Suvram Prusty

Comedy

3  

Suvram Prusty

Comedy

ଶୀତୁଆ ସକାଳ ଓ ମର୍ଣ୍ଣିଙ୍ଗ୍ ୱାକ୍

ଶୀତୁଆ ସକାଳ ଓ ମର୍ଣ୍ଣିଙ୍ଗ୍ ୱାକ୍

3 mins
202


ଶୀତୁଆ ସକାଳ, ନିଦ ସହଜରେ ଭାଙ୍ଗୁ ନଥାଏ । ତଥାପି କିଛି ସମୟ ଗଡପଡ଼ ହେଇ ଉଠି ପଡିଲେ ହରିହର ବାବୁ । କାହିଁକିନା ସମୟ ବାଜିଲାଣି ଭୋର ପାଞ୍ଚଟା । ଟିକେ ଫ୍ରେସ୍‌ ହୋଇ ବାହାରି ପଡିଲେ । ଛ' ଟା ବାଜିଗଲେ ଲାଗିଯିବ ଫୋନ୍‌ କଲ୍‌ର ଭିଡ । କେତେବେଳେ ଆସିବୁ ? କୋଉଠି ପହଞ୍ଚିଲୁ ? ଏମିତି ଅନେକ କିଛି ପ୍ରଶ୍ନ । ହରିହର ବାବୁଙ୍କ ସହ ପରିବାରର ବି ଶୀଘ୍ର ଉଠିବାଟା ଅଭ୍ୟାସରେ ପରିଣତ ହେଇ ଯାଇଥାଏ । ଇଏ ମହାଶୟ ହେଲେ ଘରର ଆଲାର୍ମ । ଆଲାର୍ମ ବି ଦିନେ ଅଧେ ବାଜିବା ବନ୍ଦ କରିଦିଏ କିନ୍ତୁ ଇଏ କେବେ ବି ନୁହେଁ । କିଛିଦିନ ହେବ ସାଙ୍ଗ ସାଥୀଙ୍କ ସହ ମର୍ଣ୍ଣିଙ୍ଗ୍ ୱାକ୍ ଆରମ୍ଭ ହେଇଛି । ମର୍ଣ୍ଣିଙ୍ଗ୍ ୱାକ୍ କହିଲେ କିଛି ବାଟ ଚଲା ବୁଲା କରି ଗୋଟେ ଜାଗାରେ ବସି ଚା' ଖଟି । ଚା' ଖଟିରେ ଯାବତୀୟ ଚର୍ଚ୍ଚା । ସମ୍ବାଦ ପତ୍ରର ଦଶ ବାର ପୃଷ୍ଠା ଠୁ ବି ଅଧିକା । ସତେକି ଆଉ ଦେଶର ଭବିଷ୍ୟତ ଏମାନଙ୍କ ହାତେ । ତା ଛଡା ବୟସ ବଢିଲେ ଦୁନିଆ ବେମାର ଗ୍ରାସିବ । ଏ ବୟସରେ ଟିକେ ଚଲା ବୁଲା ନକଲେ ଦେହ କଣ ସୁସ୍ଥ ରହିବ । କଅଁଳ ସୂର୍ଯ୍ୟ କିରଣକୁ ଟିକେ ଶୁଦ୍ଧ ବାୟୁ ବି ମିଳିଯିବ । 

 ସେଦିନ କିନ୍ତୁ ଦଶ ବାର ମିନିଟ ବିଳମ୍ଵ ଘଟିଥିଲେ ମଧ୍ୟ କୌଣସି ଫୋନ କଲ୍ ଆସିନଥାଏ । ମନରେ ସାମାନ୍ୟ ଶଙ୍କା ନେଇ ହରିହର ବାବୁ ବାହାରିଲେ ମର୍ଣ୍ଣିଙ୍ଗ୍ ୱାକରେ । ଶରୀରରେ ଥାଏ ଶୀତ ବସ୍ତ୍ର ଆଉ ହାତରେ ଥାଏ ଖଣ୍ଡେ ଲାଠି । ଲାଠି କୌଣସି ଯୁଦ୍ଧ କ୍ଷେତ୍ର ପାଇଁ ନୁହେଁ ମ' , ଏ ବୁଲାକୁକୁରଗୁଡାକ ପାଇଁ । ଯେଉଁଠି ଦେଖିବେ ଦଳବଳ ଘେନି ପଡ଼ିଯିବେ ପଛରେ । ପାଗ ଥାଏ କୁହୁଡିଆ, ମୁହଁକୁ ମୁହଁ ଦିଶୁ ନଥାଏ । ଗାଡ଼ିଗୁଡ଼ିକ ଇଣ୍ଡିକେଟର୍ ମାରିକି ଚାଲିଥାନ୍ତି ରାସ୍ତାରେ । କେତେ କଣ ମନରେ ଚିନ୍ତା କରି କରି ବାଟରେ ଚାଲୁଥାନ୍ତି ହରିହର ବାବୁ । ସମୟ ବାଜିଲାଣି ସକାଳ ସାତଟା । ନିତ୍ୟ ଦିନ ପରି ବସିପଡିଲେ ଚା' ଦୋକାନ ଆଗରେ ପଡ଼ିଥିବା ବେଞ୍ଚରେ । ଆଜି କେବଳ ଥାଏ ସମ୍ବାଦ ପତ୍ରର ଦଶ ବାର ଫର୍ଦ୍ଦ । ଦୋକାନୀ ଦେଖୁ ଦେଖୁ ପଚାରିଦେଲା ଆଜି କ'ଣ ଏକା ଏକା ? ସବୁ ଶୁଣିକି ବି ନଶୁଣିଲା ଭଳି ସମ୍ବାଦ ପତ୍ରକୁ ପଢିବାକୁ ଲାଗିଥାନ୍ତି । ସେଦିନ ଘରକୁ ମଧ୍ୟ ଟିକେ ଶିଘ୍ର ଫେରି ଆସିଲେ ହରିହର ବାବୁ । ଘରେ ପହଞ୍ଚି ଥମ୍ କିନା ସୋଫା ଉପରେ ବସିପଡିଲେ । ଯିଏ ଯାହା କହିଲେ ବି ପୁରା ନିରବ । ଘର ଲୋକଙ୍କୁ ଏସବୁ ଅଜବ ଲାଗୁଥାଏ । ବେଶି ଭାବିବା ଅପେକ୍ଷା ଫୋନ୍‌ କରି ପଚାରି ଦେବାଟା ଭଲ ହେବ ଭାବି ସାଙ୍ଗମାନଙ୍କୁ ଫୋନ ସଂଯୋଗ କଲେ । ଅନେକ ଚେଷ୍ଟା ପରେ ଜଣେ ସାଙ୍ଗ ଫୋନଟା ରିସିଭ୍ କଲା । ସେ ପୁଣି ଦୁଇ ତିନି ଥର ଲମ୍ବା ରିଙ୍ଗ ପରେ । କାଳ ବିଳମ୍ୱ ନକରି ପଚାରି ଦେଲେ ଆଜି କଣ କେହି ବି ଆସି ନଥିଲ ? କ'ଣ କିଛି ଅସୁବିଧା ଘଟିଛି କି? 

ସେପଟରୁ ଉତ୍ତର ଆସିଲା, : - ଏବେ ଗୋଟେ ବଡ଼ ଅସୁବିଧା ହୋଇ ଯାଇଛି । ଆମେ ଏବେ ସବୁ ସଦର ଥାନାରେ ।

ହରିହର ବାବୁ : - କାହିଁକି କ'ଣ ହେଇଛି କି ?

ସାଙ୍ଗ:- କିଛି ଦିନ ହେବ ଆଖପାଖ ଅଞ୍ଚଳରେ ଗାଡ଼ି ଚୋରି ବଢି ଯାଇଛି । ପୋଲିସ ରାତି ସାରା ପେଟ୍ରୋଲିଂ କରୁଛି । ଆମେ ମାନେ ଆଜି ଟିକେ ଶୀଘ୍ର ଆସି ଯାଇଥିଲୁ । ସମସ୍ତେ ତୋର ଅଯେକ୍ଷାରେ ହିଁ ଥିଲୁ । ହେଲେ କ'ଣ ହେବ ଏ କୁହୁଡିଆ ଅନ୍ଧାରରେ ଆମ ମଙ୍କି କ୍ୟାପ୍ ପିନ୍ଧା ମୁଖକୁ ଦେଖି ଚୋର ଭାବି କି ଟେକି ଆଣିଛନ୍ତି ଥାନାକୁ । ଦୁଇ ଚାରି ପାହାର ବି ଖାଇ ସାରିଲୁଣି । କିଛି ବି ଶୁଣିବାକୁ ନାରାଜ । ସମସ୍ତଙ୍କ ଫୋନ ଛଡେଇ ନେଇଛନ୍ତି । ଏହି ଗୋଟାକ ଫୋନ୍ ଭିତର ପକେଟରେ ରହିଯାଇଥିଲା । ପାରୁଛୁ ଯ଼ଦି ଟିକେ ଆସିକି ଏଠୁ ଆମକୁ ନେଇଯା l ଏ ଲାଠି ପାହାର ଆଉ ସହି ହେଉନିରେ ସାଙ୍ଗ । 

ଫୋନଟି କଟିଗଲା ସେପଟୁ । ତରତର ହୋଇ ଉଠିପଡ଼ି ସାଇକେଲ୍ ଖଣ୍ଡେ ଧରି ବାହାରିଗଲେ ଥାନା ଅଭିମୁଖେ ହରିହର ବାବୁ ।

ପଛରୁ ଡାକ ଶୁଭୁଥାଏ ଗାଧେଇବା ପାଇଁ ପାଣି ପା' ଗରମ ହେଇଗଲାଣି । କୁଆଡ଼େ ବାହାରିଲ ? 

ଉତ୍ତରରେ ଶୁଭିଲା : - ପାଣିଟା ବେଶି ଗରମ ହେଇଛି । ଟିକେ ଥଣ୍ଡା ହେଇଯାଉ । 



Rate this content
Log in

Similar oriya story from Comedy