ବିଲୁଆ ଭାଇର ଜାଣିବା କଥା
ବିଲୁଆ ଭାଇର ଜାଣିବା କଥା
ଥରେ ଗୋଟିଏ ଗଞ୍ଜା ଖୁବ୍ ସକାଳୁ ସକାଳୁ ଗଛ ଉପରେ ବସି ବୋବାଉଥିଲା । ସେହି ଗଛ ମୂଳରେ ପୂର୍ବରାତିରୁ ଗୋଟିଏ ବିଲୁଆ ଶୋଇଥିଲା । କୁକୁଡାର ଏପରି ରାବ ଶୁଣି ବିଲୁଆର ନିଦ ଭାଙ୍ଗିଗଲା ଓ କିଏ ଏପରି ରାବୁଛି ଜାଣିବା ପାଇଁ ଗଛ ଉପରକୁ ଚାହିଁଲା । ନାଲି ଟହଟହ ପୃଥଳକାୟ ଗଞ୍ଜାଟାକୁ ଦେଖି ବିଲୁଆ ପାଟିରୁ ଲାଳ ବୋହିଲା ଏବଂ ମନେ ମନେ ଏହାକୁ ଖାଇବ ବୋଲି ଚିନ୍ତା କଲା । କିଛି ସମୟ ପରେ ଭାବିଚିନ୍ତି ପଚାରିଲା ହେ ପ୍ରଭୁ, ଆପଣଙ୍କ ସଙ୍ଗୀତ ଖୁବ୍ ସୁମଧୁର । ଏପରି ମନମୁଗ୍ଧକର ସଙ୍ଗୀତ ମୋ କାନରେ କେବେ ବାଜି ନଥିଲା । ଜୀବନରେ ଅନେକ ପଶୁ ପକ୍ଷୀଙ୍କର ସଂସ୍ପର୍ଶରେ ଆସିଛି, ହେଲେ ଆପଣଙ୍କ ତୁଲ୍ୟ କେହି ନୁହେଁ । ମୁଁ ଏହି ବୃକ୍ଷତଳେ ସଦାସର୍ବଦା ଶୟନ କରେ । ଆପଣ କେତେବେଳେ ଏ ବୃକ୍ଷ ଉପରକୁ ଗଲେ ମୁଁ ମୋଟେ ଜାଣିପାରିନି । ଦୟାକରି ଆପଣ ତଳକୁ ଆସି ଆପଣଙ୍କ ସମ୍ପୂର୍ଣ୍ଣ ପରିଚୟ ମୋତେ ଦେବେ କି?
ବିଲୁଆର କଥା ଶୁଣି ଗଞ୍ଜା ହସି ହସି କହିଲା – ବିଲୁଆ ! ତୁମେ ମତେ ଏତେ ବୋକା ଭାବନାହିଁ । ମୁଁ ତୁମକୁ ଭଲଭାବେ ଚିହ୍ନେ ଏବଂ ତୁମେ ମଧ୍ୟ ମୋତେ ଭଲଭାବରେ ଜାଣ, ଏଣୁ ଆମ୍ଭ ଦୁହିଁଙ୍କ ଭିତରେ ଅପରିଚିତ କେହି ନୁହଁନ୍ତି । ତୁମେ ମାଂସାସୀ । ମୋର କୋମଳ ମାଂସ ଖାଇବା ପାଇଁ ତୁମେ ମନ ବଳାଇଛ । ଏଣୁ ମୁଁ ଆଉ ତଳକୁ ଯାଇ ପାରିବି ନାହିଁ ।
ବିଲୁଆ ଏହା ଶୁଣି କହିଲା – ହେ ପ୍ରଭୁ ! ଆପଣ ତ ଦେବତା, ବୃକ୍ଷ ଉପରେ ବସି ସଙ୍ଗୀତ ଗାନ କରୁଛନ୍ତି । ମୁଁ କିପରି ଆପଣଙ୍କ ମାଂସ ଖାଇବା ପାଇଁ ଚିନ୍ତା କରିବି? ମୋ ପ୍ରତି ଆପଣଙ୍କ ଭୁଲ୍ ଧାରଣା ଅଛି । ମୁଁ ମାଂସ ଖାଏନି । ମୋର ପୂର୍ବପୁରୁଷମାନେ କିମ୍ବା ମୋର ପୁଅଝିଅମାନେ ମାଂସ ଖାଉଥିବେ । ମୁଁ ନୁହେଁ । ମୁଁ ନିରାମିଷାସି, ସାଧୁ, ବୈଷ୍ଣବ, ଦେବତାମାନଙ୍କୁ ପ୍ରାର୍ଥନା କରିବା ମୋର କର୍ତ୍ତବ୍ୟ । ମୋର ସାଧୁ ଓ ସଚ୍ଚୋଟ ଚରିତ୍ରକୁ ଥରେ ମାତ୍ର ପରୀକ୍ଷା କରିବା ପାଇଁ ତଳକୁ ଆସନ୍ତୁ ଏବଂ ଦେଖନ୍ତୁ ମୁଁ ଆପଣଙ୍କ ମାଂସ ଖାଉଛି କି ଆପଣଙ୍କ ସେବା କରୁଛି ।
ଗଞ୍ଜା ଏହାର ଉତ୍ତର ଦେଇ କହିଲା – ବିଲୁଆ, ଶିକାରୀକୁ କ’ଣ ଶିକାର ଦିଆଯାଇ ପରୀକ୍ଷା କରାଯାଇପାରେ? ମୋର ପୂର୍ବ ଜ୍ଞାତିକୁଟୁମ୍ବମାନଙ୍କୁ ଖାଇ ତୁମ ପାଟିରୁ ସ୍ୱାଦ ଆଜି ପର୍ଯ୍ୟନ୍ତ ଯାଇ ନାହିଁ । ତୁମେ ସେହି ଆଶାରେ ପୁନର୍ବାର ମିଛ କଥା କହି ମୋତେ ଖାଇବାକୁ ଆସିଛ ।
ବିଲୁଆ ତଳେ ଥାଇ କହିଲା – ପ୍ରଭୁ ! ମୋ ପାଖକୁ ଥରେ ମାତ୍ର ଆସି ପରୀକ୍ଷା କରି ଯାଆନ୍ତୁ । ତା’ପରେ ଯଦି ମୋ ପ୍ରତି ବିଶ୍ୱାସ ଆସେ, ମୋର ଦେବତା ଭାବରେ ପୂଜା ପାଇବ, ନଚେତ୍ ମୋତେ ଶତ୍ରୁ ରୂପରେ ଭାବି ଆଉ ମୋ ସହିତ କଥାବାର୍ତ୍ତା କରିବ ନାହିଁ ।
ଗଞ୍ଜା କହିଲା – ଯଦି ଆପଣ ଏତେ କଥା କହୁଛନ୍ତି ତାହା ହେଲେ ଆପଣ ଗଛ ଉପରକୁ ଆସି ମୋର ସମ୍ପୂର୍ଣ୍ଣ ପରିଚୟ ନିଅନ୍ତୁ । ମୁଁ କିନ୍ତୁ ତଳକୁ ଯାଇପାରିବି ନାହିଁ ।
ବିଲୁଆ କହିଲା – ତୁମେ ଯଦି ମୋତେ ଭୟ କରି ଉଡିଯିବ ମୁଁ କାହାଠାରୁ ପରିଚୟ ପାଇବି?
ଗଞ୍ଜା କହିଲା – ଆପଣ ମୋତେ ବିଶ୍ୱାସ କରନ୍ତୁ ମୁଁ ଏହିଠାରେ ହିଁ ବସିରହିବି ।
ବିଲୁଆ କହିଲା – ସତ କହୁଛ? ଗଞ୍ଜା କହିଲା – ହଁ, ମୁଁ ସତ କହୁଛି ।
ବିଲୁଆ ଗଞ୍ଜା କଥାରେ ବିଶ୍ୱାସ କରି ଗଛରେ ଚଢି କୌଶଳର ସହିତ ତାକୁ ମାରି ତା’ର ମାଂସ ଖାଇବା ପାଇଁ ଉପାୟ ଖୋଜିଲା ।
ବିଲୁଆ ଗଛ ଚଢିବା ସମୟରେ ଗଞ୍ଜା କହିଲା – ଦେଖ ବିଲୁଆ ! ତୁମେ ମୋ ପ୍ରତି ବିଶ୍ୱାସ ଘାତକ କରିବ ନାହିଁ । କିନ୍ତୁ ମନେରଖ, ଯଦି ବିଶ୍ୱାସଘାତକ କରିବ ତା’ର ଉପଯୁକ୍ତ ଫଳ ତୁମେ ଭୋଗ କରିବ ।
ବିଲୁଆ ଗଞ୍ଜା କଥାକୁ କର୍ଣ୍ଣପାତ ନକରି ଗଛ ଚଢି ଡାଳ ଉପରେ ବସିଲା । ଗଞ୍ଜା ଏହାଠାରୁ କିଛି ଦୂରରେ ବସିଥାଏ । ଗଛମୂଳ ଠାରୁ ଖୁବ୍ ଉଚ୍ଚରେ ଦୁଇ ଜଣ ଯାକ ବସିଥାନ୍ତି ।
ପ୍ରଥମେ ବିଲୁଆ ପଚାରିଲା – ହେ ପ୍ରଭୁ ! ପ୍ରଥମେ ମୋତେ ଆପଣଙ୍କର ପୂରା ନାଁ କୁହନ୍ତୁ ।
ଗଞ୍ଜା ଏହାର ଉତ୍ତରରେ ହସି ଦେଇ କହିଲା – ମୋର ନାମ କୁକୁଡା ରାଜ ।
– ଆପଣ କେଉଁଠାରେ ରୁହନ୍ତି?
– ମୁଁ ଏଇ ପାଖ ଗାଁରେ ରୁହେ ।
ବିଲୁଆ କହିଲା – ମୋତେ ଆପଣଙ୍କର ଘର ଦେଖାଇଦେବେ କି?
ଗଞ୍ଜା କହିଲା – ନା, ତାହା ହୋଇ ନପାରେ । କାରଣ ତୁମେ ମାଂସାସୀ । ଆମ ଘରକୁ ଗଲେ ପରିବାର ବର୍ଗଙ୍କୁ ମାରି ଖାଇଦେବ ।
ବିଲୁଆ କହିଲା – ନା ନା ପ୍ରଭୁ । ଆପଣ ମୋତେ ବିଶ୍ୱାସ କରନ୍ତୁ । ମୁଁ ଆପଣଙ୍କର ଦେହ ଛୁଇଁ କହୁଛି । ମୋତେ ଅବିଶ୍ୱାସ କରନ୍ତୁ ନାହିଁ ।
ଦେହ ଛୁଇଁବାକୁ ଯାଇ ବିଲୁଆ ଯେତେବେଳେ ଗଞ୍ଜାକୁ ଧରିବାକୁ ଯାଏ, ସେତେବେଳେ ଗଞ୍ଜା ଫରକରି ଆଉଟିକେ ଉପରକୁ ଉଡିଗଲା । ବିଲୁଆ ଗଛ ତଳେ ଖସିପଡିଲା । ଗଛର ଖୁବ୍ ଉଚ୍ଚରୁ ପଡିଥିବାରୁ ତା’ର ସମସ୍ତ ଗୋଡ ଭାଙ୍ଗିଗଲା ଓ ମୁଣ୍ଡ ଫାଟିଗଲା । କାନ୍ଦି କାନ୍ଦି ଖୁବ୍ ବିକଳ ନୟନରେ ଯେତେବେଳେ ଗଞ୍ଜାକୁ ଚାହିଁଲା, ଗଞ୍ଜା ହସି ହସି କହିଲା –
କକ୍… କକ୍… କଅ…କଅ…
ତୁମେ ମୋ ପ୍ରତି ବିଶ୍ୱାସଘାତକ କରି ମାରି ଦେବା ପାଇଁ ଚାହିଁଥିଲ । କିନ୍ତୁ ତାହା ହୋଇପାରିଲା ନାହିଁ । ବର୍ତ୍ତମାନ ବିଶ୍ୱାସଘାତକତାର ପରିଣତି ଭୋଗ କର । ନମସ୍କାର ।
ବିଲୁଆ ନିରୁପାୟ ହୋଇ ତଳକୁ ମୁହଁ ପୋତି ଛୋଟେଇ ଛୋଟେଇ ଚାଲିଗଲା ।