ଭିନ୍ନ ଏକ ଭାଲେଣ୍ଟାଇନ
ଭିନ୍ନ ଏକ ଭାଲେଣ୍ଟାଇନ
ଭାଲେଣ୍ଟାଇନ୍ସ ଡେ ର ପ୍ରସ୍ତୁତି ବୈଠକରେ ସୁରଭିଙ୍କ ପୁଅ ବୋହୂ ଓ ସାତ ବର୍ଷର ନାତି ବସି ମାସେ ପରେ ଆସିବାକୁ ଥିବା ଯୁବ ଉନ୍ମାଦନା ର ଦିନଟିକୁ କିଭଳି ଭାବେ ପାଳନ କରିବେ ଗୁରୁତ୍ୱର ସହିତ ଆଲୋଚନା କରୁଥିଲା ବେଳେ ସୁରଭି ନାମ ମାତ୍ର ବସି ରହି ଥିଲେ ସିନା ହେଲେ ତାଙ୍କ ମନ ଯାଇ କୋଉଠି ଥିଲା l କେତେ ଥର ସେ ସ୍ୱାମୀଙ୍କୁ କଥା ଛଳରେ ବୁଲେଇ ବଙ୍କେଇ କହିଥିବେ କିନ୍ତୁ ପଥରରେ ମୁଣ୍ଡ ପିଟିଲେ ମୁଣ୍ଡ ଫାଟି ଯିବ ସିନା ପଥର ର କି ଯାଏ ଆସେ ?
--ଆର ମାସରେ କଣ ଗୋଟିଏ ଭାଲେଣ୍ଟାଏନ୍ସ ଡେ ପଡୁଛି l ଆମେ ଦୁହେଁ କିଛି ଆୟୋଜନ କଲେ ହୁଅନ୍ତାନି ?
--ତୁମ ମୁଣ୍ଡ ଠିକ ଅଛି ତ ? ଏବେ ତୁମ ଜମାନା ନାହିଁ ବୋଲି ମନେ ଅଛି ନା ? ଏବେ ପିଲା ମାନେ ପାଳିବେ ଓ ଆମେ ଦେଖିବା l ଖରାପ ଲାଗୁନି ଏମିତି ଭାବିଲା ବେଳେ ? ଅଜିତଙ୍କ କଥା ଗୁଡିକ ଏମିତି ବନ୍ଧୁକରୁ ଗୁଳି ଛିଟକି ଆସିଲା ପରି ଲାଗେ l ଏହା ଶୁଣି ଆଉ ରହି ପାରିଲେ ନାହିଁ ସୁରଭି l
--ମୁଁ କଣ ହାତ ଧରାଧରି ହୋଇ ରାସ୍ତାରେ ଚାଲିବା ପାଇଁ କହିଲି କି ? ଖରାପ କାହିଁକି ଲାଗିବ ମ ? ସେଦିନ ଆମେ ସନ୍ଧ୍ୟାରେ ବାହାରି ଯିବା ଯେମିତି ସବୁଦିନ ୱାକ କରିବାକୁ ଯାଉ l ପାର୍କରେ କିଛି ସମୟ ବସିଥାନ୍ତେ ଓ ଫେରିଲା ବେଳେ ବାହାରେ ଖାଇ ଫେରିଥାନ୍ତେ l
--ସୁରଭି ପ୍ଲିଜ ମୋତେ ଟିକେ ଦୟା କର l ମୁଁ ଲଭର ବୟ ହୋଇ ତୁମକୁ ଧରି ସେଦିନ ଘୁରି ପାରିବିନି l ତୁମେ ଖାଲି ତୁମ ସ୍ବପ୍ନରେ ରହିଲ l ତୁମ ସହର ତୁମ ଦେଶର ଖବର କଣ ଜାଣ କାହିଁ କୁହ ତ l ତୁମ ଆଖପାଖରେ କଣ ଘଟୁଛି ଜାଣି ପାରୁଛ କିଛି ? ଏତିକି କହି ଅଜିତ ଉଠି ଚାଲି ଯାଇଥିଲେ l
ସୁରଭିଙ୍କୁ ଆଉ ନିଜ ଉପରେ ସମବେଦନା ଆସୁନି ଏଣିକି ହସ ଲାଗୁଛି l ଘର ଭିତରେ ଥିବା ନିଜ ସ୍ତ୍ରୀ ର ମନ କଥା ଯେ ବୁଝି ପାରୁନି ସେ ଦେଶ ଚିନ୍ତା କରିବାକୁ ଆଗଭର l ହଉ l ଜୀବନ ର ଦୁଇ ଭାଗରୁ ଅଧିକା ଗଲାଣି ଆଉ ଏକ ଭାଗ ବି ବୋଧେ ନଥିବ କି କଣ l କେମିତି କେମିତି ହେଇ ବାକି ଜୀବନ ଟା ଭଲରେ ଚାଲିଯାଉ l କାହିଁକିନା ଆଉ କୋଉଥିରେ ଆସକ୍ତି ଆସୁନି l
ହେଇ କାଲି ପରି ଲାଗୁଛି l ସୁରଭିଙ୍କର ଲେଖା ଲେଖି କରିବା ଅଭ୍ୟାସ ପିଲାଟି ଦିନରୁ ଥିଲା l ବାହା ହେଲା ପରେ ନୂଆ ଘର ନୂଆ ପରିବେଶରେ ଖାପ ଖୁଆଇବା ପାଇଁ କିଛି ସମୟ ଲାଗିଗଲା ପୁଣି ପୁଅ ଜନ୍ମ ହେଲା l ପୁଅକୁ ଦେଢ଼ ବର୍ଷ ହେଲା ପର୍ଯ୍ୟନ୍ତ ତାଙ୍କୁ ଫୁରସତ ନାହିଁ l ପୁଅଟା କିନ୍ତୁ ମୋଟେ ହଇରାଣ କରେନାହିଁ l ଖାଇଲା ପରେ ସିଧା ଶୋଇବ ପୁଣି ଯାଇ ସକାଳେ ମା ସାଙ୍ଗେ ଦେଖା l
ସେଦିନ ରୋଷେଇ ସାରି ପୁଅକୁ ଖାଇବାକୁ ଦେଇ ହଠାତ କଣ ମନକୁ ଆସିଲା ନା କେତେ ଧାଡି ଗାରେଇ ଦେଇଥିଲେ ଯାହା ଅଜିତଙ୍କ ଆଖିରେ ପଡିଥିଲା l ତାଙ୍କର ମୁଖ ଭଙ୍ଗୀ ଏମିତି ଥିଲା ସତେ ଯେପରି ଘର ଭିତରକୁ ଗୋଟିଏ ଡାଏନୋସର ପଶି ଆସିଛି ll
-- ଜଣେ ସଫଳ ପୁରୁଷ ଗୋଟିଏ ନିର୍ବୁଦ୍ଧିଆ ସ୍ତ୍ରୀ ଲୋକକୁ ବାହା ହେଲେ ସେ ଖାଲି ଏମିତି କାମ କରି ସମୟ ନଷ୍ଟ କରିବ ସିନା ସ୍ୱାମୀ ସହ ପାଦକୁ ପାଦ ମିଳାଇ ଚାଲି ପାରିବ ନାହିଁ l ମୋର ବ୍ୟାଚମେଟ ଝିଅ ମାନେ ଉପରେ ଆସି ପଡୁଥିଲେ ବୁଝିଲ ନା l ମୋର ହିଁ ଭାଗ୍ୟ ଖରାପ ବୋଲି ବାପାଙ୍କ କଥାରେ ପଡି ତୁମ ସହ ଛନ୍ଦି ହେଲି l କିହୋ ତମ ସ୍ୱାମୀଙ୍କ ଚା ରେ ଚିନି କେତେ ପଡେ ଜାଣିଛ କି ? ଆଜି ଯାଏଁ ସେତକ ତ ହେଲାନି ଆଉ ତମେ କଣ ଟା ତାଡି ପକାଉଛ ଶୁଣେ ? ଲେଖି ଲେଖି ବେଶି ହେଲେ କଣ କରି ପକାଇବ ଯେ ? ମାମୁଲି ଖଣ୍ଡେ ବହି ଛପେଇ ଲେଖକ ବନି ଯିବ l ବାସ ହେଇଗଲା କି ? ଲେଖା ଲେଖି ରେ ପେଟ ପୁରେନି ବାବା l
ଏକମାତ୍ର ପୁଅ ଅଜିତଙ୍କ ଭଳି ଅଫିସର ନ ହୋଇ ଆଇ ଟି ସେକ୍ଟରରେ କାମ କଲା ସେଥିପାଇଁ ତାଙ୍କ ଲେଖା ଲେଖି ହିଁ ଦାୟୀ l ଲେଖିବାର ଝୁଙ୍କ ଲାଗି ପୁଣି ସେ ଗୋଟିଏ ଭଲ ପତ୍ନୀ କିମ୍ବା ମା ହୋଇପାରିଲେ ନାହିଁ l ସାରା ଜୀବନ ଅଜିତଙ୍କ ଠାରୁ ଅଭିଯୋଗ ହିଁ ଶୁଣି ଆସିଛନ୍ତି l ହେଲେ ବି ବେଳା ବେଳି କାମ ସରିଗଲେ କାଗଜ ଖଣ୍ଡେ କଲମଟିଏ ଧରି ବସି ଯାଆନ୍ତି ଲେଖିବାକୁ l ସେତେବେଳେ ସେ ଭୁଲି ଯାଆନ୍ତି ସବୁ ପ୍ରକାର ଆକ୍ଷେପ l
ତାଙ୍କ ଆଲମାରୀ ଟି ରେ ଟଙ୍କା ସୁନା ଶାଢ଼ୀ ନ ଥାଉ ପଛକେ ଶହ ଶହ ପୃଷ୍ଠା ବିକ୍ଷିପ୍ତ ହୋଇ ପଡ଼ିଥିବ l ସେଥିପାଇଁ ଆଲମାରୀଟି ସବୁବେଳେ ଖୋଲା ପଡିଥାଏ l କାଗଜ ଗୁଡିକ ଖସି ଏଣେ ତେଣେ ପଡିଯାଏ ଓ କାମବାଲୀ ହାତରେ ଓଳା ହୋଇ ଗଳ୍ପର ଚରିତ୍ର ମାନେ ଡଷ୍ଟବିନରେ ଶେଷ ନିଶ୍ୱାସ ତ୍ୟାଗ କରନ୍ତି l
ସ୍ୱପ୍ନରେ ବି ସେ ଭାବି ନାହାନ୍ତି ଯେ ତାଙ୍କ ଲେଖାର ପାଣ୍ଡୁଲିପିଟିଏ ପ୍ରସ୍ତୁତ କରି ପ୍ରକାଶନ ପାଇଁ ଦେବେ l ଘରେ ଗ୍ୟାସ ରେ ରୋଷେଇ ହେଉଛି ନଚେତ କାଗଜ ଗୁଡିକ ଚୁଲି ଜଳା କାମରେ ଲାଗି ଥାଆନ୍ତା l ପୁଅ ବଡ଼ ହେଲା ପରେ ମା ପାଇଁ ଖାତା କିଣି ଆଣି ଦିଏ ତେଣୁ ସୁରଭିଙ୍କୁ ଆଉ ଖଣ୍ଡିଆ କାଗଜ ରେ ଲେଖିବାକୁ ପଡ଼େନା l ସେ ଜଣେ ଏମିତି ଲେଖକ ଯାହାର ପାଠକ କେହି ନାହାନ୍ତି l ସ୍ୱାମୀ ତ ସ୍ୱାମୀ, ପୁଅ ଇଂଲିଶ ସ୍କୁଲ ରେ ପଢେ ତେଣୁ ସେ ବି କିଛି ବୁଝେନା l
ତାଙ୍କ ଲେଖା ର ଅନେକ ଚରିତ୍ର ଆଲମାରୀ ର ଲୁଗା ଥାକ ତଳେ ଜନ୍ମ ହେବା ଆଗରୁ ମୃତ୍ୟୁ ବରଣ କରିଥାନ୍ତି l କାହିଁକି ଆଉ ସେ କଥା ଭାବିବେ ସେ l ଦୁନିଆ ଆଗରେ ସେ ସର୍ବ ସୁଖୀ l ଅଫିସର ସ୍ୱାମୀ ପୁଣି ଏକମାତ୍ର ପୁଅ ର ରୋଜଗାର ମାସକୁ ଲକ୍ଷେ ଉପରେ l ସୁରଭିଙ୍କୁ ଆଉ କଣ ଦରକାର ?
ଗୋଟିଏ ନାରୀର ନିଜର କିଛି ଇଚ୍ଛା ଅଭିଳାଷ ଥାଏକି ? ଅନ୍ୟର ସୁଖ ଯୋଗାଡ଼ୁ ଯୋଗାଡ଼ୁ ଆରପାରି ରୁ ଡାକରା ଆସେ ଓ ଜୀବନ ଦୀପ ଟି ଲିଭିଯାଏ l କପାଳରେ ସୁଖୀ ଗୃହସ୍ଥ ଜୀବନର ଟିକା ଧାରଣ କରି ଶରୀର ତାର ପାଉଁଶ ହୋଇଯାଏ l ତା ସହ ପାଉଁଶ ହୋଇଯାଏ ତାର ବେଜାଏ ଅପୂର୍ଣ୍ଣ ଆଶା ଓ ଛୋଟ ଛୋଟ ଖୁସି କେତୋଟି l
ଆସିଗଲା ଫେବୃଆରୀ ଚଉଦ ତାରିଖ l ପୂର୍ବ ପ୍ରସ୍ତୁତ ଯୋଜନା ଅନୁଯାଇ ନିର୍ଦ୍ଧାରିତ ଦିନଟିକୁ ଆଡମ୍ବର ସହକାରେ ପାଳନ କରିବା ପାଇଁ ପୁଅ ବୋହୂ ଅତ୍ୟନ୍ତ ତତ୍ପର l ରାତିରେ ସ୍ଥାନୀୟ ଷ୍ଟାର ହୋଟେଲ ରେ କେକ କଟାହେବ l ସୁରଭିଙ୍କୁ ଡାକୁଥିଲେ କିନ୍ତୁ ସେ ତାଙ୍କ ଭିତରେ ପଶି ସେମାନଙ୍କ ଖୁସି କୁ ପାଣିଚିଆ କରିବା ପାଇଁ ଚାହିଁଲେ ନାହିଁ l ପୁଅ ବୋହୂ ଅଲଗା ଅଲଗା ମଲ କୁ ଯାଇ ପରସ୍ପର ପାଇଁ ସରପ୍ରାଇଜ ଗିଫ୍ଟ କିଣିଛନ୍ତି l
ସୁରଭିଙ୍କୁ ବି ମନ ହେଉଛି ଆଜି ଅଜିତ ଙ୍କୁ କିଛି ଦେବାପାଇଁ l ଅଜିତ ତାଙ୍କୁ ନ ଦିଅନ୍ତୁ ପଛକେ ସେ କିଛି ହେଲେ ଦେବେ l ହେଲେ ତାଙ୍କ ପାଖେ କଣ ଅଛି ଯେ ଦେବେ l କିଛି କିଣିଲେ ପୁଣି ଅଜିତଙ୍କୁ ଟଙ୍କା ମାଗିବାକୁ ପଡିବ ନଚେତ ପୁଅ ବୋହୂଙ୍କ ପାଖରେ ହାତ ପତାଇବାକୁ ହେବ l ସମସ୍ତେ ଜାଣିଯିବେ ଯେ ଏ ବୟସରେ…….. ଏ ସବୁ ! ନିଜେ ଅଜିତ ମଧ୍ୟ ସମସ୍ତଙ୍କ ଆଗରେ ଇଆଡୁ ସିଆଡୁ କହିପାରନ୍ତି l
ଅଜିତଙ୍କୁ କଣ କଣ ଭଲ ଲାଗେ ମନେ ପକାଉଛନ୍ତି l ପାର୍ଟି ଭଲ ଲାଗେ l ପିକନିକ ଭଲ ଲାଗେ l ଡ୍ରିଙ୍କ କରିବାକୁ ବି ଭଲ ପାଆନ୍ତି l ଏହାଛଡା ଆଉ କଣ ପସନ୍ଦ ନାପସନ୍ଦ ସୁରଭି ଜାଣି ନାହାନ୍ତି l ଅଜିତ ଠିକ କହୁଥିଲେ ସତରେ ସୁରଭି ଗୋଟିଏ ଭଲ ପତ୍ନୀ ହୋଇ ପାରି ନାହାନ୍ତି କି ଅଜିତଙ୍କ ସହ ଆଜି ପର୍ଯ୍ୟନ୍ତ ପାଦକୁ ପାଦ ମିଳାଇ ଚାଲି ପାରି ନାହାନ୍ତି l
କଣ ଦେବେ ସେ ଆଜି ? ଗଛ ର ଚାରା କିମ୍ବା ବହି ଅଥବା ଫୁଲ ? ଅଜିତଙ୍କୁ ଏଥି ମଧ୍ୟରୁ କିଛି ବି ପସନ୍ଦ ନାହିଁ l ଛାଡ଼ l ଦେବା ନେବା ର ପ୍ରଥା ତ ଏ ଘରେ ନାହିଁ l କାହିଁକି ମନ କଷ୍ଟ କରିବେ l ପିଲାଙ୍କ ଖୁସି ଦେଖି ଖୁସି ହେବା କଥା ନା l ଗୋଟିଏ ବିଷୟ ଭାବି ସୁରଭି ବହୁତ ଖୁସି ହୁଅନ୍ତି ଯେ ପୁଅଟି ତାର ବାପା ଭଳି ହୋଇନାହିଁ l ସେ ତା ସ୍ତ୍ରୀ ସହିତ ବିନ୍ଦାସ ଜିଉଁଛି l ଭଗବାନ ମଙ୍ଗଳ କରନ୍ତୁ l
ଜଳଖିଆ ପର୍ବ ସରିଲାଣି l ସୁରଭି ମାନସ ଚକ୍ଷୁ ରେ ଦେଖି ପାରୁଛନ୍ତି ପୁଅ ନିଶ୍ଚୟ ବୋହୂକୁ କିଛି ସ୍ୱତନ୍ତ୍ର ଉପହାର ଦେଇଥିବ l ବୋହୂ ବି ବହୁତ ଖୁସ ମିଜାଜ ର ଝିଅ l ସେ ବି ପ୍ରତି ଉପହାର ଦେବ ନିଶ୍ଚୟ l ଏଗୁଡ଼ାକ ତ ପଚରା ଯାଏନି l ବୋହୂ କହିବ ଯଦି ଶୁଣିବା କଥା l
ହଠାତ ଅଜିତ ଆସି ନାଟକୀୟ ଭଙ୍ଗୀରେ ସେଠାରେ ହାଜର ହୋଇ ମୁଖସ୍ଥ କଲା ଭଳି ସଂଳାପ ଆରମ୍ଭ କରିଦେଲେ l
--ମହୋଦୟା ! ଆପଣଙ୍କ ପାଇଁ ଆଜି ଗୋଟେ ସରପ୍ରାଇଜ ଗିଫ୍ଟ ଆଣିଛି l ଆପଣ ଆଖି ବନ୍ଦ କରି ଏହାକୁ ଗ୍ରହଣ କଲେ ଏଇ ଅଧମ ଟି କୃତକୃତ୍ୟ ହେବ l
--ପ୍ରଥମେ ତ ଯାହା ଆଣିଛ ବାହାର କର l ତୁମେ କେମିତି ଲୋକ ମୁଁ ଭଲ ଭାବେ ଜାଣିଛି l ପୁଣି ସରପ୍ରାଇଜ କଣ ? ତୁମ କଥା ତ ସ୍କେଲ ଭଳି ସିଧା କଥା l ଏତେ ବୁଲେଇ ବଙ୍କେଇ କେବେଠାରୁ କହିବା ଶିଖିଲଣି ?
--ଯେବେଠାରୁ ଶଶୁର ପଦବୀ ଟି ମିଳିଲା ସେବେଠାରୁ ଶିଖିଯାଇଛି l ଆପଣଙ୍କ ପାଇଁ ଯତ କିଞ୍ଚିତ ଉପହାରଟିଏ ଆଣିଛି ଦୟା ପୂର୍ବକ ଗ୍ରହଣ କରନ୍ତୁ l
--ତୁମେ ପୁଣି ଉପହାର ଆଣିଛ ? କଣ ସକାଳୁ ସକାଳୁ ଡ୍ରିଙ୍କ କରି ଆସିଛ କି ? ସୁରଭି କିଛି ବୁଝି ପାରୁନଥିଲେ ଅଜିତଙ୍କ ଉଦ୍ଦେଶ୍ୟ କଣ l ହଠାତ ଉପହାର ପୁଣି ଆଖି ବନ୍ଦ କରି ସରପ୍ରାଇଜ ଦେବା ଇତ୍ୟାଦି l କଣ ହୋଇଛି ଆଜି ତାଙ୍କୁ l ଅଜିତଙ୍କ ହାତରେ କିଛି ଅଛି ଯାହାକୁ ସେ ଲୁଚାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି l
--ହଉ ହେଲା ଏବେ ତ ଦେଖାଅ l ସୁରଭିଙ୍କୁ ପ୍ରପୋଜ କଲା ଭଙ୍ଗୀରେ ଅଜିତ ଆଣ୍ଠୁ ମାଡି ବସି ସରପ୍ରାଇଜ ଟି ବାହାର କଲେ ଏଥର l ସୁରଭି ଆଖି ଖୋଲିଲେ l ହାତରେ ବହି ଖଣ୍ଡେ ଦେଖି ବି କିଛି ବୁଝି ପାରୁନାହାନ୍ତି l
--ଏଇଟା କି ବହି ଆଣିଛ ମୋ ପାଇଁ ?
--ଜଣେ ପ୍ରସିଦ୍ଧ ଲେଖିକାଙ୍କ ରଚିତ କ୍ଷୁଦ୍ର ଗଳ୍ପ ସଂକଳନଟିଏ l ୟାକୁ ପଢିଲେ ତୁମ ଲେଖା ବି ମାର୍ଜିତ ହେଇଯିବ ଏଥର ଏବଂ ତୁମେ ବି ଏଥିରୁ କିଛି ଶିଖିବାକୁ ପାଇବ l
ସୁରଭି ଏ ଭିତରେ ଆକାଶ ପାତାଳ ଭାବି ସାରିଲେଣି l ଅଜିତଙ୍କ ବହି ପଢିବା ସଉକ କେବେଠୁ ହେଲାଣି ପୁଣି ଅନ୍ୟ ଲେଖିକାଙ୍କ ବହି ତାଙ୍କୁ ଏତେ ଭଲ ଲାଗୁଛି କିନ୍ତୁ ନିଜ ସ୍ତ୍ରୀ ର ଗୋଟିଏ ମଧ୍ୟ ଲେଖା କୁ ସେ ତିରିଶ ବର୍ଷର ଘର ସଂସାର ଭିତରେ ଥରେ ହେଲେ ପଢି ନାହାନ୍ତି l ସୁରଭି ଲେଖା ଲେଖି କଲେ ତାଙ୍କୁ ଏତେ ଘୃଣା କିନ୍ତୁ ଅନ୍ୟ ସ୍ତ୍ରୀ ଲୋକର ଲେଖା ଏତେ ଭଲ ଲାଗୁଛି l ତାକୁ ପଢି ସୁରଭି ପୁଣି ମାର୍ଜିତ ହେବେ ? ବହିଟି ଚିରି ଦେବାକୁ ଯାଉଥିଲେ ହଠାତ ଲେଖିକା ର ନାଁ ପଢି ହତବାକ ହୋଇ ଯାଇଥିଲେ l ସୁରଭି ସାମନ୍ତରାୟ ? ତାଙ୍କ ନାଁ ରେ ବହି ? ଏଇଟା କଣ ସେ ଦେଖୁଛନ୍ତି ?
--ଏଠି ତ ମୋ ନାଁ ଅଛି ?
--ହଁ ମହୋଦୟା ଆପଣ ଠିକ ଦେଖିଛନ୍ତି l ଏ ଗଳ୍ପ ସଂକଳନ ଟି ଆପଣଙ୍କ ଦ୍ୱାରା ଲିଖିତ l ମୋତେ କ୍ଷମା କରିବେ l ମୁଁ ବହୁତ ବଡ ଭୁଲ କରିଛି l ଆପଣଙ୍କୁ ନ ଜଣାଇ ଆପଣଙ୍କ ବିନା ଅନୁମତିରେ ଗଳ୍ପ ଗୁଡିକ ଛାପି ଦେଇଛି ?
--ମୁଁ କିଛି ବୁଝି ପାରୁନି l କଣ କହୁଛ ସିଧା କୁହ l
--ଜାଣିଛି ତୁମେ ମୋ ଦ୍ୱାରା ମାନସିକ ସ୍ତରରେ ଆଜି ପର୍ଯ୍ୟନ୍ତ ନିର୍ଯ୍ୟାତିତ ହୋଇ ଆସିଛ l କେବଳ ଘର ଓ ପୁଅର ମୁହଁକୁ ଚାହିଁ ସବୁ ସହ୍ୟ କରି ଚାଲିଥିଲ l ହଠାତ ଦିନେ କେଇ ଖଣ୍ଡ କାଗଜ ଆଲମାରୀ ରୁ ଉଡି ଯାଇ ତଳେ ପଡିଥିବାର ଦେଖି ଉତ୍ତ୍ୟକ୍ତ ହୋଇ ଆଲମାରୀରୁ ସବୁ ବାହାର କରି ଫୋପାଡ଼ି ଦେବାକୁ ଯାଉଥିଲି l କିନ୍ତୁ ତା ପୂର୍ବରୁ କେତୋଟି ଧାଡି ଉପରେ ଆଖି ବୁଲାଇ ନେଇଥିଲି l ଗୋଟିଏ ଗୋଟିଏ ଶବ୍ଦରେ ତୁମର ସେଇ ମର୍ମସ୍ପର୍ଶୀ ବେଦନା ଯାହାକୁ ତୁମେ କାହାରି ଆଗରେ ପ୍ରକାଶ କରିପାରୁ ନଥିଲ l ହୁଏତ ତୁମ ପାଇଁ କାହା ପାଖରେ ସମୟ ହିଁ ନଥିଲା l ତୁମେ ଥିଲ ଜଣେ ଅଦରକାରୀ ବସ୍ତୁ ଯେ କି ନିଜର ସ୍ଥିତି ଠିକ ରୂପେ ଜାହିର କରି ପାରୁ ନଥିଲା l ଅଜିତ କହି ଚାଲିଥିଲେ l
--ତୁମ ଚାହିଁବା ଅନୁସାରେ ନ ହୋଇ ମଧ୍ୟ ତୁମେ ଆଜି ପର୍ଯ୍ୟନ୍ତ ମୋତେ ଗ୍ରହଣ କରି ଆସିଛ l କିନ୍ତୁ ମୁଁ ତୁମକୁ ତୁମ ପରି ଗ୍ରହଣ କରି ନଥିଲି l ତୁମକୁ ମୁଁ ଯେଉଁଭଳି ଚାହିଁଥିଲି ସେଇଭଳି ହେବାକୁ ପଡିଥିଲା l ମୋ ପାଇଁ ତୁମେ ସାରା ଜୀବନ ନିଜକୁ ବଦଳେଇ ଚାଲିଥିଲ କିନ୍ତୁ ତୁମ ପାଇଁ ମୁଁ ଗୋଟିଏ ମୁହୂର୍ତ୍ତ ବି ବଦଳି ପାରି ନଥିଲି l
--ଏତେ ଚିନ୍ତା କରନାହିଁ l ଆଜି କଣ ହୋଇଛି ତୁମକୁ କହିଲ ? ଦେହ ଭଲ ନାହିଁକି ? ସୁରଭି ଆଶ୍ଚର୍ଯ୍ୟ ହେଉଥିଲେ l ଏତେବର୍ଷ ଏକାଠି ଘର ସଂସାର କରିବା ପରେ ଅଜିତଙ୍କ କଣ୍ଠ ରୁ କିଛି ଶ୍ରୁତି ମଧୁର ବାକ୍ୟ ଶୁଣୁଥିଲେ l ସେ ବୁଝାଇବାକୁ ଆରମ୍ଭ କଲେ
--ଘଣ୍ଟା ରେ କଣ୍ଟା ଗୁଡିକ କେବଳ ଘୁରୁଥାନ୍ତି ସିନା ସମୟ ତ ଆଗରୁ ଘଣ୍ଟା ଦେହରେ ସୂଚିତ ହୋଇ ଯାଇଥାଏ l କଣ୍ଟା ଯେଉଁ ସୂଚକ ଉପରେ ଆସି ରହିବ ସେତେବେଳେ ସେତିକି ସମୟ ହେଲା ବୋଲି ଧରା ଯିବ l ତୁମେ ଠିକ କଥା କହୁଥିଲ l ଆମର ବି ସେହି ସମୟ ଗୁଡିକ ଗୋଟିକ ପରେ ଗୋଟିଏ ଚାଲି ଯାଇଛି l ଏବେ ଆମେ ବୃଦ୍ଧାବସ୍ଥା ରେ ପାଦ ଦେଇ ଅଛୁ l ତେଣୁ ସମୟୋପଯୋଗୀ ବ୍ୟବହାର କରି ବୟସ ସହିତ ତାଳ ଦେଇ ଚାଲିବା ଉଚିତ l ସୁରଭିଙ୍କ ଦାର୍ଶନିକ ସୁଲଭ ମତାମତ ଅଜିତଙ୍କୁ ଅନ୍ୟମନସ୍କ କରି ଦେଇଥିଲା l
--ସମୟ ଚାଲି ଯାଇଛି ସୁରଭି l ତାହା ଆଉ ଫେରିବ ନାହିଁ l ବର୍ଷ ପରେ ବର୍ଷ ଏମିତି ଗଡି ଚାଲିଥିଲା l କିନ୍ତୁ ମୁଁ ସ୍ୱପ୍ନରେ ବି ସୁଧୁରିବାକୁ ଚେଷ୍ଟା କରି ନଥିଲି l ତୁମେ ବି ଭାଗ୍ୟ କୁ ଦ୍ୱାହି ଦେଇ ମୋତେ ମାନି ନେଇଥିଲ l କିନ୍ତୁ ତୁମର ଲେଖା ଗୁଡିକ କାଳଜୟୀ ଅଟେ ସୁରଭି l ସମୟ ଗର୍ଭରେ ସବୁ ଲୀନ ହୋଇଯିବ କିନ୍ତୁ ତୁମର ସୃଷ୍ଟି ଅବିନଶ୍ୱର l ସମୟ ର ଅତଳ ଗର୍ଭରୁ ଏଗୁଡିକୁ ମୁଁ ଉଠାଇ ଆଣିଛି l ଏହା ଚିର ଦିନ ଅମର ରହିବ l ଏତେବଡ ମହାନ ଲେଖିକାଙ୍କୁ ମୋର ଶତ ଶତ ପ୍ରଣାମ l କ୍ଷମା କର ମୋତେ ଏବେ l
ସୁରଭି ବହିଟିକୁ ଛାତିରେ ଭିଡି ଧରି ଅନୁଭବ କରୁଥିଲେ ସେହି ଯୁଗାନ୍ତକାରୀ ସମୟ ର ସ୍ପନ୍ଦନକୁ ଯେଉଁଠି ମୃତବତ ଚରିତ୍ର ମାନେ ଜୀବନ୍ତ ହୋଇ ଉଠିଥିଲେ କେବଳ ଗୋଟିଏ ପାଷାଣ ହୃଦୟକୁ ଜୀବନ୍ୟାସ ଦେବା ନିମନ୍ତେ ଯେ ନିଜର କୃତକର୍ମ ନିମନ୍ତେ ଅନୁତପ୍ତ ଓ ପ୍ରଥମ ଥର ପାଇଁ ଭଲ ପାଇବା କୁ ଅନୁଭବ କରି ଆଗାମୀ ସମୟ ରେ ନିଜକୁ ସୁଧାରିବାକୁ ବଦ୍ଧ ପରିକର ଥିଲା l
ସେଥର ଭାଲେଣ୍ଟାଇନ୍ସ ଡେ ସୁରଭିଙ୍କ ପାଇଁ କୌଣସି ପବିତ୍ର ପୂଜା ପର୍ବ ଠାରୁ କମ ନଥିଲା l
