କଲମ , ସୁନୁସୁନିଆ ଶାଗ କୋଳଥ ଡାଲି ମାଣ୍ଡିଆ ଜାଉ ଖାଇ ଏମିତି ହେଇଚୁ ... ରାତିଦିନ ଖଟି ପାରୁଚୁ ତୁମର ବଳ ହେଲେ ସିନା ଏମିତି ଖଟିବ .... ସବୁ ଦିନେ ବା' କେତେ ଏକା କାମ କରିବ ଶୀଘ୍ର ବଡ଼ ହେଇ ଗଲେ ଦୁଃଖ ଯିବ କହି ଦୀର୍ଘ ନିଃଶ୍ୱାସ ଟାଏ ଛାଡ଼ିଲା ।. ତେବେ ପାଚିଲା ଧାନ କୁ ନେଇ ଖୁସି ଥିବା ନାରଣ  ୟା ଭିତରେ ନିଶ୍ଚୟ ମାଉଁସ ଆଣିବାର ପ୍ରତିଶ୍ରୁତି ଦେଇ ଛୁଆ ମାନ ଙ୍କୁ କାଞ୍ଜି ଗୋଳେଇ ଖୋଇଦେଲା ବେଳେ ବୁଢୀ ଅସୁରୁଣୀ ଗପ କହି.ଚାଲିଲା....ପିଲାମାନେ ଗପ ଶୁଣି ଶୁଣି ଆରାମ ରେ ଖାଇଦେଇ ଗଲେ ଖେଳିବାକୁ।

ସକାଳ କଥା ରାତିକି ନାହିଁ ଅଳପ ଅଳପ ଢାଙ୍କି ଥିବା ମେଘ(ଯାହାକୁ ସକାଳେ ପୁଷ୍ କା ହାଳ ଭାବିଥିଲା) ସଂଜ ବେଳକୁ ଝରିବା ଆରମ୍ଭ କରିଦେଲା । ସେଇ ବର୍ଷା ହେଲାନି ଯେ ନାରଣ ର ସବୁ ସ୍ଵପ୍ନ କୁ ଯେମିତି ଭସେଇ ଦେଲା। ଥଣ୍ଡା ପାଗରେ ଛୁଆ ଦି ଟା ଘୋଡି ଘାଡି ହୋଇ ଶୋଇ ପଡିଲେ। କିନ୍ତୁ ସ୍ବାମୀ ସ୍ତ୍ରୀ ହଳ ଟା ଙ୍କ ପାଟିରେ କଥା ନାହିଁ... ଖାଲି ଆଖିରୁ ଝରିପଡୁଛି ଲୁହ ଧାର। ବର୍ଷା ଥମି ବାର ନା ଧରୁନି... । ମିନି ନାରଣ କୁ ନିଜ କାନ୍ଧ ଉପରେ ଆଉଜେଇ ଦେଇ ଧୈର୍ଯ୍ୟ ଧରିବାକୁ କହିଲା । ବର୍ଷା ବି ଟିକେ ଥମି ଗଲା । ମିନି ଆଖିକୁ ନିଦ ନ ଥିଲା .. ଅନେକ ଧାର କରଜ୍ କରି ମହାଜନ ଠାରୁ ସୁଧରେ ପଇସା ଆଣି ଚାଷ କରିଥିଲା କଣ ହେବ ଏବେ ? ଏ ବର୍ଷା ... ଖାଲି ବର୍ଷା ନୁହେଁ ତାଙ୍କ ଭାଗ୍ୟ ଓ ଭବିଷ୍ୟତ ସହିତ ବିରାଟ ଏକ ପରୀକ୍ଷା । ନାରଣ କାଳେ କିଛି କରି ପକେଇବ ସେଇ ଭୟ ରେ ମିନି ଖାଲି ଥରୁଥିଲା। ଟିକେ ଫର୍ଚା ହେଉ ହେଉ ମୁଣ୍ଡରେ ଠେକା ବାନ୍ଧି ନାରଣ ବାହାରିଲା ଗହୀର ବିଲକୁ ।,ମିନି ରୋକି ପାରିଲାନି .।  ପବନ ଦୋଳି ରେ ଝୁଲୁ ଥିବା ତା ପାଚିଲା ଧାନ କ୍ଷେତ ଆଜି ଦୂର ରୁ ଯୁଦ୍ଧ ପରାସ୍ତ ସୈନିକ ପରି ମୁହଁ ମାଡ଼ି ହୋଇ ପଡିଥିବା ଦେଖା ଯାଉ ଥିଲା ।

ସେ ଆଣ୍ଠୁ ମାଡ଼ି ଯେତେ ବେଳେ ବିଲ ଭିତରେ ପଶି ଧାନ ଗଛ ଗୁଡ଼ିକୁ ଟେକି ପକାଇଲା .... ସେଥିରୁ ସର ସର ପାଣି ନିଗିଡ଼ି ପଡୁଥିଲା ....। ବିଲରେ ବି ପାଣି ....ଆଉ କେତେ ଧାନ ଝରିପଡିଚି ସେଇ କାଦୁଅ ପାଣିରେ ...। ନାରଣ ଜୋର ରେ ଚିତ୍କାର କରି କାନ୍ଦୁଥିଲା.... ସେଇ ଓଦା ଧାନ ଉପରେ ମୁହଁ କୁ ପୋତି । ତା କାନ୍ଦ ର ପ୍ରତିଧ୍ଵନି ପୁରା ଗହୀର ସାରା ଶୁଣା ଯାଉଥିଲା....। ପଛରୁ ଦି ଟା ଯାକ ଛୁଆ ତା ଦି ହାତ କାନ୍ଧ ଭିତରେ ହାତ ପୁରେଇ ତାକୁ ଉଠେଇ ଠିଆ କରି ବଡ଼ ଲୋକ ଙ୍କ ପରି ଦମ୍ଭ ର ସହ କହୁଥିଲେ ...ତୁ ବ୍ୟସ୍ତ ହ .. ନା... ବା.. ଆ... ଆମେ ଚାରି ଜଣ ଯାକ ମିଶି ବିଲ ରୁ ଏ ଧାନ ବୋହି ନେଇ ଖରା ରେ ଶୁଖେଇ ଅମଳ କରିବା। ହାରିବା ନାହିଁ ଏଥର ଆମେ ଜିତିବା .... ।


Rate this content
Log in

Similar oriya story from Inspirational