Panchanan Jena

Romance

3  

Panchanan Jena

Romance

ବିହଙ୍ଗାବଲୋକନ

ବିହଙ୍ଗାବଲୋକନ

6 mins
201



ଫେବ୍ରୁଆରୀ ମାସର ଏକ ଶିତୁଆ ଅପରାହ୍ନ । ସାତ ତାରିଖ ହେବ ବୋଧହୁଏ । ଜବାହର ନବୋଦୟ ବିଦ୍ୟାଳୟ , ସରାଙ୍ଗ, ଢେଙ୍କାନାଳରେ କାର୍ଯ୍ୟରତ ଶିକ୍ଷିକା-ଶିକ୍ଷକ , ଅଫିସ୍ ,ମେସ୍‌ ତଥା ଅନାନ୍ୟ ସାଥୀ କର୍ମଚାରୀ, ଚୁମ୍ବକରେ କହିଲେ , ସମସ୍ତେ ଅଧ୍ୟକ୍ଷାଙ୍କ ପ୍ରକୋଷ୍ଠରେ ଅର୍ଦ୍ଧ ବୃତ୍ତାକାର ମୁଦ୍ରାରେ କିଛି ସୋଫାରେ କିଛି ଚୌକିରେ ଶୋଭାବର୍ଦ୍ଧନ କରୁଥିଲେ । ଗୁରୁ ଗମ୍ଭୀର ପ୍ରଚ୍ଛଦପଟ । ଶାନ୍ତ ଶୀତଳ ବାତାବରଣ । ପ୍ରକୋଷ୍ଠ କାନ୍ଥରେ ଟଙ୍ଗା ଘଣ୍ଟା ସମୟ ୪.୩୦ର ସୂଚନା ଦେଉଥିଲା । 


କରୋନା ଓମିକ୍ରନ୍ ତୃତୀୟ ଲହର ଉପରାନ୍ତେ ଓଡ଼ିଶା ସରକାର ଫେବ୍ରୁଆରୀ ୧୦ ତାରିଖରୁ ସବୁ ବିଦ୍ୟାଳୟ ଖୋଲିବାକୁ ଘୋଷଣା ପରେ କିଛି ପୂର୍ବ ପ୍ରସ୍ତୁତି ପାଇଁ ସ୍ଟାଫ୍ ମିଟିଙ୍ଗ୍ । ବିଦ୍ୟାଳୟ ଅଧ୍ଯକ୍ଷା ଡକ୍ଟର ପ୍ରତିମା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜିର ଭବ୍ୟ ଆୟୋଜନ । ପିଲାମାନେ ଦୀର୍ଘଦିନରୁ ଘରେ ରହି ଅନ୍ ଲାଇନ୍‌ ରେ ପାଠ ପଢୁଥିଲେ । ଅଫ୍ ଲାଇନ ପାଠପଢ଼ା ଶ୍ରୀଗଶେଶ ହେବାକୁ ଯାଉଛି । ତେଣୁ ବିଦ୍ୟାର୍ଥମାନେ ଆସୁ ଆସୁ ବିଦ୍ୟାଳୟ ହତାରେ ପଶୁ ପଶୁ ହଷ୍ଟେଲ, ମେସ , ଶ୍ରେଣୀଗୃହ, ସାନିଟାଇଜେସନ , କୋଡ଼ିଡ଼ ପ୍ରୋଟୋକଲ , ସେଫଟି ସେକ୍ୟୁରିଟି ଇତ୍ୟାଦି ଅନେକ ବିଭାଗ ସବୁ ସଜାଡିବାକୁ ପଡିବ । ସେହି ବିଷୟବସ୍ତୁକୁ ଆଖି ଆଗରେ ରଖି ପୂର୍ବ ପ୍ରସ୍ତୁତିର ଦୀର୍ଘ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଥାଏ । ତ୍ରିଭାଷୀ ଧାରାରେ ଅର୍ଥାତ୍ ଇଂରାଜି - ହିନ୍ଦୀ - ଓଡ଼ିଆରେ ପ୍ରିନିସ୍‌ପାଲ ମ୍ୟାଡ଼ାମ୍ ପର୍ଯ୍ୟାଲୋଚନାର ମଙ୍ଗ ଧରିଥାନ୍ତି । କାରଣ କିଛି ଷ୍ଟାଫ ଉତ୍ତର- ପୂର୍ବ ତଥା ଦକ୍ଷିଣ ଭାରତରୁ ଆସି ବିଦ୍ୟାଳୟରେ କାର୍ଯ୍ୟରତ । ମିନି ଇଣ୍ଡିଆର ନବୋଦୟ ବିଦ୍ୟାଳୟ । 


ଅଧିକନ୍ତୁ ଇଂରାଜୀ ସ୍ନାତକ ଶିକ୍ଷିକା ଶ୍ରୀମତୀ ମମତା ମହାରଣା ମିଟିଙ୍ଗ ପଏଣ୍ଟ ସବୁ ସଂକ୍ଷେପରେ ପ୍ରକୋଷ୍ଠ କୋଠରୀର ନୈରୁତ କୋଣରେ ବସି ଷ୍ଟାଫ୍ ମିଟିଙ୍ଗ ରେଜିଷ୍ଟାରରେ ଲେଖି ଚାଲିଥାନ୍ତି କଲରା ମଞ୍ଜି ପରି ଟାଇପ୍ କରା ହସ୍ତାକ୍ଷରରେ । ଇଂରାଜୀ ବିଭାଗର ଏହି ଚିରାଚରିତ କାର୍ଯ୍ୟଧାରାଟିକୁ ମମତା ମ୍ୟାଡାମ୍ ଦୀର୍ଘ କିଛି ବର୍ଷ ହେଲା ସମ୍ଭାଳି ଚାଲିଛନ୍ତି --- ଲେଖି ଚାଲିବି ଚାଲିବି ନ ପଡ଼ିବି ଥକି ନ୍ୟାୟରେ , ରେଗୁଲାର ଇଂରାଜୀ ବିଭାଗୀୟ ଶିକ୍ଷିକା- ଶିକ୍ଷକ ଅପେକ୍ଷାରେ । । ସେହି ଅନନ୍ତ ଅପେକ୍ଷାର ଅନ୍ତ କେବେ ହେବ କେଜାଣି ? କଳା ଠାକୁର ଜାଣିଥିବେ , କଳାମୁଣ୍ଡିଆ ନୁହଁ ।


"ଏକ୍ସକ୍ୟୁଜ୍‌ ମ୍ୟାଡାମ୍ । ଗୁଡ଼ ଆଫ୍ ଟାରନୁନ୍‌ ଟୁ ଅଲ୍‌ "- ଚେମ୍ବରର ମୂଖ୍ୟ ଫାଟକ ଖୋଲିବାର ଶବ୍ଦ ସହିତ ଇତିହାସ ସ୍ନାତକୋତ୍ତର ଶିକ୍ଷିକ ଜେନା ସାର୍ ପଶୁ ପଶୁ ଏମିତି କିଛି ଶୁଣାଗଲା । ମୁଖମଣ୍ଡଳରେ ମଧ୍ୟାହ୍ନ ନିଦ୍ରା ପରିଲକ୍ଷିତ । ଶୋଇପଡ଼ିଥିଲେ ବୋଧେ । ତନ୍ଦ୍ରା ବିଜଡିତ ସୁଖ ନିଦ୍ରାରେ ବ୍ୟାଘାତ ଘଟେଇଟି ଆଜିର ଏହି ଷ୍ଟାଫ ମିଟିଙ୍ଗ । ଜେନା ସାରଙ୍କ ମନ ମସ୍ତିସ୍କରେ ମୁଖ ଫଟଳରେ ସେମିତି କିଛି ପଢି ସାରିଥିଲେ ଉପବେଷ୍ଟିତ ସହକର୍ମିବୃନ୍ଦ ।

"ହଁ ଜେନା ସାର୍ । କମ୍ ଇନ୍‌ । ବି ପଙ୍କଚୁଆଲ୍‌ " ପ୍ରିନିସପାଲ ମିଶ୍ର ମ୍ୟାଡ଼ାମ୍ ଙ୍କର ଏମିତି କଟାକ୍ଷ ଶୁଣି ସମସ୍ତଙ୍କର ଦୃଷ୍ଟି ଆକର୍ଷଣର କେନ୍ଦ୍ର ସାଜିଥିବା ଜେନା ସାରଙ୍କ ଠାରୁ ଅପସରି ଗଲା ଅଧ୍ଯକ୍ଷା ମ୍ୟାଡ଼ାମଙ୍କ ଆଡକୁ ଯେମିତି ଦକ୍ଷିଣାୟନରୁ ହଠାତ୍ ଉତ୍ତରାୟଣ ଗତି କରେ ।


ଜେନା ସାର୍ ସନ୍ତର୍ପଣରେ କଂପ୍ୟୁଟର ଟେବୁଲ ପାଖାପାଖି ମିଟିଙ୍ଗ ମ୍ୟାନୁଟ୍ସ ଲେଖୁଥିବା ମମତା ମ୍ୟାଡ଼ାମଙ୍କ ପାଖରେ ଖାଲି ପଡିଥିବା ଚୌକି ଦେଖି ଧିରେ ଧିରେ ଯାଇ ବସିଗଲେ ଆଉ ମିଟିଙ୍ଗ ଏଜେଣ୍ଡାରେ ସକ୍ରିୟ ଭାଗ ନେଲେ ।


" ଥର୍ମୋଗନ୍ ସ୍କାନ୍‌ ବ୍ୟବସ୍ଥା ବିଦ୍ୟାଳୟ ପ୍ରବେଶ ପଥରେ ହେଉ -- ବାଣିଜ୍ୟ ସ୍ନାତକୋତ୍ତର ଶିକ୍ଷକ ସମୀର ସିଂହ ସାର୍ କହୁଥିଲେ ।


" ଗୋଟେ ରେଜିଷ୍ଟର ବି ରହୁ । ପିଲାଙ୍କର ଟେମ୍ପରେଚର ୯୮% ଉପରେ ଥିଲେ ସଂଗେ ସଂଗେ ପ୍ୟାରେଣ୍ଟ ସହିତ ଫେରେଇ ଦେବାର ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତା --- ନମ୍ର ଭାବରେ ଅର୍ଥନୀତି ସ୍ନାତକୋତ୍ତର ଶିକ୍ଷକ ପଦ୍ମନାଭ ପାଢି ସାର୍ କହିଲେ ।


ଏମିତି ଅନେକ ଦିଗ ଉପରେ ଆଲୋକପାତ କରାଯାଇଥିଲା । କିନ୍ତୁ ସବୁ ବିନ୍ଦୁରେ ଓଡ଼ିଆ ସ୍ନାତକ ଶିକ୍ଷକ ଡକ୍ଟର ପ୍ରଶାନ୍ତ କୁମାର ବିଶ୍ଵାଳ ମହୋଦୟଙ୍କର ସହଭାଗିତା ପ୍ରଣିଧାନ ଯୋଗ୍ୟ । କଥାରେ ତର୍କରେ ହାସ୍ୟରେ ଲାସ୍ୟରେ ବିଶ୍ଵାଳ ସାର୍ ତାଙ୍କର ଚଟୁଳିତ ଅଭିମତ ଚର୍ବିତ ଚର୍ବଣ ଢଙ୍ଗରେ ତାର୍କିକ ମାର୍ମିକ ମାର୍ଜିତ ଭାବରେ ବଳିଷ୍ଠ ଯୁକ୍ତି ସଂଗତ ଅକାଟ୍ୟ ଉକ୍ତି ସବୁ ଭାବ ଲାଳିତ୍ୟରେ ଭାଷା ବିନ୍ୟାସରେ କହି ଚାଲିଥିଲେ ଯେମିତି କେଉଁ ବିଖ୍ୟାତ ସମ୍ବାଦପତ୍ରର ସଂପାଦକ ମହୋଦୟ କିଛି ଜଟିଳ ବିଷୟରେ ପର୍ଯ୍ୟାଲୋଚନା କରୁଛନ୍ତି ଖଦ୍ୟୋତ ବର୍ଗଙ୍କୁ ଆଲୋକବର୍ତ୍ତିକା ନ୍ୟାୟରେ ।ଯାହା ବି ହେଉ, ବିଶ୍ଵାଳ ବାବୁଙ୍କର ଶବ୍ଦର ଇନ୍ଦ୍ରଜାଲ ଓ କଥନ ପଟୁତା ରସିକତା ଗୁରୁଗମ୍ଭୀର ମିଟିଙ୍ଗ୍ ପରିବେଶକୁ ହସଖୁସିର ଖୋରାକ ଦେଉଥିଲା କହିଲେ ଅତ୍ୟୁକ୍ତି ହେବନାହିଁ ।


ଦୀର୍ଘ ତିନି ଘଣ୍ଟା ବିତିଗଲାଣି । ପଏଣ୍ଟ ପରେ ପଏଣ୍ଟ ଗଡ଼ି ଚାଲିଛି ଅସରନ୍ତି ଭଣ୍ଡାର ପରି । ଆଲୋଚନା ପର୍ଯ୍ୟାଲୋଚନା ପଛକୁ ପଛ ଲାଗି ରହିଛି । ଘିସା ପିଟା ଶୁଣି ଶୁଣି ସମସ୍ତଙ୍କ ମୁଖମଣ୍ଡଳରେ ବିରକ୍ତି ଭାଗ ଝଟକି ଦିଶିଲାଗି ।


ହଠାତ୍‌ ନଜର ପଡିଲା ବିଶ୍ଵାଳ ବାବୁଙ୍କ ବାମ ପାଦରେ କିଛି ଅସୁବିଧା ଥିବାର ପରି । ସେ ଯେଉଁ ନୈରୁତ କୋଣରେ ଚୌକି ଉପରେ ଉପବେସନ କରିଥିଲେ , ସେଠାରେ ଛିଡ଼ାହୋଇ ପାଦ ସଂପ୍ରସାରଣ ବା କିଛି ଯୋଗାସନ ଆରମ୍ଭ କରିଦେଇଥାନ୍ତି । କିଛି ବଡ଼କି ମଡ଼କି ଗଲା ବୋଧେ । ଜଖମ ଅବା ରକ୍କା ଧରିଲା କି ? ଝିଣିଝିଣିଆ ମାରି ଯାଇଥିବ ପାଦ । 


ଅପରନ୍ତୁ ବିଶ୍ଵାଳ ବାବୁ ଯୋଗାସନ କରୁ କରୁ ପ୍ୟାଣ୍ଟକୁ ଦଳି ମକଚି ଦେଉଥାନ୍ତି, ଅଟା ଦଳିଲା ପରି , ଲୁଗା ଚିପୁଡିବା ପରି କୁଣ୍ଢେଇ ରାଂପି ପକଉଥାନ୍ତି ଯେମିତି କିଛି ବିଛୁଆତି ଡଙ୍କ ଲାଗି ଯାଇଛି । 


ମିଟିଙ୍ଗ୍ ମେସ୍ ମ୍ୟାନେଜ୍ ମେଣ୍ଟ ଉପରେ ଚାଲିଥାଏ । ଡେଲି ୱେଜ୍‌ ୱାରକର ମିଳିବା କଷ୍ଟକର କହୁଥାନ୍ତି କ୍ୟାଟରିଙ୍ରିଙ୍ଗ ଏସିଟ୍ ଷ୍ଟାଣ୍ଡ କାଞ୍ଚନ କୁମାର କୁଣ୍ଡୁ ସାର୍ । ମେସ୍‌ ଇନଚାର୍ଜ ଓଡ଼ିଆ ସ୍ନାତକ ଶିକ୍ଷିକା ନିରୁପମା ଭଞ୍ଜ ମ୍ୟାଡାମ ସପ୍ଲାପାରକୁ ଗ୍ରୋସରି ଜିନିଷର ମାସିକ ବରାଦ୍ କରିବାକୁ ଆଦେଶ ମିଳୁଥାଏ ।


ସମସ୍ତେ ନାଶିକା କୁଞ୍ଚନ କରୁଥାନ୍ତି । ମଝିରେ ମଝିରେ ବିସ୍ଫାରିତ ନୟନ ମୁଦ୍ରାରେ କ୍ଷୋଭ ପ୍ରକାଶ କରୁଥାନ୍ତି । କିନ୍ତୁ ମିଟିଙ୍ଗ୍ ସରିବାକୁ ନାଁ ନେଉ ନ ଥାଏ । ମାତ୍ର ବିଶ୍ଵାଳ ସାର୍ ଙ୍କର ଏହି ସବୁ କିମ୍ଭୁତ କିମ୍ଭାକାର ଯୋଗାଭ୍ୟାସ ହସ୍ତପଦାଭ୍ୟାସ ଯୋଗଗୁରୁ ରାମଦେବ ବାବାଙ୍କର ଇଣ୍ଡିଆ ଟିଭିରେ ଲାଇଭ୍ ପ୍ରୋଗ୍ରାମ୍ ଭଳିଆ ଲାଗୁଥିଲା । କିଛି ନୟନସୁଖ କିଛି ମନୋରଞ୍ଜନ ପ୍ରଦାନ କରୁଥିଲା ଅବଶ୍ୟ ।


" ବିଶ୍ଵାଳ ସାର୍ ଙ୍କର କ'ଣ ହେଲାକି ? ପାଦରେ କିଛି ଅସୁବିଧା ହେଲାକି ? " ଏମିତି କିଛି କଅଁଳିଆ ଗଳାରେ ସାବଳୀଳ ଢଙ୍ଗରେ କିଛି ଶବ୍ଦ ତରଙ୍ଗ ଜେନା ସାରଙ୍କ କର୍ଣ୍ଣ ଗହ୍ୱରର ସିଂହଦ୍ଵାରରେ ଦସ୍ତକ ଦେଲେ । ମୁଁହ ଫେଡ଼ି ଚାହିଁବାରୁ କୋକିଳ କଣ୍ଠି ମମତା ମ୍ୟାଡାମ୍ କହୁଛନ୍ତି । ସ୍ନେହୀ ସ୍ୱଭାବର ସହକର୍ମୀ ମ୍ୟାଡାମ୍ ଆମର । ଦୁଃଖ ଦେଖିପାରନ୍ତିନି । ଦରଦୀ ବାନ୍ଧବୀ ।


ଜେନା ସାର୍ ଚୁପ୍ ରହିଲେ । କିଛି ଉତ୍ତର ପ୍ରତ୍ୟୁତ୍ତର ଦେଲେ ନାହିଁ । ଅନ୍ୟମନସ୍କ ଥିଲେ । ମିଟିଙ୍ଗ୍ ରେ ମନଧ୍ୟାନ ଦେଇଥିବେ ନିବିଡ଼ତାର ସହିତ ।


ପୁଣି ଦରଦୀ ସ୍ଵର ଅନୁରଣିତ ହେଲା । ମମତା ମ୍ୟାଡ଼ାମ୍ କିଛି ଧୀମା ଧାରାରେ କହିଲେ -- " ଆପଣଙ୍କର ଅନ୍ତରଙ୍ଗ ସାଙ୍ଗ ପରା ବିଶ୍ଵାଳ ବାବୁ । ବୁଝୁନାହାନ୍ତି କାହିଁକି ? କଲେଜ ବେଳର ବଂଧୁ , ପୁଣି ବାଣିବିହାର ପି.ଜି. ବେଳର ଘନିଷ୍ଠ ଜିଲ୍ଲା ସାଙ୍ଗ । ସାର୍ ଙ୍କ ଦୁଃଖ ଆପଣଙ୍କୁ ବିନ୍ଧୁନି କେମିତି ? ମିଠେଇ ଖିଆ ଅଢେଇ ଦିନିଆ ସାଙ୍ଗ ବୁଝାପଡୁଛନ୍ତି । ଉତ୍ସବ ବ୍ୟସନ ପାଇଁ ଆପଣ କେବଳ ନାମ ମାତ୍ର ସାଙ୍ଗ ।


ମମତା ମ୍ୟାଡ଼ାମ୍ ଙ୍କର ଅତ୍ୟଧିକ ବାକ୍ୟବାଣ ତଥା ତୁହାକୁ ତୁହା ଶ୍ଳେଷ ଦଂଶନ ଜେନା ସାରଙ୍କୁ ଲାଗୁଥିଲା ଯେପରି ରୁଷିଆ ଇଉକ୍ରେନ୍‌ ଉପରେ ଲଗାତାର ମିଶାଇଲ୍‌ ବର୍ଷଣ ।


 ବୁଝିଲେ ମ୍ୟାଡ଼ାମ୍ ! ଦୀର୍ଘ ୩ ଘଣ୍ଟାରୁ ଉର୍ଦ୍ଧ ମିଟିଙ୍ଗ ଯୋଗୁଁ ବିଶ୍ଵାଳ ବାବୁ ଗୋଟିଏ ସ୍ଥାନରେ ବସି ବସି ପଥର ପାଲଟି ଗଲେଣି । ଅଣ୍ଡାରୁ ତଳକୁ ବରଫ ହେଲାଣି । କିଛି ସୁସ୍ଵାଦୁ ଲୋଭନୀୟ ପାନୀୟ ଜଳଯୋଗାଣର ବି ବ୍ୟବସ୍ଥା ନାହିଁ । ପାଟି ଆମ୍ବିଳା । ତେଣୁ ମନ ଶରୀର ସାଥୀ ହେଉନି ।--- ଜେନା ସାର୍ ଫୁସ୍ ଫୁସ୍ ସ୍ୱରରେ ଏମିତି କିଛି କହି ପକେଇଲେ ।


" ଧେତ୍ ---- ନୁହଁ ସେମିତିକା ? ଆପଣ ସାରଙ୍କ ଅଙ୍ଗଭଙ୍ଗି , ହାତ ପାଦର ଉତ୍ତରଣ ମୁଦ୍ରାକୁ ଧ୍ୟାନ ଦିଅନ୍ତୁ , ମକଚିକା ତଥା

 କୁଣ୍ଢେଇବା କଳା କଉଶଳ ଅବଲୋକନ କରନ୍ତୁ । ବଳେ ଜାଣିଯିବେ । ଉତ୍ତର ପାଇଯିବେ ।


ଜେନା ସାର୍ ଅପଗଣ୍ଡ ଅବୋଲକରା ଭଳିଆ ପୁଣି ବିଶ୍ଵାଳ ସାରଙ୍କ ଯୋଗାଭ୍ୟାସକୁ ଆଉ ଥରେ ବେନିନେତ୍ର ଫାଡି ଦୁଇ ଚାରି ଥର ମଳି ମକଚି ପରିସ୍କାର କରି ବିହଙ୍ଗାବଲୋକନ କଲେ । ମାତ୍ର ବିନ୍ଦୁ ବିସର୍ଗ କିଛି କୂଳ କିନାରା ପାଇଲେ ନାହିଁ ।


ମୁଣ୍ଡ ଟୁଙ୍ଗାରି ନାସ୍ତି ସୂଚକ ବିଜ୍ଞାସା ଜାହିର କରିଲେ ଜେନା ସାର୍ । 


" ବୁଝିଲେ ସାରେ -- --- 


" କ'ଣ " ?


" ପିମ୍ପୁଡ଼ି କାମୁଡିଲା ଭଳି ବୁଝା ପଡୁନି କି ? ବିଶ୍ଵାଳ ସାର୍ ଏକାଗ୍ର ଚିତ୍ତରେ ମନଯୋଗ ସହକାରେ ମନ- ମତି-ମଗଜ ଲଗେଇ ଧ୍ୟାନ ମୁଦ୍ରାରେ ଚୌକି ଉପରେ ଉପବେଶନ ପୂର୍ବକ ମିଟିଙ୍ଗର କାର୍ଯ୍ୟସୂଚୀ - ଆଲୋଚନା - ପର୍ଯ୍ୟାଲୋଚନା - ତର୍କ-ବିତର୍କ-ନିଷ୍କର୍ଷ ଇତ୍ୟାଦିରେ ମୁଗ୍ଧ ଭାବରେ ଭାଗ ନେଉଥିଲେ । କାନ୍ଥ ପାଖରୁ ଯେଉଁ ପୁମ୍ପୁଡ଼ି ଦଳବଳ ସୁରା ବାନ୍ଧି ଡଗଡଗ ହୋଇ ଚାଲିଥିଲେ ସେମାନେ ବା କାହୁଁ ଜାଣିବେ ଯେ ବିଶ୍ଵାଳ ବାବୁଙ୍କ ପାଦଯୁଗଳର ବାରମ୍ଵାର ପଦାଘାତ ତାଙ୍କ ଧାଡ଼ି ଭଙ୍ଗ କରିଛି , ପିମ୍ପୁଡି ମାନଙ୍କୁ ଛତ୍ରଭଙ୍ଗ କରେଇଛି ବୋଧେ । ତେଣୁ କିଛି ଯୁବକ ପିମ୍ପୁଡ଼ି ବା ପିମ୍ପୁଡି ନେତାମାନେ ପ୍ରତିଶୋଧ ପରାୟଣ ହୋଇଉଠିବା ସ୍ଵାଭାବିକ । କାରଣ କାହାରି ସ୍ୱଚ୍ଛ୍ଲନ୍ଦ ଗମନାଗମନରେ ବିରୋଧାଭାସ କୁତ୍ରାପି ଗ୍ରହଣୀୟ ସହ୍ୟଣୀୟ ନୁହେଁ ।କିଛି ପିମ୍ପୁଡ଼ି ତାଙ୍କ ପାଦ ଉପରକୁ ଧୀରେ ଧୀରେ ଚଢି , ପ୍ୟାଣ୍ଟ ଭିତରେ ସନୈ ସନୈ ଅତି ସନ୍ତର୍ପଣରେ ବଢି କିଛି କାମୁଡ଼ା କାମୁଡି କରିଥାଇ ପାରନ୍ତି ଅନୁମେୟ କରି ହେଉଛି ।


ହାତରେ ମିଟିଙ୍ଗ ମ୍ୟାନୁଟସ ଲେଖୁ ଲେଖୁ ମମତା ମ୍ୟାଡ଼ାମଙ୍କ ମୁଖାରବିନ୍ଦରେ ମୁରୁକି ହସର ଛିଟାର ଅନୁଭବ ବାରି ପାରିଲେ ଜେନା ସାର୍ ।


ଆଉ ପାଦେ ଆଗକୁ ଯାଇ ଜେନା ସାର୍ ପୁଣି କଥା ଲମ୍ବେଇ ଦେଲେ --- ପିମ୍ପୁଡି ମାନେ ଆଗକୁ ବଢି ଚାଲିଥିବେ ନିଶ୍ଚୟ , ଖାଲ ଢିପ ବନ୍ଧୁର ଦୁର୍ଗମ ଗୁଳ୍ମଜଡିତ ପଥ ଅତିକ୍ରମି ମାଡି ଚାଲିଥିବେ ସମର୍ଥ ସେନାପତି ପରି , ଆଗୁସାର ତାଲିବାନ ଆକ୍ରମଣକାରି ପରି ।


" ଆପଣ ରହି ଯାଆନ୍ତୁ ---- ବୁଝିଲେ ସାରେ --- ଆଉ ଆଗକୁ ଭାବନ୍ତୁ ନାହିଁ କି ଯାଆନ୍ତୁ ନାହିଁ --- ଅନୁଭବ ହିଁ ସୂଖାନ୍ତକ ହେଉ । 


ମିଟିଙ୍ଗ୍ ପରିସମାପ୍ତ ହେବାର ଘୋଷଣା କଲେ ପ୍ରିନିଶପାଲ ମ୍ୟାଡାମ୍ । ସମସ୍ତେ ମିଟିଙ୍ଗ ରେଜିଷ୍ଟ।ରରେ ଦସ୍ତଖତ କରି କରି ଚାଲିଥିଲେ ।

ମମତା ମ୍ୟାଡ଼ାମ୍ ମୃଦୁ ସ୍ଵରରେ ଜେନା ସାରଙ୍କୁ ଜଣେଇ ଶୁଣେଇ କିଛି କହି ଚାଲିଥିଲେ ---- ମନେ ମନେ ଖଜା ଖାଇଲେ ଚଳିବିନି ---- ବିଶ୍ଵାଳ ବାବୁଙ୍କୁ ବି ଆପଣ ଜଣେଇ ଦେବେ କି ତାଙ୍କ ଶରୀର ପିଡ଼ା ପାଇଁ କେତେ ମାତ୍ରାରେ ଆମେ ବ୍ୟସ୍ତ ବ୍ୟଥିତ ବିବ୍ରତ ଥିଲୁ, ଅଛୁ ଓ ରହିବୁ । ତତ୍‌ ସଂଗେ ସଂଗେ ସାରଙ୍କୁ ସାଧୁବାଦ ଦେବେ କି ତାଙ୍କର ଯୋଗାଭ୍ୟାସ ତଥା ପିମ୍ପୁଡି ଦଳର ଦବଙ୍ଗ ସମରାଭ୍ୟାସ କେମିତି ଆମକୁ ମୁରୁକି ହସର ଛଟାରେ ମଧୁର ମୁର୍ଚ୍ଛନାରେ ନବୋଦୟର ଖୋରାକ ଯୋଗାଇଥିଲା ।"


ବୁଝିଲେ ପାଠକେ, ଜେନା ସାର୍ ବିଶ୍ଵାଳ ବାବୁଙ୍କୁ ସାକ୍ଷାତରେ ଯାହା କହିଥିବେ ଆଉ ବିଶ୍ଵାଳ ସାର୍ ଯେମିତି ଅଟ୍ଟହାସ୍ୟ କରି ହସି ଥିବେ ତଥା ଆସନ୍ତାକାଲି ମମତା ମ୍ୟାଡ଼ାମଙ୍କୁ ଚେତନା ଚଇତାଳିରେ ଅନ୍ୟବାଦ ଅର୍ପଣ କରିଥିବେ ଆପଣ ମାନେ ଅନୁମାନ କରି ସାରିଥିବେ । ଅଧିକ କ'ଣ ବା ଲେଖିବ ଏ ଅକିଞ୍ଚନ ?




Rate this content
Log in

Similar oriya story from Romance