ବିଧିର ବିଧାନ
ବିଧିର ବିଧାନ
ଆଚ୍ଛା କହିଲ ଦେଖି, ଏ ଆକାଶ ଟା ଯଦି ଆମ ଘର ହେଇ ଥାଆନ୍ତା ଆମେ କଣ କରି ଥାଆନ୍ତେ? ସୀମା, ଧୀରେ କିନା ରୋହନ କାନ୍ଧରେ ମୁଣ୍ଡ ଦେଇ ପଚାରିଲା l କିଛି ନାହିଁ କଣ କରିଥାନ୍ତେ, ଖାଲି ଟିକେ ଶୂନ୍ୟରେ ଉଡ଼ି ଥାଆନ୍ତେ, ହସି ହସି ଉତ୍ତର ଦେଲା ରୋହନ l ସୀମା ଏହା ଶୁଣି ମୁହଁ ଫୁଲାଇ ବସି ପଡିଲା l କେବେ ମଧ୍ୟ ମୋ କଥାର ଭଲରେ ଟିକେ ଉତ୍ତର ଦେଉନ l ବୋଧହୁଏ ତମେ ମତେ ଗୋଟେ ଛୋଟ ଛୁଆ ଭାବୁଛ ଆଉ ମୋ ସହ ଖାଲି ମଜାକ କରୁଛ, କହୁ କହୁ ସୀମାର ଆଖି ଲୁହ ଛଳ ଛଳ ହୋଇଗଲା l ରୋହନ ସଙ୍ଗେ ସଙ୍ଗେ ସୀମାକୁ ନିଜ ଛାତିରେ ଆଉଜାଇ ଦେଇ କହିଲା, ସୀମା ଏ ସକାଳକୁ ଦେଖ l ଆଜି ଆମେ ଏଠି ବସିଚେ, ଏ କୁହୁଡିଆ ସକାଳର ଧୂମାଳ ଆସ୍ତରଣ ରେ ତୁମେ ଓ ମୁଁ ଯଦି ଅଳ୍ପ ଦୂର ବ୍ୟବଧାନରେ ଠିଆ ହେବା ତେବେ ହୁଏତ ଏ ଧୂମାଳ ଆସ୍ତରଣ ମଧ୍ୟରେ ପରସ୍ପର ର ମୁହଁ ଦେଖି ପାରିବାନି ମାତ୍ର ଯେତେବେଳେ ଏ ଧୂଆଁ ଅପସରି ଯିବ ସେତେବେଳେ ଆମେ ପରସ୍ପର କୁ ଦେଖି ପରିବା l ଏହି ଧୂଆଁ ଭିତରେ ହିଁ ଆମ ଭଲପାଇବା ଲୁଚିକି ଥିବ.. କେବେ ମଧ୍ୟ ସରିବନି l
ସୀମା ଓ ରୋହନ ପରସ୍ପର କୁ ଭଲ ପାଆନ୍ତି l ରୋହନ ଏକ ବେସରକାରୀ ଅନୁଷ୍ଠାନ ରେ ଛୋଟ ଚାକିରୀ ଟେ କରେ ମାତ୍ର ସୀମା ଏକ ସମ୍ଭ୍ରାନ୍ତ ପରିବାରର ଝିଅ l ଦୁହେଁ ଦୁହିଁଙ୍କ ସହ ସାରା ଜୀଵନ ରହିବା ପାଇଁ ପ୍ରତିଶ୍ରୁତି ବଦ୍ଧ l
ଆଜି ସୀମାକୁ ପୁଅ ଘର ଦେଖିବାକୁ ଆସୁଛନ୍ତି l ମାତ୍ର ତାର ଏକା ଜିଦ ସେ କେବଳ ରୋହନ କୁ ହିଁ ବିବାହ କରିବ l ସକାଳୁ ବାପା ମାଆ ଦୁହିଁଙ୍କ ର କୋପର ଶିକାର ହେଇଛି ସୀମା l ତତେ ଟିକେ ଲାଜ ନାହିଁ ସୀମା, ଏତେ ବଡ଼ ଘରର ଝିଅ ହୋଇ ସେ ଭିକାରି ରୋହନ ପଛରେ ଗୋଡ଼େଇଛୁ l ଆମ ମାନ ସମ୍ମାନ ତୋ ପାଇଁ କିଛି ନୁହେଁ, ଏମିତି ଅଜସ୍ର ଗାଳି ଭିତରେ ସୀମା ବୁଡ଼ି ଗଲାଣି ପ୍ରାୟ l ତଥାପି ସେ ଦୃଢ଼ ନିଶ୍ଚିତ, ବିବାହ କରିବତ କେବଳ ରୋହନ ସହ l ପୁଅ ଘର ଆସିଥିଲେ, ମାତ୍ର ସୀମା ରୋକଠୋକ ମୁହଁ ରେ ସେମାନଙ୍କୁ କହିଦେଇଛି ଯେ, ସେ ଏ ବିବାହ କରି ପାରିବ ନାହିଁ l
- ସୀମା ରାଗିଛ... ସତ କହୁଛି ସାତ ଆଠ ଦିନ ହେଲାଣି ଦେହ ଭଲ ନଥିଲା... ସେଥିପାଇଁ ତମ ସହ ଦେଖା କରିପାରୁ ନଥିଲି l
- ତମେ ମିଛ କହୁଛ l ତମେ ଜାଣିଛ ମୁଁ ବାପା ମାଆଙ୍କୁ କଥା ଦେଇଥିଲି ତମେ ତାଙ୍କ ସହ ଦେଖା କରିବ ବୋଲି, କିନ୍ତୁ ତମେ ଆସିଲନି... ସେଥିପାଇଁ ମତେ ଅନେକ କଥା ଶୁଣିବାକୁ ପଡ଼ିଛି l
ରୋହନ ବହୁତ କଷ୍ଟରେ ସେଦିନ ସୀମାକୁ ବୁଝାଇ ଥିଲା ଏବଂ କଥା ମଧ୍ୟ ଦେଇଥିଲା ତାଙ୍କ ଘରକୁ ଆସିବ ବୋଲି l
ଧୀରେ ଧୀରେ ସୀମା ଲକ୍ଷ୍ୟ କରୁଛି, ରୋହନ ଆଉ ଆଗ ଭଳି ତା ସହ ମିଶୁନାହିଁ l ତାଠୁ ଦୂରତା ରଖୁଛି l ଅନେକ ଥର କହିଲେ ମଧ୍ୟ ତା ଘରକୁ ଯାଉନାହିଁ l ଛୋଟ ଛୋଟ କଥାରେ ଚିଡି ଚିଡି ହେଉଛି l
ଆଜି ରୋହନ କଥା ଦେଇଥିଲା ତା ସହ ସକାଳେ ଦେଖା କରିବ l ମାତ୍ର ସୀମା ଘଣ୍ଟେ ହେଲାଣି ଅପେକ୍ଷା କରିଛି କିନ୍ତୁ ରୋହନ ର ଦେଖା ନାହିଁ l ହଠାତ ଏକ ଛୋଟ ଝିଅଟେ ଆସି ସୀମା ହାତରେ ଚିଠିଟିଏ ଦେଇ କହିଲା ରୋହନ ଅଙ୍କଲ ଦେଇଛନ୍ତି l ଚିଠିଟି ରେ କେବଳ ଗୋଟିଏ ବାକ୍ୟ ଲେଖା ଥିଲା l
'ମୁଁ ତମକୁ ପ୍ରତାରିତ କରିଛି
ସୀମା ହାତରୁ ଚିଠିଟି ଖସି ପଡିଲା l ସେ ବିଶ୍ୱାସ କରିପାରୁ ନଥାଏ ରୋହନ ତା ସହ ଏଭଳି କରିଛି l ତା ଆଖିରୁ ଧାର ଧାର ଲୁହ ବହିଗଲା l ଏହାର କିଛି ଦିନ ଭିତରେ ସୀମାର ବାହାଘର ଏକ ଡାକ୍ତର ସହ ହୋଇଗଲା l ଏହାପରେ ସୀମା କେବେ ମଧ୍ୟ ରୋହନକୁ ମନେ ପକାଇବାକୁ ଚେଷ୍ଟା ମଧ୍ୟ କରି ନାହିଁ l ଘୃଣା ଛଡ଼ା ରୋହନ ପ୍ରତି ତା ମନରେ ଆଉ କିଛି ନାହିଁ l ଅନେକ ଥର ସେ ଧୂମାଳ ଆକାଶକୁ ଦେଖେ ଓ ଘୃଣା ରେ ନିଜ ଆଖି ଫେରାଇ ଆଣେ l
ଏହା ମଧ୍ୟରେ ପାଞ୍ଚ ବର୍ଷ ବିତି ଯାଇଛି l ଥରେ ସୀମା ଘରର ଆଲମାରୀ ସଜାଡୁ ସଜାଡୁ ଫୋଟୋ ଆଲବମ ଟିଏ ପାଇଲା l ସେ ଆଲବମ ରେ ରୋହନ ଫୋଟୋ ଦେଖି ସୀମା କାବା ହୋଇଗଲା l ସେ ଆଲବମ ଭିତରେ ଚିଠିଟିଏ ମଧ୍ୟ ଥିଲା l ସୀମା ବାର୍ତ୍ତାଳାପ ଆଳରେ ସ୍ୱାମୀଙ୍କୁ ସେ ଫୋଟୋ ସମ୍ବନ୍ଧରେ ପଚାରିଲା l ସେ ଯାହା ତା ଡାକ୍ତର ସ୍ୱାମୀଙ୍କଠୁଁ ଶୁଣିଲା ନିଜ କାନକୁ ମଧ୍ୟ ବିଶ୍ୱାସ କରି ପାରିଲା ନାହିଁ l ରୋହନ ତାଙ୍କ ପେସେଣ୍ଟ ଥିଲା, ଯାହାର ଚିକିତ୍ସା ସେ କରୁଥିଲେ l ରୋହନକୁ ଏକ ଅସାଧ୍ୟ ରୋଗ ହୋଇଥିଲା ଓ ମୃତ୍ୟୁ ହିଁ ଏକମାତ୍ର ଏହାର ପରିଣତି ହୋଇ ଥିବାରୁ ସେ ନିଜ ପ୍ରେମିକାକୁ ଛାଡି ଚାଲି ଆସିଥିଲା ଓ ମୃତ୍ୟୁ ପୂର୍ବରୁ ନିଜ ପ୍ରେମିକା ପାଇଁ ଚିଠିଟିଏ ଲେଖି ଥିଲା ଯାହା ସୀମାର ସ୍ୱାମୀ ମାନବିକତା ଦୃଷ୍ଟି ରୁ ନିଜ ପାଖେ ରଖି ନେଇଥିଲେ l ସେଦିନ ସକାଳେ ସ୍ୱାମୀ ହସ୍ପିଟାଲ ଗଲାପରେ ସୀମା ଚିଠିଟି ନେଇ ସକାଳ ବୁଲା ପାଇଁ ଯାଇଛି l ପ୍ରଭାତ ଭ୍ରମଣ ସାରି ପାର୍କ ର ଏକ ବେଞ୍ଚ ଉପରେ ବସିଛି ଓ ଚିଠିଟି ଖୋଲିଛି l ଚିଠିଟି ଏହିପରି l
ସୀମା,
ମୁଁ ଜlଣେ ତମେ ମତେ ଘୃଣା କର l କିନ୍ତୁ ଯେତେବେଳେ ଜାଣିଲି ମୋତେ ଅସାଧ୍ୟ ରୋଗ ହୋଇଛି, ସେତେବେଳେ ମୁଁ ତମ ଜୀଵନ ସହ ଖେଳି ପାରିଲିନି l ଜଣେ ମୃତ୍ୟୁ ପଥର ଯାତ୍ରୀ କିଭଳି କାଣିଶୁଣି ତମକୁ ସାଥୀ କରି ପାରିବ l ମୁଁ ଜlଣେ ତମେ କେବେ ଏ ବିଷୟରେ ଜାଣି ପାରିବନି l ମୁଁ ତୁମ ଘୃଣା ନେଇ ଜଗତରୁ ବିଦାୟ ନେବି l କିନ୍ତୁ ଜନ୍ମ ମୃତ୍ୟୁ ଚକ୍ର ର ଏ ଧୂମାଳ ଆସ୍ତରଣ ଭେଦ କରି ଦିନେ ଆମ ଦୁହିଁଙ୍କ ର ଆତ୍ମା ପରସ୍ପର କୁ ପର ଲୋକରେ ଭେଟିବେ କାରଣ ମୁଁ ଜାଣେ ଶରୀର ଉର୍ଦ୍ଧ୍ୱ ରେ ଆମ ଭଲ ପାଇବା....
ଚିଠିଟି କେତେବେଳେ ସୀମା ହାତରୁ ଖସି ପଡିଥିଲା ସେ ଜାଣି ନଥିଲା l ସେ ସକାଳର କୁହୁଡିଆ ଧୂଆଁ ଭରା ଆକାଶକୁ ଚାହିଁ ନୀରବ ଅଶ୍ରୁ ମୋଚନ କରୁଥିଲା ଓ ତା ହୃଦୟ ବିଳାପ କରି ଉଠୁଥିଲା ବିଧିର ବିଧାନ ବିରୋଧରେ l
ସମାପ୍ତ ll
