ଭିଟାମାଟି
ଭିଟାମାଟି


ଏବେ ସହରୀ ମାୟାର ଇନ୍ଦ୍ରଜାଲ କାଟି ବଡ଼ବାବୁ 'ଭିଟାମାଟି' ବାସ୍ନାରେ ମହକୁଛନ୍ତି । ମନ ଭରି ପାନ କରୁଛନ୍ତି ମର୍ତ୍ତ୍ୟ ବୈକୁଣ୍ଠ ଏଇ ତାଙ୍କ ପୂର୍ବ ପୁରୁଷ ଡିହ ଉପରେ ଠିଆ ଭିଟାମାଟିର ଅମୃତ ।
ସତେ ବା 'ଭିଟାମାଟି' ନୁହେଁ ମିଠାମାଟି ଏ ।
ଭାବୁଛନ୍ତି କେମିତି ଏ ମୋହକୁ କାଟି ସେ ସହରୀ ମାୟାରେ ଫସି ଥିଲେ?
ପୁଅବୋହୂଙ୍କ ବୋଝ ହୋଇଥିଲେ ।
କୁକୁର, ମାଙ୍କଡ ପ୍ରେମ ପୁଅ ବୋହୂ ଭିତରେ ଉଛୁଳୁ ଥିଲା, ମାତ୍ର ବାପା ନାମକ ଏଇ ଅଚଳି ପାଞ୍ଚ ଶହ ନୋଟ ପ୍ରତି ଅପ୍ରେମ ଓ ଅସ୍ପଷ୍ଟ ଅନାଦର ଭାବରୁ ଏବେ ସେ ମୁକ୍ତ ।
ନିଜ ଗାଆଁରେ ମନ ଭରି ଜୀଉଁଛନ୍ତି ଶେଷ ମୁକୁଳା ଜୀବନ ।
ହଠାତ୍ ବଡ଼ବାବୁଙ୍କ ପୁଅ ଓ ବୋହୁ; ବିପୁଲ୍ ବାବୁ ଓ ବୋହୁମା ଆସି ପହଞ୍ଚିଗଲେ ଗାଆଁରେ । ବଡ଼ବାବୁ ଏ ନିପଟ ଗାଆଁଟାରୁ ତାଙ୍କ ସଙ୍ଗେ ଚାଲନ୍ତୁ ବୋଲି ଅଡ଼ି ବସିଲେ । କିନ୍ତୁ ବଡ଼ବାବୁ ରୋକ୍ ଠୋକ୍ ମନା କରିଦେଲେ । ଗାଆଁ ଲୋକଙ୍କ ଭଲ ପାଇବା ଆଗରେ ସବୁ ତାଙ୍କୁ ତୁଚ୍ଛ ଲାଗୁଥିଲା । ସେ କହିଲେ ବୁଝିଲୁ ବିପୁଲ୍ ପିଲା ଦିନେ ଏଇ ଘରେ ବଢି କୁଢି ମଣିଷ ହୋଇଥିଲି । ଶେଷ ଜୀବନ ଏଇ ପିତୃପୁରୁଷର 'ଭିଟାମାଟି' କୋଳରେ ସରୁ ବୋଲି ମୋର ଇଚ୍ଛା । ଏଠି ଯେଉଁ ଗହ ଗହ, ଖୋଲା ପବନ, ଗାଆଁ ଲୋକଙ୍କ ଆତ୍ମୀୟତା ଅଛି ସେ ସହରରେ କାହିଁ? ମୁଁ ତ ତୁମର କେଉଁ କାମରେ ଆସୁ ନାହିଁ, କାହିଁକି ଅଯଥାରେ ସେଠି ତୁମମାନଙ୍କ ଉପରେ ବୋଝ ହେବି? ସମୟ ପାଇଲେ ମଝିରେ ମଝିରେ ମୋତେ ଟିକେ ଦେଖା କରୁଥିବ । ଭୁବନେଶ୍ୱର ଯିବାକୁ ମୋର ଆଦୌ ଇଚ୍ଛା ନାହିଁ ।
ବିପୁଲ୍ ବାବୁ ଏସବୁ ଶୁଣି ଚୁପ୍ ରହିଲେ । କିନ୍ତୁ ବୋହୁ ମା ଖେଞ୍ଚୁଥିଲେ କହୁନ ଅସଲ କଥାଟା ।
ଅସଲ କଥାଟା ଏଇଆ ଯେ ବଡ଼ବାବୁଙ୍କୁ ନୁହଁନ୍ତି ତାଙ୍କ ପେନ୍ସନ ଟଙ୍କା ଓ ଜମି ଉପରେ ସେମାନଙ୍କ ଆଖି । ସେମାନେ ତାଙ୍କ ପେନ୍ସନ ଟଙ୍କାଗୁଡା ଅଯଥା ଖର୍ଚ୍ଚ ହେଉଛି ବୋଲି ଅଭିଯୋଗ ବାଢୁଥିଲେ । ଜମିଗୁଡା ସେମିତି କାହିଁକି ପଡିଛି । ଗୋଟେ କମ୍ପାନୀ ସଂଗେ କଥା ହୋଇଛନ୍ତି । ସେ ସବୁ କିଣି ନେଇକି ଫ୍ୟାକ୍ଟ୍ରି କରିବ ବୋଲି କହୁଛି । ସେଥିପାଇଁ ସେମାନେ ଗାଆଁକୁ ଆସିଛନ୍ତି । ନହେଲେ ଗାଆଁ କିଏ ନା ସେମାନେ କିଏ?
ବୋହୁମା କହିଲେ ବାବା , ଏ ଗାଆଁରେ ଆମେ କଣ ଆସି ରହିବୁ? ନା ଆପଣଙ୍କ ନାତି ନାତୁଣୀମାନେ ଆସି ରହିବେ । ବାଟି ବାଟି ସମ୍ପତ୍ତି, ନଡିଆ ବାଡ଼ି, ଆମ୍ବ ତୋଟା, ମାଛ ପୋଖରୀ ଅଯଥାରେ ସେମିତି ପଡିଛି । ଏଗୁଡିକ ବିକ୍ରି କରି ଦେଇ ଖଣ୍ଡଗିରି ପାଖରେ ଗୋଟିଏ ଜାଗା କିଣିଲେ କେମିତି ହୁଅନ୍ତା?
ପ୍ରସ୍ତାବଟି ମନ୍ଦ ନୁହେଁ । କିନ୍ତୁ ଗାଆଁର ଏତେ ସମ୍ପତ୍ତି କିଏ ନେବ? ନେଇ କି କଣ ବା କରିବ? ସମସ୍ତେ ତ ଏବେ ସହରୀ ପ୍ରେମରେ । ଗାଆଁଟାରେ କିଏ ବାଟି ବାଟି ସମ୍ପତ୍ତି କିଣିବ?
ବୋହୁ ଠିକ୍ ଜାଗାରେ ତୀର ବାଜିଛି ଜାଣି କହିଲା ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ସେ ସବୁ ଠିକ୍ ଠାକ୍ ସରିଛି । କେବଳ ଆପଣ ରାଜି ହେଲେ ଆମେ ଖାଲିଟାରେ ଇଏ ସିଏ ଖାଉଥିବା ଜମି ବାଡିରୁ ଅନେକ ଲାଭବାନ୍ ହୋଇ ପାରନ୍ତେ ।
ବିପୁଲ୍ ବାବୁ ଆହୁରି ଉତ୍ସାହିତ ହୋଇ କହିଲେ ହଁ ବାବା ସବୁ ସରିଛି, ଆପଣ ରାଜି ହେଲେ ହେଲା ।
ବଡ ବାବୁ ଚାହିଁଲେ ବିପୁଲ୍ ବାବୁଙ୍କ ମୁହଁକୁ । ତା ମାନେ ତୁ ସବୁ ଠିକ୍ କରି ସାରିଛୁ !
ନାଇଁ ଯେ ବାବା ମୁଁ କଣ କହୁଥିଲି ଜଣେ ରାଜି ଅଛି ସବୁ ସମ୍ପତ୍ତି ବାଡ଼ି ନେଇ ଗୋଟେ କତା ଫ୍ୟାକ୍ଟ୍ରି ଖୋଲିବେ । ଗାଆଁ ଗଣ୍ଡାରେ କତାର ମେଟେରିଆଲ୍ ଭାବେ କମ୍ ମୂଲ୍ୟରେ ମିଳିଯିବ । ଏଣୁ ସେ କମ୍ପାନୀ ଖୋଲିବ ଏଠି । ଆମେ ଜାଗା ଖଣ୍ଡେ କିଣନ୍ତେ ଭୁବନେଶ୍ୱରରେ ।
ହଁ ଠିକ୍ ପ୍ରସ୍ତାବଟିଏ ଦେଲୁ । କିନ୍ତୁ ସେ ଲୋକ କାହିଁକି ତୁ ନିଜେ ତୋ ଗାଆଁ ଓ ତୋ ଜମି ଉପରେ ଫ୍ୟାକ୍ଟ୍ରି କରୁନୁ । ତୋ ଅଞ୍ଚଳ ଲୋକେ ଉପକୃତ ହୁଅନ୍ତେ । ବୁଝିଲୁ କେଉଁ ପୂର୍ବ ପୁରୁଷ 'ଭିଟା ମାଟି' ଏ । କେତେ କାଳ କାହା ଅମଳରୁ ଗଡି ଆସୁଛି । ମୁଁ ତୋତେ ମଣିଷ କରିବାକୁ ଯାଇ ସବୁ କିଛି ତୁଚ୍ଛ କରିଦେଲି । ଗୁଣ୍ଠେ ଅଧିକ ଯୋଗ କରିଛି କି ଏ ବାପା ଅଜା ଅମଳ ଘର ବାଡ଼ି କି ଜମି ଜମାରେ? ଯେଉଁଠି ମୁଁ ଗୁଣ୍ଠେ ଅଧିକ କରି ପାରି ନାହିଁ, ସେଠି ଏ ଜମି ଜମା ବିକିବାକୁ ମୁଁ କିଏ? ଶୁଣ୍ ପୁଅ ଆଉ ଦିନ କେତେଟା ସମ୍ଭାଳି ଯା । ଶୁଖିଲା ପତ୍ର ହେଲେଣି ମୁଁ । ଝଡ଼ିବାକୁ ଆଉ ବା କେତେ ଦିନ । ମୋ ଅନ୍ତେ ତୁ ଯାହା କରିବୁ । କିନ୍ତୁ ମୋତେ ଏ ମହାପାପ ଅର୍ଜନ କରି ସେପୁରରେ ପିତୃପୁରୁଷଙ୍କୁ ମୁହଁ ଦେଖାଇବା ବାଟ ବନ୍ଦ କରେନିରେ ।
ହଁ ଆଉ ଗୋଟେ କଥା ଶୁଣୁ ; କହିବାକୁ ଚାହୁଁ ନଥିଲି । କିନ୍ତୁ ତୋତେ ବାପା ହିସାବରେ ବେଳ ହୁଁ ଚେତେଇ ଦେବା ଉଚିତ ମଣୁଛି । ବାବୁରେ!ଏ 'ଭିଟାମାଟି' ଥିବାରୁ ମୁଁ ଆଜି ବୃଦ୍ଧାଶ୍ରମ ଯିବାରୁ ନିଜକୁ ରକ୍ଷା କରି ପାରିଛି । କାଲି ଯେତେବେଳେ ତୋର ଓ ବୋହୁ ମା ଏଇ ବୟସ ପ୍ରାପ୍ତ ହେବ କଣ କରିବ ତୁମେମାନେ? କଣ ମୋ ପରି ପରାଧୀନ ହୋଇ ଷ୍ଟୋର ଘରେ ରହିବାକୁ ପସନ୍ଦ କରିବ ନା ଏ ଗାଆଁ ଘରେ? ଜୀବନ କାଳ ରକ୍ତ ନିଗାଡି ଯେଉଁ ଘର କଲି, ସେଠି ବୁଢା ହେଲା ପରେ ମୋ ରହିବା ପାଇଁ ଜାଗା ନଥିଲା । ତୁମେମାନେ ତୁମ ସୁବିଧା ପାଇଁ ଆବର୍ଜନ ପରି ମୋତେ ଷ୍ଟୋର ଘରେ ରଖିଥିଲ ।
ଦେଖ ତ ଗାଆଁକୁ ଆସିବା ଦିନରୁ ମୁଁ କେତେ ଭଲରେ ଅଛି । ଚାଲି ପାରୁଛି, ବୁଲି ପାରୁଛି? ତୁ କହୁନୁ ବହୁତ ସୁଧାର ଆସିନି ମୋ ସ୍ୱାସ୍ଥ୍ୟ ଅବସ୍ଥାରେ?
ବାବା ! ଅନୁତାପ କଣ୍ଠର ଭାରି ସ୍ୱର ବିପୁଲ୍ ବାବୁଙ୍କୁ ଅତି ଛୋଟ କରି ଦେଉଥିଲା ।
ନାତି ନାତୁଣୀମାନେ ଅଡି ବସୁଥିଲେ ଆମେ ବି ଏଇଠି ରହିବୁ, ଆମ ଜେଜେଙ୍କ ପାଖରେ । ଇସ୍ ! କି ସୁନ୍ଦର ଏ ଗାଆଁ ଘର ଆମର ! କେତେ ଗଛ, ଫୁଲ, ଫଳ । ଖରା ଦିନ ହେଲେ ବି ଟିକେ ଗରମ ଲାଗୁନି । ଜେଜେ କୁହ, କୁହ ଆମେ ତୁମ ସହ ରହିବୁ । ଡ଼ାଡ୍ ମମ୍ ଯାଆନ୍ତୁ । ଆମେ ଏଇଠି ରହିବୁ । ଆମକୁ ଆଜି ଯାଏ କାହିଁକି ଆମ ଗାଆଁକୁ ଆଣି ନ ଥିଲ?
ବଡ଼ବାବୁ ଦୀର୍ଘଶ୍ଵାସ ଟାଣି କହିଲେ ତୋ ଡାଡକୁ ମଣିଷ କରିବା ଭ୍ରମରେ ମୁଁ ବା ବାଇଆ ହୋଇ ଯାଇଥିଲି ସହର ମୋହରେ । ନିଜେ ତ ଆସୁ ନଥିଲି, ତୁମକୁ କଣ ଆଣିଥାନ୍ତି !ଏବେ ତୁମମାନେ ପ୍ରତି ହଲି ଡେରେ ନିଶ୍ଚେ ଆସିବ, ପକ୍କା ।
ଠିକ୍ ଅଛି ତାଳି ମାରି ଦୁହେଁ କହିଲେ ମଜା ହେବ । ଏ ମମ୍....ମନା କରିବନି ସେତେବେଳେକୁ, ହଁ ଅଁ ।
ପୁଅ ବୋହୂ ଫଁ ଫଁ ହେଉଥିଲେ ନିଜ ସ୍ୱାର୍ଥରେ ପାଣି ପଶିଗଲା ବୋଲି । ଗାଆଁ ଲୋକେ ଅଯଥାରେ ଜମି ଗୁଡା ଖାଉଛନ୍ତି । ବାବା କି ସୁଖ ପାଉଛନ୍ତି କେଜାଣି ଏ ନିପଟ ମଫସଲଟାରୁ !
ନାତି ନାତୁଣୀ କହିଲେ ହରିନାମେ କି ରସ ଅଛି ପାନ କଲା ଲୋକ ସିନା ଜାଣିଛି ମମ୍ ।
ଦୁଷ୍ଟ ! ପୁରା ଜେଜେଙ୍କ ରଙ୍ଗ ଢଙ୍ଗ ଆଣିଛନ୍ତି ଦିଟା ଯାକ ।
ହଁ ମମ୍ , ମୁଁ ଯେତେବେଳେ ବଡ଼ ହୋଇଯିବି ତୁମକୁ ଷ୍ଟୋର ଘରେ ରଖିବି, ସେତେବେଳେ ତୁମେ ଏଇ ଆମ ଗାଆଁ ଭିଟାମାଟିକୁ ଆସିବ ନା କେଉଁ ବୃଦ୍ଧା ଶ୍ରମ ଯିବ ?
ଆଁ କଣ କହିଲୁ , ତୁ !
ହଁ ମମ୍ , ତୁମେ ଯାହା ଶିଖେଇଲ ତାହା ମୁଁ ଶିଖିଲି । ଆମ କୁକୁର ଓ ମାଙ୍କଡ ପିଛା କେତେ ଖର୍ଚ୍ଚ ହୁଏ ? ସେ ହିସାବ ତ କରନା । ସକାଳେ ସନ୍ଧ୍ୟାରେ ଝାଡା, ପରିସ୍ରା କଲାଣି କି ନାଇଁ, ଖାଇଲେଣି କି ନାହିଁ କେୟାର ଟେକରକୁ ତାଗିଦା କର । କିନ୍ତୁ ଜେଜେଙ୍କୁ ସେମିତି ଦିନେ କରିଛ? ଜେଜେ ଚା ତିନି ଚାରି ଥର ପିଅନ୍ତି ବୋଲି କେମିତି ଗେଜେରେ ଗେଜେରେ ହୁଅ !
କାଇଁ ଆମେ ବାବାଙ୍କୁ କେବେ ଅବହେଳା କରିଛୁ କି ? ତାଙ୍କ ପାଇଁ ତ ଜଣେ ବନ୍ଧା ହୋଇଛି ମୋଟା ଅଙ୍କର ଦରମା ନେଉଛି ।
ସେମାନେ ଦରମା ପାଇଁ କାମ କରନ୍ତି ବାଧ୍ୟରେ । ବାବା ଭାବି କରନ୍ତି କି ଆଦରରେ !
ତୁ ଆଜିକାଲି ବହୁତ କହୁଛୁ, ଦେଖୁଛି ।
ସତ ହିଁ ତ କହୁଛି ମମ୍ ।
ପୁଅ ବୋହୂ ଏଗାର ବର୍ଷର ପୁଅ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ । ସତରେ ନିଜ ଲୋକ ସେବାରେ ଯେତେ ସ୍ନେହ ମମତା ଥାଏ, ପର ଲୋକେ ଯେତେ କଲେ କଣ ଥାଏ ? ବାବାଙ୍କ ଉପରେ ଥିବା ରାଗ ସବୁ ଭସା ବାଦଲ ପରି ଉଭେଇ ଗଲା ।
ସେମାନେ ସ୍ଥିର କଲେ ନା ବାପା ଅଜା ଅମଳର ଭିଟାମାଟି ଓ ଜମିବାଡ଼ିକୁ ଆଉ ଦିନେ ବିକିବାକୁ କହିବେ ନାହିଁ । ଏ ପରା ମାଆ । ଏଗାର ବର୍ଷର ପୁଅ ବୁଝି ପାରୁଛି, ଅଥଚ ଚାଳିଶି ବର୍ଷର ବାପା ହୋଇ ମୁଁ ବୁଝି ପାରୁନି ! ଖାଆନ୍ତୁ ଗାଆଁ ଲୋକେ । ଯେମିତି ଖାଉଛନ୍ତି ସେମିତି ତାର ସୁରକ୍ଷା ବି କରୁଛନ୍ତି ତ ।
ତାପଠାରୁ ମାସେ ଦୁଇ ମାସରେ ଥରେ ବିପୁଲ୍ ବାବୁ ବୋହୁମା ଓ ନାତି ନାତୁଣୀ ଗାଆଁକୁ ଆସନ୍ତି ।
ବଡ଼ବାବୁଙ୍କ ଭିଟାମାଟି ଗହ ଗହ ହୋଇ ଉଠେ ।