STORYMIRROR

Suvram Prusty

Abstract Classics Inspirational

3  

Suvram Prusty

Abstract Classics Inspirational

ଭକ୍ତି ରୁ ମୁକ୍ତି

ଭକ୍ତି ରୁ ମୁକ୍ତି

5 mins
9

ଜଗତର ନାଥ ଜଗନ୍ନାଥ । ତାଙ୍କୁ କୋଉ କଥା ବା ଅଛପା । ସେ ଭକ୍ତି ର ଭଗବାନ, ସେ ତୃପ୍ତି ର ଭଗବାନ । ସେ ଅଟନ୍ତି ଲୀଳାମୟ ଲୀଳା ସାଗର । ତାଙ୍କ ଲୀଳା ସାଗର ଠୁ ଗଭୀର, ଜନନୀ ପରି ଉଦାର । ଥରେ କଳା ବଦନ କୁ ଚାହିଁ ଦେଲେ ମୋକ୍ଷ ପାଇଯାଏ ଏ ଶରୀର । 

ଏ କାହାଣୀ ଏକ ଭକ୍ତ ର । ରାମନାଥ, ପେଶାରେ ଜଣେ ଢୋଲ ବାଦକ । ପାଖ ଆଖ ଅଞ୍ଚଳରେ ଢୋଲ ବଜାଏ । ପରିବାର କହିଲେ ତାର କେହିବି ନଥାନ୍ତି । ସେ ଜଗନ୍ନାଥ ଙ୍କୁ ବହୁତ୍ ଭକ୍ତି କରେ ଏବଂ ତାଙ୍କୁ ନିଜ ପରିବାର ବୋଲି ଭାବେ । ହେଲେ ଛୋଟ ଜାତି ର ହେଇଥିବାରୁ ତାକୁ ମନ୍ଦିରରେ ଯାଇ ପ୍ରଭୁ ଙ୍କୁ ଦର୍ଶନ କରିବା ଅସମ୍ଭବ ଥିଲା । ହେଲେ ତାର ସର୍ବଦା ଇଚ୍ଛା ଥରେ ହେଲେବି ସେ ଜଗନ୍ନାଥଙ୍କୁ ସ୍ଵଚକ୍ଷୁ ରେ ଦେଖିବ । ଆଉ ସେ ଢୋଲ ବଜେଇବ ଆଉ ପ୍ରଭୁ ତା ଢୋଲ ତାଳେ ତାଳେ ନାଚି ଉଠିବେ । 

ତାଙ୍କ ଘର ନିକଟରେ ଏକ ମନ୍ଦିର ଥିଲା । ସେଠାରେ ପୂଜାରୀ ପ୍ରତିଦିନ ରାତିରେ କିଛି ସମୟ ଭଗବାନ ଙ୍କ କଥା ଶୁଣାନ୍ତି । ପାଖା ପାଖି ଗାଁ ର ଲୋକ ମାନେ ସେଠାକୁ ଭଗବାନ ଙ୍କ କଥା ଶୁଣିବାକୁ ଆସନ୍ତି । ରାମନାଥକୁ ଏସବୁ ରେ ବହୁତ୍ ଋଚି ଥାଏ । ହେଲେ ଯେହେତୁ ରାମନାଥ କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ନଥିଲା । ତେଣୁ ସେ ପ୍ରତିଦିନ ମନ୍ଦିର ବାହାରେ ଛିଡ଼ା ହେଇ ଭଗବାନ ଙ୍କ କଥା କୁ ଶୁଣୁଥାଏ । ଏତେ ଦୂର ପର୍ଯ୍ୟନ୍ତ ପୂଜାରୀ ଙ୍କ କଥା ସ୍ପଷ୍ଟ ଭାବେ ଶୁଭୁନଥିଲେ ମଧ୍ୟ, ରାମନାଥ ସବୁ କଥାକୁ ଧ୍ୟାନ ର ସହ ଶୁଣିବାକୁ ଚେଷ୍ଟା କରୁଥିଲା । ସେ ଭାବୁଥିଲା ଅଳ୍ପ ବହୁତ ଭଗବାନଙ୍କ କଥା କାନରେ ବାଜିଗଲେ ବି ତାର ଆଜିର ଦିନଟା ଭଲରେ ଭଲରେ ପୂର୍ଣ୍ଣ ହେଇଯିବ । 

ଦିନେ ସେ ପୂଜାରୀ ଙ୍କ ଠାରୁ ଶୁଣିବାକୁ ପାଇଲା ଯେ, ପ୍ରତି ବର୍ଷ ପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା ପାଳନ ହୁଏ । ଏଗାର ଦିନ ପାଇଁ ପ୍ରଭୁ ଶ୍ରୀମନ୍ଦିର ରୁ ବାହାରକୁ ଆସନ୍ତି । ଜାତି, ଧର୍ମ , ବର୍ଣ୍ଣଠୁ ଉର୍ଦ୍ଧରେ ସେ ସମସ୍ତ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି ଏବଂ ପୁର୍ନବାର ମନ୍ଦିର ଭିତରକୁ ଚାଲିଯାନ୍ତି । ଏହା ଶୁଣି ରାମନାଥ ର ମନରେ ଜଗନ୍ନାଥ ଙ୍କୁ ଦର୍ଶନ କରିବାର ଉତ୍କଣ୍ଠା ଜାଗ୍ରତ ହେଲା । ହେଲେ ପୂଜାରୀ ଏହା ମଧ୍ୟ କହିଛନ୍ତି ଯେ ଏ ବର୍ଷ ର ରଥଯାତ୍ରା ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି । 

   ରାମନାଥ ର ଘର ଠାରୁ ପୁରୀ ବହୁତ ଦୂର । ତେଣୁ ସେ ଆଉ ବିଳମ୍ବ ନ କରି ଧାଇଁଲା ଘର ଅଭିମୁଖେ । ଆର ବରଷ କୁ ସେ ଆଉ ଅପେକ୍ଷା କରି ପାରିବ ନାହିଁ । ତାର ଧର୍ଯ୍ୟ ର ସୀମା ଲଂଘି ସାରିଥାଏ । ଯାହା ହେଲେବି ସେ ଏଥର ତାର ଜଗାକୁ ଦେଖିବ । ଘରୁ ନିଜ ଢୋଲ କୁ ଧରି ବାହାରି ପଡ଼ିଲା ପୁରୀ ଅଭିମୁଖେ । ସେ ଏତେ ଉତ୍କଣ୍ଠିତ ଥାଏ କି ଘରୁ କିଛି ଖାଦ୍ୟ ସାଙ୍ଗରେ ଆଣିବାକୁ ଭୁଲି ଯାଇଥାଏ । ଅଖିଆ ଅପିଆ ଖାଲି ପାଦରେ ଧାଇଁ ଥାଏ ଶ୍ରୀକ୍ଷେତ୍ର କୁ । ଜଗା ଆଉ ତା' ଭିତରେ ଆଜି କିଛିବି ବାଧକ ସାଜି ନଥାଏ । 

   ପୁରୀ ଆଉ କିଛି ବାଟ ବାକି ଥାଏ । ରାମନାଥ ର ଉତ୍କଣ୍ଠା ବଢ଼ି ବଢ଼ି ଚାଲିଥାଏ । ହେଲେ ମଣିଷ ଶରୀର କେତେ ବା ସହିବ । କିଛି ବି ଖାଇନି କି ଜଳ ଟୋପେ ସ୍ପର୍ଶ କରି ନାହିଁ ସେ । ଭୁଲି ଯାଇଛି ନିଜକୁ । ହଜେଇ ଦେଇଛି ନିଜକୁ ଜଗା ଦେହରେ ।

ଧଡ୍ କରି ପଡ଼ିଗଲା ଭୂଇଁ ରେ । ଦେହ ରେ ଆଉ ଚେତା ନଥାଏ । ହେଲେ ବି ପାଟିରେ ଅସ୍ପଷ୍ଟ ଶବ୍ଦ ବାଜୁଥାଏ "ମୋ ଜଗା" "ମୋ ଜଗା" । 

ସେପଟେ ଶ୍ରୀକ୍ଷେତ୍ରେ ଆଜି ରଥଯାତ୍ରା ର ଶେଷ ପର୍ଯ୍ୟାୟ । ଏଗାର ଦିନ ପରେ ଜଗନ୍ନାଥ ଆଜି ବିଜେ କରିବେ ଶ୍ରୀମନ୍ଦିର କୁ । ହେଲେ ସେ ପରା ଭକ୍ତ ର ଭଗବାନ । ଭକ୍ତ କୁ ଏମିତି ଅଧା ବାଟରେ ଛାଡି ଦେଇ ସେ କେମିତି ପଳେଇବେ ଏକୁଟିଆ । 


ହଠାତ୍ କେହି ଜଣେ ରାମନାଥ ର ସ୍ବପ୍ନ ରେ ଆସି କହିଲା, ଉଠ୍ ରାମନାଥ ମୁଁ ପରା ତତେ ବଡଦାଣ୍ଡେ ଅପେକ୍ଷା କରିଛି । ତୁ ଆସିବୁନି ମୋତେ ଦେଖା କରିବାକୁ । ସେପଟେ ମୋର ବିଳମ୍ବ ହେଉଛି, ଲକ୍ଷ୍ମୀ ଙ୍କ ରାଗ ବଢ଼ି ଚାଲିଛି । ବେଶୀ ବିଳମ୍ବ ହେଲେ ମୋତେ ଶ୍ରୀମନ୍ଦିରେ ଆଉ ପ୍ରବେଶ ନାହିଁ । ଉଠିଯା ।" ଏତକ କହି ରାମନାଥ ମୁଣ୍ଡ କୁ ଆଉଁସି ଦେଲେ ସେ । 

ତତ୍କ୍ଷଣାତ୍ ଚେତା ଫେରିଲା ରାମନାଥ ର । ସେ କିଛି ନ ଭାବି ନ ଚିନ୍ତି "ମୋ ଜଗା ଡାକୁଛି ମୋତେ" କହି ପୁର୍ନବାର ଧାଇଁଲା ଜଗା ପାଖକୁ । 

ସେପଟେ ପଣ୍ଡା ମାନେ ଜଗନ୍ନାଥଙ୍କ ସମସ୍ତ ରୀତି କାନ୍ତି ସାରି ତାଙ୍କୁ ରତ୍ନବେଦୀ କୁ ନେବାକୁ ବାହାରିଲାଣି । ମା ଲକ୍ଷ୍ମୀ ଜଗନ୍ନାଥଙ୍କୁ ଅପେକ୍ଷା କରି ବସିଛନ୍ତି । ହଠାତ୍ ସେହି ସମୟରେ ପ୍ରବଳ ବର୍ଷା ଝଡ ମାଡ଼ି ଆସିଲା । ପଣ୍ଡା ମାନେ ଜଗନ୍ନାଥଙ୍କୁ ପହଣ୍ଡି କରି ନେବାକୁ ସକ୍ଷମ ହେଇ ପାରୁ ନଥାନ୍ତି । କିଛି ସମୟ ମଧ୍ୟରେ ସମସ୍ତ ବଡ଼ଦାଣ୍ଡ ଭକ୍ତଶୁନ୍ୟ ହେଇଗଲା । ପଣ୍ଡା ମାନେ ଜଗନ୍ନାଥ ଙ୍କୁ କହୁଥାନ୍ତି, ସବୁ ଭକ୍ତ ଙ୍କୁ ତ' ଦର୍ଶନ ଦେଇଦେଲ , ଲକ୍ଷ୍ମୀ ସାଆନ୍ତାଣୀ ସେପଟେ ରାଗିଲେଣି । ବଡ଼ ଭାଇ ସାନ ଭଉଣୀ ତ ଶ୍ରୀମନ୍ଦିର ଭିତରକୁ ଚାଲିଗଲେଣି । କାହିଁକି ପୁଣି ଏ ଲୀଳା ତୁମର । ସେମାନଙ୍କୁ କଣ ଜଣା ଥିଲା ଯେ ଏବେବି ଜଣେ ବଡ଼ ଭକ୍ତ ତାଙ୍କ ଠାରୁ କିଛି ଦୂରରେ । ଜଗନ୍ନାଥ ତାକୁ ହିଁ ଅପେକ୍ଷା କରି ବସିଛନ୍ତି ବୋଲି ।

   ସୃଷ୍ଟି ହିଁ ତାଙ୍କର । ସେ ହିଁ ପାଳନ କର୍ତ୍ତା । ସେ ବା ଉଦାରତା ର ଠାକୁର । ସେ କଣ ନିଜ ଭକ୍ତ କୁ କଷ୍ଟ ରେ ଦେଖି ପାରିବେ । ରାମନାଥ ଯେତେ ଆଗକୁ ଆଗକୁ ଅଗ୍ରସର ହେଉଥାଏ ବର୍ଷା ଝଡ ସେତେ ଆଗକୁ ଆଗକୁ ଥମି ଥମି ଚାଲିଥାଏ । ସତେକି ଆଉ ରାମନାଥ ର ରାସ୍ତା ରେ ସବୁ କିଛି ସ୍ତବ୍ଧ । 

   ଶେଷରେ ରାମନାଥ ଆସି ବଡ଼ଦାଣ୍ଡେ ପହଞ୍ଚି ଗଲା । ବର୍ଷା ଝଡ ସବୁ କିଛି ହଠାତ୍ ଥମିଗଲା । ସତେକି ସେଠାରେ ଆଗରୁ କିଛି ଘଟିନଥିଲା । ସମୟ ଚକ୍ର କିଛି ସମୟ ପାଇଁ ରୋକି ଯାଇଥିଲା । 

   ରାମନାଥ ପ୍ରଥମ ଥର ପାଇଁ ତାର ପ୍ରଭୁ ଙ୍କୁ ଦେଖୁଥାଏ । କେତେ ସୁନ୍ଦର ବଦନ । ସତେକି ଏ କଳା ବଦନ ଭିତରେ ଦୁନିଆର ସମସ୍ତ ଖୁସି ସମାହିତ ଅଛି । ଯେତେବେଳେ ପ୍ରଥମ ଥର ପାଇଁ ସେ ଜଗା ଆଖିରେ ନିଜ ଆଖିକୁ ମିଶେଇ ଦେଇଛି । ସେ ନିଜର ଅସ୍ତିତ୍ବକୁ ସେଠାରେ ଭୂଲିଯାଇଛି । ଆଖିରୁ ଶ୍ରାବଣ ର ଧାରା ବରଷା ପରି ଲୁହ ଗଡି ଚାଲିଛି ।

   ହଠାତ୍ ଶୁଭି ଉଠିଲା ଘଣ୍ଟ ଘଣ୍ଟା ହୁଳହୁଳି ସହ ହରିବୋଲ ସ୍ୱର । କିଛି ସମୟ ପାଇଁ ନିସ୍ତବ୍ଧ ହେଇ ଯାଇଥିବା ବଡ଼ଦାଣ୍ଡ ଫୁଣି ଝୁମି ଉଠିଲା । ଜଗନ୍ନାଥ ଙ୍କ ପହଣ୍ଡି ଆରମ୍ଭ ହେଇଗଲା । ରାମନାଥ ତାର ଢୋଲ କାଢି ଆତ୍ମ ବିଭୋର ହେଇ ବଜେଇବାକୁ ଲାଗିଲା । ତାର ଢୋଲ ଶବ୍ଦ ଏତେ ଅଧିକ ଥିଲା ଯେ ଶ୍ରୀକ୍ଷେତ୍ର ପୁର କମ୍ପି ଉଠୁଥିଲା । ପହଣ୍ଡି ସମୟରେ ଜଗନ୍ନାଥ ଆଗକୁ ପଛକୁ ଝୁଲୁ ଥିବାର ଦେଖି ତାକୁ ଅନୁଭୂତ ହେଉଥାଏ ଯେପରି ଜଗନ୍ନାଥ ତା ଢୋଲ ଶବ୍ଦରେ ନାଚିବାକୁ ଲାଗିଛନ୍ତି । ଏହା ଦେଖି ସେ ଆହୁରି ଅଧିକରୁ ଅଧିକ ଶକ୍ତି ଲଗାଇ ଢୋଲ ପିଟିବାକୁ ଲାଗିଲା । ଜଗନ୍ନାଥ ଙ୍କ ଠାରୁ ସିଂହଦ୍ଵାର ଆଉ ଦୁଇ ହାତ ଦୂରତା ବାକି ଅଛି । ସେହି ସମୟରେ ହଠାତ୍ ରାମନାଥ ର ପ୍ରାଣ ବାୟୁ ଉଡିଗଲା । ଆଉ ତାର ଆତ୍ମା ଯାଇ ଜଗନ୍ନାଥ ଙ୍କ ହୃଦୟରେ ଲୀନ ହେଇଗଲା । ବଧେ ଜଗନ୍ନାଥଙ୍କୁ ରାମନାଥ କୁ ଛାଡି ଏକା ଶ୍ରୀମନ୍ଦିର ଭିତରକୁ ଯିବାକୁ ଇଚ୍ଛା ନଥିଲା । ସେଥିପାଇଁ ସେ ଯାଉ ଯାଉ ତାକୁ ସାଙ୍ଗରେ ନେଇଗଲେ । ଯାହାକୁ ଦିନେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ନଥିଲା , ସେ ଆଜି ଜଗନ୍ନାଥଙ୍କ ହୃଦୟରେ । 

ଭକ୍ତି ରେ ହିଁ ଅଛି ଶକ୍ତି, ଆଉ ସେଇ ଭକ୍ତି ରେ ହିଁ ଅଛି ମୁକ୍ତି । 



Rate this content
Log in

Similar oriya story from Abstract