Debaki Behera

Abstract Drama

4.8  

Debaki Behera

Abstract Drama

ଭୟଙ୍କର ବ୍ୟାଧି

ଭୟଙ୍କର ବ୍ୟାଧି

5 mins
261



କେଶବର ବାହାଘର ମାର୍ଗଶିର ମାସ ଶେଷ ଆଡକୁ କିରଣ ସହିତ ବୈଦିକ ରୀତିନୀତିରେ ହୋଇଥିଲା l କିରଣ ଅତି ଶାନ୍ତଶିଷ୍ଟ, ସରଳ ନିରୀହ ଝିଅଟେ l ତାର ମାଆକୁ ଛାଡିଦେଲେ ତା ପରିବାରରେ ଆଉ କେହି ନଥିଲେ l ସେ ଯେତେବେଳେ ପିଲାଟିଏ ହେଇଥିଲା ତା ବାପା ଚାଲିଯାଇଥିଲେ l ତଥାପି କିରଣର ମାଆ ତାକୁ ପାଠ ପଢ଼େଇ ଏକ ଉଞ୍ଚସମ୍ପନ ଘରେ ବିବାହ କରିଥିଲେ l କେଶବ ବହୁତ ଭଲ ପିଲାଟିଏ l ପରିବାର କହିଲେ ସେ ଆଉ ତାର ମାଆକୁ ବୁଝାଏ l ଏକ ବଡ଼ କମ୍ପାନୀରେ କୋଷାଧ୍ୟକ ଭାବରେ କାର୍ଯ୍ୟରତ l ସେ ଟିକେ ପୁରୁଣା ଚିନ୍ତାଧାରାର ପିଲା ଥିଲା l ପୁଅ ଝିଅଙ୍କର ମିଳାମିଶା ସେ ଜମାରୁ ପସନ୍ଦ କରୁନଥିଲା l ସେ ଛାଡ ଯାହାବି ହେଲେ ତା ବ୍ୟବହାର ଓ କାର୍ଯ୍ୟଦକ୍ଷତା ପାଇଁ ସମସ୍ତେ ତାକୁ ଅଫିସରେ ପସନ୍ଦ କରୁଥିଲେ l କିରଣ ଓ କେଶବର ବିବାହ ସୁରୁଖୁରୁରେ ହୋଇଗଲା l କିରଣ ଦେଖିବାକୁ ଅନିନ୍ଦ୍ୟ ସୁନ୍ଦରୀ ଥିଲା l ତନୁପତେଳି ଶରୀର l ଗୋରା ରଙ୍ଗ l ସିନ୍ଦୁର ପିନ୍ଧିଲା ପରେ କୌଣସି ଦେବୀ ଠାରୁ କମ ଦିଶୁନଥିଲା ସେ l କିନ୍ତୁ କେଶବ ତାର ବିପରୀତ l ସେ ଏତେ ଦେଖିବାକୁ ସୁନ୍ଦର ନଥିଲା କିମ୍ବା ତା ରଙ୍ଗ ମଧ୍ୟ ସଫା ନଥିଲା l ସେ ଚତୃଥୀ ରାତିରେ ତା ସ୍ତ୍ରୀ ର ସୁନ୍ଦରତାକୁ ଦେଖି ଖୁସି ହେବା ବଦଳରେ ବହୁତ ଦୁଃଖ ପ୍ରକାଶ କରିଥିଲା l ଯେହେତୁ ସେ ବିବାହ କରିବାକୁ ଅମଙ୍ଗ ଥିଲା କେବଳ ତା ମାଆର ଦେହ ଖରାପ ଏବଂ ତା ମାଆର ଅନୁରୋଧକୁ କାଟି ନପାରି ସେ କିରଣକୁ ବିନାଦେଖାରେ ବିବାହ କରିଥିଲା l କିରଣ ଦେଖିବାକୁ ଯେତିକି ସୁନ୍ଦରୀ ଥିଲା ତା ମନଟି ମଧ୍ୟ ସେପରି ସୁନ୍ଦର ଥିଲା l କେଶବ କିଛି ଚିନ୍ତିତ ଥିବାର ସେ ଜାଣିପାରିଲା ତେଣୁ କଣ ହେଇଛି? ତୁମେ କଣ ଏ ବାହାଘରେ ଖୁସି ନୁହଁ ବୋଲି ପ୍ରଶ୍ନ ପଚାରିଲା l କେଶବ ତା ମନକୁ ବୁଝେଇଦେଇ କିରଣକୁ ଉତ୍ତର ଦେଲା :- ନାହିଁ କିଛି ନାହିଁ l ସେହି ରାତିଟି ସେମାଙ୍କର ବହୁତ ଖୁସିରେ କଟିଲା l ଏହା ଭିତରେ ଦୁଇମାସ ବିତିଯାଇଥିଲା l କିରଣ ଜଣେ ଭଲ ଗୃହିଣୀ ଓ ଭଲ ବୋହୁ ଭାବରେ ଘରର ସବୁ କାମ କରୁଥିଲା l କିନ୍ତୁ କେଶବ ତାକୁ ଘରୁ ପଦାକୁ ବାହାରିବାକୁ ଦେଉନଥିଲା l କିରଣ ମଧ୍ୟ କେଶବ କଥା ମାନି କେବେ କେଉଁ ଆଡେ ଯାଉନଥିଲା l

ଦିନେ ତାଙ୍କ ସାମ୍ନା ଘରେ ଜଣେ ଭଡାଟିଆ ରହିବାକୁ ଆସିଲେ l ସ୍ୱାମୀ, ସ୍ତ୍ରୀ ଓ ତାଙ୍କର ବାଇଶି ବର୍ଷର ଗୋଟିଏ ପୁଅ l କେଶବକୁ ଯେତେବେଳେ ଏଇ କଥା ଜଣା ପଡିଲା ସେ କିରଣକୁ ତାଗିଦ କରି କହିଦେଲା କି ସେ ଯେମିତି ସାମ୍ନା ଘର ପଡୋଶୀ ସହ କେବେ ବି କଥା ନହୁଏ l ଏହିପରି ଦିନ, ମାସ ଗଡ଼ି ଚାଲିଥାଏ l ଦିନେ ସାମ୍ନା ପଡୋଶୀ ଘରର ପୁଅ କିରଣ ଘରକୁ ଆସି ଡୋର ବେଲ ମାରିଲା l କିରଣ ଯାଇ କବାଟ ଖୋଲିଲା l ସାମ୍ନା ପଡୋଶୀ ତା ପରିଚୟ ଦେଲା ଯେ କି ତା ନାଁ ସୁମନ lସେ ତାଙ୍କ ସାମ୍ନା ଘରେ ରହୁଛି ଏବଂ ତାଙ୍କର ପଡୋଶୀ l ସେମାନଙ୍କ ଘରେ ତାଙ୍କ ମା ଦେହ ଏକାକୀ ଘରେ ଦୁଇଦିନ ପାଇଁ ରହିବେ ତେଣୁ ଯଦି କିରଣର ଶାଶୁ କିଛି କିଛି ସମୟ ତାଙ୍କ ସହ ସମୟ ବିତାଇବେ ତ ସେ ନୂଆ ଘରେ ନିଜକୁ ଏକାକୀ ଅନୁଭବ କରିବେନି l କିରଣ ତା ଶାଶୁକୁ ଡାକିଦେଲେ l ସୁମନ କିରଣର ଶାଶୁ ସହ କଥାବାର୍ତ୍ତା ହେଉଥିଲେ l ଏହି ସମୟରେ କେଶବ ଅଫିସରୁ ଆସି ପହଂଚିଗଲା l ସେ କିରଣକୁ ପଡିଶା ଘର ପୁଅ ସହ କଥା ହେଇଥିବାରୁ ଦେଖିଲା l ସୁମନ କେଶବକୁ ଦେଖି ପ୍ରଣାମ କରିବା ସହିତ କିରଣର ପ୍ରଶଂସା କଲା ଯାହାକି କେଶବକୁ ଜମାରୁ ବି ପସନ୍ଦ ଆସିଲାନି l ସେ ମୁଣ୍ଡ ଠାର ରେ କିରଣକୁ ଭିତରକୁ ଯିବାକୁ କହିଲା l କିରଣର ଶାଶୁ ସୁମନ ସହିତ କଥା ହେଇସାରି ଘରକୁ ଆସିଲେ l କେଶବ ମନରେ ନିଜ ସ୍ତ୍ରୀ ପ୍ରତି ସନ୍ଦେହ ଟିକେ ଟିକେ ଦାନା ବାନ୍ଧିବାକୁ ଲାଗିଗଲା l ସେ ଅଫିସରେ ବି କାମ କରୁକରୁ ବିଭିନ୍ନ କଥା ମନରେ ଭାବିନେଇଥାଏ l

ଏହିପରି କିଛି ଦିନ ପରେ ସବୁକିଛି ପୂର୍ବ ପରି ଠିକ ହେଇଗଲା l ଦିନେ କିରଣର ଶାଶୁ ବଜାରକୁ ଯାଇଥିଲେ l ତାଙ୍କର ମୁଣ୍ଡ ବୁଲେଇଦେବାରୁ ସେ ତଳେ ପଡିଗଲେ l ସୁମନ ସେଠାରେ ତାଙ୍କୁ ଦେଖି ଘରକୁ ନେଇଆସିଲା l ଘରେ କିରଣ ତା ଶାଶୁର ଏପରି ଅବସ୍ଥା ଦେଖି ବହୁତ ଚିନ୍ତିତ ହୋଇଯାଇଥିଲା l କିଛି ସମୟ ପରେ ଶାଶୁଙ୍କର ହୋସ ଆସିଲା l ସେଇ ସମୟରେ କେଶବ ଅଫିସରୁ ଘରେ ଆସି ପହଁଚିଲା l ସୁମନକୁ ନିଜ ଘର ଭିତରେ ଦେଖି ସେ ବହୁତ ରାଗିଯାଇଥିଲା l ସୁମନ ଠାରୁ କୌଣସି କଥା ସେ ନଶୁଣି ତାକୁ ଚାଲିଯିବାକୁ କହିଲା l ସୁମନ ସେଠୁ କିଛି ନକହି ଚାଲିଆସିଲା l ସୁମନ ଚାଲିଯିବା ପରେ କେଶବ ଅତ୍ୟନ୍ତ ରାଗିଯାଇ କିରଣକୁ ଗୋଟିଏ ଶକ୍ତ ଚାପୁଡ଼ା ମାରିଲା l କିରଣ ମଧ୍ୟ କିଛି ବୁଝିପାରିଲା ନାହିଁ l ସୁମନ କାହିଁକି ଘରକୁ ଆସିଥିଲା ବୋଲି ସେ ତାର ସମସ୍ତ ରାଗ କିରଣ ଉପରେ ସୁଝେଇଦେଲା l କିରଣ କାନ୍ଦି କାନ୍ଦି ନିଜ ରୁମକୁ ଚାଲିଗଲା l କିରଣର ଶାଶୁ ନିଜ ପୁଅର ଏପରି ବ୍ୟବହାରରେ ବହୁତ ଦୁଃଖୀ ହେବାସହ କେଶବକୁ ସମସ୍ତ ଘଟଣା କହିଲେ l ତୁ ବୋହୁ ଉପରକୁ କାହିଁକି ହାତ ଉଠିଇଲୁ ଯା ତାକୁ କ୍ଷମା ମାଗିବୁ ବୋଲି କହିଲେ l କିନ୍ତୁ କେଶବ କିଛି ନଶୁଣି ବାହାରକୁ ଚାଲିଗଲା l ଘରକୁ ଆସି କିରଣକୁ କେବଳ ଏତିକି କହିଲା କି ସେ ଯେପରି ପୁନର୍ବାର ସୁମନ ସହ କେବେବି କଥା ନହୁଏ l କିରଣ ନିଜ ସ୍ୱାମୀର ଏପରି ରୂପ କେବେ ବି ଦେଖିନଥିଲା l ସେ କେଶବର ଏହା ତା ପ୍ରତି ଥିବା ପ୍ରେମ ଭାବି ସବୁ ଭୁଲିଗଲା କିନ୍ତୁ କେଶବ ସେହିଦିନଠାରୁ କିରଣ ଉପରେ ସନ୍ଦେହ କରିବା ଆରମ୍ଭ କରିଦେଇଥିଲା l ସେ ସବୁ ଘରେ କ୍ୟାମେରା ମଧ୍ୟ ଲଗେଇଦେଲା l କେଶବର ଏପରି କାର୍ଯ୍ୟକଳାପକୁ ଦେଖି ସେ ବହୁତ ଆଶ୍ଚଯ୍ୟ ହେଉଥିଲା ହେଲେ ମୁହଁ ଖୋଲି କିଛି କହୁନଥିଲା l ଦିନେ କିରଣ ଛାତ ଉପରେ ଲୁଗା ସୁଖେଇବାକୁ ଯାଇଥାଏ l ତାଙ୍କ ଘର କଡରେ ଥିବା ଅନ୍ୟ ଏକ ପଡିଶା ଘରର ମାଉସୀ ଛାତ ଉପରେ କିରଣର ଭଲ ମନ୍ଦ ପଚାରି ବୁଝିଲେ l ସେ କାହିଁକି ତାଙ୍କ ଘର ଆଡେ ବୁଲିଆସୁନି ଏହି ଭଳି ଅନେକ କଥା ବାର୍ତ୍ତା ହେଲେ l କେଶବ ତଳେ ଥିଲା l କିରଣ କାହା ସହ କଥା ହେଉଛି ସେ ଟିକେ ଟିକେ ଶୁଣିବାକୁ ପାଇଲା l କିରଣ ତଳକୁ ଆସିଲା ପରେ କେଶବ ଛାତ ଉପରକୁ ଗଲା ଏବଂ ତା ନଜରରେ ସୁମନ ଛାତ ଉପରେ ଚୌକିରେ ବସି ପଢୁଥିବାର ନଜର ଆସିଲା l ସେ ବର୍ତମାନ ନିଶ୍ଚିତ ହୋଇଗଲା ଯେ କିରଣ ସୁମନ ସହ କଥା ହେଇଥିଲା କିନ୍ତୁ କିରଣକୁ ସୁମନର ଉପସ୍ଥିତି ବିଷୟରେ କିଛି ଜଣା ନଥିଲା l କେଶବ ଛାତଉପରୁ ତଳକୁ ଆସି କିରଣକୁ ବହୁତ ମାଡ଼ ମାରିଲା l ତା ସହ ତା ମାଆ ନିକଟକୁ ଖବର ମଧ୍ୟ ପଠେଇଲା l କେଶବ ଅଫିସ ଯିବା ବନ୍ଦ କରିଦେଇଥିଲା l ସୁନ୍ଦରୀ ଝିଅକୁ ବାହା କରି ମୋ ଜୀବନ ନଷ୍ଟ କରିଦେଲୁ କହି ତା ମାଆର ମୁଣ୍ଡକୁ ଖରାପ କରିଦେଲା l କିରଣର ମାଆଙ୍କୁ ମଧ୍ୟ ନିଜ ଝିଅର ଚରିତ୍ର ବିଷୟରେ ଅନେକ କଥା କହିଲା l କିରଣର ମାଆ ବହୁତ ଲଜ୍ଜିତ ହୋଇ ମୁଣ୍ଡ ପୋତି ସେଠାରୁ ଚାଲିଗଲେ l କିରଣ ଏହି ସବୁ କଥା ସହିପାରିଲା ନାହିଁ l କେଶବ ତାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ଏବଂ ତାର ଚରିତ୍ରହୀନା କହିବା କଥାକୁ ସେ ସହଜରେ ଗ୍ରହଣ କରିପାରିଲା ନାହିଁ l ତେଣୁ ସେ ଆତ୍ମହତ୍ୟା ଏକୋଇ ବିକଳ୍ପ ରାସ୍ତା ବାଛିନେଲା l

କିରଣର ମୃତ୍ୟୁ ପରେ ସେ ଲେଖିଥିବା ତାର ଡ଼ାଇରୀ କେଶବ ପାଇଲା l ସେ ସେହି ଡ଼ାଇରୀ ପଢି ନିଜର ସମସ୍ତ ଭୁଲକୁ ଅନୁତାପ କରିପାରିଲା l କିରଣ ଭଳି ସ୍ତ୍ରୀକୁ ମିଛ ସନ୍ଦେହ ପାଇଁ ହରେଇଥିବାରୁ ସେ ବହୁତ ଭାଙ୍ଗି ପଡିଲା l କିରଣର ମୃତ୍ୟୁ ପାଇଁ ସେ ନିଜକୁ ଦୋଷୀ ଭାବି ଅତି ଶୀଘ୍ର ରୁଗ୍ଣ ହୋଇଗଲା l ବର୍ତମାନ ସେ ହସ୍ପିଟାଲ ବେଡ଼ରେ ମରଣ ସହ ଲଢେଇ କରୁଛି ଏବଂ ନିଜେ କରିଥିବା ଭୁଲର ପଶ୍ଚାତାପ ମଧ୍ୟ l ତାର ହୋଇଥିବା ରୋଗ ଠାରୁ ସନ୍ଦେହର ରୋଗ ବହୁତ ବଡ଼ ଥିଲା ବୋଲି ସେ ବୁଝିସାରିଥିଲା l

 କାହାଣୀ ଶେଷରେ କେବଳ ଏତିକି କହିବି ସ୍ୱାମୀ, ସ୍ତ୍ରୀ ସମ୍ପର୍କ ହେଉ ଅଥବା ପ୍ରେମିକ, ପ୍ରେମିକା l ସବୁ ସମ୍ପର୍କରେ ବିଶ୍ୱାସ ନିହାତି ଜରୁରୀ l ସମ୍ପର୍କଟି ବିଶ୍ୱାସର ସୁତା ଖିଅରେ ବନ୍ଧା l ଯାହାକୁ ସନ୍ଦେହ ନାମକ ଦଲକାଏ ପବନ ଅତି ସହଜରେ ଛିଣ୍ଡାଇ ଦେଇପାରେ l ତେଣୁ ସବୁବେଳେ ନିଜର ସାଥୀକୁ ବିଶ୍ୱାସ କର ଏବଂ ନିଜର ମନର ଭାବକୁତା ସମ୍ମୁଖରେ ପ୍ରକାଶ କରl

ସନ୍ଦେହ ମଣିଷ ମନରେ ଥିବା ଏକ ଭୟଙ୍କର ବ୍ୟାଧି l ଯାହାକୁ କୌଣସି ଔଷଧ ଦ୍ୱାରା ଭଲ କରିହେବ ନାହିଁ l ଯଦି ବିଶ୍ୱାସ ଓ ଭରସା ର ଟୀକା ତୁମେ ନିଜ ସମ୍ପର୍କ କୁ ଦେଇଛ ତେବେ ଏଇ ବ୍ୟାଧି ତୁମର କିଛି କ୍ଷତି କରିପାରିବ ନାହିଁ ନଚେତ ସନ୍ଦେହ ରୂପୀ ଭୟଙ୍କର ବ୍ୟାଧି ଜୀବନକୁ ଛାରଖାର କରିଦେବ l



Rate this content
Log in

Similar oriya story from Abstract