ବିଳାସରୁ ବିନାଶ
ବିଳାସରୁ ବିନାଶ
ପନିପରିବା, ପାନଦୋକାନ, ରାସ୍ତାକଡ଼ ଖାଇବା ଦୋକାନରୁ ଆରମ୍ଭ କରି ଏବଂ ବଡ଼ ବଡ଼ ମଲ୍ ପର୍ଯ୍ୟନ୍ତ ଏବେ ୟୁପିଆଇ(ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ)ର ଆଧିପତ୍ୟ ଦେଖିବାକୁ ମିଳୁଛି। ବିଶେଷକରି ଇଣ୍ଟରନେଟ୍ ଓ ସ୍ମାର୍ଟଫୋନ୍ର ବ୍ୟବହାର ବଢ଼଼ିବା ସହିତ ୟୁପିଆଇର କାରବାର ମଧ୍ୟ ବୃଦ୍ଧି ପାଇଛି। ଖାଉଟି ଆଉ ଏବେ ନଗଦ ଧରି ବଜାରକୁ ଯିବାର କିମ୍ବା ଖୁଚୁରା ପାଇଁ ଦୋକାନୀ ସହିତ କଥା କଟାକଟି ହେବାର ସମସ୍ୟା ନାହିଁ। ଦୋକାନୀ ବା କ୍ୟାସ୍ କାଉଣ୍ଟର ପାଖରେ ରଖାଯାଇଥିବା କ୍ୟୁଆର କୋଡ୍କୁ ନିଜ ସ୍ମାର୍ଟ ମୋବାଇଲ୍ ଫୋନ୍ ମାଧ୍ୟମରେ ସ୍କାନ କରି ଆବଶ୍ୟକ ନିର୍ଦ୍ଦେଶ ଦେଲେ ଟଙ୍କା ଆପେ ଆପେ ବିକ୍ରେତାର ଆକାଉଣ୍ଟରେ ଜମା ହୋଇଯାଉଛି।
ଅପରପକ୍ଷରେ ମଣିଷ ଯେତେ ସୁଖସୁବିଧା ଖୋଜୁଛି ଚତୁର ଠକମାନେ ସେତିକି ଠକାମୀର ନୂଆ ନୂଆ କୌଶଳ ପାଇଯାଉଛନ୍ତି। ଇଣ୍ଟରନେଟ୍ର ବହୁଳ ପ୍ରଚଳନ ସହିତ ଆରମ୍ଭ ହୋଇଥିବା ଅନ୍ଲାଇନ୍ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଯେତିକି ଠକେଇ ବା ସାଇବର କ୍ରାଇମ୍ ହେଉଥିଲା ୟୁପିଆଇ ଠକେଇ ତା’କୁ ବଳି ଯାଇଛି। ୟୁପିଆଇ ଠକେଇର ଆଧାର ହୋଇଛି କ୍ୟୁଆର କୋଡ୍। ସରକାରୀ ତଥ୍ୟାନୁଯାୟୀ, ଗତ ଅଢ଼େଇ ବର୍ଷ ମଧ୍ୟରେ ୟୁପିଆଇ ମାଧ୍ୟମରେ ୨୭ ଲକ୍ଷ ଠକେଇ ମାମଲା ରୁଜୁ ହୋଇଛି। ଏହାବାଦ୍ ମଧ୍ୟ ଅନେକ ଠକେଇ ଘଟଣା ପଞ୍ଜୀକୃତ ହୋଇ ନଥିବା ସ୍ୱାଭାବିକ। କେବଳ ପଞ୍ଜୀକୃତ ମାମଲାରେ ଲୋକମାନେ ୨, ୧୪୫ କୋଟି ଟଙ୍କା ହରାଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ମାମୁଲି ଶାଗ ବିକାଳିଠାରୁ ଆରମ୍ଭ କରି ବୃହତ୍ ବ୍ୟବସାୟୀମାନେ ମଧ୍ୟ ଅଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅମାସରେ ୟୁପିଆଇ ଠକେଇ ମାମଲାରେ ଲୋକମାନେ ୪୮୫ କୋଟି ଟଙ୍କା ହରାଇସାରିଛନ୍ତି।
ଉଦ୍ବେଗଜନକ ହେଉଛି ଏଭଳି ସାଇବର ଠକେଇକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ସମେତ ପୁଲିସ ପ୍ରଶାସନ, ଭାରତୀୟ ରିଜର୍ଭ ବ୍ୟାଙ୍କ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ନିରନ୍ତର ପଦକ୍ଷେପ ନେଉଛନ୍ତି। କିନ୍ତୁ ସାଇବର ସୁରକ୍ଷା ତୁଳନାରେ ସାଇବର ଅପରାଧ ବିସ୍ତାରର ଗତି ଦ୍ରୁତ ହେଉଥିବାରୁ ସରକାରୀ ପଦକ୍ଷେପ ଓ ଯୋଜନା ପ୍ରଭାବଶାଳୀ ହୋଇପାରୁନାହିଁ। ସାଇବର ଅପରାଧ ନିରାକରଣ ଦିଗରେ ସମର୍ପିତ ପୁଲିସ୍ ଓ ଗୁଇନ୍ଦା ବାହିନୀ ଆଗରେ ସବୁଠାରୁ ବଡ଼ ଆହ୍ୱାନ ହେଉଛି ୟୁପିଆଇ ଠକମାନଙ୍କୁ ସହଜରେ ଓ ଶୀଘ୍ର ଚିହ୍ନଟ କରାଯାଇପାରୁନାହିଁ। ଏହାଛଡ଼ା ଠକେଇର ପରିସ୍ତର ବିସ୍ତାରିତ ହୋଇଥିଲେ ସୁଦ୍ଧା ଏହାର ପରିମାଣ ଛୋଟଛୋଟ ହେଉଥିବାରୁ ଅନୁସନ୍ଧାନରେ ନିରୁତ୍ସାହ ପରିଲକ୍ଷିତ ହେଉଛି। ଏହାର ସୁଯୋଗ ନେଇ ଅପରାଧ ସଂଖ୍ୟା ସହିତ ଠକେଇ ରାଶି ବଢ଼଼ିବାରେ ଲାଗିଛି।
ଡିଜିଟାଲ ଗିରଫ ମାଧ୍ୟମରେ ଜାଲିଆତି ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସାଇବର ଶାଖା କାମ୍ୱୋଡିଆ, ମ୍ୟାଁମାର, ଭିଏତନାମ ଓ ଥାଇଲ୍ୟାଣ୍ଡ ଭଳି ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକୁ ଏହି ଠକେଇର ପେଣ୍ଠ ବୋଲି ଚିହ୍ନଟ କରିଛି। ସେହିସବୁ ଦେଶର ୧୭ ହଜାର ହ୍ୱାଟ୍ସଆପ୍ ଆକାଉଣ୍ଟକୁ ରଦ୍ଦ କରିବା ପାଇଁ ମଧ୍ୟ ଭାରତ ଏକ ବଡ଼ ପଦକ୍ଷେପ ନେଇଛି। କିନ୍ତୁ ପୁଲିସ୍ ଓ ସାଇବର ବିଶେଷଜ୍ଞମାନଙ୍କଠାରୁ ଠକମାନେ ଦୁଇ ପାଦ ଆଗରେ ରହୁଛନ୍ତି। ସାଇବର ଅପରାଧୀ ବା ଠକମାନେ ଏବେ ଯେଉଁ ନୂଆ କୌଶଳ ଆପଣେଇଛନ୍ତି ସେଥିରେ ମୁଖ୍ୟତଃ କ୍ୟୁଆର କୋଡ୍କୁ ଅସ୍ତ୍ର କରାଯାଇଛି। ୟୁପିଆଇ ଆପ୍ରୁ କ୍ୟୁଆର କୋଡ୍ ସ୍କାନ୍ କରି ଦେୟର ନକଲି ସ୍କ୍ରିନସଟ୍ ମଧ୍ୟ ବିକ୍ରେତାକୁ ଦେଖାଯାଉଛି। ପୈଠ ସମୟରେ ପ୍ରାପ୍ତିସ୍ୱୀକାରର ଯେଉଁ ଉଚ୍ଚଭାଷ ଆସୁଛି ସେଥିରେ ମଧ୍ୟ ଠକେଇ ହେଉଛି। ଦୋକାନୀ ବା ବିକ୍ରେତା ପ୍ରାପ୍ତି ସ୍ୱୀକାରର ସେହି ଶବ୍ଦକୁ ଶୁଣୁଛି, କିନ୍ତୁ ତାହା ଯେ ଅନ୍ୟ ଆକାଉଣ୍ଟଧାରୀ ପାଖକୁ ଚାଲିଯାଇଛି ତାହା ଜାଣିବା ବେଳକୁ ବିଳମ୍ବ ହୋଇଯାଉଛି। ଏ ସମ୍ପର୍କରେ ଅଭିଯୋଗ ହେଲେ ମଧ୍ୟ ପ୍ରମାଣ ଯୋଗାଡ଼ କରିବା ଦୁରୁହ ବ୍ୟାପାର।
ଏଭଳି ପରିସ୍ଥିତିରେ ସୂଚନା ପ୍ରଯୁକ୍ତି ବିଦ୍ୟା ଯୁଗକୁ ଅଗ୍ନି ସହିତ ତୁଳନା କରାଯାଇପାରେ। ସତର୍କତା ଓ ଯତ୍ନର ସହିତ ବ୍ୟବହାର କଲେ ଅଗ୍ନି ମଣିଷର ହିତାକାଂକ୍ଷୀ ଓ ଦୈନନ୍ଦିଜ ଜୀବନର ବନ୍ଧୁ। ଅଗ୍ନି ବିନା ଏବେ ମଣିଷ ଦିନେ ମଧ୍ୟ ତିଷ୍ଠି ପାରିବ ନାହିଁ। କିନ୍ତୁ ଅଗ୍ନି ପ୍ରତି ଅସାବଧାନତା କିମ୍ବା ଦୁରୁପଯୋଗ ମାନବ ସଭ୍ୟତାକୁ ନିମିଷକେ ଧ୍ୱଂସ କରିଦେଇପାରେ। ସେହିଭଳି ଡିଜିଟାଲ୍ ଯୁଗ ମଣିଷ ପାଇଁ ଅନେକ ସୁବିଧା ଆଣିଛି। ଜୀବନକୁ ସହଜ ଓ ସତ୍ୱର କରିଛି। କିନ୍ତୁ ସାବଧାନତା ଓ ସଚେତନତା ଅଭାବରୁ ଠକରେ ପଡ଼ି ବ୍ୟବହାରକାରୀ ସର୍ବସ୍ୱାନ୍ତ ହେଉଛି। ଅନ୍ଲାଇନ୍ ବ୍ୟାଙ୍କିଙ୍ଗ ହେଉ କି ୟୁପିଆଇ ପେମେଣ୍ଟ ନିରନ୍ତର ସଜାଗ ରହିବାକୁ ପଡ଼ିବ। କାରଣ ଜୀବନକୁ ସରସ ସୁନ୍ଦର କରୁଥିବା ଏହି ବିଦ୍ୟାର ପ୍ରତି ପାଦେ ପାଦେ ବିପଦ ରହିଛି। ବ୍ୟବହାର କରିବା ପୂର୍ବରୁ ଏକଥାକୁ ହେଜିଲେ ନିଜେ ସୁରକ୍ଷିତ ରହିବା ସହିତ ସାଇବର ଅପରାଧ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ।
