ଭୁଲ୍ ଠିକଣା
ଭୁଲ୍ ଠିକଣା
{୧}
ଗୋଟେ ନିଃଶ୍ବାସରେ ତଳସାହିରୁ ଦଉଡ଼ି ଦଉଡ଼ି ଆସୁଥିଲା ବୁଢୀ , ଖବର ଦେବାକୁ ବୁଢାକୁ । ଯାଇଥିଲା ସାହୁଘର ସାନବୋହୁ ସଦଖିଆକୁ । ସେଇଠି ଭେଟହେଲା ବଳିଆ । ମର୍କତିଆର ବଡପୁଅ । କହିଲା ଦେଖିଛି ସେ ତା'କୁ । ଗୋଟେ ରାଜଉଆସରେ !
ବଳିଆ ଯାଏ ବେପାର ପାଇଁ ସେଇପାଖକୁ । ରାଜଧାନୀ ସବୁରି ପେଣ୍ଠ । ସୁଖଦୁଃଖ ମାନଙ୍କର ମୂଳଚେର ସେଇଠି ।
- ସତ କଉଚୁ ? ଦେଖିଚୁ ତା'କୁ ?
- ହଁ ପା କହୁଛି । ଗାଁ ଛୁଆଟାକୁ ଚିହ୍ନିପାରିବିନି ?
- ଆଉକିଏ କାଳେ ଏକା ନାଗୁଥିବ !
- ନାଇଁଲୋ । ତୋ' ଝିଅ ତଳଗାଲରେ ଜାଇମନ୍ଦା ଅଛି କି ନା ?
- ହଁଅଁ ହଁଅଁ ।
- ଆଉଯେ ? କଳା ଚଷମା ଟେ ପିନ୍ଧି , ନ ଦେଖିଲାମିତି ସେ ଉଆସ ଭିତରକୁ ପଶିଗଲା ପରା
- ହେ ଠାକୁର ! ଠିକଣା ଟା ଦେ' ରେ ଟିକେ , ବୁଢା ଝୁରି ହେଉଛି ।
କାଗଜରେ କଣସବୁ ଗାରେଇଗୁରେଇ , ବୁଢ଼ୀକୁ ଧରେଇଦେବାରୁ , ସଦଭାର ଖିଆ ଛାଡ଼ି , ଧାଇଁଲା ଅତର୍ଛାରେ ବୁଢାପାଖକୁ ।
{୨}
ଭେଣ୍ଡାପୁଅଟା ଛାଡ଼ି ଯିବାଦିନୁ , ବୁଢା କାଉଁଦା ହେଇ ପଡିରହେ ଦାଣ୍ଡପିଣ୍ଡା କୋଣରେ । ବିଡି ହୁକାଟାଣି , କାଶଖଙ୍କାରରେ ଗଗନ କମ୍ପାଏ ।ନଥିବାଠୁଁ , ଥାଇନଥିବା କେଉଁ ଭଲକି ?
ଟୋକା କି' ତିର୍ଲାଟେ ଆଣିଲା ଯେ , ଏକାବେଗେ ଛାଡ଼ିଦେଲା ଘରମୋହ ।
ବୁଢୀର ପିଠିଥାପୁଡେଇଲା ବୁଢା ।
- ଗାଈ କୁକୁର ଚଢେଇ ଛୁଆ ବି ଅଣ୍ଟା ସଳଖିଲେ ବନାନ୍ତି ଅଲଗା ଥାନ । ମଣିଷ କେଉ ପଶୁଠୁଁ ଅଲଗା କି ? ହୁଗୁଳା ପଘା ଫିଟିବ ନିଶ୍ଚୟ । ଚାଷ ଦି'କିଆରୀ ତ ଅଛି । ତୋ' ପେଇଁ ମୁଁ ଅଛି । ମୋ ଅନ୍ତେ ଯାଇ ଦୁଃଖ କରିବୁ ।
- ଆଉ ରେବ ?
- ସିଏ ତ ହିନିମାନୀ । ଯା' ଲେଖାଥିବ ତାପେଇଁ ସେୟା ହେବ ।
ସାଉଁଳି ବୋଲି ବାଛୁଆରୀ ହୋଇ ବଅସ ଗଡଉଥିଲା ରେବ । ପୁଅଚିନ୍ତାଠୁଁ ରେବଚିନ୍ତା ବେଶି ଘାରୁଥିଲା ।
ଦିନେ ନିଜଆଡୁ ରେବ କହିଲା -
- ଚାକିରୀ କରିଯିବି । ମତେ ଛାଡ଼ ।
- ତତେ କିଏ ଦେବଲୋ ? କଉ ରଜାଝିଅ ଟା'କି ତୁଉ ?
- ମୋ ବଉଳ । ସେ କରୁଛି ଭୁବନେଶ୍ବର ରେ । ଛ'ହଜାରେ ଦେବେ । ରହିବାକୁ ଖାଇବାକୁ ମାଗେଣାରେ । ମତେ ଛାଡ଼ ।
ଛାଡିଦେଲା ବୁଢା । ଯାଉ ମୁକ୍ତିପାଉ । ମୁକ୍ତିଦେଉ ।
ସତକୁସତ ଚାକିରୀ ଟେ ପାଇଲା କି କଣ , ଡାକରେ ଆସିଲା ଟଙ୍କା । ହଜାରେ ଦିହଜାରେ ସବୁମାସ ।
ଭୁବନେଶ୍ବର ସମସ୍ତଙ୍କ ପେଟକଥା ବୁଝେ। ରେବ ଆଇଥିଲା ମଝିରେ ଥରେ । ଭଲ ଜାମା ପିନ୍ଧି , ଭଲକଥା କହି ମନମୋହିଲା । ରୁପରଙ୍ଗ ଟିକେ ସୁଦୁରିବାରୁ , ନି.ପ୍ରା ସ୍କୁଲ ର ସେ ପଧାନ ମାଷ୍ଟ୍ର , ରଘୁପିଅନ ହାତରେ ଖବର ଦେଇଥିଲା ଦିତିଆ ହେବାକୁ । ଲୋକଟାର ଗଲାବର୍ଷ ଭାରିଜା ଚାଲିଯାଇଥିଲା । ରେବ ଜାଣିଲାରୁ ଗରଗର ହେଲା । ଆଉ ଆସିବିନି କହି ଫେରିଗଲା । ବୁଢୀ କାନ୍ଦିଲା ବାହୁନି ବାହୁନି । ବୁଢା ବୁଝେଇଲା -
- ଏମିତି ବି ଯାଇଥାନ୍ତା , ସେମିତିବି ଯାଉ । ଝିଅ ଭାଗ୍ୟ ତ ଅଧାଅଧା ।
ବୁଝେଇଲା ସିନା ବୁଝିପାରିଲାନି ନିଜେ ବୁଢା । ଫଳନ୍ତି ଗଛ କୁ କିଏ କାଟିଦେଲା ତାର । ପୁଅ ଯାଇଥିଲା ଏବେ ଝୁଅ । ଝୁରିଝୁରି ପିଣ୍ଡାସନ୍ଧିରେ ଉଈହୁଙ୍କା ପାଲଟିଗଲା ସେ !
{୩}
ବେଳେବେଳେ ଯମ ଲୋଡାପଡେନି । ଜାଣିହୁଏ ଯିବାବେଳ । ଡାକ୍ତର କହୁଥିଲା ରାଜଯକ୍ଷ୍ମା । ବୁଢୀର ଚିନ୍ତା ମାଡିବସିଲା । ରୋଜଗାର ତ କରୁଛି । ପାଖକୁ ନେଇଯାନ୍ତା ନି ମା' କୁ ରେବ ?
ବଳିଆ ଦେଇଥିବା ଠିକଣା ଟା ଧରି ବୁଢା ସାହାସ କଲା ଭୁବନେଶ୍ବରକୁ । ଗାଡି ଚଢିଲା ଥଣ୍ଡା ରାତିରେ ।
{୪}
ଭାରି ସୁବିଧା ସହର ଭୁବନେଶ୍ବର । ଅଟୋବାଲା ଠିକଣା ଟା ଦେଖି ମୁରୁକିଲା ।
- ସେଠି ତୁମର କି କାମ ମଉସା ?
- ଅଛି । ଛାଡ଼ିଦେ ନେଇ । କେତେନେବୁ ପୁଅ ?
- ଶହେ
- ଏତେ ? ଶହେଦେଇ ଏତେଗୁଡାକ ବାଟ ରାତିସାରା ଆଇଲି । ତୋତେ ଦେବି ପୁଣି ଶହେ ?
- ହଁଅଁ , ସେଠାକୁ ବହୁତ୍ ଲାଗେ ।
- ହଉ !
ଅଟୋବାଲା କହିଲା କେବେ ଫେରିବ ?
ତୁନିରହିଲା ବୁଢା । ଏଡେ ବଡବଡ ଥାକମରା କଲୋନୀ ଘର । ମଣିଷ ଛୋଟକୁ ବଡ ଦୁଆର ।
ଏଇଠି ଅଛି ରେବ ? କି କାମ କରୁଛି ଏଠି ? କା'ଘରେ ପାଇଟି କରୁଥିବ । ଏ ବଡଲୋକିଆ ତାକୁ ଆଉ କି କାମ ଦେବେ ନୋଇଲେ ?
ଏତକ କାମ ତ ଗାଁରେ ବି କରିହୁଅନ୍ତା । ହଉ , ଦେଖାହେଉ । ବୁଝେଇ କହିବ । ମା' କଷ୍ଟ ଶୁଣି କେଉ ଝିଅ ସମ୍ଭାଳିବ ଯେ' ?
ଦରୁଆନ ଟେ ଉଆସ ମୁଣ୍ଡରେ ପଇଁତରା ମାରୁଥିଲା ।
- ହେଃ ବୁଢା ! କୁଆଡ଼େ ପଶୁଛୁ ?
- ଆଜ୍ଞା !
- କି' କାମ ଏଠି ଭୋଅର ଟାରେ ?
- ଝିଅ ଅଛି ଏଠି। ରେବ । ମାଳତୀପୁରର ।
- ଯାଃ! ଏଠୁ । ପାଗେଳା ଟା' କି ତୁ ? ଏ ମହଲରେ ମଫସଲିଆ ଟୋକିର କାମ କଣ ? ଭୁଉଲୁ ଠିକଣାରେ ଆଇଛୁ ମଉସା । ମୁଁ ଜାଣିବାରେ ରେବ ଫେବ କେହି ଏ ବିଲ୍ଡ଼ିଂରେ ନାହାନ୍ତି । ଦଶବର୍ଷ ହେଲା ମୋ ଚାକିରୀ । ଯାଃ ଯାଃ , ଆଉଆଡେ ଖୋଜେ । ଏଠୁ ଯା' । ଆଉଟିକେ ଗଲେ ଭିଡ଼ ଲାଗିବ । କେତେ ବଡବାବୁ , ନେତାମନ୍ତ୍ରୀ ଙ୍କର ଆତଯାତ ଏଠି । ଝାମେଲା ବଢାନା ଯମା ।
- ଆମ ଗାଁ ବଳିଆ ସାଉ ଦେଖିଛି ଏଇଠି । ମନେପକାନା ବାବୁ ?
- ପଳା ଏଠୁ କଉଛି ।
ବୁଢା ମନ ବୁଝିଲାନି । ଆଇଛି ଏଡେ କଷ୍ଟରେ । ବଳିଆ କହିଥିଲା ଏକାଗଲେ , ସହରରେ ହଟହଟା ହେବୁ ଭାରି । ବୁଢୀତ ରଖେଇଥୋଇ ଦେଲାନି ।
କା'କୁ ଭରସିବ ଏବେ ? ବଳିଆ କଥାକୁ ନା' ଦରୁଆନ କୁ ?
କି' କାମ ଦିଅନ୍ତି ଯେ' ଗାଁଗରିବଙ୍କୁ ସହରୀଆ ମାନେ ? ବୁଢାର ବାପମନ କାଇଁ ଲାଗିଲା ଯେ' ରେବ ଏଇଠି କେଉଠି ଅଛି । କେଉମୁହଁ ନେଇ ଖାଲିହାତରେ ଫେରିବ ସେ ? ଏଇଠି ଜଗିବ ।
ପଶିଛି ମାନେ ପଦାକୁ ବାହାରିବ ନିଶ୍ଚେ । ମନକୁ ବୁଝେଇଲା ବୁଢା ।
ଗଳି ରାସ୍ତା ମାଡି ହେଇଛି ହନୁମାନ ଦେବତା ପିଣ୍ଡି । ତାରି କଡରେ ଆଗମୁହାଁ ହୋଇ ବସିଲା ବୁଢା ।
କେଉ ଝରକାଟେ ଖୋଲି ଡାକନ୍ତାନି �ରେବ
- ବାବା ଭିତରକୁ ଆ
ପୋଡିଯାନ୍ତା ସେ ନିଶୁଆ ଦରୁଆନ ର ମୁହଁ !
{୫}
ଦରୁଆନ ଟା' ନିଶ୍ଚେ କେଉ ଗାଁର ଲୋକ । ଦ୍ୱିପର ଯାଏଁ ବୁଢା ଯାଉନି ଦେଖି ଆଣିଦେଲା ପାଣିବୋତଲ ଆଉ ପାଁରୁଟିଟେ ।
- ନେ ଖାଇଦେ �ମଉସା । ଏମିତିରେ କଣ ଝିଅ ମିଳିବ ? କେତେ ବାପଙ୍କ ଝିଅ ସହରକୁ ଆସି ଠିକଣା ହଜାନ୍ତି ମଉସା । ହିସାବ ରହେନି । କେ' ସହରୀ ପାଣିରେ ଗାଧିବୁଡ଼ି ରହେ ତ କେ' ରେଳ ଚକା ତଳେ ଶୋଇପଡେ । ଏଠି ଯେଉଁଠି ଯେତେବେଳେ ଦେଖିବ , ଅଚିହ୍ନା ଯୁବତୀ ଶବଟେ ଭାସୁଥିବ ନାଳ ନର୍ଦମାରେ ।
- ଭଲ ଶୁଭ କଥା କ' ବାବୁ !
- ହଉ ଖାଇଦେ । ଖାଇସାରି ସେ ଜରି ଦିଟା ନେଇ ଫିଙ୍ଗିଦେଇ ଆସିବୁ ସେପଟ ନାଳରେ ତ ଟିକେ ।
- କି' ଜରି ?
- କିଛିନାମଁ । ଏଇ ମଣିଷ ମଇଳା ମେଞ୍ଚେ !
କେତେ ଗାଡି ପଶୁଥିଲା , ଆସୁଥିଲା । ସବୁଯାକ କଳାକାଚ । ଗାଡି ଭିତର ମଣିଷ ଦୁଶୁନଥିଲେ ଯମା । ରେବ ବି କଳା ଚଷମା ନାଉଛି , କହୁଥିଲା ବଳିଆ ।
କାଇଁ ? ବାପକୁ ଦେଖି ଧାଇଁଆସୁନି ଟିକେ ? ଚିନ୍ତାକରି ଆସୁନି ତ କିଏ ଗୋଟେ ବାପାପରି ପଡିଛି ପିଣ୍ଡିରେ !!
ଚମକନ୍ତି ତ ମାବାପ , ଛୁଆ ଚିନ୍ତାରେ । ଛୁଏ କଣ ଟିକେ ଅଡୁଆ କୁ ଗୁରୁତ୍ବ ଦିଅନ୍ତି ??
ଅଡୁଆ ବଢୁଥିଲା । ରେବ ଆସୁନଥିଲା । ଭିତରେ ଥିଲା କି ନାଇଁ କେଜାଣି ? ତଥାପି ସଂଜଶୀତ ବଢୁଥିଲା । ବୁଢ଼ୀ ଦେଇଥିବା ଚାଦର ଖଣ୍ଡକ ବି ଜାଡି ବରଫ ପାଲଟିଯାଇଥିଲା ରାଜଧାନୀ ଥଣ୍ଡାରେ । ବୁଢା ଏଥର କାଶିଲା ଗଗନ କମ୍ପାଇ ।
{୬}
ରାତି ଗାଢ ହେଲେ , ସହରର ଠାଏଠାଏ କଳା । କିଏବୋଧେ ଜାଣିଶୁଣି ରେବ ରହୁଥିବା ଉଆସ ପଟେ ବତୀ ଗୁଡାକୁ ଲିଭାଇ ଦେଇଥିଲା । ସେ ନିଶୁଆ ଦରୁଆନ ଦିନଡ୍ୟୁଟି ସାରି ଫେରିଲାବେଳେ , କହିଗଲା -
- ଯାଉଛି , ଫେରିଯା ମଉସା ତୁଉବି । ପଡିରହିଲେ ଲାଭ କିଛିନାହିଁ ।
ଉତ୍ତର ଫେରାଇଲାନି ବୁଢା । ଶୋଇରହିଲା ମୁଣ୍ଡମୋଡି ।
{୭}
କିଏଗୋଟେ ଘୋଡିଦେଲା ଆସି କଅଁଳିଆ ମୋଟା କମ୍ବଳଟେ ଏତେ ରାତିରେ !!
- ରେବ !
- ବାବା !
- ଏଡେ ରାତିଟାରେ ମା
- ପଳା ଏଠୁ ବାବା । ନେ' ଏ ଟଙ୍କାବିଡା ।
- ତୁ ବି ଚାଆଲେ ଗାଁକୁ । ମା ଝୁରୁଚି ।
- ନାଇଁବାବା ! ଗାଁ ରେବର ଠିକଣା ବଦଳେଇ ଏଠି ରୁବି' ପାଲଟିଗଲିଣି ମୁଁ । ତୁ ଫେରିଯା । ଟଙ୍କା ପହଁଚିବ ସମୟରେ । ମା କୁ କହିବୁ ଚିନ୍ତା ଛାଡିଦେବ ମୋପାଇଁ ।
- ଝିଅ !
- ଯାଃ! ବାବା , ଆଉ ଆସିବୁନି କେବେ ଏ ଭୁଲ୍ ଠିକଣାରେ !!!!!!!!!
ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର